ଜୈବ ବିବିଧତା କ୍ଷୟ ଓ ଜନ ବିସ୍ଫୋରଣ

ଅମୂଲ୍ୟ କୁମାର ପଣ୍ତା

ଏହା କହିଲେ ଭୁଲ୍‌ ହେବ ନାହିଁ ଯେ ପୃଥିବୀରେ ଜୈବ ବିବିଧତା ହ୍ରାସ ଏବ˚ ସେ ସମ୍ପର୍କିତ ସମସ୍ତ ସମସ୍ୟାର ମୂଳରେ ଥିବା ଜନସ˚ଖ୍ୟା ବିସ୍ଫୋରଣ। ୧୭୯୮ରେ ଟମାସ୍‌ ମାଲ୍‌ଥସ୍‌ଙ୍କ ‘ଏନ୍‌ ଏସେ ଅନ୍‌ ଦ ପ୍ରିନ୍‌ସିପଲ ଅଫ୍‌ ପପୁଲେସନ୍‌’ ପ୍ରକାଶ ପାଇଲା ବେଳକୁ ବିଶ୍ବ ଜନସ˚ଖ୍ୟା ଥିଲା ୧୦୦ କୋଟିରୁ କମ୍‌। ୧୮୦୦ରେ ଏହା ପ୍ରଥମେ ୧୦୦ କୋଟି ଛୁଇଁଲା। ଅର୍ଥାତ୍‌ ଆମ ସ˚ଖ୍ୟା ପ୍ରଥମେ ୧୦୦ କୋଟି ହେବା ପାଇଁ ଅନେକ ବର୍ଷ (ଆଧୁନିକ ମାନବର ଆବିର୍ଭାବ ପର ଠାରୁ ୧୮୦୦ ମସିହା ଯାଏଁ) ଲାଗିଥିଲା। ଆଉ ତା’ ପର ୧୩୦ ବର୍ଷରେ ଅର୍ଥାତ୍‌ ୧୯୩୦ ବେଳକୁ ଏହା ୨୦୦ କୋଟି ହୋଇଗଲା। ତା’ର ତିରିଶ ବର୍ଷ ପରେ ତାହା ୩୦୦ କୋଟି; ତା’ର ୧୫ ବର୍ଷ ପରେ ୪୦୦ କୋଟି ଏବ˚ ତା’ର ୧୨ ବର୍ଷ ପରେ ୫୦୦ କୋଟିରେ ପହଞ୍ଚିଲା। ଜୁଲାଇ ୧୧, ୧୯୮୭ରେ ଜନସଂଖ୍ୟା ପ୍ରଥମେ ୫୦୦ କୋଟି ଛୁଇଁଥିବାରୁ ଏହି ଦିନଟିକୁ ‘ଫାଇଭ୍‌ ବିଲିୟନ୍‌ ଡେ’ ବୋଲି କୁହାଯାଉଛି। ସଂପ୍ରତି ଆମ ଜନସ˚ଖ୍ୟା ହେଉଛି ପ୍ରାୟ ୭୮୦ କୋଟି ଏବ˚ ୨୧୦୦ ବେଳକୁ ଏହା ୧୧୦୦ କୋଟି ହୋଇ ଯାଇ ଥାଇପାରେ। ତେବେ, କେତେକ ବିଶାରଦଙ୍କ ମତରେ ୨୦୫୦ ବେଳକୁ ଏହା ଆଉ ବଢ଼ିବ ନାହିଁ।

ବର୍ଦ୍ଧିଷ୍ଣୁ ଜନସ˚ଖ୍ୟାର ଖାଦ୍ୟ ଓ ଅନ୍ୟାନ୍ୟ ଚାହିଦା ମେଣ୍ଟାଇବାକୁ ଆମେ ପ୍ରକୃତି ଉପରେ ଅତ୍ୟାଚାର କରୁଛୁ। ଫଳରେ ସୀମିତ ସମ୍ପଦ ଉପରେ ଅତ୍ୟଧିକ ଚାପ ପଡୁଛି। ପଲ୍‌ ଏର୍ଲିକ୍‌ଙ୍କ ରଚିତ ପୁସ୍ତକ ‘ଦ ପପୁଲେସନ୍‌ ବୁମ୍‌’ (୧୯୬୮)ରେ ଦର୍ଶାଯାଇଛି ଯେ ସମ୍ପଦର ମାତ୍ରାଧିକ ବ୍ୟବହାରର ମୂଳରେ ରହିଛି ଜନ ବିସ୍ଫୋରଣ। ସୁତରାଂ, କ୍ରମବର୍ଦ୍ଧିଷ୍ଣୁ ଜନସ˚ଖ୍ୟା ଓ ତଜ୍ଜନିତ ପରିବେଶ ଅବକ୍ଷୟ ଏବ˚ ଜୈବ ବିବିଧତାରେ ହ୍ରାସ ଆମ ପାଇଁ ଏକ ସର୍ବାଧିକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ପ୍ରତ୍ୟେକ ପରିସ˚ସ୍ଥା (ଇକୋସିଷ୍ଟମ୍‌) ପରି ଆମ ପୃଥିବୀର ମଧୢ ଏକ ନିର୍ଦ୍ଦିଷ୍ଟ ଧାରଣ କ୍ଷମତା ରହିଛି। ସେହି ଦୃଷ୍ଟିରୁ ବିଚାର କରି ଜନସଂଖ୍ୟା ବିଶାରଦ କହନ୍ତି ଯେ ପୃଥିବୀରେ ଆମ ସ˚ଖ୍ୟା ୧.୨ରୁ ୧.୯ ବିଲିଅନ୍‌ ଭିତରେ ରହିବା ବାଞ୍ଛନୀୟ। ଏବେ ଜନସ˚ଖ୍ୟା ପୃଥିବୀର ଧାରଣ କ୍ଷମତାଠାରୁ ଯଥେଷ୍ଟ ଅଧିକ ହୋଇ ଗଲାଣି। ସୁତରାଂ, ଆମେ ପୃଥିବୀ ଉପରେ ଏକ ବୋଝ ହୋଇପଡ଼ିଛୁ।

ଏହି ପୃଷ୍ଠଭୂମିରେ ଆମ ଯୋଗୁଁ ଜୈବ ବିବିଧତା କିପରି ନଷ୍ଟ ବିନଷ୍ଟ ହେଇଛି, ତାହା ବିିଚାର କରାଯାଉ। କୃଷି, ବାସଗୃହ ନିର୍ମାଣ, ଖଣି ଖନନ ଆଦି ପାଇଁ ଅଧିକରୁ ଅଧିକ ଆୟତନର ବନାଞ୍ଚଳ ତଥା ବନ୍ୟ ପରିସ˚ସ୍ଥା ନଷ୍ଟ କରାଯାଉଛି। ବେଆଇନ ଭାବେ ବନ୍ୟ ପ୍ରାଣୀ ବ୍ୟବସାୟ ମଧୢ ଚାଲିଛି; ଯାହା ବନ୍ୟଜୀବଙ୍କ ଅବାଧ ହତ୍ୟାର କାରଣ ହେଉଛି। ଜନ ବିସ୍ଫୋରଣ ଯୋଗୁଁ ବିଶ୍ବତାପନ ବଢ଼ୁଛି ଓ ଏହା ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ହୋଇପଡ଼ିଛି। ଏ ସବୁର ପ୍ରଭାବରେ ବହୁ ଜୀବଜାତିର ବିଲୁପ୍ତି ମଧ୍ୟ ଘଟୁଛି। ସ˚ରକ୍ଷଣ ବିଶାରଦମାନଙ୍କ ମତରେ ଏଥିପାଇଁ ୫ଟି କାରଣ ଦାୟୀ ଯାହାକୁ ଇଂରେଜୀରେ ‘HIPPO’ ନାମ ଦିଆଯାଇଛି। ଏଗୁଡ଼ିକ ହେଉଛି ପରିସ୍ଥାନ କ୍ଷୟ ବା ହେବିଟାଟ୍‌ ଲସ୍‌ (H), ଇନଭେସିଭ୍‌ ସ୍ପିସିସ୍‌ ବା ଆକ୍ରମଣାତ୍ମକ ବାହ୍ୟ ଜୀବଜାତି (I), ପ୍ରଦୂଷଣ ବା ପଲ୍ୟୁସନ୍‌ (P), ଜନସ˚ଖ୍ୟା ବୃଦ୍ଧି ବା ପପୁଲେସନ୍‌ (P) ଓ ସମ୍ପଦର ଅତ୍ୟଧିକ ଅମଳ ବା ଓଭର ହାର୍ଭେଷ୍ଟିଙ୍ଗ (O)। ଗତ ମଇ ୪ ତାରିଖରେ ‘ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ସାଇନ୍‌ସ ପଲିସି ପ୍ଲାଟଫର୍ମ ଅନ୍‌ ବାଇଓଡାଇଭର୍ସିଟି ଏଣ୍ତ ଇକୋସିଷ୍ଟମ୍‌ ସର୍ଭିସେସ୍‌’ (IPBES) ତରଫରୁ ଏହି ଦଶନ୍ଧିରେ ଉପୁଜିବାକୁ ଥିବା ଏକ ଅତି ପ୍ରତିକୂଳ ପରିସ୍ଥିତିର ସୂଚନା ଦିଆଯାଇଛି। ଏକାବନଟି ଦେଶର ବିଶାରଦ ସ˚ଶ୍ଳିଷ୍ଟ ଥାଇ ଗତ ୩ ବର୍ଷ ଧରି ବିଶ୍ବ ଜୈବ ବିବିଧତା ଉପରେ ବ୍ୟାପକ ଓ ଗଭୀର ଅଧୢୟନ ପରେ ପ୍ରକାଶିତ ଏହି ରିପୋର୍ଟର ଉନ୍ମୋଚନ ଅବସରରେ ବିଶାରଦମାନେ ଚେତାବନୀ ଦେଇଛନ୍ତି ଯେ ଆଗାମୀ ୧୦ ବର୍ଷ ଭିତରେ ଅନ୍ୟୂନ ୧୦ ଲକ୍ଷ ଜୀବଜାତିର ବିଲୁପ୍ତି ଘଟିବ। ସେହି ପରିପ୍ରେକ୍ଷୀରେ ଜୈବ ବିବିଧତା ସ˚ରକ୍ଷଣ ଏକାନ୍ତ ଆବଶ୍ୟକ। ଯେହେତୁ ଏକ କ୍ଷୟପ୍ରାପ୍ତ ଜୈବ ବିବିଧତା ବହୁ ଜୁନୋଟିକ୍‌ (ପ୍ରାଣୀ ଦ୍ବାରା ମଣିଷକୁ ହେଉଥିବା ଜୀବାଣୁ ବା ଭୂତାଣୁ ବାହିତ) ରୋଗର କାରଣ, ସୁସ୍ଥ ପରିସ˚ସ୍ଥା ଏବ˚ ଜୀବମଣ୍ତଳ ଲାଗି ସମୃଦ୍ଧ ଜୈବ ବିବିଧତା ଏକାନ୍ତ ଜରୁରୀ।

ତେବେ ଏ ସମସ୍ୟାର ସମାଧାନର ପନ୍ଥା ମଧ୍ୟ ଆମ ପାଖରେ ଅଛି। ଏଥିପାଇଁ ସର୍ବପ୍ରଥମେ ଆମର ପ୍ରାକୃତିକ ସମ୍ପଦ ବିନିଯୋଗ ଶୈଳୀ ବଦଳାଇବାକୁ ପଡ଼ିବ; ସମ୍ପଦ ବିନିଯୋଗ ନାଁରେ ହେଉଥିବା ଅପଚୟକୁ ରୋକିବାକୁ ପଡ଼ିବ। ଉଦାହରଣ ସ୍ବରୂପ ବିଭିନ୍ନ ଚାହିଦା ମେଣ୍ଟାଇବା ପାଇଁ ଆମେ ଅତି ମାତ୍ରାରେ ଜଙ୍ଗଲ ସମ୍ପଦ ନଷ୍ଟ କରୁଛେ। ଏହାର ପରିଣାମ ସଙ୍କଟ ସୃଷ୍ଟି କରୁଛି। ଗଲା ଏପ୍ରିଲ ମାସରେ ‘ନେଚର‌୍‌ କ୍ଲାଇମେଟ୍‌ ଚେଞ୍ଜ’ ପତ୍ରିକାରେ ପ୍ରକାଶିତ ତଥ୍ୟ କହିଥାଏ ଯେ ଗତ ୨୦୧୦-୨୦୧୯ ଦଶନ୍ଧିରେ ଆମାଜନ୍‌ ବୃଷ୍ଟିବନରୁ ଅଙ୍ଗାରକାମ୍ଳ ଶୋଷଣ ବଦଳରେ ଉତ୍ସର୍ଜନର ପରିମାଣ ୨୦% ଅଧିକ ହୋଇଛି, ଯାହା ପ୍ରଥମ ଥର ଲାଗି ଘଟିଛି ଓ ଅତ୍ୟନ୍ତ ଉଦ୍‌ବେଗଜନକ। ଏଥିପାଇଁ 3-R ନୀତିକୁ ଅଗ୍ରାଧିକାର ଦେବାକୁ ପଡ଼ିବ। ତାହା ହେଲା ‘ସମ୍ପଦର ବ୍ୟବହାରରେ ହ୍ରାସ’ (Reduce) ‘ସମ୍ପଦର ପୁନର୍ବ୍ୟବହାର କର (Reuse) ଓ ‘ସମ୍ପଦର ପୁନଶ୍ଚକ୍ରଣ କର’ (Recyle)। ତାହା ସହିତ ଦାରିଦ୍ର୍ୟ ଦୂରୀକରଣ, ଶିକ୍ଷାର ପ୍ରସାର, ଜନ୍ମ ନିୟନ୍ତ୍ରଣ ବାବଦରେ ଶିକ୍ଷାଦାନ ତଥା ଗର୍ଭ ନିରୋଧକ ବ୍ୟବହାରକୁ ପ୍ରୋତ୍ସାହନ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ।

ଜାତିସ˚ଘ ତରଫରୁ ୨୦୨୧-୩୦ ଦଶନ୍ଧିକୁ ‘ପରିସ˚ସ୍ଥା ପୁନରୁଦ୍ଧାର ଦଶନ୍ଧି’ ଭାବେ ପାଳନ କରାଯାଉଛି। ଆଶା କରାଯାଏ ଆମେ ଆଉ ଆମ ପାଇଁ ଓ ଜୀବମଣ୍ତଳ ପାଇଁ ସମସ୍ୟାର କାରଣ ନ ହୋଇ ସମାଧାନର ସୂତ୍ର ହେବା।

ମୋ- ୮୨୮୦୨୩୯୯୫୭
[email protected]

ସମ୍ବନ୍ଧିତ ଖବର