କୋଭିଡ ଯୁଦ୍ଧରେ ପେଟେଣ୍ଟର ଭୂମିକା
ବଜାର ହାଲଚାଲ - ଓମ୍ ପ୍ରକାଶ ଜଗତି
ଗତ ଜାନୁଆରି ୧୬ ତାରିଖ ଦିନ ଭାରତରେ କୋଭିଡ୍ ଟିକାକରଣର ପ୍ରଥମ ପର୍ଯ୍ୟାୟ ଆରମ୍ଭ ସମୟରେ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ପ୍ରବଳ ଉତ୍ସାହ ଓ ଉନ୍ମାଦନା ଇତି ମଧୢରେ କିଛିଟା ହ୍ରାସ ପାଇଛି। ଆବଶ୍ୟକ ମୁତାବକ ଟିକାର ଅଭାବ ସହିତ ସରକାରୀ ନିଷ୍ପତ୍ତିରେ ସଙ୍ଗତି ଓ ତାଳମେଳର ଅଭାବ ପରିସ୍ଥିତିକୁ ଗମ୍ଭୀର କରିଦେଇଛି। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ ହିଁ ଅପରିହାର୍ଯ୍ୟ ହୋଇଥିବାରୁ, ନାଗରିକମାନେ ଅବିଳମ୍ବେ ଟିକା ନେଇ ଜୀବନକୁ ସୁରକ୍ଷିତ କରିବା ପାଇଁ ଆଗ୍ରହୀ ହେବା ସ୍ବାଭାବିକ। ଦ୍ବିତୀୟ ଲହରର ଭୟାବହତା ଓ ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ସେମାନଙ୍କର ବ୍ୟାକୁଳତା ବଢ଼ାଇ ଦେଇଛି। ଗତ ପାଞ୍ଚ ମାସର ଟିକାକରଣ ତଥା ରପ୍ତାନି ପରିସ˚ଖ୍ୟାନକୁ ବିବେଚନା କଲେ, ଭାରତରେ ମାସିକ ହାରାହାରି ଟିକା ଉତ୍ପାଦନ ଛଅ କୋଟି ହେଉଛି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି ଯେ କୋଭିଡ୍ ଟିକା ଉତ୍ପାଦନ କିଭଳି ବୃଦ୍ଧି କରାଯାଇପାରିବ, ଯଦ୍ଦ୍ବାରା ୧୩୦ କୋଟି ଲୋକସ˚ଖ୍ୟା ବିଶିଷ୍ଟ ଭାରତ ଯଥାଶୀଘ୍ର ସ˚ପୂର୍ଣ୍ଣ ଟିକାକରଣ ହାସଲ କରିପାରିବ?
Sambad is now on WhatsApp
Join and get latest news updates delivered to you via WhatsApp
ସ˚ପ୍ରତି ସୃଷ୍ଟି ହୋଇଥିବା ଏକ ଯୁକ୍ତି ଅନୁସାରେ ଯଦି କୋଭିଡ୍ ଟିକା ଉତ୍ପାଦନ କରୁଥିବା କମ୍ପାନିମାନଙ୍କୁ ମିଳିଥିବା ବୌଦ୍ଧିକ ସ୍ବତ୍ବାଧିକାର (ପେଟେଣ୍ଟ) ପ୍ରତ୍ୟାହାର କରି ନିଆଯାଏ, ତେବେ ଅନେକ କମ୍ପାନି ଟିକା ଉତ୍ପାଦନ କରିବାକୁ ସକ୍ଷମ ହେବେ। ପର୍ଯ୍ୟାପ୍ତ ଉତ୍ପାଦନ ଯୋଗୁଁ ବିକାଶଶୀଳ ଓ ଅଳ୍ପୋନ୍ନତ ଦେଶର ଜନତାଙ୍କୁ ସୁଲଭ ଖର୍ଚ୍ଚରେ ଯଥାଶୀଘ୍ର ଟିକାକରଣ ଉପଲବ୍ଧ କରାଯାଇପାରିବ। କୋଭିଡ୍ ଭ୍ୟାକ୍ସିନ୍କୁ ପେଟେଣ୍ଟ ମୁକ୍ତ କରିବା ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଗତବର୍ଷ ଅକ୍ଟୋବର ମାସରେ ବିଶ୍ବ ବ୍ୟାପାର ସ˚ଗଠନ (ଡବ୍ଲ୍ୟୁଟିଓ)କୁ ଆବେଦନ କରିଥିଲେ। ଇତି ମଧୢରେ ଶହେରୁ ଊର୍ଦ୍ଧ୍ବ ରାଷ୍ଟ୍ର ଏଥିପାଇଁ ସମର୍ଥନ ଜଣାଇ ସାରିଲେଣି। ଅପରପକ୍ଷରେ ଇ˚ଲାଣ୍ତ, ଜର୍ମାନି, ୟୁରୋପୀୟ ୟୁନିୟନ, ଅଷ୍ଟ୍ରେଲିଆ, ଜାପାନ ଭଳି କେତେକ ରାଷ୍ଟ୍ର ଏହାକୁ ବିରୋଧ କରୁଛନ୍ତି। ସେମାନଙ୍କ ମତରେ ପେଟେଣ୍ଟ ବିନା ଉତ୍କର୍ଷତା ଏବ˚ ଅଭିନବକରଣ ସମ୍ଭବ ନୁହେଁ। ତା’ଛଡ଼ା ଯେଉଁ ଫାର୍ମା କମ୍ପାନିମାନେ ପ୍ରଚୁର ଅର୍ଥ ଓ ମାନବ ସମ୍ବଳ ବିନିଯୋଗ କରି ଭ୍ୟାକ୍ସିନ୍ର ଫର୍ମୁଲା ଏବ˚ ନିର୍ମାଣ ପ୍ରକ୍ରିୟା ପ୍ରସ୍ତୁତ କରିପାରିଛନ୍ତି, ସେମାନେ ଏପରି ନିଷ୍ପତ୍ତି ଦ୍ବାରା କ୍ଷତିଗ୍ରସ୍ତ ହେବେ। ଗତ ମେ’ ୩୧ ତାରିଖ ଦିନ ଅନୁଷ୍ଠିତ ଡବ୍ଲ୍ୟୁଟିଓର ପ୍ରାରମ୍ଭିକ ବୈଠକରେ ଏହି ରାଷ୍ଟ୍ରମାନଙ୍କ ଦ୍ବାରା ପେଟେଣ୍ଟ ପ୍ରତ୍ୟାହାର ପ୍ରସ୍ତାବ ବିରୋଧରେ ବିରୋଧାଭାସର ସ୍ପଷ୍ଟ ସୂଚନା ମିଳିଥିଲା। ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ ଡବ୍ଲ୍ୟୁଟିଓର ସମସ୍ତ ୧୬୪ ସଦସ୍ୟ ରାଷ୍ଟ୍ରଙ୍କ ସର୍ବସମ୍ମତ ମଞ୍ଜୁରି ବିନା ପେଟେଣ୍ଟ ମୁକ୍ତ ପ୍ରସ୍ତାବ ଲାଗୁ ହୋଇପାରିବ ନାହିଁ। ଯଦି କୌଣସି ପ୍ରକାରେ ଏହା ସମ୍ଭବ ହୁଏ, ଏଥିପାଇଁ ବେଶ୍ ସମୟ ଲାଗିଯିବ। ତେଣୁ ବର୍ତ୍ତମାନର ସଙ୍କଟଜନକ ପରିସ୍ଥିତିରେ ପେଟେଣ୍ଟ ପ୍ରତ୍ୟାହାର ପ୍ରସ୍ତାବ ସହାୟକ ହେବ ନାହିଁ।
୨୦୦୧ ମସିହାରେ ବିଶ୍ବ ବ୍ୟାପାର ସ˚ଗଠନ ଦ୍ବାରା ଗୃହୀତ ଟ୍ରିପ୍ସ (ଟ୍ରେଡ୍-ରିଲେଟେଡ୍ ଆସ୍ପେକ୍ଟ୍ସ ଅଫ୍ ଇନ୍ଟେଲେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ସ୍) ଚୁକ୍ତିନାମା ଅନୁସାରେ ନବୀନତା, ଅପ୍ରକଟିତ ଉଦ୍ଭାବନ, ଉପଯୋଗିତା ଓ ସକ୍ଷମତା ଭିତ୍ତିରେ ଯଦି କୌଣସି ନୂଆ ସାମଗ୍ରୀର ବିକାଶ ହୋଇଥାଏ, ତେବେ ଏହାର ଉଦ୍ଭାବକ/ମୂଳକର୍ତ୍ତାଙ୍କୁ (ଅରିଜିନେଟର) ପେଟେଣ୍ଟ ଅଧିକାର ମିଳିପାରିବ। ପେଟେଣ୍ଟ ଅଧିକାରୀଙ୍କ ସମ୍ମତି ବିନା ଏହି ସାମଗ୍ରୀ ଅନ୍ୟ କେହି ପ୍ରସ୍ତୁତ କରିପାରିବେ ନାହିଁ। ପେଟେଣ୍ଟର ଅବଧି ପ୍ରାୟ କୋଡ଼ିଏ ବର୍ଷ ହୋଇଥାଏ। ବହୁଦେଶୀୟ ଫାର୍ମା କମ୍ପାନିମାନେ ନୂଆ ଔଷଧ ତଥା ଟିକା ପାଇଁ ପେଟେଣ୍ଟ ଆବେଦନ କରିଥା’ନ୍ତି। ଏହି ଅଧିକାର ପ୍ରାପ୍ତ ହେଲେ, ସେମାନେ ଏକଚାଟିଆ ବେପାର କରିବାକୁ ସୁଯୋଗ ପାଇଥା’ନ୍ତି, ଯାହା ବ୍ୟାବସାୟିକ ସଫଳତାରେ ସାହାଯ୍ୟ କରିଥାଏ। ଯଦି ପେଟେଣ୍ଟ ସ୍ବତ୍ବାଧିକାରୀ ଅନ୍ୟ କୌଣସି କମ୍ପାନିକୁ ସାମଗ୍ରୀଟିକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ବୈଷୟିକ ଜ୍ଞାନ ଯୋଗାଇ ଦେଇଥା’ନ୍ତି, ତେବେ ତାଙ୍କୁ ଲାଇସେନ୍ସ ଫି’ ମିଳିବା ସହିିତ ଅନ୍ୟ କମ୍ପାନିର ବେପାର ରାଶି ଉପରେ ରୟାଲ୍ଟି ମିଳିଥାଏ। ଏହାକୁ ସ୍ବେଚ୍ଛାକୃତ ଲାଇସେନ୍ସିଙ୍ଗ୍ କୁହାଯାଇଥାଏ।
ପାଶ୍ଚାତ୍ୟ ଦେଶଗୁଡ଼ିକର ବୃହତ୍ ଫାର୍ମା କମ୍ପାନିମାନେ ପେଟେଣ୍ଟ ହୋଇଥିବା ଜୀବନ ରକ୍ଷାକାରୀ ଜରୁରୀ ଔଷଧଗୁଡ଼ିକୁ ମହଙ୍ଗା ମୂଲ୍ୟରେ ବିକିବାକୁ ପ୍ରୟାସ କରିଥା’ନ୍ତି ବୋଲିି ଅଭିଯୋଗ ଆସିଥାଏ। ଏହାଦ୍ବାରା ବିକାଶଶୀଳ ଓ ଅଳ୍ପୋନ୍ନତ ଦେଶର ଜନସାଧାରଣ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେବାର ସମ୍ଭାବନା ଥାଏ। ଏଭଳି ଅବାଞ୍ଛିତ ଉଦ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରିପ୍ସ ଚୁକ୍ତିର ଅନୁଚ୍ଛେଦ ୩୧ରେ ବାଧୢତାମୂଳକ ଲାଇସେନ୍ସର ବ୍ୟବସ୍ଥା ଅଛି। ଯଦି ପେଟେଣ୍ଟ ଅନ୍ତର୍ଭୁକ୍ତ ସାମଗ୍ରୀ ପାଇଁ ଯଥୋଚିତ ବ୍ୟାବସାୟିକ ସର୍ତ୍ତ ଅନୁସାରେ ସ୍ବେଚ୍ଛାକୃତ ଲାଇସେନ୍ସ ସମ୍ଭବ ହୋଇପାରେ ନାହିଁ ଏବ˚ ଏହା ଦ୍ବାରା ଜାତୀୟ ସ୍ବାର୍ଥ ବାଧାପ୍ରାପ୍ତ ହେବାର ସମ୍ଭାବନା ଥାଏ, ତେବେ ସ˚ଶ୍ଳିଷ୍ଟ ସଦସ୍ୟ ରାଷ୍ଟ୍ର ବାଧୢତାମୂଳକ ଲାଇସେନ୍ସ ମଞ୍ଜୁର କରିପାରିବେ। ଭାରତୀୟ ପେଟେଣ୍ଟ ଆଇନ ୧୯୭୦ର ଧାରା ୮୪ ଓ ୯୨ ଅନୁସାରେ ଭାରତର ପେଟେଣ୍ଟ କର୍ତ୍ତୃପକ୍ଷ ଆବଶ୍ୟକ ସ୍ଥଳେ ବାଧୢତାମୂଳକ ଲାଇସେନ୍ସ ପାଇଁ ନିଷ୍ପତ୍ତି ନେଇପାରିବେ। ଏହାକୁ ପ୍ରାଞ୍ଜଳତା ସହିତ ବୁଝାଇବା ପାଇଁ ଦଶ ବର୍ଷ ତଳର ଏକ ବାସ୍ତବ ଘଟଣାର ଅବତାରଣା କରାଯାଇପାରେ। ଆମେରିକୀୟ କମ୍ପାନି ବେୟର ଲିଭର ଓ କିଡ୍ନୀ କ୍ୟାନ୍ସରର ଚିକିତ୍ସା ପାଇଁ ନେକ୍ସାଭର ନାମକ ଔଷଧ ପ୍ରସ୍ତୁତ କରିଥିଲା, ଯାହା ପାଇଁ ତାକୁ ଆମେରିକାରେ ପେଟେଣ୍ଟ ଅଧିକାର ମିଳିଥିଲା। ୨୦୦୮ ମସିହାରେ ଭାରତରେ ଏହି ଔଷଧ ପାଇଁ ପେଟେଣ୍ଟ ସ୍ବୀକୃତି ମିଳିଥିଲା। ଭାରତରେ ଏହି ଔଷଧ ଉତ୍ପାଦନ ପାଇଁ ବ୍ୟବସ୍ଥା ନ ଥିବାରୁ, ଏହା ଆମେରିକାରୁ ଆମଦାନି ହେଉଥିଲା ଓ ଏହା ଅତ୍ୟନ୍ତ ମହଙ୍ଗା ଥିଲା।
ଜଣେ ରୋଗୀ ପାଇଁ ଏହି ଔଷଧ ବାବଦରେ ମାସିକ ପ୍ରାୟ ଦୁଇ ଲକ୍ଷ ଅଶୀ ହଜାର ଟଙ୍କା ଆବଶ୍ୟକ ପଡୁଥିଲା। ନେକ୍ସାଭର୍ର କୌଣସି ବିକଳ୍ପ ଔଷଧ ଭାରତରେ ଉପଲବ୍ଧ ନ ଥିଲା। ଭାରତୀୟ କମ୍ପାନି ନାଟ୍କୋ ଫାର୍ମା ବେୟର କମ୍ପାନିକୁ ସ୍ବେଚ୍ଛାକୃତ ଲାଇସେନ୍ସ ଭିତ୍ତିରେ ଏହି ଔଷଧ ଭାରତରେ ଉତ୍ପାଦନ କରିବାକୁ ଅନୁରୋଧ କରିଥିଲା, କିନ୍ତୁ ବେୟର କମ୍ପାନି ସ୍ବେଚ୍ଛାକୃତ ଲାଇସେନ୍ସ ପ୍ରସ୍ତାବ ଗ୍ରହଣ କରି ନଥିଲା। ପରିଶେଷରେ ନାଟ୍କୋ ଫାର୍ମା ଭାରତର ପେଟେଣ୍ଟ କର୍ତ୍ତୃପକ୍ଷଙ୍କୁ ବାଧୢତାମୂଳକ ଲାଇସେନ୍ସ ମଞ୍ଜୁର କରିବା ପାଇଁ ଆବେଦନ କରିଥିଲା। ଯୁକ୍ତି ଥିଲା ଯେ ନାଟ୍କୋ କମ୍ପାନି ନେକ୍ସାଭର ଔଷଧର ମାସିକ ଆବଶ୍ୟକତା ମାତ୍ର ଆଠ ହଜାର ଆଠ ଶହ ଟଙ୍କାରେ ଯୋଗାଇବାକୁ ସମର୍ଥ, ଯାହା ବେୟର କମ୍ପାନିର ବିକ୍ରି ମୂଲ୍ୟର ମାତ୍ର ତିନି ପ୍ରତିଶତ। ପେଟେଣ୍ଟ କର୍ତ୍ତୃପକ୍ଷ ବ୍ୟାପକ ଜନହିତ ପରିପ୍ରେକ୍ଷୀରେ ପରିସ୍ଥିତି ଓ ତଥ୍ୟର ଉପଯୁକ୍ତ ଯାଞ୍ଚ କଲା ପରେ ନାଟ୍କୋ ଫାର୍ମାକୁ ନେକ୍ସାଭର ଔଷଧ ଭାରତରେ ଉତ୍ପାଦନ ଓ ବିିକ୍ରି କରିବାକୁ ଅନୁମତି ଦେଇଥିଲେ। ନାଟ୍କୋ ଏହି ଔଷଧର ବ୍ୟାବସାୟିକ ନାମ ସୋରାଫେନାଟ୍ ରଖିଥିଲା। ବାଧୢତାମୂଳକ ଲାଇସେନ୍ସର ସର୍ତ୍ତ ଥିଲା ଯେ ନାଟ୍କୋ ଫାର୍ମା ସୋରାଫେନାଟ୍ ବିକ୍ରି ବାବଦରେ ବେୟର କମ୍ପାନିକୁ ଶତକଡ଼ା ୬ ହାରରେ ରୟାଲ୍ଟି ଦେବ ଏବ˚ ବାର୍ଷିକ ଅନ୍ୟୂନ ୬୦୦ ଅଭାବୀ ରୋଗୀଙ୍କୁ ଏହି ଔଷଧ ମାଗଣାରେ ଯୋଗାଇବ। ପରବର୍ତ୍ତୀ ସମୟରେ ବମ୍ବେ ହାଇକୋର୍ଟ ଓ ସୁପ୍ରିମ କୋର୍ଟ ପେଟେଣ୍ଟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ।
ଗତବର୍ଷ ଅକ୍ଟୋବର୍ରେ କୋଭିସିଲ୍ଡ ଓ କୋଭାକ୍ସିନ୍ର ସଫଳତା ସମ୍ପର୍କରେ ଠିକ୍ ଆକଳନ ସମ୍ଭବ ନ ଥିଲା, କିନ୍ତୁ ବର୍ତ୍ତମାନ ଏହି ଦୁଇଟି ଭ୍ୟାକ୍ସିନର ପ୍ରଭାବକାରିତା ପ୍ରମାଣିତ ହୋଇସାରିଛି। ତେଣୁ ସ˚ପ୍ରତି ପେଟେଣ୍ଟ ପ୍ରତ୍ୟାହାର ପ୍ରାସଙ୍ଗିକତା ଭାରତ ପାଇଁ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେହେତୁ ଭିନ୍ନ ଭିନ୍ନ ଫର୍ମୁଲାରେ ପ୍ରସ୍ତୁତ ଏକାଧିକ କୋଭିଡ୍ ଭ୍ୟାକ୍ସିନ୍ ଉପଲବ୍ଧ ହେଲାଣି, ଏହି କ୍ଷେତ୍ରରେ ଏକଚାଟିଆ କାରବାରର ସମ୍ଭାବନା ନାହିଁ। ଏହାଛଡ଼ା ଆମେରିକା ଓ ୟୁରୋପର ଫାର୍ମା କମ୍ପାନିମାନେ ବିପୁଳ ବ୍ୟାବସାୟିକ ସୁଯୋଗକୁ ନଜରରେ ରଖି ଭାରତକୁ ଅଣଦେଖା କରିବାକୁ ସାହସ କରିବେ ନାହିଁ। ସ୍ପୁଟ୍ନିକ ଓ ଜନ୍ସନ୍ ଏଣ୍ତ ଜନ୍ସନ୍ ପରେ ଏବେ ଫାଇଜର ଓ ମର୍ଡେନା କମ୍ପାନି ଭାରତରେ କୋଭିଡ୍ ଭ୍ୟାକ୍ସିନ୍ ବ୍ୟବସାୟ କରିବାକୁ ଚାହାନ୍ତି। ଯଦି ସେମାନେ ଯଥୋଚିତ ମୂଲ୍ୟରେ ଟିକା ଯୋଗାଇବାକୁ ଅମଙ୍ଗ ହେବେ, ଭାରତ ସରକାର ବାଧୢତାମୂଳକ ଲାଇସେନ୍ସ ପଦକ୍ଷେପକୁ ବିବେଚନା କରିପାରନ୍ତି। ଅପରପକ୍ଷରେ ସ˚ପୂର୍ଣ୍ଣ ସ୍ବଦେଶୀ ଫର୍ମୁଲାରେ ପ୍ରସ୍ତୁତ କୋଭାକ୍ସିନ ଟିକା ସହିତ ତାଳ ଦେଇ ନିକଟରେ ଉପଲବ୍ଧ ହେବାକୁ ଥିବା ଆଉ ଦୁଇଟି ଦେଶୀୟ ଟିକା ଅର୍ଥାତ୍ ଜାଇଡସ କାଡିଲା କମ୍ପାନିର ଜାଇକୋଭ-ଡି ଟିକା ଓ ବାୟୋଓଲଜିକାଲ ଇ କମ୍ପାନିର କୋରବିଭ୍ୟାକ୍ସ ଟିକା ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଇପାରେ। ଶିଶୁମାନଙ୍କ କ୍ଷେତ୍ରରେ କୋଭାକ୍ସିନ୍ ଟିକାର ପ୍ରଭାବକାରିତା ପ୍ରମାଣିତ ହେଲେ, ଏହା ଭାରତ ପାଇଁ ଏକ କ୍ରାନ୍ତିକାରୀ ସଫଳତା ହେବ। ନିକଟରେ ଡିଆର୍ଡିଓ ସ˚ସ୍ଥା ଓ ଡକ୍ଟର ରେଡିସ୍ ଲ୍ୟାବ୍ର ମିଳିତ ପ୍ରଚେଷ୍ଟାରେ ପ୍ରସ୍ତୁତ ଟୁ-ଡିଜି କୋଭିଡ୍ ଔଷଧ ଏକ ନୂତନ ଆଶା ସୃଷ୍ଟି କରିଛି। ପେଟେଣ୍ଟ ପ୍ରତ୍ୟାହାର ପରିବର୍ତ୍ତେ ବର˚ ପେଟେଣ୍ଟ ଅଧିକାର ସ୍ବଦେଶୀ ଭ୍ୟାକ୍ସିନ୍ ଓ ଔଷଧଗୁଡ଼ିକୁ ବିଶ୍ବ ମାର୍କେଟ୍ରେ ମାନ୍ୟତା ଓ ସଫଳତା ଆଣିବାକୁ ସାହାଯ୍ୟ କରିପାରିବ। ଅପର ପକ୍ଷରେ ଯଦି ଭ୍ୟାକ୍ସିନ୍ ପେଟେଣ୍ଟ ପ୍ରତ୍ୟାହାର ଲାଗୁ ହୁଏ, ଟେକ୍ନୋଲୋଜି କପି କରି ଶସ୍ତାରେ ବହୁଳ ଉତ୍ପାଦନରେ ଧୁରନ୍ଧର ଚୀନ ପରିସ୍ଥିତିର ଫାଇଦା ଉଠାଇପାରେ। ପେଟେଣ୍ଟ ବିଷୟରେ ଆଲୋଚନା କଲା ବେଳେ ଭାରତର ପ୍ରଖ୍ୟାତ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷଙ୍କ କଥା ମନକୁ ଆସେ। ୧୮୯୪ ମସିହାରେ ସେ ‘ରେଡିଓ େଵଭ୍’ର ଉଦ୍ଭାବନ କରିଥିଲେ, ଯାହାକୁ ସେ ପେଟେଣ୍ଟ କରି ନ ଥିଲେ। ପରବର୍ତ୍ତୀ ସମୟରେ ଏହାଭୁ ଭିତ୍ତି କରି ମାର୍କୋନି ‘ଵାର୍ଲେସ୍ ଟେଲିଗ୍ରାଫି’ ବିକାଶ କରିଥିଲେ, ଯେଉଁଥିପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ଜଗଦୀଶ ଚନ୍ଦ୍ରଙ୍କୁ ନୋବେଲ ପୁରସ୍କାର ମିଳିବା ତ ଦୂରର କଥା, ତାଙ୍କ ଅବଦାନକୁ ମାର୍କୋନି ମଧୢ ସ୍ବୀକାର କରିନଥିଲେ। ବୋଧହୁଏ ପେଟେଣ୍ଟ ସ୍ବତ୍ବାସ୍ବତ୍ବ ଥିଲେ, ଜଗଦୀଶ ଚନ୍ଦ୍ରଙ୍କ ପ୍ରତି ଏପରି ଅବିଚାର ସମ୍ଭବ ହୋଇନଥା’ନ୍ତା।
ଜନସାଧାରଣଙ୍କୁ ମାଗଣା କିମ୍ବା ସୁଲଭ ମୂଲ୍ୟରେ ଟିକା ଯୋଗାଇବା କେନ୍ଦ୍ର ସରକାରଙ୍କ ଦାୟିତ୍ବ। କିନ୍ତୁ ଏଥିପାଇଁ ସ୍ବଳ୍ପ ମୂଲ୍ୟରେ ଟିକା ଯୋଗାଇବା ପାଇଁ ଭାରତୀୟ ଭ୍ୟାକ୍ସିନ୍ କମ୍ପାନିମାନଙ୍କ ଉପରେ ଚାପ ପକାଇବା ଉଚିତ ନୁହେଁ। ଟିକାର ବିକାଶ ପାଇଁ ସେମାନେ ପ୍ରଚୁର ପାଣ୍ଠି ବିନିଯୋଗ କରିଛନ୍ତି। କୋଭିଡ୍ ଭାଇରସ୍ର ନୂଆ ନୂଆ ମ୍ୟୁଟାଣ୍ଟ୍ର ଆବିର୍ଭାବ ହେଉଥିବାରୁ ଟିକାର ଔଷଧୀୟ ସୂତ୍ରୀକରଣରେ ପରିବର୍ତ୍ତନ ଆବଶ୍ୟକ। ଏଥିପାଇଁ ନିୟମିତ ଗବେଷଣା ଜରୁରୀ ଅଟେ, ଯେଉଁଥିପାଇଁ ଭ୍ୟାକ୍ସିନ୍ କମ୍ପାନିମାନଙ୍କୁ ପର୍ଯ୍ୟାପ୍ତ ପୁଞ୍ଜି ଓ ମାନବ ସମ୍ବଳ ବିନିଯୋଗ କରିବାକୁ ପଡ଼ିବ। ତେଣୁ ସେମାନଙ୍କୁ ଉପଯୁକ୍ତ ମୂଲ୍ୟରେ ଟିକା ଯୋଗାଇବା ପାଇଁ ସ୍ବାଧୀନତା ମିଳିବା ଉଚିତ। କୋଭିଡ୍ ଟିକା ପାଇଁ ଅନେକ ଜରୁରୀ କଞ୍ଚାମାଲ ବିଦେଶରୁ ଆମଦାନି ହେଉଛି। ଏହି ଯୋଗାଣରେ ଯେପରି କିଛି ବ୍ୟାଘାତ ସୃଷ୍ଟି ନ ହୁଏ, ସେଥିପାଇଁ କେନ୍ଦ୍ର ସରକାର ପରିସ୍ଥିତି ମୁତାବକ ଉଚିତ ପଦକ୍ଷେପ ନେବାକୁ ପଡ଼ିବ। କରୋନା ମହାମାରୀ ପାଇଁ ସନ୍ଦେହର କେନ୍ଦ୍ର ବିନ୍ଦୁରେ ଥିବା ଚୀନ୍ ଦ୍ବାରା ପ୍ରସ୍ତୁତ ସାଇନୋଫାର୍ମ ଓ ସାଇନୋଭ୍ୟାକ୍ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନର ସ୍ବୀକୃତି ମିଳିସାରିଛି। କିନ୍ତୁ ଭାରତୀୟ ଟିକା କୋଭାକ୍ସିନ ସ୍ବୀକୃତି ପାଇଁ ଆହୁରି ଦୁଇ ତିନି ମାସ ସମୟ ଲାଗିବାର ସମ୍ଭାବନା ଅଛି। ଏହି ଆଳରେ ଆମେରିକା ସରକାର କୋଭାକ୍ସିନ୍କୁ ସ୍ବୀକାର କରୁନାହିଁ। ଅପର ପକ୍ଷରେ ଆମେରିକୀୟ କମ୍ପାନି ଅକ୍ୟୁଜେନ୍ ଭାରତ ବାୟୋଟେକ୍ କମ୍ପାନିର ଲାଇସେନ୍ସ ଭିତ୍ତିରେ କାନାଡାରେ କୋଭାକ୍ସିନ୍ ପ୍ରସ୍ତୁତ କରିବା ପାଇଁ ଚୁକ୍ତି ସ୍ବାକ୍ଷର କରିଛି, ଯାହା ଭାରତ ପାଇଁ ଗର୍ବର ବିଷୟ। ଭାରତ ସରକାର ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଦ୍ବାରା କୋଭାକ୍ସିନ୍ର ତୁରନ୍ତ ସ୍ବୀକୃତି ପାଇଁ ପଦକ୍ଷେପ ନେବା ଉଚିତ ହେବ। ଏଠାରେ କହି ରଖିବା ପ୍ରାସଙ୍ଗିକ ହେବ ଯେ ଭାରତର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସଂପ୍ରତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ୍ଜିକ୍ୟୁଟିଭ୍ ବୋର୍ଡର ଅଧ୍ୟକ୍ଷ ଅଛନ୍ତି।
କେନ୍ଦ୍ର ସରକାରଙ୍କ ବିବୃତି ଅନୁସାରେ ଆସନ୍ତା ଅଗଷ୍ଟ ଓ ଡିସେମ୍ବର ମାସ ମଧୢରେ ଭାରତରେ ଦୁଇ ଶହ କୋଟି ଟିକା ଉପଲବ୍ଧ ହେବାର ଅଟକଳ କରାଯାଉଛି। ଏହା ସାକାର ହେଲେ ଡିସେମ୍ବର ସୁଦ୍ଧା ଅନ୍ତତଃ ଅଶୀ ପ୍ରତିଶତ ଭାରତୀୟ ସ˚ପୂର୍ଣ୍ଣ ଟିକାକରଣ ଲାଭ କରିସାରିଥିବେ। ଏପରି ଉତ୍ପାଦନ ଜାରି ରହିଲେ ଭାରତ ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ରଙ୍କୁ ଟିକା ଉତ୍ପାଦନ କରି ମାନବୀୟ ସେବା ସହିତ ଅର୍ଥନୈତିକ ସଫଳତା ହାସଲ କରିବାକୁ ସମର୍ଥ ହୋଇପାରିବ। ବିଶ୍ବର ଭେଷଜାଳୟ କୁହାଯାଉଥିବା ଭାରତ ଟିକା ଉତ୍ପାଦନ କ୍ଷେତ୍ରରେ କେବଳ ‘ମ୍ୟାନୁଫ୍ୟାକ୍ଚରିଙ୍ଗ୍ ହବ୍’ ଅର୍ଥାତ୍ ନିର୍ମାଣ କେନ୍ଦ୍ର ରୂପେ ସୀମିତ ନ ରହି ବର˚ ‘ଟେକ୍ନୋଲୋଜି ହବ୍’ ଅର୍ଥାତ୍ ପ୍ରାେୟାଗିକୀ କେନ୍ଦ୍ର ରୂପେ ମଧୢ ବିକଶିତ ହେବାକୁ ପଡ଼ିବ।
ମୋ-୯୮୮୬୨୧୧୭୭୨
opjagati @ gmail.com