ଅକ୍ଷୁଣ୍ଣ ଐତିହ୍ୟର ନଗରୀ

ସୌରଭ ସକ୍‌ସେନା

ଜର୍ମାନ୍ ସ୍ଥପତି ଓଟୋ ‌କେନିଗ୍‌ସବର୍ଗର୍‌ଙ୍କ ନକ୍‌ସାରେ ଗଢ଼ି ଉଠିଥିବା ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ବର ୨୫୦୦ ବର୍ଷର ଅକ୍ଷୁଣ୍ଣ ଐତିହ୍ୟ ବହନ କରେ। ୧୯୪୯ରେ ଓଡ଼ିଶାର ରାଜଧାନୀ ହେବା ପରେ ଯାଇ ଭୁବନେଶ୍ବର ଭାରତର ରାଜନୈତିକ ଦୃଶ୍ୟପଟରେ ଏକ ପ୍ରମୁଖ ପରିଚୟ ପାଇଲା। କିନ୍ତୁ ଯେଉଁ ପ୍ରାଚୀନ ଭୁବନେଶ୍ବରର ଚତୁଃପାର୍ଶ୍ବରେ ଏହି ରାଜଧାନୀ ସହର ବିକଶିତ ହେଲା ତା’ର ଐତିହ୍ୟ କୀର୍ତ୍ତିରାଜି, ମନ୍ଦିର ଓ କଳା ଭାସ୍କର୍ଯ୍ୟ ଅନନ୍ୟ। କିମ୍ବଦନ୍ତି କହେ ଭଗବାନ ଶିବ ତ୍ରେତୟା ଯୁଗରେ ବାରାଣସୀ ଛାଡ଼ିବା ପରେ ଭୁବନେଶ୍ବରରେ ବାସ କରିଥିଲେ। ବାରାଣସୀ ଭଳି ମନ୍ଦିର, ପବିତ୍ର ଧାର୍ମିକ ସ୍ଥଳ ଓ କିମ୍ବଦନ୍ତି ସବୁ କିଛି ଭୁବନେଶ୍ବରରେ ବିଦ୍ୟମାନ। ଏକାମ୍ର କ୍ଷେତ୍ର ଭାବେ ପରିଚିତ ଭୁବନେଶ୍ବର ଭଗବାନ ଶିବଙ୍କୁ ସମର୍ପିତ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବାରାଣସୀ ସହ ସମାନ ଗୁରୁତ୍ବ ରଖେ।

ପୁରାତତ୍ତ୍ବ ଖନନରୁ ଏଠାରେ ଆବିଷ୍କୃତ ଶିଶୁପାଳଗଡ଼ ଖ୍ରୀଷ୍ଟପୂର୍ବ ତୃତୀୟ-ଚତୁର୍ଥ ଶତାବ୍ଦୀର ବୋଲି ସୂଚନା ମିଳେ। ଅଢ଼େଇ ହଜାର ବର୍ଷ ତଳେ ଏଠାରେ ଏକ ଦୁର୍ଗୀକୃତ, ଜନବହୁଳ ସଭ୍ୟତା ଥିବା ଜଣାପଡ଼େ। ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିବା ଖ୍ରୀଷ୍ଟପୂର୍ବ ୨୬୧ ଶତାବ୍ଦୀର ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ ଭୁବନେଶ୍ବର ଇତିହାସର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ। ଓଡ଼ିଶାର ଧଉଳି ଓ ଜଉଗଡ଼ଠାରେ ଥିବା ଅଶୋକଙ୍କ ଦୁଇ ପ୍ରାଚୀନ ଶିଳାଲେଖ ଭୁବନେଶ୍ବର ଇତିହାସର ମୂକସାକ୍ଷୀ। ସହର ଉପକଣ୍ଠ ଧଉଳି ପାହାଡ଼ରେ ଉକ୍ତ ଶିଳାଲେଖ ନିକଟରେ ମୌର୍ଯ୍ୟ ସମୟର ପଥର ଖୋଦେଇ ହାତୀ ସମ୍ଭବତଃ ଅଶୋକଙ୍କ ବିଜୟ ପରେ କଳିଙ୍ଗରେ ବୌଦ୍ଧ ଆଗମନର ପ୍ରତୀକ। ଧଉଳି ପାହାଡ଼ର ଶୀର୍ଷରେ ୧୯୭୧-୭୨ରେ ନିର୍ମିତ ଶାନ୍ତି ସ୍ତୂପ ଏବେ ବି ଏଠାରେ ବୌଦ୍ଧ ଧର୍ମର ମହିମା ଗାନ କରୁଛି।

ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ରାଜା ଖାରବେଳ କଳିଙ୍ଗରେ ଶାସନ କରିଥିଲେ। ସେ ଜୈନ ଧର୍ମାବଲମ୍ବୀ ଥିଲେ। ସେ ଭୁବନେଶ୍ବରର ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ବିଭିନ୍ନ ପଥର ଗୁମ୍ଫା ଓ ଧାର୍ମିକ ସ୍ଥଳ‌ର ଖୋଦେଇ କରିଥିଲେ। ଉଦୟଗିରି ପାହାଡ଼ରେ ଥିବା ରାଣୀ ଗୁମ୍ଫା, ମଞ୍ଚପୁରୀ, ସ୍ବର୍ଗପୁରୀ, ଗଣେଶ ଗୁମ୍ଫା ଆଦି ସେହି ସମୟ‌ର ଉଚ୍ଚକୋଟୀର କଳାଭାସ୍କର୍ଯ୍ୟର ନମୁନା। ଉଦୟଗିରି ପାହାଡ଼ରେ ଥିବା ଶିଳାଲେଖ ମହାରାଜା ଖାରବେଳଙ୍କ ପ୍ରଭୁତ୍ବ ଓ ଅଖଣ୍ଡ କ୍ଷମତାର ବାର୍ତ୍ତାବହ। ତେବେ ଏକାଦଶ ଶତାବ୍ଦୀ ପର ଠାରୁ ଉଦୟଗିରିର ଅବକ୍ଷୟ ହୋଇଥିବା ବେଳେ ଖଣ୍ଡଗିରି ଆଜି ବି ଏକ ଜୈନ ତୀର୍ଥସ୍ଥଳ ଭାବେ ନିଜ ପରିଚୟ ବଜାୟ ରଖିଛି।

ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ଶୈଳୋଦ୍ଭବ ବଂଶର ଅଭ୍ୟୁତ୍‌ଥାନ ସହ ହିନ୍ଦୁ ଧର୍ମକୁ ରାଜ ପରିବାରର ପୃଷ୍ଠପୋଷକତା ମିଳିଲା। ଶିବଙ୍କୁ ଉତ୍ସର୍ଗୀକୃତ ମନ୍ଦିରଗୁଡ଼ିକର ନିର୍ମାଣ ଆରମ୍ଭ ହେଲା। ସେହି ସମୟରୁ କଳିଙ୍ଗ ମନ୍ଦିର କଳା ଓ ସ୍ଥାପତ୍ୟର ମୂଳଦୁଆ ପଡ଼ିଥିଲା। ପରବର୍ତ୍ତୀ ସମୟରେ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ତା’ର ପ୍ରତିଫଳିତ ହୋଇଥିଲା। ଭୁବନେଶ୍ବରର ସର୍ବପୁରାତନ ହିନ୍ଦୁ ମନ୍ଦିର ଶତ୍ରୁଘନେଶ୍ବର ମନ୍ଦିର ପରିସରରେ ରହିଛି ଯାହା ୫୭୫ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା। ଶୈଳୋଦ୍ଭବ ସମୟର ଶ୍ରେଷ୍ଠ ପ୍ରସ୍ତର କଳାର ନମୁନା ପର୍ଶୁରାମେଶ୍ବର ମନ୍ଦିରରେ ଦେଖିବାକୁ ମିଳେ। ଏହାର ବାହାର ପାର୍ଶ୍ବ କାନ୍ଥରେ ପ୍ରାଚୀନ ପ୍ରସ୍ତର କାରୁକାର୍ଯ୍ୟର ଚମତ୍କାର ନମୁନା ରହିଛି। ଶୈଳୋଦ୍ଭବଙ୍କ ପରେ ଅଷ୍ଟମ ଶତାବ୍ଦୀରେ ଭୌମକର ବଂଶର ଶାସନ ଆରମ୍ଭ ହୋଇଥିଲା। ଏହା ପରେ ପୁଣି ଥରେ ବୌଦ୍ଧ ଧାର୍ମିକ କାର୍ଯ୍ୟକୁ ଶାସକୀୟ ପୃଷ୍ଠପୋଷକତା ମିଳିଥିଲା। କିନ୍ତୁ ହିନ୍ଦୁ ମନ୍ଦିର ନିର୍ମାଣ ଜାରି ରହିଥିଲା। ମୋହିନୀ, ମାର୍କଣ୍ଡେଶ୍ବର, ଶିଶିରେଶ୍ବର ମନ୍ଦିର ଏହି ସମୟର କୀର୍ତ୍ତିରାଜି। ଭୌମକରଙ୍କ ନିର୍ମାଣ ସମୟରେ ଦେଉଳ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲା ଯାହା ତାନ୍ତ୍ରିକ ଓ ଶାକ୍ତ ଉପାସନା ସହ ଜଡ଼ିତ ଥି‌ଲା।

ଭୌମକରଙ୍କ ପରେ ସୋମବଂଶୀ ସାମ୍ରାଜ୍ୟ ସହ ଭୁବନେଶ୍ବରର ସ୍ବର୍ଣ୍ଣିମ ଯୁଗ ଆରମ୍ଭ ହୋଇଥିଲା। ଧାର୍ମିକ ଦୃଷ୍ଟିକୋଣରୁ ଏହି ସହରର ଗୁରୁତ୍ବ ବଢ଼ିଥିଲା। ସେହି ସମୟରେ ନିର୍ମିତ ୫୫ ମିଟର ଉଚ୍ଚ ଲିଙ୍ଗରାଜ ମନ୍ଦିର ପ୍ରସିଦ୍ଧି ପାଇଥିଲା। ସେହି ସମୟରେ ପ୍ରସିଦ୍ଧ ମୁକ୍ତେଶ୍ବର, ରାଜାରାଣୀ, ବ୍ରହ୍ମେଶ୍ବର ମନ୍ଦିରର ନିର୍ମାଣ ହୋଇଥିଲା। ମୁକ୍ତେଶ୍ବର ମନ୍ଦିରର ତୋରଣ ଭୁବନେଶ୍ବରର ସବୁଠୁ ସୁନ୍ଦର କଳାକୃତି ମଧ୍ୟରୁ ଅନ୍ୟତମ। ଏକାଦଶ ଶତାବ୍ଦୀରେ ଗଙ୍ଗବଂଶୀ ଶାସନ ଆରମ୍ଭ ହୋଇଥିଲା। ସେମାନଙ୍କ ସମୟ‌େର ପ୍ରସିଦ୍ଧ ପୁରୀ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମିତ ହୋଇଥିଲା। ଭୁବନେଶ୍ବରର ଐତିହ୍ୟ ଓ କୀର୍ତ୍ତିରାଜିରେ ମଧ୍ୟ ଉଲ୍ଲେଖନୀୟ ବିକାଶ ହୋଇଥିଲା। ସେହି ସମୟରେ ସବୁଠୁ ପ୍ରସିଦ୍ଧ ନିର୍ମାଣଗୁଡ଼ିକ ମଧ୍ୟରେ ଅନନ୍ତ ବାସୁଦେବ ମନ୍ଦିର ଅନ୍ୟତମ। ସେହିପରି ଚିତ୍ରକର୍ଣ୍ଣୀ, ମାଘେଶ୍ବର, ରାମେଶ୍ବର, ଭାସ୍କରେଶ୍ବର, ବ‌କ୍ରେଶ୍ବର ମନ୍ଦିରଗୁଡ଼ିକ ଉଲ୍ଲେଖନୀୟ।

ଗଙ୍ଗବଂଶ ପରେ ପଞ୍ଚଦଶ ଶତାବ୍ଦୀରେ ଗଜପତି ଶାସନ ଆରମ୍ଭ ହୋଇଥିଲା। ସେହି ସମୟରେ ଖୁବ୍‌ କମ୍ ମନ୍ଦିର ନିର୍ମାଣ ହୋଇଥିଲା। ସେଥିରୁ ପ୍ରମୁଖ ହେଲା କପିଳେଶ୍ବର ମନ୍ଦିର। ୧୫୭୬ରେ ଓଡ଼ିଶା ମୋଗଲ ସାମ୍ରାଜ୍ୟର ଅଂଶ ପାଲଟିଥିଲା। କିନ୍ତୁ ଭୁବନେଶ୍ବର ଏହାର ଧାର୍ମିକ ଗୁରୁତ୍ବ ବଜାୟ ରଖିଥିଲା। କିନ୍ତୁ କ୍ରମଶଃ ପୁରୀ ବିଭିନ୍ନ ହିନ୍ଦୁ ଧାର୍ମିକ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳ ପାଲଟି ଥିଲା। ଏହା ହିନ୍ଦୁ ଧର୍ମର ଶ୍ରେଷ୍ଠ ତୀର୍ଥସ୍ଥଳ ମଧ୍ୟରେ ଗଣା ହେଲା। ଅଢ଼େଇ ହଜାର ବର୍ଷର ଇତିହାସରେ ଭୁବନେଶ୍ବର ସବୁ ଧର୍ମକୁ ଗ୍ରହଣ କରିଛି ଓ ଧାର୍ମିକ ବିକାଶ ପାଇଁ ଅନୁକୂଳ ପରିବେଶ ଯୋଗାଇ ଆସିଛି। ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମ ଏଠାରେ ପରିପୁଷ୍ଟ ହୋଇଛି। ଏହାର ଧାର୍ମିକ ସ୍ଥଳ ଗୁଡ଼ିକ ଏବେ ବି ସକ୍ରିୟ ରହି ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ଉପାସନା ଓ ଆକର୍ଷଣର କେନ୍ଦ୍ର ପାଲଟିଛି।

ପ୍ରତିଷ୍ଠାତା, ପୁରାତତ୍ତ୍ବ
[email protected]

ସମ୍ବନ୍ଧିତ ଖବର