‘ଗୁଗୁଲ ଟ୍ରାନ୍ସଲେଟ୍’ରେ ଓଡ଼ିଆ- ଭଲ ଓ ଭେଲ
ଶୁଭାଶିଷ ପାଣିଗ୍ରାହୀ
ନିକଟରେ ଓଡ଼ିଆ ଭାଷାକୁ ‘ଗୁଗୁଲ ଟ୍ରାନ୍ସଲେଟ୍’ରେ ଯୋଡ଼ାଗଲା। ଏହା ସହିତ ପୃଥିବୀର ୧୦୮ଟି ଭାଷା ସହିତ ଆମ ମାତୃଭାଷା ‘ମେସିନ-ଅନୁବାଦ’ ଲାଗି ସାମିଲ ହୋଇଗଲା। ଏହାର ଅର୍ଥ ଜଣେ ଅଚିରେ ଏ ୧୦୮ଟି ଭାଷାରେ ଲେଖା କୌଣସି ପାଠ ଗୋଟିଏ ଭାଷାରୁ ଆରକୁ ଅନୁବାଦ କରିପାରିବ। ଓଡ଼ିଆରେ ବିଭିନ୍ନ ବିଷୟରେ ଇଣ୍ଟରନେଟରେ ଖୁବ କମ୍ ଲେଖା। ତେଣୁ ଏ ସୁବିଧାଟା ବେଶ୍ ଦରକାରୀ ଭଳି ଲାଗେ। ତେବେ ଏହାର ସାମାଜିକ ଓ ଅନ୍ୟାନ୍ୟ ଦିଗ କ’ଣ ହୋଇପାରେ, ତାହା ଆଲୋଚନାସାପେକ୍ଷ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଆ ସହିତ ଏହି ଟୁଲ୍ରେ ଅନ୍ତର୍ଭୁକ୍ତ ଭାରତର ବାକି ୧୧ଟି ବହୁଳ ବ୍ୟବହୃତ ଭାଷା, ଦକ୍ଷିଣ ଏସିଆର ଚାରିଟି ଭାଷା ପାସ୍ତୋ, ନେପାଳୀ, ସିନ୍ଧୀ ଓ ସିଂହଳୀ। ତେବେ ପ୍ରଶ୍ନ ଉଠିପାରେ ଯେ ଏକ ବିଶାଳ ଲାଭକାରୀ କମ୍ପାନି ଭାବେ ଗୁଗୁଲ କାହିଁକି ଏ ଭାଷାଭିତ୍ତିକ ଟୁଲ ତିଆରି କରିବାରେ ଏତେ ଆଗ୍ରହୀ? ଗୁଗୁଲ୍ର ମୂଳ ବେପାର ଆଡ଼କୁ ଲକ୍ଷ୍ୟ କଲେ ଏ କଥା ସଫା ହୋଇଯିବ। ସରଳ ଭାବେ କହିଲେ, ‘ଗୁଗୁଲ ସର୍ଚ’ରେ ଲୋକେ ବିଭିନ୍ନ ଜିନିଷ ଖୋଜନ୍ତି। ଆଉ ଖୋଜିବା ବେଳେ ନିଜ ଭାଷା ଆଉ ଲିପି ପ୍ରାକୃତିକ ଭାବେ ବ୍ୟବହାର କରନ୍ତି। ଖୋଜୁଥିବା ଲୋକର କମ୍ପ୍ୟୁଟର/ମୋବାଇଲ ଜରିଆରେ ‘ଆଇପି ଆଡ୍ରେସ’ର ନାମ ସହିତ ପ୍ରତି ଇଣ୍ଟରନେଟ ସଂଯୋଗ ପାଇଁ ଥିବା ଏକ ସଂଖ୍ୟା ମଧ୍ୟ ଗୁଗୁଲ ପାଖକୁ ଯାଏ। ମୋଟାମୋଟି ଏହିଭଳି ଭାବେ ଗୁଗୁଲ ଲୋକଙ୍କର ଖୋଜା ପସନ୍ଦ ବାବଦରେ ଜାଣେ। ପରେ ତାଙ୍କ ପସନ୍ଦ ସହ କୌଣସି ବିଜ୍ଞାପନ ମେଳ ଖାଇଲେ ସେମାନେ ଖୋଲୁଥିବା ବିଭିନ୍ନ ୱେବ୍ସାଇଟରେ ସେସବୁ ବିଜ୍ଞାପନ ଦିଶେ। ଗୁଗୁଲ, ଫେସ୍ବୁକ ଓ ଆହୁରି ଅନେକ କମ୍ପାନି ଏହା କରିଥାନ୍ତି। ତେବେ ସମ୍ପୂର୍ଣ୍ଣ ବିଷୟ ଖୁବ୍ ଜଟିଳ ଓ ବୈଷୟିକ। ନିଜ ଗୋପନୀୟତା ରକ୍ଷା କରିବାକୁ ଆଉ ଇଣ୍ଟରନେଟ କମ୍ପାନିମାନଙ୍କୁ ବ୍ୟକ୍ତିଗତ ପସନ୍ଦ ଜାଣିବାରୁ ରୋକିବାକୁ ସୁରକ୍ଷିତ ‘ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ’ ବ୍ୟବହାର ଭଳି ଅନେକ ବାଟ ଅଛି। ତେବେ ସାଧାରଣ ବ୍ୟବହାରକାରୀ ନିଜ ଭାଷା ଓ ଲିପିର ବ୍ୟବହାର ବଢ଼ାଇଲେ ଇଣ୍ଟରନେଟରେ ଲେଖା (କଣ୍ଟେଣ୍ଟ) ଆଦି ବଢ଼ିବ। ଓଡ଼ିଆରେ ଅନୁବାଦ ସହଜ ହେଲେ ମଧ୍ୟ ‘କଣ୍ଟେଣ୍ଟ’ର ପରିମାଣ ବଢ଼ିବ। ‘କଣ୍ଟେଣ୍ଟ’ ବଢ଼ିଲେ ଗୁଗୁଲରେ ଓଡ଼ିଆରେ ଖୋଜା ବୃଦ୍ଧି ପାଇବ। ସର୍ଚ ବଢ଼ିଲେ ବିଜ୍ଞାପନ ଆଉ ବିଜ୍ଞାପନ ବଢ଼ିଲେ ବେପାର ବଢ଼ିବ। ଗୁଗୁଲର ସ୍ବାର୍ଥ ସେତିକି। ଏବେ ଆମେ ବିଚାର କରିବା କେମିତି ଆମେ ଏହାର ଠିକଣା ଉପଯୋଗ କରିବା।
‘ଗୁଗୁଲ ଟ୍ରାନ୍ସଲେଟ’ ବିଭିନ୍ନ ବାଟରେ ଏକ ଭାଷାରୁ ଆଉ ଏକ ଭାଷାକୁ ଅନୁବାଦ କରେ। ପ୍ରଥମ ବାଟଟି ହେଲା ସ୍ୱେଚ୍ଛାରେ ଜଣେ ଚାହିଁଲେ ‘ଗୁଗୁଲ ଟ୍ରାନ୍ସଲେଟ କମ୍ପ୍ୟୁନିଟି’ ନାମକ ପ୍ରକଳ୍ପରେ ଯୋଗ ଦେଇ ଇଂେରଜୀରୁ ଓଡ଼ିଆ ଅନୁବାଦ କରିପାରିବ। ଏକାଧିକ ଲୋକଙ୍କୁ ସମାନ ଓ ଅଲଗା ଅଲଗା ଅନୁବାଦ କରିବାକୁ ବାକ୍ୟ ଓ ଖଣ୍ଡବାକ୍ୟ ଦିଆଯାଏ। ପରେ ବୋଧହୁଏ ଗୁଗୁଲ କୌଣସି ଅନୁବାଦକଙ୍କଠୁ ଅନୁବାଦସବୁକୁ ପରଖେ। ଏହା ସହ ମୁଖ୍ୟତଃ ‘ଗୁଗୁଲ ନ୍ୟୁରାଲ ମେସିନ ଟ୍ରାନ୍ସଲେସନ’ ନାମକ ନିଜର ଏକ ପ୍ରଯୁକ୍ତି ବ୍ୟବହାର କରି ଲୋକଙ୍କ ଦ୍ୱାରା ହେଉଥିବା ଅନୁବାଦରୁ ଶିଖି ତାକୁ ବ୍ୟବହାର କରିଥାଏ। ଫଳରେ ଆଜିର ଭୁଲ ଅନୁବାଦ ହୁଏ’ତ କାଲି ଆପେ ଆପେ ସୁଧୁରି ଯାଇଥିବ। ଯେଉଁ ଭାଷାରେ ଇଣ୍ଟରନେଟରେ ‘କଣ୍ଟେଣ୍ଟ’ ଯେତେ ଅଧିକ, ସେ ଭାଷାରେ ‘ଗୁଗୁଲ ଟ୍ରାନ୍ସଲେଟ’ର ଅନୁବାଦ ମଧ୍ୟ ସେତେ ଉନ୍ନତ।
ଓଡ଼ିଆରେ ଇଣ୍ଟରନେଟରେ ‘କଣ୍ଟେଣ୍ଟ’ ବାକି ଭାଷାଗୁଡ଼ିକ ତୁଳନାରେ ଊଣା। ଏଣୁ ଗୁଗୁଲର ଭାରତ ମୁଖ୍ୟ ପୃଷ୍ଠାର ଭାଷା ତାଲିକାରେ ଏବେ ବି ଓଡ଼ିଆ ନାହିଁ। ତେବେ, ଏହା ମଧ୍ୟ ସତ ଯେ ଗୁଗୁଲ ଓଡ଼ିଆ ଭାଷାର ମୂଲ୍ୟାୟନ କରିବା ପାଇଁ ଏକ ମାନଦଣ୍ଡ ନୁହେଁ। ଇଣ୍ଟରନେଟରେ ଓଡ଼ିଆର ବ୍ୟବହାର କେତେ କମ୍ ଏହା କେବଳ ସେତିକି ସୂଚାଏ। ଅବଶ୍ୟ ଏହା ନିକଟ ଅତୀତରେ ଢେର ବଢ଼ିଛି। ଲୋକେ ଫେସ୍ବୁକ, ହ୍ୱାଟ୍ସଆପ, ଟୁଇଟର ଭଳି ସୋସିଆଲ ମିଡିଆରେ ଅଧିକରୁ ଅଧିକ ଓଡ଼ିଆରେ ଲେଖିଲେଣି। ଅନେକ ଓଡ଼ିଆ ଖବରକାଗଜ ଧୀରେ ଧୀରେ ତାଙ୍କର ଛପା ସଂସ୍କରଣ ସହିତ ଇ-ପେପର ଓ ୱେବ୍ ସଂସ୍କରଣ ଛାଡ଼ିଲେଣି। ସରକାରଙ୍କର କେତୋଟି ସାଇଟ ଓଡ଼ିଆରେ ହୋଇଛି। କେତେକ ରାଜନୈତିକ ଦଳ ସକ୍ରିୟ ଭାବେ ମଧ୍ୟ ସୋସିଆଲ ମିଡିଆରେ ଓଡ଼ିଆର ବ୍ୟବହାର କରୁଛନ୍ତି। ଓଡ଼ିଆ ‘ୱିକିପିଡିଆ’ ଭଳି ଜ୍ଞାନକୋଷରେ ତଥ୍ୟଭିତ୍ତିକ ବହୁ ଲେଖା ସ୍ୱେଚ୍ଛାସେବୀମାନେ ଲେଖୁଛନ୍ତି। ସେହିଭଳି ଓଡ଼ିଆ ୱିକି ଜ୍ଞାନକୋଷ ଭଳି ପ୍ରକଳ୍ପରେ ଖୋଲା-ଲାଇସେନ୍ସରେ ଥିବା ପୁରୁଣା ଓ ନୂଆ ବହି ଇଣ୍ଟରନେଟରେ ଉପଲବ୍ଧ। ଏହା ସହିତ ‘ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ ବା ଛବିରୁ ଲେଖା ରୂପାନ୍ତର ଭଳି ପ୍ରଯୁକ୍ତି ଜ୍ଞାନ ବ୍ୟବହାର କରି ‘ପିଡିଏଫ୍’ ଆଦିରେ ଥିବା ଓଡ଼ିଆ ବହି ଆଦିରୁ ଏବେ ଖୋଜା ଗଲାଣି।
ହେଲେ ଓଡ଼ିଆ ପାଇଁ ଅସୁବିଧା ମଧ୍ୟ ଅସୀମ। ପ୍ରାଶାସନିକ ଶବ୍ଦାବଳୀ ଓ ବୈଷୟିକ ଶବ୍ଦାବଳୀର ଅନୁବାଦରେ ଅଗମୂଳ ନ ଥିବା ଶବ୍ଦ ବା ଅଭିବ୍ୟକ୍ତିର ବ୍ୟବହାର ତା ଭିତରୁ ଗୋଟିଏ। ଉଦାହରଣ ସ୍ବରୂପ ‘ମୋବାଇଲ’ ବଦଳରେ ‘ଭ୍ରାମ୍ୟଭାଷ’ ଭଳି ଏକ ବିଚିତ୍ର ଶବ୍ଦର ବ୍ୟବହାର। ସଳଖ ଓ ସରଳ ଶବ୍ଦ ବିଦେଶୀ ହେଉ କି ନିଜର ସବୁବେଳେ ଗ୍ରହଣୀୟ। ଏ କଥା ଜାଣି ସୁଦ୍ଧା ସାଧାରଣ ମନୋଭାବକୁ ସମ୍ମାନ ନ ଜଣାଇ କେବଳ ବରିଷ୍ଠ ଅଧ୍ୟାପକ ଓ ଭାଷାବିତ୍ମାନଙ୍କୁ ନେଇ ଅନୁବାଦ ସମ୍ବନ୍ଧିତ ମାନକୀକରଣ କରାଯିବାର ଫଳ ଏଭଳି ହୋଇଛି। ଏଣୁ ସରକାରୀ ସ୍ତରରେ ଓଡ଼ିଆର ବ୍ୟବହାର ଦୂରୁହ। ନୂଆ ପିଢ଼ିଙ୍କୁ ଓଡ଼ିଆ ବ୍ୟବହାର ଲାଗି ଆକର୍ଷିତ କରିବା ପାଇଁ ମାତ୍ରାତିରିକ୍ତ ରକ୍ଷଣଶୀଳତାକୁ ଛାଡ଼ିବାକୁ ହେବ। ପୁଣି ଓଡ଼ିଆରେ ମାତ୍ରାଧିକ ଇଣ୍ଟରନେଟ ଲେଖା କେବଳ କଳ୍ପନାପ୍ରସୂତ ସାହିତ୍ୟ। ବିଜ୍ଞାନ-ପ୍ରଯୁକ୍ତି, ରାଜନୀତି କିମ୍ବା ପରିବେଶ ବାବଦରେ କାଁ ଭାଁ କେଉଁଠି ଲେଖା ପ୍ରକାଶ ପାଏ। ଭାଷା ପାଇଁ ସାହିତ୍ୟ ଆବଶ୍ୟକ। ହେଲେ ଭାଷାକୁ ଜୀବିକା ଅର୍ଜନର ମାଧ୍ୟମ କରିବା ପାଇଁ ବିଜ୍ଞାନ, ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ବିଷୟରେ ଜ୍ଞାନ ପାଠ ଲୋଡ଼ା।
ଏହା ସତ ଯେ ଜଣେ ମଣିଷ ଭଳି ଅନୁବାଦ କରିବା ପ୍ରାରମ୍ଭିକ ସ୍ତରରେ ଏହି ‘ଟୁଲ୍’ରୁ ଆଶା କରିବା ଅନୁଚିତ। ତେବେ ଏହା ଦ୍ବାରା ଅନ୍ୟ ଭାଷାର କୌଣସି ଲେଖାକୁ ଲୋକେ କମ୍ ସମୟ ମଧ୍ୟରେ ଅନୁବାଦ କରିପାରିବେ। ପ୍ରାକୃତିକ ବିପର୍ଯ୍ୟୟ ହେଉ ବା କୌଣସି ଗୁରୁତ୍ବପୂର୍ଣ୍ଣ ଘଟଣା ଇତ୍ୟାଦି ବାବଦରେ ଜାଣିବାର ବାଟ ସଳଖ ହେବ। ଅନୁବାଦକ କିମ୍ବା ସାମ୍ବାଦିକମାନଙ୍କୁ ଆଉ ଅତି ସାଧାରଣ ଅନୁବାଦ ପାଇଁ ସମୟ ବ୍ୟୟ କରିବାକୁ ପଡ଼ିବ ନାହିଁ। ଏପରିକି ସରକାରୀ କର୍ମଚାରୀମାନେ ମଧ୍ୟ ଅନେକ ନଥିପତ୍ରର ଅନୁବାଦ କରିବା ପାଇଁ ଏହାର ସାହାଯ୍ୟ ନେଇପାରିବେ। ଆଉ ନିଜେ ଜଣେ ଓଡ଼ିଆ ପାଠକ ହେଲେ ସମସ୍ତେ ଗୁଗୁଲ ଟ୍ରାନ୍ସଲେଟ୍ର ଅନୁବାଦରେ ରହିଥିବା ଖୁଣ ସଜାଡ଼ିପାରିବେ।
ତେବେ ବେଳେବେଳେ ‘ଟେକ୍ନୋଲୋଜି’ ବା ପ୍ରଯୁକ୍ତି ଦୁଇ ଧାର ବାଲା ତରବାରିରେ ପରିଣତ ହୁଏ। ତା ମାନେ ଏହାର ଉଭୟ ଭଲ ଓ ଭେଲ ଉପଯୋଗ କରାଯାଇପାରିବ। ବିଜ୍ଞାନର ଅଗ୍ରଗତି ସଙ୍ଗେ ଅନେକ ବିପଜ୍ଜନକ ଟେକ୍ନୋଲୋଜି ମଧ୍ୟ ଆସିଛି। ‘ମେସିନ-ଅନୁବାଦ’ରୁ େସମିତି ବିପଦ ନାହିଁ।
‘ଗୁଗୁଲ ଟ୍ରାନ୍ସଲେଟ’ ଏବେ ବି ଏକ ବଡ଼ ଆୟୋଜନର ଅଂଶ। ଏଥିରେ ସ୍ୱେଚ୍ଛାସେବୀଙ୍କୁ କୌଣସି ବିଶେଷ ଶ୍ରେୟ ଦିଆଯାଏନି। ଜଣେ କେବଳ ନିଜ ଅନୁବାଦ ଦେଖିପାରିବ। ହେଲେ ବାକି ଅନୁବାଦ ଖୋଲା ନୁହେଁ। ତେଣୁ ଏହି ଅନୁବାଦ ଯୋଡ଼ାର (ଧରନ୍ତୁ ଇଂେରଜୀରୁ ଓଡ଼ିଆ) ‘କପିରାଇଟ୍’ କେବଳ ଗୁଗୁଲ ପାଖରେ। ତେବେ, ଏହା କେବଳ ପ୍ରାରମ୍ଭିକ ସମୟ। ପରବର୍ତ୍ତୀ କାଳ ବେଳକୁ ସବୁ ଅସୁବିଧା ଦୂର ହେବାର ବାଟ ଫିଟିଯାଇଥିବ।
ଓ ଫାଉଣ୍ଡେସନ (OFDN)
[email protected]