ବ୍ୟକ୍ତି ଓ ବ୍ୟବସ୍ଥା

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ବନ୍ଦଗୀ ହମନେ ଛୋଡ଼ ଦି ହେ ଫରାଜ୍‌
କ୍ୟା କରେଁ ଲୋଗ୍‌ ଜବ୍‌ ଖୁଦା ବନ ଯାଏଁ-(ଅହମଦ ଫରାଜ୍‌: ଉର୍ଦ୍ଦୁ ଶାୟର)

ଏ ପୃଥିବୀ ବୈଜ୍ଞାନିକଙ୍କର ନୁହେଁ କି ଦାର୍ଶନିକଙ୍କର ନୁହେଁ। ଧନୀଙ୍କର ନୁହେଁ କି ମାନୀଙ୍କର ନୁହେଁ। ଯେଉଁମାନେ ଆଉ ସାଧାରଣ ମଣିଷ ହୋଇ ରହିନାହାନ୍ତି, ଯେଉଁମାନେ ନିଜ ନିଜର ବିଶେଷାଧିକାର ବଳରେ ବଳୀୟାନ ଓ ସାଧାରଣ ମଣିଷଙ୍କ ଭଳି ପୃଥିବୀର କରୁଣାରେ ବଞ୍ଚନ୍ତି ନାହିଁ ବା ଯାହାଙ୍କ ପାଖରେ ପୃଥିବୀ ଆଗରେ କୃତଜ୍ଞ ଓ ନତମସ୍ତକ ହୋଇ ରହିବାର ବିବେକ ନାହିଁ, ସେମାନେ ପୃଥିବୀକୁ ବ୍ୟବହାର କରନ୍ତି, ସେମାନେ ପୃଥିବୀର ମାତୃତ୍ବକୁ ବୁଝନ୍ତି ବୋଲି କହନ୍ତି, କିନ୍ତୁ ମାନନ୍ତି ନାହିଁ। ସେମାନଙ୍କର ସମସ୍ତ ବକ୍ତବ୍ୟରେ ଥାଏ ନିଜର ବଡ଼ିମାର ବ୍ୟାଖ୍ୟାନ। ସାଧାରଣ ମଣିଷ ଯେଉଁମାନଙ୍କୁ ବିଜ୍ଞାନ, ଦର୍ଶନ, ରାଜନୀତି, ଅର୍ଥନୀତି ବାଟ କାଟି ଯାଆନ୍ତି, ସେମାନଙ୍କୁ ପୃଥିବୀ କୋଳେଇ ଧରିଥାଏ। ସେମାନଙ୍କ ପାଇଁ ଶସ୍ୟ ସୃଷ୍ଟି କରେ, ଫୁଲଫଳରେ ଲଦି ହୁଏ, ପୁଣି ଅକାଳ ଓ ଦୁର୍ବିପାକରେ ବାଡ଼େଇ କଚାଡ଼ି ଅଧିକ ଦୁଃଖ ଓ ଅଭାବ ସହିବା ପାଇଁ ପ୍ରସ୍ତୁତ କରେ। ଦୁଃଖିନୀ ମା’ଟିଏ ଯେମିତି। ଏମାନେ ଚିରକାଳ ମା’ କୋଳରେ ରହିଯା’ନ୍ତି, ଅଭାବ ଥାଏ, ଅନଟନ ଥାଏ, କିନ୍ତୁ କ୍ଷୋଭ ନ ଥାଏ। କ୍ଷୋଭ ନ ଥାଏ କାରଣ ମହତ୍ତ୍ବାକା˚କ୍ଷା ନ ଥାଏ। ମହତ୍ତ୍ବାକା˚କ୍ଷା ଥାଏ ସେମାନଙ୍କର, ଯେଉଁମାନେ ଭାବନ୍ତି ସେମାନେ ଅନେକ କିଛି ପାଇବାର ଯୋଗ୍ୟ, କିନ୍ତୁ କେହି ତାଙ୍କୁ ସେଥିରୁ ବ˚ଚିତ କରିଚି। କିଏ ଯେ ‘ସେହି’? ଈଶ୍ବର, ଭାଗ୍ୟ, ବୈରୀ, ପରିବେଶ ଓ ବ୍ୟବସ୍ଥା ୟାଙ୍କ ଭିତରୁ କେହି ତାଙ୍କୁ ବ˚ଚିତ କରିପାରିଥାଏ। ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ପୂଜା ଅର୍ଚ୍ଚନା ବଢ଼େଇ ଦିଅନ୍ତି, ଭାଗ୍ୟକୁ ରଖନ୍ତି ସୁବିଧାରେ କିଛି ନ ହେଲେ ନିନ୍ଦିବା ପାଇଁ, ପରିବେଶକୁ ନିୟନ୍ତ୍ରଣ କରିବା ପାଇଁ ଚକ୍ରାନ୍ତ କରନ୍ତି ଓ ବୈରୀଗ˚ଜନ ପାଇଁ ଚକ୍ରାନ୍ତ ଓ ଦୁରଭିସନ୍ଧିରେ ଅହରହ ଜଳନ୍ତି, ଅସହିଷ୍ଣୁ ହୁଅନ୍ତି। କିନ୍ତୁ ଯାହା ଭିତରେ ପ୍ରବେଶ କରିବା ତାଙ୍କ ପକ୍ଷରେ ସହଜ ହୁଏ ନାହିଁ ତାହା ହେଲା ବ୍ୟବସ୍ଥା। ବ୍ୟକ୍ତି ସହିତ ବ୍ୟବସ୍ଥାର ସ˚ପର୍କ ସେ ଦିଗରୁ ଲୋକକ୍ଷେତ୍ରରେ ଏକ ଗମ୍ଭୀର ଚର୍ଚ୍ଚାର ବିଷୟ। ଏ ବାବଦରେ ଦୁଇଟି ସମୀକରଣ ଦିଏଁ। ଗୋଟିଏ ସମୀକରଣ ହେଉଚି ବ୍ୟକ୍ତି ଓ ବ୍ୟବସ୍ଥାର ସହାବସ୍ଥାନ। ଅର୍ଥାତ୍‌ ବ୍ୟବସ୍ଥା ବ୍ୟକ୍ତିଙ୍କ ଦ୍ବାରା ଚାଲୁଚି, ଅଥଚ ବ୍ୟବସ୍ଥା ସହିତ ବ୍ୟକ୍ତିର ସ˚ଘର୍ଷ ନାହିଁ। ଏ ସମୀକରଣ ଗଣତନ୍ତ୍ରର ଏକ ମୌଳିକ ଆବଶ୍ୟକତା। ଯେଉଁମାନେ ବ୍ୟବସ୍ଥାର ଅ˚ଶ, ସେମାନେ ବ୍ୟବସ୍ଥାର ଅନୁରୂପ କାର୍ଯ୍ୟ କରିବେ ଓ ବ୍ୟକ୍ତିଗତ ମହତ୍ତ୍ବାକା˚କ୍ଷା ବା ସୁବିଧା ସୁଯୋଗ ପାଇଁ ବ୍ୟବସ୍ଥାକୁ ଭ୍ରମିତ କରିବେ ନାହିଁ ବା ତା’ର ଅପବ୍ୟବହାର କରିବେ ନାହିଁ। ଦ୍ବିତୀୟ ସମୀକରଣ ସଦା ବିଭ୍ରାନ୍ତ। ଏ ସମୀକରଣରେ ବ୍ୟକ୍ତି ଏତେ ଶକ୍ତିଶାଳୀ ଯେ ସେ ଗଣତନ୍ତ୍ରରେ ମଧୢ ନିଜ ଇଚ୍ଛା ଅନୁସାରେ ବ୍ୟବସ୍ଥାକୁ ବିକୃତ କରି ଚଳାଇପାରେ। ଏ ଦୁଇଟି ଯାକ ସମୀକରଣ ଗଣା ହୁଅନ୍ତି ଗଣତନ୍ତ୍ରରେ; କାରଣ, ଗଣତନ୍ତ୍ରରେ ବୈଷମ୍ୟକୁ କୌଣସି ଉପାୟରେ ଅଧିକାରମଣ୍ତିତ କରିବାର ‘ବ୍ୟବସ୍ଥା’ ନାହିଁ, ଏପରି କି ବ୍ୟକ୍ତିକୈନ୍ଦ୍ରିକ ବ୍ୟବସ୍ଥା ବି ଏଠି ଆଇନର ଶାସନ ଭିତରେ ରହିବାକୁ ବାଧୢ।

ଏଇ କିଛିଦିନ ତଳେ ଗଣତନ୍ତ୍ରରେ ବ୍ୟବସ୍ଥାର ପ୍ରୟୋଗ-ବିଜ୍ଞାନରେ ଯୋଡ଼ିଏ ଉଦାହରଣ ଦେଖିବାକୁ ମିଳିଲା। ପ୍ରଥମ ଉଦାହରଣଟି ଘଟିଲା ପଶ୍ଚିମବ˚ଗରେ। ବାତ୍ୟାର କ୍ଷୟକ୍ଷତି ବିଷୟରେ ଆଲୋଚନା ପାଇଁ ପଶ୍ଚିମବ˚ଗରେ ଉପସ୍ଥିତ ଥିଲେ ଭାରତର ପ୍ରଧାନମନ୍ତ୍ରୀ। ପଶ୍ଚିମବ˚ଗର ମୁଖ୍ୟମନ୍ତ୍ରୀଙ୍କ ସହିତ ସେ ଆଲୋଚନା କରିଥାନ୍ତେ। କିନ୍ତୁ ଆଲୋଚନାକୁ ଆସିଲେ ନାହିଁ ପଶ୍ଚିମବ˚ଗର ମୁଖ୍ୟମନ୍ତ୍ରୀ। ଅଧଘଣ୍ଟାଏ ଅପେକ୍ଷା କରେଇଲେ ପ୍ରଧାନମନ୍ତ୍ରୀଙ୍କୁ ଓ ତା’ପରେ ଆସି ପହଞ୍ଚିଲେ ଓ କହିଲେ ତାଙ୍କର ଅନ୍ୟତ୍ର ପୂର୍ବ ନିର୍ଦ୍ଧାରିତ ସଭା ଅଛି, ତେଣୁ ସେ ପ୍ରଧାନମନ୍ତ୍ରୀଙ୍କୁ ସମୟ ଦେଇପାରିବେ ନାହିଁ। ଗଣତନ୍ତ୍ରର ଇତିହାସରେ ଏଭଳି ଲଜ୍ଜାକର ଘଟନା ବୋଧହୁଏ ବିଶ୍ବର କୌଣସି ସ˚ଘୀୟ ରାଷ୍ଟ୍ରରେ ଏ ଯାବତ୍‌ ଘଟି ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ କ’ଣ କଲେ? ପ୍ରଧାନମନ୍ତ୍ରୀ କିଛି କହିଲେ ନାହିଁ, ଭଦ୍ରତା ଓ ଉଦାର ସହନଶୀଳତାର ପରିଚୟ ଦେଲେ। ପଶ୍ଚିମବ˚ଗର ରାଜ୍ୟ ସରକାରଙ୍କ ସହିତ ଆଲୋଚନା ହୋଇପାରିଲା ନାହିଁ ସିନା ଭାରତର ପ୍ରଧାନମନ୍ତ୍ରୀ ତାଙ୍କର ମହାନୁଭବତା ଦ୍ବାରା ଅଶାଳୀନତାର ମୁକାବିଲା କଲେ। ବ୍ୟକ୍ତି ବ୍ୟବସ୍ଥା କିପରି ଚଳାଏ ତା’ର ନମୁନା ଏଇଠି। ବ୍ୟକ୍ତି ମମତା ବାନାର୍ଜୀ, ବ୍ୟକ୍ତିଗତ ଶତ୍ରୁତାର ସ୍ତରକୁ ନେଇଗଲେ ବ୍ୟବସ୍ଥାକୁ ଓ ପରିଣତି ସ୍ବରୂପ ବ୍ୟବସ୍ଥା ଅକାମୀ ହୋଇଗଲା। ସେ ବ୍ୟବସ୍ଥା ଥିଲା ଦୁର୍ବିପାକରେ କ୍ଷୟକ୍ଷତି ଆକଳନରେ ସ˚ଘୀୟ ରାଷ୍ଟ୍ରରେ ଦ୍ବୈତ ଭୂମିକା। ବ୍ୟବସ୍ଥା ନଷ୍ଟ କଲେ ପଶ୍ଚିମବ˚ଗର ମୁଖ୍ୟମନ୍ତ୍ରୀ ଜଣେ ବ୍ୟକ୍ତି ଭାବରେ, ମୁଖ୍ୟମନ୍ତ୍ରୀ ଭାବରେ ନୁହଁ। ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆହୂତ ଆଲୋଚନା ସଭାରେ ସେ ଉପସ୍ଥିତ ରହିବାକୁ ବାଧୢ। ଅନ୍ୟ କୋଉଠି ସଭା ଅଛି ତେଣୁ ସେ ପ୍ରଧାନମନ୍ତ୍ରୀଙ୍କ ସଭାରେ ଯୋଗ ଦେଇପାରିବେ ନାହିଁ! କି ଆସ୍ପର୍ଦ୍ଧା ଏ! ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ନିଜକୁ ଦେଶର ପ୍ରଧାନମନ୍ତ୍ରୀଙ୍କ ସମକକ୍ଷ ବା ପ୍ରତିଦ୍ବନ୍ଦ୍ବୀ ଭାବିବା ହାସ୍ୟାସ୍ପଦ, କିନ୍ତୁ ଗଣତନ୍ତ୍ର ପାଇଁ ମାରକ। ରାଜନୀତି ମଧୢ ଗୋଟିଏ ବ୍ୟବସ୍ଥା, ୟାକୁ କରାୟତ୍ତ କରି ନିଜର ପ୍ରତିପତ୍ତି ସ୍ଥାପନ କରିବା ସମ୍ଭବ, କିନ୍ତୁ ରାଷ୍ଟ୍ର ବା ରାଜ୍ୟ, ଥରେ ନିର୍ମିତ ହେଲା ପରେ ଆଉ ରାଜନୀତିର ଅଧସ୍ତନ ନୁହନ୍ତି, ଏମାନଙ୍କର ଗୋଟିଏ ଲେଖାଏଁ କାନୁନୀ ବ୍ୟକ୍ତିତ୍ବ (ଜୁରିଷ୍ଟିକ୍‌ ପର୍ସୋନାଲିଟି) ମଧୢ ପ୍ରତିଷ୍ଠିତ ହୁଏ। ଅର୍ଥାତ୍‌ ଭାରତ ସରକାର ଓ ରାଜ୍ୟ ସରକାର ଜଣେ ଲେଖାଏଁ କାନୁନୀ ବ୍ୟକ୍ତିତ୍ବ, ଯାହାଙ୍କର ସୁନିର୍ଦ୍ଦିଷ୍ଟ ଜୀବନ ପ୍ରଣାଳୀ ଓ ସ˚ସ୍କାର ଅଛି। ୟାକୁ କୁହାଯାଏ ‘ଲ ଏଷ୍ଟାବ୍ଳିସ୍‌ଡ୍‌’, ବା କାନୁନ୍‌ ଦ୍ବାରା ପ୍ରତିଷ୍ଠିତ ସାମ୍ବିଧାନିକ ବ୍ୟବସ୍ଥା। ୟାକୁ ଉଲ୍ଲ˚ଘନ କରିବା ଗଣତନ୍ତ୍ରରେ ଏକ ଅପରାଧ ମାତ୍ର ନୁହେଁ, ବ୍ୟକ୍ତିଗତ ଭାବରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭର୍ତ୍ସନା କରିଥିଲେ ମଧୢ କିଛି ଅସୁବିଧା ହୋଇନଥାନ୍ତା। କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ତାହା କଲେ ନାହିଁ, ବର˚ ତାଙ୍କର ନିରବତା ଦ୍ବାରା ସାରା ରାଷ୍ଟ୍ରକୁ ମମତା ବାନାର୍ଜୀଙ୍କ ଅଶାଳୀନ ଓ ବ୍ୟବସ୍ଥା-ପ୍ରତିକୂଳ ବ୍ୟବହାର ବିଷୟରେ ଅବଗତ କରାଇ ଦେଲେ। ଭଦ୍ରଲୋକ ସ˚ସ୍କାରରେ ପରିପୁଷ୍ଟ ବଙ୍ଗଳାର ଲୋକଜୀବନ ଏ ଅଭଦ୍ରତାରେ ଅସ୍ବସ୍ତି ଅନୁଭବ କରିଥିବ ନିଶ୍ଚୟ। କିନ୍ତୁ ଏ ଦୁଃଖଦ ଦୃଷ୍ଟାନ୍ତରେ ଯାହା ଲକ୍ଷଣୀୟ, ତାହା ହେଲା ଭାରତୀୟ ଗଣତନ୍ତ୍ରରେ ରାଜନୈତିକ ଶକ୍ତି ଖେଳ ସ୍ଥାନରେ ଅସ˚ଭ୍ରମ ଓ ବୈର ଭାବର ବ୍ୟକ୍ତି ଚରିତ୍ର ସକ୍ରିୟ ହେବା ଆରମ୍ଭ କରିଚି। ମଣିଷ ଈଶ୍ବର ହେଲେ ପ୍ରଣିପାତ କରିବା କାହାକୁ?

କିନ୍ତୁ ନା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଷ୍ଟ୍ରକୁ ଦେଖେଇ ଦେଲେ କେନ୍ଦ୍ର-ରାଜ୍ୟ ସ˚ପର୍କରେ ବ୍ୟବସ୍ଥାକୁ କାଏମ ରଖି, ଆଉ ପାଦେ ଉପରକୁ ଉଠିବାର ସମ୍ଭାବନା ସତତ ରହିଚି। ବାତ୍ୟାର କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ। ନବୀନଜୀଙ୍କ ସହିତ ମୋଦୀଙ୍କ ସ˚ପର୍କ କେତେ ଉଷ୍ମ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସକାରାତ୍ମକ ହୋଇପାରେ, ତା’ର ଦୃଶ୍ୟ ଓ ବ୍ୟାଖ୍ୟାନ ଆମେ ମିଡ଼ିଆରୁ ଦେଖିଲେ, ଶୁଣିଲେ ଓ ପଢ଼ିଲେ।

ବିରୋଧୀମାନେ ଯାହା ବି କହନ୍ତୁ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ସ˚ପର୍କର ଗରିମା ଓ ବ୍ୟବସ୍ଥାଗତ ଆବଶ୍ୟକତା ପୂର୍ଣ୍ଣ କରିବାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗୌରବମୟ ଦୃଷ୍ଟାନ୍ତ ପ୍ରସ୍ତୁତ କରିଛନ୍ତି। ସ୍ମରଣରେ ରହୁ ଯେ ଓଡ଼ିଶାର ରାଜନୀତିରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପରସ୍ପରର ବିରୋଧୀ। କିନ୍ତୁ ଦେଖନ୍ତୁ ମୋଦୀଜୀ ଓ ନବୀନଜୀଙ୍କୁ। ପରସ୍ପରକୁ ସେମାନେ କେତେ ଶ୍ରଦ୍ଧା ଓ ସମ୍ମାନର ସହିତ ଦେଖନ୍ତି। କେବଳ ସେମିତି ନୁହେଁ, ମୋଦୀଜୀ ଓଡ଼ିଶାରୁ ଗଲା ପରେ ନବୀନଜୀଙ୍କର ଗୋଟିଏ ବକ୍ତବ୍ୟ ତ ଭାରତୀୟ ରାଜନୀତିରେ ଗୋଟେ ନୂଆ ଅଧୢାୟ ଖୋଲିଦେଲା। ସ˚ଘୀୟ ଗଣତନ୍ତ୍ରରେ ସାଧାରଣ ବ୍ୟବହାର-ଧାରା ଏହି ଯେ କ୍ଷୟକ୍ଷତିର ଆକଳନ ପରେ ଗୋଟେ ବଡ଼ କ୍ଷତିପୂରଣ ମାଗ ଓ ଲୋକଙ୍କୁ କୁହ ଯେ ବହୁ ପୁନର୍ବାସ ଓ ବିକାଶ କାର୍ଯ୍ୟ କେନ୍ଦ୍ରର ଅସହଯୋଗ ହେତୁ ଅସମ୍ପୂର୍ଣ୍ଣ ରହିଗଲା। କିନ୍ତୁ ନବୀନଜୀ କ’ଣ କଲେ? ସେ କହିଲେ: ଏ ଦୁଃସମୟରେ ଦେଶର ଆର୍ଥିକ ସ୍ଥିତି ଏତେ ବଡ଼ ସ˚କଟରେ ଅଛି, ତେଣୁ ଆମେ କୌଣସି କ୍ଷତିପୂରଣ ଦାବି ପ୍ରସ୍ତୁତ କରିବା ବିବେକସ˚ଗତ ମନେ କରୁନାହୁଁ, ଆମେ ନିଜ ସମ୍ବଳରୁ କାର୍ଯ୍ୟ ସମ୍ପନ୍ନ କରିବାର ପ୍ରୟାସ କରିବୁ, କ୍ଷତି ଆକଳନ ହେଲା ପରେ ଦେଖାଯିବ ଆଉ କେତେ ସମ୍ବଳ ଦରକାର।

କହିବାରେ ଦ୍ବିଧା ନାହିଁ ଯେ ଭାରତୀୟ ଗଣତନ୍ତ୍ରରେ ଏଭଳି ମନ୍ତବ୍ୟ ଦେଇଥିବା ସ୍ବାଭିମାନୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଗୁଣ ପାଇଁ, ଏହି ବିବେକ ଓ ଦୂରଦର୍ଶିତା ପାଇଁ ମୋଦୀଜୀ ସମ୍ମାନ କରନ୍ତି। ଏପରି କି ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର କୀର୍ତ୍ତିମାନ ମନ୍ତ୍ରୀ ତଥା ମୋଦୀଙ୍କ ବ୍ୟକ୍ତିଗତ ଶ୍ରଦ୍ଧା ଓ ସମ୍ମାନର ପାତ୍ର ଧର୍ମେନ୍ଦ୍ରଜୀ ମୁକ୍ତ ସଭାଗୃହରେ ନବୀନଜୀଙ୍କ ଭଦ୍ରତା ଓ ସ˚ଭ୍ରମର ପ୍ରଶ˚ସା କରନ୍ତି। ଅଥଚ ଦୁଇ ଦଳ ଭିତରେ ଓ ବ୍ୟକ୍ତିମାନଙ୍କ ମଧୢରେ ପ୍ରବଳ ରାଜନୈତିକ ମତପାର୍ଥକ୍ୟ! ଏଠି ମଧୢ ସେଇ ବ୍ୟକ୍ତିର କଥା ଆମେ କହୁଚେ ଯିଏ ବ୍ୟବସ୍ଥାକୁ ସମ୍ମାନ ପ୍ରଦର୍ଶନ କରିବା ମାର୍ଗରେ ହିଁ ତା’ର ନେତୃତ୍ବର ପରାକାଷ୍ଠା ପ୍ରଦର୍ଶନ କରିପାରେ। ନବୀନଜୀ ସ˚ଭ୍ରମ ପ୍ରଦର୍ଶନ କରି ଛୋଟ ହୋଇଗଲେନି କି ମୋଦୀଜୀ ସସ୍ନେହ ଆନ୍ତରିକତା ପ୍ରଦର୍ଶନ କରି ଛୋଟ ହୋଇଗଲେନି। ଦୁହେଁ ତାଙ୍କ ନିଜ ନିଜର ଉଚ୍ଚତାକୁ ଆହୁରି ଉପରକୁ ଉଠାଇଲେ। ଗଣତନ୍ତ୍ରର ମହିମା ବଢ଼ିଲା।

୧୭୫୯ରେ ଆଦାମ୍‌ ସ୍ମିଥ୍‌ ଗୋଟିଏ କାଳଜୟୀ ଗ୍ରନ୍ଥ ରଚନା କରିଥିଲେ ‘ଦ ଥିଓରି ଅଫ୍‌ ମୋରାଲ ସେଣ୍ଟିମେଣ୍ଟ’। ଓଡ଼ିଆରେ ଅନୁବାଦ କଲେ ହେବ ‘ନୈତିକ ଆବେଗର ତତ୍ତ୍ବ’। ଏ ନୈତିକ ଆବେଗ କାହାର? ବିଶାରଦ ଓ ବିଜ୍ଞାନୀ ତଥା ଦାର୍ଶନିକମାନଙ୍କର ନୈତିକ ଆବେଗ କେତେ? ଏହି ଗ୍ରନ୍ଥରେ ‘ମ୍ୟାନ୍‌ ଅଫ୍‌ ସିଷ୍ଟମ୍‌ସ’ ବା ବ୍ୟବସ୍ଥାର ମଣିଷ ଉପରେ ଏକ ବହୁ ମୂଲ୍ୟ ମନ୍ତବ୍ୟ ଅଛି, ଯାହା ଏହି ଆଲୋଚନା ପାଇଁ ଗୁରୁତ୍ବପୂର୍ଣ୍ଣ। ସ୍ମିଥ୍‌ କହୁଚନ୍ତି ଯେ ବ୍ୟବସ୍ଥାର ମଣିଷମାନେ ଶାସନ କଳର ମଣିଷ, ଏମାନେ ବ୍ୟବସ୍ଥାକୁ ଏଭଳି କଠୋର ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି ଯେ ସତେ ଯେମିତି ମଣିଷଗୁଡ଼ା ଚେସ୍‌ ବୋର୍ଡର ପ୍ରାଣବଳି ପାଇଁ ପ୍ରସ୍ତୁତ ହରକରା (ପନ୍‌ସ୍‌), ରାଜାଙ୍କୁ ବ˚ଚେଇବା ୟାଙ୍କର ଏକମାତ୍ର କାମ। ସତେ ଯେମିତି ସାଧାରଣ ମଣିଷଙ୍କର ଇନ୍ଦ୍ରିୟବୋଧ ନାହିଁ, ଆବେଗ ନାହିଁ, କି ଅବବୋଧ ନାହିଁ। ଏ କଥାର ତାତ୍ପର୍ଯ୍ୟ ଏହି ଦିଗରୁ ଗୁରୁତ୍ବପୂର୍ଣ୍ଣ ଯେ ଗଣତନ୍ତ୍ରର ବିବର୍ତ୍ତନରେ ବ୍ୟବସ୍ଥାର ମଣିଷ ମରିସାରିଚି। ଏଭଳି କେହି ନାହିଁ ଶାସନ ବ୍ୟବସ୍ଥାରେ, ରାଜନୀତିରେ, ଅର୍ଥନୀତିରେ ବା ସମାଜରେ; ଯିଏ ତା’ର ନିଜ ବ୍ୟବସ୍ଥାର ଜୀବନ ପାଇଁ ସାଧାରଣ ମଣିଷଙ୍କ ଜୀବନକୁ ବିପନ୍ନ କରିପାରିବ। କିନ୍ତୁ ସତରେ କ’ଣ ସେ ମରିଚି? ବ୍ୟବସ୍ଥାର ମଣିଷ ତିନିଶହ ବର୍ଷ ପରେ ନୂଆ ରୂପରେ ଆସି ଉଭା ହୋଇଚି। ସେ ନୂଆ ରୂପ ଗୁଡ଼ିକ ହେଲେ (୧) ଗଣତନ୍ତ୍ରର ବ୍ୟବସ୍ଥାକୁ ଭ୍ରୂକ୍ଷେପ ନ କରି ନିଜ ମହତ୍ତ୍ବାକା˚କ୍ଷାର ପ୍ରତିଷ୍ଠା ପାଇଁ ଉଦ୍‌ବାର୍ଯ୍ୟ ହେବା, (୨) ମଣିଷ ପାଇଁ ବିଜ୍ଞାନର ଉପଲବ୍‌ଧି କେତେ ଗୁରୁତ୍ବପୂର୍ଣ୍ଣ ତା’ର ବିଚାର ନ କରି ନିଜର କୁଶାଗ୍ର ବୁଦ୍ଧିକୁ ପ୍ରତିଷ୍ଠା କରିବା ପାଇଁ ଅମାନୁଷିକ ପରୀକ୍ଷଣ ଦ୍ବାରା ନୂଆ ରସାୟନ, ଭୂତାଣୁ, ଜୀବାଣୁ ଓ ମାରଣାସ୍ତ୍ର ବିକଶିତ କରିବା, (୩) ଅର୍ଥନୈତିକ ବିଚାରରେ ‘ଦରିଦ୍ର’କୁ ବିକାଶର ହରକରା ଭଳି ବ୍ୟବହାର କରି ବିଶ୍ବପୁଞ୍ଜିର ପ୍ରଭୁତ୍ବ-ପାଠ ବିକଶିତ କରିବା। (୪) ସାମାଜିକ ନ୍ୟାୟରୁ ପ୍ରକୃତିକୁ ଅଣଦେଖା କରି, ଜୀବନ ଓ ଜୀବିକାକୁ ନେଇ ରାଜନୈତିକ ଓ ଅର୍ଥନୈତିକ ସ˚ଘର୍ଷ ସୃଷ୍ଟି କରିବା। ମଣିଷକୁ ବ˚ଚେଇବା ପାଇଁ ସରକାରଙ୍କ ବ୍ୟବସ୍ଥା ଯଦି ଜୀବନକୁ ଅଧିକ ଗୁରୁତ୍ବ ଦିଏ, ସତର୍କତାର ସହିତ ପାଦ ପକାଏ, ୟାକୁ ସ୍ଥିରତା କହିବା ନା ଦୂରଦର୍ଶିତା କହିବା? (୫) ବ୍ୟବସ୍ଥାକୁ ଯନ୍ତ୍ରବତ୍‌ ନ ଚଳାଇ ଯଦି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମାନବୀୟ କରୁଣା ଓ ସ˚ଭ୍ରମର ଭାଷା କହନ୍ତି, ତାକୁ ନିନ୍ଦା କରି ଯାନ୍ତ୍ରିକ ପରିସ˚ଖ୍ୟାନ ଦେଖାଇବା କାହାର କାମ? (୬) ମହାକାଶ ବିଜ୍ଞାନର ଅନ୍ତରୀକ୍ଷ ଅଭିଯାନର ପରିଣତି କ’ଣ ଏଇଆ ଯେ ଆମାଜନ୍‌ ବିପଣନ ସ˚ସ୍ଥାର ପ୍ରତିଷ୍ଠାତା ବିଶ୍ବର ସର୍ବବୃହତ୍‌ ଧନୀକ ଜେଫ୍‌ ବେଜୋସ୍‌ଙ୍କ କମ୍ପାନି ମହାକାଶରେ ଧନୀକଙ୍କ ଦଶ ମିନିଟ୍‌ର ଭ୍ରମଣ ପାଇଁ ଲକ୍ଷେ ଡଲାର‌୍‌ର ଟିକଟ କାଟି ପୃଥିବୀର ନିରନ୍ନ ସର୍ବହରା ମଣିଷକୁ ପରିହାସ କରିବ? ଏଥିରେ ସହଯୋଗ କରିବ ଆମେରିକାର ସରକାରୀ ବ୍ୟବସ୍ଥା ‘ପେଣ୍ଟାଗନ୍‌’! ବିଜ୍ଞାନର ଉପଲବ୍‌ଧି କ’ଣ ମହାଧନୀଙ୍କ ବିଳାସ ପାଇଁ? ବିଶ୍ବର ପ୍ରତି ମୁଦ୍ରାରେ ସାଧାରଣ ମଣିଷର ଲହୁ ଟୋପାଏ ଅଛି, ୟାକୁ ମନେ ପକେଇ ଦେବ କିଏ?

ଅଶ୍ଳୀଳ, ଅସଭ୍ୟ, ଉଦ୍ଦଣ୍ତ ‘ବ୍ୟବସ୍ଥା ମଣିଷ’ଙ୍କ ଭିତରେ ଅଛନ୍ତି ରାଜନେତା, ବୈଜ୍ଞାନିକ, ଦାର୍ଶନିକ, ଅର୍ଥନୀତିଜ୍ଞ! ନୂଆ-ଜ୍ଞାନୀ ଓ ଶକ୍ତିମାନ ବ୍ୟକ୍ତିମାନେ ବ୍ୟବସ୍ଥା ନିର୍ମାଣ କରି ତାକୁ ଚଳାଇବା ପାଇଁ ଯେତେବେଳେ ତତ୍ପର, ସେତେବେଳେ ୟାର ପ୍ରତିରୋଧ କାହିଁ? ୟାର ପ୍ରତିରୋଧ ଅବଶ୍ୟ ଅଛି। ଆମେ ଜାଣୁ ଆମେ ସାଧାରଣ ଲୋକେ ଅସଭ୍ୟ, ଅଶ୍ଳୀଳ ଓ ଉଦ୍ଦଣ୍ତ ଲୋକଙ୍କୁ ଘୃଣା କଲେ ବି କିଛି କରିପାରୁନି। କରିବେ ସେଇ ରାଜନୀତି, ଦର୍ଶନ, ବିଜ୍ଞାନ ଓ ସମାଜର ଆଉ ଗୋଟେ ଚରିତ୍ରର ଲୋକେ। ସଭ୍ୟ ରାଜନେତା, ଅସଭ୍ୟ ରାଜନେତାଙ୍କୁ ଘୃଣା କରିବେ, ନିଜ ବୁଦ୍ଧିରେ ବଳବାନ୍‌ ବୈଜ୍ଞାନିକଙ୍କୁ ସେହି ବୈଜ୍ଞାନିକ ହଁ ଅସାର ସିଦ୍ଧି କରିବେ। ହରକରା ଅର୍ଥନୀତି ସେହି ଅର୍ଥନୀତିଜ୍ଞ ହିଁ ବଦଳେଇବେ। ମୁଁ ବିଶ୍ବାସ କରେ ଯେ ଦାରିଦ୍ର୍ୟର ଅର୍ଥନୀତିକୁ ‘ନ୍ୟୂନତମ ସ˚ପନ୍ନତା’ର ଅର୍ଥନୀତିରେ ବଦଳାଇବାର କାର୍ଯ୍ୟ ଆରମ୍ଭ ହେଲାଣି। ଘୋଷଣା ବାକି ଅଛି। ଦାରିଦ୍ର୍ୟ ଉନ୍ମୂଳନ ନୁହେଁ ନ୍ୟୂନତମ ସ˚ପନ୍ନତା ହିଁ ବିକାଶର ଲକ୍ଷ୍ୟ ହେଇନି କାଇଁକି ଏଯାଏଁ! ନିଶ୍ଚୟ ହେବ। ସବୁ କ୍ଷେତ୍ରର ‘ଭଲ’ମାନେ ସେହି କ୍ଷେତ୍ରର ‘ଖରାପ’ର ମୁକାବିଲା କରିବେ। ଲୋକକ୍ଷେତ୍ରର ସମର୍ଥନ ସେହି ଭଲ ଲୋକଙ୍କୁ ନିଶ୍ଚୟ ମିଳିବ। ଲୋକଙ୍କୁ ତଥ୍ୟ ଜଣାଇବା କାମ ଆମର; ସବୁ ଶିକ୍ଷିତ ସ˚ପନ୍ନ ମଧୢବର୍ଗୀ ଚିନ୍ତାଶୀଳ ବ୍ୟକ୍ତିଙ୍କର। ସବାଶେଷ ଲୋକେ ବ˚ଚିଲେ ହିଁ ଆମେ ବ˚ଚିବା

ବାଇବେଲ୍‌ରେ ଗୋଟିଏ ଉକ୍ତି ଅଛି ‘ଦ ମିକ୍‌ ବାଲ୍‌ ଇନହେରିଟ୍‌ ଦ’ ଅର୍ଥ; ନିରୀହ ହାତକୁ ହିଁ ଯିବ ଏ ପୃଥିବୀର ଉତ୍ତରାଧିକାର। ସବୁ ବ୍ୟବସ୍ଥା ହେବ ନିରୀହକୁ ବ˚ଚେଇବାର ଶ୍ରେଷ୍ଠତମ ମାନବିକତା! ମଣିଷ ଏଠି ମଣିଷ ହୋଇ ରହିବେ, ଈଶ୍ବର ହେବାର ଆସ୍ପର୍ଦ୍ଧା କରିବେ ନାହିଁ।

ବାଗର୍ଥ, ଏନ୍ ୨/୨୬
ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର