ସଫଳତାର ଔଦ୍ଧତ୍ୟ, ବିଫଳତାର ଗ୍ଳାନି

ଗଣତନ୍ତ୍ରର ହାଲ୍‌ - ସୁଧାଂଶୁ ଷଡ଼ଙ୍ଗୀ

କମ୍ୟୁନିଜମ୍‌ର ପତନ ସାଥିରେ ସମାଜରେ ଅର୍ଥନୈତିକ ବୈଷମ୍ୟକୁ ନେଇ ରାଜନୈତିକ ବିତର୍କର ପ୍ରାୟତଃ ଅନ୍ତ ଘଟିଲା। ଧରି ନିଆଗଲା ଯେ ଗୋଟିଏ ମୁକ୍ତ ସମାଜରେ ଅର୍ଥନୈତିକ ବୈଷମ୍ୟ ସ୍ୱାଭାବିକ। ପ୍ରକୃତି ସମସ୍ତଙ୍କୁ ସମାନଭାବେ ମେଧାବୀ କରିନି। ତେଣୁ ଅଧିକ ମେଧାବୀ ଜୀବନର ଦୌଡ଼ରେ ବେଶି ସଫଳ ହେବେ। ସାମନ୍ତବାଦୀ ବ୍ୟବସ୍ଥାରେ, ଜନ୍ମଭିତ୍ତିରେ ଲୋକେ କ୍ଷମତା ଓ ଅର୍ଥର ମାଲିକ ହୁଅନ୍ତି। ଅନ୍ୟପକ୍ଷରେ, ମେଧାଭିତ୍ତିକ ବ୍ୟବସ୍ଥା ଦୁଇଟି ସିଦ୍ଧାନ୍ତ ଉପରେ କାମ କରେ। ପ୍ରଥମ, ଲୋକେ ନିଜ ମେଧା ଓ ପରିଶ୍ରମ ବଳରେ ସଫଳ ଏବଂ ପୁରସ୍କୃତ ହୁଅନ୍ତି। ଦ୍ବିତୀୟ, ଯେ କୌଣସି ବର୍ଗରେ ଜନ୍ମ ହୋଇ ମଧ୍ୟ ମେଧାବୀ ଲୋକେ ସଫଳତାର ଶୀର୍ଷରେ ପହଞ୍ଚି ପାରନ୍ତି। ସମସ୍ତଙ୍କୁ ବ୍ୟକ୍ତିଗତ ଉଦ୍ୟମ ଓ ମେଧା ଅନୁସାରେ ନ୍ୟାୟୋଚିତ ପ୍ରାପ୍ୟ ଏବଂ ସାମାଜିକ ସ୍ଥାନ ମିଳେ। ଏଥିଯୋଗୁଁ ଅର୍ଥନୈତିକ ପ୍ରଗତି ହୁଏ। ଏବେ ଏହି ମେଧା ବ୍ୟବସ୍ଥାକୁ ନେଇ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ମାଇକେଲ୍ ସାଣ୍ଡେଲ୍ ବିତର୍କ ଆରମ୍ଭ କରିଛନ୍ତି। ସେ କହୁଛନ୍ତି, ମେଧାକୁ ପୁରସ୍କୃତ କରିବା ପ୍ରକ୍ରିୟାରେ ସମାଜ ସଫଳ ଓ ବିଫଳ ଲୋକଙ୍କ ମଧ୍ୟରେ ବିଭାଜିତ ହେଉଛି। ଗଣତନ୍ତ୍ର ସାମୂହିକ ହିତ ନୁହେଁ, ସଫଳ ଲୋକଙ୍କ ପାଇଁ କାମ କରୁଛି।

ଯଦି ସମାଜରେ ଅର୍ଥନୈତିକ ବୈଷମ୍ୟ ଅପରିହାର୍ଯ୍ୟ ତା’ହେଲେ ଜନମଙ୍ଗଳକାରୀ ରାଷ୍ଟ୍ରର ଚାରିଟି ଦାୟିତ୍ୱ। ପ୍ରଥମ, ଆଇନଗତ ଓ ରାଜନୈତିକ ଦୃଷ୍ଟିକୋଣରୁ ସମସ୍ତଙ୍କୁ ସମାନ ଅଧିକାର ଦେବା। ଦ୍ବିତୀୟ, ପ୍ରତ୍ୟେକ ବ୍ୟକ୍ତି ପାଇଁ ସମାନ ଓ ଯଥେଷ୍ଟ ସୁଯୋଗ ସୃଷ୍ଟି କରିବା, ଯାହାଦ୍ୱାରା ସମସ୍ତେ ନିଜ ପ୍ରତିଭାର ବିକାଶ କରିପାରିବେ ଓ ସଫଳ ହେବେ। ତୃତୀୟ, ପଛୁଆବର୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଯାହା ଫଳରେ ସେମାନେ ନିଜ ଅନଗ୍ରସରତାରୁ ମୁକ୍ତ ହେବେ। ଚତୁର୍ଥ, ଯେଉଁମାନେ ଦୁର୍ଭାଗ୍ୟବଶତଃ ଦୁଃଖକଷ୍ଟରେ ପଡ଼ିବେ, ସେମାନଙ୍କୁ ସହାୟତା ଯୋଗାଇଦେବା।

ଲୋକଙ୍କୁ ଏକା ଧାଡ଼ିରେ ଛିଡ଼ା କରି ଜୀବନର ଦୌଡ଼ ଆରମ୍ଭ କରିବା। କାହାକୁ ପଛରେ ରହିବାକୁ ଦେବାନି। ତେଣିକି ଦୌଡ଼ର ଫଳାଫଳ ଯାହା ହେବ, ସେହି ଅନୁସାରେ ଲୋକେ ସମାଜର ଶିଢ଼ିରେ ସଜେଇ ହେଇଯିବେ। ଲୋକେ ଭଲ ଶିକ୍ଷା ପାଇଲେ ବା ଧନ୍ଦାମୂଳକ ପ୍ରଶିକ୍ଷଣ ପାଇଲେ, ନିଜ ମେଧାର ବିକାଶ କରିବେ। ତେଣୁ ସମସ୍ତେ ପାଠ ପଢ଼ନ୍ତୁ, ସଫଳ ହେବେ, ଉପରକୁ ଉଠିବେ। ଯିଏ ଯେତେ ଭଲ ପଢ଼ିବ, ସେତେ ସଫଳ ହେବ। ଶିକ୍ଷା ବ୍ୟବସ୍ଥା ସାମାଜିକ ବୈଷମ୍ୟର ମୁଖ୍ୟ ସମାଧାନ। ପ୍ରଶ୍ନ ହେଲା, ଏହି ପ୍ରକ୍ରିୟାରେ ଅର୍ଥନୈତିକ ବୈଷମ୍ୟ କମିଛି କି?

ଫରାସୀ ଅର୍ଥନୀତିଜ୍ଞ ପିକେଟିଙ୍କ ଗବେଷଣା ୨୦୧୪ ମସିହାରେ ପ୍ରକାଶିତ ହେଲା। ସେ ପରିସଂଖ୍ୟାନ ଉପସ୍ଥାପନ କଲେ ଯେ ୟୁରୋପରେ ଓ ଆମେରିକାରେ ଅର୍ଥନୈତିକ ବୈଷମ୍ୟ ଦ୍ରୁତଗତିରେ ବଢ଼ିଛି। ସମାଜର ଦଶଭାଗ ଧନୀଲୋକଙ୍କ ପାଖରେ ପଚାଶଭାଗ ସମ୍ପତ୍ତି ଠୁଳ ହେଲାଣି। ଅକ୍‌ସଫାମ୍ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ଭାରତରେ ୨୦୧୭ ମସିହାରେ ଦଶଭାଗ ଧନୀଲୋକ ୭୭ ଭାଗ ସମ୍ପତ୍ତିର ମାଲିକ। ତେଣୁ ଏକ ପକ୍ଷରେ, ସମାଜରେ ଅଧିକ ଲୋକ ଶିକ୍ଷିତ ହେଉଛନ୍ତି; ଅନ୍ୟ ପକ୍ଷରେ, ବୈଷମ୍ୟ ବଢୁଛି। ଶିକ୍ଷା ସାମାଜିକ ବୈଷମ୍ୟର ସମାଧାନ କରୁନି। ଅର୍ଥନୈତିକ ବିକାଶର ହାର କମିବା ଓ ବୈଷମ୍ୟ ବଢ଼ିବା ଯୋଗୁଁ ଶ୍ରମିକ ଓ ମଧ୍ୟବିତ୍ତ ବର୍ଗଙ୍କ ଜୀବନଶୈଳୀରେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆସୁଥିବା ଉନ୍ନତିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପରବର୍ତ୍ତୀ ପିଢ଼ିର ଭବିଷ୍ୟତ୍‌କୁ ନେଇ ଅଭିଭାବକ ଚିନ୍ତିତ। ଏହି କାରଣରୁ ବ୍ୟବସ୍ଥା ବିରୋଧରେ ବିଦ୍ୱେଷ ଦେଖାଦେଇଛି। ସାଧାରଣରେ ବାମବାଦୀ ଦଳମାନେ ସମାଜର ତଳସ୍ତରର ଲୋକଙ୍କ ସ୍ୱାର୍ଥର ସୁରକ୍ଷା କରନ୍ତି। କିନ୍ତୁ ଏହି ଦଳମାନେ ମଧ୍ୟ ମେଧା ବ୍ୟବସ୍ଥାକୁ ସମର୍ଥନ କରୁଛନ୍ତି। ଫଳତଃ, ପାରମ୍ପରିକ ବାମ ସମର୍ଥକମାନେ ସାଂସ୍କୃତିକ ପରିଚୟକୁ ଅଧିକ ଗୁରୁତ୍ୱ ଦେଲେଣି। ଅଳ୍ପଶିକ୍ଷିତ ଓ ଶ୍ରମିକବର୍ଗର ଶ୍ବେତାଙ୍ଗ ଭାବୁଛି ଅତି କମ୍‌ରେ ସେ ଗୋରା। ଆମେରିକାରେ ସେମାନେ ଟ୍ରମ୍ପ୍‌ଙ୍କ ସମର୍ଥକ। ଇଂଲାଣ୍ଡରେ ୟୁରୋପୀୟ ସଂଘରୁ ହଟିବାକୁ ଭୋଟ ଦେଲେ। ଫ୍ରାନ୍‌ସରେ ଚାଲିଥିବା ‘ହଳଦିଆ ଜାମା’ ଆନ୍ଦୋଳନ ଶ୍ରମିକବର୍ଗଙ୍କ ଅସନ୍ତୋଷକୁ ନେଇ ସୃଷ୍ଟ। ଯେଉଁମାନେ ଅବହେଳିତ ଅନୁଭବ କରୁଛନ୍ତି, ସେମାନେ ବିଦ୍ରୋହର ରାସ୍ତାରେ। ରାଜନୈତିକ ବ୍ୟବସ୍ଥା ବିପୁଳ ଲୋକଙ୍କ ଗ୍ଲାନିକୁ ଅଣଦେଖା କରିବାର ଫଳ ଆମେ ଦେଖୁଛେ।

ଯଦି ଲୋକେ ନିଜ ମେଧା ଓ ଉଦ୍ୟମ ବଳରେ ସଫଳ ହୁଅନ୍ତି, ତାହାହେଲେ ସଫଳତାର ପୂରା ଶ୍ରେୟ ତାଙ୍କ ନିଜର। ସଫଳତାରୁ ପ୍ରାପ୍ତ ଅର୍ଥ ବା କ୍ଷମତାର ସେମାନେ ଏକଚାଟିଆ ଉପଭୋଗ କରିବେ। ଅନ୍ୟ ପକ୍ଷରେ ଯିଏ ବିଫଳ ହୁଅନ୍ତି, ଧରାଯିବ ଯେ ତାଙ୍କ ପାଖରେ ମେଧା ନାହିଁ। ସେମାନେ ଅଳସୁଆ। ତେଣୁ ସଫଳତା ଓ ବିଫଳତା ପାଇଁ ବ୍ୟକ୍ତି ନିଜେ ଦାୟୀ। ଆଗରୁ ହୁଏ’ତ ବିଫଳ ଲୋକ କହିପାରୁଥିଲା ଯେ ସେ ସଂଭ୍ରାନ୍ତ ବର୍ଗରେ ବା ଉଚ୍ଚକୁଳରେ ଜନ୍ମ ନୁହେଁ, ତେଣୁ ତା’ର ବିଫଳତା ଜନ୍ମର ବିଡ଼ମ୍ବନା, ଏକ ଦୁର୍ଭାଗ୍ୟ। କିନ୍ତୁ ଏବେ ତ ଅନେକ ଲୋକ ସମାଜର ତଳ ସ୍ତରରୁ ଉଠିପାରୁଛନ୍ତି। ତେଣୁ ଯଦି ଜଣେ ଉଠିପାରିଲାନି, ଏହା ଦୁର୍ଭାଗ୍ୟ ନୁହେଁ। ଏହାର କାରଣ ହେଲା ସେ ମେଧାବୀ ବା ଯୋଗ୍ୟ ନୁହେଁ; ବିଫଳ, ନିଷ୍କର୍ମା। ସଫଳ ଲୋକ ଛାତି ଫୁଲେଇ ଗର୍ବ କରନ୍ତି। ନିଜ ମେଧା, ପରିଶ୍ରମ, ଅନ୍ୟମାନଙ୍କ ଶୁଭେଚ୍ଛା, ଆଶୀର୍ବାଦ ଇତ୍ୟାଦିକୁ ସଫଳତାର କାରଣ ଭାବେ ବଖାଣନ୍ତି। ବିଫଳ ଲୋକ ନିଜ ଓ ସମାଜ ଆଖିରେ ନ୍ୟୁନ ହୋଇଯାଏ। ଭାଗ୍ୟକୁ ଆଦରି ଜିଏଁ। ଲଜ୍ଜିତ ଅନୁଭବ କରେ। ଚିରଦିନ ଗୁଲାମି କରେ।

ଯିଏ ସର୍ବଭାରତୀୟ ସେବା ପରୀକ୍ଷାରେ ସଫଳ ହୋଇ ପଦ ପାଇଛି, ସେ ଭାବିବା ସ୍ୱାଭାବିକ ଯେ ଏହା ନିଜର ମେଧା ଓ ପରିଶ୍ରମର ଫଳ। କିନ୍ତୁ ପ୍ରକୃତରେ କ’ଣ ଆମେ କେଉଁ ଘରେ ଓ କେଉଁ ମେଧା ନେଇ ଜନ୍ମ ନେବା ତାହା ନିଜେ ନିଷ୍ପତ୍ତି କରିଛେ? ଜନ୍ମହେବା ପୂର୍ବରୁ ଆମକୁ କେହି ପଚାରେନି କେଉଁ ଜାତି, ଲିଙ୍ଗ, ସାମାଜିକ ପରିସ୍ଥିତିରେ ଜନ୍ମନେବା। ଆମର ଶାରୀରିକ, ମାନସିକ ଶକ୍ତି ପ୍ରକୃତି ନିର୍ଣ୍ଣୟ କରେ। ତାସ୍ ବାଣ୍ଟିଲା ଭଳି ଜନ୍ମ ଓ ମେଧା ବାଣ୍ଟି ହୋଇଯାଏ। ଗବେଷଣାରୁ ଦେଖାଯାଇଛି ଯେ ଗରିବ ଘରେ ଜନ୍ମ ପିଲାଟିଏ ତିନି ବର୍ଷ ବୟସ ମଧ୍ୟରେ ଧନୀ ଘରେ ଜନ୍ମିତ ପିଲାଠାରୁ ତିନି କୋଟି ଶବ୍ଦ କମ୍ ଶୁଣେ। ତେଣୁ ତା’ର ବୁଦ୍ଧିର ବିକାଶ ମଧ୍ୟ କମ୍ ହୁଏ। ଏହା ଛଡ଼‌ା, ପରିଶ୍ରମ ଅନେକ କରନ୍ତି, ସମସ୍ତେ ପରିଶ୍ରମ କଲେ ସଚିନ୍ ତେନ୍ଦୁଲ୍‌କର୍ ହେଇଯିବେନି। ବହୁ ଲୋକ ଅଳ୍ପ ପରିଶ୍ରମରେ ମଧ୍ୟ ସଫଳ ହୁଅନ୍ତି। ଶେଷରେ, ଆମମାନଙ୍କ ସଫଳତା ପଛରେ ସମାଜର ଅନେକ ଯୋଗଦାନ ଅଛି। ସର୍ବଭାରତୀୟ ସେବା ପରୀକ୍ଷାରେ ପ୍ରତ୍ୟେକ ପାଞ୍ଚହଜାର ପ୍ରାର୍ଥୀରେ ଜଣେ ସଫଳ ହୁଏ। ପରୀକ୍ଷା ଅଲଗା ପ୍ରକାରରେ କରାଗଲେ ବା ଆଉଥରେ କଲେ ମେଧାବୀ ତାଲିକା ବଦଳିଯିବ। ପୂରା ମେଧା ବ୍ୟବସ୍ଥାଟି ସାମଗ୍ରିକ ଭାବେ ଗୋଟିଏ ଲଟେରି। ତେଣୁ ପ୍ରଥମ ଯୁକ୍ତି ଯେ ଆମେ ଆମ ସଫଳତା ପାଇଁ ସମ୍ପୂର୍ଣ୍ଣ ହକ୍‌ଦ‌ାର୍, ତାହା ବସ୍ତୁତଃ ଭୁଲ୍। ଏହା ସତ୍ତ୍ୱେ ସଫଳତା ଲୋକଙ୍କ ମନରେ ଅଗାଧ ଆତ୍ମବିଶ୍ୱାସ ଓ ଅହଙ୍କାର ସୃଷ୍ଟି କରେ।

ମେଧା ବ୍ୟବସ୍ଥାର ଦ୍ବିତୀୟ ଯୁକ୍ତି ଯେ ଯିଏ ଯେଉଁଠି ଜନ୍ମ ହେଉନା କାହିଁକି ଉପରକୁ ମେଧା ଓ ପରିଶ୍ରମ ବଳରେ ଉଠିପାରିବ, ତାହା ମଧ୍ୟ ଠିକ୍ ନୁହେଁ। ଆମେରିକାରେ ଆଠଟି ଭଲ ବିଶ୍ବବିଦ୍ୟାଳୟକୁ ‘ଆଇଭି ଲିଗ୍’ କୁହାଯାଏ। ସେଠି ପଚାଶ ଭାଗ ଛାତ୍ରଛାତ୍ରୀ ଦେଶର ଏକ ଭାଗ ଧନୀ ପରିବାରରୁ ଆସନ୍ତି। ଡାକ୍ତର, ଇଞ୍ଜିନିୟର, ଶିଳ୍ପପତି, ରାଜନେତା, ଓକିଲ ଇତ୍ୟାଦି ସ୍ୱଚ୍ଛଳ ପରିବାର ଠିକ୍ ଭାବରେ ଜାଣିଛନ୍ତି କିପରି ନିଜର ସାମାଜିକ ସ୍ଥିତିକୁ ପରବର୍ତ୍ତୀ ପିଢ଼ିକୁ ଉତ୍ତରାଧିକାର ସୂତ୍ରରେ ହସ୍ତାନ୍ତର କରିବେ। ପିଲା ଜନ୍ମ ହେଲାଠାରୁ ତାକୁ ସେଇ ଅନୁସାରେ ପାଠ ପଢ଼ାଯାଏ, ପ୍ରସ୍ତୁତ କରାଯାଏ। ସେହି ପିଲା ଆଇ.ଆଇ.ଟି.ରେ ପହଞ୍ଚନ୍ତି, ଅନ୍ୟାନ୍ୟ ନାମୀ ଶିକ୍ଷାନୁଷ୍ଠାନକୁ ଯାଆନ୍ତି। ଥରେ ଭଲ ଶିକ୍ଷାନୁଷ୍ଠାନର ଛାପ ଲାଗିଗଲେ ପିଲାକୁ ଉଚ୍ଚ ବେତନର ଚାକିରି ମିଳେ। ପ୍ରକୃତରେ ଚାଷୀ, ଶ୍ରମିକ, କୁଶଳୀ କାରିଗରଙ୍କ ପରିବାରରୁ ପିଲା ଉପରକୁ ଉଠୁନାହାନ୍ତି। ଯଦି କିଏ କାଁ ଭାଁ ସଫଳତା ପାଇଲା, ତାକୁ ନେଇ ମେଧା ବ୍ୟବସ୍ଥା ‘ପୋଷ୍ଟର୍’ ଲଗାଇ ନିଜକୁ ଯଥାର୍ଥ କରୁଛି। କିନ୍ତୁ ଏହି ବ୍ୟବସ୍ଥାରେ ସମାଜର ତଳ ପଚାଶଭାଗ ପରିବାର ପାଇଁ ଉପରକୁ ଉଠିବାର ସୁଯୋଗ ଅତି କମ୍। ରାଜ୍ ଚେଟ୍ଟି ଗବେଷଣାରୁ ଜାଣିଲେ, ଆମେରିକାର ତଳ କୋଡ଼ିଏ ଭାଗରୁ ଆସି କଲେଜରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ଦୁଇ ପ୍ରତିଶତ ସମାଜର ଉପର କୋଡ଼ିଏ ଭାଗରେ ପହଞ୍ଚି ପାରୁଛନ୍ତି। ଅର୍ଥାତ୍, କଲେଜରେ ପଢ଼ି ମଧ୍ୟ ୯୮ ଭାଗ ଗରିବ ପିଲା ସଫଳତାର ଶୀର୍ଷକୁ ଯାଉନାହାନ୍ତି। ଭାରତ ପାଇଁ ଏହି ପରିସଂଖ୍ୟାନ ନାହିଁ। କିନ୍ତୁ ଯିଏ ଯେଉଁଠି ଜନ୍ମ ହେଲେ ମଧ୍ୟ ମେଧା ଯୋଗୁଁ ଉପରକୁ ଉଠିପାରିବ, ତାହା କୁହାଯିବା ଠିକ୍ ନୁହେଁ। ସମାଜର ଲିଫ୍‌ଟ୍‌ରେ ସଫଳ ଲୋକ ପ୍ରାୟତଃ ଉପର ମହଲାରୁ ହିଁ ପ୍ରବେଶ କରୁଛନ୍ତି।

ଏମିତି ନୁହେଁ ଯେ, ମେଧାବୀ ପ୍ରମାଣିତ ହେବାକୁ ସଫଳ ଲୋକଙ୍କୁ ବଳିଦାନ ଦେବାକୁ ହୁଏ ନାହିଁ। ସେମାନଙ୍କ ଶୈଶବକୁ ଅଭିଭାବକ ଛଡ଼େଇ ନିଅନ୍ତି। ସବୁବେଳେ ଟୁଇସନ୍ ଚାଲେ। ବାପା-ମା’ ହେଲିକପ୍ଟର ଭଳିଆ ମୁଣ୍ଡ ଉପରେ ଘାଁ ଘାଁ ଉଡୁଥାନ୍ତି। ପିଲା ନିଜ ଇଚ୍ଛାରେ କିଛି କରେନି। ଚାପରେ ରୁହେ। ଅନ୍ୟମାନେ ସଫଳତାର ମାନଦଣ୍ଡ ନିର୍ଦ୍ଧାରଣ କରନ୍ତି। ଆଶାନୁରୂପ ଫଳାଫଳ ନ ମିଳିଲେ ନିଜକୁ କ୍ଷମା ଦେଇପାରେନି। ଯାହାର ଇଞ୍ଜିନିୟର ‌େହବାକୁ କୌଣସି ଆଗ୍ରହ ନାହିଁ, ସେ ପହଞ୍ଚେ ଆଇଆଇଟିରେ। ସେଠୁ ଛାପ ବାଜିଲା ପରେ ବ୍ୟାଙ୍କ ଚାକିରି କରିବ କି ସାବୁନ୍ ବିକିବ। ସ୍ୱୀକୃତି ଦରକାର। ମେଧାବୀ ପ୍ରମାଣିତ ହେବା ଦରକାର। ବ୍ୟବସ୍ଥାରେ ଯିଏ ବିଫଳ ହେବ ତା’ ଅବସ୍ଥା ଆହୁରି ଭୟଙ୍କର। ତାକୁ ଅଳ୍ପ-ମେଧାବୀର ଛାପ ଚିରଦିନ ଲାଗିଯାଏ। ଆଭିଜାତ୍ୟ ଘର ପିଲା ଯଦି ପଛରେ ରହିଗଲା, ତା’ହେଲେ ମୁସ୍କିଲ୍। ପୂରା ଜୀବନ ନିଜକୁ ଊଣା କରି ଦେଖିବ। ଯିଏ ଆଇଆଇଟି ବା ସେହିଭଳି ‘ପ୍ଲେସ୍‌ମେଣ୍ଟ୍‌’ ପାଠ ପଢ଼ିବ, ସେ ସଫଳ। ବାକି ସମସ୍ତେ ସଂଘର୍ଷ କରନ୍ତି। ଆମେରିକାରେ ଏହି ବିଫଳମାନେ ନିଶାଗ୍ରସ୍ତ ହୋଇ ବା ଆତ୍ମହତ୍ୟା କରି ମରୁଛନ୍ତି। ଯାହାକୁ ‘ହତାଶ-ମୃତ୍ୟୁ’ କୁହାଯାଉଛି। ଭାରତରେ ଏହି ଯୁବଗୋଷ୍ଠୀ ମଦ ଓ ନିଶାଦ୍ରବ୍ୟ ସେବନରେ ଆଗରେ। ସେମାନଙ୍କ ପାଇଁ ଦୀର୍ଘଦିନ ବଞ୍ଚିବା ଅର୍ଥହୀନ ହୋଇପଡ଼ିଛି। ସଫଳତା ପାଉଥିବା ପିଲା ଯେତିକି ଆତଙ୍କିତ ଓ ଚାପଗ୍ରସ୍ତ, ବିଫଳତା ପାଉଥିବା ପିଲା ତା’ଠୁ ଅଧିକ ହତାଶ ଓ ଲଜ୍ଜିତ। ସମାଜରେ ମେଧାର ଆତଙ୍କ।

ନିକଟରେ ସୁବ୍ରତ ଓ ସୁସ୍ମିତା ବାଗ୍‌ଚି ନିଜ କଷ୍ଟସାଧ୍ୟ ଉପାର୍ଜନର ଏକ ବଡ଼ ଧନରାଶି ସମାଜ ହିତରେ ବିନିଯୋଗ କଲେ। ଏହା ସେମାନଙ୍କ ସ୍ୱୀକାରୋକ୍ତି ଯେ ତାଙ୍କ ସଫଳତାରେ ସମାଜ ଅଂଶୀଦାର। ସବୁ ସଫଳ ବ୍ୟକ୍ତି ଏହିଭଳି ନମ୍ରତାର ସହ ସଫଳତାକୁ ଦେଖିବା ଉଚିତ। ଆମ ସଫଳତା ପାଇଁ ଅନ୍ୟମାନଙ୍କର ଅବଦାନ ଅଛି ଓ ଆମକୁ ସୌଭାଗ୍ୟବଶତଃ ସମାଜର ସେବା କରିବାକୁ ସୁଯୋଗ ମିଳିଛି। ବହୁ କଷ୍ଟ ହୁଏ ଯେତେବେଳେ ସଫଳ ଲୋକ ଅନ୍ୟକୁ ଛୋଟିଆ ସାହାଯ୍ୟଟିଏ କରିବାକୁ କୁଣ୍ଠାବୋଧ କରନ୍ତି। ତାଙ୍କୁ ଭେଟିବା ପାଇଁ ଅନେକ ଗୁହାରି କରିବାକୁ ପଡ଼େ। ଅନ୍ୟମାନଙ୍କୁ ହେୟଜ୍ଞାନ କରିବା ବା ଲଜ୍ଜିତ କରିବା ପ୍ରବୃତ୍ତି ଏକ ବ୍ୟବସ୍ଥାଗତ ସମସ୍ୟା। ଅନ୍ୟକୁ ଛୋଟ ନ କରି ଆମେ ନିଜକୁ ବଡ଼ ବୋଲି ପରିଚିତ କରିବା କେମିତି? ସଫଳତାର ସଂଜ୍ଞା ବଦଳାଇବାକୁ ହେବ। କାହିଁକି ସର୍ବଭାରତୀୟ ସେବା ବା ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ସମାଜ ଓ ଗଣମାଧ୍ୟମ ହିରୋ କରି ସଜାଉଛି। ପ୍ରତ୍ୟେକ ବୃତ୍ତିର ସମାଜ ପ୍ରତି ଅବଦାନ ରହିଛି। ଜଣେ ଡାକ୍ତର ଯେଉଁଭଳି ସମାଜକୁ ସେବା ଯୋଗାଉଛନ୍ତି, ସେହିଭଳି ଜଣେ ପୁଲିସ୍ କର୍ମଚାରୀ, ନର୍ସ, ଶିକ୍ଷକ, ମେକାନିକ୍, ଚାଷୀ ବା ସଫେଇ କର୍ମଚାରୀ ମଧ୍ୟ ସମାଜକୁ ସେବା କରୁଛନ୍ତି। ସମସ୍ତେ ‘ହିରୋ’। ପ୍ରତ୍ୟେକ ବୃତ୍ତି ପ୍ରତି ସମ୍ମାନ ସୃଷ୍ଟି କରିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତି ଉତ୍ପାଦନଶୀଳ ହୋଇ ସମାଜରେ ସ୍ୱୀକୃତି ଚାହେଁ; ମାଗଣା ଖାଉଟି ଭାବେ ଅନୁକମ୍ପା ନୁହେଁ। ଗଣତନ୍ତ୍ରର ମୂଳ ଲକ୍ଷ୍ୟ ହେଲା ସାମୂହିକ ସ୍ୱାର୍ଥକୁ ନେଇ ଏକ ସୁସ୍ଥ ସମାଜ ଗଢ଼ିବା। ବର୍ତ୍ତମାନ ବ୍ୟବସ୍ଥାଟିରେ କିଛି ସଫଳ ଓ ଅନେକ ବିଫଳଙ୍କ ମଧ୍ୟରେ ବ୍ୟବଧାନ ଏଭଳି ଯେ କୌଣସି ସାମୂହିକ ହିତର ପରିକଳ୍ପନା ସମ୍ଭବପର ନୁହେଁ। ବହୁ ଲୋକଙ୍କ ଗ୍ଲାନିକୁ ଅଣଦେଖା କଲେ, ଗଣତନ୍ତ୍ର ଅସ୍ଥିର ଓ ଦିଗହରା ହେବ।

ଲେଖକ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର,
ମତ ବ୍ୟକ୍ତିଗତ

ସମ୍ବନ୍ଧିତ ଖବର