ଚାପୁଡ଼ା ସପକ୍ଷରେ

ଚିନ୍ମୟ ଚିନ୍ତନ - ଚିନ୍ମୟ କୁମାର ହୋତା

ନିକଟରେ ଜଣେ ସାଧାରଣ ବ୍ୟକ୍ତି ଫ୍ରାନ୍‌ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କୁ ଶକ୍ତ ଚାପୁଡ଼ା ମାରିଥିବା ଘଟଣା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ସ୍ୱାଭାବିକ କଥା, କାରଣ ଦେଶର ଶାସକ ହିସାବରେ ଯାହାଙ୍କର ପୂର୍ବସୂରୀ ବିଶ୍ୱ ବିଜୟୀ ନେପୋଲିଅନ, ସେ ଯଦି ଜଣେ ଅଖ୍ୟାତ ନାଗରିକଙ୍କ ପାଖରୁ ସର୍ବ ସମକ୍ଷରେ ଚଟକଣା ଖାଆନ୍ତି, ତା’ଠୁ ବଳି ଲଜ୍ଜାକର କଥା ଆଉ କ’ଣ ହୋଇପାରେ? ଅବଶ୍ୟ ଏଠି ଘଟଣାର ରାଜନୈତିକ ଗୁଞ୍ଜରଣ ବିଷୟରେ ତର୍ଜମା କରିବା ବା ଭୁଲ୍‌ ଠିକ୍‌ ନିର୍ଦ୍ଧାରଣ କରିବା ମୋର ଉଦ୍ଦେଶ୍ୟ ନୁହେଁ। ଏହି ପ୍ରସଙ୍ଗରେ ମୋର କେବଳ ଗୋଟିଏ କଥା ଜାହିର କରିବାର ଅଛି ଯେ ସେହି ଉତ୍‌କ୍ଷିପ୍ତ ନାଗରିକ ଜଣକ ଅଜାଣତରେ ଚାପୁଡ଼ା ଭଳି ଏକ ଅପସୃୟମାନ କଳାକୁ ପୁଣି ଜନମାନସକୁ ଫେରାଇ ଆଣି ପାରିଛନ୍ତି।

ଅବଶ୍ୟ ଏହା ଦାବି କରିବା ଭୁଲ୍‌ ହେବ ଯେ ଚାପୁଡ଼ା ବିଦ୍ୟାଟି ଆଜି ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ। କାରଣ କେବେ କେମିତି ନାମଜାଦା ବ୍ୟକ୍ତିମାନେ ଏହି କୌଶଳର ସଦୁପଯୋଗ କରୁଥିବାର ଖବର ମିଳିଥାଏ। ଏଇ ଯେମିତି କ୍ରିକେଟ୍‌ ମୈଦାନରେ ସ୍ବନାମଧନ୍ୟ ଖେଳାଳି ହରଭଜନ ସିଂହ ଅନ୍ୟ ଜଣେ ବୋଲର ଶ୍ରୀଶାନ୍ତଙ୍କୁ ଚାପୁଡ଼ା ମାରିବା ବିବାଦ। ଚଟକଣା କେବଳ ଖେଳପଡ଼ିଆର ଉତ୍ତେଜକ ବାତାବରଣ ଭିତରେ ସୀମିତ ନ ରହି ବେଳେ ବେଳେ ବଲିଉଡ ତାରକାମାନଙ୍କର ଚକଚକିଆ ଜୀବନଧାରା ଭିତରକୁ ମଧ୍ୟ ଅନଧିକାର ପ୍ରବେଶ କରିଯାଏ। ନିଜର ପରିବାର ସମ୍ପର୍କରେ ଏକ ଅରୁଚିକର ମନ୍ତବ୍ୟ ଶୁଣିବା ପରେ ଜୟା ବଚ୍ଚନ ମନ୍ତବ୍ୟ ଦାତା ତାରକା ଶାହରୁଖ ଖାଁଙ୍କୁ କଟାକ୍ଷ କରି କହିଥିଲେ ଯେ ସାମ୍ନାରେ ପାଇଥିଲେ ସେ କୁଆଡ଼େ ଖାଁଙ୍କ ଗାଲରେ ବ୍ରହ୍ମ ଚାପୁଡ଼ାଟିଏ ପକେଇଥା’ନ୍ତେ। ଅବଶ୍ୟ ପରେ ଘଟଣାକୁ ସମ୍ଭାଳି ନେବା ପାଇଁ ସେ ଚତୁରତାର ସହ ଯୋଡ଼ିଥିଲେ, “ମୋ ନିଜ ପୁଅ ବି ଯଦି ଏମିତି କଥା କହନ୍ତା, ତେବେ ତାକୁ ମୁଁ ଚଟକଣା ମାରିଥା’ନ୍ତି।” ତେବେ ଏ ବଡ଼ ଲୋକଙ୍କ ଦୁନିଆ ବାହାରେ ମଧ୍ୟ ଚାପୁଡ଼ା କଳାର ପ୍ରୟୋଗ ଦେଖିବାକୁ ମିଳିଥାଏ ସାଧାରଣ ଲୋକଙ୍କ ପାଖରେ।

ତେବେ ଏହା ସତ୍ତ୍ୱେ ଆପଣ ନିଶ୍ଚୟ ମୋ ସହ ଏକମତ ହେବେ ଯେ ଚାପୁଡ଼ା ଆଜି ବିସ୍ମୃତିର ଗର୍ଭରେ ବିଲୀନ ହେବା ବାଟରେ। ଦଣ୍ଡ ପ୍ରଦାନର ଅନ୍ୟାନ୍ୟ ମାଧ୍ୟମ ଗୁଡ଼ିକ ଯେମିତି ବିଧା, ଗୋଇଠା, ମୁଷ୍ଟି ପ୍ରହାର, ଅର୍ଦ୍ଧଚନ୍ଦ୍ର ବା ଗଳାଧକ୍କା ଆଜି ଚାପୁଡ଼ା ଭଳି ସୂକ୍ଷ୍ମ କୃତିକୁ ପଛରେ ପକାଇ ଦେଇଛନ୍ତି। ଖାଲି କ’ଣ ସେତିକି? କରାଟେ, କୁଙ୍ଗ ଫୁ ଭଳି କେତେ ବିଦେଶାଗତ ସମର ବିଦ୍ୟା ଆମ ସରଳ ଦେଶୀ ଉପଚାରଟିକୁ ଅଦରକାରୀ କରି ଦେଇଛନ୍ତି। କ୍ରୋଧ ପ୍ରକାଶ କରିବାର ବା ପ୍ରତିଶୋଧ ନେବାର ଆହୁରି ବିପଜ୍ଜନକ ହତିଆର ଯେମିତି ଚାକୁ, ଛୁରୀ, ଖଣ୍ଡା ଓ ବନ୍ଧୁକ ସବୁ ଆଜି ଜନସାଧାରଣଙ୍କ ପାଖରେ ସହଜରେ ଉପଲବ୍‌ଧ। କଥାଟିର ସତ୍ୟତା ଜାଣିବା ପାଇଁ କାହାକୁ ଅପମାନ ଦେଇ କିମ୍ବା କାହା ଗାଡ଼ିକୁ ରାସ୍ତା ନ ଛାଡ଼ି ପରୀକ୍ଷା କରି ନିଅନ୍ତୁ, ଦେଖିବେ ଆପଣଙ୍କ ପାଇଁ ଉଦ୍ଦିଷ୍ଟ ପେଟେଣ୍ଟ ମେଡିସିନ ଭିତରେ ଚାପୁଡ଼ାର ଦୃଷ୍ଟାନ୍ତ ଥିବ ନଗଣ୍ୟ।

ଚାପୁଡ଼ା କଳାର ଏହି ଅଧୋଗତି ବିଷୟରେ ମାନବଜାତି କ’ଣ କେବେ ଗମ୍ଭୀରତା ପୂର୍ବକ ଭାବି ଦେଖିଛି? ଏହି କଳାର ବିଲୁପ୍ତି ଆମ ସଂସ୍କୃତି ଓ ପରମ୍ପରାକୁ କେତେ ବଡ଼ ଧକ୍କା ପହଞ୍ଚାଇବ ତାହା କ’ଣ କେହି ଆକଳନ କରିଛି? ଏ ସବୁର ଉତ୍ତର ନିଶ୍ଚିତ ଭାବରେ ନା, କାରଣ ଚାପୁଡ଼ା ଓ ତା’ର ବିକଳ୍ପଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଯେ କେହି ବି ଅତି ସହଜରେ ହୃଦୟଙ୍ଗମ କରିପାରିବ। ପ୍ରଥମେ ଦେଖନ୍ତୁ ଚାପୁଡ଼ାର ଶାଳୀନତା। ଜଣକର ଶରୀରର ଏକ କୋମଳ ଅଙ୍ଗ ଯଥା ପାପୁଲି ଅନ୍ୟଜଣକର ଶରୀରର ଅନୁରୂପ ମୁଲାୟମ ଭାଗ ଯଥା ଗଣ୍ଡଦେଶରେ ସଂଯୋଗ ହେଲେ ଚାପୁଡ଼ାର ସୃଷ୍ଟି ହୁଏ। ସଂସ୍ପର୍ଶର ତୀବ୍ରତା ଅନୁସାରେ ବ୍ୟକ୍ତିର ଚିବୁକରେ ହାତ ପଞ୍ଝାର ନାଲି ଦାଗ ସୃଷ୍ଟି ହୋଇପାରେ ବା ନ ପାରେ। କିନ୍ତୁ ଏହା ସହ ତୁଳନା କରନ୍ତୁ ବିଧା, ଗୋଇଠା ବା ମୁଷ୍ଟି ପ୍ରହାରକୁ। ଜଣକର ହାତ, ଗୋଡ଼ ଓ ମୁଥ ଇତ୍ୟାଦି ସବୁ ଏକ ସାଙ୍ଗରେ ସକ୍ରିୟ ହୋଇ ଉଠନ୍ତି ଓ ହାବୁଡ଼ରେ ପଡ଼ିଥିବା ହତଭାଗା ଜଣକ ହାତ ଗୋଡ଼ ଛାଟି ଓ କର୍କଶ ଚିତ୍କାର କରି ପଳାୟନର ବାଟ ଖୋଜେ। ନିହାତି ଅମାର୍ଜିତ ପରିସ୍ଥିତି। ଶେଷରେ ଶିକାରର ଶରୀରର ଜାଗା ଅଜାଗାରେ ରହିଯାଏ କିଛି କଳା ଦାଗ ଅଥବା କ୍ଷତଚିହ୍ନ, ଯେଉଁଥିରେ ନା ଥାଏ କିଛି କଳାକୃତି ନା ଅନ୍ୟ ପାଇଁ କିଛି ସନ୍ଦେଶ।

ଜଣକୁ ଚାପୁଡ଼ାଟିଏ ମାରନ୍ତୁ, ଦେଖିବେ ସେ ସଙ୍ଗେ ସଙ୍ଗେ ତୁନି ପଡ଼ିଯିବ ଓ ଥାପଡ଼ ଖିଆ ଗାଲଟିକୁ ଅନେକ ସମୟ ଧରି ଆଉଁସିବ। ସେ ବିଧା ବା ମୁଷ୍ଟି ପ୍ରହାର ଖାଇଥିବା ବ୍ୟକ୍ତି ଭଳି ଦାନ୍ତ ନିକୁଟି, ଫଁ ଫଁ ଶବ୍ଦ କରି ମାଡ଼ି ଆସିବ ନାହିଁ। ଏମିତି ଆଚରଣର କାରଣ ଏଇୟା ଯେ ଚାପୁଡ଼ାଟି ଚର୍ମଦେଶ ଅପେକ୍ଷା ହୃଦୟକୁ ଅଧିକ ଛୁଇଁଥାଏ ଓ ପ୍ରତିଶୋଧ, ବଦଲା, ପ୍ରତିହିଂସା ବଦଳରେ ଅପମାନ, ଅନୁତାପ ଓ ଗ୍ଳାନି ଉଦ୍ରେକ କରିଥାଏ। ଏଇ ଯେମିତି ମନୋଜ ଦାସଙ୍କ ଗଳ୍ପର ସେଇ ପିଲାଟି ଯିଏ କି କିଛିଦିନ କଲିକତାରେ ଚାକିରି କରି ଓଡ଼ିଶା ଫେରିବା ପରେ ଖାଲି ବଙ୍ଗାଳି ଭାଷା ଚୋବେଇବା ଆରମ୍ଭ କରିଦେଇଥିଲା। ଥରେ ଓଡ଼ିଆ ପ୍ରଶ୍ନର ଉତ୍ତର ବଙ୍ଗଳାରେ ଦେଉଥିବା ବେଳେ ଜଣଙ୍କ ଠାରୁ ବ୍ରହ୍ମ ଚାପୁଡ଼ାଟିଏ ଖାଇବା ପରେ ସେ ଶୁଦ୍ଧ ଉତ୍ତର ବାଲେଶ୍ବରୀ ଭାଷାରେ ବାହୁନି କାନ୍ଦି ଥିଲା।

ଚାପୁଡ଼ା ଥିଲା ଆଭିଜାତ୍ୟ ପୂର୍ଣ୍ଣ ଓ ବିବାଦକୁ ଅଳ୍ପରେ ସମାପନ କରୁଥିବାରୁ ଶାନ୍ତିର ପ୍ରତୀକ। ଏହା ପୁଣି ଥିଲା ସାହିତ୍ୟ ଓ ସଂସ୍କୃତିର ଅଙ୍ଗ, (“ଚଉପହରା ଦାସୀଙ୍କ ଉପରେ, ଚାପଡ଼ ଫରମାସଇ କୋପରେ।” ‘ଚାହିଁଲା ତ ନାହିଁ’ କବିତାରେ ଲେଖିଲେ କବିସୂର୍ଯ୍ୟ ବଳଦେବ ରଥ।) ଏତେ ଐତିହ୍ୟପୂର୍ଣ୍ଣ କଳା ଆଜି ଉପେକ୍ଷିତ। ଏମିତି କି ଏ କଳାର ଶେଷ ସାର୍ଥକ ପୃଷ୍ଠପୋଷକ ସ୍କୁଲ ଶିକ୍ଷକମାନେ ମଧ୍ୟ ବିଦ୍ୟାଳୟ ପରିସର ଦଣ୍ଡମୁକ୍ତ ଅଞ୍ଚଳ ଘୋଷିତ ହେବା ପରେ ଚାପୁଡ଼ା ପ୍ରୟୋଗରୁ ନିବୃତ୍ତ ରହୁଛନ୍ତି। ଚାପୁଡ଼ା କଳାର ଏମିତି ଦୁରବସ୍ଥା ସମୟରେ ମାକ୍ରନ୍‌ ଉପାଖ୍ୟାନଟି ଏହାର ଭବିଷ୍ୟତ୍‌ ବିଷୟରେ ସ୍ୱଳ୍ପ ଅାଶାର ସଞ୍ଚାର କରିପାରିଛି।

କସ୍‌ମୋପୋଲିସ୍‌ ଆପାର୍ଟମେଣ୍ଟ, ଭୁବନେଶ୍ବର
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର