ସାଧାରଣତଃ ଆମକୁ ନିଜର ଦୋଷ ଦୁର୍ବଳତା ଦିଶି ନଥାଏ, ଅଥଚ ଅନ୍ୟମାନଙ୍କର ଛୋଟ ଛୋଟ ଭୁଲ୍‌ ପରିଷ୍କାର ଦିଶିଯାଇଥାଏ। କୌଣସିମତେ ନିଜ ଦୋଷକୁ ଲୁଚାଇଦେବା ଓ ଅନ୍ୟର ଦୋଷକୁ ବଡ଼ କରି ଦେଖାଇ ଦେବାର ମାନସିକତା ବଢ଼ିବାରେ ଲାଗିଛି। ଏବଂ ବିଡ଼ମ୍ବନାର ବିଷୟ, ଆମର ଦୋଷ ବିଷୟରେ କେହି ସଚେତନ କଲେ, ଆମେ ତାକୁ ଏଡ଼ାଇ ଦେଇଥାଉ; ଅହମିକାର ବଶବର୍ତ୍ତୀ ହୋଇ ସାମାନ୍ୟତମ ଆତ୍ମସମୀକ୍ଷା କରିବା ଉଚିତ ବୋଲି ବି ଭାବି ନଥାଉ। କିନ୍ତୁ ଅନ୍ୟମାନଙ୍କ ଦୋଷ ଦେଖାଇ ସେମାନଙ୍କୁ ଅପ୍ରସ୍ତୁତ କରିବାରେ ହେଳା କରି ନଥାଉ। ଏହା ଦ୍ବାରା ସେମାନଙ୍କର ସମ୍ମାନ ହାନି ହେଉଛି ଓ ଆମର ସମ୍ମାନ ବୃଦ୍ଧି ଘଟୁଛି ବୋଲି ଭାବିନେଉ। ଯଦିଓ ଏହା ସ୍ପୃହଣୀୟ ନୁହେଁ, ଆମେ କେବେ ଏ ବିଷୟରେ ମୁଣ୍ଡ ଖେଳାଇ ନ ଥାଉ।

Advertisment

ଆତ୍ମସମ୍ମାନ (ସେଲ୍‌ଫ-ଏଷ୍ଟିମ୍‌ ବା ଆତ୍ମମର୍ଯ୍ୟାଦାବୋଧ)ର ସ˚ଜ୍ଞା ବ୍ୟାପକ। ସ୍ଥୂଳତଃ ଏହା ହେଉଛି ବ୍ୟକ୍ତିର ଅନ୍ତର୍ନିହିତ ଗୁଣ ତଥା ନିଜସ୍ବ ମୂଲ୍ୟର ଏକ ସାମଗ୍ରିକ ସ୍ବ-ମୂଲ୍ୟାୟନ। ଏହାକୁ ବ୍ୟକ୍ତିର ନିଜ ପ୍ରତି ଥିବା ଧାରଣା ବୋଲି ମଧ୍ୟ କହିହେବ। ‘ମୁଁ ଜଣେ ଭଲ ମଣିଷ’, ‘ମୋତେ ଅନ୍ୟମାନେ ଭଲପାଆନ୍ତି’ କିମ୍ବା ‘ମୁଁ ଭଲ ଲୋକ ନୁହେଁ’, ‘ମୋତେ କେହି ଭଲପାଆନ୍ତି ନାହିଁ’ ପରି କେତେକ ସ୍ବକୀୟ ଭାବନା ଉପରେ ଏହା ପର୍ଯ୍ୟବସିତ। ଏହା ବ୍ୟକ୍ତିତ୍ବର ଏକ ବୈଶିଷ୍ଟ୍ୟ, ଯାହା ଦ୍ବାରା ଜଣେ ଜୀବନରେ କେଉଁ ନିଷ୍ପତ୍ତିମାନ ନେବ ଓ କି କି ବିକଳ୍ପ ବାଛିବ, ତାହା ପ୍ରଭାବିତ ହୋଇଥାଏ। ମନସ୍ତତ୍ତ୍ବବିତ୍‌ ଆବ୍ରାହମ୍‌ ମାସ୍‌ଲୋଙ୍କ ମତରେ ସ୍ବୀକୃତି ତଥା ପ୍ରଶ˚ସା ରୂପରେ ଅନ୍ୟମାନଙ୍କଠାରୁ ସମ୍ମାନ ଆଶା କରିବା ଏବ˚ କୁଶଳୀ ତଥା ନିପୁଣ ହୋଇ ଆତ୍ମବିଶ୍ବାସ ରକ୍ଷା ପୂର୍ବକ ନିଜକୁ ଭଲପାଇବା ହେଉଛି ଆତ୍ମସମ୍ମାନର ଦୁଇଟି ରୂପ। ସାଧାରଣତଃ ଆତ୍ମସମ୍ମାନ ତିନି ପ୍ରକାରର- ସ୍ଫୀତ (ଅତ୍ୟୁଚ୍ଚ), ଉଚ୍ଚ ଓ ନିମ୍ନ। ସ୍ଫୀତ ଆତ୍ମସମ୍ମାନ ଆଦୌ ଶୁଭଙ୍କର ନୁହେଁ। ଏହା ବ୍ୟକ୍ତିକୁ ଅହଙ୍କାରୀ କରିଦିଏ; ତା’ ମନରେ ଆତ୍ମଶ୍ଳାଘା ସୃଷ୍ଟି କରିଥାଏ। ଉଚ୍ଚ ଆତ୍ମସମ୍ମାନ ବାଞ୍ଛନୀୟ; ଏହା ସକାରାତ୍ମକ ଭାବନା ସୃଷ୍ଟି କରିଥାଏ। ଆଶାବାଦୀ ହୋଇ ନିଜ ଉପରେ ନିୟନ୍ତ୍ରଣ ରଖି ଆତ୍ମବିଶ୍ବାସ ବଢ଼ାଇବାରେ ଏହା ବ୍ୟକ୍ତିକୁ ସାହାଯ୍ୟ କରିଥାଏ। ନିମ୍ନ ଆତ୍ମସମ୍ମାନ ନକାରାତ୍ମକ ଭାବନା ବା ହୀନମନ୍ୟତା ଓ ନୈରାଶ୍ୟ ପାଇଁ ଦାୟୀ। ଏହା ସଫଳତାର ପରିପନ୍ଥୀ; ଏହା ଦ୍ବାରା ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁଯାୟୀ ସଫଳ ହୋଇ ପାରି ନଥାଏ।

ବଂଶ ଗୁଣ, ବ୍ୟକ୍ତିତ୍ବ, ଅନୁଭୂତି, ଚିନ୍ତାଧାରା, ବୟସ, ସ୍ବାସ୍ଥ୍ୟ, ଅନ୍ୟଙ୍କ ସହ ତୁଳନା ଓ ସେମାନଙ୍କର ପ୍ରତିକ୍ରିୟା ଦ୍ବାରା ଜଣଙ୍କର ଆତ୍ମସମ୍ମାନ ନିୟନ୍ତ୍ରିତ ହୋଇଥାଏ। ଗବେଷଣାରୁ ମଧୢ ସ୍ପଷ୍ଟ ଯେ ଏହା ଉପରେ ଉଭୟ ଜିନ୍‌ ଓ ପରିବେଶର ପ୍ରଭାବ ରହିଛି। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ମନସ୍ତତ୍ତ୍ବବିତ୍‌ ସେଲି ଟେଲର‌୍‌ ଓ ସହଯୋଗୀମାନଙ୍କ ଦ୍ବାରା ଲିଖିତ ତଥା ‘ପ୍ରୋସିଡିଙ୍ଗ୍‌ ଅଫ୍‌ ନେସନାଲ ଏକାଡେମି ଅଫ୍‌ ସାଇଁସେସ୍‌’ରେ (୨୦୧୧) ପ୍ରକାଶିତ ନିବନ୍ଧରୁ ଜଣାଯାଏ ଯେ ଆଶାବାଦୀ ହୋଇ ନିଜ ଜୀବନ ଉପରେ ନିୟନ୍ତ୍ରଣ ରଖିବା ସାମର୍ଥ୍ୟ ଏବ˚ ଆତ୍ମସମ୍ମାନବୋଧ ସହ ଜିନ୍‌ ସ˚ଶ୍ଳିଷ୍ଟ। ସେମାନେ ଏଥିପାଇଁ ‘ଅକ୍‌ସିଟୋସିନ୍‌ ରିସେପ୍‌ଟର‌୍‌ ଜିନ୍‌’ (OXTR)କୁ ଚିହ୍ନଟ କରିଛନ୍ତି। ପରବର୍ତ୍ତୀ ସମୟର କେତେକ ଗବେଷକ ମଧ୍ୟ ଏଥି ସହ ଏକମତ। ତେବେ ଟି.ଏସ୍‌. କନ୍ନର ଓ ସହଯୋଗୀଙ୍କ ୨୦୧୮ର ଗବେଷଣା ଅନୁଯାୟୀ ଏଥିରେ ଜିନ୍‌ ବ୍ୟତୀତ ମଣିଷର ସଂଜାତିଗତ (ଏଥ୍‌ନିକ୍‌) ତଥା ଆଞ୍ଚଳିକ ପ୍ରଭାବ ମଧ୍ୟ ରହିଛି। ଆତ୍ମସମ୍ମାନ ବଢ଼ିବାରେ ଓ କମିବାରେ ବାଲ୍ୟାବସ୍ଥା, ସାମାଜିକ/ପାରିବାରିକ ପର୍ଯ୍ୟାବରଣ, ସାଙ୍ଗସାଥୀଙ୍କ ଚାପ, ଗଣମାଧୢମ ଆଦିର ପ୍ରଭାବ ମଧୢ ରହିଛି। ଶିଶୁର ଆଙ୍ଗିକ ବୃଦ୍ଧି ତଥା ବ୍ୟକ୍ତିତ୍ବର ବିକାଶ ଘଟୁଥିବା ଅବସରରେ ତା’ ଉପରେ ସହଜରେ ଅନ୍ୟମାନଙ୍କ ପ୍ରଭାବ ପଡ଼ିଥାଏ। ଉତ୍ସାହଜନକ ପାରିବାରିକ ପରିସ୍ଥିତିରେ ଆତ୍ମସମ୍ମାନ ବଢ଼ିଥାଏ। ସ୍କୁଲ୍‌/କର୍ମକ୍ଷେତ୍ରର ପରିବେଶ ଏବ˚ ସାଙ୍ଗସାଥୀ/ସହକର୍ମୀଙ୍କ ଚାପ ମଧୢ ଏ ଦିଗ‌େର ଗୁରୁତ୍ବପୂର୍ଣ୍ଣ। କେତେକ ସାଥୀ/ସହକର୍ମୀ ଉଦ୍ଦେଶ୍ୟମୂଳକ ଭାବେ ସ୍ବାର୍ଥସାଧନ ପାଇଁ ବ୍ୟକ୍ତିର ଆତ୍ମସମ୍ମାନ ହ୍ରାସ ସକାଶେ ଉଦ୍ୟମ କରିଥାଆନ୍ତି। ଟିଭି, ସିନେମା, ସମ୍ବାଦପତ୍ର, ସାମାଜିକ ଗଣମାଧୢମ ଆଦିର ପ୍ରଭାବ ମଧ୍ୟ ଆତ୍ମସମ୍ମାନବୋଧକୁ ରୂପ ଦେଇଥାଏ।

ନେତୃତ୍ବ ବିକାଶ ସ˚ସ୍ଥା ‘ଲିଡ୍‌ ଫ୍ରମ୍‌ ଵିଦିନ୍‌’ର ଅଧୢକ୍ଷା ଲଲି ଦାସ୍‌କାଲ୍‌ଙ୍କ ମତରେ ଆତ୍ମସମ୍ମାନକୁ ଉନ୍ନତ କରି ଆତ୍ମବିଶ୍ବାସ ବୃଦ୍ଧି ତଥା ନେତୃତ୍ବ ବିକାଶ ଭଳି ଗୁଣ ହାସଲ କରିବା ପାଇଁ ବହୁ ଉପାୟ ରହିଛି; ଯେମିତିକି ପ୍ରତିଭା ଓ ପସନ୍ଦ ଅନୁଯାୟୀ ଦକ୍ଷତା (ସ୍କିଲ୍‌) ହାସଲ, ସର୍ଜନାତ୍ମକ କାର୍ଯ୍ୟ ଓ ସଫଳତାରୁ ପ୍ରେରଣା ଲାଭ, ଆରାମଦାୟକ ଜୀବନ (କ˚ଫର୍ଟ ଜୋନ୍‌)ରୁ ବାହାରକୁ ଆସି ନୂଆ ଜିନିଷ କରିବା, ଅନ୍ୟମାନଙ୍କୁ ସାହାଯ୍ୟ କରି ସେମାନଙ୍କର ପଥପ୍ରଦର୍ଶକ ହେବା, ସଚ୍ଚୋଟ ହେବା, ଆଜୀବନ ଶିକ୍ଷାର୍ଥୀ ଭାବେ ରହି ନୂଆ ବିଷୟସବୁ ଜାଣିବା, ଭୟଶୂନ୍ୟ ଭାବେ ପରିସ୍ଥିତିର ମୁକାବିଲା କରିବା, ଅନ୍ୟମାନଙ୍କ ଧାରଣା ଦ୍ବାରା ପ୍ରଭାବିତ ନ ହେବା, ନିଜର ସଫଳତାର ମାନ ନିର୍ଦ୍ଧାରଣ କରିବା ଏବ˚ ନିରାଶାବାଦୀଙ୍କ ଠାରୁ ଦୂରେଇ ସକାରାତ୍ମକ ବ୍ୟକ୍ତିଙ୍କ ଗହଣରେ ରହିବା। ଆତ୍ମସମ୍ମାନବୋଧ ଜୀବନର ପ୍ରତିଟି ଦିଗ ଉପରେ ପ୍ରଭାବ ପକାଉଥିବା ଦୃଷ୍ଟିରୁ ଜଣେ ବାସ୍ତବଧର୍ମୀ ହେବା ସହିତ ଉଚ୍ଚ ସମ୍ମାନବୋଧ ବଜାୟ ରଖିବା ଉଚିତ। ଏହାର ଅର୍ଥ ନୁହେଁ ନିଜର ଡିଣ୍ତିମ ପିଟିବା; ବରଂ ସଫଳ ଜୀବନ ପାଇଁ ନିଜକୁ ସମ୍ମାନ ଦେବା ଓ ଭଲ ପାଇବା ହେଉଛି ଏହାର ଲକ୍ଷ୍ୟ। ଲେଖିକା ଜେସିକା ଷ୍ଟିଲ୍‌ମ୍ୟାନ୍‌ଙ୍କ ମତରେ ଆତ୍ମଜୀବନୀ ଲେଖିବାର ଉଦ୍ୟମ ଆତ୍ମସମ୍ମାନ ବଢ଼ାଇଥାଏ।

ଶିଶୁ, କିଶୋର-କିଶୋରୀ, ଯୁବକ-ଯୁବତୀଙ୍କ ସମେତ ସମାଜର ପ୍ରତ୍ୟେକ ସଦସ୍ୟଠାରେ ଆତ୍ମସମ୍ମାନବୋଧର ବିକାଶ ହେବା ଉଚିତ। ଏଥିରେ ପରିବାରର ତ ଭୂମିକା ରହିଛି; ବୁଦ୍ଧିଜୀବୀ ଏବ˚ ରାଜନେତାମାନଙ୍କର ମଧ୍ୟ ଭୂମିକା ଗୁରୁତ୍ବପୂର୍ଣ୍ଣ।

‘ଦ ନ୍ୟୁ ଇଣ୍ଡିଆନ୍ ଏକ୍‌ସପ୍ରେସ୍’ (୦୮.୦୯.୨୦୧୮)ରେ ପ୍ରକାଶିତ ମନୋଜ ଦାସଙ୍କ ଦ୍ବାରା ଲିଖିତ ଅବକ୍ଷୟମୁଖୀ ଆତ୍ମସମ୍ମାନ ସମ୍ପର୍କିତ ଲେଖାର ଏକ ଅଂଶ କହିଥାଏ ଯେ ୧୯୭୩ ମେ’ରେ ବଂଶୀଲାଲ ହରିଆଣାର ମୁଖ୍ୟମନ୍ତ୍ରୀ ଥିବା ବେଳେ ଦେବୀଲାଲ ଥିଲେ ବିରୋଧୀ ଦଳ ନେତା। ଆପତ୍ତିଜନକ ଭାଷଣ ଦେବା ଅଭିଯୋଗରେ ଦେବୀଲାଲଙ୍କୁ ଶୀର୍ଷାଠାରେ ଗିରଫ କରାଯାଇ ଅମ୍ବାଲା ଜେଲରେ ରଖାଗଲା। ପରଦିନ ତାଙ୍କୁ ହାତକଡ଼ି ପକାଇ ସର୍ବସାଧାରଣଙ୍କ ଲାଗି ଉଦ୍ଦିଷ୍ଟ ବସ୍‌ରେ ଭିଡ଼ ଭିତରେ ଜନାକୀର୍ଣ୍ଣ ଜିନ୍ଦ୍ ଓ ହିସାର୍ ସହର ଦେଇ ପୁଣି ଶୀର୍ଷା ନିଆଗଲା; ସେଠାରେ ତାଙ୍କୁ ଚଲାଇ ଚଲାଇ କୋର୍ଟକୁ ନିଆଯାଇଥିଲା। ଉଦ୍ଦେଶ୍ୟ ଥିଲା ବହୁସଂଖ୍ୟକ ‌େଲାକେ ତାଙ୍କୁ ଦିଆଯାଉଥିବା ଅପମାନ ଦେଖନ୍ତୁ। ତିନି ବର୍ଷ ପରେ ଦେବୀଲାଲ ମୁଖ୍ୟମନ୍ତ୍ରୀ ‌େ‌ହଲେ। ଠିକ୍ ସେହିପରି ବଂଶୀଲାଲଙ୍କୁ ହାତକଡ଼ି ପକାଇ ଚଲାଇ ଚଲାଇ କୋର୍ଟକୁ ନିଆଗଲା; ଅଧିକନ୍ତୁ ଏହି ଘଟନାର ଚିତ୍ରୋତ୍ତଳନ ମଧ୍ୟ କରାଗଲା।

ମାର୍ଚ୍ଚ, ୧୯୮୯ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିଲେ କରୁଣାନିଧି (୧୯୨୪-୨୦୧୮); ଅର୍ଥ ବିଭାଗ ଦାୟିତ୍ବ ତାଙ୍କ ହାତରେ ଥିଲା। ଜୟଲଳିତା (୧୯୪୮-୨୦୧୬)ଥିଲେ ବିରୋଧୀ ଦଳର ନେତ୍ରୀ। ସେମାନଙ୍କର ଶତ୍ରୁତା ରାଜନୈତିକ ପ୍ରତିଶୋଧପରାୟଣତାର ସମ୍ଭବତଃ ସବୁଠାରୁ ଅଧିକ ଲଜ୍ଜାଜନକ ଉଦାହରଣ। ବଜେଟ୍ ଉପସ୍ଥାପନ ବେଳେ ଜୟଲଳିତା କରୁଣାନିଧିଙ୍କୁ କୁହାଇ ଦେଲେ ନାହିଁ; ବାରମ୍ବାର ବାଧା ଦେଲେ। ଗୃହରେ ଉତ୍ତେଜନା ସୃଷ୍ଟି ହେଲା; ସରକାରୀ ତଥା ବିରୋଧୀ ଦଳ ଭିତରେ ମାରପିଟ ଆରମ୍ଭ ହେଲା। ଠେଲାପେଲା, ଟଣାଓଟରା ଭିତରେ ଜୟଲଳିତାଙ୍କୁ ଆଘାତ ଲାଗିଲା; ତାଙ୍କ ଶାଢ଼ି ଠାଏ ଚିରି ହୋଇଗଲା। ପରିସ୍ଥିତିରୁ ଭରପୂର ଫାଇଦା ଉଠାଇ ଗୃହ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ସେ ଶପଥ ନେଲେ ଯେ କରୁଣାନିଧି ସରକାର ଥିବା ଯାଏ ବିଧାନସଭାରେ ଆଉ ପାଦ ପକାଇବେ ନାହିଁ। ପରେ ସେ କେନ୍ଦ୍ର ସହ ସଲାସୁତରା କରି ରାଜନୈତିକ ଗୋଟିଚାଳନା କଲେ; ୮ ମାସ ଭିତରେ କରୁଣାନିଧି ସରକାରଙ୍କୁ ବରଖାସ୍ତ କରାଗଲା। ୧୯୯୧ରେ ଜୟଲଳିତା ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ୧୯୯୬ରେ କରୁଣାନିଧି ମୁଖ୍ୟମନ୍ତ୍ରୀ ହେଲେ; ଜୟଲଳିତାଙ୍କ ବାସଭବନ ଉପରେ ଚଢ଼ାଉ କରାଇଲେ। ତିରିଶ କିଲୋଗ୍ରାମ ଓଜନର ସୁନା, ୮୦୦ କିଲୋଗ୍ରାମ ଓଜନର ରୁପା ଓ ହୀରା, ୧୨,୦୦୦ଟି ଶାଢ଼ି, ୭୫୦ ହଳ ଜୋତା, ୧୯ଟି କାର୍, ୩୮ଟି ଶୀତତାପ ନିୟନ୍ତ୍ରକ, ୯୧ଟି ସୌଖୀନ ହାତଘଣ୍ଟା ଜବତ କରାଯାଇଥିଲା। ଏହା ସେତେବେଳେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କରୁଣାନିଧିଙ୍କ ‘ସନ୍’ ଟେଲିଭିଜନ ଏହାର ସିଧାସଳଖ ଧାରା ବିବରଣୀ ପ୍ରସାରଣ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହଯୋଗୀଙ୍କ ସମେତ ତାଙ୍କ ବିରୋଧରେ କେସ୍ କରାଗଲା। (ଏହି ମାମଲା ପ୍ରାୟ ୨୦ ବର୍ଷ ଚାଲିଲା। ୨୦୦୧ରେ ଜୟଲଳିତା ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କର ପ୍ରଥମ କାର୍ଯ୍ୟକଳାପ ଯାହା ହେଲା, ତାହା ଥିଲା ପୂର୍ବ ଭଳି ପ୍ରତି‌େଶାଧପରାୟଣତାର ପୁନରାବୃତ୍ତି। ଏଭଳି ଦୃଷ୍ଟାନ୍ତ ସାରା ପୃଥିବୀର ରାଜନୀତିରେ ଭରପୂର ଅଛି। ଇତିହାସରେ ମଧ୍ୟ ରାଜା ବା ସମ୍ରାଟମାନେ ଟିକିଏ ଟିକିଏ କଥାରେ ପ୍ରତିଶୋଧପରାୟଣ ହୋଇ ହତ୍ୟା କରିବା ବା ରାଜ୍ୟ ଆକ୍ରମଣ କରିବାର ନଜିର ରହିଛି। ଜଣେ ଜଣେ ରାଜନେତା ନିଜ ବ୍ୟକ୍ତିଗତ ସ୍ବାର୍ଥ ବ‌ା ପୂର୍ବାଗ୍ରହ ଲାଗି ପୂରା ରାଷ୍ଟ୍ରକୁ ବିପଦରେ ପକାଇ ଦେବାର ଦୃଷ୍ଟାନ୍ତ ରହିଛି। ଏହାକୁ ସେମାନେ ଆତ୍ମସମ୍ମାନ ବୋଲି ବିଚାର କରିଥାଆନ୍ତି। କିନ୍ତୁ ପ୍ରକୃତରେ ତାହା ଅହଂକାର ଏବଂ ଯାହା ଏକ ପ୍ରକାର ହୀନମନ୍ୟତାର ଉପଜ।

ଗାନ୍ଧୀଜୀଙ୍କ ଭାଷାରେ, ‘‘ଅନ୍ୟର ସଫଳତା ଓ ଭଲ କାମ ପ୍ରତି ନିନ୍ଦା କିମ୍ବା ଅସୂୟା ଭାବ ଦ୍ବାରା ନିଜର ଆତ୍ମସମ୍ମାନ ହ୍ରାସ ପାଏ।’’ ଏହା ମଧ୍ୟ କହିଲେ ଭୁଲ୍‌ ହେବନାହିଁ ଯେ ଏଭଳି କରୁଥିବା ଲୋକେ ଆତ୍ମପ୍ରତ୍ୟୟହୀନତାର ଶିକାର। ଯେଉଁମାନଙ୍କର ଆତ୍ମବିଶ୍ବାସ ଅଧିକ, ସେମାନେ ଅନ୍ୟକୁ ଅଧିକ ପ୍ରଶଂସା କରନ୍ତି ଏବଂ ନିଜ ଦୋଷ ଦୁର୍ବଳତା ପ୍ରତି ସଚେତନ ରହନ୍ତି। ତେଣୁ ଏହା ମଧ୍ୟ ଯଥାର୍ଥରେ କୁହାଯାଇପାରେ ଯେ ଆତ୍ମସମ୍ମାନବୋଧ ସହିତ ଆତ୍ମପ୍ରତ୍ୟୟର ମଧ୍ୟ ଯଥେଷ୍ଟ ସଂପର୍କ ରହିଛି। ଏବଂ ସବୁଠାରୁ ବଡ଼ କଥା ହେଲା ଆତ୍ମସମ୍ମାନବୋଧ ବା ଅହଂକାର ମଧ୍ୟରେ ନିହିତ ପ୍ରଭେଦକୁ ଜାଣିବା ଲାଗି ଯେଉଁ ନିର୍ଲିପ୍ତ ଆତ୍ମମୂଲ୍ୟାୟନର ଆବଶ୍ୟକତା ରହିଛି, ତାକୁ ମଧ୍ୟ ହାସଲ କରାଯିବା ଉଚିତ।

୭୩, କୋଅପରେଟିଭ୍‌ କଲୋନି, ଭୁବନେଶ୍ବର-୨୪
ମୋ- ୮୨୮୦୨୩୯୯୫୭