ପରୀକ୍ଷା, ପରୀକ୍ଷା

ଅଜିତ ମହାନ୍ତି

ସମୟ ଥିଲା ଯେବେ ପିଲାଏ ଡରୁଥିଲେ ପରୀକ୍ଷାକୁ, ବର୍ତ୍ତମାନ ସାରା ଦେଶ ଡରୁଛି ପରୀକ୍ଷାକୁ। କରୋନାର ହଇଚଇ ଭିତରେ ଅନ୍ୟ ଏକ ବଡ଼ ହଇଚଇରେ ଦେଶଟା ପଡୁଚି, ଉଠୁଚି- ପରୀକ୍ଷା କେମିତି ହେବ? ଡାକ୍ତରଖାନା ଅଭାବ, ଡାକ୍ତର ଅଭାବ, ଅକ୍‌ସିଜେନ ଅଭାବ, ଔଷଧ ଅଭାବ, ଇତ୍ୟାଦି ଇତ୍ୟାଦି କରୋନା ଜନିତ ସମସ୍ୟାମାନଙ୍କରୁ ମୁହଁ ଫେରେଇଲେ, ଦେଶ ପାଇଁ ଠିଆ ହୋଇଛି ଅନ୍ୟ ଏକ ସମସ୍ୟା- ପରୀକ୍ଷା। ପ୍ରାଥମିକ ଶ୍ରେଣୀରୁ ଆରମ୍ଭ କରି ମାଧୢମିକ ଶିକ୍ଷା, ହାଇସ୍କୁଲ ଏବ˚ ଉଚ୍ଚ-ମାଧୢମିକ, ଯୁକ୍ତ ଦୁଇ, ଆଉ ଏବେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାମାନ ଗୋଟାକ ପରେ ଗୋଟାଏ ପିଲା, ଛାତ୍ରଛାତ୍ରୀ, ବାପା ମାଆ, ଅଭିଭାବକ ଓ ଜନସାଧାରଣଙ୍କ ପାଇଁ ତଥା ସରକାର ଓ ରାଜନୈତିକ ପ୍ରକ୍ରିୟା ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି। ଖୋଜା ଚାଲିଛି ବିକଳ୍ପମାନ। ତର୍କ-ବିତର୍କ ଅନେକ। ଏ ସମସ୍ୟା ଏବେ କରୋନା ସହିତ ଆସିଛି ଏବ˚ କରୋନା ପରି ଏକ ବିରାଟ ବୋଝ। କରୋନା ମହାମାରୀ ଯୋଗେ ପରୀକ୍ଷା ଏକ ଚିନ୍ତାର ବିଷୟ ସତ, ମାତ୍ର ଏହା ସିଧାସଳଖ କରୋନା ଦ୍ବାରା ସୃଷ୍ଟ ସମସ୍ୟା ନୁହେଁ। ମୂଳ ସମସ୍ୟା ହେଉଚି ଆମ ଶିକ୍ଷା ବ୍ୟବସ୍ଥାର ଅପ୍ରସ୍ତୁତି। ଠିକ୍‌ ଯେମିତି କରୋନା ପାଇଁ ପୃଥିବୀ ପ୍ରସ୍ତୁତ ନ ଥିଲା ଏବ˚ ସେଇଥିପାଇଁ ଜଗତ୍‌ର ସମସ୍ୟା ବଢ଼ିଯାଇଛି। ଆମ ଶିକ୍ଷା ବ୍ୟବସ୍ଥା ମଧୢ ପରୀକ୍ଷାର ଗାତ ଭିତରୁ ବାହାରି ଶିକ୍ଷାକୁ ଏକ ବ୍ୟାପକ ଭାବରେ ଅନୁଧୢାନ କରିବା, ଚିନ୍ତା କରିବା ପାଇଁ ଆଦୌ ପ୍ରସ୍ତୁତ ନ ଥିଲା। ବର୍ଷ ବର୍ଷ ଧରି ଶିକ୍ଷା ଓ ପରୀକ୍ଷା, ଏ ଦୁଇଟି ଭିନ୍ନ ଭିନ୍ନ ପ୍ରକ୍ରିୟାକୁ ଆମେ ଏଭଳି ଭାବରେ ଯୋଡ଼ିଛୁ ଯେ, ଗୋଟାକୁ ଛାଡ଼ି, ଅନ୍ୟଟିକୁ ଆମେ ଚିନ୍ତା ମଧୢ କରିପାରୁନାହୁଁ। ଫଳରେ ବର୍ଷ ଶେଷରେ ବା ସେମିଷ୍ଟାର ଶେଷରେ ବା ପାଠ୍ୟକ୍ରମ ଶେଷରେ ଯଦି ପରୀକ୍ଷା ନ ହୋଇ ପାରିଲା କୌଣସି କାରଣରୁ ତେବେ ପାଠପଢ଼ା, ଶିକ୍ଷାରେ ବିନିଯୋଗ ହୋଇଥିବା ସମୟ ଯେମିତି ବୃଥା ହୋଇଗଲା।

ତେବେ ଚିନ୍ତା କରିବା କଥା, କ’ଣ ଏ ପରୀକ୍ଷା ଏବ˚ କାହିଁକି ପରୀକ୍ଷାଟା ଏତେ ଅନିବାର୍ଯ୍ୟ, ଅପରିବର୍ତ୍ତନୀୟ? କେତେକ ତ କହନ୍ତି, ଶିକ୍ଷା ହିଁ ପରୀକ୍ଷା, ପରୀକ୍ଷା ନ ଥାଇ କି ଶିକ୍ଷା? ତେଣୁ ଖୋଜା ଚାଲିଛି ବିକଳ୍ପ। କ’ଣ କରୁଛି ଏ ପରୀକ୍ଷା, କାହିଁକି ପରୀକ୍ଷା ପାଇଁ ଏ ଜାତୀୟ ବ୍ୟଗ୍ରତା? ସ୍ବାଧୀନତା ପରବର୍ତ୍ତୀ ପ୍ରଚଳିତ ପରୀକ୍ଷା ବ୍ୟବସ୍ଥାକୁ ଅନୁଧୢାନ କଲେ ଏହାର ପ୍ରାୟୋଗିକ ଉପାଦେୟତା ହିଁ ବଡ଼ କଥା। ସିବିଏସ୍‌ଇ ଏବ˚ ଅନ୍ୟାନ୍ୟ ତତ୍ତୁଲ୍ୟ ଅନୁଷ୍ଠାନମାନ ସାଧାରଣ ଦୃଷ୍ଟିରେ କେବଳ ପରୀକ୍ଷା କରେଇବା ଓ ଫଳ ବାହାର କରିବାର ମୁଖ୍ୟ ଅନୁଷ୍ଠାନମାନ। ଏଇ ‘‘ଫଳ’’ ପାଇଁ ସମସ୍ତେ ଚାହିଁଥାଆନ୍ତି। ମନ୍ତ୍ରୀ, ମୁଖିଆମାନେ ସଗର୍ବେ ‘‘ଫଳ’’ ପ୍ରକାଶ କରନ୍ତି। ଏ ‘‘ଫଳ’’ ବଡ଼ ଜରୁରୀ କାରଣ ଏହା ୧୦୦ ନମ୍ବର ରଖିଥିବା, କିମ୍ବା ୯୯ ନମ୍ବର ବା ଠିକ୍‌ ତା’ ତଳକୁ ରଖିଥିବା ପିଲାଙ୍କ ମଧୢରେ ପାର୍ଥକ୍ୟ ଦର୍ଶାଇବ ଏବ˚ ସେଇ ପାର୍ଥକ୍ୟକୁ ୯୮ ନମ୍ବର ବା ପରବର୍ତ୍ତୀ ଗ୍ରେଡ୍‌ ସ˚ଖ୍ୟାର ପିଲାଙ୍କୁ କେତେକ ସୁଯୋଗ ସୁବିଧାରୁ ବଞ୍ଚିତ କରିବା ପାଇଁ ବ୍ୟବହାର କରିବ। ସେଇ ‘‘ଫଳ’’ ହିଁ ପିଲାଙ୍କ ଭାଗ୍ୟଫଳ; ଭବିଷ୍ୟତ୍‌ ପାଇଁ କିଏ କେଉଁ ସ୍ତରରେ ଖଞ୍ଜା ହେବେ; ସାଫଲ୍ୟର ସିଡ଼ିରେ କିଏ ଉପର ସ୍ତରରେ ରହିବ ଏବ˚ କିଏ ତଳେ ଏ କଥା ନିର୍ଣ୍ଣୟ କରିବ ‘ଫଳ’, ପରୀକ୍ଷା ଫଳ। ତେଣୁ, ଚିନ୍ତା ଯେ ଯଦି ‘‘ଫଳ’’ ନ ଦେଇ ପାରିଲୁ, ତେବେ ପାଠପଢ଼ାର ମୂଲ୍ୟ କ’ଣ? ଏଇ ପ୍ରକାର ମାନସିକତା ନେଇ ଶିକ୍ଷା ବ୍ୟବସ୍ଥା ଅନିବାର୍ଯ୍ୟ ଭାବରେ ଯୋଡ଼ିଛି ପାଠପଢ଼ାକୁ ପରୀକ୍ଷା ସହିତ, ପରୀକ୍ଷା ନ ହେଲେ ଶିକ୍ଷା ନିରର୍ଥକ।

ବର୍ତ୍ତମାନ, ଶିକ୍ଷା ଓ ପରୀକ୍ଷାର ଯୋଡ଼ାଯୋଡ଼ି ଖୋଳ ଭିତରୁ ବାହାରି ଚିନ୍ତା କରାଯାଉ କାହିଁକି ଶିକ୍ଷା ସହିତ ପରୀକ୍ଷା ବ୍ୟବସ୍ଥାକୁ ପାରମ୍ପାରିକ ଭାବରେ ଯୋଡ଼ା ଯାଇଛି? ଯେଉଁ ବ୍ୟବସ୍ଥାରେ ଶିକ୍ଷା ଦିଆଯାଏ ବା ଯିଏ ପାଠ ପଢ଼ାଏ ସେ ବ୍ୟବସ୍ଥା ବା ସେ ଶିକ୍ଷଣ ପ୍ରକ୍ରିୟା ସ୍ବୟ˚ସିଦ୍ଧ ନୁହେଁ, ସେ ବ୍ୟବସ୍ଥା ସବୁବେଳେ ଆହୁରି ଉନ୍ନତ ହେବାର ସମ୍ଭାବନାକୁ ଉନ୍ମୁକ୍ତ ରଖିଥାଏ। ଜଣେ ଶିକ୍ଷକ ଯେଉଁ ଛାତ୍ରଛାତ୍ରୀଙ୍କୁ ପଢ଼ାଏ ବା ଶିକ୍ଷା ଲାଭ ପ୍ରକ୍ରିୟାରେ ପିଲାଙ୍କ ସହିତ କାର୍ଯ୍ୟ କରି ସେମାନଙ୍କୁ ଏକ ଉନ୍ନତ ସ୍ତରକୁ ପହଞ୍ଚେଇବାର ପ୍ରୟାସ କରେ ସେ ଜାଣିବା କଥା ଯେ ପ୍ରତ୍ୟେକ ପିଲା ପାଇଁ ଶିକ୍ଷଣ ପ୍ରୟାସ କେତେ ଦୂର ତା’ର ଲକ୍ଷ୍ୟ ହାସଲ କଲା। ଏ କଥା ଜାଣିବା ପାଇଁ ଶିକ୍ଷକ ବା ଶିକ୍ଷା ବ୍ୟବସ୍ଥା ଯେଉଁ ପ୍ରକ୍ରିୟା କରେ, ତାହା ଏକ ମୂଲ୍ୟାୟନ ପ୍ରକ୍ରିୟା ଯାହାର ମୌଳିକ ଲକ୍ଷ୍ୟ ଦୁଇଟି- ପ୍ରତ୍ୟେକ ପିଲାର ପ୍ରଗତିର ଅନୁଧୢାନ ଏବ˚ ସାମଗ୍ରିକ ଭାବରେ, ପିଲାମାନଙ୍କ ପ୍ରଗତିର ଅନୁଧୢାନରୁ, ଶିକ୍ଷଣ ବ୍ୟବସ୍ଥାର ଦକ୍ଷତା ବିଷୟରେ ଅନୁଶୀଳନ। ଯଦି, ପିଲାମାନଙ୍କର ବା ଛାତ୍ରଛାତ୍ରୀମାନଙ୍କର ଅଗ୍ରଗତି ଆଶାନୁରୂପ ନୁହେଁ। ତେବେ ଶିକ୍ଷା ବ୍ୟବସ୍ଥା ବା ଶିକ୍ଷଣ ପ୍ରକ୍ରିୟାର ଆତ୍ମ-ସମୀକ୍ଷା ଆବଶ୍ୟକ। ଅର୍ଥାତ୍‌, ଶିକ୍ଷାର୍ଥୀମାନଙ୍କର ଅଗ୍ରଗତିର ମୂଲ୍ୟାୟନର ପ୍ରାଥମିକ ଉଦ୍ଦେଶ୍ୟ ହେଲା ଶିକ୍ଷଣ ପ୍ରକ୍ରିୟା ବା ବ୍ୟବସ୍ଥାର ସମୀକ୍ଷା। ଯଦି ଶିକ୍ଷାର୍ଥୀମାନଙ୍କର ଶିକ୍ଷା ବା ତା’ର ମୂଲ୍ୟାୟନ ଆଶାନୁରୂପ ନୁହେଁ, ତେବେ ଶିକ୍ଷଣ ପ୍ରକ୍ରିୟା ଅଧିକ ଉନ୍ନତ ହେବା କଥା, କାରଣ, ସମୁଚିତ ମାର୍ଗରେ ଶିକ୍ଷା ଲାଭ ପାଇଁ ପ୍ରତ୍ୟେକ ଶିକ୍ଷାର୍ଥୀର ସର୍ବନିମ୍ନ ସାମର୍ଥ୍ୟ ଅଛି ଏବ˚ ଯଦି ତାକୁ ଉପଯୁକ୍ତ ସ୍ତରରେ ପହଞ୍ଚାଇ ହେଇନାହିଁ, ତେବେ ଶିକ୍ଷା ପ୍ରକ୍ରିୟାରେ ପରିବର୍ତ୍ତନ ବା ଉନ୍ନତି ଆବଶ୍ୟକ। ମୂଲ୍ୟାୟନର ଏ ମୌଳିକ ଲକ୍ଷ୍ୟରୁ ହଟି ଆମେ ଏ ପ୍ରକ୍ରିୟାର ଦ୍ବିତୀୟ ଲକ୍ଷ୍ୟ ଉପରେ ଅଧିକ ଧୢାନ ଦେଉଛୁ, କାରଣ ପୃଥିବୀ ସାରା ଶିକ୍ଷା ବ୍ୟବସ୍ଥା ସାର୍ବଜନୀନ ଓ ଅଧିକ ବ୍ୟାପ୍ତ ହେବା ଫଳରେ, ଶିକ୍ଷା ବ୍ୟବସ୍ଥା ଉପରେ ଚାପ ଅଧିକ। ଏହି ଚାପ ଯୋଗେ ଶିକ୍ଷାର୍ଥୀମାନଙ୍କ ମୂଲ୍ୟାୟନକୁ ଆଉ ବ୍ୟବସ୍ଥାର ମୂଲ୍ୟାୟନ ସହିତ ବାସ୍ତବିକ ସ୍ତରରେ ଯୋଡ଼ି ହେଉନାହିଁ। ଶିକ୍ଷଣ ପ୍ରକ୍ରିୟାର ପରିବର୍ତ୍ତନ କେବଳ ଆଦର୍ଶଗତ ସ୍ତରରେ ହିଁ ଚର୍ଚ୍ଚା ହେଉଛି। ତେଣୁ, ବର୍ତ୍ତମାନ ଶିକ୍ଷାର୍ଥୀଙ୍କ ମୂଲ୍ୟାୟନ କେବଳ ସେଇମାନଙ୍କର, ଶିକ୍ଷା ପ୍ରକ୍ରିୟା ବା ବ୍ୟବସ୍ଥାର ନୁହେଁ।

ତେଣୁ, ବର୍ତ୍ତମାନ ପ୍ରଶ୍ନ ହେଉଛି ମୌଳିକ ମୂଲ୍ୟାୟନ ବ୍ୟବସ୍ଥାରୁ ଆମେ କିପରି ଓ କାହିଁକି ପରୀକ୍ଷା ଓ ‘ଫଳ’ ବ୍ୟବସ୍ଥାରେ ଲାଖିଗଲୁ? ବହୁ ସ˚ଖ୍ୟାର ସାମୂହିକ ଅର୍ଥନୀତିର ଢାଞ୍ଚାରେ, ଶିକ୍ଷା ବ୍ୟବସ୍ଥା ‘ପରୀକ୍ଷା’କୁ ମୂଲ୍ୟାୟନର ଏକ ସାମୂହିକ ବିକଳ୍ପ ଭାବରେ ପ୍ରତିଷ୍ଠିତ କରିଛି। ଯାନ୍ତ୍ରିକ ପଦ୍ଧତିରେ ବହୁ ସ˚ଖ୍ୟକ ଉତ୍ପାଦ ତ୍ବରାନ୍ବିତ ପ୍ରକ୍ରିୟାରେ ହେଲା ପରି, ଶହ ଶହ ସ˚ଖ୍ୟାରେ ପ୍ରଶ୍ନପତ୍ର ଛପାଅ, ଦଳ ଦଳ ଶିକ୍ଷାର୍ଥୀଙ୍କୁ ମେସିନ ଭଳି ଉତ୍ତର ଲେଖାଅ, ଉତ୍ତର ପତ୍ରଗୁଡ଼ିକୁ ସାମୂହିକ ଭାବରେ ପରୀକ୍ଷକ ବା ମେସିନ ଦ୍ବାରା ଯାଞ୍ଚ କରାଅ, ସେଗୁଡ଼ିକୁ ଏକାଠି କରି କମ୍ପ୍ୟୁଟର ଇତ୍ୟାଦି ସାହାଯ୍ୟରେ ସାମୂହିକ ‘‘ଫଳ’’ ପ୍ରକାଶ କର ଯାହା ପିଲାମାନଙ୍କ ଶିକ୍ଷାକୁ ବିଭିନ୍ନ ଥାକରେ ବାଣ୍ଟି ଦେବ। ତେବେ, ଏ ପ୍ରକ୍ରିୟା ଅର୍ଥାତ୍‌ ସାମୂହିକ ପରୀକ୍ଷା ଓ ‘‘ଫଳ’’ ପ୍ରକାଶନ ଅନିବାର୍ଯ୍ୟ କି? ଶିକ୍ଷାର୍ଥୀମାନେ ନିଜ ନିଜ ଅନୁଷ୍ଠାନରେ-ବିଦ୍ୟାଳୟରେ, ମହାବିଦ୍ୟାଳୟରେ ବା ବିଶ୍ବବିଦ୍ୟାଳୟରେ ଶିକ୍ଷା ଲାଭ କରନ୍ତି ଏକାଧିକ ଶିକ୍ଷକ-ଅଧୢାପକଙ୍କ ଅଧୢାପନାରେ। ସେହି ଶିକ୍ଷଣ ପ୍ରକ୍ରିୟା ବା ଅଧୢାପନା ହିଁ ଉପଯୁକ୍ତ କ୍ଷେତ୍ର ଯେଉଁଠି ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ଭଲମନ୍ଦ ଜାଣେ, ସେମାନଙ୍କର ବୁଝାମଣା ବା ଶିକ୍ଷାର ପ୍ରଗତି କଥା ନିୟମିତ ଧାରାରେ ବୁଝେ। ଅର୍ଥାତ୍‌, ମୂଲ୍ୟାୟନ ଉପଯୁକ୍ତ ଶିକ୍ଷଣ ପ୍ରକ୍ରିୟା ସହିତ ଘନିଷ୍ଠ ଓ ଅପରିହାର୍ଯ୍ୟ ଭାବରେ ସ˚ଶ୍ଳିଷ୍ଟ। ଏହାକୁ ଅଧିକ ସକ୍ରିୟ କରିବା ପାଇଁ ଶିକ୍ଷକ ଶ୍ରେଣୀରେ ପ୍ରଶ୍ନ ପଚାରିବା, ଆଲୋଚନା କରିବା, କଳାପଟାରେ ଲେଖାଇବା ଇତ୍ୟାଦିରୁ ଆରମ୍ଭ କରି ପିଲାଙ୍କୁ ହୋମଵାର୍କ ଦେବା, କିଛି ବିଷୟରେ ଲେଖିବା, ସାମୟିକ ପ୍ରଶ୍ନୋତ୍ତର ବା କ୍ବିଜ୍‌ ଓ ବିଧିବଦ୍ଧ ଲେଖା କାର୍ଯ୍ୟ ବା ଟର୍ମ ପେପର ଏବ˚ ପ୍ରୋଜେକ୍ଟ କାମ ଦେଇଥାଆନ୍ତି ପ୍ରାୟ ବର୍ଷସାରା ବା ସେମିଷ୍ଟର ସାରା, ନିରନ୍ତର ଭାବରେ। ଏହା ହିଁ ଆଧୁନିକ ଶିକ୍ଷା ବ୍ୟବସ୍ଥାରେ, ଆନ୍ତର୍ଜାତିକ ସ୍ତରରେ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ପ୍ରଚଳିତ ମୂଲ୍ୟାୟନ ବ୍ୟବସ୍ଥା। ହଜାର ହଜାର ବା ଲକ୍ଷ ଲକ୍ଷ ସ˚ଖ୍ୟାରେ ଯାନ୍ତ୍ରିକ ପ୍ରକ୍ରିୟାରେ ‘‘ପରୀକ୍ଷା’’ ଦେବା ଏବ˚ ‘‘ଫଳ’’ ପାଇଁ ବ୍ୟଗ୍ରତାର ସହିତ ଅନେଇ ରହିବା ବ୍ୟବସ୍ଥା ପୃଥିବୀରେ ବଦଳିଛି। ତେଣୁ କରୋନା ପାଇଁ ପିଲାଏ ପରୀକ୍ଷା ଦେଇ ପାରିବେ କି ନାହିଁ, ସେ ଚିନ୍ତା ଘାରି ନାହିଁ ବିଶ୍ବର ଅଧିକା˚ଶ ଦେଶରେ, ବିଶେଷ କରି ଉନ୍ନତ ଦେଶମାନଙ୍କରେ। ଅନ୍‌ଲାଇନ ହେଉ ବା ଅଫ୍‌ଲାଇନ୍‌ ହେଉ; ଯେଉଁ ପ୍ରକ୍ରିୟାରେ ଶିକ୍ଷା ଦିଆଯାଉଛି ସେହି ପ୍ରକ୍ରିୟାରେ ମଧୢ ନିରନ୍ତର ଭାବରେ ଶିକ୍ଷାଦାନ ସହିତ ମୂଲ୍ୟାୟନ ହେଉଛି। ଫଳରେ, କିଛି ପିଲା ଯଦି କୌଣସି ଏକ ମୂଲ୍ୟାୟନ ସମ୍ପୂର୍ଣ୍ଣ କରିପାରିଲେ ନାହିଁ, ତେବେ ସେମାନଙ୍କର ଅନ୍ୟାନ୍ୟ ମୂଲ୍ୟାୟନ ବିକଳ୍ପ ଭାବରେ ଅଛି। ଆମେ ପୃଥିବୀର ଉନ୍ନତ ରାଷ୍ଟ୍ରମାନଙ୍କ ଭିତରେ ଗଣ୍ୟ ହେବାକୁ ଆଗଭର, ଅଥଚ, କରୋନାର ନିଦାନ ଓ ଉପଶମ ସହିତ ଆମେ ଦେଶସାରା ପରୀକ୍ଷାର ବିକଳ୍ପ ଓ ‘ଫଳ’ ଖୋଜୁଛୁ।
ଏବେ ମଧୢ ବିକଳ୍ପ ଅନେକ। ମାତ୍ର ପରୀକ୍ଷାର ଗତାନୁଗତିକ ଧାରା ଆମ ମନକୁ ଏମିତି ଗ୍ରାସିଛି ଯେ ଆମେ ସେ ଗାତରୁ ବାହାରି ନୂତନ ଚିନ୍ତା କରିପାରୁନାହୁଁ।

କେବଳ ଅନ୍‌ଲାଇନ୍‌ ପରୀକ୍ଷା ଯେ ମାଧୢମ ବା ପୂର୍ବ ‘‘ପରୀକ୍ଷା’’ମାନଙ୍କରେ ଶିକ୍ଷାର୍ଥୀଙ୍କ ‘‘ଫଳ’’ ଯେ ବିକଳ୍ପ ଏ କଥା ଏହିପରି ସ୍ଥାଣୁ ଚିନ୍ତାର ଲକ୍ଷଣ। ଏ ସବୁ ତଥା କଥିତ ବିକଳ୍ପ ସମ୍ଭାବନାମାନ ସାମାଜିକ ନ୍ୟାୟରୁ ଅନେକଙ୍କୁ ବ˚ଚିତ କରୁଛି। କମ୍ପ୍ୟୁଟର, ମୋବାଇଲ ଇତ୍ୟାଦି ସମସ୍ତଙ୍କ ପାଇଁ ସମାନ ଭାବରେ ଉପଲବ୍‌ଧ ନୁହେଁ ଏବ˚ ଉପଲବ୍‌ଧ ଥିଲେ ବା ଉପଲବ୍‌ଧ କରାଇବାର ସୂତ୍ର ଥିଲେ ମଧୢ, ବିକଳ୍ପ ‘‘ପରୀକ୍ଷା’’ ଯେ ବିଷୟ ଜ୍ଞାନ ଅପେକ୍ଷା ଯାନ୍ତ୍ରିକ ମାଧୢମର ଜ୍ଞାନ ଉପରେ ଅଧିକ ନିର୍ଭରଶୀଳ ହୋଇପାରେ; ସେ କଥା ମଧୢ ଶିକ୍ଷା ଓ ପରୀକ୍ଷାର ବଡ଼ପଣ୍ତାମାନେ ଚିନ୍ତା କରନ୍ତୁ। ପିଲାମାନେ କ’ଣ ଶିଖିଛନ୍ତି ତାହାର ମୂଲ୍ୟାୟନ ପାଇଁ ଏମିତି ଗତାନୁଗତିକ ‘ପରୀକ୍ଷା’ ଅନିବାର୍ଯ୍ୟ ନୁହେଁ; ସିସିଟିଭି, ନିରୀକ୍ଷକ ଇତ୍ୟାଦି ଜଗୁଆଳି ରଖି ସମୟ ସୀମା ମଧୢରେ ପରୀକ୍ଷା କାହା ହିତରେ, ନା କେବଳ ବ୍ୟବସ୍ଥାର ସୁବିଧାରେ? ବହି ଖୋଲା ବା ଓପନ୍‌ ବୁକ୍‌ ମୂଲ୍ୟାୟନ, ଟର୍ମ ପେପର ଲେଖା, ଏପରି କି ଗୋଟିଏ ପାଠ୍ୟ ବିଷୟରୁ ଜଣେ ଶିକ୍ଷାର୍ଥୀ କ’ଣ କ’ଣ ଶିଖିଛି ତା’ ଉପରେ ଆଧାରିତ ରଚନା ଇତ୍ୟାଦି ଅନେକ ବାଟ ରହିଛି ଏବ˚ ବିଶ୍ବରେ ଆଦୃତ। ଶିକ୍ଷା ଓ ପରୀକ୍ଷା ଏକା କଥା ନୁହେଁ। ଶିକ୍ଷା ପରୀକ୍ଷା-ସର୍ବସ୍ବ ନୁହେଁ, ପରୀକ୍ଷା ‘‘ଫଳ’’ ନ ମିଳିଲେ ଶିକ୍ଷା ବ୍ୟର୍ଥ ହୁଏ ନାହିଁ। ମୂଲ୍ୟାୟନ ପାଇଁ ବିକଳ୍ପ ଅନେକ। ପରୀକ୍ଷା-ସର୍ବସ୍ବ ଶିକ୍ଷାରୁ ଯେ ଆଗକୁ ଯିବାକୁ ହେବ, ତାହା କରୋନା ସମୟର ଆହ୍ବାନ।

ପ୍ରାକ୍ତନ ପ୍ରଫେସର, ଜେଏନ୍‌ୟୁ

ସମ୍ବନ୍ଧିତ ଖବର