‘ରେବତୀ’ର ବିଶ୍ୱଭ୍ରମଣ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଏଇ ରଜସଂକ୍ରାନ୍ତିରେ ଫକୀରମୋହନ ସେନାପତିଙ୍କ ମୃତ୍ୟୁକୁ ୧୦୩ ବର୍ଷ ପୂରିଲା। ପ୍ରତିବର୍ଷ ତାଙ୍କର ଜନ୍ମଦିନ ମକରସଂକ୍ରାନ୍ତିରେ ବା ମୃତ୍ୟୁଦିନ ରଜସଂକ୍ରାନ୍ତିରେ ଅନେକ ସଭା, ସମିତି ଓ ଉତ୍ସବ ଆୟୋଜିତ ହୋଇଥାଏ। ସେସବୁରେ ତାଙ୍କୁ ଶବ୍ଦରେ ଶବ୍ଦରେ ଦିଆଯାଏ ଅନେକ ଶ୍ରଦ୍ଧାଞ୍ଜଳି। ଏବେ ଅତିମାରୀ କରୋନା ଜନିତ କଟକଣାରୁ ସେସବୁର ଅବକାଶ ପ୍ରାୟ ନାହିଁ। କିନ୍ତୁ ଏଥରର ଶ୍ରାଦ୍ଧଦିବସରେ ଫକୀରମୋହନଙ୍କୁ ଏପରି ଏକ ଉପହାର ଦେଇଛି ଭୁବନେଶ୍ୱରର ‘ଧଉଳି ବୁକ୍‌ସ’, ଯାହା ତାଙ୍କୁ କେବେ ବି ମିଳିନଥିଲା। ତାହା ହେଉଛି, ତାଙ୍କର ପ୍ରଖ୍ୟାତ ଗଳ୍ପ ‘ରେବତୀ’କୁ ନେଇ ଗୋଟିଏ ନୂଆ ବହି- ‘ରେବତୀ- ସ୍ପିକିଂ ଇନ୍ ଟଙ୍ଗ୍‌ସ’। ଓଡ଼ିଆରେ ଏହାକୁ କୁହାଯାଇପାରିବ- ‘ବିବିଧ ଭାଷାରେ ରେବତୀ’।

‘ରେବତୀ’ର ଜନ୍ମ ୧୮୯୮ ମସିହାର ଅକ୍ଟୋବର ମାସ। ସେ ଫକୀରମୋହନଙ୍କର ସାହିତ୍ୟ-ପୁତ୍ରୀ। ତାକୁ ଆମେ ପ୍ରଥମେ ଦେଖିଥିଲୁ ‘ଉତ୍କଳ ସାହିତ୍ୟ’ର ପୃଷ୍ଠାରେ, ଦ୍ୱିତୀୟବର୍ଷ, ଦଶମ ସଂଖ୍ୟା, କାର୍ତ୍ତିକ ୧୩୦୬ ସାଲରେ। ଆମ ପାଇଁ ତାହା ହିଁ ରେବତୀର ଜନ୍ମଦିନ ବା ଜନ୍ମମାସ। ସେ ଦୃଷ୍ଟିରୁ ରେବତୀକୁ ଏବେ ୧୨୩ ବର୍ଷ। କିନ୍ତୁ ‘ରେବତୀ’ର ଏଇ ଦୀର୍ଘ ଜୀବନକାଳରେ ଯାହା ଘଟିନଥିଲା- ତାହା ଏବେ ଘଟିଛି। ମୂଳ ଓଡ଼ିଆ ଗଳ୍ପ ସହିତ, ୩୬ଟି ଭାଷାରେ ତାହା ଗୋଟିଏ ସଂକଳନରେ ପ୍ରକାଶ ପାଇଛି। ଏଥିରେ ‘ରେବତୀ’ ଅଛି ଆମ ଦେଶର ଅନ୍ୟ ୨୨ଟି ଅନୁସୂଚିତ ଭାଷା ଓ ଦୁଇଟି ଅଣ-ଅନୁସୂଚିତ ଭାଷାର ପୋଷାକରେ। ୧୨ଟି ବିଦେଶୀ ଭାଷାର ପୋଷାକ ବି ସେ ପିନ୍ଧିଛି। ଏହାକୁ ଆମେ କହିପାରିବା ଫକୀରମୋହନଙ୍କ ‘ରେବତୀ’ର ବିଶ୍ୱଭ୍ରମଣ। ଏଥିପାଇଁ ଏ ପୁସ୍ତକର ସଂପାଦକ ମନୁ ଦାଶ ଏବଂ ସଂପୃକ୍ତ ସମସ୍ତେ ଆମର ଧନ୍ୟବାଦର ପାତ୍ର।
ସେ ସଂପର୍କରେ ସବିଶେଷ ସୂଚନା ଆଗରୁ, ପ୍ରଥମେ ମୂଳ ‘ରେବତୀ’ ପାଖକୁ ଯିବା।

ଆମ ସାହିତ୍ୟ ପରିସରରେ ଅନେକ ‘ପ୍ରଥମ’ର ପିତା ଫକୀରମୋହନ। ‘ରେବତୀ’ ତାହାର ବ୍ୟତିକ୍ରମ ନୁହେଁ। କାରଣ ଏହା ଆମ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ। ତାହା ଥିଲା ଏପରି ଏକ ସମୟ, ଯେତେବେଳେ କ୍ଷୁଦ୍ରଗଳ୍ପ ଏକ ଆଧୁନିକ ସାହିତ୍ୟିକ ‘ପ୍ରାରୂପ’ (ଜାଁର୍‌) ଭାବରେ ପରିଚିତ ନଥିଲା। ପୁଣି ତାହାର ଲେଖକ ‘ଶ୍ରୀ ଧୂର୍ଜଟି’ ଏକ ଛଦ୍ମନାମ ଥିବାରୁ, ତାହାର ପ୍ରକୃତ ଲେଖକ ଯେ ଫକୀରମୋହନ, ତାହା ପାଠକଙ୍କୁ ସୂଚାଇ ଦେବାର ଆବଶ୍ୟକତା ଥିଲା। ତେଣୁ ତାହାକୁ ତଥା ନିଜକୁ ପାଠକଙ୍କ ନିକଟରେ ପରିଚିତ କରାଇବାର ପ୍ରୟୋଜନ ଫକୀରମୋହନ ସେଦିନ ଅନୁଭବ କରିଥିଲେ।

ତେଣୁ, ‘ରେବତୀ’ ପ୍ରକାଶ ପାଇବାର ଦୁଇମାସ ପରେ, ସେହି ‘ଉତ୍କଳ ସାହିତ୍ୟ’ ପତ୍ରିକାର ଜାନୁଆରି ୧୮୯୯ ସଂଖ୍ୟାରେ ସେ ‘ଶ୍ରୀ’ ଛଦ୍ମନାମରେ ଏକ ଲେଖା ଲେଖିଥିଲେ। ତାହାର ଶୀର୍ଷକ ଥିଲା ‘ସମାଲୋଚନା?’। ତାହା ଏକ ସାକ୍ଷାତ୍‌କାର ଭାବରେ ବା କଥୋପକଥନ ରୀତିରେ ଉପସ୍ଥାପିତ। ତାହା ଥିଲା ‘ମୋହନ’ ବା ‘ମୋ’ ଓ ‘ଶଙ୍କର’ ବା ‘ଶ’ଙ୍କ ମଧ୍ୟରେ ବାର୍ତ୍ତାଳାପ। ଏହି ‘ମୋହନ’ ବା ‘ମୋ’ ହେଉଛନ୍ତି ଫକୀରମୋହନ ଏବଂ ‘ଶଙ୍କର’ ବା ‘ଶ’ ହେଉଛନ୍ତି ‘ଉତ୍କଳ ଦୀପିକା’ର ସଂପାଦକ ଗୌରୀଶଙ୍କର।

‘ସମାଲୋଚନା?’ ଶୀର୍ଷକ ସେହି ଲେଖାର ପ୍ରଥମ କେତୋଟି ଧାଡ଼ି ଏମିତି-
ମୋହନ: ରେବତୀକି ଦେଖିଛ?
ଶଙ୍କର: ରେବତୀ କିଏ?
ମୋ: ରେବତୀ ଗୋଟିଏ ଦୁଇ-ତିନି ମାସିଆ ଝିଅ।
ଶ: କାହା ଝିଅ?
ଶ: ସାରିଆ ଭଉଣୀ।
ଶ: କାହା ଝିଅ?
ମୋ: ତାର ଗୋଟିଏ ଭାଇ ନାଁ- ଛ ମାଣ ଆଠଗୁଣ୍ଠ।

‘ଧଉଳି ବୁକ୍ସ’ର ଏହି ସଦ୍ୟତମ ଅନୂଦିତ ପୁସ୍ତକରେ ଖ୍ୟାତନାମା ଇଂରେଜୀ ଲେଖକ ଚନ୍ଦ୍ରହାସ ଚୌଧୁରୀ ‘ପ୍ରାକ୍‌ଭାଷ’ ଲେଖିଛନ୍ତି। ତା’ ସହିତ ଏକ ଦୀର୍ଘ ମୁଖବନ୍ଧ ଲେଖିଛନ୍ତି ବିଶିଷ୍ଟ ଗବେଷକ ତଥା ସଂପାଦକ ଦେବେନ୍ଦ୍ର କୁମାର ଦାଶ ଓ ପ୍ରଫେସର ହିମାଂଶୁ ଶେଖର ମହାପାତ୍ର। ଏହି ମୁଖବନ୍ଧର ଶୀର୍ଷକ ‘ରେବତୀ: ଦି ମେକିଂ ଅଫ୍ ଆନ୍ ଆଇକନିକ୍ ଓଡ଼ିଆ ସର୍ଟଷ୍ଟୋରୀ’। ତାହାର ଆରମ୍ଭ ସେମାନେ ‘ସମାଲୋଚନା?’ ଶୀର୍ଷକ ଏହି ଲେଖାରୁ ହିଁ କରିଛନ୍ତି। ତାହାକୁ ସେମାନେ ‘ରେବତୀ’ ସଂପର୍କରେ ଏକ ‘ମେଟା-ଷ୍ଟୋରୀ’ ବା ‘ମେଟା-ଡିସ୍‌କୋର୍ସ’ ଭାବରେ ଅଭିହିତ କରିବା ସହିତ, ସାହିତ୍ୟର ଏକ ନୂଆ ପ୍ରାରୂପକୁ ପାଠକଙ୍କ ଆଗରେ ଉପସ୍ଥାପିତ କରିବା ପାଇଁ ଏହା ଯେ ଲେଖକର ଏକ ଦାୟିତ୍ୱ, ତାହା ଗେଟେ, ୱାର୍ଡସୱାର୍ଥ ଓ ଏଲିଅଟ୍‌ଙ୍କର ଦୃଷ୍ଟାନ୍ତ ମାଧ୍ୟମରେ ପ୍ରତିପାଦିତ କରିଛନ୍ତି। ଏହି ଦୀର୍ଘ ମୁଖବନ୍ଧରେ ‘ରେବତୀ’ ଗଳ୍ପ ସଂପର୍କରେ ଯେଉଁସବୁ ତଥ୍ୟ, ତତ୍ତ୍ୱ ଓ ଆଲୋଚନା ଅଛି- ତାହା ‘ରେବତୀ’ର ସ୍ୱର ଓ ସମୟକୁ ବୁଝିବା ପାଇଁ ଏକ ଦୃଢ଼ ଭିତ୍ତିଭୂମି ଦେଇଛି। ଏଣୁ ଏହି ନୂଆ ବହି ସହିତ ସେଦିନର ସେଇ ଦୁଇ-ତିନିମାସିଆ ଝିଅ ‘ରେବତୀ’ ଆଜି ବିଶ୍ୱଭ୍ରମଣ କରୁଛି। ତା’ର ପରିଚିତି ପ୍ରସରୁଛି।

ପୂର୍ବରୁ ଯେ ‘ରେବତୀ’ ଗଳ୍ପଟି ଅନ୍ୟ ଭାଷାକୁ ଆଦୌ ଅନୂଦିତ ହୋଇନଥିଲା, ତାହା ନୁହେଁ। କିନ୍ତୁ ଆମ ସାହିତ୍ୟର ଅନୁବାଦ କ୍ଷେତ୍ରରେ ଆମେ ସବୁବେଳେ ପଛରେ। ଏ ପୁସ୍ତକର ସଂପାଦକୀୟ ଅଗ୍ରଲେଖରେ ଏହା ସୂଚାଇ ମନୁ ଦାଶ କହିଛନ୍ତି- ଓଡ଼ିଶା ଯଦିଓ ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଏବଂ ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଭାରତର ଷଷ୍ଠ ଭାଷା, ଆମ ଭାଷାର ସମୃଦ୍ଧ ସାହିତ୍ୟ ଓଡ଼ିଆ ଓ ଓଡ଼ିଶାର ସୀମା ବାହାରକୁ ଯାଇପାରି ନାହିଁ ବୋଲି କୁହାଯାଇପାରିବ। ଏପରିକି ଆମ ଭାଷାର ପ୍ରସିଦ୍ଧ ଉପନ୍ୟାସ ‘ଛ ମାଣ ଆଠଗୁଣ୍ଠ’ ତାହାର ପ୍ରକାଶନ (୧୯୦୨)ର ଶହେ ବର୍ଷ ପରେ ଯାଇ ଇଂରେଜୀରେ ଅନୂଦିତ ହେଲା। ଯଦିଓ ଏ ଭିତରେ ତାହାର ଛଅ ଛଅଟି ଇଂରେଜୀ ଅନୁବାଦ ପ୍ରକାଶ ପାଇସାରିଛି; ଆମ ଦେଶର ପ୍ରମୁଖ ଭାଷାଗୁଡ଼ିକୁ ମଧ୍ୟ ତାହା ଏଯାଏ ଅନୂଦିତ ହୋଇପାରି ନାହିଁ। ଅବଶ୍ୟ ଆମର କେତେକ ଅନୁବାଦକ ଓ ଆଲୋଚକ ଫକୀରମୋହନଙ୍କର କୃତିଗୁଡ଼ିକୁ ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପିତ କରିବା ପାଇଁ ଆନ୍ତରିକ ଉଦ୍ୟମ କରିଛନ୍ତି, କିନ୍ତୁ ସେ କ୍ଷେତ୍ରରେ ଏଯାଏ ତରଙ୍ଗ ମାତ୍ର ଖେଳିଛି; ଢେଉ ଉଠି ପାରି ନାହିଁ।

‘ରେବତୀ’କୁ ନେଇ ଏ ନୂଆ ବହିକୁ ସେ ଦିଗରେ ଏକ ଉଲ୍ଲେଖନୀୟ ଉଦ୍ୟମ ବୋଲି କହିହେବ। କାରଣ, ଏଥିରେ ପ୍ରଥମ କରି ଗୋଟିଏ ଓଡ଼ିଆ ଗଳ୍ପକୁ ଅନ୍ୟ ୨୨ଟି ଯାକ ଅନୁସୂଚିତ ଭାଷାରେ ଅନୂଦିତ କରାଯାଇପାରିଛି। ସେହି ଭାଷାଗୁଡ଼ିକ ହେଉଛି, ଅସମୀୟା, ବଙ୍ଗଳା, ବୋଡ଼ୋ, ଡୋଗ୍ରୀ, ଇଂଲିସ୍‌, ଗୁଜୁରାଟୀ, ହିନ୍ଦୀ, କନ୍ନଡ଼, କାଶ୍ମୀରି, କୋଙ୍କଣୀ, ମୈଥିଳୀ, ମାଲାୟାଲାମ, ମଣିପୁରୀ, ମରାଠୀ, ନେପାଳୀ, ପଞ୍ଜାବୀ, ସଂସ୍କୃତ, ସାନ୍ତାଳୀ, ସିନ୍ଧୀ, ତାମିଲ, ତେଲଗୁ ଓ ଊର୍ଦ୍ଦୁ। ଏହା ବ୍ୟତୀତ, ଦୁଇଟି ଅଣ-ଅନୁସୂଚିତ ଭାଷାର ଅନୁବାଦ ମଧ୍ୟ ଏଥିରେ ଅଛି। ସେ ଦୁଇଟି ହେଉଛି- ମେଘାଳୟର ଖାସି ଏବଂ ଓଡ଼ିଶାର ସମ୍ବଲପୁରୀ-କୋଶଲି। ଏହା କିଛି କମ୍ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବା ଉପଲବ୍‌ଧି ନୁହେଁ।

ଏ ତ ହେଲା ଫକୀରମୋହନଙ୍କ ‘ରେବତୀ’ର ଭାରତଭ୍ରମଣ। କିନ୍ତୁ ଏ ବହିଟିକୁ ରେବତୀର ବିଶ୍ୱଭ୍ରମଣ ବୋଲି ଆମେ କିପରି କହିପାରିବା? ଏହା ଏଇଥିପାଇଁ ଯେ ଓଡ଼ିଆ ଓ ଆମ ଦେଶର ୨୨ଟି ଅନ୍ୟ ଅନୁସୂଚିତ ଭାଷାର ଅନୁବାଦ ବ୍ୟତୀତ, ଏଥିରେ ଅଛି ବେଶ୍ କେତୋଟି ବିଦେଶୀ ଭାଷାର ଅନୁବାଦ। ସେଥିମଧ୍ୟରେ ଅଛି, ଫରାସୀ, ଜର୍ମାନୀ, ହିବ୍ରୁ, ଜାପାନୀ, ପୋଲିସ, ରୁଷୀ, ସିଂହଳୀ, ସ୍ପାନିସ୍‌, ଉଜ୍‌ବେକି ଓ ତୁର୍କୀ ଭାଷାର ଅନୁବାଦ। ଏହା ସହିତ ବେଲୁଚିସ୍ଥାନର ବାଲୁଚି ଓ ପଞ୍ଜାବ (ପାକିସ୍ତାନ)ର ଶାହାମୁଖୀ ଭାଷାର ଅନୁବାଦ ବି ଏଥିରେ ଅଛି। ଏହିପରି ମୋଟ ୩୬ଟି ଭାଷାରେ ଏବେ ‘ରେବତୀ’ର ଆତଯାତ।

କିନ୍ତୁ ‘ରେବତୀ’ର ଏହି ‘ଛତିଶା-ନିଯୋଗ’ କିପରି ସମ୍ଭବ ହେଲା? ଏହାର ସଂପାଦକ ଶ୍ରୀ ଦାଶଙ୍କ ଅନୁସାରେ, ଏ କ୍ଷେତ୍ରରେ ଥିଲା ଅନେକ ଆହ୍ୱାନ। ସେଥିରୁ ପ୍ରଥମ- ଏତେଗୁଡ଼ିଏ ଭାଷାରେ ଉପଯୁକ୍ତ ଅନୁବାଦକଙ୍କର ସନ୍ଧାନ। ଯୋଗାଯୋଗରେ ଥିବା ବା ଅନୁବନ୍ଧିତ ହୋଇଥିବା ଅନୁବାଦକଙ୍କ ମଧ୍ୟରୁ ଜଣେ, ଦି’ ଜଣଙ୍କ ବ୍ୟତୀତ, ଅନ୍ୟମାନଙ୍କର ଓଡ଼ିଆ ଭାଷା ସହିତ ପ୍ରତ୍ୟକ୍ଷ ପରିଚିତି ନଥିଲା। ଏଥିନିମନ୍ତେ ସେମାନଙ୍କର ମାଧ୍ୟମ-ଭାଷା ହେଲା ହିନ୍ଦୀ ବା ଇଂରେଜୀ। ଦକ୍ଷିଣ ଭାରତ ଓ ଉତ୍ତର-ପୂର୍ବ ଭାରତର ଅନୁବାଦକ ମୁଖ୍ୟତଃ ଇଂରେଜୀ ଭାଷାକୁ ଏବଂ ପୂର୍ବ, କେନ୍ଦ୍ରୀୟ ଓ ଉତ୍ତର ଭାରତର ଅନୁବାଦକ ମୁଖ୍ୟତଃ ହିନ୍ଦୀ ଭାଷାକୁ ମାଧ୍ୟମ ଭାଷା ରୂପେ ଗ୍ରହଣ କଲେ। ଫଳରେ ଯୋଜନାଟି ଫଳବତୀ ହୋଇପାରିଲା।

ଏ ଦିଗରେ ଆଉ ଏକ ପ୍ରତିବନ୍ଧକ ଥିଲା ବୈଷୟିକ। କାରଣ, ଓଡ଼ିଆ ଓ ଅନ୍ୟ ୩୫ଟି ଭାଷାର ଅନୁବାଦ ଗୋଟିଏ ବହିରେ ଏକତ୍ର ପ୍ରକାଶ ପାଇବା ପାଇଁ ଅକ୍ଷର ସଂଯୋଜନାର ବିବିଧତା ଏତେ ଯେ ତାହାକୁ ଯଥାର୍ଥ ଭାବରେ ତୁଲାଇ ପାରିବା ଥିଲା ଏକ ଦୁରୂହ ବ୍ୟାପାର। ପରିଶେଷରେ ଛାପା। ଭିନ୍ନ ଭିନ୍ନ ଏତେଗୁଡ଼ିଏ ଭାଷା ଗୋଟିଏ ବହିରେ ଏକାଠି ଛାପା ହେବା ପାଇଁ ସେହି ସେହି ଅକ୍ଷରର ‘ଲିଙ୍କ୍‌’ଗୁଡ଼ିକ ଠିକ୍ ଭାବରେ ପାଇବା ଆବଶ୍ୟକ ଥିଲା। ଏସବୁ ସତ୍ତ୍ୱେ, ସଂପୃକ୍ତ ସମସ୍ତଙ୍କର ସହଯୋଗ ଫଳରେ ପ୍ରକଳ୍ପଟି ସମ୍ଭବ ହେଲା।

ବିଭିନ୍ନ ଭାଷାର ଅନୁବାଦକମାନେ ଆମ ଓଡ଼ିଆ ଭାଷାର ଏହି ପ୍ରଥମ ଓ ପ୍ରମୁଖ ଗଳ୍ପଟିକୁ ନିଜ ନିଜ ଅନୁସାରେ ଆବିଷ୍କାର କରିଛନ୍ତି। ଉଦାହରଣ ସ୍ୱରୂପ, ସିନ୍ଧୀ ଅନୁବାଦକ ଅରୁଣ ଭବାନୀ ଏଥିରେ ଲକ୍ଷ୍ୟ କରିଛନ୍ତି- ବଳଶାଳୀ ଓ ଦୁର୍ବଳ, ଜ୍ଞାନୀ ଓ ଅନ୍ଧବିଶ୍ୱାସୀ, କୁଟିଳ ଓ ସରଳଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ସଂଘର୍ଷ। ତାଙ୍କ ଅନୁସାରେ, ‘ରେବତୀ’ର ଜନ୍ମଠାରୁ ଆରମ୍ଭ କରି, ଏହି ଦୀର୍ଘ ୧୨୩ ବର୍ଷ ମଧ୍ୟରେ, ଆମର ସାମାଜିକ ପରିବେଷ୍ଟନୀ ସତେ ଯେମିତି ବଦଳି ନାହିଁ। ଆଧୁନିକତାର ନୂଆ ମୁଖାପିନ୍ଧି ଆସିଛି ମଣିଷର ସେଇ ପୁରୁଣା ଦ୍ୱନ୍ଦ୍ୱ ଓ ସଂଘର୍ଷ। ସେହିପରି, ମଣିପୁରୀ ଭାଷାର ଅନୁବାଦକ ବିଜୟ କୁମାର ସିଂହ ତାୟେଞ୍ଜମ୍ କହିଛନ୍ତି- କରୁଣ ପରିଣତି ସତ୍ତ୍ୱେ, ଫକୀରମୋହନ ସେଦିନ ଯେ ନାରୀଶିକ୍ଷାର ପକ୍ଷଧର ଥିଲେ, ଏହା ‘ରେବତୀ’ରେ ଅପ୍ରତ୍ୟକ୍ଷ ଭାବରେ ହେଲେ ମଧ୍ୟ ସ୍ପଷ୍ଟ। ଏହା ହିଁ ରେବତୀର ମୁଖ୍ୟ ସନ୍ଦେଶ।

କେବଳ ଭାରତୀୟ ଭାଷାର ଅନୁବାଦକ ନୁହନ୍ତି; ସଂସ୍କୃତି ଓ ପରିବେଷ୍ଟନୀ ଭିନ୍ନ ହେଲେ ହେଁ, ବିଭିନ୍ନ ବିଦେଶୀ ଭାଷାର ଅନୁବାଦକ ମଧ୍ୟ ‘ରେବତୀ’କୁ ନିଜ ନିଜ ଅନୁସାରେ ଆବିଷ୍କାର କରିଛନ୍ତି। ଉଜବେକିସ୍ତାନୀ ଅନୁବାଦକ ଆ’ଜମ ଆବିଡୋଭ କହିଛନ୍ତି- ଏହି କରୁଣ ଓ ବିୟୋଗାନ୍ତକ କାହାଣୀ ହୃଦୟର ଗଭୀର ତନ୍ତ୍ରୀକୁ ସ୍ପର୍ଶ କରେ। ଏହାର ଚରିତ୍ରଚିତ୍ରଣ ଯେପରି ଚମତ୍କାର, ଚରିତ୍ରମାନଙ୍କର ନାମ ବି ସେପରି ଆକର୍ଷଣୀୟ।

ମନେହୁଏ, ସତେ ଯେମିତି ଏହା ଆଜି ହିଁ ଲେଖା ହୋଇଛି! ସେହିପରି, ତୁର୍କୀ ଭାଷାର ଅନୁବାଦକ ହାତିଶ୍ ଆୟେଦିନ୍‌ଙ୍କ ଅନୁସାରେ- ଜୀବନ ସ୍ପନ୍ଦନରେ ପରିସ୍ପନ୍ଦିତ ଓ ଦ୍ୱନ୍ଦ୍ୱ ସଂଘାତରେ ସଂଗଠିତ ଏ କାହାଣୀର ନାୟିକା ରେବତୀ ସାହସିନୀ। ସେ ପଢ଼ିବାକୁ ଇଚ୍ଛା କରିବା ଏବଂ ସେଥିପାଇଁ ସେ ସମୟରେ ପିତାମାତାଙ୍କର ସମର୍ଥନ ହାସଲ କରିବା କିଛି କମ୍ କଥା ନୁହେଁ। କିନ୍ତୁ ଇଜରାଏଲି ଅନୁବାଦକ ସିପ୍ପି ଲେଭାନ୍ ବାଇରନ୍‌ଙ୍କୁ ଅଧିକ ସ୍ପର୍ଶ କରିଛି ରେବତୀର ଜେଜେମାଆର ଗାଳି। ସେଠାର ବିଶ୍ୱବିଦ୍ୟାଳୟର ଏକ ସଂପାନରେ ‘ରେବତୀ’ ଗଳ୍ପର ଉପସ୍ଥାପନା କରି ସେ କହିଛନ୍ତି- ଜଣେ ଅନ୍ତରଙ୍ଗ ମଣିଷ ପ୍ରତି ଆଉ ଜଣେ ଅନ୍ତରଙ୍ଗ ମଣିଷ ଯେ ଏପରି ନିଷ୍ଠୁର ଗାଳି ଦେଇପାରେ, ତାହା ‘ରେବତୀ’କୁ କରିଛି ସ୍ୱତନ୍ତ୍ର। ସ୍ଥିତାବସ୍ଥାର ବିରୋଧ ଏବଂ ନୂତନତାର ଆବାହନକାରୀଙ୍କ ପ୍ରତି ରକ୍ଷଣଶୀଳମାନଙ୍କର ଏ ଗାଳି ଏକ ଶାଣିତ ଅସ୍ତ୍ର- ଯାହାକୁ ଆମେ ବାକ୍‌-ହିଂସାର ଆଖ୍ୟା ଦେଇପାରିବା। କିନ୍ତୁ ‘ରେବତୀ’ର ସ୍ପେନୀୟ ଅନୁବାଦକ ପ୍ରଫେସର ମରିସିଓ ଅଗିଲେରା ଲିଣ୍ଡେ କହନ୍ତି- ‘ରେବତୀ’ରେ ଅଛି ପ୍ରାଚୀନ ପ୍ରଥା ଓ ପରମ୍ପରାର ପରିସମାପ୍ତିର ଉଦ୍‌ଘୋଷଣ। ଯେଉଁ ନିଆଁ ରେବତୀକୁ ଜଳାଇଛି ଏବଂ ସବୁକିଛି ଜାଳିପୋଡ଼ି ପାଉଁଶ କରିଦେଇଛି- ତା’ର ଯେ ଏକ ସକାରାତ୍ମକ ବାର୍ତ୍ତା ଅଛି- ଏହା ଆମକୁ ବୁଝିବାକୁ ହେବ।

ଏହିପରି ଭାବରେ, ଏ ନୂଆ ଅନୂଦିତ ବହିଟି ସହିତ, ଫକୀରମୋହନଙ୍କ ଗଳ୍ପର ସେହି ଦଶବର୍ଷର କିଶୋରୀ ରେବତୀ ବିଶ୍ୱର ୩୬ଟି ଭାଷାରେ ଆଜି ନିଜକୁ ନୂଆ ରୂପରେ ଓ ନୂଆ ଭାବରେ ଆବିଷ୍କାର କରୁଛି। ଏହା କିଛି କମ୍ ବଡ଼ କଥା ନୁହେଁ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର