ଛୋଟ ଥିବା ବେଳେ ବାପାଙ୍କ ସାଙ୍ଗରେ ରେଳଷ୍ଟେସନ ବୁଲିବାକୁ ଯାଇଥିଲି। ସେଠାରେ ମୁଁ ଅନୁଧୢାନ କଲି ଯେ ଟ୍ରେନ୍ ପଛରେ ଯାଉଥିବା ଗାର୍ଡ ହିଁ ସବୁଠୁ ବେଶି କ୍ଷମତାସମ୍ପନ୍ନ ବ୍ୟକ୍ତି, କାରଣ ସେ ସବୁଜ ଆଲୁଅର ଲଣ୍ଠନ ବା ଟର୍ଚ୍ଚ ନ ଦେଖାଇବା ପର୍ଯ୍ୟନ୍ତ ଡ୍ରାଇଭର ଟ୍ରେନ୍ ଚଲାଉ ନାହିଁ। ଗାର୍ଡର ଦରମା କଥା ପଚାରିବାରୁ ବାପା କହିଲେ ‘ଡ୍ରାଇଭର ଓ ଗାର୍ଡ ସେମାନଙ୍କ ଦରମା ବ୍ୟତିରେକେ କିଲୋମିଟର ଅନୁସାରେ ସ୍ବତନ୍ତ୍ର ଏବ˚ ବହୁତ ଭତ୍ତା ପାଆନ୍ତି।’ ମୁଁ ମନେ ମନେ ଭାବିଲି- ବଡ଼ ହେଲେ ମୁଁ ଟ୍ରେନ୍ରେ ଗାର୍ଡ ହେବି। କିନ୍ତୁ ବଡ଼ ହେବି। ପରେ ମୁଁ ଅନୁଭବ କଲି ଯେ ଭଲ ହୋଇଛି ଭଗବାନ ମୋ ପ୍ରାର୍ଥନା ଶୁଣି ନାହାନ୍ତି। ବୟସ ଟିକେ ବଢ଼ି ପଞ୍ଚମ, ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳେ ମୁଁ ଦେଖିଲି ଆମ ଘରେ ବାପା ହିଁ ସର୍ବଶକ୍ତିମାନ। ତାଙ୍କ କଥା ସମସ୍ତେ ମାନୁଛନ୍ତି, ତାଙ୍କ କଥାନୁସାରେ ରୋଷେଇବାସ ହେଉଛି ଇତ୍ୟାଦି। ତେଣୁ କିଛି କ୍ଷଣ ପାଇଁ ମୁଁ ବାପା ହେଲେ ଭଲ ହୁଅନ୍ତା ଭାବିଲେ ବି ମୁଁ ‘ମୁଁ’ ହୋଇ ରହିବି ଆଉ ମୋ ବାପା ବି ହେବି; ଏହା ଅସମ୍ଭବ ଥିବାରୁ ପ୍ରସ୍ତାବଟି ଆପେ ଆପେ ମନ ଭିତରେ କାଟ୍ ଖାଇଗଲା। ହାଇସ୍କୁଲ୍ରେ ପଢ଼ିବା ବେଳେ ଜଣେ କର୍ନେଲଙ୍କ ଚେହେରା, ନିଶ ଓ ହାତରେ ବନ୍ଧୁକ ଦେଖି ମୁଁ ତାଙ୍କ ବିଷୟରେ ବାପାଙ୍କୁ ପଚାରିଥିଲି। ବାପା କହିଥିଲେ- ସେ ବହୁତ ବଡ଼ ଧନୀ; କିନ୍ତୁ ଦୟାଳୁ। ଆମ ସହରର ଏକ ମଶାଣିରେ ଏକାସାଙ୍ଗରେ ପାଞ୍ଚଟି ଶବ ପୋଡ଼ା ହେବା ପାଇଁ ସେ ଏକ ସୁନ୍ଦର ଚଉତରା କରି ତା’ ଉପରେ ଟିଣ ଛପର କରାଇ ଦେଇଛନ୍ତି। ଏ ସବୁ ଶୁଣି ମୁଁ ଚିନ୍ତା କଲି- ମୁଁ ବଡ଼ ହୋଇ ଯଦି କର୍ନେଲ ହୁଏ, ତେବେ ଏଇ ମଶାଣିରେ ମୋ ହାତରୁ ଖର୍ଚ୍ଚ କରି ଏକ ବିଧବାଶ୍ରମ ଖୋଲି ଦେବି, ଯେମିତି କି ଯିଏ ମରି ଏଠି ପୋଡ଼ା ହେବ ତା’ ବିଧବା ସ୍ତ୍ରୀ ଚାହିଁଲେ ମାଗଣାରେ ଏ ଘରେ ରହିପାରିବ। ଭଗବାନଙ୍କୁ ଅଶେଷ ଧନ୍ୟବାଦ ଯେ ସେ ମୋର ଏଇ ପ୍ରାର୍ଥନା ଓ ଉଦ୍ଭଟ ଚିନ୍ତାଧାରା ପ୍ରତି ଦୃଷ୍ଟି ଦେଇନାହାନ୍ତି।
ସେଇ ହାଇସ୍କୁଲ୍ରେ ପଢ଼ିବା ବେଳେ ଦେଖିଲି ଯେ ହାଇସ୍କୁଲ୍ର ହେଡ୍ସାର୍ଙ୍କ କ୍ଷମତା ଅସୀମ। ସ୍କୁଲ୍ର ଶିକ୍ଷକ, କର୍ମଚାରୀ, ଛାତ୍ର ଓ ଆଗନ୍ତୁକ ଅଭିଭାବକ ସମସ୍ତେ ତାଙ୍କୁ ହିଁ ନମସ୍କାର କରୁଛନ୍ତି। ଏବେ ଭାବିଲି ଯେ ବଡ଼ ହେଲେ ହେଡ୍ମାଷ୍ଟର ହେବି। କିନ୍ତୁ କୌଣସି କାରଣରୁ ଦଶମ ଶ୍ରେଣୀର ଗୋଟେ ଝିଅର ବାପାଙ୍କ ଅଭିଯୋଗକ୍ରମେ ହେଡ୍ ସାର୍ ଆମ ଆଖି ଆଗରେ ବନ୍ଧା ହୋଇ ଯିବାର ଦେଖିବା ପରେ ମୁଁ ଭଗବାନଙ୍କ ଠାରୁ ମୋ ପ୍ରାର୍ଥନା ଦରଖାସ୍ତ ଫେରାଇ ନେଲିଣି ବୋଲି ତାଙ୍କୁ ଜଣାଇଲି। କଲେଜରେ ପଢ଼ିବା ପରେ ପ୍ରାୟ ପ୍ରତି ସପ୍ତାହାନ୍ତେ ସିନେମା ଦେଖି ମୁଁ ସିନେମାର ହିରୋ ହୋଇ ପାରିଲେ ଜୀବନ ସାର୍ଥକ ହୁଅନ୍ତା ବୋଲି ଭାବିଲି; କାରଣ ହିନ୍ଦୀ ସିନେମାରେ ହିରୋକୁ କେହି ହରାଇ ପାରନ୍ତି ନାହିଁ; ପୁଣି ସେ ଅନେକ ସୁନ୍ଦରୀ ହିରୋଇନ୍ଙ୍କ ସହିତ ମନଇଚ୍ଛା ପ୍ରେମ କରିପାରିବ ଓ ତା’ସହିତ ଲକ୍ଷ ଲକ୍ଷ ଟଙ୍କା ପାଇବ। କିନ୍ତୁ ଥରେ ବଡ଼ଭାଇଙ୍କ ସାଙ୍ଗରେ ଷ୍ଟୁଡିଓ ଭିତରେ ବୁଲି ଆସିବା ପରେ ଏବ˚ ସିନେମାରେ କ୍ୟାମେରା ଓ କମ୍ପ୍ୟୁଟର ଦ୍ବାରା ଫଟୋ ଆଡଜଷ୍ଟମେଣ୍ଟ ଦେଖିବା ପରେ ମୋର ନିଶା ଉଭେଇ ଗଲା। ଦିନେ ଆମ ଘର ଆଗ ପାର୍କ ପାଖରେ ଜଣେ ହାଇକୋର୍ଟ ଜଜ୍ଙ୍କ ସହ ବାପା ମୋତେ ଚିହ୍ନାପର୍ଚ୍ଚ କରି ଦେଇଥିଲେ। ମୁଁ ତାଙ୍କ ଘରେ ଦେଖିଲି ଯେ ତାଙ୍କ ନିଯୁକ୍ତି ପତ୍ରରେ ଭାରତର ରାଷ୍ଟ୍ରପତିଙ୍କ ସ୍ବାକ୍ଷର ଅଛି। ତାଙ୍କର ଅଶେଷ କ୍ଷମତା ବିଷୟରେ ବି ଶୁଣିଲି। ମୁଁ ଚିନ୍ତା କଲି ଯେ ହାଇକୋର୍ଟ ଜଜ୍ ରାଷ୍ଟ୍ରପତିଙ୍କ ଠାରୁ ଅଧିକ କ୍ଷମତାସମ୍ପନ୍ନ। କାରଣ ରାଷ୍ଟ୍ରପତି ଫାଶୀ ଦଣ୍ତ ପାଇଥିବା ଲୋକଙ୍କୁ ଫାଶୀ ପାଇବାରୁ ମୁକ୍ତ କରି ଦେଇପାରନ୍ତି, କିନ୍ତୁ ଫାଶୀ ଭଳି ଭୟଙ୍କର ଦଣ୍ତ ଦେବା କ୍ଷମତା କେବଳ ଜଜ୍ଙ୍କର ଅଛି! କିନ୍ତୁ ଜଜ୍ ହେବା ଲକ୍ଷ୍ୟ ଭଗବାନ୍ଙ୍କୁ ପ୍ରାର୍ଥନା କରି କହିବା ପୂର୍ବରୁ ମୁଁ ଥରେ ନିରୋଳାରେ ଜଜ୍ଙ୍କ ସହ କଥା ହେଉଥିବା ବେଳେ ସେ କହିଲେ ‘ଏ ଚାକିରିଟା କରି ମୁଁ ଅନୁତାପ କରୁଛି; କାରଣ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୁଁ କେବଳ ବଦମାସ୍, ଗୁଣ୍ତା, ଚୋର, ଡକାୟତ, ହତ୍ୟାକାରୀ, ଦୁଷ୍କର୍ମକାରୀ ଇତ୍ୟାଦିଙ୍କୁ ଦେଖୁଛି ଓ ସେମାନଙ୍କ କୃତକର୍ମ କଥା ଶୁଣୁଛି। ଏ କଥା ଶୁଣି ମୋର ଜଜ୍ ହେବାର ଲକ୍ଷ୍ୟ ମିଳେଇ ଗଲା।
ଆପଣମାନେ ଜାଣନ୍ତି ଯେ କଲେଜ ପିଲାଙ୍କ ଭିତରୁ ଅନେକ କଲେଜରେ ପଢ଼ିବା ବେଳେ ହିଁ କବି, ଲେଖକ, ଗାଳ୍ପିକ, ପ୍ରାବନ୍ଧିକ ଇତ୍ୟାଦି ବନିଯା’ନ୍ତି। ଏମାନଙ୍କ ଭିତରୁ କବିମାନଙ୍କ ସ˚ଖ୍ୟା ସର୍ବାଧିକ, ଏଇ କାରଣରୁ ପ୍ରତି ମାଗାଜିନ୍ରେ ଦୁଇ ତିନିଟି ପ୍ରବନ୍ଧ ବା ତିନି ଚାରିଟି ଗଳ୍ପ ଛପା ହୋଇଥିଲେ ବି ପନ୍ଦର କୋଡ଼ିଏଟା କବିତା ଛପା ହୋଇଥାଏ। ତା’ର ବି ବୋଧହୁଏ କାରଣ ଏଇୟା ଯେ କବିତାରେ ଆଗ ଭଳି ଶେଷପଦ ମିଳାଇବା ଦରକାର ହେଉନାହିଁ ଏବ˚ କବିତା ଚାରି ଧାଡ଼ିରୁ ଆରମ୍ଭ କରି ପଚାଶ ଧାଡ଼ି ପର୍ଯ୍ୟନ୍ତ ହୋଇପାରିବ! କବି ହେବାକୁ ମନ କରି ମୁଁ ଦୁଇ ତିନି ଜଣ ପେସାଦାର କବିଙ୍କୁ ଅନୁଧୢାନ କଲି- ଲମ୍ବା କେଶ, କାନ୍ଧରେ ଝୁଲା ଏବ˚ ଚିହ୍ନାପର୍ଚ୍ଚ ଲୋକଙ୍କୁ ବାଟରେଘାଟରେ ଯେଉଁଠି ବି ହେଉ ଅଟକାଇ କବିତା ଶୁଣାଇବା ଆଦି ତିନିଟି କବି ଲକ୍ଷଣ ବୋଲି ବୁଝିଲି। ମୁଁ ପ୍ରଥମେ କେଶ ଲମ୍ବା କରିବା ପରେ ଲମ୍ବା ବ୍ୟାଗ୍ କାନ୍ଧରେ ପକାଇଲି; କିନ୍ତୁ କ’ଣ ଶୁଣାଇବି? କବିତା ଲେଖିବା ମୋ ଦ୍ବାରା ଆଦୌ ହେଲା ନାହିଁ। ଧୀରେ ଲେଖିବା ତ ଦୂର, କବିତା ପଢ଼ିବା ପ୍ରତି ମଧୢ ଅରୁଚି ଆସିଗଲା।
ସ˚ସ୍କୃତରେ ଏକ ଶ୍ଳୋକ ଅଛି: ‘ଅବଶ୍ୟମ୍ଭାବୀ ଭାବ୍ୟାନା˚ ପ୍ରତିକାରୋ ଭବେଦ୍ ଯଦି; ତହୖ ଦୁଃଖୈ ର୍ନ ଲିପ୍ୟନ୍ତେ ନଳ ରାମୋ ଯୁଧିଷ୍ଠିରାଃ’’- ଅର୍ଥାତ୍ ‘ଯାହା ଘଟିବା ଅବଶ୍ୟମ୍ଭାବୀ, ତାକୁ ଯଦି ରୋକାଯାଇ ପାରୁଥାଆନ୍ତା, ତେବେ ନଳ, ରାମ ଏବ˚ ଯୁଧିଷ୍ଠିରଙ୍କ ଭଳି ଯୋଗ୍ୟ ଓ ଅସାଧାରଣ କ୍ଷମତାଶାଳୀମାନେ ଏତେ ଦୁଃଖ ପାଇ ନଥା’ନ୍ତେ।’ ଏହା ଅକ୍ଷେର ଅକ୍ଷରେ ସତ। ଏତେ ସ୍ବପ୍ନ ଦେଖି ଶେଷକୁ ବ୍ୟାଙ୍କ୍ରେ ଅଫିସର (ନାମ ଅଫିସର କାମ କିରାଣିଙ୍କର) ହୋଇ, ଶେଷକୁ ସେଇ ଶିକ୍ଷକ (ଅଧୢାପକ) ଚାକିରିରେ ହିଁ ଅବସର ନେବାକୁ ହେଲା। ଆପଣମାନେ ଜାଣନ୍ତି, ଏ ଯୁଗରେ ଶିକ୍ଷାକୁ ଆମ ସମାଜ ଓ ସରକାର କେତେ ଗୁରୁତ୍ବ ଦିଅନ୍ତି ଓ ସମ୍ମାନ ଦେଖାନ୍ତି!!
ହଉ ଛାଡ଼ନ୍ତୁ! ଏବେ ମୂଳ କଥା ହେଲା ବଡ଼ ହେଲେ କ’ଣ ହେବି ବୋଲି ସ୍ବପ୍ନ କୋଉଠୁ ଆରମ୍ଭ ହୋଇ ଶେଷରେ କୋଉଠି ପହଞ୍ଚେ!!!
ଗୁରୁକୃପା, ୪୯/୬୦୦
ଲକ୍ଷ୍ମୀବିହାର, ଭୁବନେଶ୍ବର-୫