ଯୁବପିଢ଼ିଙ୍କ ସମସ୍ୟା

ଆମରି କଥା - ନାରାୟଣ ମିଶ୍ର

ଏବକା ଯୁବପିଢ଼ି ଦୁଇ ଶ୍ରେଣୀର- ପ୍ରଥମଟି ଅଶିକ୍ଷିତ ଓ ଅର୍ଧଶିକ୍ଷିତ ଏବଂ ଦ୍ବିତୀୟଟି ଶିକ୍ଷିତ ଓ ଚାପଗ୍ରସ୍ତ। ମାଟ୍ରିକ୍ ପାସ୍ ବା ଫେଲ୍ ଅଥବା ଟାଣିଟୁଣି ବି.ଏ. ପାସ୍ ଇତ୍ୟାଦି ପ୍ରଥମ ଶ୍ରେଣୀର; କାରଣ ସାର୍ଟିଫିକେଟ୍ ସର୍ବସ୍ବ ଏଇ ଶ୍ରେଣୀର ଯୁବ ଗୋ‌ଷ୍ଠୀ ଇଂରେଜୀରେ ଦରଖାସ୍ତ ଖଣ୍ଡେ ଲେଖିବାକୁ ବା କୌଣସି ଆବେଦନ ଫର୍ମ ପୂରଣ କରିବାକୁ ଅନ୍ୟର ସାହାଯ୍ୟ ନିଅନ୍ତି। ଦ୍ବିତୀୟ ଶିକ୍ଷିତ ଯୁବ ଗୋଷ୍ଠୀ ଚାକିରିଆ; କିନ୍ତୁ ପ୍ରାଇଭେଟ୍ ସଂସ୍ଥା, ଦୋକାନ, ଶିଳ୍ପ ଇତ୍ୟାଦିରେ ଅଣ୍ଟୁ ନ ଥିବା ସ୍ବଳ୍ପ ଦରମାରେ ଚାକିରି କରିଥିବାରୁ ପ୍ରାୟତଃ ଚାପଗ୍ରସ୍ତ। ଆଇ.ଟି. ଇଣ୍ଡଷ୍ଟ୍ରିରେ ଚାକିରି କରି ପିଠିରେ ଲ୍ୟାପଟପ୍ ବୋହି ଚବିଶ ଘଣ୍ଟାରୁ ପନ୍ଦର ଘଣ୍ଟା କମ୍ପ୍ୟୁଟର ଓ ମୋବାଇଲ୍‌ରେ ବ୍ୟସ୍ତ ରହି ଏମାନେ ନିଶାଚର ପାଲଟି ଯାଇଛନ୍ତି- ରାତ୍ରିର ତୃତୀୟ ପ୍ରହର ଶେଷ ପର୍ଯ୍ୟନ୍ତ ଅନିଦ୍ରା ରହିବା ହେତୁ ଏମାନେ ବ୍ରାହ୍ମମୁହୂର୍ତ୍ତ ବା ସୂର୍ଯ୍ୟୋଦୟ ଦେଖୁ ନାହାନ୍ତି। ବିଗତ କୋଡ଼ିଏ ବର୍ଷ ମଧ୍ୟରେ ଯେହେତୁ ସରକାର ସ୍ଥାୟୀ ଚାକିରି ସୃଷ୍ଟି କରିବା ଯୋଜନା କଥା ଚିନ୍ତା ବି କରିନାହାନ୍ତି, ଅନେକ ଶିକ୍ଷିତ ଯୁବକ ବାପାଙ୍କ ଅର୍ଥରେ କ୍ଷୁଦ୍ର ବ୍ୟବସାୟ କରି ପରିବାର ଭରଣପୋଷଣ କରୁଛନ୍ତି। ପ୍ରାଇଭେଟ୍ ସଂସ୍ଥାରେ ଚାକିରି କରିଥିବା ଯୁବକମାନେ ସରକାରୀ ଚାକିରିର ଛୁଟି, ଡି.ଏ. ବୃଦ୍ଧି, ପ୍ରମୋସନ ଓ ପେନସନ ସୁବିଧା ନ ପାଇବା ଯୋଗୁ ଚାପଗ୍ରସ୍ତ ରହିବା ସ୍ବାଭାବିକ!
ଏହି ଶ୍ରେଣୀର ଯୁବଗୋଷ୍ଠୀ ପ୍ରାଇଭେଟ୍ ସଂସ୍ଥାରେ ଦରମାକୁ ଚାହିଁ ଅତ୍ୟଧିକ ପରିଶ୍ରମ କରିବା ହେତୁ ଚାପଗ୍ରସ୍ତ ଅବସ୍ଥାରେ ରହୁଛନ୍ତି। ଫଳତଃ ସାମାଜିକ ଚଳଣି, ବନ୍ଧୁବାନ୍ଧବ ସଂପର୍କ, ସ୍ତ୍ରୀ ଓ ପିଲାପିଲିଙ୍କ ସହ ମିଳାମିଶା, ପର୍ବପର୍ବାଣି, ମେଳାମହୋତ୍ସବ, ପାରିବାରିକ ହସଖୁସି କ’ଣ ଜାଣୁନାହାନ୍ତି। କାରଣ ଏଥିପାଇଁ ସମୟ ରହୁନାହିଁ। ଯୌଥ ପରିବାର ତ କେବେଠୁଁ ଭାଙ୍ଗି ଚୂରମାର ହୋଇଯାଇଛି। ଆଜିର ତିନି ବା ଚାରି ଜଣିଆ ‘ନିଉକ୍ଲିୟର ଫାମିଲି’ରେ ଯୁକ୍ତିତର୍କ, ମତପାର୍ଥକ୍ୟ ହେଲେ ଚଳେଇ ନେବାକୁ ବଡ଼ ବାପା, ବଡ଼ବୋଉ, ଦାଦା, ଖୁଡ଼ୀ, ଜେଜେବାପା ଇତ୍ୟାଦି କେହି ନ ଥିବାରୁ ଫାମିଲି କୋର୍ଟ, ଥାନା ଓ ମହିଳା କମିସନ ହିଁ ଆଶ୍ରୟ ରୂପେ ଉଭା ହେଉଛନ୍ତି ଏବଂ ତା’ ପରେ ଅନେକ ସମୟ ଓ ଅର୍ଥ ବରବାଦ୍ କରିବା ପରେ ଶେଷ ଫଳ ରୂପେ ବିବାହଟି ବିଚ୍ଛେଦରେ ସରୁଛି। ବେଳେ ବେଳେ ସନ୍ତାନମାନେ ବୃଦ୍ଧ ପିତାମାତାଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ି ଦେଇ ଆସୁଛନ୍ତି।

ଅଶିକ୍ଷିତ ଓ ଅର୍ଧଶିକ୍ଷିତ ଗୋଷ୍ଠୀର ଅନେକ ଯୁବକ ନିର୍ବାଚନ ବେଳେ ଏମ୍.ଏଲ୍.ଏ ବା ଏମ୍.ପି ଆଶାୟୀ ନେତାମାନଙ୍କର ଜିନ୍ଦାବାଦ୍ ବା ଜୟଧ୍ବନି କରି ଢାବାରେ ମଦ, ମାଂସ ଖାଇ ମଟରସାଇକେଲ୍‌ରେ ମାଗଣା ତେଲ ଭର୍ତ୍ତି କରି ମାସେ ପନ୍ଦର ଦିନ ଖୁବ୍ ଡିଆଁଡେଇଁ କରନ୍ତି ଓ ନେତା ଏବଂ ତାଙ୍କ ରାଜନୈତିକ ଦଳ ପ୍ରତି ଅସୀମ ଭକ୍ତି ପ୍ରଦର୍ଶନ କରନ୍ତି। କାରଣ, ଭବିଷ୍ୟତ୍‌ରେ କାଳେ କେହି ନେତା ତାଙ୍କ ଭିତରୁ କାହାକୁ ପାଖକୁ ନେଇଗଲେ କିଛି ଲାଭ ମିଳିଯାଇପାରେ ଅବା! ନେତାଙ୍କ ପାଖରେ ରହି ଏମିତି ମାତିଲେ କେବେ ଭବିଷ୍ୟତ୍‌ରେ ନେତାଟିଏ ହୋଇଯିବାର ସୁଯୋଗ ବି ମିଳିଯାଇପାରେ! ତେଣୁ ଭବିଷ୍ୟତ୍‌ର ସୁନେଲି ସ୍ବପ୍ନରେ ସେମାନଙ୍କ ଭିତରୁ ଅନେକ ମସଗୁଲ ଥାଆନ୍ତି। ଏଇ ପ୍ରସଙ୍ଗରେ ଏକ ଅତି ଜଣାଶୁଣା ଗଳ୍ପର ଅବତାରଣା କରାଯାଉ। ଥରେ ଦୁଇ ଗଧଙ୍କର ଭେଟ ହୋଇଗଲା- ଗୋଟିଏ ସର୍କସ ଗଧ ଓ ଅନ୍ୟଟି ଧୋବାର ଗଧ। ଉଭୟ ଉଭୟଙ୍କ କଷ୍ଟକର ଜୀବନ ବିଷୟରେ ଗପିବା ପରେ ଧୋବାର ଗଧ ସର୍କସ ଗଧକୁ କହିଲା- ଏତେ କଷ୍ଟ ସହି ତୁ ସର୍କସ ଛାଡ଼ି ପଳାଇ ଯାଉନୁ କାହିଁକି? ସର୍କସ ଗଧ କହିଲା- ମୁଁ ପଳାନ୍ତି ଯେ, କିନ୍ତୁ ସର୍କସ ମାଲିକ ତା’ ଝିଅକୁ ଖେଳ ଦେଖେଇବା ପୂର୍ବରୁ ସବୁବେଳେ କହୁଛି- ଯଦି ଠିକ୍ ଭାବେ କାମ ନ କରି ଖସିପଡୁ, ତୋତେ ଏ ଗଧ ସାଙ୍ଗରେ ବିଭା କରିଦେବି। ତେଣୁ ସବୁବେଳେ କ’ଣ ଝିଅଟା ଠିକ୍ କାମ କରିବ? ମୁଁ ସେଇ ସୁଯୋଗରେ ଅଛି; କେଉଁଦିନ ମାଲିକର ସୁନ୍ଦରୀ ଝିଅଟା ତା’ ପ୍ରଦର୍ଶନରେ ଅସଫଳ ହେବ ଓ ମାଲିକ ତାକୁ ମୋ ସଙ୍ଗେ ବିଭା କରିଦେବ! ସୁତରାଂ, ଭବିଷ୍ୟତ୍‌ରେ ନେତା ହେବାକୁ ସ୍ବପ୍ନ ଦେଖୁଥିବା ଅନେକ ଯୁବକ ସେହି ସର୍କସ ଗଧ ଭଳି ଲାଗନ୍ତି, ଯେଉଁମାନଙ୍କ ପ୍ରତୀକ୍ଷା ନିର୍ବୋଧତାପୂର୍ଣ୍ଣ ସମୟ ଅପଚୟରେ ହିଁ ସରେ।

ଯୁବଗୋଷ୍ଠୀ ଭିତରୁ ଖୁବ୍‌ କମ୍ ରାମ, ପର୍ଶୁରାମ ବା ଶ୍ରବଣକୁମାରଙ୍କ ଭଳି ପିତୃଭକ୍ତ ବାହାରୁଛନ୍ତି ବରଂ ଅନେକ କ୍ଷେତ୍ରରେ ମାଳମାଳ ପିତୃଦ୍ରୋହୀ ସୃଷ୍ଟି ହେଉଥିବା ଦେଖାଯାଉଛି। ତେଣୁ ସେମିତି କ୍ଷେତ୍ରରେ ଏବକା ବାପ, ମା’ମାନେ ପ୍ରାୟତଃ ଯୁବଗୋଷ୍ଠୀଙ୍କ ନିଷ୍ପତ୍ତିରେ ତଣ୍ଟିଆ ମରା ସମ୍ମତି ଜଣାଇବାକୁ ବାଧ୍ୟ ହେଉଛନ୍ତି।

ଯୁବପିଢ଼ିଙ୍କ ଠାରୁ ରାମ, ପର୍ଶୁରାମ ବା ଶ୍ରବଣକୁମାର ହେବାର ଆଶା ଆମେ ରଖୁନାହୁଁ ଏବଂ ଅନେକ ଯୁବକ ପିତୃମାତୃ ଦ୍ରୋହୀ ନୁହନ୍ତି ବୋଲି ମଧ୍ୟ ଆମେ ଜାଣୁ। କିନ୍ତୁ ଯୌବନର ଉଦ୍ଦାମତାରେ ସହିବା ଶକ୍ତି, ଧୈର୍ଯ୍ୟ, ତ୍ୟାଗ ଓ ଅନ୍ୟର କଥାକୁ ଶୁଣିବା ଏବଂ ସମ୍ମାନ ଦେବା ଭଳି କାର୍ଯ୍ୟ ପ୍ରତି ଯୁବପିଢ଼ି ସାମାନ୍ୟ ଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ। ଯୁବ ଗୋଷ୍ଠୀକୁ ମଧ୍ୟ ସମ୍ମାନାସ୍ପଦ ରୋଜଗାର ଏବଂ ସେମାନଙ୍କ ପରିଶ୍ରମକୁ ମୂଲ୍ୟ ମିଳିବା ଦରକାର। ରାଜନେତାମାନେ ମଧ୍ୟ ସେମାନଙ୍କ ଅନୁଗତ ଯୁବଗୋଷ୍ଠୀକୁ ଦେଶର ବିକାଶ ଲାଗି ଉଦ୍‌ବୁଦ୍ଧ କରିବା ଉଚିତ।

ବୁଦ୍ଧିଜୀବୀ ଶ୍ରେଣୀ ଏ ବାବଦରେ ମୁହଁ ଖୋଲୁ ନାହାନ୍ତି, କାରଣ ସେମାନଙ୍କ ଭୟ ଯେ ସେମିତି କଲେ କାଳେ ସେମାନେ ଲାଭ କରୁଥିବା କିଛି ସୁବିଧା ସେମାନଙ୍କ ପାଖରୁ ଚାଲିଯିବ ବା ସେମାନେ ବ୍ୟବସ୍ଥା ଦ୍ବାରା କାର୍ଯ୍ୟାନୁଷ୍ଠାନର ଶିକାର ହୋଇ ପାରନ୍ତି। କିନ୍ତୁ ମୁହଁ ନ ଖୋଲିଲେ ହତାଶ ଓ ଚାପଗ୍ରସ୍ତ ତଥା ଦିଗଭ୍ରଷ୍ଟ ଯୁବପିଢ଼ିଙ୍କ ସମସ୍ୟା ଦୂର ହେବ କେମିତି?

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର