ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥା ସ୍ଥାୟୀ ହେବ ନାହିଁ ତ?

ପ୍ରୀତୀଶ ଆଚାର୍ଯ୍ୟ

କରୋନା ସଂକ୍ରମଣ କାରଣରୁ ସଂପ୍ରତି ସାରା ପୃଥିବୀରେ ଅନ୍‌ଲାଇନ ଶିକ୍ଷାଦାନ ଏକ ଅନିବାର୍ଯ୍ୟତାରେ ପରିଣତ ହୋଇଛି। କିନ୍ତୁ ଗଲା କିଛି ବର୍ଷ ହେଲାଣି କେନ୍ଦ୍ରୀୟ ସ୍ତରରେ ସରକାର ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାକୁ ସ୍ଥାୟୀ ଭାବରେ ପ୍ରଚଳିତ କରିବା ପାଇଁ ଯୋଜନା କରୁଛନ୍ତି। ୨୦୧୭ ମସିହାରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଉଚ୍ଚତର (ଉପାଧି ଏବ˚ ଉପାଧ୍ୟୁତ୍ତର) ଶିକ୍ଷାରେ ଅନ୍ତତଃ ୨୦ ପ୍ରତିଶତ ଅନ୍‌ଲାଇନ ଶିକ୍ଷାକୁ ସ୍ଥାନ ଦେବାକୁ ପରାମର୍ଶ ଦେଲେ। ଟେକ୍‌ନିକାଲ ଏବ˚ ପ୍ରାକ୍‌ଟିକାଲ ପାଠ ନ ଥିବା ବିଷୟରୁ ଏହି ୨୦ ପ୍ରତିଶତ ପାଠ ସ୍ଥିର କରିବାକୁ ନିର୍ଦ୍ଦେଶ ରହିଲା। ୨୦୧୯-୨୦ରେ ଏଥିରେ ୪୦ ପ୍ରତିଶତ ବୃଦ୍ଧି ହେବ ବୋଲି କୁହାଗଲା। ଏବେ ଅନ୍‌ଲାଇନ ବିଷୟ ଶିକ୍ଷାକୁ ମୋଟ ୮୦ ପ୍ରତିଶତକୁ ବୃଦ୍ଧି କରିବାକୁ ୟୁଜିସି ପ୍ରସ୍ତାବ ଦେଇଛନ୍ତି। ଅନ୍ତତଃ ଟେକ୍‌ନିକାଲ ଓ ପ୍ରାକ୍‌ଟିକାଲ ନ ଥିବା ବିଷୟରେ ଏହା ଲାଗୁ ହେବା କଥା! ୟୁଜିସିର ଅନୁଦାନ ଉପରେ ଉଚ୍ଚତର ଶିକ୍ଷାନୁଷ୍ଠାନମାନ ପ୍ରାୟତଃ ନିର୍ଭରଶୀଳ। ତେଣୁ, କଲେଜ ଏବ˚ ବିଶ୍ବବିଦ୍ୟାଳୟମାନ ଏହି ପରାମର୍ଶକୁ ଲାଗୁ ନ କରିବା ଅର୍ଥ ୟୁଜିସିର ଅନୁଦାନରୁ ପ୍ରଥମେ ଆ˚ଶିକ ଭାବରେ ଏବ˚ ପରେ ସ˚ପୂର୍ଣ୍ଣ ରୂପରେ ବ˚ଚିତ ହେବା। ଏହା ଲାଗୁ ହେବାର ଅର୍ଥ ଉଚ୍ଚତର ଶିକ୍ଷାର ଗଣତାନ୍ତ୍ରିକ ନିଅଁକୁ ଧ୍ବ˚ସମୁଖୀ କରିଦେବା। ଥରେ ଏହା କଲେଜ ଏବ˚ ବିଶ୍ବବିଦ୍ୟାଳୟ ସ୍ତରରେ ଲାଗୁ ହେଲେ, ସମୟାନୁକ୍ରମେ ତାକୁ ସ୍କୁଲ୍‌ ସ୍ତରରେ ମଧୢ ଲାଗୁ କରାଯାଇପାରେ ବୋଲି ଆଶଙ୍କା ଜାତ ହୁଏ।

ଏବେ ଅନ୍‌ଲାଇନ ଶିକ୍ଷା କ’ଣ, ସେ ବାବଦରେ କାହାକୁ ବୁଝାଇବାର ଆବଶ୍ୟକତା ନାହିଁ। ଏହି ଶିକ୍ଷା ବ୍ୟବସ୍ଥାରେ ଶିକ୍ଷା ଲାଭ କରିବା ନିମିତ୍ତ ଛାତ୍ରଛାତ୍ରୀମାନଙ୍କର ଏକତ୍ର ହେବାର ଆବଶ୍ୟକତା ନାହିଁ। ଶିକ୍ଷକ ଓ ଛାତ୍ର ନିଜ ନିଜ ସ୍ଥାନରେ ଏବ˚ ପରସ୍ପର ଠାରୁ ବହୁ ଦୂରରେ ରହିଥିବେ ଅଥଚ ଶିକ୍ଷାଦାନ ଅବ୍ୟାହତ ରହିପାରିବ! ଏହା ଯେହେତୁ ଟେକ୍‌ନୋଲୋଜି ମାଧୢମରେ ସମ୍ଭବ ହୋଇଥାଏ, ଅନେକା˚ଶରେ ଏହାର ସଫଳତା ପ୍ରଯୁକ୍ତି ବା ଟେକ୍‌ନୋଲୋଜି ଉପରେ ନିର୍ଭରଶୀଳ ରହେ। ଅର୍ଥାତ୍‌ ଟେକ୍‌ନୋଲୋଜିରେ ତ୍ରୁଟି ଦେଖାଗଲେ ଶିକ୍ଷା ବାଧାପ୍ରାପ୍ତ ହୁଏ। କହିବା ବାହୁଲ୍ୟ ଯେ ଅନ୍‌ଲାଇନ ଶିକ୍ଷା ଏକ ଅତ୍ୟାଧୁନିକ ବ୍ୟବସ୍ଥା। ଯଦିଓ କରୋନା ମହାମାରୀର ସ˚କ୍ରମଣ ପୂର୍ବରୁ ଏହାର ପ୍ରଚଳନ ରହିଥିଲା, ମହାମାରୀ କାଳରେ ଏହା ସର୍ବବ୍ୟାପୀ ହୋଇଗଲା। ତେବେ, ଅନ୍‌ଲାଇନ୍‌ ଶିକ୍ଷାର ଦୋଷ-ଗୁଣକୁ ନେଇ ଏବେ ଯେଉଁ ଚର୍ଚ୍ଚା ହେଉଛି, ତାହା ସାଧାରଣତଃ ପ୍ରଯୁକ୍ତି ବା ଟେକ୍‌ନୋଲୋଜିର ଉପଲବ୍‌ଧତାକୁ ନେଇ ସୀମିତ ରହିଥାଏ। ନେଟ୍‌ଵାର୍କ ସମସ୍ୟା, ଅନ୍‌ଲାଇନ ଶିକ୍ଷାରେ ସାମିଲ ହେବା ପାଇଁ ଆବଶ୍ୟକ ଏଣ୍ତ୍ରଏଡ୍‌ ଫୋନ୍‌ ଓ ଡାଟା କିଣିବା ସକାଶେ ଆବଶ୍ୟକ ଅର୍ଥ ଆଦି ପ୍ରତିବନ୍ଧ ରୂପେ ଉଭା ହୋଇଥାଏ। ଗତ ବର୍ଷକର ଅନୁଭୂତି ଆଧାରରେ ଆମେ ସମସ୍ତେ ସହମତ ଯେ ଅତି ବେଶି ହେଲେ ଏକ-ଚତୁର୍ଥା˚ଶ ଛାତ୍ରଛାତ୍ରୀ ଏହାର ଲାଭ ନେଇ ପାରିଛନ୍ତି। ପୁଣି ତର୍ଜମା କଲେ ଜଣାପଡ଼ିବ ଯେ ଅନ୍‌ଲାଇନ ଶିକ୍ଷାର ଉପଯୋଗ କରିପାରିଥିବା ଏହି ପିଲାଙ୍କ ମଧୢରୁ ଅଧିକା˚ଶ ସହରୀ ଏବ˚ ମଧୢବିତ୍ତ ବର୍ଗର। ଯେଉଁ ଅଳ୍ପ ସ˚ଖ୍ୟକ ଗ୍ରାମୀଣ ପିଲା ଏହାର ଲାଭ ନେଇଛନ୍ତି, ସେମାନଙ୍କ ମଧୢରୁ ଅଧିକା˚ଶ ହେବେ ଗ୍ରାମୀଣ ଉଚ୍ଚ ବର୍ଗର ପୁଅ ପିଲା ଏବ˚ ଦଶମ, ଦ୍ବାଦଶ ଏବ˚ କଲେଜ ସ୍ତରର ପିଲା। ଅର୍ଥାତ୍‌ ଗ୍ରାମୀଣ, ନିମ୍ନବିତ୍ତ ବର୍ଗ, ଝିଅ ଓ ନବମ ଶ୍ରେଣୀ ଏବ˚ ତା’ ତଳ ଶ୍ରେଣୀର ପିଲାଏ ମୋଟାମୋଟି ଅନ୍‌ଲାଇନ ଶିକ୍ଷାରୁ ବ˚ଚିତ। ଏଭଳି ସର୍ବାଧିକ ବ˚ଚିତ ବିପୁଳ ସଂଖ୍ୟକ ଛାତ୍ରଛାତ୍ରୀ ଏହି ଅନ୍‌ଲାଇନ ଶିକ୍ଷାର ବିଫଳତାକୁ ଦର୍ଶାନ୍ତି।

ସ୍ବୀକାର କରିବାକୁ ହେବ ଯେ ଏହି ପ୍ରଯୁକ୍ତିଗତ ବିକାଶ ଘଟି ନ ଥିଲେ କରୋନା କାଳରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥାଆନ୍ତା। ଆଜି ଯେତିକି ବି ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିପାରୁଛନ୍ତି, ସେତିକି ସମ୍ଭବ ହୁଅନ୍ତା ନାହିଁ! କିନ୍ତୁ ଶିକ୍ଷାର ମୂଳ ଲକ୍ଷ୍ୟ ହେଲା ସମାନତାର ଭାବ ସୃଷ୍ଟି କରିବା ଓ ଅସମାନତାର ଖାଇର ଓସାରକୁ କ୍ରମେ ଊଣା କରିବା। ମାତ୍ର କରୋନା କାଳରେ ଶିକ୍ଷା ତା’ର ସେହି ମୂଳ ଲକ୍ଷ୍ୟରୁ କେବଳ ବିଚ୍ୟୁତ ହେଲା ନାହିଁ, ତା’ ସହିତ ଅସମାନତାର ଖାଇକୁ ମଧୢ ଅସ୍ବାଭାବିକ ଭାବେ ବୃଦ୍ଧି କରିବାରେ ସାହାଯ୍ୟ କରିଛି। ଏହା ଆଗକୁ ଜାରି ରହିଲେ ଶିକ୍ଷାର ମୂଳ ଲକ୍ଷ୍ୟ ଯେ ପରାହତ ହେବ, ଏଭଳି ଏକ ଆଶଙ୍କା ସୃଷ୍ଟି ହୁଏ।

ଏଠାରେ ସ୍ପଷ୍ଟ ହେବା ଉଚିତ ଯେ ଅନ୍‌ଲାଇନ ଶିକ୍ଷା ଏକ କାମଚଳା ବ୍ୟବସ୍ଥା, ଯାହା ସ୍ବାଭାବିକ ଅଫ୍‌ଲାଇନ ଶିକ୍ଷାର ଆଂଶିକ ପରିପୂରଣ ହୋଇପାରେ; ମାତ୍ର କେବେ ତା’ର ଯଥାର୍ଥ ବିକଳ୍ପ ହୋଇପାରିବ ନାହିଁ। ତେଣୁ ମହାମାରୀ ସ˚କ୍ରମଣର ଭୟ ଦୂର ହେଲା ପରେ ସର୍ବପ୍ରଥମେ ଅଫ୍‌ଲାଇନ ଶିକ୍ଷାର ପୁନଃ ପ୍ରଚଳନ କରାଯିବା କଥା। ଅନ୍‌ଲାଇନ ଶିକ୍ଷାକୁ କେବେ ବି ସ୍ଥାୟୀ ବ୍ୟବସ୍ଥା ବୋଲି ମନେ କରାଯିବା କଥା ନୁହେଁ। ତେବେ, ଏହା ପଛରେ ଟେକ୍‌ନୋଲୋଜିର ଅନୁପଲବ୍‌ଧତା କେବଳ ମାତ୍ର କାରଣ ନୁହେଁ। ଏହାର ଅନ୍ୟ କାରଣ ମଧ୍ୟ ରହିଛି।

ଅଫ୍‌ଲାଇନ ବା ସ୍ବାଭାବିକ ଶିକ୍ଷାରେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଏକତ୍ର ହୁଅନ୍ତି ଏବ˚ ସେଠାରେ ସେମାନଙ୍କୁ ଶିକ୍ଷକଙ୍କ ମାର୍ଗଦର୍ଶନ ମିଳେ। ଏହି ପଦ୍ଧତିରେ ଶିକ୍ଷକ ଓ ଛାତ୍ରଛାତ୍ରୀ ପରସ୍ପର ସହିତ ବାର୍ତ୍ତା ବିନିମୟ ବା ପ୍ରଶ୍ନ-ଉତ୍ତର ଆଦାନପ୍ରଦାନ କରିପାରନ୍ତି। କିନ୍ତୁ ଅନ୍‌ଲାଇନ ଶିକ୍ଷାରେ ଶିକ୍ଷକ ଏକତରଫା ପାଠ ପଢ଼ାନ୍ତି; ଛାତ୍ର କେତେ ବୁଝିଲା, ତାହା ଠଉରାଇ ପାରୁ ନ ଥିବାରୁ ପିଲାଙ୍କୁ ବୋଧଗମ୍ୟ ହେବା ଭଳି ନିଜ ଶିକ୍ଷାଦାନ ଶୈଳୀରେ ଅନୁକୂଳ ପରିବର୍ତ୍ତନ ଆଣି ପାରନ୍ତି ନାହିଁ। ‌ଶ୍ରେଣୀ ଗୃହର ଶୈକ୍ଷିକ ପରିବେଶରେ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଇଲା ବେଳେ ନିରନ୍ତର ପିଲାଙ୍କର ପାଠ୍ୟ ଆହରଣର ସ୍ତର ଏବ˚ ନିଜର ପାଠପଢ଼ା ଶୈଳୀର ମୂଲ୍ୟାୟନ କରୁଥାନ୍ତି ଏବ˚ ଆବଶ୍ୟକତା ଅନୁସାରେ ତହିଁରେ ପରିବର୍ତ୍ତନ କରନ୍ତି। ଦ୍ବିତୀୟତଃ, ଛାତ୍ର ସର୍ବଦା ଶିକ୍ଷାନୁଷ୍ଠାନର ପରିସରରେ ସାଙ୍ଗ ଖୋଜେ ଏବ˚ ସାଙ୍ଗମାନଙ୍କ ସହିତ ମିଳିମିଶି ପାଠକୁ ବୁଝେ। ଅବୁଝା ପାଠକୁ ବୁଝିବାରେ ତାକୁ ସବୁଠାରୁ ଅଧିକ ସାହାଯ୍ୟ ମିଳେ ସହପାଠୀମାନଙ୍କ ପାଖରୁ। ଅନେକ ସମୟରେ ପିଲାମାନେ ପାରସ୍ପରିକ ସହଯୋଗ ବଳରେ ପାଠକୁ ଆୟତ୍ତ କରନ୍ତି, ଯାହାକୁ ‘କୋ-ଅପରେଟିଭ ଲାର୍ଣ୍ଣି˚’ ବୋଲି କୁହାଯାଏ। ଏକ ଆଦର୍ଶ ସ୍ଥିତିରେ ଶିକ୍ଷକ ମଧୢ ଏଭଳି ଶିକ୍ଷା ଆହରଣକୁ ପ୍ରୋତ୍ସାହିତ କରନ୍ତି। କାରଣ ଏହା ଘୋଷା ପାଠକୁ ନିରୁତ୍ସାହିତ କରେ। କେବଳ ସେତିକି ନୁହେଁ, ସ୍କୁଲ୍‌ ପରିସରରେ ପିଲା ଖେଳିବାର ଅବସର ପାଏ; ନିଜ କଳାତ୍ମକତାର ଆଭାସ ତାକୁ ମିଳିପାରେ। ଅନେକ ସମୟରେ ସ୍କୁଲ୍‌ ବ୍ୟବସ୍ଥା ହିଁ ତାକୁ ଗୀତ, ନାଚ, ତର୍କ ବିତର୍କ ତଥା ଅନ୍ୟାନ୍ୟ ସର୍ଜନାତ୍ମକ କାର୍ଯ୍ୟ କରିବାକୁ ଅବସର ପ୍ରଦାନ କରେ। ମାତ୍ର ଯେଉଁ ସ୍କୁଲ୍‌ରେ ଅବ୍ୟବସ୍ଥା କାରଣରୁ ଏହି ବିଷୟରେ (Beyond Textbook) ସର୍ଜନାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ ମିଳେ ନାହିଁ, ବି‌େଶଷ କରି ଗ୍ରାମୀଣ ସରକାରୀ ସ୍କୁଲ୍‌ରେ, ସେଠାରେ ମଧୢ ପିଲା ସାଙ୍ଗସାଥୀଙ୍କ ମେଳରେ ଏଥିପାଇଁ ବାଟ ଖୋଜନ୍ତି, ଯାହା ସେମାନଙ୍କ ମନରେ ଆତ୍ମବିଶ୍ବାସ ସୃଷ୍ଟି କରେ। ଏହା ସ୍କୁଲ୍‌ ପ୍ରତି ଆକର୍ଷଣ ମଧ୍ୟ ବୃଦ୍ଧି କରେ। ପିଲାଙ୍କ ବିଶ୍ବ ଦୃଷ୍ଟିକୁ ଉଭୟ ପରିବ୍ୟାପ୍ତ ଏବ˚ ପରିମାର୍ଜିତ କରିବାରେ ଶିକ୍ଷାନୁଷ୍ଠାନର ଏବ˚ ତହିଁରେ ଛାତ୍ରମାନଙ୍କର ସମ୍ମେଳନର ଭୂମିକା ଖୁବ୍‌ ମହତ୍ତ୍ବପୂର୍ଣ୍ଣ। ପାରିବାରିକ ସମସ୍ୟା, ଯାହା କେବେ କେବେ ଆର୍ଥିକ ହୋଇପାରେ, ଆଉ କେବେ ମାନସିକ ଏବ˚ ସାମାଜିକ ବି ହୋଇପାରେ, ତହିଁରୁ ଏବ˚ ତଜ୍ଜନିତ ବିଷାଦରୁ ମୁକ୍ତି ପାଇବା ଲାଗି ଅନ୍ତତଃ ସାମୟିକ ଭାବେ ହେଉ ପଛକେ ଶିକ୍ଷାନୁଷ୍ଠାନ ଏକ ଆଦର୍ଶ ପରିବେଶ ସାବ୍ୟସ୍ତ ହୁଏ। ଯଦି ଝିଅମାନଙ୍କ କଥା ବିଚାରକୁ ନେବା, କନ୍ୟାର ସ୍କୁଲ୍‌ ପଢ଼ାଯିବା ହେବ ବାଲ୍ୟ ବିବାହର ଏକ ବଡ଼ ପ୍ରତିରୋଧକ। ଆଜିି କରୋନା କାଳରେ ଉଭୟ ପୁଅ ଏବ˚ ଝିଅ ଲକ୍‌ଡାଉନ୍‌ ଆଦି ଯୋଗୁଁ ଗୃହର ସୀମିତ ବେଷ୍ଟନୀରେ ବନ୍ଧା। ତା’ସତ୍ତ୍ବେ ମଧୢ ପୁଅଙ୍କ ତୁଳନାରେ ଝିଅ ଅଧିକ ବନ୍ଧା ନୁହେଁ କି? ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥା ସ୍ଥାୟୀ ହେଲେ ଛାତ୍ରଛାତ୍ରୀଙ୍କ ଦୁନିଆ ଯେ ସ˚କୀର୍ଣ୍ଣ ହୋଇଯିବ ଏବ˚ ଦୂରଦୃଷ୍ଟି ବ୍ୟାହତ ହେବ- ଏହା କହିବା ବାହୁଲ୍ୟ।

ଅନ୍‌ଲାଇନ ଶିକ୍ଷାକୁ ଯଦି ଛାତ୍ରଙ୍କର ବୟସ ଅନୁପାତରେ ଦେଖାଯାଏ, ପ୍ରାଥମିକ ସ୍ତରର ଶିଶୁ ଶିକ୍ଷାର୍ଥୀ ଏହା ଦ୍ବାରା ସବୁଠାରୁ ଅଧିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ମାଧୢମିକ ଏବ˚ ଉଚ୍ଚ ଶିକ୍ଷା ସ୍ତରରେ ହୁଏ’ତ ପିଲାଙ୍କ କ୍ଷତିର ପରିମାଣ ଟିକିଏ ଊଣା। କିନ୍ତୁ କୌଣସି ସ୍ତରରେ ମଧ୍ୟ ଏହା ଅଫ୍‌ଲାଇନ ଶିକ୍ଷାର ସମକକ୍ଷ ବା ବିକଳ୍ପ ନୁହେଁ। ତେଣୁ ଅନ୍‌ଲାଇନ ଶିକ୍ଷା ନିଶ୍ଚିତ ରୂପେ ଏକ ସହଯୋଗୀ ଶିକ୍ଷା ବ୍ୟବସ୍ଥା ଭାବରେ ରହିପାରେ, କିନ୍ତୁ ଏକ ମୂଳ ଶିକ୍ଷା ବ୍ୟବସ୍ଥା ହୋଇପାରିବ ନାହିଁ।

ଏଠାରେ ପ୍ରଶ୍ନ ଉଠେ, ୟୁଜିସି ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାକୁ ସ୍ଥାୟୀ ରୂପେ ପ୍ରଚଳନ କରିବାକୁ ଏତେ ତତ୍ପର କାହିଁକି? ଯାହା ଜଣାପଡ଼େ ଶିକ୍ଷା ନିମନ୍ତେ ରାଷ୍ଟ୍ରର ଖର୍ଚ୍ଚ ଊଣା କରିବା ଏହା ପଛରେ ଏକ ପ୍ରମୁଖ କାରଣ। ଏବେ କଲେଜ ଏବ˚ ବିଶ୍ବବିଦ୍ୟାଳୟ ସ୍ତରରେ ପାଖାପାଖି ୫୦ ପ୍ରତିଶତ ପଦ ଖାଲି। ଅଧୢାପକ ନିଯୁକ୍ତି ନ କରି ସୁଦ୍ଧା ଶିକ୍ଷାନୁଷ୍ଠାନମାନେ ଅନ୍‌ଲାଇନ ମାଧୢମରେ ଶିକ୍ଷାଦାନ କରି ପାରିବେ। ଗତ ବର୍ଷ ଉଚ୍ଚତର ଶିକ୍ଷାର ବଜେଟ୍‌ରୁ ପ୍ରାୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କାଟ କରାଯାଇଛି। ଅନ୍‌ଲାଇନ ଶିକ୍ଷା ନିମନ୍ତେ ଗୃହର ମଧୢ ଆବଶ୍ୟକତା ପଡ଼େ ନାହିଁ। ତେଣୁ, ଶ୍ରେଣୀ ଗୃହ ନିର୍ମାଣ ପାଇଁ ମଧୢ ଖର୍ଚ୍ଚ ହେବ ନାହିଁ। କମ୍‌ ସ˚ଖ୍ୟକ ଶିକ୍ଷକ ଏବ˚ ନ ଥିଲା ଭଳିଆ କୋଠାଘର ହେବ ଅନ୍‌ଲାଇନ୍‌ ଶିକ୍ଷାର ଏକ ବଡ଼ ବୈଶିଷ୍ଟ୍ୟ। ଶିକ୍ଷକ ଏବ˚ ଛାତ୍ରଙ୍କ ମଧୢରେ ପ୍ରତ୍ୟକ୍ଷ ସ˚ପର୍କକୁ ଅନ୍‌ଲାଇନ ଶିକ୍ଷା ପ୍ରାୟତଃ ଅବସର ଦିଏ ନାହିଁ, ଅଥଚ ଶିକ୍ଷକଙ୍କ ପ୍ରତ୍ୟେକ କଥାବାର୍ତ୍ତାକୁ ‘ରେକର୍ଡ’ କରିବାର ସାମର୍ଥ୍ୟ ରଖୁଥିବାରୁ ତାହା ଶିକ୍ଷକ ଏବ˚ ଛାତ୍ରର ବିଚାର ଏବ˚ ବୁଦ୍ଧି ଉପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଙ୍କୁଶ ଲଗାଇବାରେ ସାହାଯ୍ୟ କରିପାରେ। ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାରେ ପିଲା ସମ୍ମିଳିତ ହୋଇପାରନ୍ତି ନାହିଁ, ଯାହା ସେମାନଙ୍କ ଏକତାକୁ ଭ୍ରୂଣ ଅବସ୍ଥାରେ ନଷ୍ଟ କରେ। ସେହି ଦୃଷ୍ଟିରୁ ଏହା ଏକ ପ୍ରତିକ୍ରିୟାଶୀଳ ପଦକ୍ଷେପ। ଅତୀତରେ ଛାତ୍ରଛାତ୍ରୀମାନେ ସ୍ବାଧୀନତା ସ˚ଗ୍ରାମରେ ହେଉ କି ଅନ୍ୟାନ୍ୟ ଆଦର୍ଶମୂଳକ ଆନ୍ଦୋଳନାତ୍ମକ କାର୍ଯ୍ୟରେ ଯେଉଁ ଭୂମିକା ନେଇଛନ୍ତି, ତାହା ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାରେ ହେବା ଅସମ୍ଭବ। ତେଣୁ, ମୋଟାମୋଟି ଭାବରେ କହିଲେ ଏକ ଉନ୍ନତ ପ୍ରଯୁକ୍ତିକୁ ଉପଯୋଗ କରି ଦେଶରେ ଏକ ରକ୍ଷଣଶୀଳ ଏବ˚ ପ୍ରତିକ୍ରିୟାଶୀଳ ଶୈକ୍ଷିକ ବାତାବରଣ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ, ଆମର ଏହି ଆଶଙ୍କା ନିରାଧାର ସିଦ୍ଧ ହେବାରେ ହିଁ ଶିକ୍ଷକ ଏବ˚ ଶିକ୍ଷାର୍ଥୀ ସମାଜ ଯେ ଖୁସି ହେବେ- ଏଥିରେ ଦ୍ବିରୁକ୍ତି ନାହିଁ।

[email protected]

ସମ୍ବନ୍ଧିତ ଖବର