କୋଭିଡ-୧୯ ବାବଦରେ ସଂଦେହ

ଆଜି କ‌େରାନା ନାମକ ମହାମାରୀ ଦେଶସାରା ବ୍ୟାପୁଥିବା ବେଳେ ଖାଲି ସହରରେ ନୁହେଁ, ଗାଁଗଂଡାରେ ଲୋକଂକ ମନରେ ଅନେକ ସଂଦେହ ଉଠୁଚି। କେତେକ ବହୁ ପୁରୁଣା- ସବୁ ପ୍ରକାରର ମହାମାରୀ ବେଳେ ଉଠିଥାଏ। କେତେକ ଅପେକ୍ଷାକୃତ ନୂଆ- ଏ ନୂଆ ମହାମାରୀକୁ ନେଇ। ଏ ପ୍ରକାରର ସଂଦେହ ଲୋକର କେବଳ ବୈଚାରିକ ସ୍ତରରେ ହେଉଥିଲେ, ସେତେ ବିବ୍ରତ ହେବାର କାରଣ ନଥାଂତା। ମାତ୍ର ଏହାର ବ୍ୟକ୍ତିଗତ ତଥା ସାମାଜିକ ଜୀବନ ଉପରେ ପ୍ରଭାବ ଗୁରୁତର ହେବାର ସଂଭାବନା ଥିଲାରୁ ସେ ପ୍ରଶ୍ନ ସବୁକୁ ଉଠାଇ ତାହାର ହିସାବ ନିକାଶ କରିବା ଆବଶ୍ୟକ ହୋଇପଡୁଚି।

ଏବେ କୋଭିଡ-୧୯ ବିଷାଣୁର ଘଟ ପରିବର୍ତନ ହୋଇ ବିଭିନ୍ନ ପ୍ରକାର ବାହାରୁଚି। ୟେ ସବୁକୁ ପ୍ରଥମେ ଯେଉଁ ଦେଶରେ ଏ ପ୍ରକାର ଦେଖାଦେଲା ସେ ଦେଶର ନାଆଁ ଦେବାର ଏକ ଖବରକାଗଜୀୟ ପ୍ରଥା ପଡିଥିବାର ଦିଶୁଚି। ବୈଜ୍ଞାନିକ ଏପରି ନାମକରଣ କରଂତି ନାହିଁ। ଦେଶର ନାଆଁ ଦିଆଗଲେ ଆମ ଭିତରୁ କେତେକ ସେଥିରେ ଗର୍ବିତ ଓ ଆଉ କେତେକ ଦୁଃଖିତ ହୁଅଂତି। ମାତ୍ର ଅସଲରେ ଏଥିରେ ଗର୍ବିତ ବା ଦୁଃଖିତ ହେବା ନିରର୍ଥକ। ଏପରି କାହିଁକି ଘଟେ ତା’ ଜାଣିଲେ ଏ ପ୍ରକାରର ଭାବନାକୁ ବାଦ ଦେଇହେବ।

ପ୍ରାଣୀ ଶରୀର ଅସଂଖ୍ୟ ସେଲ୍‌ରେ ଗଢ଼ା। ଏ ସେଲ୍ ସବୁ ପ୍ରତି ମୁହୂର୍ତରେ ନଷ୍ଟହୋଇ ବା ମରି ତାଂକ ଜାଗାରେ ନୂଆ ଜନ୍ମ ଲଭିଥିବା ସେଲ୍ ବସଂତି। ଗୋଟିଏ ସେଲ୍‌ରୁ ଆଉ ଗୋଟିଏ ନିର୍ମାଣ ହେଲାବେଳେ ସେଥିରେ କେତେବେଳେ ଭୁଲ୍ ହୋଇ ଯାଇପାରେ। ବହି ଲେଖାରୁ ତାହାର ଅର୍ଥ ବୁଝାଯାଇପାରିବ। ଛାପାଖାନା ହେବା ଆଗରୁ ଲେଖା ବହିର ଏକାଧିକ ପ୍ରତ କରିବାପାଇଁ ଜଣ ଜଣଂକୁ ବସି ମୂଳ ବହିରୁ ଉତାରିବାକୁ ପଡୁଥିଲା। ଉତାରିଲା ବେଳେ କାହାର କେତେବେଳେ ଭୁଲ୍ ହୋଇଯାଏ। ସାମାନ୍ୟ ଭୁଲ୍‌କୁ ପଢିଲା ବାଲେ “ଶୁଦ୍ଧ ଅଶୁଦ୍ଧ ପୂରାଇ ଗାଆଂତି”। ମାତ୍ର ବେଳେ ବେଳେ ଶବ୍ଦ ଭିନ୍ନ ହେଲେ ତାହା ପରବର୍ତୀ କାଳରେ ବିଚାର ଭେଦ ସୃଷ୍ଟି କରେ। ସେହିପରି ପ୍ରାଣୀ ଜଗତ୍‌ରେ। ବାସ୍ତବିକ ସବୁ ଜୀବ ସୃଷ୍ଟିର ଗଠନ ଏହି ଭାବରେ ହୋଇଚି। ଏକ ଏକ ପ୍ରକାରର ପକ୍ଷୀଂକର ପିଲା ଜନ୍ମ ବେଳେ ଏଭଳି ବହୁ ପରିବର୍ତନ ଗତ ଲକ୍ଷ ଲକ୍ଷ ବର୍ଷ ଭିତରେ ଘଟିଚି। ସେଥିରୁ କେତେ ତିଷ୍ଠି ନାହାଂତି। ଅନ୍ୟ ସବୁ ବହୁ ପ୍ରକାରର ପକ୍ଷୀ, ତାଂକ ଭିନ୍ନ ଅବୟବ ଇତ୍ୟାଦି ରୂପେ ତିଷ୍ଠିଚଂତି। ତାହା ହିଁ ମନୁଷ୍ୟ ପ୍ରାଣୀ ବାବଦରେ। ଏହାକୁ ହିଁ ଇଂରେଜୀରେ survival of the fittest କୁହାଯାଏ। ବାସ୍ତବିକ ଯେଉଁ ପରିବର୍ତିତ ରୂପ/ଶରୀର ତିଷ୍ଠି ରହେ ତାହା ହିଁ ତିଷ୍ଠିବାର ଯୋଗ୍ୟ। ଆଜିର ବିଷାଣୁଂକ ଘଟ ପରିବର୍ତନ ବାବଦରେ ସେଇଆ। ସବୁ ତିଷ୍ଠି ରହିବେନି। ଯାହା ରହିଯିବ ତାହା ପରିସ୍ଥିତିଜନ୍ୟ ତିଷ୍ଠିବାର ଯୋଗ୍ୟ। ୟା ସହିତ କୌଣସି ଦେଶର କିଛି ସଂବଂଧ ନାହିଁ। ତିଷ୍ଠିଲେ ଅନୁସଂଧାନରୁ ଜଣାପଡିବ କେଉଁ ପରିସ୍ଥିତି ଯୋଗୁଁ ତାହା ତିଷ୍ଠି ପାରିଲା। ଏଭଳି ପରିବର୍ତିତ ବିଷାଣୁ ବିରୋଧରେ ଏବେ ତିଆରି ହୋଇଥିବା ଟିକା କାମ ଦେବ କି ନାହିଁ ତାହା ଅନୁସଂଧାନ ସାପେକ୍ଷ। ନହେଲେ ନୂଆ ଟିକା ତିଆରି କରିବାକୁ ପଡିବ।

ଟିକା ବାବଦରେ ଲୋକଂକ ଭିତରେ ଭୟାନକ ସଂଶୟର କଥା ମତେ ଏବେ ଜଣେ ବିଶେଷଜ୍ଞଂକଠାରୁ ଶୁଣିବାକୁ ମିଳିଲା। ସେ କରୋନା ବିଷୟରେ ଭାରତର ବିଭିନ୍ନ ଅଂଚଳରେ ସ୍ବେଚ୍ଛାସେବୀ ସଂସ୍ଥା ଯୋଗାଡ କରିଥିବା ୱେବିନାରରେ କହିଲା ବେଳେ ଭାରତର କେଉଁ କୋଣରୁ ଜଣେ ଶିକ୍ଷିତା ତରୁଣୀ ପଚାରିଲେ- “ସାର୍, ମୁଁ ଏବେ ବିବାହିତା। ପିଲା ହୋଇନାହାଂତି। ମାତ୍ର ଶୁଣିବାକୁ ମିଳୁଚି, ଏ ଟିକା ନେଲେ ବାଂଝ ହେବାର ସଂଭାବନା। କଅଣ କହୁଚଂତି?’’ ଅନ୍ୟ ଏକ ଅଂଚଳରୁ ଜଣେ ପୁରୁଷ ପଚାରିଲେ, “ସାର୍, ଏ ଟିକା ନେଲେ କ୍ଳୀବତ୍ବ ଆସିଯିବ ବୋଲି କହୁଚଂତି। ଠିକ୍ କି?” ଏ ସଂଦେହ କିଂତୁ ଆଜିର ନୁହେଁ। ଜେନ୍ନରଂକ ଗୋବୀଜ ଟିକା କାଳରୁ ଆମେରିକା ଓ ୟୁରୋପରେ ଏକ ଟିକା ବିରୋଧୀ ଗୋଷ୍ଠୀ ଏତେ କାଳ ହେଲା ଏ ପ୍ରକାରର ଅପପ୍ରଚାର ଚଳେଇଚଂତି। ଆଜି ସୋସାଲ୍ ମିଡିଆ କାଳରେ ଏହାର ମାଗଣା ପ୍ରଚାର ଆହୁରି ସହଜ। ତହିଁରୁ ତୁଂଡ ବାଇଦରେ ଗାଁଗଂଡା ଜଂଗଲ ପାହାଡ ଅଂଚଳକୁ ପଶିବାକୁ କେତେ ସମୟ! ସେ କାଳୁ ଆଜି ପର୍ଯଂତ କେତେ କୋଟି ଲୋକ ଗୋବୀଜ ଟିକା, ପ୍ଲେଗ୍ ଟିକା, ଇନ୍‌ଫ୍ଲୁଏଂଜା ଟିକା, ପୋଲିଓ ଟିକା, ୟେଲୋ ଫିଭର୍‌ ଟିକା, ଏବୋଲା ଟିକା ଇତ୍ୟାଦି ଓ କେତେ କୋଟି ବାଳୁତ ପିଲା ସାରା ଦୁନିଆରେ ଟ୍ରିପ୍ଲ ଟିକା ନେଲେଣି। ବାଂଝତ୍ବ, କ୍ଳୀବତ୍ବ ଆସୁଥିଲେ ଏ ପର୍ଯଂତ ହୁଲ୍‌ସ୍ତୁଲ ହୋଇ ସବୁ ବଂଦ ହୋଇସାରଂତାଣି। ବିରୋଧ ଲାଗି ତଥ୍ୟ ଆଧାରିତ ପ୍ରମାଣ ଆବଶ୍ୟକ। ମାତ୍ର ୟେ ତ “ବିଶ୍ବାସେ ମିଳଇ କୃଷ୍ଣ, ତର୍କେ ବହୁଦୂର”। ୟାକୁ ଔଷଧ ନାହିଁ! କି କୃଷ୍ଣ ମିଳୁଚଂତି କୃଷ୍ଣ ଜାଣିଥିବେ। ଆମେ ସାଦା ଗରିବ ଲୋକ “କୁଆ/ପେଚା ବସିଲା, ଡାଳ ଭାଂଗିଲା” କଥାରେ ହୁଡିବାର ନୁହେଁ। କେତେ ଗଛ ଡାଳରେ କେତେ କୁଆ/ପେଚା ବସିଲେଣି। କେତେ ଡାଳ ସେଥିଯୋଗୁ ଭାଂଗିଚି? ଲୋକେ ୟା ବୁଝଂତି।

ଆଉ ଗୋଟିଏ କଥା। ଆଜି ଡାକ୍ତରଠାରୁ ସରକାରଂକ ପର୍ଯ୍ୟଂତ ସମସ୍ତେ କହୁଚଂତି, ମୁଖା ପିଂଧ। ପରସ୍ପରଠାରୁ ଦୂରେଇ ରହ। ମାତ୍ର ବହୁ କ୍ଷେତ୍ରରେ ଦେଖାଯାଉଚି ଲୋକେ ମୁଖା ପିଂଧୁ ନାହାଂତି। ଅନେକ ସମୟରେ ଏଭଳି ଲୋକ ଅନ୍ୟକୁ ମୁଖା ପିଂଧିବା ପାଇଁ ଜୋରରେ କହୁଚଂତି। ୟା’ର କାରଣ, ତାଂକର ଧାରଣା ଯେ ନ ପିଂଧିଥିବା ଲୋକ ଯୋଗୁଁ ତାଂକୁ ରୋଗ ଲାଗିପାରେ। ମାତ୍ର ସେ ଭୁଲି ଯାଉଚଂତି ଯେ ସେ ନିଜେ ନ ପିଂଧିବା ଯୋଗୁଁ ଅନ୍ୟକୁ ରୋଗ ଲାଗିପାରେ। ୟା’ର ମୂଳରେ ହେଲା, ଆମର ଚିଂତା କେବଳ ନିଜର ସ୍ବାସ୍ଥ୍ୟ, ସୁରକ୍ଷା। ଅନ୍ୟ କଥା, ସମାଜ କଥା ଆମ ମନକୁ ଆସେ ନାହିଁ। ତାହା ଆମ ପାରଂପରିକ ଚେତନାର ବାହାରେ। ଆମେ ଘର ଝାଡି, ଓଳେଇ ଅଳିହାକୁ ଦାଂଡରେ ପକାଉ। ଆମ ଘର ଆମ ଦେଉଳ। ମାତ୍ର, ଆମେ ଯୋଉଠି ମନ ସେଇଠି ପଦାରେ ହଗି ବସେ। ଆମେ ଭିକାରିକୁ ଭିକ୍ଷା ଦେଉ ପୁଣ୍ୟ ଅର୍ଜନ ପାଇଁ। ମାତ୍ର, ଭିଖାରି କିପରି ଭିକ୍ଷା ମାଗିବାରୁ ବାହାରିପଡିବ ସେ ଚିଂତା ଆମର କେଭେଁ ନଥାଏ। (ପୁଣ୍ୟ ମିଳିବାର ବାଟ ବଂଦ ହେବାର ଭୟ କି?)

କୁରୁକ୍ଷେତ୍ରରେ ଯୁଦ୍ଧ ପାଇଁ ଠିଆ ହେଲା ବେଳେ ଅର୍ଜୁନଂକ ବିଷାଦ କଅଣ ପାଇଁ, ନାଁ ମୋ ଭାଇ, ଭଣଜା, ପୁତୁରା, ମାମୁଁ, ମଉସା, ପିଇସା ଇତ୍ୟାଦିଙ୍କୁ ମାରି ଆମେ ଏ ରାଜ୍ୟ ପାଇବାର ଅର୍ଥ କଅଣ। ମାତ୍ର, ସାମ୍ନାରେ ଠିଆ ହୋଇଥିବା ଔକ୍ଷଣୀ ସେନା ତାଂକୁ ଦିଶିଲେ ନାହିଁ- ସେମାନେ ବି ମରିବେ, ତମ ରାଜ୍ୟ ମିଳିବା ପାଇଁ! ମାତ୍ର ସେମାନେ ବିଚାରର ବିଷୟ ନୁହଁତି!

ଆମର ଏ ଭାବନା ଅଛି କରୋନା ବାବଦରେ ଆମ ବ୍ୟବହାରର ମୂଳରେ। ଆମେ ମୁଖା ପିଂଧିବାର ଆବଶ୍ୟକତା ଖାଲି ଆମ ନିଜ ସୁରକ୍ଷା ପାଇଁ ନୁହେଁ। ଏହା ଆମ ସମାଜର ସୁରକ୍ଷା ପାଇଁ। ଆମେ ମୁଖା ପିଂଧିଲେ ଆମ ସମାଜ ଏ ମହାମାରୀରୁ ଦୂରରେ ରହିପାରିବ। ଲୋକେ, ଏପରିକି ବୟସ୍କ ଲୋକେ, ବେଶି ଅନୁପାତରେ ମରିବେ ନାହିଁ। ଲୋକେ ସୁବିଧାରେ ଡାକ୍ତରଖାନାରେ ଜାଗା ପାଇପାରିବେ। ଦେଶରେ ଲୋକେ କାମରୁ ବେଶି ସଂଖ୍ୟାରେ ଅବ୍ୟାହତି ପାଇବେନାହିଁ। ସମାଜ ଅତି ଦୁର୍ବଳ ହେବନାହିଁ। ସମସ୍ତଂକ ଭିତରେ ଆମେ ବି ଥିବା। ମାତ୍ର କେବଳ ଆମେ ନୁହେଁ, ସମସ୍ତେ। ଏ ଭାବନାର ଅଭାବ ପରିସ୍ଥିତିକୁ ସଂଗିନ୍ କରୁଚି। ଲୋକେ ଏହାର ବିଚାର କରିବାର ଅଛି।

ପୁଣେ 411 004
ମୋ: ୯୪୨୨୬୫୬୦୩୨
[email protected]

ସମ୍ବନ୍ଧିତ ଖବର