ମନ ଓ ଶରୀର: ଭିନ୍ନ ଅଥବା ଅଭିନ୍ନ!

ସ˚ଗୀତା ରଥ

ଆମେରିକାରେ କୋଲିଗାନ ନାମଧାରୀ ଜଣେ ବୟସ୍କ ବ୍ୟକ୍ତିଙ୍କ ବାଁ ଆଣ୍ଠୁରେ ପ୍ରବଳ କଷ୍ଟ ହେବାରୁ ସେ ତାଙ୍କ ପରିବାରର ଚିକିତ୍ସକଙ୍କର ପରାମର୍ଶ ଲୋଡ଼ିଲେ। ତାଙ୍କୁ ଆର୍‌ଥ୍ରାଇଟିସ୍‌ ହୋଇଛି ଏବ˚ ଏ ବିଷୟରେ ବିଶେଷ କିଛି ସାହାଯ୍ୟ କରିପାରିବେ ନାହିଁ ବୋଲି ଚିକିତ୍ସକ ଜଣାଇ ଦେଲେ। କିନ୍ତୁ କୋଲିଗାନ ଏ କଷ୍ଟରୁ ମୁକ୍ତି ପାଇବା ପାଇଁ ବ୍ୟାକୁଳତା ଦେଖାଇବାରୁ ଡକ୍ଟର ମୋସ୍‌ଲେ ନାମକ ଜଣେ ଶଲ୍ୟ ଚିକିତ୍ସକଙ୍କୁ ପରାମର୍ଶ କରିବାକୁ ତାଙ୍କୁ କୁହାଗଲା। ମୋସ୍‌ଲେ ଜଣେ ଖ୍ୟାତନାମା ଶଲ୍ୟ ଚିକିତ୍ସକ ଓ ଉଚ୍ଚକୋଟୀର ଗବେଷକ ଥିଲେ, ଯାହାଙ୍କ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଥିଲା। କୋଲିଗାନ ମୋସ୍‌ଲେଙ୍କୁ ସାକ୍ଷାତ କଲେ ଓ ତାଙ୍କର ଲୋକପ୍ରିୟତା ଦେଖି ଏବଂ ତାଙ୍କ ସହିତ କଥାବାର୍ତ୍ତା କରି ସେ ଖୁବ୍‌ ପ୍ରଭାବିତ ହେଲେ।

ଆଣ୍ଠୁରେ ଅସ୍ତ୍ରୋପଚାର ହେବ ବୋଲି ମୋସ୍‌ଲେ ପରାମର୍ଶ ଦେଲେ। କିନ୍ତୁ ଇତି ମଧ୍ୟରେ ମୋସ୍‌ଲେଙ୍କୁ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରୁଥାଏ। ମୋସ୍‌ଲେ ଭାବୁଥାଆନ୍ତି ଯେ ପ୍ରକୃତରେ ଅସ୍ତ୍ରୋପଚାର ଫଳପ୍ରଦ ହେଉଛି ବୋଲି ଆଣ୍ଠୁ ରୋଗ ଭଲ ହେଉଛି ନା ଅସ୍ତ୍ରୋପଚାର ଯୋଗୁଁ ଆଣ୍ଠୁ ରୋଗ ଭଲ ହୋଇଯିବାର ବୋଲି ରୋଗୀର ବିଶ୍ବାସ ହେତୁ ତା’ର ଆଣ୍ଠୁ କଷ୍ଟ ଭଲ ହୋଇ ଯାଉଛି। ଏହାର ପ୍ରାୟୋଗିକ ଅନୁସନ୍ଧାନ କରିବାକୁ ଯାଇ ଅସ୍ତ୍ରୋପଚାର ପାଇଁ ଅପେକ୍ଷାରତ ରୋଗୀଙ୍କୁ ମୋସ୍‌ଲେ ଦୁଇ ଭାଗରେ ବିଭକ୍ତ କଲେ। ଅଧା ରୋଗୀଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର କରାଗଲା ଏବଂ ବାକି ଅଧା ରୋଗୀଙ୍କ ଅସ୍ତ୍ରୋପଚାର ନ କରି କେବଳ ଆନାସ୍ଥେସିଆ ଦେଇ ଆଣ୍ଠୁରେ ଅଳ୍ପ କ୍ଷତ ସୃଷ୍ଟି କରି ବ୍ୟାଣ୍ତେଜ୍‌ ଗୁଡ଼ାଇ ଦିଆଗଲା। କୋଲିଗାନଙ୍କ କ୍ଷେତ୍ରରେ କୌଣସି ଅସ୍ତ୍ରୋପଚାର କରାଯାଇନଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, କୋଲିଗାନ ସମ୍ପୂର୍ଣ୍ଣ ଭଲ ହୋଇଗଲେ ଏବ˚ ତାଙ୍କର ଆଣ୍ଠୁରେ କୌଣସି ଯନ୍ତ୍ରଣା ନାହିଁ ବୋଲି କହିଲେ। ତାଙ୍କୁ ଭଲ କରି ଦେଇଥିବାର ସବୁ ଶ୍ରେୟ ସେ ମୋସ୍‌ଲେଙ୍କୁ ଦେଲେ।

ଜଣେ ରୋଗୀ ଭାବରେ କୋଲିଗାନଙ୍କର ଅନୁଭୂତି ପରି ବହୁ ଲୋକଙ୍କର ଅନୁଭୂତି ରହିଛି। ଏଠାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା କୋଲିଗାନଙ୍କର ମୋସ୍‌ଲେଙ୍କ ପ୍ରତି ଅଖଣ୍ତ ବିଶ୍ବାସ। ଦେଖାଯାଇଛି ଯେ ରୋଗୀର ବିଶ୍ବାସ ଓ ଆଶା ଚିକିତ୍ସାର କାର୍ଯ୍ୟକାରିତାକୁ ବଢ଼ାଇ ଦିଏ। କେବେ କେବେ ବିନା ଚିକିତ୍ସାରେ ମଧୢ ରୋଗୀ ଭଲ ହୋଇଯାଏ। ଆମ ଭିତରୁ ଅନେକଙ୍କ ଏଇଭଳି ଅନୁଭୂତି ଥାଇପାରେ। ପ୍ରାୟ ସାତ ଦିନ ଧରି ପ୍ରବଳ ଜ୍ବରରେ ପୀଡ଼ିତ ହୋଇ କଷ୍ଟ ପାଇବା ପରେ ଚିକିତ୍ସକଙ୍କର ପରାମର୍ଶ ନେବାକୁ ଜଣେ ସ୍ଥିର କଲେ। ଜ୍ବର ଛାଡୁ ନ ଥିବା ଚିନ୍ତାରେ ତାଙ୍କୁ ଖୁବ୍‌ ଅବଶ ଲାଗୁଥାଏ। ଦୁର୍ବଳତା ଯୋଗୁଁ ପରିବାରର ସଦସ୍ୟଙ୍କ ଉପରେ ସେ ଖୁବ୍‌ ବିରକ୍ତି ଭାବ ପ୍ରକାଶ କରୁଥା’ନ୍ତି। ଚିକିତ୍ସାଳୟରେ ପ୍ରବେଶ କଲା ପରେ ଦେଖିଲେ ଚିକିତ୍ସକ ଏକ ସୌଖୀନ, ଦାମୀ ଗାଡ଼ିରେ ପହଞ୍ଚିଲେ। ରାଜ୍ୟରେ ତାଙ୍କର ଖୁବ୍‌ ସୁନାମ। ସେ ଜଣେ ଶାନ୍ତି, ସୌମ୍ୟ, ଆକର୍ଷଣୀୟ ବ୍ୟକ୍ତିତ୍ବ ସମ୍ପନ୍ନ ଭଦ୍ର ଲୋକ। ତାଙ୍କ ଅପେକ୍ଷାରେ ବହୁ ରୋଗୀ ବସିଥା’ନ୍ତି। ତାଙ୍କ ପାଳି ଆସିବା ପରେ ଚିକିତ୍ସକ ସହାନୁଭୂତି ଓ ସମାନୁଭୂତି ପୂର୍ବକ ଧୈର୍ଯ୍ୟର ସହ ତାଙ୍କର ପ୍ରତ୍ୟେକ କଥା ଶୁଣିଲେ। ଅଳ୍ପ ହସି ପ୍ରବୋଧନା ଦେଇ କହିଲେ- ଭାଇରାଲ ଫିଭର୍‌ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଜ୍ବର ଛାଡ଼ିଯିବ। କାଲି ସୁସ୍ଥ ହୋଇଯିବ। ହଠାତ୍‌ ତାଙ୍କର ସବୁ କଷ୍ଟ ଅନ୍ତର୍ଦ୍ଧାନ ହୋଇଗଲା। ଦୁର୍ବଳତା କମିଗଲା, ଆରାମ ଲାଗିଲା। ସତୁରିରୁ ଅଶୀ ପ୍ରତିଶତ କଷ୍ଟ ଓ ଲକ୍ଷଣ ଚାଲିଯିବା ପରି ମନେ ହେଲା। ଖୁବ୍‌ ପ୍ରସନ୍ନ ହୋଇ ସେ ଘରକୁ ଫେରିଲେ। ଚିକିିତ୍ସକ କିଛି କରିନାହାନ୍ତି। ଖାଲି ମନ ଦେଇ ସହାନୁଭୂତିର ସହ ତାଙ୍କ କଥା ଶୁଣିଛନ୍ତି ଓ ସେ ଭଲ ହୋଇଯିବେ ବୋଲି କହିଛନ୍ତି। ଅଥଚ କଷ୍ଟ କମିଗଲା କିପରି? ମନସ୍ତତ୍ତ୍ବବିଦ୍‌ମାନେ ଏହି ପ୍ରଭାବକୁ ‘ପ୍ଳାସିବୋ ଏଫେକ୍‌ଟ’ (Placebo Effect) ବୋଲି କହନ୍ତି। ପ୍ଲାସିବୋ ଗୋଟିଏ ନିଷ୍କ୍ରିୟ ଚିକିତ୍ସା। କିନ୍ତୁ ରୋଗୀକୁ ଲାଗେ ସତେ ଯେପରି ତାକୁ ଏକ ପ୍ରଭାବଶାଳୀ ଚିକିତ୍ସା ଦିଆଯାଉଛି। ରୋଗୀକୁ ଏପରି ଲାଗିବାର ଏକମାତ୍ର କାରଣ ହେଉଛି ତା’ର ବିଶ୍ବାସ। ଡାକ୍ତରଙ୍କର ସୁଖ୍ୟାତି, ଧୈର୍ଯ୍ୟର ସହ କଥା ଶୁଣିବା ଏବ˚ ସକାରାତ୍ମକ ବ୍ୟବହାର ତାକୁ ଏତେ ଆଶ୍ବସ୍ତ ଲାଗିଲା ଯେ, ରୋଗଜନିତ ସବୁ କଷ୍ଟ ଅନ୍ତର୍ଦ୍ଧାନ ହୋଇଗଲା। ଦୁଶ୍ଚିନ୍ତାରେ ଚାପଗ୍ରସ୍ତ ହୋଇ ଲୋକେ ମନ୍ଦିର ଯାଆନ୍ତି। ଠାକୁରଙ୍କ ପାଖରେ ଗୁହାରି କରନ୍ତି। ଠାକୁର କିଛି କରନ୍ତୁ ବା ନ କରନ୍ତୁ ମନ ହାଲୁକା ଲାଗେ। ଏ ପ୍ରକାର ମନୋଭାବ ମୂଳରେ ଥାଏ ଅସୀମ ବିଶ୍ବାସ।

ବିଶ୍ବାସ ବା ପ୍ରତ୍ୟାଶାର ପ୍ରଭାବ ଚିକିିତ୍ସାର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ବୋଲି ଗବେଷଣାରୁ ଜଣାପଡ଼ିଛି। ୧୯୯୪ ମସିହାରେ ପ୍ରାୟ ଦୁଇ ଶହରୁ ଅଧିକ ଗବେଷଣାଲବ୍‌ଧ ସିଦ୍ଧାନ୍ତକୁ ସମୀକ୍ଷା କରି ଟର୍ନର ଏବ˚ ତାଙ୍କର ସହଯୋଗୀ ଗବେଷକମାନେ ମତ ଦେଇଛନ୍ତି ଯେ ବିଶ୍ବାସ ବା ପ୍ରତ୍ୟାଶା ଚିକିତ୍ସାରେ ଆରୋଗ୍ୟ ଲାଭ କରିବା ଦିଗରେ ପଇଁତିରିଶରୁ ଚାଳିଶ ପ୍ରତିଶତ ସହାୟକ ହୁଏ। କିର୍‌ଚ ଏବ˚ ମୁରେ (୨୦୦୨)ଙ୍କ ପରି କେତେକ ଗବେଷକ ଆରୋଗ୍ୟ ଲାଭ କରିବାରେ ଏହାର ପ୍ରଭାବ ଅଶୀ ପ୍ରତିଶତ ଯାଏଁ ସହାୟକ ବୋଲି ମତ ବ୍ୟକ୍ତି କରିଛନ୍ତି। ଆଜ୍‌ମା, ନିଦ୍ରାହୀନତା, ଉଚ୍ଚ ରକ୍ତଚାପ, ମୁଣ୍ତ ବିନ୍ଧା, ପୋଡ଼ା ଘା’ର କଷ୍ଟ, ନିମ୍ନ ପଶ୍ଚାତ୍‌ ଭାଗର ପୀଡା, ଏପରିକି ଉଦ୍‌ବେଗକୁ କମାଇବାରେ ପ୍ଲାସିବୋ ଖୁବ୍‌ ସହାୟକ ହୁଏ। ପ୍ଲାସିବୋ ଶଲ୍ୟ ଚିକିତ୍ସା ପାର୍କିନ୍‌ସନ୍‌ସ୍‌ ରୋଗକୁ ଭଲ କରିଦିଏ। ପ୍ଲାସିବୋ ମସ୍ତିଷ୍କର କଷ୍ଟ ନିବାରକ କାର୍ଯ୍ୟକଳାପକୁ ପ୍ରଭାବିତ କରେ ଏବ˚ ପ୍ରକୃତ କଷ୍ଟ ନିବାରକ ପରି କାର୍ଯ୍ୟ କରେ। ଶରୀରରେ ପ୍ରବାହିତ ହେଉଥିବା ସ୍ନାୟୁ ସ˚ଚାରକମାନଙ୍କର କ୍ଷରଣ ପ୍ଲାସିବୋ ଦ୍ବାରା ପ୍ରଭାବିତ ହୁଏ। ପ୍ଲାସିବୋର ପ୍ରଭାବରେ ଆଶା ଓ ବିଶ୍ବାସ ବଢ଼ିଯାଏ। ତେଣୁ ଅଧିକରୁ ଅଧିକ ଏଣ୍ତୋରଫିନ୍‌ସ ହର୍‌ମୋନ୍‌ ନିର୍ଗତ ହୁଏ। ଏହି ହର୍‌ମୋନ୍‌ ଯେ କୌଣସି ଶାରୀରିକ କଷ୍ଟକୁ ହ୍ରାସ କରିଦିଏ।

ବିଶ୍ବାସ ଉପରେ ଆଧାରିତ କେତେଗୁଡ଼ିଏ ସତ୍ୟ ଘଟଣାର ଅବତାରଣା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା କିପରି ମଣିଷର ବିଶ୍ବାସ, ପ୍ରତ୍ୟାଶା, ଆବେଗ, ମନୋଭାବ, ଅନୁଭୂତି ଓ ଜୀବନଶୈଳୀ ତା’ର ଶାରୀରିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ ଏବ˚ ସୁସ୍ଥ ରହିବା ବ୍ୟାପାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ। ମନ ଖୁବ୍‌ ଶକ୍ତିଶାଳୀ ଏବ˚ ଏହା ଶାରୀରିକ ସ୍ଥିତିକୁ ସ˚ପୂର୍ଣ୍ଣ ନିୟନ୍ତ୍ରଣ କରେ। ଅଥଚ ପ୍ରାୟ ୧୯୮୦ ମସିହା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବ୍ୟାପାରରେ ବୈଜ୍ଞାନିକ ଏବ˚ ଚିକିତ୍ସକମାନଙ୍କର ଚିନ୍ତନ ସ˚ପୂର୍ଣ୍ଣ ଭିନ୍ନ ଥିଲା। ସ୍ବାସ୍ଥ୍ୟକୁ ସ˚ପୂର୍ଣ୍ଣ ଶାରୀରିକ ପ୍ରକ୍ରିୟାର ଦୃଷ୍ଟିକୋଣରୁ ବିଚାର କରାଯାଉଥିଲା। ମାନସିକ ପ୍ରକ୍ରିୟାକୁ ଆଦୌ ଗୁରୁତ୍ବ ଦିଆଯାଉ ନଥିଲା।

୧୯୫୯ ମସିହାରେ ପ୍ରସିଦ୍ଧ ବୈଜ୍ଞାନିକ ଚାର୍ଲସ ଡାରଵିନଙ୍କର ‘ବିବର୍ତ୍ତନବାଦ ତତ୍ତ୍ବ’ ପ୍ରକାଶିତ ହେଲା। ପ୍ରାଣୀର ବିକାଶଜନିତ କ୍ରମିକ ପରିବର୍ତ୍ତନ ଏବ˚ ଏକକୋଷୀରୁ ବହୁକୋଷୀ ପ୍ରାଣୀ ଓ ମଣିଷର ବିବର୍ତ୍ତନ ତତ୍ତ୍ବ ପ୍ରମାଣିତ ହେବା ପରେ ଏକ ଧାରଣା ସୃଷ୍ଟି ହେଲା ଯେ ମଣିଷ ପ୍ରକୃତିର ଅ˚ଶ। ମଣିଷର କେବଳ ଏକ ଜୈବିକ ପରିଚୟ ରହିଛି। ମାଇକ୍ରୋସ୍କୋପ୍‌ ସାହାଯ୍ୟରେ କ୍ଷୁଦ୍ରାଦପି କ୍ଷୁଦ୍ର ଜୀବାଣୁ ଓ ଭୂତାଣୁମାନଙ୍କୁ ଚିହ୍ନଟ କରାଗଲା ଏବ˚ ସେମାନେ କିପରି ଭିନ୍ନ ଭିନ୍ନ ରୋଗ ସୃଷ୍ଟି କରନ୍ତି, ତାହା ପ୍ରମାଣିତ ହେଲା। ତେଣୁ ଏକ ଧାରଣା ବଦ୍ଧମୂଳ ହେଲା ଯେ ଶାରୀରିକ ଅବସ୍ଥା ହିଁ ଅସୁସ୍ଥତାର ମୂଳ କାରଣ। ଯେପରି ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ଜିନ୍‌ଗତ ତ୍ରୁଟି ଅନେକ ଶାରୀରିକ ସମସ୍ୟା ସୃଷ୍ଟି କରେ; ଡୋପାମାଇନ୍‌, ସେରୋଟୋନିଜ୍‌ ଆଦି ସ୍ନାୟୁସ˚ଚାରକମାନଙ୍କର ସ୍ରାବର ମାତ୍ରା ବୃଦ୍ଧି ଓ ହ୍ରାସ ହେଲେ ଅସୁସ୍ଥତା ଦେଖାଦିଏ। ଶରୀର ରଚନା ସମ୍ବନ୍ଧୀୟ ସମସ୍ୟା ଥିଲେ ଅସ୍ତ୍ରୋପଚାର କରାଯାଏ। ଭୂତାଣୁ ବା ଜୀବାଣୁ ଦ୍ବାରା ସ˚କ୍ରମିତ ହେଲେ ଆଣ୍ଟିବାୟୋଟିକ୍‌ ଓ ବିଭିନ୍ନ ଔଷଧ ଦ୍ବାରା ଚିକିତ୍ସା କରାଯାଏ। ଏହାକୁ ‘ଜୈବ ଚିକିତ୍ସା ରୀତି (Biomedical model of medicine) ବୋଲି କୁହାଯାଏ। ପ୍ରାୟ ତିନିଶହ ବର୍ଷ ଧରି ଏହି ଚିକିତ୍ସା ରୀତି ପ୍ରଚଳିତ ଥିଲା। ଏବେ ମଧୢ ଏହି ରୀତିର ପ୍ରଚଳନ ଅଧିକ। ଜୈବ ଚିକିତ୍ସା ରୀତି ଅନୁସାରେ ମନ ଓ ଶରୀର ପ୍ରତ୍ୟେକ ସ୍ବାଧୀନ ଭାବରେ କାର୍ଯ୍ୟ କରନ୍ତି। ମନ ଶରୀରକୁ ବା ଶରୀର ମନକୁ ପ୍ରଭାବିତ କରେ ନାହିଁ। କାଳକ୍ରମେ ଏହି ଚିକିତ୍ସା ରୀତି‌େର ବହୁ ତ୍ରୁଟି ଓ ଦୁର୍ବଳତା ପରିଲକ୍ଷିତ ହେଲା। ଦେଖାଗଲା ଯେ ଯଦି ବହୁଲୋକ ଏକ ନିର୍ଦ୍ଦିଷ୍ଟ ଭୂତାଣୁ ବା ଜୀବାଣୁ ସ˚ସ୍ପର୍ଶରେ ଆସୁଛନ୍ତି, ସମସ୍ତେ ସ˚କ୍ରମିତ ହେଉନାହାନ୍ତି। ଆମ ଚାରି ପଟରେ ଥିବା ଅସ˚ଖ୍ୟ ଜୀବାଣୁ ଓ ଭୂତାଣୁଙ୍କର ସଂସ୍ପର୍ଶରେ ଆସିବା ସତ୍ତ୍ବେ ସବୁବେଳେ ସ˚କ୍ରମିତ ହେଉ ନାହୁଁ। ଅବସାଦ ଗ୍ରସ୍ତ ବା ଚାପଯୁକ୍ତ ରହିଲେ ସ˚କ୍ରମଣର ସମ୍ଭାବନା ବଢ଼ି ଯାଉଛି। ଏ ସବୁର ସନ୍ତୋଷଜନକ ଉତ୍ତର ଜୈବ ଚିକିତ୍ସା ରୀତି ଦେବାକୁ ସମର୍ଥ ହେଲା ନାହିଁ।
ଊଣେଇଶହ ଅଶୀ ଦଶକର ପ୍ରାରମ୍ଭରେ ବୈଜ୍ଞାନିକ, ଚିକିତ୍ସକ ଏବ˚ ମନସ୍ତତ୍ତ୍ବବିଦ୍‌ମାନେ ଅନୁଭବ କଲେ ଯେ ମାନସିକ ଅବସ୍ଥା ହିଁ ଶାରୀରିକ ସ୍ଥିତିକୁ ନିର୍ଦ୍ଧାରଣ କରୁଛି। ମନ ଓ ଶରୀର ଅଭିନ୍ନ ଏବ˚ ପରସ୍ପରକୁ ପ୍ରଭାବିତ କରନ୍ତି। ମନୁଷ୍ୟ ଏକମାତ୍ର ପ୍ରାଣୀ, ଯାହାର ଶକ୍ତିଶାଳୀ ମସ୍ତିଷ୍କ ଅଛି। ବୈଦ୍ଧିକ ଶକ୍ତି ଓ ସୃଜନଶୀଳତା ଅଛି। ତୀବ୍ର ଆବେଗ ମଧୢ ଅଛି; ଯାହାର ପ୍ରଭାବ ଶରୀର ଉପରେ ପଡ଼େ।

ମଣିଷ ଭୟଭୀତ ହେଲେ ଅଧିକ ପରିମାଣରେ ଆଡ୍ରେନାଲିନ୍‌ ହରମୋନ୍‌ ନିର୍ଗତ ହୁଏ, ରାଗିଲେ ରକ୍ତରେ କୋଲେଷ୍ଟ୍ରଲ୍‌ର ପରିମାଣ ବଢ଼ିଯାଏ। ଚାପଯୁକ୍ତ ହେଲେ କର୍ଟିସୋଲ ହରମୋନ୍‌ର ସ୍ରାବ ବଢ଼ିଯାଏ। ମାନସିକ ଚାପ ଯୋଗୁ ପ୍ରତିରୋଧ ବ୍ୟବସ୍ଥା ମଧୢ ପ୍ରଭାବିତ ହୁଏ। ପରୀକ୍ଷା ପୂର୍ବରୁ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କର ଅଧିକ ଥଣ୍ତା, ଜ୍ବର, ସର୍ଦ୍ଦି ଏବ˚ ଶ୍ବାସନଳୀର ଉପରି ଭାଗରେ ସ˚କ୍ରମଣ ହେଉଥିବା ଲକ୍ଷ୍ୟ କରି ବୈଜ୍ଞାନିକ ଜେମଟ୍‌ ଏବ˚ ମ୍ୟାଗଲଏର‌୍‌ (୧୯୮୮) ଏକ ଅଧୢୟନ କରିଥିଲେ। ଶରୀର ମଧୢରେ ‘ଇମ୍ୟୁନୋଗ୍ଲୋବୁଲିନ୍‌ ଏ’ ନାମକ ଏକ ଆଣ୍ଟିବଡି ଥାଏ, ଯାହା ଆମ ଶରୀରକୁ ବିଭିନ୍ନ ସ˚କ୍ରମଣରୁ ରକ୍ଷା କରିଥାଏ। ପରୀକ୍ଷା ପୂର୍ବରୁ ଏହି ଦୁଇ ବୈଜ୍ଞାନିକ ଛାତ୍ରଛାତ୍ରୀଙ୍କର ଲାଳ ସ˚ଗ୍ରହ କରି ‘ଇମ୍ୟୁନୋଗ୍ଲୋବୁଲିନ୍‌-ଏ’ର ମାତ୍ରା ପରୀକ୍ଷା କରିଥିଲେ। ପରୀକ୍ଷା ପୂର୍ବରୁ ଚାପଗ୍ରସ୍ତ ରହୁଥିବାରୁ ଛାତ୍ରଛାତ୍ରୀମାନଙ୍କର ଲାଳରେ ଇମ୍ୟୁନୋଗ୍ଲୋବୁଲିନ୍‌ର ମାତ୍ରା କମି ଯାଇଥିଲା। ପରୀକ୍ଷା ସରିବା ପରେ ଏହାର ମାତ୍ରା ପୁଣି ସ୍ବାଭାବିକ ଅବସ୍ଥାକୁ ଆସି ଯାଇଥିଲା। ପ୍ରତ୍ୟେକ ବୃକ୍ଷଲତା ଓ ପଶୁପକ୍ଷୀ ନିଜ ଶରୀରରେ ଗୋଟିଏ ବା ତଦୂର୍ଦ୍ଧ୍ବ ଭୂତାଣୁଙ୍କୁ ଆଶ୍ରୟ ଦେଇଥାନ୍ତି। ମଣିଷ ଶରୀରରେ ପ୍ରାୟ ଶହେରୁ ଅଧିକ ଥଣ୍ତା ଜ୍ବର ସୃଷ୍ଟି କରୁଥିବା ଭୂତାଣୁ ଆଶ୍ରୟ ନେଇଥାନ୍ତି। ଶରୀର ଚାପଯୁକ୍ତ ହୋଇ ରୋଗ ପ୍ରତିରୋଧ ଶକ୍ତି କମିଗଲେ ଏହି ଭୂତାଣୁଗୁଡ଼ିକ ଶରୀର ମଧୢରେ ତାଙ୍କର ପ୍ରାଦୁର୍ଭାବ ଆରମ୍ଭ କରିଦିଅନ୍ତି। କ୍ରମାଗତ ଭାବରେ ନକାରାତ୍ମକ ଓ ଭୟଙ୍କର ଘଟଣାର ସାମ୍ନା କରିଥିବା ଲୋକମାନଙ୍କର ରୋଗବ୍ୟାଧିରେ ପୀଡ଼ିତ ହେବାର ସମ୍ଭାବନା ଅଧିକ। ଗବେଷଣାରୁ ଦେଖାଯାଇଛି ଯେ, ଚାପଯୁକ୍ତ ହେଲେ ରକ୍ତଚାପ ଓ ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଇବା ସହିତ କ୍ୟାନ୍‌ସର ରୋଗ ହେବାର ସମ୍ଭାବନା ମଧୢ ବଢ଼ିଯାଏ।

ମଣିଷ ଖୁସିରେ ରହିଲେ ଅଧିକରୁ ଅଧିକ ଏଣ୍ତୋରଫିନ୍‌ସ ହର‌୍‌ମୋନ ନିର୍ଗତ ହୁଏ। ପ୍ରେମରେ ପଡ଼ିଲେ ଅକ୍‌ସିଟୋସିନ୍‌ ହର‌୍‌ମୋନ୍‌ର କ୍ଷରଣ ସହିତ ଡୋପାମାଇନ୍‌ ଏବ˚ ସେରୋଟୋନିନ୍‌ ହରମୋନ୍‌ର ସ୍ରାବ ବଢ଼ିଯାଏ। ଏହି ହରମୋନ୍‌ଗୁଡ଼ିକ ସକାରାତ୍ମକ ମନୋଭାବ ସୃଷ୍ଟି କରିବାରେ ସହାୟକ ହୁଅନ୍ତି। ଆଶା ଓ ଆନନ୍ଦରେ ରହୁଥିବା ଏବ˚ ସକାରାତ୍ମକ ଚିନ୍ତା କରୁଥିବା ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧ ଶକ୍ତି ଅଧିକ।
ମନ ଓ ଶରୀରର ପାରସ୍ପରିକ ସ˚ପର୍କ ପ୍ରମାଣିତ ହେବା ପରେ ଜୈବ ଚିକିତ୍ସା ରୀତି ତାହାର ଗୁରୁତ୍ବ ହରାଇଲା। ବର୍ତ୍ତମାନ ଜୈବ-ମାନସିକ-ସାମାଜିକ ଚିକିତ୍ସା ରୀତି (Bio-Psycho-social model of medicine) ଅଧିକ ଗ୍ରହଣୀୟ ହୋଇଛି। ଏଥିରେ ମଣିଷର ସ୍ବାସ୍ଥ୍ୟ ତା’ର ଜୈବିକ, ମାନସିକ ଓ ସାମାଜିକ ସ୍ଥିତିର ଏକ ମିଶ୍ରିତ ଫଳାଫଳ। ସୁସ୍ଥତା କହିଲେ ଶାରୀରିକ ସୁସ୍ଥତା ସହିତ ମାନସିକ ଓ ସାମାଜିକ ସୁସ୍ଥତାକୁ ମଧୢ ବୁଝାଏ। କାରଣ ପ୍ରତ୍ୟେକ ଅନ୍ୟକୁ ପ୍ରଭାବିତ କରନ୍ତି। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ (୧୯୪୮) ସ୍ବାସ୍ଥ୍ୟକୁ ବ୍ୟାଖ୍ୟା କରିବାକୁ ଯାଇ କହିଛନ୍ତି, ‘ସ୍ବାସ୍ଥ୍ୟ ସ˚ପୂର୍ଣ୍ଣ ଶାରୀରିକ, ମାନସିକ, ସାମାଜିକ ଓ ଆଧୢାତ୍ମିକ ସ୍ଥିତିର ସମନ୍ବୟକୁ ବୁଝାଏ। ଚିକିତ୍ସା କ୍ଷେତ୍ରରେ ଚିକିତ୍ସକ ଓ ଚିକିତ୍ସା ପଦ୍ଧତି ମୁଖ୍ୟ ଏବ˚ ରୋଗୀର ଭୂମିକା ଗୌଣ ବୋଲି ପୂର୍ବରୁ ବିଶ୍ବାସ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ରୋଗୀର ବିଶ୍ବାସ, ଅବିଶ୍ବାସ ଓ ମାନସିକତାକୁ ପ୍ରାଧାନ୍ୟ ଦିଆଯାଉଛି। ବୈଜ୍ଞାନିକମାନେ ସକାରାତ୍ମକ ଆବେଗ ଓ ମନୋଭାବ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଜୀବନକୁ ସକାରାତ୍ମକ ଦୃଷ୍ଟିକୋଣରେ ଦେଖୁଥିବା ବ୍ୟକ୍ତିମାନଙ୍କର ଶାରୀରିକ ସ୍ବାସ୍ଥ୍ୟ ଭଲ। ସକାରାତ୍ମକ ଆବେଗକୁ ଉନ୍ନତ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିଚାର କରି ମନସ୍ତତ୍ତ୍ବବିଦ୍‌ମାନେ କୃତଜ୍ଞତା, କ୍ଷମା, ଆଶା, ସନ୍ତୋଷ, ଆନନ୍ଦ ଆଦି ସକାରାତ୍ମକ ଆବେଗଗୁଡ଼ିକୁ ବିକଶିତ କରିବା ପାଇଁ ବିଭିନ୍ନ ଚିକିତ୍ସା କୌଶଳ ମାଧୢମରେ ପ୍ରଶିକ୍ଷଣ ଦେଉଛନ୍ତି।

ସଦସ୍ୟା, ଓଡ଼ିଶା ଲୋକସେବା ଆୟୋଗ

ସମ୍ବନ୍ଧିତ ଖବର