କ୍ଷମତାନ୍ଧ ଫଷ୍ଟ୍‌ ଓ ଲାପତ୍ତା ନାଗରିକ

ହିରଣ୍ୟ ମହାନ୍ତି

ଜର୍ମାନ କି˚ବଦନ୍ତିରେ ଫଷ୍ଟ (Faust)ଙ୍କ ସ˚ପର୍କରେ ଗୋଟିଏ କାହାଣୀ ଚଳେ। ଫଷ୍ଟ କେବେ କାଳେ ତାଙ୍କ ଆତ୍ମା (Soul) ବା ବିବେକକୁ ଏକ ଡେଭିଲ ବା ପାପାତ୍ମାକୁ ବିକ୍ରି କରିବା ଅବକାଶରେ ତାହା ଠାରୁ ଅତି ଚଢ଼ା ମୂଲ୍ୟ ଦାବି କରିଥିଲେ। ମୂଲ୍ୟଟି ଥିଲା, ‘ଦୀର୍ଘ କାଳ ଧରି ଶାସନ କ୍ଷମତା ଅଧିକାରରେ ରହିବା ଓ ବିପୁଳ ସୁଖ ଭୋଗ କରିବା।’ କ୍ଷମତାରେ ଅଧିଷ୍ଠିତ ହେବା ଓ ହୋଇ ରହିବାର ଅନ୍ଧ ବାସନା ତାଙ୍କୁ ନିଜ ବିବେକକୁ ବିକିବା ପାଇଁ ତିଳେ ହେଲେ କୁଣ୍ଠିତ କରି ନ ଥିଲା। ଏହା ଏକ ଚମତ୍କାର ପ୍ରତୀକ। କାରଣ ଆବହମାନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି ଅସଂଖ୍ୟ ଫଷ୍ଟ ସର୍ବତ୍ର ବିଦ୍ୟମାନ ଯେଉଁମାନେ ବିବେକକୁ ବିକ୍ରି କରି କ୍ଷମତା ଅଧିରୂଢ଼ ହେବାର ଦୁର୍ବାର ବାସନା ଦ୍ବାରା ଜର୍ଜରିତ ହୋଇ ରହିଛନ୍ତି।

କ୍ଷମତା ପ୍ରମତ୍ତମାନଙ୍କ ଏଭଳି ଏକ ଅଭିଯାନ ଘଟିଯାଇଛି ଗଲା ଫେବ୍ରୁଆରି ମାସ ପହିଲା ତାରିଖ‌େର, ମିଆଁମାରରେ। ଗଣତାନ୍ତ୍ରିକ ବିଧାନାନୁସାରେ ସେଠାରେ ନିର୍ବାଚିତ ଆଙ୍ଗ ସାନ୍‌ ସୁକୀଙ୍କ ଦଳ ‘ଜାତୀୟ ଲିଗ୍‌ ଫର ଡେମୋକ୍ରାସି’କୁ ସେଠାକାର ସାମରିକ ଶାସନକର୍ତ୍ତା ସହ୍ୟ କରି ନ ପାରି କ୍ଷମତାରୁ ହଟାଇ ଦେଲେ। ନିର୍ବାଚିତ ସରକାରର ଅପରାଧ ଥିଲା, ମିଆଁମାରରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ପାଇଁ ଉଦ୍ୟମ କରିବା। ସୁତରା˚, ଗଣତନ୍ତ୍ର ପାଇଁ ମୁଖର ଥିବା ମୁଖିଆମାନଙ୍କ ପାଟିରେ ତୁଣ୍ତି ଲଗାଇବା ପାଇଁ ଜୁଲମ ଚାଲିଲା। ସେଠାରେ ନାଗରିକମାନଙ୍କ ସ୍ବାଧୀନ ମତ ଓ ଅଭିବ୍ୟକ୍ତି ଉପରେ ସାମରିକ କର୍ତ୍ତା ନିର୍ମମ ଓ ବର୍ବର ପ୍ରତିବନ୍ଧ ଲଗାଇଲେ, ଯାହା ଆଜି ଯାଏ ବଳବତ୍ତର ଅଛି। ମିଆଁମାର ଏବେ ତାହାର ଇତିହାସର ଏହିପରି ଏକ ସନ୍ଧିକ୍ଷଣରେ ଉପନୀତ।

ଏବେ ମିଆଁମାରରେ ‌େଯ କୗଣସି ବ୍ୟକ୍ତିି, ଯେ କୌଣସି ସମୟରେ ହଠାତ୍‌ ଅଦୃଶ୍ୟ ହୋଇଯାଇପାରେ। ସାମରିକ କର୍ତ୍ତା କୌଣସି କାରଣ ନ ଦର୍ଶାଇ ଯେ କୌଣସି ନାଗରିକକୁ ଜେଲ୍‌ର କାଳ କୋଠରି ମଧ୍ୟକୁ ଭିଡ଼ି ନେଇ ପାରନ୍ତି। ଏହାକୁ ଇଂରେଜୀରେ କୁହାଯାଏ ‘ଏନ୍‌ଫୋର୍ସଡ୍‌ ଡିସ୍‌ଆପିଅରାନ୍‌ସ’; ଯହିଁରେ ଅସଂଖ୍ୟ ବ୍ୟକ୍ତି ଦିନ ଦିନ ଧରି ଲାପତ୍ତା ହୋଇ ଯାଉଛନ୍ତି।

ସେଠାରେ ସାମରିକ ବିଦ୍ରୋହ ହେବା ଦିନ ଠାରୁ ମିଳିତ ଜାତିସ˚ଘର ‘ୱାର୍କିଙ୍ଗ ଗ୍ରୁପ୍‌ ଅନ୍‌ ଏନ୍‌ଫୋର୍ସଡ ଡିଜାପିଅରାନ୍‌ସ’ ଏ ନେଇ ମିଆଁମାର ଶାସକଙ୍କ ଠାରୁ ତଥ୍ୟ ମାଗୁଛନ୍ତି ବା କୈଫିୟତ ଚାହୁଁଛନ୍ତି, କିନ୍ତୁ ସାମରିକ ଶାସକ କୌଣସି ସହଯୋଗ କରୁ ନାହାନ୍ତି। ଏଣେ, ଦୁର୍ଗତ ପରିବାରଗୁଡ଼ିକ ସେମାନଙ୍କ ପ୍ରିୟ ପରିଜନଙ୍କ ଫେରିବା ପଥକୁ ସେମିତି ଚାହିଁ ବସିଛନ୍ତି।

ଖାଲି ମିଆଁମାର ନୁହେଁ, ସ˚ପ୍ରତି ଚୀନରେ ସ˚ଖ୍ୟାଲଘୁ ଉଇଘୁରମାନେ ଶଙ୍କାଗ୍ରସ୍ତ ଜୀବନ କାଟୁଛନ୍ତି। ସେଠାକାର ‘ସିଭିଲ ସୋସାଇଟି ଅର୍ଗାନାଇଜେସନ’ ବା ‘ସଭ୍ୟ ସମାଜ ସଂଗଠନ’ଗୁଡ଼ିକ ପାଖରେ ଅନେକ ପରିବାର ଫେରାଦ ହୋଇଛନ୍ତି ଯେ ‘ସିନ ଜିଆଙ୍ଗ ସ୍ବୟ˚ ଶାସିତ ପ୍ରଦେଶ’ରେ ବସବାସ କରୁଥିବା ଅସଂଖ୍ୟ ଉଇଘୁର ନାଗରିକଙ୍କୁ ବଳପୂର୍ବକ ଅପହରଣ କରି ନିଆଯାଉଛି। ତା’ ପରେ ସେମାନେ ଉଭାନ ହୋଇ ଯାଉଛନ୍ତି। ଚୀନ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ଉଇଘୁର ମୁସଲମାନ ସଂପ୍ରଦାୟ ଯୁବକଙ୍କ ମନରୁ ସନ୍ତ୍ରାସବାଦୀ ଭାବନା ଲୋପ କରିବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ କେନ୍ଦ୍ରକୁ ପଠାଯାଇଛି। ମାତ୍ର, ବିଡ଼ମ୍ବନା ଯେ ସେହି ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକର ଠିକଣା ଦିଆ ଯାଉନାହିଁ। ଏଣୁ ଉଇଘୁର ଲୋକେ ନିଶ୍ଚିତ ହେଲେଣି ଯେ ଚାଇନିଜ ପ୍ରଭୁମାନଙ୍କର ଏପରି କଥା ମିଥ୍ୟା ଛଡ଼ା ଆଉ କିଛି ନୁହେଁ। ସେହି କାରଣରୁ ପରିବାରର ଲୋକମାନଙ୍କର ଦୁଃଖ ଓ ଅନ୍ତର୍ଦହନ ବୃଦ୍ଧି ପାଇ ଚାଲିଛି। କିନ୍ତୁ ସେମାନେ ଉପାୟ ଶୂନ୍ୟ। ଚୀନ ସରକାରଙ୍କ ଭଳି କ୍ରୂର କ୍ଷମତାଧାରୀଙ୍କ ସମ୍ମୁଖରେ କିଏ ଛିଡ଼ା ହେବ?

ଶ୍ରୀଲଙ୍କାର ସ୍ଥିତି ମଧୢ ତିନି ଦଶନ୍ଧି ଧରି ଅଶାନ୍ତ ରହି ଆସିଛି। ଆଭ୍ୟନ୍ତରୀଣ ସ˚ଘର୍ଷ ଓ ଦ୍ବନ୍ଦ୍ବ ଭିତରେ ଶ୍ରୀଲଙ୍କା ତାହାର ‘ଶ୍ରୀ’ ହରାଇ କେବଳ ଶ୍ଳେଷାର୍ଥରେ ‘ଲଙ୍କା’ ହୋଇ ରହିଆସିଛି। ସେଠାରେ ହେଉ ବା ବାଂଲାଦେଶରେ ହେଉ; ଭିନ୍ନ ମତ ପୋଷଣ କରୁଥିବା ସାଧାରଣ ଲୋକଙ୍କୁ ଶାସକ ବା ସରକାରୀ ବାହିନୀ ଉଠେଇ ନେବା ଓ ସେମାନଙ୍କ ପତ୍ତା ନ ମିଳିବା ଭଳି ଘଟଣା ବାରମ୍ବାର ଘଟିବାରେ ଲାଗିଛି। ୧୯୮୦ ମସିହାରେ ଆର୍ଜେଣ୍ଟିନାରେ ୩୦,୦୦୦ ଲୋକଙ୍କୁ ଛେକ ଛେକ କରି ହରଣଚାଳ କରି ନିଆଯାଇଥିଲା। ସେମାନଙ୍କ ଜୀବନର ପରବର୍ତ୍ତୀ କାହାଣୀ ଆଜି ସୁଦ୍ଧା ଅନ୍ଧକାର ମଧୢରେ ଗୁପ୍ତ ରହିଛି। ସେମାନଙ୍କ ନାମ କେବଳ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ତାଲିକାର କେତୋଟି ଫର୍ଦ୍ଦ କାଗଜ ହୋଇ ପଡ଼ିରହିଛି।

ମିଳିତ ଜାତିସ˚ଘର ହିସାବ ଅନୁସାରେ ୧୦୯ ରାଷ୍ଟ୍ରର ୫୮,୬୦୬ ଜଣ ବ୍ୟକ୍ତି ଏବେ ବି ନିଖୋଜ ରହିଛନ୍ତି। ୨୦୨୦ ମସିହା ହିସାବ ଅନୁସାରେ ୯୨ ଦେଶରୁ ୪୬,୨୭୧ ଜଣ ବ୍ୟକ୍ତି ଏବେ ବି ନିଖୋଜ ତାଲିକାରେ। ଅନେକ ରାଷ୍ଟ୍ରର ଶାସକ ବର୍ଗ ‘ଏନ୍‌ଫୋର୍ସଡ୍‌ ଡିସାପିଅରାନ୍‌ସ’ ପରି ଅନ୍ଧାରୀ ଶାସନର ଅବସାନ ଘଟାଇବାକୁ ଚାହୁନାହାନ୍ତି। ଭିନ୍ନ ମତକୁ ନିରବ କରିବା ଲାଗି ଏହା କ୍ଷମତାନ୍ଧ ଫଷ୍ଟମାନଙ୍କର ଏକ ସମର୍ଥ ଅସ୍ତ୍ର ହୋଇ ରହି ଆ‌ସିଛି।

ଗଜପୀଠ, ପୁନ୍ଦାଳୋ, ପାଟକୁରା, କେନ୍ଦ୍ରାପଡ଼ା
ମୋ- ୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର