ଉଜ୍ବେକିସ୍ତାନର ରାଜା ଥରେ ବିହାର କରିବା ଲାଗି ବାହାରିଲେ। ସେଥିଲାଗି ସେ ନିଜର ଅତି ପ୍ରିୟ ଆରବୀ ଘୋଡ଼ାକୁ ବାହାର କଲେ ଓ ତା’ ଉପରେ ସବାର ହୋଇ ମନୋରଂଜନ ସକାଶେ ଦଳବଳ ଧରି ବୁଲାବୁଲି କଲେ।
ଦ୍ବିପହର ସମୟକୁ ଗୋଟିଏ ମନୋରମ ଉଦ୍ୟାନରେ ଭୋଜିଭାତର ଆୟୋଜନ କରାଯାଇଥିଲା। ସେଠାରେ ଖିଆପିଆ ହେଲା, ନାଚଗୀତ ହେଲା। ରାଜାଙ୍କ ସଂପୂର୍ଣ୍ଣ ମନୋରଂଜନ ହେଲା। ସଂଧ୍ୟା ବେଳକୁ ରାଜା ଫେରିବାକୁ ଚାହିଁଲେ।
ଏହି ସମୟରେ ଜଣେ ପରିଚାରକ ଊର୍ଦ୍ଧ୍ବଶ୍ବାସରେ ଦୌଡ଼ି ଆସି ଜଣାଇଲା ଯେ ରାଜାଙ୍କ ଘୋଡ଼ାଟି ଚୋରି ହୋଇଯାଇଛି। ରାଜାଙ୍କ ମୁଣ୍ଡ ଗରମ ହୋଇଗଲା। ଚୋରର କି ସାହସ ଦେଖ। ରାଜାଙ୍କ ଘୋଡ଼ା ଚୋରି କରିନେଇଛି! ପୁଣି ଦିନ ଦ୍ବିପହରେ ଓ ସମସ୍ତେ ଥିବା ବେେଳ! େସଠାରେ ଥିବା ଲୋକେ କହିଲେ- ରାଜଧାନୀରେ ଚୋର ପ୍ରବଳ ମାତିଲେଣି। ଜାହାଁପନା ଦୟାଳୁ ବୋଲି ସେମାନଙ୍କ ସାହସ ବଢ଼ିଯାଇଛି। ଚୋରମାନଙ୍କୁ ସାବାଡ଼ କରିବାକୁ ହେବ। ସେମାନଙ୍କୁ ଖୋଜି ଖୋଜି ବାହାର କରି ଫାଶୀରେ ଝୁଲେଇ ଦିଆଯାଉ।
ଏତେ ସବୁ ଘଟିଲା ବେଳକୁ ମୁଲ୍ଲା ନସିରୁଦ୍ଦିନ ଢୋଳାଉ ଥିଲେ। କିନ୍ତୁ ଚୋରି ପରେ ଉଚ୍ଚବାଚ ଚାଲିଥିବାରୁ ତାଙ୍କ ନିଦ ଭାଙ୍ଗିଗଲା। ସେ ସେଠାକୁ ଆସି ସବୁ ଶୁଣିବା ପରେ କହିଲେ- ଜାହାଁପନା, କ୍ଷମା କରିବେ। ଦୋଷ ଚୋର ଠେଇଁ ନାହିଁ। ଦୋଷ ଆମ ଠାରେ। ଆମେ ହୋସ୍ରେ ଥିଲେ ଚୋରି ହୋଇ ଥାଆନ୍ତା କି? ଚୋର ତା’ କାମ ଠିକ ଭାବେ କଲା। ଆମେ ଆମ କାମ ଠିକ ଭାବେ କଲେ ନାହିଁ।
ରାଜା କହିଲେ- ମୁଲ୍ଲା ତୁମ କଥା ବାଧୁଛି ସିନା, କିନ୍ତୁ ସତ କହିଛ।