ଦେଶ, ପରମ ଭାଗବତ

କହିବାର ଅଛି - ଦାଶ ବେନହୁର

ଆମେ ସାଧାରଣତଃ ରାଷ୍ଟ୍ର ଶବ୍ଦର କମ୍ ଉଚ୍ଚାରଣ କରୁ। ରାଷ୍ଟ୍ର ବଦଳରେ ଦେଶ କହୁ। ଦେଶ, ଆମ ପାଇଁ ଏକ ପ୍ରାଚୀନ ଓ ପରିଚିତ ଶବ୍ଦ। ଅତଏବ ଇଂରେଜୀରେ ନେସନ୍, କଣ୍ଟ୍ରି ବା ପଲିଟି ଭଳି ଶବ୍ଦ କ୍ଷେତ୍ରରେ ଆମେ ରାଷ୍ଟ୍ର ଶବ୍ଦ ପ୍ରୟୋଗ ନ କରି ଦେଶ ଲେଖୁ ଓ କହୁ।
ଆଭିଧାନିକ ଅର୍ଥରେ ପୃଥିବୀର ଯେ କୌଣସି ଅଂଶ, ଭାଗ ବା ରାଜ୍ୟକୁ ଦେଶ କୁହାଯାଇପାରେ। ଏ ଶବ୍ଦଟି ଯେମିତି ବ୍ୟାପକ ସେମିତି ସଙ୍କୁଚିତ ବି। କାହିଁ ଭାରତଦେଶ କାହିଁ ଆମ ଦେହର ପୃଷ୍ଠଦେଶ, ପାଦଦେଶ। ଏପରି କି ଦେଶର ଶାସକଙ୍କୁ ‘ଦେଶକ’ ବୋଲି କହିବାର ପ୍ରଚଳନ ଆମ ଓଡ଼ିଆ ଭାଷାରେ ଦେଖିବାକୁ ମିଳେ।

‘ଦେଶ’ ଏକ ଖୁବ୍ ଜନପ୍ରିୟ ଶବ୍ଦ। ବାଲେଶ୍ବର ଜିଲ୍ଲାରେ ବିଶେଷ କରି ଭଦ୍ରକ ଅନ୍ତଃପାତି କିଛି ସ୍ଥାନରେ ‘ଦେଶିଆ’ ଓ ‘ପଶିଆ’ ଶବ୍ଦର ପ୍ରୟୋଗ ଅଛି। ଯେଉଁମାନେ ପାଣି କାଦୁଅରେ ପଶି ଆସନ୍ତି ସେମାନେ ‘ପଶିଆ’। ବାକି ଅନ୍ୟମାନେ ଦେଶିଆ। ବେଳେ ବେଳେ ତ କଥାଟା ବୁଝିହୁଏନି। କୋରାପୁଟରୁ ଆସୁଥିବା କୋବି ଦେଶୀ, ମାତ୍ର ରାଞ୍ଚିରୁ ଆସୁଥିବା କୋବି ଦେଶୀ ନୁହେଁ, ଚାଲାଣ। ଏଇଥିରୁ ବୁଝିହୁଏ ଦେଶ କହିଲେ ଆପଣାର କଥା ଓ ଦେଶୀ କହିଲେ ସେଥିରେ ଅଞ୍ଚଳ ତଥା ଆପଣାପଣ ଖୁବ୍ ଅନ୍ତରଙ୍ଗ ଭାବରେ ସମାହିତ। ଯେ ହେତୁ କୋରାପୁଟ ଆମ ରାଜ୍ୟ ଭିତରର ତେଣୁ ତାହାର ଉତ୍ପାଦନ ଦେଶୀ। ରାଞ୍ଚିର ଉତ୍ପାଦନ ଦେଶୀ ନୁହେଁ। ମାତ୍ର ଆମ ରାଜ୍ୟ ତ ଏକ ପ୍ରଦେଶ, ଦେଶ ନୁହେଁ। ଏ ଭାବନା କାହିଁକି ଆସୁଛି ମନକୁ!

‘ଦେଶ’ର ମୂଳରେ ଅଛି ଆପଣାପଣର ଭାବଗତ ଗଭୀରତା। ‘ଦେଶ’କୁ ଅତୀତରେ ବର୍ଷ ବୋଲି ମଧ୍ୟ କୁହାଯାଉଥିଲା କାରଣ ଗୋଟିଏ ବର୍ଷରେ ଗୋଟିଏ ଆବର୍ତ୍ତିତ ଋତୁଚକ୍ର ସଂଘଟିତ ହୁଏ। ଅତଏବ ଋତୁଚକ୍ରର ଭୂଗୋଳ ଭିତରେ ଥିବା ଭୂମିଖଣ୍ଡକୁ ବୋଧହୁଏ କୁହାଯାଉଥିଲା ବର୍ଷ। ଏବର ଏସିଆ ମହାଦେଶକୁ ଅତୀତ କାଳରେ କହାଯାଉଥିଲା ଜମ୍ବୁଦ୍ବୀପ। ସେଥିରେ ନଅଗୋଟି ଥିଲା ଭୂଗୋଳ ପରିଚିତ ଭୂମ୍ୟାଞ୍ଚଳ। ଭାରତବର୍ଷ ବା ଦେଶ ସେ ଭିତରୁ ଗୋଟିଏ।

ଏତେ କଥା କହିବା ମୂଳରେ ଗୋଟିଏ ତତ୍ତ୍ବ ମୂଲ୍ୟବାନ ଯେ ଦେଶ କହିଲେ ଯେଉଁ ଅନ୍ତରଙ୍ଗତାର ଅନୁଭବ ଆସେ ତାହା ରାଷ୍ଟ୍ରବୋଧରେ ଅ‌ାସେନା। ‘ରାଷ୍ଟ୍ର’ ଭାବନା ଏକ ପ୍ରକାରର ଆଧୁନିକ ସଂରଚନା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଭାରତରେ ଏ ରାଷ୍ଟ୍ର-ଭାବନା ଜନ୍ମ ନେଇଥିଲା ସ୍ବାଧୀନତା ସଂଗ୍ରାମ କାଳରୁ। ଧୀରେ ଧୀରେ ଏଇ ଭାବନା ଦେଶ ପରିଚୟରେ ଲୁଚି ରହିଥିବା ଖଣ୍ଡ-ଭାବନାଗୁଡ଼ିକୁ ଏକାଠି କରି ଗୋଟିଏ ଭାରତ ଦେଶ ବା ରାଷ୍ଟ୍ରର ପରିଚୟ ସୃଷ୍ଟି କରିଥିଲା। ଦେଶର ପୁରୁଣା ମୁହଁ ଓ ରାଷ୍ଟ୍ରର ନୂଆ ସ୍ବରୂପ ଗୋଟିଏ ହୋଇଯାଇଥିଲା। ଛ’ଦେଶ, ନ’ଦେଶ ଭଳି ଭାବନା ହଟିଯାଇ ରାଷ୍ଟ୍ରଗତ ହୋଇଥିଲା ଦେଶର ପରିଚୟ-ପତ୍ର। ଏଇ ଦେଶ କଥାରୁ ହିଁ ‘ସ୍ବଦେଶୀ’ ସାନ୍ଦ୍ରଭାବନାର ସୃଷ୍ଟି। ସ୍ବଦେଶୀ, ସ୍ବଦେଶୀ-ଆନ୍ଦୋଳନ ଭଳି ଯେତେ କଥା ସବୁ ଏଇ ଦେଶଭାବନାରୁ ଜନ୍ମ ନେଇଥିଲା। ଭିତରେଇ ଦେଖିଲେ ଜଣାପଡ଼ିବ ଯେ ବଙ୍ଗଭଙ୍ଗ ବେଳର ସ୍ବଦେଶୀ ଆନ୍ଦୋଳନ ପ୍ରକୃତରେ ଦେଶଭାବନାର ସ୍ବରୂପକୁ ରୂପାନ୍ତରିତ ହୋଇଥିଲା ଗାନ୍ଧୀଜୀଙ୍କର ଅସହଯୋଗ ଆନ୍ଦୋଳନ ପରେ। ଅଞ୍ଚଳଗତ ଭାରତ ନିର୍ଦ୍ଦିଷ୍ଟ ଆକାରରେ ନ ଥିଲେ ମଧ୍ୟ ଭାରତକୁ ନେଇ ଦେଶ ଓ ଦେଶୀୟ ଭାବନା ସୃଷ୍ଟି କରିବାରେ ଗାନ୍ଧୀଜୀଙ୍କର ଯେ ସର୍ବୋତ୍କୃଷ୍ଟ ଅବଦାନ ଥିଲା ସେ କଥା ସ୍ବୀକାର ନ କରିବା ଏକ ଅପରାଧ।

ଏବେ ସାରାଭାରତ ଦେଶ ଗୋଟାଏ ବିଷମ ବିପତ୍ତି ଭିତରେ। କରୋନା ଆଣିଛି ଏକ ବିଭାଜିତ ଭାବନା । କ’ଣ ହେବ ଆମ ଦେଶର? ଆମେ ଏଥିରୁ ମୁକୁଳିବା କେମିତି? ଧନୀ ନିର୍ଧନ, ସହରୀ ଗାଉଁଲି, ପିଲା ବୁଢ଼ା ସମସ୍ତେ କବଳିତ।

ଅଥଚ ଏତିକିବେଳେ ଏ‌କ ନିଲ୍ଲଜ ପ୍ରକ୍ରିୟାରେ ମୁଣ୍ଡ ଟେକୁଛି ଦେଶ, ପ୍ରଦେଶର ଭାବନା। କେନ୍ଦ୍ର ଓ ଅଞ୍ଚଳ ଭିତ୍ତିରେ ଯେତେ ନ୍ୟୂନମାନର କଥା ସେ ସବୁ ଆଲୋଚିତ ହେଉଛି। ଟିକାକରଣକୁ ନେଇ, ଜୀବନ ମରଣର କଥାକୁ ନେଇ ହୀନ ରାଜନୀତି ‌ଚାଲୁଛି। ହଠାତ୍ ମନେ ହେଉଛି ଦେଶ ଯେମିତି ଗୋଟାଏ ନୁହେଁ ସେଇ ପୁରୁଣା ପରସ୍ପର ଭିତରେ ମରାମରି ହେଉଥିବା କେତେ ଖଣ୍ଡ ଅସଂଲଗ୍ନ ଅଞ୍ଚଳ। ଯେଉଁ ମନ ଦିନେ ସାରା ବସୁଧାକୁ ଗୋଟେ ପରିବାର ଭାବୁଥିଲା, ଯେଉଁ ମାଟି ଲୋକେ ସକାଳ ପାଇଲେ ଭୂଃ, ଭୂବଃ, ସ୍ବଃ କହି ଇହଲୋକ, ପରଲୋକ ତଥା ଆଦିତ୍ୟଲୋକର ଜୟଗାନ କରୁଥିଲେ ସେ ଏମିତି ଏତେ ଛୋଟ ହୋଇଗଲା କେମିତି?

ଫଟୋକୁ ନେଇ ଛୋଟ କଥା, ଟିକାକୁ ନେଇ ମିଛ ପ୍ରଚାର। କଥା କଥାରେ ଗଣମାଧ୍ୟମରେ ମାନ୍ୟବରମାନେ ଆଉ ମାନ୍ୟ ହୋଇନାହାନ୍ତି। ସବୁଠି ଗାଳିଗୁଲଜ। ସଭିଙ୍କ ପାଖରେ ଅନ୍ୟ ଲାଗି କୁଭାଷା। ଉତ୍ତର ପ୍ରଦେଶ ଠାରୁ ଓଡ଼ିଶା ଅଲଗା ଜଣାପଡୁଛି, ପଶ୍ଚିମବଙ୍ଗ ଯେମିତି ଭାରତ ଦେଶର ନୁହେଁ। ଏମିତି କାହିଁକି ଘଟୁଛି? ଏତିକିବେଳେ ସାଧାରଣଲୋକଟିଏ ଯେତେବେ‌େଳ ଖବରକାଗଜ ପଢ଼ୁଛି କି ଟିଭି ଦେଖୁଛି ବା ମୋବାଇଲ୍‌ର ମେସେଜ୍‌କୁ ଚାହିଁଦେଉଛି ତା’ ଭିତରର ଭାବନା ଚହଲି ଯାଉଛି।

ହାୟରେ ଭାରତବର୍ଷ! ହାୟରେ ମୋ ଦେଶ!

ଦେଶ ଏକ ନିଗୂଢ଼ ସମଷ୍ଟିଗତ ଭାବନା। ରକ୍ତ ସମ୍ପର୍କ ଠାରୁ ବହଳିଆ। ପରିବାର ଓ ପ୍ରଦେଶ ଭାବନା ଠାରୁ କାହିଁ କେତେ ଊର୍ଦ୍ଧ୍ବରେ। ଦଳ ଭିତ୍ତିରେ, ଅଞ୍ଚଳ ଭିତ୍ତିରେ, ଅହଙ୍କାର ଆୟୁଧରେ ପୁଣି କ’ଣ ଆମେ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେବା ଏ ଦେଶକୁ?

ମାତୃଭୂମିର ପରିଚୟକୁ ନେଇ ଆମେ ଯେମିତି ସଭିଏଁ ଭାରତବାସୀ, ଭାଗବତୀ। ଭାରତୀୟ କହିଲେ ସେ ଭକ୍ତିବୋଧୀ। ଏ କଥା ଶୁଣିଲେ ନିରୀଶ୍ବରବାଦୀମାନେ ହଠାତ୍ ଡେଇଁପଡ଼ିବେ ଆଗକୁ। ୟେ କାହିଁକି ଭକ୍ତି କଥା କହିଲା, ଈଶ୍ବର କଥା କହିଲା। ଭକ୍ତି ତ ସମର୍ପଣର ଶେଷକଥା। ଏହା ଦେଶ ବା ରାଷ୍ଟ୍ର ପାଇଁ ହୋଇପାରେ। ଭଗବାନ ବୁଦ୍ଧ ଯେ ‘‘ସଘଂ ଶରଣଂ ଗଚ୍ଛାମି’’ ବା ‘ଧମ୍ମଂ ଶରଣଂ ଗଚ୍ଛାମି କଥା କହିଛନ୍ତି, ସେ ଶରଣ କଥାଟି କ’ଣ? ପରମ ଭକ୍ତିର କଥା। ଏହା ତ ଭାରତୀୟ ସ˚ସ୍କୃତି। ସେ ଯେଉଁ ଧର୍ମ ହେଉ ଯେଉଁ ବିଶ୍ବାସ ହେଉ। ଭାରତ କାଳେ କାଳେ ସବୁ ବିଶ୍ବାସକୁ ବୁକୁରେ ଧରି ରଖିଛି। ସ୍ବଦେଶୀ କରିଛି। ସ˚ସ୍କୃତି ଠାରୁ ସାହିତ୍ୟ ଅଲଗା ନୁହେଁ। ସାହିତ୍ୟରେ ସବୁ ରସ ଅଛି ହେଲେ ସେଥିରେ ଭକ୍ତି ରସ ହିଁ ଶ୍ରେଷ୍ଠ। ଯୁଗେ ଯୁଗେ ନାନକ, କବୀର, ରାମକୃଷ୍ଣଙ୍କ ଭଳି ସନ୍ଥମାନଙ୍କର ଉକ୍ତି ବା ବାଣୀ ସବୁ ସେଇ ଗୋଟିଏ କଥାରେ ଅଛି- ‘‘ଭକ୍ତି’’।
ଦେଶ ଲାଗି ଭକ୍ତିର ଅଭାବ ଆଜି ଭାରତକୁ ତା’ର ନିଜ ମଣିଷମାନଙ୍କ ଠାରୁ ତଥା ଅଞ୍ଚଳମାନଙ୍କରୁ ଅସ˚ପୃକ୍ତ କରି ରଖିଛି। ‘‘ଭକ୍ତି’’ ହିଁ ମଣିଷକୁ ଭାଗବତୀ କରେ। ଦେଶ-ଭାବନାର ଅଭାବ, ଭାଗବତୀ-ଭାବନାର ଅଭାବ ଏ କରୋନା କାଳକୁ ଆହୁରି ବିକଟାଳ କରି ଠିଆ କରାଇଛି ଆମ ଆଗରେ।

‘ଦେଶ’ ଶବ୍ଦଟି ସହିତ ଯେମିତି ପ୍ରାୟ ସମସ୍ତେ ପରିଚିତ ସେମିତି ଅନ୍ୟ ଯେଉଁ ଧର୍ମ ବା ସମ୍ପ୍ରଦାୟର ହେଲେ ସୁଦ୍ଧା ଭାଗବତ ଶବ୍ଦ ସହିତ ଅଧିକା˚ଶ ଭାରତବାସୀ ଊଣା ଅଧିକେ ପରିଚିତ।

‘ଭାଗବତ’ ପ୍ରକୃତରେ ଏକ ବାରଖଣ୍ତରେ ଗୁନ୍ଥା ଗ୍ରନ୍ଥ-ସମୂହ ନୁହେଁ। ଏହା ଏକ ଭାବନା। ଯାହା କାଳେ କାଳେ ମଣିଷକୁ ବ୍ୟକ୍ତି ଚେତନାରୁ ଉପରକୁ ନେଇ ସମୂହ ଚେତନାରେ ଆସନାରୂଢ଼ କରେ। ମୁଁ, ମୁଁ ନୁହେଁ ସମୂହର; ମୁଁ କେଉଁ ଅଞ୍ଚଳର ନୁହେଁ ସମଗ୍ର ବିଶ୍ବର; ଏଇ ଭାବନା ହିଁ ଭାଗବତ। ବିଶ୍ବର ପରିକଳ୍ପନା ସାଧାରଣ ମଣିଷ ପାଇଁ ଅସହଜ ତେଣୁ ଆପଣା ଦେଶ ବା ରାଷ୍ଟ୍ର ଭିତରେ ନିଜକୁ ବିସ୍ତାରିତ କରିଦେବା ହିଁ ଭାଗବତ-ଚେତନା ବୋଲି ବୁଝିବା ଆବଶ୍ୟକ।

ଆମର ପୂର୍ବ ପୁରୁଷମାନେ ଏଇ ଭାବନାକୁ କେତେ ନିଗୂଢ଼ ଭାବରେ ଅନୁଭବ କରିଥିଲେ ଆଜି ସେ କଥା ଭାବିଲା ବେଳେ ବିସ୍ମୟାଭିଭୂତ ହେବାକୁ ପଡ଼େ। ଭାଗବତ ଗ୍ରନ୍ଥର ଏକାଦଶ ଖଣ୍ତରେ ଏ କଥାର ଭୁରି ଭୁରି ବର୍ଣ୍ଣନା ରହିଛି। ଯେଉଁ ବ୍ୟକ୍ତି ସକଳ ପ୍ରାଣୀଙ୍କ ଭିତରେ ସ୍ରଷ୍ଟାଙ୍କର ଉପସ୍ଥିତି ଅନୁଭବ କରେ ସେ ହିଁ ପ୍ରକୃତରେ ‘ଭାଗବତ’। ଯେଉଁ ମଣିଷ ଭିତରେ ପର ଆପଣା ଭେଦ ନ ଥାଏ, ସବୁରି ଭିତରେ ଯେ ଈଶ୍ବରୀୟ ବିଭୂତି ଅନୁଭବ କରେ ପୁଣି ଦୁଃଖ ଶୋକ ଭିତରେ ନିଜକୁ ସମୂହ ବା ଭଗବତ୍‌ ଚରଣରେ ସମର୍ପଣ କରି ଶୋକ ବା ଆନନ୍ଦକୁ ସମପରିମାଣରେ ଅନୁଭବ କରେ ସେ ଭାଗବତ। ସମସ୍ତ ପ୍ରାଣୀ ଜଗତ୍‌ର କ୍ଳେଶକୁ ଯେ ଆପଣାର ଦୁଃଖ ଭଳି ମନେ କରି ତା’ର ପ୍ରତିକାର ପାଇଁ ଚିନ୍ତା କରେ ସେ ପ୍ରକୃତରେ ଶ୍ରେଷ୍ଠ ଭାଗବତ। ଏଭଳି ଭାବନା ଯେତେବେଳେ ସମୂହଗତ ହୁଏ ସେ ଦେଶ ଆପେ ଭାଗବତରେ ପରିଣତ ହୁଏ। ସମୂହ ଉତ୍ତରଣ ଲାଗି ବାଟ ଫିଟିଯାଏ।

ପୁଣି ବୃହନ୍ନାରଦୀୟ ପୁରାଣ ଅନୁସାରେ ଯେ ସୃଷ୍ଟି, ଲାଳନ ଓ ସ˚ହାରକୁ ସମାନ ଦୃଷ୍ଟିରେ ଦେଖେ ସେ ଭାଗବତ ପାଲଟେ।

ଆଜି ଭାରତ-ଦେଶ ଏକ ସନ୍ଧିକ୍ଷଣରେ ଉପସ୍ଥିତ। ଅନ୍ୟ ଦେଶମାନଙ୍କର ଉନ୍ନତି ବା କାର୍ଯ୍ୟ ଧାରା ଏଠାରେ ଉଲ୍ଲେଖ କରି ଲାଭ ନାହିଁ। ସାରା ବିଶ୍ବ ସ˚ପ୍ରତି ଦେଶ ଆଧାରରେ ପରିଚାଳିତ। ନିଜ ଦେଶର ସମସ୍ୟା ସେ ଦେଶର ବ୍ୟକ୍ତି ସମୂହଙ୍କ ଉପରେ ନ୍ୟସ୍ତ। ଆମେରିକା, ଚୀନ୍‌, ରୁଷିଆ ଆଦି ଦେଶମାନଙ୍କ କଥା ଆମ ପାଇଁ ନିରର୍ଥକ। ଆମ ଲୋକସ˚ଖ୍ୟା, ଅର୍ଥନୀତି, ଜଳବାୟୁ ଓ ଭୌଗୋଳିକ ସୀମା ଏବେ ସମ୍ପୂର୍ଣ୍ଣ ଭାବରେ ବନ୍ଧା ପଡ଼ିଛି ସ୍ବାସ୍ଥ୍ୟ ପାଖରେ। ସ୍ବାସ୍ଥ୍ୟ ନାହିଁ ତ ଅର୍ଥନୀତି ନାହିଁ। ଲୋକସ˚ଖ୍ୟା ଜର୍ଜରିତ, ଭୌଗୋଳିକ ସୀମା ବି ବିପଦଗ୍ରସ୍ତ।

ଏତେବେଳେ କ’ଣ ଲୋଡ଼ା ଆମ ଲାଗି? ପ୍ରତ୍ୟେକ ବ୍ୟକ୍ତି ‘ଭାଗବତ’ ହେବା ଚାହି ଓ ସେ ଅନୁସାରେ ସାରା ଦେଶ ‘ଭାଗବତ’ ପାଲଟିବା ଆବଶ୍ୟକ। ଏ ସମ୍ପର୍କରେ ପ୍ରଥମ ଆହ୍ବାନଟି ହେଲା କେନ୍ଦ୍ରରେ ଥିବା ଦେଶକଙ୍କର ସମୂହଭାବ। ଦେଶକୁ ପ୍ରଦେଶ ଆଧାରରେ ବିଚାର କରିବା ଭଳି ଅବିବେକିତା ହିଁ ଆମ ସମସ୍ତଙ୍କୁ ଦୁର୍ବଳ କରିଦେବ। ସୁଖର କଥା ଯେ କେତେକ ପ୍ରାଦେଶିକ ସରକାର ଏ କ୍ଷେତ୍ରରେ ଉଦାହରଣୀୟ ପରମ୍ପରା ସୃଷ୍ଟି କରିଛନ୍ତି।

କରୋନା ମହାମାରୀ ଲାଗି ସାରା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଖଟିଖିଆ, ଶ୍ରମିକ, ଦିନମଜୁରିଆ ଦଳ। ସେମିତି ଦେଖିଲେ ପ୍ରତିଟି ଉଠାଦୋକାନୀ, ବୁଲାବିକାଳି, ରିକ୍‌ସାଚାଳକ, ଟ୍ୟାକ୍‌ସିବାଲା ସମସ୍ତେ ପ୍ରାୟ ଦିନ ମଜୁରିଆ। ଏ ସମସ୍ତଙ୍କର ଦାୟିତ୍ବ ଦେଶର। ଅନ୍ୟପଟେ କି ଗାଆଁ କି ସହର ଏବେ ପରିବାର ପରେ ପରିବାର ଉଚ୍ଛନ୍ନ ହେବାରେ ଲାଗିଛି। ପିଲାଙ୍କ ଠାରୁ ଆରମ୍ଭ କରି ବୟୋବୃଦ୍ଧମାନେ ଅନାଥ ହୋଇଯାଉଛନ୍ତି। ଆଖି ଆଗରେ ବାପା ମାଆ ଚାଲିଯାଉଛନ୍ତି। ଅସହାୟ ବୁଢ଼ାବାପ ବା ମାଆ ଆଗରେ ସାରା ପରିବାର ଲୋକେ ଚାଲିଯାଉଛନ୍ତି ଆରପାରିକୁ।

ଏତେବେଳେ କିଏ ବଞ୍ଚେଇବ ଆମକୁ?

କେବଳ ସେ ଭାଗବତୀ-ଭାବ। ପ୍ରତ୍ୟେକ ବ୍ୟକ୍ତି ନିଜକୁ ଭାଗବତ ମଣିବା ଯେମିତି ଦରକାର ସାରା ଦେଶ ବି ସେମିତି ଆପେ ଭାଗବତ ପାଲଟିବା ଆବଶ୍ୟକ। ନୀତି ନିୟମ କରି ସରପଞ୍ଚ ବା ଜିଲ୍ଲାପାଳମାନଙ୍କୁ ଅନାଥମାନଙ୍କର ଦାୟିତ୍ବ ସମର୍ପିଦେବା- ଯଥେଷ୍ଟ ନୁହେଁ। ସରପଞ୍ଚ ବା ଜିଲ୍ଲାପାଳ ସମସ୍ତେ ମଣିଷ। ସେମାନଙ୍କ ଭିତରେ ଭାଗବତୀ-ଭାବ ନ ଆସିବା ଯାଏ ଏହା ସମ୍ଭବ କେମିତି? ସେଇଥିପାଇଁ ତ ନେତାଏ ବିଶୃଙ୍ଖଳ, ବ୍ୟବସାୟୀମାନେ ଅସାଧୁ। ଏ ସମୟରେ ଯେ ଔଷଧ ନାଆଁରେ କଳାବଜାରୀ, ଅକ୍‌ସିଜେନ୍‌ ଯୋଗାଣରେ ହେରଫେର, ପୁଲିସ୍‌ର ବର୍ବରତା, ଅବାରିତ ସାଇବର ଠକେଇ, ଧର୍ଷଣ, ନେତୃସ୍ତରୀୟ ବ୍ୟକ୍ତିଙ୍କ ଭିତରେ ନିଲ୍ଲଜ ଆସ୍ଫାଳନ, ଟି.ଆର‌୍‌.ପି ସ˚ଗ୍ରହ ପାଇଁ ଗଣମାଧୢମରେ ମତାନ୍ଧତା ଓ ମିଛକଥାର ପ୍ରଚାର, ଏହା କେଉଁ କଥାର ସୂଚନା ଦେଉଛି? ସେଇ ଭାଗବତୀ ଭାବର ଅଭାବ।

ଏତେବେଳେ ବି ଆମେ ଅନ୍ୟର ଦୁଃଖକୁ ହୃଦୟଙ୍ଗମ କରିବାର ମନଃସ୍ଥିତି ତିଆରି କରିପାରୁନାହୁଁ। ମୃତ୍ୟୁର କଳାକନା ଦୁଆରେ ଆସି ପହଞ୍ଚିଲାଣି ଅଥଚ ଆମର ଧାରଣା ପିପିଲି ଚାନ୍ଦୁଆ ଟଙ୍ଗା ହେଉଛି ବାହାରେ। କହିବାର ଅଛି, ଆମେ ସଭିଏଁ ଭାଗବତୀ ହେବା ଦରକାର। ଦେଶ ହେଉ ପରମ ଭାଗବତ।

[email protected]

ସମ୍ବନ୍ଧିତ ଖବର