ଅମୃତରେ ବିଷ

ଦୋଳଗୋବିନ୍ଦ ପଣ୍ଡା

କିଛିବର୍ଷ ତଳେ ଜଣେ ସାଙ୍ଗ ଆସିଥିଲା ଗଉଡ଼ ଘରୁ କ୍ଷୀର ନେବା ପାଇଁ। ତାଙ୍କର ଚାରିପାଞ୍ଚଟି ଗାଈ ଥିଲା। ତାଙ୍କ ବାପା ପାଳି ନ ପାରି ଗଉଡ଼କୁ ଦେଇଦେଇଥିଲେ। ସର୍ତ୍ତ ଥିଲା ଗାଈମାନଙ୍କୁ ଗଉଡ଼ ପାଳିବ, ସେମାନେ ଯାହା କ୍ଷୀର ଦେବେ, ସେଥିରୁ ୨ ଲିଟର କ୍ଷୀର ଏମାନଙ୍କ ଘରେ ଦେଇଆସିବ ଏବଂ ବାକି କ୍ଷୀର ସେ ନିଜେ ଖାଇବ ବା ବିକିବ। ଗଉଡ଼ କିଛିବର୍ଷ କ୍ଷୀର ଦେଲା, ତା’ପରେ କ୍ଷୀରର ବିଶୁଦ୍ଧତା ଉପରେ ସନ୍ଦେହ କରି ଏମାନେ ଯାଉଛନ୍ତି ଗଉଡ଼ ଘରକୁ କ୍ଷୀର ଆଣିବା ପାଇଁ। ସାଙ୍ଗ ସହ ଗପି ଗପି ଗଉଡ଼ ଘରେ ଯାଇ ପହଞ୍ଚିଲି। ନାଳ କଡ଼ରେ ଗୁହାଳ। ୧୦/୧୨ଟା ଗାଈ ଅଛନ୍ତି। ଠିକ୍ ଭାବରେ ସଫାସୁତୁରା ହେଉ ନ ଥିବାରୁ ଦୁର୍ଗନ୍ଧରେ ନାକ ଫାଟିପଡ଼ୁଛି। ଆମେ ପହଞ୍ଚି ଦେଖିଲୁ ଗଉଡ଼ ଗୋଟିଏ ଇଞ୍ଜେକ୍‌ସନ ନେଇ ଗାଈକୁ ଦେଲା। ତା’ପରେ କ୍ଷୀର ଦୁହିଁବାକୁ ଆରମ୍ଭ କଲା। ମୁଁ ସେ ଇଞ୍ଜେକ୍‌ସନର ଖୋଳ ଦେଖିଲି, ତାହା ଥିଲା ଅକ୍‌ସିଟୋସିନ୍ ଇଞ୍ଜେକ୍‌ସନ। ମୁଁ ଆଗରୁ ପଢ଼ିଥିଲି ଯେ ଏହା ଏକ ନିଷିଦ୍ଧ ଔଷଧ। ଗଉଡ଼ ଚୋରାରେ କଲିକତାରୁ ଏହାକୁ ମଗାଇ ଗାଈକୁ ଦେଉଛି। ଏ ଇଞ୍ଜେକ୍‌ସନ ଦେଲେ ଗାଈ ଅଧିକ କ୍ଷୀର ଦିଏ, କିନ୍ତୁ ଏହା କର୍କଟରୋଗକାରକ। ଏ ଇଞ୍ଜେକ୍‌ସନ ନିୟମିତ ଭାବେ ନେଲେ ଗାଈର ପରମାୟୁ କମିଯାଏ ଏବଂ ତା’ କ୍ଷୀର ଯିଏ ପିଏ, ତା’ର ବି ମାରାତ୍ମକ ରୋଗ ହେବାର ଆଶଙ୍କା ଥାଏ।

ତା’ପରେ ଦେଖିଲି, ଗଉଡ଼ ଛନ୍ଦ କରି କ୍ଷୀର ତ ଦୁହୁଁଛି, କିନ୍ତୁ ବାଛୁରି ନାହିଁ। ବାଛୁରି କୁଆଡ଼େ ଗଲା ବୋଲି ପଚାରିବାରୁ କହିଲା, ସେ ଜନ୍ମ ହେବାର ୧୫ ଦିନ ଭିତରେ ରୋଗଣା ହୋଇ ମାସକ ଭିତରେ ମରିଗଲା। ଗାଈ ତ ଏତେ ହୃଷ୍ଟପୁଷ୍ଟ ଅଛି, ବାଛୁରି କିପରି ରୋଗଣା ହୋଇ ମଲା?
ଏବେ କିନ୍ତୁ ଏହା ବହୁଳ ଭାବେ ଘଟୁଛି। ଅଣ୍ଡିରା ବାଛୁରି ଜନ୍ମ ହେଲେ ତା’ର ଭାଗ୍ୟ ଖରାପ। ଆଜିକାଲି ଟ୍ରାକ୍ଟରରେ ଚାଷ ହେଉଛି, ବଳଦର ଆବଶ୍ୟକତା ପଡ଼ୁନି। ତେଣୁ ଏ ଅଣ୍ଡିରା ବାଛୁରିମାନଙ୍କୁ ରଖି ଖୁଆଇପିଆଇ ବଡ଼ କରି ଲାଭ କ’ଣ? ତାକୁ କଂସେଇକୁ ବିକି ଦିଆଯାଉଛି। ନ ହେଲେ ଖାଦ୍ୟ ଅଭାବରୁ ରୋଗଣା ହୋଇ ବାଛୁରି ମରିଯାଉଛି। ବାଛୁରି ନ ଥିବା ଗାଈ ସହଜରେ କ୍ଷୀର ଦିଅନ୍ତି ନାହିଁ। ତାଙ୍କୁ ଇଂଜେକ୍‌ସନ ଦେଇ ଛନ୍ଦ କରି ଜବରଦସ୍ତ କ୍ଷୀର ଦୁହାଁଯାଉଛି। କିନ୍ତୁ ଏଭଳି ପରିସ୍ଥିତିରେ ଦୁଃଖିନୀ ଓ କଷ୍ଟା ପାଉଥିବା ଗାଈର ବିଭିନ୍ନ ଗ୍ରନ୍ଥିରୁ ନାନା ପ୍ରକାର ରସ କ୍ଷରଣ ହୁଏ, ଯାହାର ପ୍ରଭାବ କ୍ଷୀର ଉପରେ ପଡ଼େ। ସେଥିପାଇଁ ଆୟୁର୍ବେଦ ଶାସ୍ତ୍ରରେ ଚରକ ଲେଖିଛନ୍ତି ବିବତ୍ସା (ବାଛୁରି ନଥିବା) ଗାଈର କ୍ଷୀର ପିଇବ ନାହିଁ। ନିୟମ ଅନୁସାରେ ଗାଈ ବର୍ଷେ କ୍ଷୀର ଦେଲେ ବର୍ଷେ ପଡ଼ିଆ ପଡ଼ିବା କଥା। କିନ୍ତୁ ଏହାଦ୍ବାରା ଚାଷୀର ଲାଭ କମିଯିବ। ତେଣୁ ଗାଈ ଯେପରି ପଡ଼ିଆ ନ ପଡ଼ିବ, ସେଥିପାଇଁ ଏବେ କୃତ୍ରିମ ପ୍ରଜନନର ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରତି ବର୍ଷ ଛୁଆ ଜନ୍ମ କରୁଥିବା ଗାଈ କେବଳ ଯେ କଷ୍ଟ ପାଏ, ତାହା ନୁହେଁ; ତା’ର ସ୍ବାସ୍ଥ୍ୟ ହାନି ହୁଏ ଏବଂ ତାର କ୍ଷୀର ମଧ୍ୟ ଏହା ଦ୍ବାରା ତାର ଗୁଣାତ୍ମକତା ହରାଏ।

କ୍ଷୀରକୁ ଅମୃତ ବୋଲି କୁହାଯାଇଛି। ପଞ୍ଚାମୃତ ଭିତରୁ ଏହା ଅନ୍ୟତମ। ଅନ୍ୟ ଚାରିଟି ଅମୃତ ହେଲା ଦହି, ଘିଅ, ଗୁଡ଼ ଓ ମହୁ। ଏ ପାଞ୍ଚଟି ଅମୃତ ଭିତରୁ ତିନିଟି ଆସୁଛି ଗାଈଠାରୁ ଯାହା ଆଜି ନକଲି, ଅପମିଶ୍ରିତ ଓ ବର୍ଜନୀୟ ବିଷରେ ପରିଣତ ହେଲାଣି। ପୁଣି ଆଜିକାଲି ବୈଜ୍ଞାନିକମାନେ ପରୀକ୍ଷାରୁ ଜାଣିଲେଣି ଯେ କ୍ଷୀରରେ କୀଟନାଶକର ମାତ୍ରା ମଧ୍ୟ ରହୁଛି। ଏହାର କାରଣ ଚାଷବାସରେ ରାସାୟନିକ ସାର ଓ କୀଟନାଶକର ମାତ୍ରାଧିକ ପ୍ରୟୋଗ ଯାହା ଗାଈ ଖାଉଥିବା ଘାସପତ୍ରରେ ଓ ପିଉଥିବା ପାଣିରେ ତାର ପେଟକୁ ଯାଉଛି ଓ କ୍ଷୀରରେ ବାହାରୁଛି।
ସାଙ୍ଗ ସହିତ କ୍ଷୀର ‌‌ନେଇ ଫରିଲା ବେଳକୁ ମନ ମୋର ଓଜନିଆ ହୋଇଯାଇଥିଲା। ସତରେ ଗୋ ମାତା କହି ଆମେ ଗାଈ ଉପରେ କି ଅତ୍ୟାଚାର ନ କରୁଛୁ? ନିଜ ଲାଭ ଓ ଲୋଭ ଲାଗି ସେ ଦେଉଥିବା ଅମୃତରେ ଆମେ ବିଷ ଭରିବାରେ ଲାଗିଛୁ!

ନିଗମ ବିହାର, ଶ୍ରୀରାମନଗର, ଭୁବନେଶ୍ବର
ମୋ- ୭୦୦୮୯୬୦୫୦୨
[email protected]

ସମ୍ବନ୍ଧିତ ଖବର