ଏକ ନୂଆ ସଂସଦ ଭବନ ଲୋଡ଼ା

ମହାମେଘବାହନ ଐର ଖାରବେଳ ସ୍ୱାଇଁ

୧୯୩୦ ମସିହା ବେଳକୁ ଅର୍ଥାତ୍‌ ପ୍ରାୟ ୧୦୦ ବର୍ଷ ତଳେ ଦିଲ୍ଲୀରେ ନିର୍ମିତ ହୋଇଥିବା ସଂସଦ ଭବନ ଜାଗାରେ ଏକ ନୂଆ ସଂସଦ ଭବନ ଓ ତା’ର ପାଖାପାଖି ଅଞ୍ଚଳମାନଙ୍କରେ ଏକ ନୂଆ କେନ୍ଦ୍ରୀୟ ସଚିବାଳୟ ଯେଉଁଠି କି ଏକା ଜାଗାରେ କେନ୍ଦ୍ର ସରକାରଙ୍କର ସବୁ କାର୍ଯ୍ୟାଳୟମାନ ଗୋଟିଏ ଜାଗାରେ ରହିପାରିବେ। ସେମାନଙ୍କର ନିର୍ମାଣ ତଥା ଏହାର ପାର୍ଶ୍ବବର୍ତ୍ତୀ ରାସ୍ତା ଅର୍ଥାତ୍‌ ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାଜପଥର ନବୀକରଣ ଆଦି ପ୍ରକଳ୍ପମାନ ୨୦୨୦ରୁ ଆରମ୍ଭ ହୋଇ ୨୦୨୪ରେ ସମାପ୍ତ ହେବା କାର୍ଯ୍ୟ ଚାଲିଥିଲା ବେଳେ କେତେକ ସ୍ତରରୁ ଏହାର ବିରୋଧ କରାଯାଉଛି। କେତେକ ପାରମ୍ପରିକ ଅଞ୍ଚଳ ସଂରକ୍ଷଣବାଦୀ, ଐତିହାସିକ ଓ ସ୍ୱାଭାବିକ ଭାବରେ ବିରୋଧୀ ରାଜନୈତିକ ଦଳମାନେ ଏହାର ବିରୋଧ କରୁଛନ୍ତି। ସେମାନେ କହୁଛନ୍ତି, ଏହାଦ୍ୱାରା ଦିଲ୍ଲୀର ଐତିହ୍ୟକୁ ନଷ୍ଟ କରାଯାଉଛି। ଭାରତର ସାମ୍ରାଜ୍ୟବାଦୀ ଅତୀତକୁ ପୂରା ପୋଛି ଦେବାକୁ ଚେଷ୍ଟା କରାଯାଉଛି। ଦିଲ୍ଲୀର ଐତିହ୍ୟ ବୋଲାଉଥିବା ପ୍ରାସାଦମାନଙ୍କୁ ଭାଙ୍ଗି ଦିଆଯାଉଛି। ସେମାନେ କହୁଛନ୍ତି, ନୂଆ ସଂସଦ ଭବନ ହେଉଛି ମୋଦୀଙ୍କ ଅହଙ୍କାରର ପ୍ରତୀକ। ପୁଣି ସେମାନେ ଯୁକ୍ତି କରୁଛନ୍ତି ଯେ, ମହାମାରୀ ବେଳେ ଏହି ନୂଆ ପ୍ରାସାଦମାନ କାହିଁକି ନିର୍ମାଣ କରାଯାଉଛି! ସେମାନଙ୍କର ଧାରଣା ଏଥିପାଇଁ୨୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ମହାମାରୀ ବେଳେ ଏହି ଅର୍ଥକୁ ସଂସଦ ଭବନ, ରାସ୍ତା ଆଦି ନିର୍ମାଣ କ୍ଷେତ୍ରରେ ବ୍ୟୟ ନ କରି, ମହାମାରୀ ଦୂରୀକରଣ ପାଇଁ କ’ଣ ଖର୍ଚ୍ଚ କରାଯାଇପାରନ୍ତା ନାହିଁ! ବିରୋଧୀ ଦଳମାନେ ଏପରି ସମାଲୋଚନା କରିବା ଅତି ସ୍ୱାଭାବିକ। କିନ୍ତୁ କେତେକ ସାଧାରଣ ନାଗରିକ ମଧ୍ୟ ଏ ଧରଣର ଯୁକ୍ତି ଦ୍ୱାରା ପ୍ରଭାବିତ ହେଉଛନ୍ତି ଓ ପ୍ରକଳ୍ପଟିକୁ ବିରୋଧ କରୁଛନ୍ତି। ଏଥିପାଇଁ ଏ ସମ୍ପର୍କରେ ଯେଉଁ କଥାଗୁଡ଼ିକ ଅନାଲୋଚିତ ଅଛି, ସେ ସବୁ ଜନସାଧାରଣଙ୍କ ଦୃଷ୍ଟିକୁ ଅଣାଯିବା ଆବଶ୍ୟକ।
ଏଠାରେ ସ୍ପଷ୍ଟ ହେବା ଦରକାର ଯେ, ପ୍ରଥମେ ଏହି ପ୍ରକଳ୍ପର ଖର୍ଚ୍ଚ ୧୮,୦୦୦ କୋଟି ଟଙ୍କା ହେବାର ଆକଳନ କରାଯାଇଥିଲା। ଏହାର ସଂଶୋଧନ ପରେ ଏହି ଖର୍ଚ୍ଚ କମି ୧୩,୫୦୦ କୋଟି ଟଙ୍କାକୁ କମିଆସିଛି। ପୁଣି ଏହି ଖର୍ଚ୍ଚ ଏକାଥରକେ ବର୍ଷେ ବା ଦୁଇ ବର୍ଷ ମଧ୍ୟରେ ହେବ ନାହିଁ। ଏହି ପୂର୍ଣ୍ଣ ଅର୍ଥର ଖର୍ଚ୍ଚ ପାଇଁ ଦୀର୍ଘ ପାଞ୍ଚ ବର୍ଷରୁ ଅଧିକ ସମୟ ଲାଗିଯିବ। ଗତ ବର୍ଷ ଓ ଚଳିତ ବର୍ଷ ପାଖାପାଖି ୨,୦୦୦ କୋଟି ଟଙ୍କା ଏ ସବୁ ପାଇଁ ଖର୍ଚ୍ଚ ହେବ। ଏତିକି ଅର୍ଥ ନୂଆ ସଂସଦ ଭବନ ପାଇଁ ଖର୍ଚ୍ଚ ନ କଲେ ଏହା କରୋନା ମୁକାବିଲା ପାଇଁ ବହୁତ କିଛି ସହାୟକ ହୋଇପାରିବ ନାହିଁ।

ପ୍ରଥମାବସ୍ଥାରେ ବ୍ରିଟିସ୍‌ ସରକାରଙ୍କ ବେଳେ ଏହି ରାଷ୍ଟ୍ରପତି ଭବନ, ନର୍ଥ ବ୍ଲକ୍‌, ସାଉଥ୍‌ ବ୍ଲକ୍‌, ସଂସଦ ଭବନ କେମିତି ଓ କାହିଁକି ନିର୍ମିତ ହୋଇଥିଲା ସେ ସମ୍ପର୍କରେ ଧାରଣା ରହିବା ଉଚିତ। ପ୍ରଥମେ ରାଷ୍ଟ୍ରପତି ଭବନକୁ ଭାଇସ୍‌ରୟଜ୍ ଲଜ୍ (ଭବନ) ବୋଲି କୁହାଯାଉଥିଲା। କାରଣ ସେତେବେଳେ ଦେଶ ସ୍ୱାଧୀନ ହୋଇ ନ ଥିଲା। ରାଷ୍ଟ୍ରପତିଙ୍କ ଜାଗାରେ ସେତେବେଳେ ଭାଇସ୍‌ରୟ ଓ ପରେ ଗଭର୍ଣ୍ଣର ଜେନେରାଲ ସେହି ପଦ ମଣ୍ଡନ କରୁଥିଲେ। ନର୍ଥ ଓ ସାଉଥ୍ ବ୍ଲକ୍‌ରେ ସେତେବେଳେ ସବୁ କେନ୍ଦ୍ରୀୟ ସଚିବାଳୟର ବିଭାଗଗୁଡ଼ିକ କାମ କରୁଥିଲା। ୧୩୦ କୋଟି ଲୋକଙ୍କ ଜାଗାରେ ୨୦/୨୫ କୋଟି ଲୋକଙ୍କ ପାଇଁ ସେତେବେଳେ ଏହି ନର୍ଥ ଓ ସାଉଥ୍ ବ୍ଲକ୍‌ ଯଥେଷ୍ଟ ଥିଲା। ସେଠାରେ ନର୍ଥ ବ୍ଲକ୍‌ରେ ଏବେ ବୈଦେଶିକ ବିଭାଗ, ପ୍ରତିରକ୍ଷା ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କାମ କରୁଥିଲା ବେଳେ ଗୃହ ଓ ଅର୍ଥ ବିଭାଗ ସାଉଥ୍ ବ୍ଲକ୍‌ରେ କାମ କରୁଛି। ସେତେବେଳେ ରାଜପଥର ଦୁଇ ପାଖ ଫାଙ୍କା ଥିଲା। କେବଳ ସେଠାରେ ଯେଉଁ ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କୋଠାମାନଙ୍କୁ ତିଆରି କରିବାକୁ ଥିଲା, ତନ୍ମଧ୍ୟରୁ ଅନେକ ସ୍ୱାଧୀନତା ଆନ୍ଦୋଳନ, ଯୁଦ୍ଧ ଓ ଅର୍ଥାଭାବ ଯୋଗୁଁ ଅଧା ତିଆରି ହୋଇ ବନ୍ଦ ହୋଇଯାଇଥିଲା। ସ୍ୱାଧୀନତା ପରେ ଯେତେବେଳେ ଭାରତ ସରକାରଙ୍କର ବିଭିନ୍ନ ବିଭାଗମାନଙ୍କର କାମ ବଢ଼ିଲା, ସେତେବେଳେ ସେମାନଙ୍କୁ କାର୍ଯ୍ୟାଳୟ ନିର୍ମାଣ ପାଇଁ ଦିଲ୍ଲୀର ବିଭିନ୍ନ ଜାଗା ମିଳିଲା, ଯେଉଁଠି ବିଭକ୍ତ ବିଭାଗ ନିଜ ନିଜର ଡିଜାଇନ ଅନୁସାରେ କୋଠାମାନ ଗଢ଼ିଲେ; ଯେଉଁମାନଙ୍କର କାହାର କାହା ସହିତ କୌଣସି ରୂପଗତ ସାମ୍ୟ ନ ଥିଲା। ଆଜି ଜଣେ ନାଗରିକର ଦିଲ୍ଲୀରେ ୨/୩ଟି ବିଭାଗରେ କାମ ଥିଲେ ତାକୁ ୨୫/୩୦ କିଲୋମିଟର ବୁଲିବାକୁ ପଡ଼ିବ। କାରଣ ଅନେକ କ୍ଷେତ୍ରରେ ଗୋଟିଏ ବିଭାଗ ଠାରୁ ଆଉ ଗୋଟିଏ ବିଭାଗର ଦୂରତ୍ୱ ୧୫/୨୦ କିଲୋମିଟର ବା ତଦୂର୍ଦ୍ଧ୍ବ। ଏବେ ଯେଉଁ ନୂଆ ପ୍ରକଳ୍ପ ନିର୍ମିତ ହେବାକୁ ଯାଉଛି, ସେସବୁ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ରହିବ, ଯେଉଁଠି ଗୋଟିଏ ଲୋକ ତା’ର ସବୁ କାମ ସାରବା ପାଇଁ ଅନେକ ବାଟ ବୁଲିବାକୁ ପଡ଼ିବ ନାହିଁ।

ଏବେ ସଂସଦ ଭବନ ପାଖାପାଖି ଯେଉଁ କେନ୍ଦ୍ର ସଚିବାଳୟ ଭବନମାନ ନିର୍ମିତ ହେବ, ସେମାନଙ୍କ ମଧ୍ୟରେ ଗୋଟିଏ ହେବ ଉପରାଷ୍ଟ୍ରପତିଙ୍କ ଖଣ୍ଡ ଯାହା ୧୫ ଏକର ଜମି ଉପରେ ଅବସ୍ଥାପିତ ହେବ। ଏଥିରେ ୩୨ଟି କୋଠା ରହିବ ଯାହା ସବୁ ୫ ମହଲା ବିଶିଷ୍ଟ ହେବ ଏବଂ ଏମାନଙ୍କ ସର୍ବୋଚ୍ଚ ଉଚ୍ଚତା ୧୫ ମିଟର ହେବ। ସେହିପରି ପ୍ରଧାନମନ୍ତ୍ରୀଙ୍କ ଖଣ୍ଡରେ ୧୦ଟି କୋଠା ରହିବ, ଯାହା ୪ ମହଲା ବିଶିଷ୍ଟ ଓ ସର୍ବାଧିକ ୧୨ ମିଟର ଉଚ୍ଚ ହେବ। ଏଥିରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସ୍‌.ପି.ଜି) କାର୍ଯ୍ୟାଳୟ ରହିବ ଯେଉଁଠାରେ ପ୍ରଧାନମନ୍ତ୍ରୀ ସୁରକ୍ଷା କର୍ମୀମାନେ ରହିଥା’ନ୍ତି। ଏହି ସଂସଦ ଓ କେନ୍ଦ୍ରୀୟ ସଚିବାଳୟ ପରିସରକୁ ଲାଗି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିବାସସ୍ଥଳ ରହିବ। ପ୍ରଥମରୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନିବାସ ବୋଲି କିଛି ଗୋଟିଏ ନିର୍ଦ୍ଦିଷ୍ଟ ଘର ନ ଥିଲା। ଅଲଗା ଅଲଗା ପ୍ରଧାନମନ୍ତ୍ରୀମାନେ ଅଲଗା ଅଲଗା ଘରେ ରହୁଥିଲେ। ଶେଷକୁ ଅଟଳ ବିହାରୀ ବାଜପେୟୀଙ୍କ ବେଳ ଠାରୁ ୭ ରେସ୍‌କୋର୍ସ‌୍ ରୋଡ୍‌ (ବର୍ତ୍ତମାନର ଲୋକ କଲ୍ୟାଣ ମାର୍ଗ)ରେ ପ୍ରଧାନମନ୍ତ୍ରୀ ରହିଆସୁଛନ୍ତି। କାରଣ ଆତଙ୍କବାଦୀଙ୍କୁ ଦୂରେଇ ରଖିବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଘରେ ସୁରକ୍ଷା ବ୍ୟବସ୍ଥା କରିବା ସୁବିଧାଜନକ। ସେହିପରି ଉପରାଷ୍ଟ୍ରପତି (ଯେ କି ରାଜ୍ୟସଭାର ଅଧ୍ୟକ୍ଷ) ଦୂରରେ ଥିବା ଏକ ନିର୍ଦ୍ଦିଷ୍ଟ ଘରେ ରହିଥା’ନ୍ତି। ଏମାନେ ସଂସଦକୁ ଆସିଲା ବେଳେ ରାସ୍ତାରେ ଗାଡ଼ିମୋଟର ଚଳାଚଳକୁ ବନ୍ଦ କରି ଦିଆଯାଇଥାଏ। ଏହା ଦ୍ୱାରା ଯାତାୟତ ପାଇଁ ସମସ୍ତେ ହଇରାଣ ହରକତ ହୁଅନ୍ତି ଓ ଅଯଥା ସମୟ ନଷ୍ଟ ହୁଏ। ସଂସଦ ଭବନ ପାଖରେ ଏମାନଙ୍କ ନିବାସ ସ୍ଥଳ ରହିଲେ, ଏହି ଅସୁବିଧା ସୃଷ୍ଟି ହେବ ନାହିଁ।

ଏବେ ସଂସଦ ଭବନ ପରିବର୍ତ୍ତନ କାହିଁକି ହେବ ସେ ଦିଗ ପ୍ରତି ଧ୍ୟାନ ଦିଆଯାଉ। ବାସ୍ତବରେ ଏବେ ଲୋକସଭା ଗୃହ ମଧ୍ୟରେ ମୋଟ ୫୫୨ ଜଣ ସଦସ୍ୟଙ୍କ ବସିବା ପାଇଁ ଜାଗା ଅଛି। ଏବେ ଲୋକସଭାର ମୋଟ ସଦସ୍ୟଙ୍କ ସଂଖ୍ୟା ହେଉଛି ୫୪୩। ଅଥଚ, ସ୍ୱାଧୀନତା ପରେ ସମ୍ବିଧାନ ଅନୁସାରେ ପ୍ରତ୍ୟେକ ୧୦ ବର୍ଷ ପରେ ଲୋକସଭା ନିର୍ବାଚନ ମଣ୍ଡଳୀମାନଙ୍କର ପୁନଃ ସୀମା ନିର୍ଦ୍ଧାରଣ କରାଯିବାର ବ୍ୟବସ୍ଥା ଅଛି। ୧୯୬୫ ଓ ୧୯୭୨ରେ ତାହା ହୋଇଥିଲେ ମଧ୍ୟ ସେତେବେଳେ ସବୁ ନିର୍ବାଚନ ମଣ୍ଡଳୀମାନଙ୍କର ଲୋକସଂଖ୍ୟା ସମାନ ହେବ ବୋଲି ବ୍ୟବସ୍ଥା ଥିଲା। ପ୍ରଥମେ ସବୁ ନିର୍ବାଚନ ମଣ୍ଡଳୀମାନଙ୍କର ଲୋକସଂଖ୍ୟା ସମାନ ଥିଲେ ବି ପରେ ବିଭିନ୍ନ କାରଣ ହେତୁ କିଛି ନିର୍ବାଚନ ମଣ୍ଡଳୀମାନଙ୍କର ଜନସଂଖ୍ୟା ଅନ୍ୟମାନଙ୍କ ଅପେକ୍ଷା ବଢ଼ିଗଲା। ତେବେ ସବୁବେଳେ ସମାନ ଜନସଂଖ୍ୟାକୁ ନେଇ ନିର୍ବାଚନ ମଣ୍ଡଳୀ ଗଠିତ ହୋଇପାରିଲା ନାହିଁ, କାରଣ ଉତ୍ତର ଭାରତରେ ପରିବାର ନିୟନ୍ତ୍ରଣ ଯୋଜନା କାମ ନ କରିବାରୁ ସେଠାରେ ଜନସଂଖ୍ୟା ସ୍ୱାଭାବିକ ଭାବରେ ବଢ଼ିଲା ବେଳେ ଦକ୍ଷିଣ ଭାରତରେ ପରିବାର ନିୟନ୍ତ୍ରଣ ଅଧିକ ସଫଳ ହେବାରୁ ସେଠାରେ ଜନସଂଖ୍ୟା ସେତେ ବଢ଼ିଲା ନାହିଁ। ତେଣୁ ସମାନ ଜନସଂଖ୍ୟା ହିସାବରେ ନିର୍ବାଚନ ମଣ୍ଡଳୀମାନଙ୍କୁ ବଢ଼ାଇବାକୁ ଦକ୍ଷିଣ ଭାରତ ଗ୍ରହଣ କଲାନି। କାରଣ ଏହାଦ୍ୱାରା ସେମାନଙ୍କର ପ୍ରତିନିଧିତ୍ୱ କମିଯିବ। ସେମାନେ ସରକାରଙ୍କ ନୀତିକୁ ସଫଳ କରିଥିବା ହେତୁ କାହିଁକି ଦଣ୍ଡ ପାଇବେ ବୋଲି ପ୍ରତିବାଦ କଲେ। ତେଣୁ ଆଜି ମଧ୍ୟ ଅଲଗା ଅଲଗା ନିର୍ବାଚନ ମଣ୍ଡଳୀମାନଙ୍କର ଭୋଟ ସଂଖ୍ୟା ବହୁତ ଅଲଗା ଅଲଗା। ଏଣୁ ନିର୍ବାଚନ ମଣ୍ଡଳୀ ପୁନଃ ସୀମା ନିର୍ଦ୍ଧାରଣ ବ୍ୟବସ୍ଥାକୁ ୧୯୭୬ରୁ ୨୦୦୧କୁ ୨୫ ବର୍ଷ ପାଇଁ ଓ ପରେ ୨୦୦୧ରୁ ୨୦୨୬ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀ ସୀମା ପୁନର୍ଗଠନ ସମୟକୁ ବଢ଼ାଇ ଦିଆଯାଇଛି। କିନ୍ତୁ ୨୦୨୬ରେ ଲୋକସଭାର ସଦସ୍ୟଙ୍କ ସଂଖ୍ୟା ବଢ଼ାଇବାକୁ ହେବ। କାରଣ, ଭାରତର ସାଂସଦମାନେ ଏବେ ଯେତେ ଲୋକଙ୍କର ପ୍ରତିନିଧିତ୍ୱ କରନ୍ତି, ବିଶ୍ୱର କୌଣସି ଦେଶରେ କୌଣସି ପ୍ରତିନିଧି ଏତେ ଲୋକଙ୍କର ପ୍ରତିନିଧିତ୍ୱ କରନ୍ତି ନାହିଁ। କେବଳ ଦକ୍ଷିଣ ଭାରତକୁ ଛାଡ଼ି ଦେଲେ ଭାରତର ଅନ୍ୟତ୍ର ଜଣେ ଜଣେ ସାଂସଦ ଏବେ ୧୭/୧୮ ଲକ୍ଷ ଲୋକଙ୍କର ପ୍ରତିନିଧିତ୍ୱ କରୁଛନ୍ତି। ଅଥଚ ୟୁ.କେ.ରେ ଜନସଂଖ୍ୟା ମାତ୍ର ୬ କୋଟି ହୋଇଥିଲା ବେଳେ ସେମାନଙ୍କର ସାଂସଦମାନଙ୍କ ସଂଖ୍ୟା ୬୪୫। ଏମାନେ ଜଣ ପିଛା ଲକ୍ଷେ ଲୋକଙ୍କର ପ୍ରତିନିଧିତ୍ୱ କରନ୍ତି ନାହିଁ। ତେଣୁ ୨୦୨୬ରେ ସାଂସଦଙ୍କ ସଂଖ୍ୟା ବଢ଼ାଇବାକୁ ହେବ ଓ ସେଥିପାଇଁ ଲୋକସଭାରେ ଆଉ ସ୍ଥାନ ନାହିଁ। ତେଣୁ ନୂଆ ଲୋକସଭା ଗୃହରେ ୮୮୮ଟି ସ୍ଥାନର ବ୍ୟବସ୍ଥା ଅଛି। ଏହି ସ୍ଥାନ ସଂଖ୍ୟା ୧୨୮୨କୁ ବୃଦ୍ଧି କରାଯାଇପାରିବ। କାରଣ, ଯେତେବେଳେ ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନ ହେବ ସେତେବେଳେ ତାହା ଏହି ଲୋକସଭା ଗୃହରେ ଅନୁଷ୍ଠିତ ହେବ। ନୂଆ ସଂସଦ ଭବନରେ ରାଜ୍ୟସଭା ଗୃହର ୩୮୪ଟି ଆସନ ରହିବ।

ପୁରୁଣା ସଂସଦ ଭବନର ଲୋକସଭା ଓ ରାଜ୍ୟସଭା ଗୃହମାନଙ୍କ ସମସ୍ୟା ହେଲା, ସଦସ୍ୟମାନେ ସେଠାରେ ବେଞ୍ଚ୍‌ରେ ବସନ୍ତି। ପଛଆଡ଼କୁ ଥିବା ବେଞ୍ଚ୍‌ମାନ ଅଧିକ ଅଧିକ ଲମ୍ବା। ପ୍ରଥମ ଦୁଇଟି ଧାଡ଼ିକୁ ଛାଡ଼ିଦେଲେ, ପରବର୍ତ୍ତୀ ଧାଡ଼ିଗୁଡ଼ିକରେ ସାମନାରେ ଡେସ୍କ ନ ଥାଏ, ଯେଉଁଠି ସାଂସଦମାନେ ସେମାନଙ୍କ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ରଖିପାରିବେ। ଗୃହମାନଙ୍କରେ ଲେଖାଲେଖିର ଆବଶ୍ୟକତା ଥିବାରୁ ପ୍ରଥମ ଦୁଇଧାଡ଼ି ପରେ ବସୁଥିବା ସଦସ୍ୟମାନେ ସେମାନଙ୍କ ଜଂଘ ଉପରେ କାଗଜ ପକାଇ ଲେଖନ୍ତି। ଜଣେ ସଦସ୍ୟ ବାହାରକୁ ଯିବାକୁ ଚାହିଁଲେ ଅନ୍ୟ ସଦସ୍ୟମାନଙ୍କ ଗୋଡ଼କୁ ଠେଲି ଠେଲି ବାହାରକୁ ଯାଆନ୍ତି। ସଦସ୍ୟମାନେ ଯେଉଁଠାରେ ପଛକୁ ଆଉଜି ବସନ୍ତି ସେଠାରେ ପଛ ଧାଡ଼ି ସଦସ୍ୟଙ୍କ ମାଇକ୍ରୋଫୋନ୍‌ ଓ ଭୋଟିଂ ମେସିନ ଲାଗିଥାଏ। ଏହି ଇଲେକ୍ଟ୍ରୋନିକ୍‌ସ ଭୋଟିିଂ ମେସିନଗୁଡ଼ିକ ପୁରୁଣାକାଳିଆ। ତେଣୁ, ବେଳେ ବେଳେ ଭୁଲ୍‌ ଫଳ ମଧ୍ୟ ଘୋଷିତ ହୋଇଥାଏ।

ଅଥଚ, ଗତ କେତେ ବର୍ଷ ମଧ୍ୟରେ ଯେଉଁ ନୂଆ ବିଧାନ ଗୃହମାନ ରାଜ୍ୟମାନଙ୍କରେ ନିର୍ମିତ ହୋଇଛି ସେଥିରେ ସମସ୍ତ ସଦସ୍ୟମାନଙ୍କ ସାମ୍‌ନାରେ ଡେସ୍କ ଥାଏ। ଅଧିକାଂଶ ସ୍ଥାନରେ ଦୁଇ ଦୁଇ ଜଣ ସଦସ୍ୟଙ୍କୁ ଗୋଟିଏ ଜାଗାରେ ଡେସ୍କ ଓ ଟେବୁଲ ସହ ବସିବାକୁ ଦିଆଯାଇଥାଏ, ଯଦ୍ଦ୍ୱାରା ସଦସ୍ୟମାନେ ଲେଖାଲେଖି ଓ କାଗଜପତ୍ର ରଖିବା ପାଇଁ ସ୍ଥାନ ପାଇବେ। ନୂଆ ସଂସଦ ଭବନମାନଙ୍କରେ ଏ ସବୁ ଅସୁବିଧା ରହିବ ନାହିଁ। ତେଣୁ ସ୍ୱାଧୀନତା ପରେ ଅଧିକାଂଶ ବାଚସ୍ପତିମାନେ ଏହି ସଂସଦ ଗୃହକୁ ବଦଳାଇବା ପାଇଁ ଦାବି କରି ଆସିଛନ୍ତି।

ବର୍ତ୍ତମାନ ସଂସଦର ଦୁଇ ଗୃହର ମିଳିତ ଅଧିବେଶନ ସଂସଦର କେନ୍ଦ୍ର ଗୃହ ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ହେଉଛି, ଯେଉଁଠି ଆସନ ସଂଖ୍ୟା ଲୋକସଭା ଠାରୁ ମଧ୍ୟ କମ୍‌। ତେଣୁ ମିଳିତ ଅଧିବେଶନ ବେଳେ ସେଠାରେ ଥିବା ସବୁ ଖାଲି ସ୍ଥାନମାନଙ୍କରେ ଚେୟାର ପକାଇ ଦିଆଯାଇଥାଏ। କିନ୍ତୁ ନୂଆ ଭବନରେ ସଂସଦମାନଙ୍କ ମଧ୍ୟରେ ଆଳାପ ଆଲୋଚନା, ନିଷ୍ପତ୍ତି ଓ ବିଶ୍ରାମ ପାଇଁ ଏକ ଲାଭଂଜର ବ୍ୟବସ୍ଥା ରହିବ। ଏହା ପାଖରେ ଏକ ସ୍ୱତନ୍ତ୍ର ଅଟ୍ଟାଳିକାରେ ସାଂସଦମାନଙ୍କ ପାଇଁ ଛୋଟ ଛୋଟ ଅଫିସ୍‌ ଗୃହ ମଧ୍ୟ ଯୋଗାଇ ଦିଆଯାଇପାରେ, ଯେଉଁଠି ସାକ୍ଷାତ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ତାଙ୍କ ସାଂସଦଙ୍କ ସାହ ଦେଖାକରି ପାରିବେ।

ବର୍ତ୍ତମାନର ସଂସଦ ଭବନରେ ବିଜୁଳି, ଟେଲିଫୋନ୍‌, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର, ପାଣି, ନର୍ଦ୍ଦମା ପାଇପ ନେବା ପାଇଁ ସବୁଆଡ଼େ କାନ୍ଥରେ କଣା ଓ ଗାତ କରାଯାଇଛି। ବାହାରକୁ ସଂସଦ ଭବନ ଚମତ୍କାର ଦିଶୁଥିଲେ ମଧ୍ୟ ଭିତରେ ଚାରିଆଡ଼େ ପାଇପ, ତାର ଆଦି ପଡ଼ିଥାଏ। ଏହା ସଂସଦ ଭବନକୁ ଦୁର୍ବଳ କରିଦେଲେଣି। ଏହା କିନ୍ତୁ ଏକ ମ୍ୟୁଜିଅମ୍‌ ଆକାରରେ ନର୍ଥ ବ୍ଲକ୍‌ ଓ ସାଉଥ୍‌ ବ୍ଲକ୍‌ ସହ ନୂଆ ଭାରତର ପ୍ରତୀକ ଭାବରେ ରହିବ।

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର