ସାରା ପୃଥିବୀରେ ବର୍ଷକୁ ପ୍ରାୟ ୫୪ ଲକ୍ଷ ଲୋକ ତମାଖୁ ସେବନ କାରଣରୁ ଅକାଳରେ ମୃତ୍ୟୁବରଣ କରନ୍ତି। ତେଣୁ ଏହା ଏକ ସ୍ବାସ୍ଥ୍ୟଗତ ବିପର୍ଯ୍ୟୟରେ ପରିଣତ ହୋଇଛି। ସାଧାରଣତଃ ନିକୋଟିଆନା ପ୍ରଜାତିର ଗଛର ପତ୍ରକୁ ଶୁଖାଇ ତମାଖୁ ତିଆରି କରାଯାଏ। ବିଶ୍ୱର ସବୁଠାରୁ ପ୍ରାଚୀନ ନିଶା ଦ୍ରବ୍ୟ ଭାବେ ଏହା ପରିଚିତ। ତମାଖୁର ନିଶା ଦୁଇ ପ୍ରକାରର। ଏହାକୁ ସିଗାରେଟରେ ବ୍ୟବହାର କରି ଧୂଆଁକୁ ଭିତରକୁ ଟଣା ଯାଇପାରେ ବା ପାନ ମସଲା ବା ଖଇନି ବା ଗୁଟ୍‌ଖା ଭାବେ ପାଟିରେ ଖିଆ ଯାଇପାରେ। ଏ ଦୁଇଟି ଯାକ ସ୍ବାସ୍ଥ୍ୟ ଲାଗି ଅତ୍ୟନ୍ତ କ୍ଷତିକାରକ, ଯହିଁରୁ ପ୍ରାୟ ୨୫୦ଟି ଅତ୍ୟନ୍ତ ବିଷାକ୍ତ ରାସାୟନିକ ଶରୀରକୁ ପ୍ରବେଶ କରିଥାଏ। ତନ୍ମଧ୍ୟରୁ ୫୦ଟି ରାସାୟନିକ ପଦାର୍ଥ ବ୍ୟବହାରକାରୀଙ୍କ ଠାରେ କ୍ୟାନ୍‌ସର ବା କର୍କଟ ରୋଗ ସୃଷ୍ଟି କରିଥାନ୍ତି। ସଂପ୍ରତି କରୋନା କାଳରେ ତମାଖୁ ସେବନରେ ଅଭ୍ୟସ୍ତ ବ୍ୟକ୍ତିବିଶେଷଙ୍କ ଚିକିତ୍ସା ଅତ୍ୟନ୍ତ କଠିନ ହୋଇପଡୁଛି।

Advertisment

ସିଗାରେଟ ବା ଧୂମ ପାନ ଦ୍ୱାରା କରୋନାରୀ ହାର୍ଟ ଓ ଫୁସ୍‌ଫୁସ୍ କ୍ୟାନ୍‌ସର ସୃଷ୍ଟି ହୋଇଥାଏ। ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ (ହୁ) ତଥ୍ୟ କହେ ଯେ ତମାଖୁ ଜାତୀୟ ପଦାର୍ଥ ସେବନକାରୀଙ୍କ ମଧ୍ୟରୁ ୫୦% ଅକାଳରେ ମୃତ୍ୟୁ ମୁଖରେ ପଡ଼ନ୍ତି। ଏମାନଙ୍କ ମୃତ୍ୟୁ ସଂଖ୍ୟା ବର୍ଷକୁ ୬୦ ଲକ୍ଷରୁ ଅଧିକ , ଅର୍ଥାତ୍‌ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ତମାଖୁ ବ୍ୟବହାରରୁ ହୋଇଥାଏ। ସ୍ଥିତି ଯଦି ଏଭଳି ରହେ, ତା’ହେଲେ ୨୦୩୦ ମସିହା ସୁଦ୍ଧା ବାର୍ଷିକ ମୃତ୍ୟୁ ସଂଖ୍ୟା ୮୦ ଲକ୍ଷକୁ ଟପିଯିବାର ଆଶଙ୍କା ରହିଛି।

ଚଉଦରୁ ୪୯ ବର୍ଷ ବୟସ୍କ ଲୋକେ ଅଧିକ ତମାଖୁ ସେବନ କରନ୍ତି। ଏମାନଙ୍କ ସଂଖ୍ୟା ମୋଟ ତମାଖୁ ସେବନକାରୀଙ୍କ ୫୭%। ବିଂଶ ଶତାବ୍ଦୀରେ ତମାଖୁ ସେବନ ଯୋଗୁଁ ୧୦ କୋଟି ଲୋକଙ୍କର ମୃତ୍ୟୁ ଘଟିଥିଲା, ଯାହା ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା ୧୦୦ କୋଟିରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ସଂଗଠନଗୁଡ଼ିକ କହନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ୪୦ ପ୍ରତିଶତ ଏଭଳି ଶିଶୁ ଅଛନ୍ତି ଯେଉଁମାନେ ପିତାମାତାଙ୍କ ତମାଖୁ ସେବନ ଅଭ୍ୟାସ ଦ୍ବାରା କ୍ଷତିଗ୍ରସ୍ତ। ମା’ମାନେ ତମାଖୁ ସେବନ କରୁଥିବା କାରଣରୁ ପ୍ରତି ବର୍ଷ ପୃଥିବୀରେ ୬ ଲକ୍ଷ ଶିଶୁଙ୍କର ମୃତ୍ୟୁ ଘଟୁଛି।

ତେବେ, ସଚେତନତା ହିଁ ଏଭଳି ମୃତ୍ୟୁକୁ ରୋକି ପାରିବ। ଭାରତରେ ଗୁଟ୍‌ଖା ନିଷେଧ କରାଯାଇଛି। ଅନ୍ୟ ତମାଖୁ ଜାତୀୟ ପଦାର୍ଥ ଉପରେ ଅଧିକ ଶୁଳ୍‌କ ଲଗାଇ ତାର ଦର ବୃଦ୍ଧି କରାଯିବା ଉଚିତ, ଯାହା ବ୍ୟବହାରକାରୀମାନଙ୍କୁ ତମାଖୁ ସେବନରୁ ବିରତ କରିପାରିବ। ମାତ୍ର ୧୦% ଦର ବୃଦ୍ଧି ଯୋଗୁଁ ଅଧିକ ଆୟକାରୀ ରାଷ୍ଟ୍ରଗୁଡ଼ିକରେ ତମାଖୁ ସେବନକାରୀଙ୍କ ସଂଖ୍ୟା ୪% କମିଥିବା ବେଳେ ସ୍ୱଳ୍ପ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକରେ ସେବନକାରୀଙ୍କ ସଂଖ୍ୟା ୫% ହ୍ରାସ ପାଉଥିବା ଜଣାପଡ଼ିଛି। ତେବେ ସତ କହିଲେ କୌଣସି ବାହ୍ୟ ଚାପ ନୁହେଁ, ଆତ୍ମ ସଚେତନତା ହିଁ ତମାଖୁମୁକ୍ତ ସମାଜ ଗଠନରେ ପ୍ରଧାନ ସହାୟକ ହେବ।

ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଏସ୍‌.ସି.ବି. ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭