ଆମେ ହରାଇଥିବା ତିନି ଗାନ୍ଧୀବାଦୀ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ମେ ମାସରେ ଏକ ସପ୍ତାହରେ ତିନି ତିନି ଜଣ ଉଲ୍ଲେଖନୀୟ ଭାରତୀୟଙ୍କର ପରଲୋକ ହୋଇଗଲା। ତିନି ଜଣଯାକ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲେ, ଯଦିଓ ଭିନ୍ନ ଭିନ୍ନ ଭୌଗୋଳିକ ପ୍ରେକ୍ଷାପଟରେ, ସେମାନଙ୍କର ‘ଗାନ୍ଧୀବାଦ’ ଅବଲମ୍ବନର ମାର୍ଗ ଭିନ୍ନ ଭିନ୍ନ ଥିଲା। ଜଣେ ଅଶୀତିପର, ଦ୍ବିତୀୟ ଜଣଙ୍କର ବୟସ ନବେ ଉପରେ ଥିଲା ଏବ˚ ତୃତୀୟ ଜଣକ ଏହି ଗ୍ରହରେ ଶହେ ବର୍ଷରୁ ଅଧିକ କାଳ ବଞ୍ଚି ପାରିଥିଲେ। ତେଣୁ, ସେମାନଙ୍କ ମୃତ୍ୟୁରେ ଆମେ ଶୋକ ପ୍ରକାଶ କରିବା ସହ ସେମାନଙ୍କ ଜୀବନରୁ ଅନେକ କିଛି ଶିଖିବାର ଅଛି।

ପ୍ରଥମେ ଧରାତ୍ୟାଗ କରିଥିବା ଗାନ୍ଧୀବାଦୀ ଜଣକ ହେଲେ, ଉତ୍ତରାଖଣ୍ତର ସୁନ୍ଦରଲାଲ ବହୁଗୁଣା। ୧୯୭୩ରେ ଉପର ଅଳକାନନ୍ଦା ଉପତ୍ୟକାରେ ଯେତେ ବେଳେ ଚିପ୍‌କୋ ଆନ୍ଦୋଳନ ଆରମ୍ଭ ହୋଇଥିଲା, ବହୁଗୁଣାଙ୍କ ସହ ଥିଲା, ତାଙ୍କର ବେଶ୍‌ କିଛି ଦଶନ୍ଧିର ସାମାଜିକ କାର୍ଯ୍ୟ ଜନିତ ଅଭିଜ୍ଞତା। ଚଣ୍ତୀ ପ୍ରସାଦ ଭଟ୍ଟ ଚିପ୍‌କୋ ପ୍ରତିବାଦର ପ୍ରଥମ ନେତା ଥିଲେ, ବହୁଗୁଣାଙ୍କ ଭାଷାରେ ଯିଏ ଥିଲେ ଆନ୍ଦୋଳନର ‘ମୁଖ୍ୟ ସଂଚାଳକ’। ଚମୋଲୀ ଜିଲ୍ଲାର ପୁରୁଷ ଓ ମହିଳାଙ୍କ କାର୍ଯ୍ୟ ଦ୍ବାରା ଅନୁପ୍ରାଣିତ ହୋଇ ବହୁଗୁଣା ନିଜ ଅଞ୍ଚଳ- ଗଙ୍ଗାର ଅନ୍ୟ ବଡ଼ ଶାଖା ଭାଗୀରଥୀ ଉପତ୍ୟକାରେ, ଚିପ୍‌କୋ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିଥିଲେ। ସେ ସବୁଜ ବୃକ୍ଷ କର୍ତ୍ତନକୁ ବିରୋଧ କରିବା ପାଇଁ ଲୋକଙ୍କୁ ସ˚ଗଠିତ କରିବା ସହ ଜଙ୍ଗଲରେ ଲମ୍ବା ସମୟ ଅନଶନ କରିଥିଲେ।

୧୯୮୧ରେ କଲକାତାରେ ପ୍ରଥମ ଥର ପାଇଁ ସୁନ୍ଦରଲାଲ ବହୁଗୁଣାଙ୍କୁ ଭେଟିଥିଲି। ମୁଁ ସେହି ସମୟରେ ଚିପ୍‌କୋ ଉପରେ ଡକ୍‌ଟରେଟ୍‌ ସ˚ପର୍କିତ ଗବେଷଣା ଆରମ୍ଭ କରିଥାଏ ଏବ˚ ମୋ ବିଷୟ ଉପରେ କହିବା ପାଇଁ ସେ ସହରକୁ ଆସିଥାଆନ୍ତି। ସେ ଥିଲେ ବାଗ୍ମୀ; ବେଶ୍‌ ସହଜିଆ ଭାବେ ଉଭୟ ହିନ୍ଦୀ ଓ ଇ˚ଲିସ୍‌ ମିଶାଇ କହୁଥିଲେ ଏବ˚ ନିଜ ମାତୃଭାଷା ଗଢ଼ଵାଲୀରେ ଥିଲେ ଅଧିକ ପ୍ରଖର। ତାହାର ଦୁଇ ବର୍ଷ ପରେ ମୁଁ ବଡ଼ୟାର ଉପତ୍ୟକାରେ କ୍ଷେତ୍ରୀୟ ଗବେଷଣା କରିଥିଲି। ସୁନ୍ଦରଲାଲ ସେହି ଅଞ୍ଚଳରେ ଏକ ମୁଖ୍ୟ ପ୍ରତିବାଦର ନେତୃତ୍ବ ନେଇଥିଲେ ଏବ˚ ତାଙ୍କ ସହ କାର୍ଯ୍ୟ କରିଥିବା କୃଷିଜୀବୀ ମହିଳାଙ୍କ ସହ ମୁଁ ଆଲୋଚନା କରିଥିଲି, ସେମାନଙ୍କର ସାକ୍ଷାତ୍‌କାର ନେଇଥିଲି।

ଗବେଷଣା କାଳରେ ମୁଁ ଉଭୟ ଚଣ୍ତୀ ପ୍ରସାଦ ଭଟ୍ଟ ଓ ସୁନ୍ଦରଲାଲ ବହୁଗୁଣାଙ୍କ ପ୍ରଶ˚ସକ ପାଲଟିଥିଲି। ତେବେ, ସାମ୍ବାଦିକ ଓ ଦିଲ୍ଲୀର ଗବେଷକମାନେ ସଙ୍ଗେସଙ୍ଗେ ପକ୍ଷ ନେଇଥିଲେ ଏବ˚ ଜଣଙ୍କୁ ବା ଅନ୍ୟ ଜଣଙ୍କୁ ଚିପ୍‌କୋ ଆନ୍ଦୋଳନର ‘ପ୍ରକୃତ’ ବା ‘ଯଥାର୍ଥ’ ନେତା ଭାବେ ଅଭିହିତ କରିଥିଲେ। ସତ୍ୟ ହେଉଛି, ଚିପ୍‌କୋ ଆନ୍ଦୋଳନରେ ଦୁହେଁ ଉଲ୍ଲେଖନୀୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମାର୍ଗ ଭିନ୍ନ ଭିନ୍ନ ଥିଲେ ହେଁ ପରସ୍ପରର ପରିପୂରକ ଥିଲା। ୧୯୭୦ର ପ୍ରତିବାଦ ପରେ ଉତ୍ତରାଖଣ୍ତରେ ବ୍ୟବସାୟିକ ବୃକ୍ଷ କର୍ତ୍ତନ ଦ୍ରୁତ ହ୍ରାସ ପାଇଥିଲା ଏବ˚ ବହୁଗୁଣା ଏହି ଆନ୍ଦୋଳନର ବାର୍ତ୍ତାକୁ ସାରା ହିମାଳୟ ଭୂଖଣ୍ତରେ ପ୍ରସାରିତ କରିଥିଲେ। ଅପର ପକ୍ଷେ ଭଟ୍ଟ ଉତ୍ତରାଖଣ୍ତ ଭିତରେ ସୀମିତ ରହି, ତୃଣମୂଳ ସ୍ତରୀୟ ନବନିର୍ମାଣକୁ ଗୁରୁତ୍ବ ଦେଇଥିଲେ। ସେ ମହିଳା ଓ ବିଦ୍ୟାର୍ଥୀମାନଙ୍କୁ ସ˚ଗଠିତ କରି ଲଣ୍ତା ପାହାଡ଼ର ବନୀକରଣରେ ସଫଳ ହୋଇଥିଲେ। ଠିକାଦାରମାନେ ବନ ବିଭାଗ ସହ ମିଶି ଆଖି-ବୁଜି ଗଛ କାଟି ସଫା କରି ଦେଇଥିବା ଜଙ୍ଗଲ କ୍ରମଶଃ ନବ-ରୂପ ପାଇଥିଲା। ଉଭୟ ଭଟ୍ଟ ଓ ବହୁଗୁଣା ଯୁବ ପିଢ଼ିକୁ ଉତ୍ସାହିତ କରି, ଅନେକ ସ୍ବେଚ୍ଛାସେବୀ ଓ ସକ୍ରିୟତାବାଦୀ ସୃଷ୍ଟି କରିଥିଲେ।

ସୁନ୍ଦରଲାଲଙ୍କ ଦେହାନ୍ତର ପାଞ୍ଚ ଦିନ ପରେ ତାଙ୍କର ଶକ୍ତି, ସାହସ, ବୌଦ୍ଧିକତା ଓ କରିସ୍ମା ସହ ସମକକ୍ଷ ଆଉ ଜଣେ ଗାନ୍ଧୀବାଦୀଙ୍କ ପରଲୋକ ହୋଇଥିଲା ଏବ˚ ସେ ଥିଲେ କର୍ଣ୍ଣାଟକର ଏଚ୍‌ଏସ୍‌ ଦୋରୈସ୍ବାମୀ। ବୟସରେ ସେ ବହୁଗୁଣାଙ୍କଠାରୁ ଏକ ଦଶନ୍ଧି ବଡ଼; ତେଣୁ, ତାଙ୍କର ସେବା ଜୀବନ ମଧ୍ୟ ଅଧିକ ଲମ୍ବା ଥିଲା। ୧୯୩୬ ଗ୍ରୀଷ୍ମ କାଳରେ ଆରୋଗ୍ୟ ଲାଭ ଓ ବିଶ୍ରାମ ପାଇଁ ଗାନ୍ଧୀ ଯେତେ ବେଳେ ନନ୍ଦୀ ପାହାଡ଼କୁ ଆସିଥିଲେ, ସେତେ ବେଳେ ଛାତ୍ରାବସ୍ଥାରେ ଥିବା ଦୋରୈସ୍ବାମୀ, ତାଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ଛଅ ବର୍ଷ ପରେ ଦୋରୈସ୍ବାମୀ ମହୀଶୂର ଗଡ଼ଜାତରେ ଭାରତ ଛାଡ଼ ଆନ୍ଦୋଳନରେ ଏକ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ପରିଣାମ ସ୍ବରୂପ ବେଶ୍‌ ଦୀର୍ଘ କାଳ କାରାଗାରରେ ବନ୍ଦୀ ହେବାକୁ ପଡ଼ିଥିଲା।

୧୯୫୦-୬୦ ମଧ୍ୟରେ ଦୋରୈସ୍ବାମୀ ସର୍ବୋଦୟ ଆନ୍ଦୋଳନ ସହ ସ˚ପୃକ୍ତ ଥିଲେ ଏବ˚ ଭୂମିର ପୁନଃ-ବଣ୍ଟନକୁ ପ୍ରାଧାନ୍ୟ ଦେଇଥିଲେ। ୧୯୭୫ରେ ଯେତେ ବେଳେ ଜରୁରିକାଳୀନ ଆଇନ ଲାଗୁ କରାଯାଇଥିଲା, ସେ ସମାଜସେବା ଛାଡ଼ି ସରକାର-ବିରୋଧୀ ସକ୍ରିୟତାବାଦୀ ପାଲଟିଥିଲେ। ତାଙ୍କୁ ପୁନର୍ବାର ଜେଲ୍‌ ଯିବାକୁ ପଡ଼ିଥିଲା; ପରାଧୀନ ଭାରତର ସାମନ୍ତବାଦୀ ଓ ଉପନିବେଶବାଦୀ ସରକାର ପରି ଏ ଥର ତାଙ୍କୁ ଜେଲ୍‌ ପଠାଇଥିଲା ସ୍ବାଧୀନ ଭାରତର ସରକାର। କିଛି ମାସ ପରେ ସେ ମୁକ୍ତ ହୋଇଥିଲେ ଏବ˚ ଅବଶିଷ୍ଟ ଜୀବନ ନିଜ ପ୍ରଦେଶରେ ସମାଜସେବାରେ କଟିଥିଲା।

୧୯୮୦ର ଶେଷ ଭାଗରେ ପ୍ରଥମ ଥର ପାଇଁ ଦୋରୈସ୍ବାମୀଙ୍କୁ ଭେଟିଥିଲି। ସେତେ ବେଳେ ପଶ୍ଚିମ ଘାଟ ପର୍ବତମାଳାରେ ସାମରିକ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ସେ ଏକ ପରିବେଶ ସପକ୍ଷବାଦୀ ଆନ୍ଦୋଳନର ନେତୃତ୍ବ ନେଉଥିଲେ। ତାଙ୍କ ନେତୃତ୍ବରେ ଆୟୋଜିତ ଏକ ପ୍ରତିବାଦ ଶୋଭାଯାତ୍ରାରେ ମୁଁ ଯୋଗ ଦେଇଥିଲି। ସେତେ ବେଳେ ସେ ସତୁରିରେ ପହଞ୍ଚିସାରିଥିଲେ। ତଥାପି ତାଙ୍କ ଉପସ୍ଥିତି ବେଶ୍‌ ପ୍ରଭାବଶାଳୀ ଥିଲା; ଲମ୍ବା ଓ ସିଧା, ସର୍ବଦା ପ୍ରତିବାଦ ପଟୁଆରର ନେତୃତ୍ବ ନେବାକୁ ପ୍ରସ୍ତୁତ; ହରତାଳ ବା ଅନଶନରେ ମଧ୍ୟ ଆଗୁଆ ଥିଲେ। ବହୁଗୁଣାଙ୍କ ଭଳି ଯୁବ ପିଢ଼ି ମଧ୍ୟ ତାଙ୍କ ଦ୍ବାରା ବିଶେଷ ଭାବେ ଅନୁପ୍ରାଣିତ ଥିଲେ। ତାଙ୍କର ବିଚକ୍ଷଣ କଥନ ଶୈଳୀ ଓ ଅନ୍ତରଙ୍ଗ ଭାବ ଯୁବକମାନଙ୍କୁ ଆକର୍ଷିତ କରୁଥିଲା।

ଦୋରୈସ୍ବାମୀଙ୍କୁ ଶେଷ ଥର ପାଇଁ ଗତ ବର୍ଷ ମାର୍ଚ୍ଚରେ ଭେଟିଥିଲି। ତାଙ୍କ ସ˚ସ୍ପର୍ଶରେ ଆସିବାର ଏକାଧିକ ଦଶନ୍ଧି ମଧ୍ୟରେ ତାଙ୍କ କାର୍ଯ୍ୟ ଅତି ପାଖରୁ ଦେଖିବାର ସୁଯୋଗ ପାଇଛି। ସେ ଥିଲେ କର୍ଣ୍ଣାଟକର ବିବେକ; କାହାକୁ ଭୟ କରୁ ନ ଥିଲେ, ଜମି ମାଫିଆ ହୁଅନ୍ତୁ କି ଖଣି କ˚ପାନି କି ଦୁର୍ନୀତିପରାୟଣ ରାଜନେତା। ଅଶୀ-ନବେ ବର୍ଷ ବୟସରେ ବି ବେଶ୍‌ ସକ୍ରିୟ ଥିଲେ। ସାମାଜିକ ଓ ଅର୍ଥନୈତିକ ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ ଏବ˚ ସରକାରୀ ଅନୁଗ୍ରହ ସର୍ବଦା ପ୍ରତ୍ୟାଖ୍ୟାନ କରୁଥିଲେ। ତାଙ୍କର କୌଣସି ସମୟରେ ମୋଟର‌୍‌ କାର‌୍‌ ନ ଥିଲା; ସାର୍ବଜନୀନ ପରିବହନ ବ୍ୟବସ୍ଥା ବ୍ୟବହାର କରିବାକୁ ପସନ୍ଦ କରୁଥିଲେ। ତେୟାନବେ ବର୍ଷ ବୟସ୍କ ଗାନ୍ଧୀବାଦୀ ବେଙ୍ଗାଲୁରୁର ଏକ ବସ୍‌ ରହଣି ସ୍ଥଳୀରେ ଅପେକ୍ଷା କରିଥିବାର ଏବ˚ ଏକ ବସ୍‌ରେ ଚଢ଼ୁଥିବାର ଗୁଡ଼ିଏ ସୁନ୍ଦର ଫଟୋ, ତାଙ୍କ ଅଜାଣତରେ ଉଠାଇଥିଲେ ଫଟୋଗ୍ରାଫର‌୍‌ କେ ଭାଗ୍ୟପ୍ରକାଶ, ଯେଉଁଗୁଡ଼ିକ ତାଙ୍କ ଦେହାନ୍ତ ପରେ ଟ୍ବିଟର‌୍‌ରେ ପ୍ରସାର କରିଥିଲେ।

ସ୍ବାଧୀନ ଭାରତରେ ଗାନ୍ଧୀବାଦୀ ଆନ୍ଦୋଳନର ସାଫଲ୍ୟ ଅନେକ। ତେବେ, ଗାନ୍ଧୀବାଦୀମାନେ ରାଷ୍ଟ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ହିନ୍ଦୁତ୍ବ ସ˚ଖ୍ୟାଗରିଷ୍ଠବାଦ ପ୍ରତି କୌଣସି ସମୟରେ ବିଶେଷ ଧ୍ୟାନ ଦେଇ ନ ଥିଲେ। ସୁନ୍ଦରଲାଲ ବହୁଗୁଣା ଏହି ଗୋଳିଆ ପାଣିର ବେଶ୍‌ ନିକଟତର ଥିଲେ; କେତେକ ଘଟନାରେ ବିଶ୍ବ ହିନ୍ଦୁ ପରିଷଦ ସହ ସ˚ପର୍କ ରଖିଥିଲେ। ଏହି ପ୍ରସଙ୍ଗରେ ଦୋରୈସ୍ବାମୀ ଜଣେ ବ୍ୟତିକ୍ରମ ଥିଲେ। ଶହେ ଦୁଇ ବର୍ଷ ବୟସରେ ମଧ୍ୟ ସେ ନାଗରିକତା ସ˚ଶୋଧନ ଆଇନର ବିରୋଧ କରିଥିଲେ। ପୁଲିସ୍‌ ଦମନର ମୁକାବିଲା କରିଥିବା ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ବିଶେଷତଃ ଛାତ୍ରୀଙ୍କର ଦୃଷ୍ଟାନ୍ତମୂଳକ ସାହସ ଦ୍ବାରା ଅନୁପ୍ରାଣିତ ହୋଇ ଏହି ବର୍ଷୀୟାନ୍‌ ଗାନ୍ଧୀବାଦୀ ଏକ ସାର୍ବଜନୀନ ବୟାନ ଦେବାକୁ ନିଷ୍ପତ୍ତି ନେଇଥିଲେ। ମାର୍ଚ୍ଚ ୨୦୨୦ରେ ହଜାର ହଜାର ବନ୍ଧୁ ଓ ପ୍ରଶ˚ସକଙ୍କ ସହ ସେ ଏକ ଖୋଲା ସ୍ଥାନରେ ଏକ ସାମିଆନା ତଳେ ବସିଥିଲେ। ମୁଁ ସେଠାରେ ତାଙ୍କୁ ଭେଟିଥିଲି ଏବ˚ ତାଙ୍କ ସହ କଥା ହୋଇଥିଲି। ନାଗରିକତା ସ˚ଶୋଧନ ଆଇନ ପକ୍ଷପାତୀ ଏବ˚ ଆମ ରାଷ୍ଟ୍ରର ମୌଳିକ ନୀତି ବିରୋଧୀ ବୋଲି ଦୋରୈସ୍ବାମୀ ବୟାନ ଦେଇଥିବା ‘ଦ ହିନ୍ଦୁ’ରେ ପ୍ରକାଶ ପାଇଥିଲା। ସେ କହିଥିଲେ- ‘ଆମ ଦେଶର ମୁସଲମାନମାନେ ଭାରତୀୟତାକୁ ବାଛିଥିଲେ। ନିଜର ନାଗରିକତା ପ୍ରମାଣିତ କରିବା ପାଇଁ ସେମାନଙ୍କୁ କୁହାଯାଇପାରିବନାହିଁ।’ ସରକାରର ପକ୍ଷପାତୀ ନୀତିର ବିରୋଧ କରି ସେ ଆହୁରି ମଧ୍ୟ କହିଥିଲେ- ‘ସରକାରୀ ନୀତିର ବିରୋଧ କରିବା, ମୋତେ ରାଷ୍ଟ୍ର-ବିରୋଧୀ କରୁନାହିଁ। ଆମକୁ ସରକାର, ରାଜ୍ୟ ଓ ରାଷ୍ଟ୍ର ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବାକୁ ହେବ।’

ଉଭୟ ସୁନ୍ଦରଲାଲ ବହୁଗୁଣା ଓ ଦୋରୈସ୍ବାମୀ ସକ୍ରିୟତାବାଦୀ ଥିଲେ ଏବ˚ ସ୍ବଚ୍ଛନ୍ଦରେ ଜନତା ଭିତରେ ନିଜର ସ୍ଥାନ ବାଛି ନେଉଥିଲେ। ସାମନାରେ ମାଇକ୍ରୋଫୋନ୍‌ଟିଏ ଥିଲେ, ନିଜର ଚିନ୍ତାଧାରାର ପରିପ୍ରକାଶ ପାଇଁ ସେମାନେ ସୁଖ ପାଉଥିଲେ ଏବ˚ ବିଚକ୍ଷଣତାର ସହ ଅନର୍ଗଳ କହି ପାରୁଥିଲେ। ଉଭୟେ ମଧ୍ୟ ବହୁତ ଫଟୋଜେନିକ୍‌ ଥିଲେ। ବ୍ୟକ୍ତିତ୍ବ ଓ ସ୍ବଭାବରେ ଏ ଦୁହିଁଙ୍କଠାରୁ ଭିନ୍ନ ଥିଲେ ତୃତୀୟ ଗାନ୍ଧୀବାଦୀ, ଯାହାଙ୍କର ପରଲୋକ ବହୁଗୁଣାଙ୍କ ଠିକ୍‌ ପରେ ଏବ˚ ଦୋରୈସ୍ବାମୀଙ୍କ ଠିକ୍‌ ପୂର୍ବରୁ ହୋଇଥିଲା। ତାଙ୍କ ନାମ କେଏମ୍‌ ନଟରାଜନ। ସେ ଅତି ନମ୍ର ସ୍ବଭାବର ଥିଲେ ଏବ˚ ନିଜକୁ ଅତି ସାଧାରଣ ମଣିଷ ଭାବେ ଦେଖୁଥିଲେ। ତେଣୁ, ଅନ୍ୟ ଦୁହିଁଙ୍କ ତୁଳନାରେ କମ୍‌ ଲୋକ ତାଙ୍କୁ ଜାଣିଥିଲେ। ନିଜ ରାଜ୍ୟ ତାମିଲନାଡ଼ୁରେ ସେ ଗାନ୍ଧୀବାଦୀ ଆଦର୍ଶ ଦ୍ବାରା ଆଜୀବନ ପରିଚାଳିତ ହୋଇଥିଲେ।

ନଟରାଜନ କମ୍‌ ସକ୍ରିୟତାବାଦୀ ଏବ˚ ଅଧିକତର ଗଠନାତ୍ମକ କର୍ମୀ ଥିଲେ। ଛାତ୍ରାବସ୍ଥାରେ ଗାନ୍ଧୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲେ। ୧୯୫୬-୫୭ରେ ସେ ବିନୋବା ଭାବେଙ୍କ ସହ ଯୋଗ ଦେଇଥିଲେ ଏବ˚ ଭୂଦାନ ଆନ୍ଦୋଳନରେ ଭାଗ ନେଇ ତାମିଲନାଡ଼ୁରେ ତାଙ୍କ ସହ ପଦଯାତ୍ରା କରିଥିଲେ। ତାହା ପରେ ଅବଶିଷ୍ଟ ଜୀବନ ଗ୍ରାମ୍ୟ ସଂସ୍କାରରେ ଲାଗିଥିଲେ। ଜାତି ପ୍ରଥା ବିଲୋପନ, ଖଦି ଓ ଜୈବ ଚାଷ ପଦ୍ଧତିର ପ୍ରସାର, ଭୂମିହୀନଙ୍କୁ ଦେବୋତ୍ତର ଜମିର ପୁନଃ-ଆବଣ୍ଟନ ଆଦି କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ତାଙ୍କର ଅନ୍ତରଙ୍ଗ ସହକର୍ମୀଙ୍କ ମଧ୍ୟରେ ଥିଲେ ଅସାଧାରଣ ଦ˚ପତି ଶ˚କରଲି˚ଗମ ଓ କୃଷ୍ଣାମ୍ମଲ ଜଗନ୍ନାଥନ ଏବ˚ ଖଦିଧାରୀ ଆମେରିକାନ୍‌ ରାଲ୍‌ଫ ରିଚାର୍ଡ‌୍‌ କେଇଥାନ୍‌।

ଭାରତୀୟ ଡାକ ସେବା ସୌଜନ୍ୟରେ ପ୍ରଥମ ଥର ପାଇଁ ନଟରାଜନଙ୍କ ସଂସ୍ପର୍ଶରେ ଆସିଥିଲି। ୧୯୯୬ରେ ଗାନ୍ଧୀବାଦୀ ଅର୍ଥଶାସ୍ତ୍ରୀ ଜେସି କୁମାରପ୍ପାଙ୍କ ସ˚ପର୍କରେ ଏକ ଖବରକାଗଜରେ ନିବନ୍ଧଟିଏ ପ୍ରକାଶ କରିଥିଲି। ଏହାର ପ୍ରତିକ୍ରିୟାରେ ମଦୁରାଇରୁ ଏକ ପତ୍ର ଲେଖିଥିଲେ, କୁମାରପ୍ପାଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିଥିବା ନଟରାଜନ। ବହୁ ବର୍ଷ ପରେ ଆର‌୍‌.ଆର‌୍‌. କେଇଥାନ୍‌ଙ୍କ ଜୀବନ ଉପରେ ଗବେଷଣା କରୁଥିବା ବେଳେ ନଟରାଜନ, ତାଙ୍କୁ ଭଲ ଭାବେ ଜାଣିଥିବା ଆବିଷ୍କାର କଲି। ତେଣୁ, ତାଙ୍କ ପରାମର୍ଶ ନେବା ପାଇଁ ମଦୁରାଇ ଯାତ୍ରା କରିଥିଲି। ଗାନ୍ଧୀ ସ˚ଗ୍ରହାଳୟ ପରିସରସ୍ଥ ସର୍ବୋଦୟ କାର୍ଯ୍ୟାଳୟରେ ତାଙ୍କ ସହ ଭେଟ ହୋଇଥିଲା। ଚା’ ପାନ ବେଳେ ନଟରାଜନ, କେଇଥାନ୍‌ଙ୍କ ଜୀବନ ସ˚ପର୍କରେ ଅନେକ କଥା କହିଥିଲେ, ଯାହା ମୁଁ ପୂର୍ବରୁ ଜାଣି ନ ଥିଲି। ତାହା ପରେ ସେ, ମୋତେ ଡି˚ଡିଗୁଲରେ ଥିବା ଗାନ୍ଧୀଗ୍ରାମ ଗ୍ରାମୀଣ ବିଶ୍ବବିଦ୍ୟାଳୟକୁ ପଠାଇଥିଲେ। ସେଠାରେ କାର୍ଯ୍ୟରତ କିଛି ବ୍ୟକ୍ତି କେଇଥାନ୍‌ଙ୍କୁ ଭଲ ଭାବେ ଜାଣିଥିଲେ। ସେ ମୋର ପରିଚୟ ଦେଇ, ସେମାନଙ୍କ ସହ ନିବିଡ଼ ଆଲୋଚନାକୁ ସୁଗମ କରି ଦେଇଥିଲେ।

ତାଙ୍କ ସହ ଆଲୋଚନା ବେଳେ ନଟରାଜନଙ୍କର ଅଣ-ଗାନ୍ଧୀବାଦୀ ଅନ୍ବେଷଣ, କ୍ରିକେଟ୍‌ ଖେଳରେ ବିଶେଷ ରୁଚି ଆବିଷ୍କାର କରି ବିସ୍ମିତ ଓ ଆମୋଦିତ ହୋଇଥିଲି। ତାଙ୍କ ଆତିଥେୟତା ମହାନ୍‌ ଥିଲା। ବେଙ୍ଗାଲୁରୁ ଫେରିବା ପରେ ତାଙ୍କଠାରୁ ନିୟମିତ ଛୋଟ ଛୋଟ ପାର୍ସଲ୍‌ ପାଇଥିଲି, ଯେଉଁଥିରେ ଥିଲା କେଇଥାନ୍‌ଙ୍କ ଦ୍ବାରା ଲିଖିତ ମୂଳ ଚିଠି, ଯାହା ସାରା ତାମିଲନାଡୁରୁ ମୋ ପାଇଁ ସେ ସ˚ଗ୍ରହ କରିଥିଲେ। କେଇଥାନ୍‌ଙ୍କ ଉପରେ ମୋର ଲେଖାଗୁଡ଼ିକ ସେ ପଢ଼ି, ଆବଶ୍ୟକ ତ୍ରୁଟି ସ˚ଶୋଧନ କରି, ନିଜ ସହୃଦୟତାର ପରିଚୟ ଦେଇଥିଲେ।

ଏହି ତିନି ମହାନ୍‌ ବ୍ୟକ୍ତିଙ୍କ ଉପରେ ଆଲୋକପାତ କଲା ବେଳେ, ସେମାନଙ୍କ ଶିକ୍ଷା କଥା ଭାବୁଛି। ଉତ୍ତରାଖଣ୍ତର ବହୁଗୁଣା କହିଥିଲେ- ମଣିଷମାନେ ପ୍ରାକୃତିକ ପୃଥିବୀଠାରୁ ଶ୍ରେଷ୍ଠ ନୁହନ୍ତି କି ଏହାଠାରୁ ଅଲଗା ହୋଇ ପାରିବେନାହିଁ। ଆମେ ନିଜର ସ୍ଥିତି ପାଇଁ ଅନ୍ୟ ସମସ୍ତ ସୃଷ୍ଟିକୁ ସମ୍ମାନ ଦେବା ଉଚିତ। କର୍ଣ୍ଣାଟକର ଦୋରୈସ୍ବାମୀଙ୍କ ଶିକ୍ଷା ଥିଲା- ଜାତି, ଶ୍ରେଣୀ, ଲିଙ୍ଗ, ସ˚ପ୍ରଦାୟ ଆଦି ଜନିତ ବିଭେଦ ଆମ ସମ୍ବିଧାନର ଆଦର୍ଶ ବିରୋଧୀ। ଏଗୁଡ଼ିକ ଅଶାଳୀନ ଏବ˚ ମାନବଜାତି ପାଇଁ କ୍ଷତିକାରକ। ଏହି ଭେଦଭାବକୁ ଅହି˚ସ ମାର୍ଗରେ ବିରୋଧ କରିବା ସେହି ସମସ୍ତଙ୍କର କର୍ତ୍ତବ୍ୟ, ଯେଉଁମାନେ ସ୍ବାଧୀନତା ଓ ନ୍ୟାୟକୁ ନିଜର ଆଦର୍ଶ ବୋଲି କହୁଛନ୍ତି। ତାମିଲନାଡୁର ନଟରାଜନ, ଆମକୁ ଶିଖାଇ ଯାଇଛନ୍ତି- ପରିବାର ଓ ଗୋଷ୍ଠୀରେ କାମ କରିବାର ପ୍ରକୃତ ଆତ୍ମ-ନିର୍ଭରଶୀଳତା ବ୍ୟକ୍ତି ଠାରୁ ଆରମ୍ଭ ହୁଏ। ଧରଣୀର ଭବିଷ୍ୟତ୍‌ ପାଇଁ ଅଙ୍ଗାରକାମ୍ଳ ନିଃସରଣ ହ୍ରାସ ଦିଗରେ ଅନ୍ତର୍ଜାତୀୟ ଚୁକ୍ତି ପରି ଗ୍ରାମୀଣ ଧାରଣକ୍ଷମତା ମଧ୍ୟ ଆମ ଭବିଷ୍ୟତ୍‌ ପାଇଁ ଗୁରୁତ୍ବପୂର୍ଣ୍ଣ।

ତିନିଟି ଜୀବନ ଏବ˚ ପ୍ରତିଟି ପ୍ରଶ˚ସନୀୟ। ଯଦିଓ ସେମାନଙ୍କ ମାର୍ଗ ଥିଲା ଭିନ୍ନ ଭିନ୍ନ, ଏକ ସାଧାରଣ ସୂତ୍ରରେ ସେମାନେ ବନ୍ଧା। ନିଜେ ବାସ କରୁଥିବା ଅଞ୍ଚଳରେ ବହୁଗୁଣା, ଦୋରୈସ୍ବାମୀ ଓ ନଟରାଜନଙ୍କ ମୂଳ ବେଶ୍‌ ଗଭୀରତାରେ ଥିଲେ ବି ଭାରତ ଓ ଅବଶିଷ୍ଟ ବିଶ୍ବର ମଙ୍ଗଳ ପାଇଁ ସେମାନେ ଆଗ୍ରହୀ ଥିଲେ। ସ୍ଥାନୀୟ ଭାବେ କାମ କରୁଥିଲେ ହେଁ ସେମାନଙ୍କ ଚିନ୍ତାଧାରା ଅନ୍ତର୍ଜାତୀୟ ଥିଲା। ତିନି ଜଣଯାକଙ୍କୁ ଜାଣିଥିବାର ସୁଯୋଗ ପାଇଥିବାରୁ ମୁଁ ଧନ୍ୟ।

ସମ୍ବନ୍ଧିତ ଖବର