କାକୁଡ଼ି ଦର

ନାରାୟଣ ମହାନ୍ତି

ଅଧ୍ୟାପକ ଭଗବାନ ଦାସ ଓରଫ ଦାସେ ଚାକିରିରୁ ଅବସର ଗ୍ରହଣ କରିବା ଚାହୁଁଚାହୁଁ ସାତ ବର୍ଷ ହୋଇଗଲାଣି। ଚାକିରିରେ ଥିଲା ବେଳେ ତାଙ୍କର ଚାଲିଚଳଣି ଯାହା ଥିଲା, ଏବେ ବି ତାହା ବଜାୟ ରହିଛି। ପୂର୍ବବତ୍‌ ସେ ତାଙ୍କର ସେହି ପୁରୁଣା ସାଇକେଲ ଚଳାଇ ଯା-ଆସ କରୁଛନ୍ତି।
ଦାସେ ସପ୍ତାହରେ ଅନ୍ତତଃ ତିନି ଦିନ ପାଖ ପରିବା ମାର୍କେଟ୍‌କୁ ଯାଇଥା’ନ୍ତି। ଏକ ନିର୍ଦ୍ଦିଷ୍ଟ ଦୋକାନରୁ ହିଁ ସେ ପରିବା କିଣିଥା’ନ୍ତି। ଦୋକାନୀ ବାଇଆକୁ ସେ ଖୁବ୍‌ ବିଶ୍ବସ୍ତ ବୋଲି ମନେ କରନ୍ତି; ତା’ ଉପରେ ପୂରା ଭରସା ରଖିଥା’ନ୍ତି। ଅପର ପକ୍ଷରେ ବାଇଆ କହେ, ସାର୍‌ ଭାରି ଭଲ ଲୋକ। ପରିବା ବଛାବଛି କରନ୍ତି ନାହିଁ। ମୂଲଚାଲ ବି କରନ୍ତି ନାହିଁ। ଓଜନ କଲା ବେଳେ ‘ଆଉ ଦି’ଟା ପକା’ ବୋଲି କହନ୍ତି ନାହିଁ।

ସେଦିନ ଦାସେ ପରିବା କିଣି ସାରି ବାହାରିଛନ୍ତି, ଜଣେ ସାଧାରଣ ଲୋକ ଭଙ୍ଗା ସାଇକେଲରେ ଏକ ବସ୍ତା ଲଦି ସେଠି ପହଞ୍ଚି ଗଲା। ବେଶବାସରୁ ସେ ଜଣେ ଚାଷୀ ବୋଲି ବୁଝା ପଡ଼ୁଥିଲା। ସେ ବାଇଆକୁ କହିଲା, ‘କାକୁଡ଼ି ଆଣିଛି। ବାରି କାକୁଡ଼ି; ଭଲ କାକୁଡ଼ି। ରଖିଦିଅ।’ ତା’ ଆଡ଼କୁ ନ ଚାହିଁ ବାଇଆ ଜବାବ ଦେଲା, ‘ମାର୍କେଟ୍‌ରେ ବହୁତ କାକୁଡ଼ି ଅଛି। ସେତେ ଚାହିଦା ନାହିଁ; ମୁଁ ରଖିବି ନାହିଁ। ତୁମେ ଯାଅ।’ ଏ ଉତ୍ତର ଶୁଣି ଚାଷୀର ମୁହଁ ଶୁଖିଗଲା ଏବ˚ ସେ ଆଉ କିଛି ନ କହି ଆଗକୁ ବଢ଼ିଲା। କୌତୂହଳୀ ହୋଇ ଦାସେ ତାଙ୍କର ସାଇକେଲ ଗଡ଼ାଇ ତା’ର ଅନୁଧାବନ କଲେ।

କିଛି ବାଟ ଯାଇ ଚାଷୀ ଜଣକ ଅନ୍ୟ ଏକ ଦୋକାନ ଆଗରେ ଅଟକିଲା। ଦୋକାନୀକୁ ସେହି ପୁରୁଣା କଥା କହିଲା, ‘କାକୁଡ଼ି ଆଣିଛି। ଭଲ କାକୁଡ଼ି। ରଖି ଦିଅ।’ ଏହା ଶୁଣି ଦୋକାନୀ ମୁହଁମୋଡ଼ି ଦେଲା। କୌଣସି କାରଣ ନ ଦର୍ଶାଇ ରଖିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଲା। ଚାଷୀର ମୁହଁରେ ହତାଶାର ଛାପ ଆଙ୍କି ହୋଇଗଲା। ମାତ୍ର ଭାଙ୍ଗି ନ ପଡ଼ି ସେ ପୁଣି ଆଗେଇଲା ଏବ˚ ଦାସେ ତା’ ପଛେପଛେ ଚାଲିଲେ।
ପୁଣି କିଛିବାଟ ଯାଇ ସେ ତୃତୀୟ ଦୋକାନ ପାଖରେ ସାଇକେଲ ଅଟକାଇଲା ଏବ˚ ଦୋକାନୀ ଆଗରେ ପୁରୁଣା କଥାର ପୁନରାବୃତ୍ତି କଲା। ଏ ଦୋକାନୀ କିନ୍ତୁ ନାସ୍ତି ବାଣୀ ଶୁଣାଇଲା ନାହିଁ। ବର˚ ପଚାରିଲା, ‘ଦର କେତେ ହେବ କୁହ।’

‘ଆଗ ଜିନିଷ ଦେଖ’, ବୋଲି କହି ଚାଷୀ ସାଇକେଲରୁ ବସ୍ତା କାଢ଼ିଦେଲା।
ଦୋକାନୀ କିନ୍ତୁ ଚିଲ୍ଲେଇଲା, ‘ନାହିଁ, ନାହିଁ। ଆଗ ଦର ଛିଡ଼ାଅ, ତା’ପରେ ଯାହା।’
ଚାଷୀ କହିଲା, ‘କିଲୋ ଦଶ ଟଙ୍କା ହିସାବରେ ଦେବ।’
‘ତୁମ କାକୁଡ଼ି ଧରି ଯାଅ।’, କହିଲା ଦୋକାନୀ।
ଥଙ୍ଗଥଙ୍ଗ ହୋଇ ଚାଷୀ ପଚାରିଲା, ‘ତା’ହେଲେ ତୁମେ କେତେ ଦରରେ ନେବ କୁହ।’

‘ମୁଁ କିଲୋ ଦୁଇ ଟଙ୍କା ହିସାବରେ ରଖିବି’, ଦୋକାନୀ ଉତ୍ତର ଦେଲା। ନିର୍ବିକାର ଭାବରେ ଚାଷୀ କହିଲା, ‘ତୁମ କଥା ରହୁ, ମୋ କଥା ବି ରହୁ। କିଲୋ ପାଞ୍ଚ ଟଙ୍କା ଦରରେ ରଖ।’ ଏହି ପରି ଟଣାଓଟରା ଭିତରେ କାକୁଡ଼ି ଏକ କିଲୋର ଭାଉ ତିନିଟଙ୍କାରେ ଛିଡ଼ିଲା।

ଏବେ ଦୋକାନୀ କାକୁଡ଼ି ଓଜନ କଲା। ୨୦ କିଲୋ ଓଜନ କରି ସାରି ଅବଶିଷ୍ଟ ପ୍ରାୟ ୨ କି ୩ କିଲୋ ଓଜନ ନ କରି ସେମିତି ରଖିଦେଲା।
‘ଏତକ ‘ଲାଭ’ରେ ଗଲା’, ବୋଲି କହି ଚାଷୀକୁ ୬୦ ଟଙ୍କା ଧରାଇଦେଲା। ଚାଷୀ ତାକୁ ଅଣ୍ଟାରେ ଗୁଞ୍ଜି ସାଇକେଲ ଗଡ଼ାଇ ଘର ଆଡ଼କୁ ମୁହାଁଇଲା। ଦାସେ ତା’ର ଫେରିବା ବାଟକୁ ଅପଲକ ନୟନରେ ଚାହିଁ ରହିଥିଲେ।

ହଠାତ୍‌ ଜଣେ ଗରାଖ ପହଞ୍ଚି ଦୋକାନୀକୁ ପଚାରିଲା, ‘କାକୁଡ଼ି କିଲୋ କେତେ?’

‘୨୫ ଟଙ୍କା’, ଦୋକାନୀ ଉତ୍ତର ଦେଲା।

‘ମାର୍କେଟ୍‌ ସାରା ୨୦ ଟଙ୍କା। ତୁମର କାହିଁକି ୨୫ ଟଙ୍କା?’

ଦୋକାନୀ କହିଲା, ‘ବାରି କାକୁଡ଼ି; କଷି କାକୁଡ଼ି। ଆଗ ଦେଖ। ଇଚ୍ଛା ହେଲେ ନିଅ, ନ ହେଲେ ଯାଅ।’

ଗରାଖ ଜଣକ କାକୁଡ଼ି ଆଡ଼କୁ ନିରିଖେଇ ଚାହିଁଲା। ବୋଧହୁଏ ତାହା ତା’ର ମନକୁ ପାଇଲା। ତଥାପି ଶେଷ ଚେଷ୍ଟା କରି କହିଲା, ‘ହଉ ହେଲା, ୨୦ ଟଙ୍କାରେ କିଲେ ଦିଅ।’

‘ମୁଁ ତ କିଲୋ ୨୦ ଟଙ୍କା ଦେଇ କିଣିଛି। ତୁମକୁ ସେହି ଦରରେ ଦେଲେ ଲାଭ କ’ଣ ପାଇବି?’ ଦୋକାନୀ କହିଲା।

ଗରାଖ ଆଉ କିଛି କହିଲା। ଶେଷରେ କିଲୋ ୨୨ ଟଙ୍କାରେ ଛିଣ୍ଡିଲା। ଦୋକାନୀ କିଲେ ଦେଇ ୨୨ ଟଙ୍କା ଗଣି ରଖିଲା।

ଦର୍ଶନ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ଭଗବାନ ଦାସ ଏ ପ୍ରକାର ବଜାର ଅର୍ଥନୀତି ଦେଖି ତାଜୁବ ହେଲେ। ସେ ଭାବିଲେ, ଯଦି ଦୋକାନୀ କାକୁଡ଼ି କିଲୋ ପାଞ୍ଚ ଟଙ୍କା ହିସାବରେ ଚାଷୀ ଠାରୁ ରଖି ଦଶ ଟଙ୍କା ଦରରେ ବିକିଥା’ନ୍ତା, ତେବେ ଚାଷୀ ଦି’ ପଇସା ଅଧିକ ପାଇଥା’ନ୍ତା। ତା’ ଛଡ଼ା ଦର ପାଞ୍ଚ ଟଙ୍କା ଦେଖି ଗରାଖ ହୁଏ’ତ କିଲେ ବଦଳରେ ୨ କିଲୋ ନେଇଥା’ନ୍ତା। ଅର୍ଥାତ୍‌ ଏମିତି ଏକ ସ୍ଥିତିରେ ଚାଷୀ, ଗରାଖ ଓ ଦୋକାନୀ; ସମସ୍ତେ ଲାଭବାନ ହୋଇଥା’ନ୍ତେ। କିନ୍ତୁ ଏପରି କାହିଁକି ହେଲା ନାହିଁ ବୋଲି ଦାସେ ଢେର୍‌ ସମୟ ଚିନ୍ତା କଲେ। ମାର୍କେଟ୍‌ରେ କାକୁଡ଼ି ଦର କିଲୋ ପ୍ରତି ୨୦ ଟଙ୍କା କିଏ ଧାର୍ଯ୍ୟ କଲା, ତାହା ଦାସେଙ୍କ ଆଗରେ ଏକ ପ୍ରହେଳିକା‌ ହୋଇ ଉଭା ହେଲା। ସେ ଆକାଶ ଆଡ଼କୁ ଚାହିଁଲେ। ତା’ପରେ ସାଇକେଲ ଚଢ଼ି ଘରକୁ ବାହୁଡ଼ିଲେ।

ଅବସରପ୍ରାପ୍ତ ପ୍ରାଧ୍ୟାପକ, ଦର୍ଶନ ବିଭାଗ
ଜେକେବିକେ ସରକାରୀ କଲେଜ
କଟକ-୭୫୩୦୦୩
[email protected]

ସମ୍ବନ୍ଧିତ ଖବର