ସାମୁଦ୍ରିକ ବାତ୍ୟାର ପ୍ରାକୃତିକ ଢାଲ

ସତ୍ୟଶୋଭନ ଦାସ

ପ୍ରାୟ ପ୍ରତି ବର୍ଷ ଓଡ଼ିଶା ଘୂର୍ଣ୍ଣି ବଳୟ ଜନିତ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୁଏ। ତେବେ ଏହା ଦ୍ବାରା ଆମ ରାଜ୍ୟରେ ସିନା ଜୀବନ ହାନି ହେଉନାହିଁ; କିନ୍ତୁ ପ୍ରଚୁର ଧନସଂପତ୍ତି କ୍ଷୟକ୍ଷତି ହେଉଛି। ନିକଟରେ ୟାସ ବାତ୍ୟାର ଦୁଷ୍ପ୍ରଭାବ ଆମେ ଦେଖିଲେ। ଏହା ପୂର୍ବରୁ କେତେ କେତେ ବାତ୍ୟା ଓ ମହାବାତ୍ୟା ଆମ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳକୁ ବିଧ୍ବସ୍ତ କରିଛି। ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ ଯେତେବେଳେ ଓଡ଼ିଶା ସରକାର ଏହାର ସ୍ଥାୟୀ ସମାଧାନ ପାଇଁ କାର୍ଯ୍ୟ କରିବା କଥା କହୁଛନ୍ତି, ସେତେବେଳେ ଆମେ ପ୍ରାକୃତିକ ଏବଂ ଭିତ୍ତିଭୂମିଗତ ସମାଧାନ ବିଷୟରେ ଚିନ୍ତା କରିବା ଆବଶ୍ୟକ। ଇତିମଧ୍ୟରେ ଆମ ରାଜ୍ୟରେ ଭିତ୍ତିଭୂମିଗତ ମଡେଲଗୁଡ଼ିକ ଉପରେ ବେଶ୍‌ ଭଲ ଭାବରେ ବିଚାରବିମର୍ଶ ହୋଇ ସାରିଲାଣି। ଏହି ଆ‌ଧାରରେ କୁହାଯାଉଛି ଯେ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ଆମକୁ ପ୍ରାକୃତିକ ସମାଧାନ ଉପରେ ଚିନ୍ତା କରିବାକୁ ପଡ଼ିବ।

ସମୁଦ୍ର କୂଳର ସୁରକ୍ଷା ପାଇଁ ଝାଉଁ ବଣ ଓ ହେନ୍ତାଳ ବଣ ଆବାହମାନ କାଳରୁ ପ୍ରକୃତିର ଭାରସାମ୍ୟକୁ ରକ୍ଷା କରି ଆସୁଛନ୍ତି। ଏହା ବାତ୍ୟା ବିରୋଧରେ ଏକ ପ୍ରାକୃତିକ ଢାଲ ସଦୃଶ। କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ଏହାର ସୃଷ୍ଟି ଓ ସଂରକ୍ଷଣ କରିନାହୁଁ ଏବଂ ଏହାର ଉପଯୋଗିତା ଉପରେ ଅଧିକ ଆଲୋଚନା ମଧ୍ୟ କରୁନାହୁଁ। ସମୁଦ୍ର କୂଳରେ ଅନେକ ସରକାରୀ ଜଙ୍ଗଲ ଜମି ଅବୈଧ କବ୍‌ଜାରେ ଅଛି। ସେହିସବୁ ଜମିରେ ଝାଉଁ ବଣ ସୃୃଷ୍ଟି କରାଯାଇ ପାରିବ, ଯାହା ଫଳରେ ସମୁଦ୍ର କୂଳରେ ଅପାତତଃ ଏକ କିଲୋମିଟର ଓସାରର ଏକ ସବୁଜିମା ଭରା ବଳୟ ସୃଷ୍ଟି କରାଯାଇ ପାରିବ। ପ୍ରାଧାନ୍ୟତା ଦୃଷ୍ଟିକୋଣରୁ ସମୁଦ୍ର ସଂଲଗ୍ନ ଗ୍ରାମଗୁଡ଼ିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରା ଯାଇପାରିଲେ, କ୍ଷୟକ୍ଷତିକୁ ଅନେକ ମାତ୍ରାରେ କମାଇ ଦିଆଯାଇ ପାରିବ। ସୁନାମି ଭଳିଆ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ପାଇଁ ସମୁଦ୍ର କୂଳେ କୂଳେ ପ୍ରସ୍ତାବିତ ଉପକୂଳ ରାଜପଥ(costal highway) କାମକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ। ଏହା ସମୁଦ୍ର କୂଳବର୍ତ୍ତୀ ଅଂଚଳରେ ସୁନାମି ସମୟର ଉଚ୍ଚା ଢେଉକୁ ପ୍ରତିବାଧ କରିବା ସହିତ କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ସମୁଦ୍ର ଯେଉଁ କୂଳ ଲଂଘୁଚି, ତାହାକୁ ମଧ୍ୟ ପ୍ରତିହତ କରିବ। ଏହା ଛଡ଼ା ଉପକୂଳ ରାଜପଥ (costal highway) ପାଖରେ ଯଦି ଉପକୂଳ ଅର୍ଥନୈତିକ କ୍ଷେତ୍ର(costal economical zone) ସୃଷ୍ଟି କରାଯାଇ ସରକାରୀ ଜାଗାରେ ବିଭିନ୍ନ ଉଦ୍ୟୋଗ ଖେ‌ାଲା ଯାଇପାରିବ, ତେବେ ସମୁଦ୍ର କୂଳବର୍ତ୍ତୀ ଲୋକଙ୍କର ଆର୍ଥିକ ଉନ୍ନତିରେ ତାହା ସହାୟକ ହେବ। ତା’ ଛଡ଼ା କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ (CSR) ଜରିଆରେ କିଛି ଅର୍ଥ ସେହି ଅଂଚଳର ଲୋକଙ୍କ ମଧ୍ୟରେ ସ୍ଥାୟୀ ଗୃହ ନିର୍ମାଣ ପ୍ରୋତ୍ସାହନ ରାଶି ଆକାରରେ ଆବଣ୍ଟନ କରାଯାଇ ପାରିବ।

ବାତ୍ୟାକୁ ଆମେ ରୋକି ପାରିବୁ ନାହିଁ; କିନ୍ତୁ ତା’ର ପ୍ରଭାବକୁ କମ୍‌ କରାଯାଇପାରେ। ଏକ ସୁପରିକଳ୍ପିତ ନୀତି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତିକୁ ଅନେକଟା ହ୍ରାସ କରିପାରିବ। ଆମର ପ୍ରାଥମିକ ଧ୍ୟାନ ସବୁଜ ବଳୟର ସୁରକ୍ଷା, ସଂରକ୍ଷଣ ଏବଂ ସ୍ଥାୟୀ ପୁନଃ ନିର୍ମାଣ କୈନ୍ଦ୍ରିକ ହେବା ଉଚିତ। ଏହା ଭବିଷ୍ୟତ୍‌ ପାଇଁ ଏକ ଏକ ସ୍ଥାୟୀ ସମାଧାନ ହୋଇପାରିବ। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ସହାଭାଗିତାରେ ଆମେ ସମର୍ଥ ପରିବେଶ ସଂରକ୍ଷଣ କରିପାରିବୁ। ନିକଟ ଅତୀତରେ ଏଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ନୀତି କାର୍ଯ୍ୟକାରୀ କରାଯାଇନାହିଁ, ଯାହା କରାଯିବାର ସମୟ ଏବେ ଉପନୀତ।

ବାଲିଆପାଳ ବ୍ଲକ୍‌ର ଆମ୍ବଚୁଆ, ଚୌମୁଖ ଡାଗରା ଭଳି ବହୁ ଗ୍ରାମର ହଜାର ହଜାର ହେକ୍ଟର ଜମି ସମୁଦ୍ର ଜଳରେ ମଗ୍ନ ହୋଇଛି। ଆମେ କିପରି ପ୍ରାକୃତିକ ଜଙ୍ଗଲ ନଷ୍ଟ କରିଚାଲିଛୁ ତାହା ୧୫ ବର୍ଷ ପୂର୍ବର ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ଯାହା ଆଜି ପର୍ଯ୍ୟନ୍ତ ଚାଲୁ ରହିଛି। ବିଖ୍ୟାତ ପରିବେଶବିତ୍‌ ସୁନ୍ଦରଲାଲ ବହୁଗୁଣା କହିଥିଲେ ‘ଇକୋଲୋଜି’ ହେଉଛି ସ୍ଥାୟୀ ‘ଅର୍ଥନୀତି’। ଏହି କ୍ଷୁଦ୍ର ବାକ୍ୟର ଗୁରୁତ୍ବ ବୁଝିଲେ ହୃଦୟଙ୍ଗମ କରିହୁଏ ଯେ ‘ଇକୋଲୋଜି’ ହେଉଛି ପ୍ରକୃତ ସଂପଦ।

ତେଣୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଝାଉଁ ଓ ହେନ୍ତାଳ ଜଙ୍ଗଲ ସୃଷ୍ଟି, ସୁରକ୍ଷା ଏବଂ ସଂରକ୍ଷଣ ଆଜିକାର ପ୍ରାକୃତିକ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଏହା ତଥ୍ୟ ଏବଂ ପ୍ରମାଣ ଆଧାରିତ। ତେଣୁ, ଏଥି ଲାଗି ଆମକୁ ଏକ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିବାକୁ ପଡ଼ିବ। ଏହି ତଥ୍ୟକୁ ନେଇ ବୌଦ୍ଧିକ ବିମର୍ଶ ମଧ୍ୟ ଆବଶ୍ୟକ। ଏହା ସମ୍ଭବ ହେଲେ ଉପକୂଳ ଓଡ଼ିଶାବାସୀ ନିଶ୍ଚିତ ଭାବେ ଉପକୃତ ହେବେ। ଏଭଳି ଏକ ପଦକ୍ଷେପ ପ୍ରାକୃତିକ ବିପର୍ଯ୍ୟୟରୁ ଧନ ଓ ଜୀବନକୁ ରକ୍ଷା କରିବା ସହିତ ଏକ ସୁନ୍ଦର ପରିବେଶ ମଧ୍ୟ ସୃଷ୍ଟି କରିବ।

ବାଲିଆପାଳ, ବାଲେଶ୍ବର

ସମ୍ବନ୍ଧିତ ଖବର