ଶାସନ କଳରେ ଦୁର୍ନୀତି

ଶରତ ଚନ୍ଦ୍ର ମିଶ୍ର

ପ୍ରତିଦିନ ଖବରକାଗଜରେ କୌଣସି ଏକ ସରକାରୀ କର୍ମଚାରୀ ଦୁର୍ନୀତି ଯୋଗୁ ଗିରଫ ହେବା, ଜେଲ୍‌ ଯିବା ପ୍ରକାଶିତ ହୁଏ ଓ ତଦ୍‌ ସହିତ ବିଭିନ୍ନ ଜାଗାରେ ଦୁର୍ନୀତି ହେଉଥିବାର ଅଭିଯୋଗ ହୁଏ। ଦୁର୍ନୀତି ନିବାରଣ ପନ୍ଥା ବୃଦ୍ଧି ସହିତ ଦୁର୍ନୀତି ମଧୢ ବୃଦ୍ଧି ପାଇବାରେ ଲାଗିଛି। Transparency Internationalଙ୍କ ଆକଳନରେ ଭାରତ ଏକ ଦୁର୍ନୀତି ଗ୍ରସ୍ତ ରାଷ୍ଟ୍ର ଓ ଦେଶର ସାମୂହିକ ଆୟ, ଦୁର୍ନୀତି ହେତୁ ପ୍ରାୟ ଶତକଡ଼ା ଦୁଇ ଭାଗ ନଷ୍ଟ ହେଉଛି।

ଆମ ଦେଶରେ ଦୁର୍ନୀତି କେତେକ ମାନସିକତା ଯୋଗୁ ବ୍ୟାପକ। କୌଟିଲ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି ଯେ, ଯେପରି ମାଛ ପାଣି ମଧୢରେ ରହି କେତେ ଜଳପାନ କରୁଛି, ଜାଣିବା ସମ୍ଭବପର ନୁହେଁ, ସେଇପରି ରାଜ କର୍ମଚାରୀ କେତେ ଅର୍ଥ ଆତ୍ମସାତ କରୁଛନ୍ତି- ତାହା ମଧୢ ଜାଣିବା ସମ୍ଭବ ନୁହେଁ। ଏଥରୁ ବୁଝିବାକୁ ହେବ ଯେ, ଦୁର୍ନୀତି ଭାରତ ସମାଜର ଏକ ପୁରାତନ ସାମାଜିକ ବ୍ୟାଧି। ଆମ ଦେଶରେ ପ୍ରଚଳିତ ଭାବଧାରାରେ କିଛି ପାଇବାକୁ ହେଲେ କିଛି ଦେବାକୁ ହୁଏ। ମନ୍ଦିରରେ ଭୋଗ ଚଢ଼ାଯାଏ, ରାଜା, ମହାରାଜାମାନଙ୍କୁ ଭେଟି ଦିଆ ହେଉଥିଲା। ମୋଗଲ ମୁସଲମାନ ରାଜତ୍ବରେ ନଜରାନା ଓ ସୁକରାନା ପ୍ରଦାନ କରାହେଉଥିଲା। ଇ˚ରେଜମାନେ ମୁସଲମାନ ଓ ମୋଗଲ ସମ୍ରାଟ ନବାବମାନଙ୍କ ସେନାପତିମାନଙ୍କୁ ଉତ୍କୋଚ ପ୍ରଦାନ କରି ଯୁଦ୍ଧ ଜିଣିଥିଲେ। ଇ˚ରେଜୀ ଲାଟ୍‌ ଲର୍ଡ କ୍ଲାଇବ୍‌ ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ହୋଇଥିଲେ ଓ କଟକର କଲେକ୍‌ଟର ମାକଫର୍‌ସନ, ତାଙ୍କ ନିଜ ଦରମା ଅପେକ୍ଷା ଅଧିକ ଅର୍ଥ ନିଜ ଦେଶକୁ ପ୍ରେରଣ କରି ପଦଚ୍ୟୁତ ହୋଇଥିଲେ। କୌଣସି କାର୍ଯ୍ୟ ସାଧନ ନିମନ୍ତେ କିଛି ଅର୍ଥ ବ୍ୟୟ କରିବାରେ ସାଧାରଣ ଲୋକ ଅଭ୍ୟସ୍ତ।

ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମଧୢ ମନ ମଧୢରେ ଅନୁଶୋଚନା ନ କରି, କିଛି ଧର୍ମକାର୍ଯ୍ୟ କରି ଯଥା, ଗଙ୍ଗାରେ ବୁଡ଼ ପକାଇ, କୁମ୍ଭ ମେଳାକୁ ଯାଇ, ରଥାରୁଢ଼ ଜଗନ୍ନାଥଙ୍କୁ ଦର୍ଶନ କରି ନିଜର ପାପ ଧୋଇଗଲା ବୋଲି ଭାବନ୍ତି। ଚାଉଳ, ଚିନିରେ ଗୋଡ଼ି ମିଶାଉଥିବା ଅସାଧୁ ବ୍ୟବସାୟୀ ପିମ୍ପୁଡ଼ି ଗାତରେ ଗୁଡ଼ପଣା ପକାନ୍ତି। ଆମ ଦେଶର ମୁସଲମାନମାନେ ମଧୢ ସୁଫି ସନ୍ଥମାନଙ୍କ ମାଜାର ଉପରେ ଚାଦର ପକେଇ ନିଜ ପାପ ପ୍ରକ୍ଷାଳନ କରନ୍ତି। ଆମ ଦେଶରେ ଖ୍ରୀଷ୍ଟିଆନ ଧର୍ମର ସ୍ବୀକାରୋକ୍ତି (Confession) ଅପେକ୍ଷା ପ୍ରାୟଶ୍ଚିତ୍ତ (atonement) ଆମ ଚିନ୍ତାଧାରାକୁ ପ୍ରଭାବିତ କରେ। ଭାରତୀୟ ମାନସିକତାରେ ଦୁର୍ନୀତିକୁ ଅପରାଧ ବୋଲି ଗଣ୍ୟ କରାହୁଏ ନାହିଁ। ବରଞ୍ଚ ସାଧୁ କର୍ମଚାରୀଙ୍କର ପାରିବାର ପଣିଆ ଅଭାବ ବୋଲି ଅନେକ ସମୟରେ ମନେ କରାଯାଏ। ପ୍ରଚଳିତ କଥା ଅଛି ‘‘ଚାକିରି କି ଲାଭ, ଯଦି ନାହିଁ ଉପୁରି’’। ଏ ଲେଖକ ୧୯୫୯ ମସିହାରେ ଅଧୢାପକ ଥିବା ସମୟରେ ଆଇ.ପି.ଏସ୍‌ ହେବାକୁ ଯୋଗ୍ୟ ବିବେଚିତ ହେଲେ। ଜଣେ ଦୂର ସ˚ପର୍କୀୟ ବନ୍ଧୁ ତା’ ଘରକୁ କାର୍ଯ୍ୟ ପ୍ରସଙ୍ଗରେ ଆସି କହିଥିଲେ ‘‘ଏତେ ପାଠ ପଢ଼ି, ଶେଷକୁ ଆଇପିଏସ୍‌ ହେଲା। ଯଦି ପୁଲିସ ଚାକିରି କରିବାର କଥା ସବ-ଇନ୍‌ସପେକ୍‌ଟର ହୋଇଥା’ନ୍ତା, ପଇସା ଓ କ୍ଷମତା ଉଭୟ ଅଛି। ନ ହେଲେ ଇନ୍‌କମ ଟାକ୍‌ସ ଅଫିସର ହେଉ’’; ସେ ନିଜେ ଜଣେ ସବ୍‌-ଇନ୍‌ସପେକ୍‌ଟର। ଆଉ ଜଣେ ସ˚ପର୍କୀୟ ଲେଖକ ରାଉରକେଲାରେ ଏସ୍‌.ପି ଥିଲାବେଳେ (୧୯୬୭) ତା’ ଘରକୁ ଆସିଥିଲେ ଓ ସେ ଯେଉଁ ପୁଅ ପାଖରେ ରହନ୍ତି ତା’ର ପ୍ରଶ˚ସା କରି କହିଲେ ଯେ ତାଙ୍କ ପୁଅ ଦିନକୁ ତିରିଶ ଟଙ୍କାର ମାଛ ତାଙ୍କ ଖାଇବା ନିମନ୍ତେ ଘରକୁ ଆଣନ୍ତି। ତାଙ୍କ ପୁଅ ଜଣେ ନନ୍‌ ଗେଜେଟେଡ୍‌ କର୍ମଚାରୀ। ସେତେବେଳେ ସେ ଶ୍ରେଣୀର କର୍ମଚାରୀଙ୍କର ମାସିକ ବେତନ ଦୁଇ ଶହ ଟଙ୍କାରୁ କମ୍‌ ଥିଲା। ଏଥିରେ ଆଶ୍ଚର୍ଯ୍ୟ ହୋଇ ସେ ଏତେ ଟଙ୍କା କେଉଁଠୁ ଆଣୁଚି ବୋଲି ପଚାରିବାରୁ, ସେ ସ˚ପର୍କୀୟ କହିଲେ ‘‘ମୋର ସେଥିରେ ମୁଣ୍ତ ଖେଳାଇବାର କ’ଣ ଅଛି। ସେ ମୋର ଖାଇବା ପିଇବାର ସୁବନ୍ଦୋବସ୍ତ କରୁଛି- ସେଇଥିରେ ମୁଁ ସନ୍ତୁଷ୍ଟ’’। ଲେଖକ ପଚାରିଥିଲା, ଯଦି ସେ କୌଣସି ବିପଦରେ ପଡ଼େ, ତେବେ? ସ˚ପର୍କୀୟ ମୋର ନିର୍ଲିପ୍ତ ଭାବରେ ଉତ୍ତର ଦେଲେ ‘‘ସେ କଥା ସେ ବୁଝିବ। ଆୟ କଲା ବେଳେ ଖସିବାର ବାଟ ରଖି ଆୟ କରିବା ଉଚିତ’’। ଏଇ ହେଲା ଆମର ମାନସିକତା ଓ ପାରିବାରିକ ସ˚ସ୍କାର।

ଆମ ଦେଶରେ ଜଣେ ହତ୍ୟା, ଧର୍ଷଣ, ଡକାୟତି ଆଦିରେ ଦଣ୍ତିତ ହୋଇ ଜେଲ୍‌ରୁ ଖଲାସ ହୋଇ ଆସିଲେ, ତାକୁ ସାମାଜିକ ବାସନ୍ଦର ମୁକାବିଲା କରିବାକୁ ପଡ଼େ। ଦୁର୍ନୀତି ଅଭିଯୋଗରେ ଜେଲ୍‌ ଯାଇ ଖଲାସ ହୋଇ ଆସିଲେ, କୌଣସି ସାମାଜିକ ବାସନ୍ଦର ଆଶ˚କା ନାହିଁ। ଏକଦା ଲେଖକ ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ କେନ୍ଦ୍ରରେ ଓ.ଏ.ଏସ୍‌ ଶିକ୍ଷାନବିସଙ୍କୁ ଦୁର୍ନୀତି ସମ୍ବନ୍ଧରେ ଭାଷଣ ଦେଉଥିଲା। ସବୁ ଶିକ୍ଷାନବିସମାନେ ଦୁର୍ନୀତି ବିରୋଧରେ ମତ ପ୍ରଦାନ କଲେ। ତା’ପରେ ଲେଖକ ପ୍ରଶ୍ନ କଲା, ‘‘ଜଣେ ସରକାରୀ ଅଫିସର ଦୁର୍ନୀତିଗ୍ରସ୍ତ ହୋଇ ଜେଲ୍‌ଦଣ୍ତ ଭୋଗିଥିଲେ, ଆପଣମାନଙ୍କ ମଧୢରୁ କେହି ସେହି ପରିବାର ସହିତ ବୈବାହିକ ସ˚ପର୍କ ସ୍ଥାପନ କରିବାକୁ ମନା କରିବେ କି’’? କୌଣସି ଜଣେ ଶିକ୍ଷାନବିସ ହାତ ଉଠାଇଲେ ନାହିଁ। ଦୁର୍ନୀତିଗ୍ରସ୍ତ ଅଫିସର ପାଖରେ ଯୌତୁକ ଦେବାର ସମ୍ବଳ ଅଧିକ, ତେଣୁ ସେ ପରିବାରରେ ବିବାହ ପ୍ରସ୍ତାବ ବରଞ୍ଚ ଗ୍ରହଣ ଯୋଗ୍ୟ। ମାନସିକ ସ୍ତରରେ ଦୁର୍ନୀତିକୁ ଘୃଣା ନ କଲେ ଦୁର୍ନୀତି ଲୋପ ସମ୍ଭବ ନୁହେଁ। ବର୍ତ୍ତମାନର ସାମାଜିକ ଚିନ୍ତାଧାରା ହେଉଛି, ‘‘ନେଇ ଆଣି ଥୋଇ ପାରିଲେ, ଚୋରି ବିଦ୍ୟାଟି ଭଲ’’। ଅର୍ଥାତ୍‌ ସଫଳତାର ସହିତ ଦୁର୍ନୀତି ଉପାୟରେ ଅର୍ଥ ସ˚ଗ୍ରହ କରିବା ପାରିବାର ପଣିଆ ଓ ଧରାପଡ଼ିବା ଅପାରଗତାର ଲକ୍ଷଣ।

ସରକାରୀ କର୍ମଚାରୀମାନଙ୍କ ମଧୢରେ ବ୍ୟାପକ ଦୁର୍ନୀତିର ଅନେକ କାରଣ ଅଛି। ପ୍ରଥମତଃ ଅନେକ ସମୟରେ ଚାକିରିଟିଏ ପାଇବା ନିମନ୍ତେ ଅର୍ଥ ପ୍ରଦାନ କରିବାକୁ ହୁଏ। ପୁଣି ସୁବିଧାଜନକ ପୋଷ୍ଟି˚ ନିମନ୍ତେ ମଧୢ ଅର୍ଥ ଦିଆନିଆ ହୁଏ। ଜନବହୁଳ ଭାରତବର୍ଷରେ ବେକାରି ସ˚ଖ୍ୟା ଅଧିକ। ତେଣୁ ଯେଉଁ ଭାଗ୍ୟବାନମାନେ ସରକାରୀ ନିଯୁକ୍ତି ପ୍ରାପ୍ତ ହୁଅନ୍ତି, ସେମାନଙ୍କୁ ବହୁପୋଷୀ ହେବାକୁ ପଡ଼େ। ସେମାନଙ୍କ ଠାରୁ ଯେଉଁ ସାହାଯ୍ୟ ଆଶା କରାଯାଏ, ତାହା ବେତନରୁ ସମ୍ଭବ ନୁହେଁ। ସରକାରୀ ସ୍କୁଲ୍‌ ଓ ହାସପାତାଲଗୁଡ଼ିକ ଠିକ ଭାବରେ କାମ କରୁନାହିଁ। ତେଣୁ ମଧୢବିତ୍ତ ସାଧାରଣ ବର୍ଗର କର୍ମଚାରୀମାନେ ବ୍ୟୟବହୁଳ ବେସରକାରୀ ସ୍କୁଲ୍‌ ଓ ହସ୍‌ପିଟାଲ ଉପରେ ନିର୍ଭର କରୁଛନ୍ତି। ସରକାରୀ ଚାକିରି କ୍ଷେତ୍ରରେ ମାତ୍ରାଧିକ ସ˚ରକ୍ଷଣ ହେତୁ, ସାଧାରଣ ବର୍ଗର ଛାତ୍ରଛାତ୍ରୀମାନଙ୍କର ସରକାରୀ ନିଯୁକ୍ତି ପାଇବା କଷ୍ଟକର ବ୍ୟାପାର। ବେସରକାରୀ ସ˚ସ୍ଥାମାନଙ୍କରେ ଓ ରାଜ୍ୟ ବାହାରେ ଚାକିରି ପାଇବା ଆଶାରେ ବ୍ୟୟବହୁଳ ଇ˚ରେଜୀ ମାଧୢମରେ ପିଲାଙ୍କୁୁ ପଢ଼ାଇବା ସେମାନଙ୍କ ପ୍ରତି ଏକ ଆବଶ୍ୟକତା, ବିଳାସ ନୁହେଁ।

ଆଜିକାଲି ବିଭିନ୍ନ ପ୍ରକାର ବିଜ୍ଞାପନ ମାଧୢମରେ ଲୋକେ ନାନା ପ୍ରକାର ଭୋଗ୍ୟ ଓ ବ୍ୟବହାର୍ଯ୍ୟ ଜିନିଷ ସବୁ ଦେଖି ସେସବୁ ପାଇବା ନିମନ୍ତେ ଆଗ୍ରହୀ। ଦୁଇଚକିଆ ଯାନ, ଫ୍ରିଜ୍‌, ଟେଲିଭିଜନ, ମୋବାଇଲ ଫୋନ୍‌ ଆଦି ସାଧାରଣ ବ୍ୟବହାର୍ଯ୍ୟ ପଦାର୍ଥ ହୋଇଗଲାଣି। ଏ ସବୁ ପାଇବାର ଦୁଇଟି ସହଜ ଦିଗ- ଦୁର୍ନୀତି ଓ ଯୌତୁକ। ଦୁର୍ନୀତି ପରି ଯୌତୁକ ମଧୢ ଏକ ସାମାଜିକ ବ୍ୟାଧି ଓ ବର୍ତ୍ତମାନ ଜଣେ ସାଧୁ ସରକାରୀ କର୍ମଚାରୀ ତା’ର ସାରା ଜୀବନର ଆୟରେ ଗୋଟିଏ ଝିଅର ବିଭାଘର କରିପାରିବ ନାହିଁ।

ନିର୍ବାଚନ ବର୍ତ୍ତମାନ ଅତ୍ୟନ୍ତ ବ୍ୟୟ ସାପେକ୍ଷ। ତେଣୁ ମୁଖ୍ୟତଃ ଧନବାନ ବ୍ୟକ୍ତିମାନେ ହିଁ ନିର୍ବାଚିତ ହୋଇପାରୁଛନ୍ତି। ଦେଶର ବିଧାନସଭା ଓ ପାର୍ଲାମେଣ୍ଟ କୋଟିପତି ଓ ଲକ୍ଷପତିରେ ଭରପୁର। ଆମ ଗଣତନ୍ତ୍ର ଧନୀକ ତନ୍ତ୍ରରେ ପରିଣତ ହୋଇଗଲାଣି। ଏହି ଧନୀକ ବ୍ୟକ୍ତିମାନେ ନିଜର ଧନ ବୃଦ୍ଧି ଓ ଆସନ୍ତା ନିର୍ବାଚନ ନିମନ୍ତେ ପାଣ୍ଠି ସ˚ଗ୍ରହ ସକାଶେ ସରକାରୀ କଳକୁ ବ୍ୟବହାର କରିବା ହେତୁ, ସରକାରଟା ଏକ ବ୍ୟବସାୟ ପ୍ରତିଷ୍ଠାନରେ ପରିଣତ ହେଲାଣି। ଫଳତଃ ଦେଶରେ କଳାଧନର ପ୍ରସାର ଘଟି ଏକ ସମାନ୍ତରାଳ ଆର୍ଥିକ ବ୍ୟବସ୍ଥାର ଉଦ୍ଭବ ହୋଇଛି। ବ୍ୟାପକ ଅନାଚାର ଓ ଦୁର୍ନୀତି ବ୍ୟତୀତ ଏ କଳାଧନର ସାମ୍ରାଜ୍ୟ ତିଷ୍ଠିବା ସମ୍ଭବ ନୁହେଁ, ତେଣୁ ଦୁର୍ନୀତିରେ ଦେଶର ଧନୀକ ଶାସକ ଗୋଷ୍ଠୀର ସ୍ବାର୍ଥ ନିହିତ।

ଦୁର୍ନୀତିର ସ˚ପୂର୍ଣ୍ଣ ନିରାକରଣ ସମ୍ଭବ ନ ହେଲେ ମଧୢ ସହନଯୋଗ୍ୟ ସ୍ତରକୁ ହ୍ରାସ କରାଯାଇପାରନ୍ତା। ରାଜନୈତିକ ଦଳମାନଙ୍କର ଆଇନ ସମ୍ମତ ପନ୍ଥାରେ ପାଣ୍ଠି ସ˚ଗ୍ରହର ବ୍ୟବସ୍ଥା ଆବଶ୍ୟକ। ଦ୍ବିତୀୟରେ ଦୁର୍ନୀତି ବିରୋଧରେ ସାମାଜିକ ଚେତନା ସୃଷ୍ଟି ହେବା ଆବଶ୍ୟକ। କେବଳ ଲାଞ୍ଚ ନେବାଟା ଦୁର୍ନୀତି ନୁହେଁ। ଏହାର ପରିସର ବ୍ୟାପକ। ଆୟକର, ଅନ୍ୟାନ୍ୟ କର ଠକିବା, ଠିକା ଦେବାରେ ଗଫଲତ୍ କରିବା, ହିତାଧିକାରୀଙ୍କ ସାହାଯ୍ୟରୁ କାଟ ନେବା, ପରୀକ୍ଷାରେ ନମ୍ବର ବୃଦ୍ଧି କରିବା ଆଦି ସମସ୍ତ ପ୍ରକାର ଦୁଷ୍କର୍ମ ବିରୋଧରେ ଜନମତ ସୃଷ୍ଟି ହେବା ଆବଶ୍ୟକ। ଆଇନ କାନୁନ ସବୁ ସରଳ, ବୋଧଗମ୍ୟ ହେବା ଉଚିତ ଯାହା ଫଳରେ କର୍ମଚାରୀମାନେ ସରଳ ଲୋକଙ୍କୁ ଠକି ପାରିବେ ନାହିଁ। ବର୍ତ୍ତମାନ ଦେଶରେ ଭୋଗ୍ୟବାଦ ବ୍ୟତୀତ ଅନ୍ୟ କୌଣସି ଆଦର୍ଶବାଦ ନାହିଁ। ଜନସାଧାରଣ ଉଚିତ ଦିଗ୍‌ଦର୍ଶନ ଓ ନୈତିକ ଶିକ୍ଷା ପାଇ ପାରୁନାହାନ୍ତି। ଦୁର୍ନୀତି ନିବାରଣ ନିମନ୍ତେ ଇଚ୍ଛାଶକ୍ତି ରହିବା ଆବଶ୍ୟକ। ଦୁର୍ନୀତିରେ ଧନଶାଳୀ ଓ କ୍ଷମତାଶାଳୀମାନେ ଲାଭବାନ ହେଉଥିବା ଯୋଗୁ, ଏହାର ଦୂରୀକରଣ ନିମନ୍ତେ କୌଣସି ଫଳପ୍ରଦ ପ୍ରଚେଷ୍ଟା ନାହିଁ। ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି, ଦୁର୍ନୀତି ବିରୋଧରେ ଭାଷଣ ଦେବା, ଏ ଦେଶରେ ଏକ ସାଧାରଣ କଥା।

ଦୁର୍ନୀତିର ବ୍ୟାପ୍ତି ଓ ପରିସର ସମ୍ବନ୍ଧରେ ଏବେ ମଧୢ କୌଣସି ସାମାଜିକ ଗବେଷଣା ହୋଇନାହିଁ। ଗବେଷଣା ହେଲେ, ଏହାର ବିଭିନ୍ନ ଦିଗ, ବ୍ୟାପ୍ତି, ଚେର ଇତ୍ୟାଦି ଜଣାପଡ଼ିବ ଓ ନିରାକରଣ ପ୍ରକ୍ରିୟା ଉଚିତ ଦିଗରେ ଅଗ୍ରସର କରିପାରିବ। ଆମ ଦେଶର ଫୌଜଦାରୀ ନ୍ୟାୟିକ ବ୍ୟବସ୍ଥା ଏପରି ଯେ ଦୋଷୀ ସହଜରେ ଦଣ୍ତ ପାଏନି ଓ ବର୍ଷ ବର୍ଷ ଧରି ମାମଲା ବିଚାରାଧୀନ ରହେ। ବିଚାର ବିଭାଗର ନିମ୍ନ ସ୍ତର ମଧୢ ଏ ବ୍ୟାଧିରେ ଆକ୍ରାନ୍ତ। ଇଟାଲିରେ ବିଚାର ବିଭାଗ ଏକ ସକ୍ରିୟ ଭୂମିକା ପାଳନ କରି ଦୁର୍ନୀତି ହ୍ରାସ କରିପାରିଥିଲେ। ଫୌଜଦାରୀ ନ୍ୟାୟିକ ବ୍ୟବସ୍ଥା ଏପରି ହେବା ଉଚିତ, ଯାହା ଫଳରେ ଦୋଷୀ ଚଞ୍ଚଳ ଦୃଷ୍ଟାନ୍ତମୂଳକ ଦଣ୍ତ ପାଇବ ଓ ଅସତ୍‌ ଉପାୟରେ ଅର୍ଜିତ ଧନ ସରକାରୀ ତହବିଲକୁ ଯିବ। ଏତଦ୍‌ ବ୍ୟତୀତ ଶିକ୍ଷାର ପ୍ରସାର, କର୍ମ ଯୋଗାଣରେ ଉନ୍ନତି ଓ ଖାଉଟି ଦ୍ରବ୍ୟ ଯୋଗାଣ ପର୍ଯ୍ୟାପ୍ତ ହେଲେ, ଦୁର୍ନୀତି କିଛି ମାତ୍ରାରେ ହ୍ରାସ ପାଇବ।

ମୋ-୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର