କବିତାଟି ପଢ଼ିଥିବେ, “ଜିନ୍ଦେଗୀ ସେ ୟୁଁ ତୋ ସମଝୋତା କିୟା ସବ୍‌ନେ, ମଗର ଜିସ୍‌ନେ ଜିନେକି କସମ୍ ଖାୟି ୱହି ଜିନ୍ଦା ରହା”। ଲେଖିଛନ୍ତି ବିଶିଷ୍ଟ କବି ତସନୀମ୍ ଫାରୁକୀ। ଜୀବନ ସାଙ୍ଗରେ ସମସ୍ତେ ତ ରାଜିନାମା କରନ୍ତି, କିନ୍ତୁ ବଞ୍ଚିବାର ଶପଥ ନେଇଥିବା ଲୋକ ହିଁ ବଞ୍ଚି ରହେ। ସଂପ୍ରତି କରୋନା ଜନିତ ମହାମାରୀ ସମୟରେ ଏଇ କଥାଟିର ଯଥାର୍ଥତା ଅନେକ। ଏ ମହାମାରୀ ସଂପର୍କର ସବୁ ହିସାବ ଓଲଟପାଲଟ କରିସାରିଲାଣି। ଯେଉଁ ପୁଅର ତଣ୍ଟିରେ ପାଣି ଟିକିଏ ଲାଗିଗଲେ ମା’ ବ୍ୟସ୍ତ ହୋଇ ମୁଣ୍ଡ ଥାପୁଡ଼େଇ ଦେଉଥିଲା, ଏବେ ସେଇ ପୁଅ ଏକାନ୍ତବାସରେ ରହି କାଶିକାଶି ଛଟପଟ ହେଉଥିଲେ ବି ମା’ ଟିକିଏ ପାଖକୁ ଆସିବାକୁ ସାହସ କରୁନି। ଯେଉଁ ବାପା କାଖେଇ କୋଳେଇ ମଣିଷ କରିଥିଲା, ସେଇ ବାପାକୁ ମୁଖାଗ୍ନି ଦେବାକୁ ପୁଅ ଅମଙ୍ଗ ହେଉଛି। ଶବ ସତ୍କାର ପରେ ଚିତାଭସ୍ମ ଆଣିବାକୁ ଯାଉନାହିଁ। ଏପରି ଏକ ବିପଦ ସମୟରେ ଆମେ ଜୀବନ ଅପେକ୍ଷା ମୃତ୍ୟୁର କଥା ଅଧିକ ଚିନ୍ତା କରୁଛେ। ଜୀବନକୁ ହଁ ଭରିବା ବଦଳରେ ମୃତ୍ୟୁକୁ ଆମ ଅଲକ୍ଷରେ ହଁ ଭରି ଚାଲିଛେ। ଦାର୍ଶନିକ ସ୍ପିନୋଜା କହିଥିଲେ, “ମନୁଷ୍ୟ ସର୍ବଦା ମୃତ୍ୟୁ ସଂପର୍କରେ କମ୍ ଚିନ୍ତା କରିବା ଉଚିତ, କାରଣ ତା’ର ପ୍ରଜ୍ଞାବୋଧ ମୃତ୍ୟୁ ଅପେକ୍ଷା ଜୀବନ ଉପରେ ଅଧିକ ପର୍ଯ୍ୟବସିତ”। ସାଂପ୍ରତିକ ଘଟଣାରୁ ଦୁଇଟି ଉଦାହରଣ ନେଇ କଥାଟିକୁ ଅଧିକ ସ୍ପଷ୍ଟ କରିବା।

Advertisment

ଆଦର ପୁନାୱାଲା। ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ। କୋଭିସିଲ୍‌ଡ ଟିକାର ନିର୍ମାତା। ଦେଶ ଯେତେବେଳେ ତାଙ୍କ ଠାରୁ ଅନେକ କିଛି ଆଶାକରି ବସିଛି, ଠିକ୍ ସେତିକିବେଳେ ସେ ମୃତ୍ୟୁ ଭୟରେ ସପରିବାର ଦେଶ ତ୍ୟାଗ କରି ଲଣ୍ଡନ ଚାଲିଗଲେ। ମୃତ୍ୟୁ ଭୟ ତାଙ୍କୁ ଅଧିକ ବିବ୍ରତ କଲା। ଆଉଜଣେ ହେଲେ କେରଳ ମେଡିକାଲ କଲେଜ ଆଇ.ସି.ୟୁ.ର ନର୍ସ ରେଶମା ମୋହନଦାସ। କୋଭିଡ୍ ଆଇ.ସି.ୟୁ.ରେ ରୋଗୀ ସେବା କରି ସେ ଅନେକ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ। ବିଶେଷତଃ ତେୟାନବେ ବର୍ଷୀୟ ଥୋମାସ ଆବ୍ରାହମ ଓ ଅଠାଅଶୀ ବର୍ଷୀୟା ମରିୟାମ୍ମା ଯେଉଁଦିନ କୋଭିଡ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ, ରେଶମାଙ୍କର ଖୁସି କହିଲେ ନ ସରେ। କିନ୍ତୁ ସେତେବେଳକୁ ସେ ନିଜେ କୋଭିଡ୍‌ରେ ଆକ୍ରାନ୍ତ ହୋଇସାରିଥିଲେ। ଆଇ.ସି.ୟୁ.ର ସେଇ ଏକା ବେଡ୍‌ରେ ତାଙ୍କୁ ରହିବାକୁ ପଡ଼ିଲା। କାନ୍ଥରେ ଝୁଲୁଥିବା ନିଦାନ ପଞ୍ଜିକାରେ ଭୂତାଣୁ ଉଦ୍ଦେଶ୍ୟରେ ଲେଖିଦେଲେ, “ତତେ ହରାଇବା ପରେ ଯାଇ ମୁଁ ଏ କୋଠରି ତ୍ୟାଗ କରିବି”। ସୁସ୍ଥ ହୋଇ ଏବେ ସେ, ଶେଷ କୋଭିଡ୍‌ ରୋଗୀ ଥିବା ପର୍ଯ୍ୟନ୍ତ ୱାର୍ଡ ତ୍ୟାଗ ନ କରିବାର ପ୍ରତିଜ୍ଞାରେ ଅଟଳ ଅଛନ୍ତି। ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ। ରେଶମା ମୃତ୍ୟୁକୁ ଡରିଲେନି। ଜୀବନ ସହିତ ସନ୍ଧି କରିନେଲେ। ମୃତ୍ୟୁ ବଦଳରେ ଜୀବନକୁ ହିଁ ହଁ ଭରିଲେ।

ମୃତ୍ୟୁକୁ ଆମେ ଡରିବା କାହିଁକି? ଦାର୍ଶନିକ ଏପିକ୍ୟୁରସ୍‌ଙ୍କ କହିବା ପରି, “ମୃତ୍ୟୁ ଆମ ପାଇଁ କିଛି ନୁହେଁ। ଆମେ ବଞ୍ଚିଥିବା ବେଳେ ମୃତ୍ୟୁ ନ ଥାଏ ଓ ସେ ଆସିଲା ବେଳେ ଆମେ ନ ଥାଉ”। ମୃତ୍ୟୁ ଜୀବନର ବିପରୀତ ନୁହେଁ, ବରଂ ଜୀବନର ଏକ ଅଂଶ। ପ୍ରତ୍ୟେକ ଦିନ ନିଦ ଭାଙ୍ଗିବା ବେଳେ ଆମେ ପୂର୍ବଦିନର ବ୍ୟକ୍ତି ହୋଇ ରହିନଥାଉ। ଶରୀର, ମନ ଓ ବୟସର ପରିବର୍ତ୍ତନ ହୋଇସାରିଥାଏ। ଆମ ଭିତରର ଗତକାଲିର ମଣିଷଟି ମରି ସାରିଥାଏ। ଏପରି ଯଦି ଆମେ ପ୍ରତିଦିନ ମୃତ୍ୟୁ ଲଭୁଛେ, ତା’ହେଲେ ମୃତ୍ୟୁକୁ ଡରି ଜୀବନକୁ ମୁହଁ ମୋଡ଼ିବା କାହିଁକି?

ଗପଟିଏ ଅଛି: ଜର୍ମାନ ଲେଖକ ଉଲଫ୍ ଏର୍ଲବ୍ରଚ୍‌ଙ୍କ ଲିଖିତ ଏ ଗଳ୍ପଟିର ନାଆଁ ‘ଡକ୍, ଡେଥ୍ ଏଣ୍ଡ ଟ୍ୟୁଲପ୍’। ନଈ ପାଣିରେ ରହୁଥିବା ବତକଟି ଦେଖିଲା, ତାକୁ ସର୍ବଦା ଏକ କଦାକାର ପ୍ରାଣୀ ହାତରେ କଳା ଟ୍ୟୁଲପ୍ ଫୁଲଟିଏ ଧରି ପିଛା କରୁଛି। ବତକ ତାକୁ ମୃତ୍ୟୁ ବୋଲି ଜାଣିପାରି ଖୁବ୍ ଡରିଗଲା। ପଚାରିଲା, ତମେ ମତେ ପିଛା କରୁଛ କାହିଁକି? ମତେ କ’ଣ ନେଇଯିବାକୁ ଆସିଛ କି? ମୃତ୍ୟୁ ଉତ୍ତର ଦେଲା, ‘ମୁଁ ତୁମ ସହିତ ମୂଳରୁ ହିଁ ଅଛି। ଜୀବନ ତୁମର ଥିବା ପର୍ଯ୍ୟନ୍ତ ରହିବି। ତୁମକୁ ନେଇଯିବାଟା ମୋ କାମ ନୁହେଁ। ତୁମ ଜୀବନ ସେ କଥା ବୁଝିବ’। ଦୁହିଁଙ୍କ ମଧ୍ୟରେ ଧୀରେ ଧୀରେ ବନ୍ଧୁତା ନିବିଡ଼ ହେଲା। ଦୁହେଁ ଏକାଠି ରହିଲେ, ଏକାଠି ବୁଲିଲେ, ଗପ କଲେ। ଦିନେ ବତକ ପଚାରିଲା, “ମୋ ପରେ ମୋର ଏ ନଈଟିର ଅବସ୍ଥା କ’ଣ ହେବ”? ମୃତ୍ୟୁ ବୁଝାଇଦେଲା, “ତୁମ ପରେ ଅନ୍ତତଃ ତୁମ ପାଇଁ ଏ ନଈ ଆଉ ନ ଥିବ। ଏ ନଈଟି ହିଁ ତ ତୁମର ଜୀବନ”! ଥରେ ଦୁହେଁ ଏକାଠି ନଈରେ ଖେଳିଲା ବେଳେ ମୃତ୍ୟୁ ପାଣିରେ ବୁଡ଼ିଗଲା। ଜୀବନର ନଈରେ ମୃତ୍ୟୁ ବା କେମିତି ପହଁରି ପାରନ୍ତା! ବତକ ତାକୁ ପାଣିରୁ ଉଦ୍ଧାର କରି ତା’ର ସେବା କଲା, ପର ଘୋଡ଼େଇ ଦେଇ ଦେହ ଉଷୁମ କଲା। ମୃତ୍ୟୁ ସୁସ୍ଥ ହୋଇଗଲା। ଶେଷରେ ଆସିଲା ବତକର ସେଇ ଆଶଙ୍କିତ ଦିନଟି। ଅଧିକ ତୁଷାରପାତ ଯୋଗୁଁ ବତକ ଅସୁସ୍ଥ ହୋଇ ମରିଗଲା। ପାଖରେ ଥିବା ମୃତ୍ୟୁ ତାକୁ ତଳୁ ଉଠାଇଲା, ତା’ ପର ଗୁଡ଼ିକ ସଜାଡ଼ି ଦେଇ ସ୍ନେହରେ ଆଉଁଷି ଦେଲା ଓ ମରଶରୀରକୁ ନଈପାଣିରେ ଭସାଇ ଟ୍ୟୁଲପ୍ ଫୁଲଟି ତା’ଉପରେ ରଖିଦେଲା। ଭାସିଯାଉଥିବା ବତକର ଶରୀରଟି ଅଦୃଶ୍ୟ ହେବା ପର୍ଯ୍ୟନ୍ତ ମୃତ୍ୟୁ ତାକୁ ଅନାଇରହି ଆଖିରୁ ଲୁହ ପୋଛି ସ୍ବଗତୋକ୍ତି କଲା, “କିନ୍ତୁ ଏହା ହିଁ ତ ଜୀବନ”! କାହାଣୀଟିର ସାରାଂଶ ହେଉଛି, ଆମର ମୃତ୍ୟୁ ହୁଏ ନାହିଁ, ପରନ୍ତୁ ଜୀବନ ଆମର ଶେଷ ହୋଇଯାଏ। ମୃତ୍ୟୁର କାମ କେବଳ ଆମକୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା। ଜୀବନ କେମିତି ଶେଷ ହେବ ତାହା ଜୀବନ ହିଁ ଜାଣେ। ଅନ୍ତତଃ ଯଦି କ୍ଷଣିକ ପାଇଁ ଆମେ ମୃତ୍ୟୁର ପରିଚୟ ଭୁଲିଯିବା, ମୃତ୍ୟୁ ହିଁ ଆମର ଶ୍ରେଷ୍ଠ ବନ୍ଧୁ ପାଲଟିଯିବ। ଜୀବନର ଗତି ବିସ୍ତୃତ, ମୃତ୍ୟୁ ଏକ ବିନ୍ଦୁ ମାତ୍ର।

ଜୀବନଯାତ୍ରାର ଶେଷ ପରିଣତି ମୃତ୍ୟୁ। ଖାଲି ଜୀବନଯାତ୍ରା ନୁହେଁ, କୌଣସି ବି ଯାତ୍ରାର ଯଦି ଶେଷ ନ ରହିବ, ସେ ଯାତ୍ରାର ମୂଲ୍ୟ ନାହିଁ। ଯାତ୍ରା ଶେଷ ହୋଇଯିବାଟା କିଛି ବିଶେଷତ୍ୱ ରଖେନାହିଁ ବରଂ ଯାତ୍ରାର ଶେଷରେ ଖୋଦ ଯାତ୍ରାଟି ହିଁ ବିଶେଷତ୍ୱ ପାଲଟିଯାଏ। ଆମେ ତେଣୁ ମୃତ୍ୟୁକୁ ନୁହେଁ, ଜୀବନକୁ ହିଁ ‘ହଁ’ ଭରିବାକୁ ପଡ଼ିବ। ପୂର୍ବ କଥିତ ଦୁଇ ଉଦାହରଣ ଦେଖନ୍ତୁ, ଏଡ଼େ ବିଶିଷ୍ଟ ବ୍ୟକ୍ତି ପୁନାୱ।ଲା ହାରିଗଲେ, କିନ୍ତୁ ନର୍ସ ରେଶମା ଜୀବନ ସହିତ ସନ୍ଧି କରି ଜିତିଗଲେ। ଯିଏ ଗରିମାର ସହିତ ବଞ୍ଚି ଜାଣେ, ସେ ମଧ୍ୟ ଗରିମାର ସହିତ ମୃତ୍ୟୁ ଲଭେ। ବଞ୍ଚିବାର ଶପଥ ନେଇଥିବା ଲୋକ ହିଁ ଅବଶେଷରେ ବଞ୍ଚିବାର ଯୋଗ୍ୟ ରହେ, ଆଉ ସେଇଥି ପାଇଁ ଜୀବନକୁ କେବଳ ‘ହଁ’ ଟିଏ କହିବା ଲୋଡ଼ା ପଡ଼େ।

ମୋ: ୯୩୩୭୬୪୮୬୩୮