ଗାନ୍ଧୀ ଓ କସ୍ତୁରବା

ମିହିର ପ୍ରତାପ ଦାସ

ସ୍ବାଧୀନ ଭାରତର ପ୍ରଥମ ନିର୍ବାଚନରେ (୧୯୫୧-୫୨) ୨୧ ବର୍ଷ ବୟସରୁ ଅଧିକ ବୟସ୍କା ନାରୀମାନେ ପୁରୁଷମାନଙ୍କ ଭଳି ମତଦାନର ଅଧିକାର ପାଇଲେ। ଭାରତ ଭଳି ଏକ ରକ୍ଷଣଶୀଳ ରାଷ୍ଟ୍ରରେ ନାରୀମାନଙ୍କ ରାଜନୈତିକ ଅଧିକାରକୁ ନେଇ ଏଭଳି ମନୋଭାବ ବିଶ୍ବକୁ ଚକିତ କରି ଦେଇଥିଲା। ଏଠାରେ ସ୍ମରଣଯୋଗ୍ୟ ଯେ ମହାତ୍ମା ଗାନ୍ଧୀ ୧୮୯୬ ମସିହାରୁ ଦକ୍ଷିଣ ଆଫ୍ରିକାରେ ଏବଂ ୧୯୧୫ ମସିହାରୁ ଭାରତରେ ନାରୀମାନଙ୍କ ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ସଶକ୍ତୀକରଣ ଲାଗି ଉଦ୍ୟମ ଆରମ୍ଭ କରି ଦେଇଥିଲେ। ପୂର୍ବରୁ କିଛି ସମାଜ ସଂସ୍କାରକ ଏ ଦିଗରେ କିଛି କାର୍ଯ୍ୟ ଅବଶ୍ୟ କରିଥିଲେ। କିନ୍ତୁ ଗାନ୍ଧୀଙ୍କର ଉଦ୍ୟମ ଏକ ଜାଗରଣ ଆଣିଥିଲା। ଏବଂ ଭୁଲିଗଲେ ହେବ ନାହିଁ ଯେ ଗାନ୍ଧୀଙ୍କ ବ୍ୟକ୍ତିତ୍ବ ଏବଂ ତାଙ୍କ ଚିନ୍ତାଧାରାକୁ ଏ ଦିଗରେ ଗଭୀର ଭାବେ ପ୍ରଭାବିତ କରିଥିଲେ ତାଙ୍କ ଧର୍ମପତ୍ନୀ କସ୍ତୁରବା। କସ୍ତୁରବା ପ୍ରଥମେ ରକ୍ଷଣଶୀଳା ଥିଲେ। କିନ୍ତୁ ଗାନ୍ଧୀଙ୍କ ପ୍ରଭାବରେ ତାଙ୍କ ଠାରେ ପ୍ରଗତିଶୀଳତା ପ୍ରକାଶ ପାଇଥିଲା ଏବଂ ସେ ଗାନ୍ଧୀଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ।

ଗାନ୍ଧୀ ଓକିଲାତି ପଢ଼ିବାକୁ ଇଂଲଣ୍ତ ଯିବା ସମୟରେ ଅର୍ଥାଭାବ ପଡ଼ିଲା। ସେ ସାତ ଦରିଆ ପାର ହୋଇ ବିଦେଶ ଯାଉଥିବାରୁ ସେ କାଳରେ ତାଙ୍କ ସମାଜ ଗାନ୍ଧୀ ପରିବାରକୁ ବାସନ୍ଦ କରିଥିଲା। କସ୍ତୁରବାଙ୍କ ବାପଘର ମଧ୍ୟ ଏହାର ବିରୋଧୀ ଥିଲେ। କିନ୍ତୁ ସେତିକିବେଳେ କସ୍ତୁରବା ନିଜ ଗହଣା ବନ୍ଧା ପକାଇ ଅର୍ଥ ଯୋଗାଡ଼ କଲେ। ଏହା ଥିଲା ରକ୍ଷଣଶୀଳା କସ୍ତୁରବାଙ୍କ ଠାରେ ପ୍ରଗତିଶୀଳ ଚିନ୍ତାର ଏକ ପ୍ରାଥମିକ ପ୍ରମାଣ।

୧୮୯୬ ମସିହାରେ କସ୍ତୁରବା ଗାନ୍ଧୀଙ୍କ ସହିତ ଦକ୍ଷିଣ ଆଫ୍ରିକା ଗଲେ। ସେଠାରେ ଗାନ୍ଧୀଙ୍କ ବାସଗୃହ ଦକ୍ଷିଣ-ଆଫ୍ରିକାରେ ରହୁଥିବା ଭାରତୀୟ ତଥା କିଛି ଗାନ୍ଧୀପ୍ରେମୀ ୟୁରୋପୀୟମାନଙ୍କ ଲାଗି ଏକ ପ୍ରିୟ ସମାବେଶ ସ୍ଥଳ ହୋଇଗଲା। ସେଠାରେ ସମସ୍ତେ କସ୍ତୁରବାଙ୍କ ଅତିଥିପରାୟଣତା ଦ୍ବାରା ମୁଗ୍‌ଧ ହେଉଥିଲେ। ସେଠାକାର କେତେକ ପ୍ରଥା ତଥା ଗାନ୍ଧୀଜୀଙ୍କ ଦୈନନ୍ଦିନ କାର୍ଯ୍ୟର ଶୃଙ୍ଖଳା ପ୍ରଥମେ କସ୍ତୁରବାଙ୍କୁ ଅଡୁଆ ଲାଗୁଥିଲେ ମଧ୍ୟ ସେ କ୍ରମେ ଗାନ୍ଧୀଙ୍କ ଦ୍ବାରା ପ୍ରଭାବିତ ହେଲେ। ତାହା ସହିତ ଏହା ମଧ୍ୟ ଦେଖାଗଲା ଯେ ଗାନ୍ଧୀ ମଧ୍ୟ କସ୍ତୁରବାଙ୍କ ଦ୍ବାରା ଖୁବ୍ ପ୍ରଭାବିତ ହୋଇଛନ୍ତି। ସତ କହିବାକୁ ଗଲେ ବ୍ୟକ୍ତିଗତ ଜୀବନରେ କସ୍ତୁରବାଙ୍କ ସହଯୋଗ ଗାନ୍ଧୀଙ୍କୁ ଏକ ବୃହତ୍ତର ପରିସରରେ ଜାତିର ଜନକ ହେବାରେ ସହାୟକ ହୋଇଥିଲା।

୧୯୦୪ରେ ଦକ୍ଷିଣ ଆଫ୍ରିକାରେ ମହାମାରୀ ପ୍ଲେଗ୍‌ ବ୍ୟାପିଲା। ଗାନ୍ଧୀଜୀ ସେଠାକାର ଚିକିତ୍ସକ ଦଳ ସହିତ ସେବା କାର୍ଯ୍ୟ ଆରମ୍ଭ କଲେ। ଏହି ସମୟରେ କସ୍ତୁରବା ଦିନରାତି ଏକାକାର କରି ଗୋଟିଏ ନାରୀ ବାହିନୀ ସହିତ ଘର ଘର ବୁଲି ଆବର୍ଜନା ଆଦି ସଫା କରି ତଥା ପରିମଳ ସଂପର୍କିତ ସଚେତନତାର ପ୍ରସାର କରି ପ୍ଲେଗ୍‌ ବିରୋଧରେ ସକ୍ରିୟ ଯୋଗଦାନ କରିଥିଲେ। ସେଠାରେ ଗାନ୍ଧୀ ସ୍ଥାପନ କରିଥିବା ଫିନିକ୍‌ସ ଆଶ୍ରମରେ ବିଭିନ୍ନ ଜାତି, ଧର୍ମ ଓ ଜାତୀୟତାସଂପନ୍ନ ଲୋକ ମିଳିତ ହେଉଥିଲେ। ଏହି ଆଶ୍ରମର ପରିଚାଳନା ଭାର ଗାନ୍ଧୀଙ୍କ ସହିତ କସ୍ତୁରବା ମଧ୍ୟ ନେଇଥି‌େଲ।

ଭାରତରେ ସତ୍ୟାଗ୍ରହ ଆନ୍ଦୋଳନରେ ଅଂଶ ଗ୍ରହଣ କରି କସ୍ତୁରବା ଜେଲ ଭୋଗିଥିଲେ। ଜେଲ୍‌ରେ ରହଣି କାଳରେ ସେ ମହିଳା ବନ୍ଦୀମାନଙ୍କୁ ଏକତ୍ର କରି ପାଠ ପଢ଼ାଉ ଥିଲେ। ସ୍ବାସ୍ଥ୍ୟ ରକ୍ଷା ଓ ସଂସ୍କାର ତାଲିମ ଦେଇଥିଲେ।

ଭାରତରେ ଗାନ୍ଧୀଙ୍କ ସାବରମତୀ ଓ ୱାର୍ଦ୍ଧା ଆଶ୍ରମରେ ଅସ୍ପୃଶ୍ୟତା ନିରାକରଣ, କୁଷ୍ଠରୋଗୀ ସେବା, ଖଦି ଓ ଚରଖାର ପ୍ରସାର ଭଳି କାର୍ଯ୍ୟରେ କସ୍ତୁରବାଙ୍କ ପ୍ରଭୂତ ଅବଦାନ ଥିଲା।। ପରବର୍ତ୍ତୀ କାଳରେ ବିଭିନ୍ନ ଜନଜାଗରଣମୂଳକ କାର୍ଯ୍ୟରେ ଗାନ୍ଧୀଜୀଙ୍କର ସେ ଥିଲେ ପ୍ରଥମ ସିପାହି।

କେବଳ ‌େସତିକି ନୁହେଁ, ଗାନ୍ଧୀଙ୍କ କଠୋର ଶୃଙ୍ଖଳା ଭିତରେ ନାରୀସୁଲଭ କୋମଳତାର ସ୍ପର୍ଶ କସ୍ତୁରବାଙ୍କ ଠାରୁ ମିଳୁଥିଲା। ଉଦାହରଣ ସ୍ବରୂପ ଗାନ୍ଧୀଙ୍କ ନିର୍ଦ୍ଦେଶରେ ସାବରମତୀ ହେଉ ବା ୱାର୍ଦ୍ଧା ହେଉ କୌଣସି ଆଶ୍ରମରେ ଚା’ ପାନର ବ୍ୟବସ୍ଥା ନ ଥିଲା। କାରଣ ଗାନ୍ଧୀ ଥିଲେ ସବୁ ପ୍ରକାର ନିଶାର ଘୋର ବିରୋଧୀ। କିନ୍ତୁ ଜୱାହରଲାଲ ନେହରୁ ଚା’ ପ୍ରିୟ ଥିବାରୁ କସ୍ତୁରବାଙ୍କ ଆଗ୍ରହରେ ତାଙ୍କ ଲାଗି ଚା’ର ବ୍ୟବସ୍ଥା କରାଯାଉଥିଲା। ସେହିଭଳି ଅନେକ କ୍ଷେତ୍ରରେ କସ୍ତୁରବାଙ୍କ ମାତାସୁଲଭ ଆଚରଣ ଆଶ୍ରମବାସୀଙ୍କୁ ଖୁବ୍ ପ୍ରଭାବିତ କରିଥିଲା।

ଗାନ୍ଧୀ ଥରେ କହିଥିଲେ ଯେ ପରିବାରର ମା’ମାନେ ପ୍ରକୃତରେ ଅହିଂସାଭିତ୍ତିକ କୋମଳ ଶକ୍ତିର ଆଧାର, ଯେଉଁମାନେ ପରିବାରକୁ ବାନ୍ଧି ରଖିବାରେ ସହାୟକ ହୋଇଥାଆନ୍ତି। ସେ କସ୍ତୁରବାଙ୍କ ଠାରେ ସେହି ସବୁ ଗୁଣର ପ୍ରମାଣ ପାଇଥିଲେ। ଏ କଥା ଅନସ୍ବୀକାର୍ଯ୍ୟ ଯେ ଗାନ୍ଧୀଙ୍କୁ ରୂପ ଦେବାରେ କସ୍ତୁରବାଙ୍କ ଅନେକ ଅବଦାନ ଥିଲା।

ମୋ- ୯୯୩୭୮୬୩୫୨୮

ସମ୍ବନ୍ଧିତ ଖବର