କୋଭିଡ୍-୧୯ ବିଶ୍ବ ମହାମାରୀର ଦ୍ବିତୀୟ ଲହରରେ ‘ବ୍ଲାକ୍ ଫଙ୍ଗସ୍’ ବା କଳା ଫିମ୍ପି ଏକ ସା˚ଘାତିକ ଭୟର କାରଣ ହୋଇଛି। କୋଭିଡ୍-୧୯ ମହାମାରୀର ପ୍ରଥମ ଲହରରେ ଏ ସ˚ପର୍କରେ ଆଦୌ କିଛି ଶୁଣାଯାଇ ନ ଥଲା। ତେବେ, ବ୍ଲାକ୍ ଫଙ୍ଗସ୍ ଦ୍ବିତୀୟ ଲହରି କାଳରେ କାହିଁକି ଭୟାନକ ରୂପ ନେଲା, ତାହାର ଅନେକ ସମ୍ଭାବ୍ୟ କାରଣ ଦିଗରେ ଗବେଷକମାନେ ଇଙ୍ଗିତ କରୁଛନ୍ତି। ତେବେ ଏହି ଆଲୋଚନା ଆରମ୍ଭ କରିବା ପୂର୍ବରୁ ‘ଫଙ୍ଗସ୍’ ସ˚ପର୍କରେ ଅଳ୍ପ କିଛି ଜାଣିବା ଉଚିତ।
Sambad is now on WhatsApp
Join and get latest news updates delivered to you via WhatsApp
‘ଫଙ୍ଗସ୍’ (Fungus)ର ଓଡ଼ିଆ ଭାଷାନ୍ତର ହେଉଛି ‘କବକ’ ବା ‘ଫିମ୍ପି ଜାତୀୟ ଉଦ୍ଭିଦ’। ଜୀବଜଗତ୍ କହିଲେ ଆମେ କେବଳ ପ୍ରାଣୀ ଓ ଉଦ୍ଭିଦ କଥା ବୁଝୁ। କିନ୍ତୁ ଏମାନଙ୍କ ସହିତ ମୋଟାମୋଟି ଆଉ ତିନିଟି ବର୍ଗର ଜୀବ ରହି ଜୀବଜଗତ୍ ଗଠନ କରିଛନ୍ତିି। ସେହି ତିନିଟିିରୁ ଅଧିକା˚ଶକୁ ଦେଖିବା ଲାଗି ଅଣୁବୀକ୍ଷଣ ଯନ୍ତ୍ର ଆବଶ୍ୟକ। ସେଗୁଡ଼ିକୁ ‘ଅଣୁଜୀବ’ ବା ‘ଜୀବାଣୁ’ (microbe) ବୋଲି କୁହାଯାଏ। କବକ ବା ଫଙ୍ଗସ୍ ତହିଁରୁ ଗୋଟାଏ; ଯହିଁରୁ ଛତୁ ପରି କେତୋଟିକୁ ଆମେ ଖାଲି ଆଖିରେ ଦେଖିପାରୁ। ଫଙ୍ଗସ୍ଗୁଡ଼ିକ ପରଭୋଜୀ, ମୃତୋପଜୀବୀ କିମ୍ବା ପରଜୀବୀ ହୋଇଥାଆନ୍ତି। ଏମାନେ ପୋଷକ ଶରୀର ପୃଷ୍ଠରେ ଫିମ୍ପି ଭାବରେ ପରିସ୍ଫୁଟ ହୋଇଥାନ୍ତି। ସାଧାରଣତଃ ଗଛବୃଚ୍ଛରେ ଫିମ୍ପି ରୋଗ ଦେଖାଯାଏ। ପତ୍ର ପୋଡ଼ା, ଶ୍ବେତକ, କଜ୍ଜଳୀ, ଗନ୍ଧକଜ୍ଜଳୀ, କଳଙ୍କି, ଝାଉଁଳା ଭଳି ଅନେକ ଉଦ୍ଭିଦ ରୋଗର କାରଣ ଗୋଟିଏ ଗୋଟିଏ ପ୍ରକାର ଫଙ୍ଗସ୍। ଏହି ଫଙ୍ଗସ୍ ରୋଗ ଯୋଗୁ ଫସଲ ଉଜୁଡ଼ି ଯାଏ, ଦୁର୍ଭିକ୍ଷ ଦେଖାଦିଏ। ଉଦାହରଣ ସ୍ବରୂପ ବଙ୍ଗ ଦୁର୍ଭିକ୍ଷର କାରଣ ଥିଲା ଧାନ ଗଛର ପତ୍ରପୋଡ଼ା ରୋଗ, ଯାହା ଫଙ୍ଗସ୍ ଜନିତ।
ତେବେ ମଣିଷ ଓ ଅନ୍ୟ ଉଷ୍ଣ ରକ୍ତ ଯୁକ୍ତ ପ୍ରାଣୀଙ୍କ ଶରୀରର ତାପମାତ୍ରା ପ୍ରାୟ ୩୭ ଡିଗ୍ରି ସେଲ୍ସିଅସ୍ ହୋଇଥିବାରୁ ଅଧିକ ଫଙ୍ଗସ୍ ବଞ୍ଚି ପାରନ୍ତି ନାହିଁ। ଫଳରେ ଉଦ୍ଭିଦଙ୍କ ତୁଳନାରେ ମନୁଷ୍ୟ ଶରୀରରେ ଏହାର ପ୍ରାଦୁର୍ଭାବ ବହୁତ କମ୍। ତେବେ, କୌଣସି କାରଣରୁ ରୋଗ ପ୍ରତିରୋଧ କ୍ଷମତା ହ୍ରାସ ପାଇଲେ କିମ୍ବା ଉପଯୁକ୍ତ ପରିବେଶ ସୃଷ୍ଟି ହେଲେ ମଣିଷ ଦେହରେ ମଧୢ ଫଙ୍ଗସ୍ ପ୍ରବେଶ କରେ ଏବ˚ ରୋଗର କାରଣ ହୁଏ। ଆସ୍ପରଜିଲସ୍, ଫ୍ୟୁଜାରିୟମ୍, ମ୍ୟୁକର, କାଣ୍ତିଡା ଆଦି ହେଉଛନ୍ତି ଏହିପରି କେତେକ ଫଙ୍ଗସ୍, ଯେଉଁମାନେ ବଞ୍ଚି ରହିବା ଲାଗି ନିଜ ଚରିତ୍ର ବଦଳାଇ ଥାଆନ୍ତି।
ବ୍ଲାକ୍ ଫଙ୍ଗସ୍ ରୋଗ ମ୍ୟୁକର ଜନିତ ହୋଇଥିବାରୁ ଭେଷଜ ବିଜ୍ଞାନୀମାନେ ଏହି ରୋଗକୁ ମ୍ୟୁକରମାଇକୋସିସ୍ ବୋଲି କହୁଛନ୍ତି। ଥୋମାସ୍ ବ୍ଲାଉଣ୍ଟ ନାମକ ଜଣେ ସ˚ଗ୍ରାହକ ଓ ଭାଷାତତ୍ତ୍ବବିତ୍ ସପ୍ତଦଶ ଶତାବ୍ଦୀରେ ଲାଟିନ୍ ଭାଷାରୁ ମ୍ୟୁକର ନାମକରଣ କରିଥିଲେ। ଏହି ‘ମ୍ୟୁକର’ ପ୍ରଜାତି ପାଖାପାଖି ୪୦ଟି ଜାତିକୁ ନେଇ ଗଠିତ, ଯେଉଁଗୁଡ଼ିକ ମୃତୋପଜୀବୀ ଅଟନ୍ତି। ପାଉଁରୁଟିର ଉପରି ଭାଗରେ ଏଭଳି କଳା ଫିମ୍ପି ଆମେ ଦେଖିଥାଉ। ଏବେ ମଣିଷ ଶରୀର ଭିତରେ ଏହି କଳା ଫିମ୍ପି ଏକ ଆତଙ୍କର କାରଣ ହୋଇଛି।
କରୋନାର ଦ୍ବିତୀୟ ତରଙ୍ଗ କାଳରେ ବ୍ଲାକ୍ ଫଙ୍ଗସ୍ କାହିଁକି ଦେଖାଦେଲା ତାର ଅନେକ କାରଣ ରହିଛି। ଗଲା ବର୍ଷ କୋଭିଡ୍-୧୯ ଅପ୍ରତ୍ୟାଶିତ ଭାବେ ଉଭା ହୋଇଥିଲା। ଚିକିତ୍ସାବିତ୍ମାନେ କ୍ଲୋରୋକୁଇନ୍, ପାରାସିଟାମଲ ଏବ˚ କେତେକ ଆଣ୍ଟି ଭାଇରାଲ ଔଷଧ ଦ୍ବାରା ଏହାର ଚିକିତ୍ସା କରୁଥିଲେ। କୋଭିଡ୍-୧୯ ଭୂତାଣୁ ସମ୍ପର୍କରେ ବିଶେଷ ଜଣା ନ ଥିବାରୁ ସ˚କ୍ରମିତ ଅଙ୍ଗକୁ ସୁରକ୍ଷା ଦେବା ସେମାନଙ୍କର ମୂଳ ଲକ୍ଷ୍ୟ ଥିଲା। କିନ୍ତୁ ବର୍ଷକ ମଧୢରେ ବହୁ ଜ୍ଞାନ ଉପଲବ୍ଧ ହେଲା। ବହୁ ପ୍ରକାରର ପ୍ରତିଷେଧକ ଟିକା ବାହାରିଲା। ଚିକିତ୍ସା ପାଇଁ ନୂତନ ଔଷଧର ପ୍ରୟୋଗ ହୋଇଛି। ତେବେ ଅଜ୍ଞତା ଦୃଷ୍ଟିରୁ ହେଉ କିମ୍ବା ଚିକିତ୍ସାର ବାଧୢବାଧକତା କାରଣରୁ ହେଉ ଅତ୍ୟଧିକ ଔଷଧ ସେବନ କିମ୍ବା ଅନ୍ୟାନ୍ୟ କୌଣସି କାରଣରୁ ସମ୍ଭବତଃ ବ୍ଲାକ୍ ଫଙ୍ଗସ୍ର ଆବିର୍ଭାବ ମଣିଷ ଶରୀରରେ ହୋଇଛି। ରୋଗୀ ଶରୀରରେ ଶର୍କରା ଅନୁପାତ ବୃଦ୍ଧି, ଔଷଧ ସେବନ ଯୋଗୁଁ ତାହାର ଶରୀରରେ ଉପକାରୀ ଅଣୁଜୀବଙ୍କ ବିନାଶ ଓ ରୋଗ ପ୍ରତିରୋଧ କ୍ଷମତା ହ୍ରାସ ଇତ୍ୟାଦି ଯୋଗୁଁ ‘ମ୍ୟୁକର’ର ପ୍ରବେଶ ପାଇଁ ଅନୁକୂଳ ଅବସ୍ଥା ସୃଷ୍ଟି ହୋଇଛି। ରୋଗୀ ଶରୀରରେ ତାହା ଦୈବାତ୍ ନିଜର ମୃତୋପଜୀବୀ ଚରିତ୍ରକୁ ବଦଳାଇ ପରଜୀବୀରେ ପରିଣତ ହୋଇଛି ଓ କ୍ରମେ ବିଭିନ୍ନ ଅଙ୍ଗ ସ˚କ୍ରମଣ କ୍ଷମତା ହାସଲ କରି ପାଉଁରୁଟିରେ ହେଉଥିବା ଭଳି ମଣିଷ ଅଙ୍ଗରେ ମଧୢ ଦୃଷ୍ଟିଗୋଚର ହେଉଛି। ଭାରତରେ ଏପ୍ରିଲ ଓ ମଇ ମାସରେ କୋଭିଡ୍-୧୯ ସ˚କ୍ରମଣ ଶୀର୍ଷରେ ପହଞ୍ଚିଥିଲା। ସେହି ସମୟରେ ଜଳବାୟୁ ଉଷ୍ଣ ଓ ଆର୍ଦ୍ର ରହିଥିବାରୁ ତାହା ମ୍ୟୁକର୍ର ସହଜ ବୃଦ୍ଧି ଲାଗି ଅନୁକୂଳ ହୋଇଥିଲା।
‘ବ୍ଲାକ୍ ଫଙ୍ଗସ୍’ କଥା ଚାଲିଥିବା ବେଳେ କେତେକ ରାଜ୍ୟରୁ ‘ହ୍ବାଇଟ୍ ଫଙ୍ଗସ୍’ର ଖବର ମିଳିଥିଲା। ତେବେ ‘ହ୍ବାଇଟ୍ ଫଙ୍ଗସ୍’ ହେଉଛି ଇଷ୍ଟ୍ ଭଳି ଗୋଟିଏ ଏକକୋଷୀ କବକ, ଯାହାର ପ୍ରଜାତି ନାମ ‘କାଣ୍ତିଡା’। ମଣିଷ ଠାରେ ଏହା କିନ୍ତୁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥାଏ। ପଚାଶ ଶତା˚ଶରୁ ଅଧିକ ସୁସ୍ଥ ଲୋକଙ୍କର ଚର୍ମ, ମୁଖ, ଅନ୍ତନାଳୀ ଓ ଜନନାଙ୍ଗରେ ଏଗୁଡ଼ିକ ରହିଥାନ୍ତି ଏବ˚ କୌଣସି କ୍ଷତି କରି ନ ଥାନ୍ତି। ଉପଯୁକ୍ତ ପରିବେଶ ମିଳିଗଲେ ସେଗୁଡ଼ିକ ବିଭିନ୍ନ ପ୍ରକାରେ ଆତ୍ମପ୍ରକାଶ କରନ୍ତି। ବାରମ୍ବାର ପାଣି ବ୍ୟବହାର କରୁଥିବା ବ୍ୟକ୍ତିର ଆଙ୍ଗୁଠି ସନ୍ଧିରେ ଧଳା ପାଣିଖିଆ ଏହାର ଏକ ଉଦାହରଣ। ‘ବ୍ଲାକ୍ ଫଙ୍ଗସ୍’ ପରି ଏହା ଏତେ ମାରାତ୍ମକ ନୁହେଁ; କିନ୍ତୁ କେତେକ କ୍ଷେତ୍ରରେ ତାହା ଆଭ୍ୟନ୍ତରୀଣ ଅଙ୍ଗ ଯଥା ହୃତ୍ପିଣ୍ତ, ଫୁସ୍ଫୁସ୍କୁ ସ˚କ୍ରମିତ କରି ମୃତ୍ୟୁର କାରଣ ହୋଇଥାଏ। ତେଣୁ ଫଙ୍ଗସ୍ ରୋଗର ଲକ୍ଷଣ ପ୍ରକାଶ ପାଇଲେ ଉପଯୁକ୍ତ ଚିକିତ୍ସା କରାଇବା ଜରୁରୀ।
ପୃଥିବୀ ପୃଷ୍ଠରେ ଅଣୁଜୀବଗୁଡ଼ିକ ସର୍ବ ପୁରାତନ ଓ ସରଳତମ ଅଟନ୍ତି। ସ˚ଖ୍ୟାରେ ସେଗୁଡ଼ିକ ଅକଳନୀୟ। ଅନୁମାନ କରାଯାଏ ଯେ ତିଷ୍ଠି ରହିଥିବା ଫଙ୍ଗସ୍ର ଜାତି ୫.୧ ନିୟୁତରୁ ମାତ୍ର ୧,୪୪,୦୦୦ ଜାତିଙ୍କ ବିଷୟରେ ମାନବ ସମାଜର ଜ୍ଞାନ ଅଛି। ତେବେ ଅନ୍ୟ ଅଣୁଜୀବଙ୍କ ପରି ଫଙ୍ଗସ୍ ମଧୢ ପୃଥିବୀର ପରିବେଶୀୟ ଅବସ୍ଥା ନିର୍ଦ୍ଧାରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି। ଏପରି କି ଋତୁଚକ୍ରରେ ବି ସେଗୁଡ଼ିକର ଅବଦାନ ରହିଛି। ପାଉଁରୁଟି, ମଦ୍ୟଜାତୀୟ ପାନୀୟ, ଔଷଧ ଓ କୀଟନାଶକ ପ୍ରସ୍ତୁତି ଠାରୁ ଆରମ୍ଭ କରି ଜୈବ ପ୍ରତିକାର, ବର୍ଜ୍ୟ ପରିଚାଳନା ଓ ଖଣିଜ ପଦାର୍ଥ ଉତ୍ତୋଳନରେ ଏଗୁଡ଼ିକର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ ସେଥିରୁ କିଛି ପରଜୀବୀ ଭାବେ ଉଭା ହୋଇ ମଣିଷ ବା ଅନ୍ୟାନ୍ୟ ପ୍ରାଣୀଙ୍କ ଜୀବନ ଲାଗି ବିପଦ ସୃଷ୍ଟି କରିଛନ୍ତି।
ସିଦ୍ଧି, ୨୪/୭୩୨
ଶ୍ରୀବିହାର, ଭୁବନେଶ୍ବର
ମୋ-୯୩୩୭୧୦୭୨୯୯