ଜନ ପ୍ରତିନିଧି ଓ ଆଚରଣ ବିଧି

ଅରଣ୍ୟ ରୋଦନ - ବସନ୍ତ ଦାସ

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜ୍ୟ ବିଧାନସଭାର ଯେଭଳି ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି, ସେହିଭଳି ଗୃହର ସଦସ୍ୟମାନଙ୍କୁ ମଧୢ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି। ସେଥି ସହିତ ମାନ୍ୟବର ଜନ ପ୍ରତିନିଧିମାନଙ୍କର କର୍ତ୍ତବ୍ୟ, ବ୍ୟବହାର, ଆଚରଣ ଓ ଉଚ୍ଚାରଣ କିପରି ହେବ ସେ ସମ୍ପର୍କରେ ‘ରୁଲସ୍‌ ଅଫ୍‌ ପ୍ରୋସିଡିଓର’ରେ ଉଲ୍ଲେଖ କରାଯାଇଛି। ମାତ୍ର ପରିତାପର ବିଷୟ ଯେ, ଏଥିରେ ଥିବା ବିଭିନ୍ନ ଧାରାକୁ ପାଳନ କରିବା ଅପେକ୍ଷା ଅଧିକ ଉଲ୍ଲ˚ଘନ କରାଯାଉଥିବାର ଦେଖାଯାଉଛି। ଆଜିକାଲି ସମ୍ବାଦପତ୍ରର ପୃଷ୍ଠା ଓଲଟାଇଲେ କିମ୍ବା ଟିଭି ଚାନେଲ ଖୋଲିଲେ ଗଣତନ୍ତ୍ରର ପବିତ୍ର ମନ୍ଦିରରେ ଜନପ୍ରତିନିଧିମାନେ ପ୍ରଚଳିତ ବିଧି ଓ ନିୟମକୁ ଜଳାଞ୍ଜଳି ଦେଇ ଗୃହର ମଧୢଭାଗକୁ ପ୍ରବେଶ କରି ବିଭିନ୍ନ ପ୍ରକାର ଧ୍ବନି ଦେବା ସହିତ କାଗଜପତ୍ର ଚିରି ଫୋପାଡ଼ିବା, ଅସ˚ଯତ ଭାଷା ବ୍ୟବହାର କରିବା, ଅଶାଳୀନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିବା, ବାଚସ୍ପତିଙ୍କ ଟେବୁଲ ଉପରୁ କାଗଜପତ୍ର ଟାଣିବା ଏବ˚ ଏପରି କି ଗୃହର ସର୍ବୋଚ୍ଚ କର୍ତ୍ତାଙ୍କ ପ୍ରତି କଟୁ ମନ୍ତବ୍ୟ ପ୍ରଦାନ କରିବା ଭଳି କାମ ଆଖିରେ ପଡୁଛି। କେତେକ କ୍ଷେତ୍ରରେ ଗୃହରେ ସୃଷ୍ଟି ହେଉଥିବା ଅସ୍ବାଭାବିକ ପରିସ୍ଥିତି, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚି ଉପରେ ପ୍ରାଧାନ୍ୟ ଲାଭ କରୁଛି। ଅନେକ ସମୟରେ ଅସ୍ବାଭାବିକ ପରିସ୍ଥିତି ଯୋଗୁ ଗୃହର ବୈଠକକୁ ବାରମ୍ବାର ମୁଲତବୀ କରିବାକୁ ପଡୁଛି। ଏହା ଫଳରେ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ସାଧାରଣରେ ବୀତସ୍ପୃହତା ସୃଷ୍ଟି ହେଉଛି।

ବିଧାନସଭା ଓ ଏହାର ସଦସ୍ୟମାନଙ୍କର ମର୍ଯ୍ୟାଦା ରକ୍ଷା ସହିତ ସମ୍ବିଧାନସମ୍ମତ ଭାବରେ ଗୃହ କିପରି ପରିଚାଳିତ ହୋଇପାରିବ, ସେ ଉଦ୍ଦେଶ୍ୟରେ ଅନେକ ବୈଠକ ଓ ସମ୍ମିଳନୀ ଅନୁଷ୍ଠିତ ହୋଇ ଏକାଧିକ ସୁପାରିସ କରାଯାଇଛି।
ଭାରତବର୍ଷର ସ୍ବାଧୀନତାପ୍ରାପ୍ତିର ପଚାଶ ବର୍ଷ ପୂର୍ତ୍ତି ଅବସରରେ ‘ସ୍ବାଧୀନତାର ପଚାଶ ବର୍ଷ ପରେ ଓଡ଼ିଶାର ସ୍ଥିତି’ ବିଷୟ ଅନୁଧୢାନ କରିବା ପାଇଁ ଓଡ଼ିଶା ବିଧାନସଭାର ଯେଉଁ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା, ସେଥିରେ ଗୃହର ଫଳପ୍ରଦ ଗଣତାନ୍ତ୍ରିକ କାର୍ଯ୍ୟଧାରାକୁ ବଜାୟ ରଖିବା ସହିତ ଏହାର ସଦସ୍ୟମାନଙ୍କର ମର୍ଯ୍ୟାଦାର ସୁରକ୍ଷା ଉଦ୍ଦେଶ୍ୟରେ ଗୋଟିଏ ‘ଏଥିକ୍‌ସ କମିଟି’ ଗଠନ କରିବା ପାଇଁ ପ୍ରସ୍ତାବଟିଏ ଗୃହୀତ ହୋଇଥିଲା। ତଦନୁଯାୟୀ ଗୃହରେ ଏକ ପ୍ରସ୍ତାବ ଆଗତ ଓ ପାରିତ ହୋଇ ୧୯୯୭ ମସିହା ଡିସେମ୍ବର ୧୫ ତାରିଖ ଦିନ ମାନ୍ୟବର ବାଚସ୍ପତିଙ୍କ ଅଧୢକ୍ଷତାରେ ଏକ ଆଠ ଜଣିଆ ଏଥିକ୍‌ସ କମିଟି ଗଠନ କରାଯାଇଥିଲା। ସେଥିରେ ତତ୍‌କାଳୀନ ଉପ-ମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳ, ଆଇନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକ, ସରକାରୀ ମୁଖ୍ୟ ସଚେତକ ଡ. ଦେବେନ୍ଦ୍ର ନାଥ ମାନସି˚ହଙ୍କ ସମେତ ବିଧାୟକ ମଙ୍ଗଳା କିଷାନ, ଅରବିନ୍ଦ ଢାଲି, ସୁଦାମ ମାରଣ୍ତି ଓ ନଳିନୀକାନ୍ତ ମହାନ୍ତି ସଦସ୍ୟ ରହିଥିଲେ। ପରେ ଏହି କମିଟି ୧୯୯୮ ମସିହା ମାର୍ଚ୍ଚ ୩୧ ତାରିଖ ଏବ˚ ୧୯୯୯ ମସିହା ମାର୍ଚ୍ଚ ୩୧ ତାରିଖରେ ପୁନର୍ଗଠିତ ହୋଇ ସେଥିରେ ବିଧାୟକ ନରସି˚ହ ମିଶ୍ର, ଗୁପ୍ତପ୍ରସାଦ ଦାଶ ଓ ବିଜୟ ମହାପାତ୍ରଙ୍କୁ ସାମିଲ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହି କମିଟି ବିଶଦ ଆଲୋଚନା କରି ଗୃହର ସଦସ୍ୟମାନଙ୍କ ପାଇଁ କି ପ୍ରକାର ବିଧି ଓ ନିୟମ ପ୍ରଣୟନ କରାଯିବ, ସେ ସମ୍ପର୍କରେ ସୁପାରିସ କରିବା ପାଇଁ ଏକ ସବ୍‌ କମିଟି ଗଠନ କରିଥିଲେ। ମୂଳ କମିଟିର ପାଞ୍ଚଟି ଏବ˚ ସବ୍‌ କମିଟିର ଚାରିଥର ବୈଠକ ବସି ଏ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। କମିଟି, ରାଜ୍ୟ ସରକାରଙ୍କୁ ଯେଉଁ ରିପୋର୍ଟ ପ୍ରଦାନ କରିଥିଲେ ତାହା ବିଧାନସଭାରେ ୧୯୯୯ ମସିହା ଡିସେମ୍ବର ୧୮ ତାରିଖରେ ଉପସ୍ଥାପିତ ହୋଇଥିଲା। କମିଟି ତାଙ୍କ ରିପୋର୍ଟରେ ଲୋକ ପ୍ରତିନିଧିମାନଙ୍କର ଆଚରଣ ବିଧି ସମ୍ପର୍କରେ କେତେକ ସୁପରାମର୍ଶ ଦେବା ସହିତ ମାନ୍ୟବର ବିଧାୟକମାନେ ଗୃହ ଭିତରେ ଓ ବାହାରେ କ’ଣ କରିବା ଉଚିତ ଓ ଅନୁଚିତ, ସେ ବିଷୟରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ‘ସାଧାରଣ ଜୀବନ ଓ ପବିତ୍ର ଗୃହ ବିଧାନ ସଭାରେ ସଦସ୍ୟମାନଙ୍କର ଆଚରଣ ଓ ବ୍ୟବହାର ସମ୍ପର୍କରେ ମୌଳିକ ଧାରା ନିର୍ଣ୍ଣୟ କରିବାର ସମୟ ଆସିଛି’ ବୋଲି କମିଟି ଉପଲବ୍‌ଧି କରିଥିଲେ। କମିଟିର ଅନ୍ୟାନ୍ୟ ସୁପାରିସ ମଧୢରେ ନିର୍ବାଚିତ ପ୍ରତିନିଧି ଭାବରେ ଶପଥ ଗ୍ରହଣର ୩୦ ଦିନ ମଧୢରେ ନିଜ ନିଜର ସମ୍ପତ୍ତି ଓ ଦେୟର ତାଲିକା ବାଚସ୍ପତିଙ୍କ ନିକଟରେ ଦାଖଲ କରିବା ଏବ˚ ଗୃହର ସଦସ୍ୟ ରହିଥିବା ପର୍ଯ୍ୟନ୍ତ ପ୍ରତିବର୍ଷ ଜାନୁଆରି ୧୫ ତାରିଖ ପୂର୍ବରୁ ସମ୍ପତ୍ତି ଓ ଦେୟ ତାଲିକା ପ୍ରଦାନ କରିବା, ସଦସ୍ୟଙ୍କ ନାମରେ ଆବଣ୍ଟନ କରାଯାଇଥିବା ସରକାରୀ ବାସଭବନକୁ ଭଡ଼ା ଲଗାଇ ସେଥିରୁ ଲାଭ ନ ଉଠାଇବା, ନିଜର କୌଣସି ସମ୍ପର୍କୀୟ କିମ୍ବା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସ˚ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଚାକିରି କିମ୍ବା ବ୍ୟବସାୟଗତ ଠିକା ପ୍ରଦାନ ପାଇଁ ସରକାରୀ ଅଫିସରମାନଙ୍କୁ ସୁପାରିିସ ପତ୍ର ନ ଲେଖିବା କିମ୍ବା ଅନୁରୋଧ ନ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା। ବାସ୍ତବ କ୍ଷେତ୍ରରେ ଏ ସବୁ ସୁପାରିସ କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ଅନୁଧୢାନ ସାପେକ୍ଷ।

ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାମାନଙ୍କରେ ଘଟୁଥିବା ବିଶୃଙ୍ଖଳ ଆଚରଣର ପରିସମାପ୍ତି ଘଟାଇବା ନିମନ୍ତେ ଉପାୟ ନିର୍ଣ୍ଣୟ କରିବା ପାଇଁ ୨୦୦୧ ମସିହା ଜୁନ୍‌ ମାସରେ ଚଣ୍ତିଗଡ଼ଠାରେ ଗୃହର ଅଧୢକ୍ଷମାନଙ୍କର ୬୪ତମ ଅଧିବେଶନରେ ବିଶେଷ ଚର୍ଚ୍ଚା କରାଯାଇଥିଲା। ସେହିପରି ସେ ବର୍ଷ ନଭେମ୍ବର ୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ଏକ ସର୍ବଭାରତୀୟ ସମ୍ମିଳନୀରେ ଗୃହରେ ଦେଖା ଦେଉଥିବା ବିଶୃଙ୍ଖଳ ଆଚରଣର କାରଣ ଓ ତା’ର ପ୍ରତିକାର ସମ୍ପର୍କରେ ଆଲୋଚନା କରାଯାଇ କେତେକ ସୁପାରିସ କରାଯାଇଥିଲା। ସୁପାରିସରେ କୁହାଯାଇଥିଲା ଯେ, ଗୃହର ନୂତନ ସଦସ୍ୟମାନଙ୍କର ସ˚ସଦୀୟ କାର୍ଯ୍ୟବିଧି ସମ୍ପର୍କରେ ଆବଶ୍ୟକ ତାଲିମର ଅଭାବ, ଗୃହରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆପତ୍ତି ଅଭିଯୋଗ କରିବା ପାଇଁ ସୁଯୋଗର ଅଭାବ ଓ ତଜ୍ଜନିତ ନୈରାଶ୍ୟ, ସରକାରଙ୍କ ପକ୍ଷରୁ ଦାୟିତ୍ବହୀନ ମନୋଭାବ ପ୍ରଦର୍ଶନ, ତାରକା ଚିହ୍ନିତ ପ୍ରଶ୍ନର ଠିକ୍‌ ଉତ୍ତର ନ ମିଳିବା, ଚଉଦ ଦିନ ପୂର୍ବରୁ ଦିଆଯାଇଥିବା ପ୍ରଶ୍ନର ଉତ୍ତର ‘ତଥ୍ୟ ସ˚ଗ୍ରହ ହେଉଛି’ରେ ସୀମିତ ରହିବା ଫଳରେ ବିରୋଧୀ ଦଳ ସଦସ୍ୟମାନଙ୍କ ମଧୢରେ ଅସନ୍ତୋଷ ଭାବ ସୃଷ୍ଟି ହେଉଛି। ସେଥି ସହିତ ସେ ସମ୍ମିଳନୀରେ ଲୋକ ପ୍ରତିନିଧିଙ୍କୁ ଆହ୍ବାନ ଦିଆଯାଇ କୁହାଯାଇଥିଲା ଯେ, ‘ଆମ ଦେଶର ପ୍ରଚଳିତ ଗଣତାନ୍ତ୍ରିକ ବ୍ୟବସ୍ଥାର ସର୍ବୋଚ୍ଚ ପ୍ରତିନିଧିମୂଳକ ଅନୁଷ୍ଠାନରେ ସେମାନେ ଅନ୍ତର୍ଭୁକ୍ତ। ଗୃହ ଭିତରେ ଓ ଗୃହ ବାହାରେ ସେମାନଙ୍କର ଆଚରଣ ଗଣତନ୍ତ୍ରର ସଫଳତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ସମଗ୍ର ଦେଶର ସ୍ବାର୍ଥର ସ˚ରକ୍ଷକ ଭାବରେ ସେମାନଙ୍କର ଆଚରଣ ସର୍ବଦା ଆଦର୍ଶ ସ୍ଥାନୀୟ ହେବା ସହିତ ବୃହତ୍ତର ଗଣତାନ୍ତ୍ରିକ ପରମ୍ପରା ଓ ଜନସାଧାରଣଙ୍କ ଆକା˚କ୍ଷା ପୂରଣ ପାଇଁ ତାହା ଯେ ଉଦ୍ଦିଷ୍ଟ, ସେ କଥା ବିଧାୟକମାନେ ଉପଲବ୍‌ଧି କରିବା ଦରକାର।’ ତା’ଛଡ଼ା, ଗଣତନ୍ତ୍ରର ସର୍ବୋଚ୍ଚ ପୀଠମାନଙ୍କରେ ଦେଖା ଦେଉଥିବା ବିଶୃଙ୍ଖଳ ଆଚରଣ ଭଳି ମାନସିକତାର ମୂଳ କାରଣ ଗୁଡ଼ିକର ସମୀକ୍ଷା ଓ ବିଶ୍ଳେଷଣ କରି ଗଣତାନ୍ତ୍ରିକ ବ୍ୟବସ୍ଥାରୁ ତା’ର ମୂଳୋତ୍ପାଟନ କରିବା ଉପରେ ସେ ସମ୍ମିଳନୀ ଗୁରୁତ୍ବ ଆରୋପ କରିଥିଲେ।

୨୦୦୧ରୁ ୨୦୨୧ ମସିହା ମଧୢରେ କୋଡ଼ିଏ ବର୍ଷର ବ୍ୟବଧାନ। ଏହା ଭିତରେ ମହାନଦୀରେ ବହୁ ଜଳ ପ୍ରବାହିତ ହୋଇଗଲାଣି। ମାତ୍ର ଏଇ ସମୟ ମଧୢରେ ଗୃହର ମର୍ଯ୍ୟାଦାର ସୁରକ୍ଷା ସହିତ ଗୃହର ମାନ୍ୟବର ସଦସ୍ୟମାନଙ୍କର ଆଚରଣ ବିଧି ଓ ଉଚ୍ଚାରଣ କେତେ ଦୂର ସମ୍ବିଧାନ ସମ୍ମତ ହୋଇଛି, ତାହା ବିଚାର୍ଯ୍ୟ। ଉଦାହରଣ ସ୍ବରୂପ ବିଧାନସଭାର ଗଲା ବଜେଟ୍‌ ଅଧିବେଶନର ଶେଷ ଦିନରେ ଯାହା ସବୁ ଘଟିଲା ସେଥିରେ ଅସ˚ଖ୍ୟ ଗଣତନ୍ତ୍ରପ୍ରେମୀ ବିଶେଷ ଭାବରେ ମର୍ମାହତ ହୋଇଥିଲେ। ସେଦିନ ଭାରତୀୟ ଜନତା ପାର୍ଟି (ବିଜେପି)ର ତିନିଜଣ ପ୍ରମୁଖ ସଦସ୍ୟ ଗୃହର ଆଲୋଚନାରେ ଅ˚ଶ ଗ୍ରହଣ ପାଇଁ ବାରମ୍ବାର ଅନୁରୋଧ କରି ବିଫଳ ହୋଇ ବାଚସ୍ପତିଙ୍କ ଟେବୁଲ ଉପରକୁ କେତେକ କାଗଜ ସହିତ ଚପଲ ଫୋପାଡ଼ି ଥିଲେ। ଏକ ନିର୍ଦ୍ଦିଷ୍ଟ ବିଷୟରେ ଗୃହରେ ଆଲୋଚନା ପାଇଁ ଉଭୟ ବିଜେପି ଓ କ˚ଗ୍ରେସ ଦଳ ପକ୍ଷରୁ ଉଦ୍ୟମ କରାଯାଇଥିଲେ ମଧୢ ସେମାନଙ୍କୁ ସେ ସୁଯୋଗ ମିଳି ନ ଥିଲା। ଏପରି କି ବିରୋଧୀ ଦଳ ନେତାଙ୍କୁ ମଧୢ ସମ୍ବିଧାନ ପ୍ରଦତ୍ତ କ୍ଷମତାର ଉପଯୋଗ କରିବାରୁ ବଞ୍ଚିତ କରାଯାଇଥିଲା ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା। କାରଣ ଯାହା ହେଉନା କାହିଁକି, ସେ ଦିନର ଘଟଣା ଓଡ଼ିଶା ବିଧାନସଭା ଇତିହାସରେ ଏକ କଳଙ୍କମୟ ଅଧୢାୟ ସୃଷ୍ଟି କଲା।

ଗତ କେତେ ବର୍ଷ ମଧୢରେ ଯେଉଁ ଦୁଇଟି ଘଟଣା ଗଣତନ୍ତ୍ରର ମ˚ଜକୁ ଦୋହଲାଇ ଦେଇଛି, ତାହା ହେଉଛି ବିଧାନସଭାର ବାଚସ୍ପତିଙ୍କ ନିରପେକ୍ଷତା ପ୍ରତି ବିରୋଧୀ ଦଳ ସଦସ୍ୟମାନଙ୍କର ସନ୍ଦେହ ପ୍ରକାଶ ଓ କେତେକ କ୍ଷେତ୍ରରେ ସରକାରୀ ଦଳର ସଦସ୍ୟମାନଙ୍କ ଦ୍ବାରା ଗୃହର ବିବରଣୀରେ ବାଧା ସୃଷ୍ଟି କରିବ।। ନିଜର ବ୍ୟକ୍ତିତ୍ବ ଓ ଯୋଗ୍ୟତା ବଦଳରେ ଶାସକ ଦଳର ମୁଖ୍ୟଙ୍କ ଅନୁଗ୍ରହରୁ ଯେଉଁମାନେ ବାଚସ୍ପତି ଆସନରେ ବସୁଛନ୍ତି, ସେମାନେ ନିରପେକ୍ଷ ନ ହୋଇ ଶାସକ ଦଳର ଇଙ୍ଗିତରେ ଗୃହ ପରିଚାଳନା କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ ଦଳରୁ ବାରମ୍ବାର ଅଭିଯୋଗର ସ୍ବର ଶୁଣିବାକୁ ମିଳୁଛି। ବିଧାନସଭାର ସର୍ବୋଚ୍ଚ କ୍ଷମତାର ଅଧିକାରୀ ମାନ୍ୟବର ବାଚସ୍ପତି ଓ ସଦସ୍ୟମାନଙ୍କ ମଧୢରେ ଥିବା ବିଶ୍ବାସର ବନ୍ଧ ଥରେ ଭାଙ୍ଗିଗଲେ ଗୃହ କାର୍ଯ୍ୟକୁ ଠିକଣା ଭାବରେ ଚଳାଇବା ସମ୍ଭବପର ହୋଇନଥାଏ। ବିଧାନସଭାରେ ନିଜ ନିଜ ଅଞ୍ଚଳର ଅଭାବ, ଅସୁବିଧା ସହିତ ରାଜ୍ୟର ସାମୂହିକ ବିକାଶ ସମ୍ପର୍କରେ ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ମୌଳିକ ଅଧିକାର ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟଙ୍କର ରହିଛି। ମାତ୍ର କେତେକ କ୍ଷେତ୍ରରେ ବିରୋଧୀ ଦଳ ସଦସ୍ୟମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଥିବାରୁ ତା’ର ପ୍ରତିବାଦରେ ସେମାନେ ଗୃହର ମଧୢ ଭାଗକୁ ଯାଇ ଧ୍ବନି ଦେବା ଏକ ନିତିଦିନିଆ ଘଟଣା ହୋଇଗଲାଣି। ସତ କହିଲେ ଗୃହର ବୈଠକକୁ ସୁରୁଖୁରୁରେ ଚଳାଇବାର ନୈତିକ ଦାୟିତ୍ବ ସରକାରୀ ଦଳର। କିନ୍ତୁ ଏବେ ସରକାରୀ ଦଳର ସଦସ୍ୟମାନେ ମଧ୍ୟ ବିଶୃଙ୍ଖଳା ସୃଷ୍ଟି କରି ଗୃହର ବୈଠକରେ ବାଧା ଦେଉଛନ୍ତି। ଏହା ଏକ ବିଡ଼ମ୍ବନା। ଅନେକ କ୍ଷେତ୍ରରେ ସରକାରୀ ଓ ବିରୋଧୀ ଦଳ ମଧୢରେ ସର୍ବନିମ୍ନ ବୁଝାମଣା ମଧ୍ୟ ରହୁନାହିଁ। ଏଭଳି ସ୍ଥଳେ ବାଚସ୍ପତିଙ୍କ ନିରପେକ୍ଷ ବିଚାର ସନ୍ଦେହ ଘେରକୁ ଆସୁଛି। ବିଗତ ୧୯୭୪ ମସିହାରେ ବାଚସ୍ପତି ଆସନ ଅଳଙ୍କୃତ କଲା ପରେ ‘ମୁଁ ଯେ କେବଳ ନିରପେକ୍ଷ ଭାବରେ କାର୍ଯ୍ୟ କରିବି ତା’ ନୁହେଁ, ମୁଁ ନିରପେକ୍ଷ ଭାବରେ କାର୍ଯ୍ୟ କରୁଛି ବୋଲି ଯେଭଳି ଆପଣମାନଙ୍କର ହୃଦ୍‌ବୋଧ ହେବ, ସେ ଦିଗରେ ଯତ୍ନବାନ ହେବି’ ବୋଲି ସ୍ବର୍ଗତ ବ୍ରଜ ମୋହନ ମହାନ୍ତି ଯାହା କହିଥିଲେ, ତା’ର ଆଜି ପ୍ରାସଙ୍ଗିକତା ରହିଛି।

(ଦଶାହ ଅବସରରେ)

ସମ୍ବନ୍ଧିତ ଖବର