ଗୋଟିଏ ଦୈବବାଣୀ ଇଙ୍ଗିତରେ ୧୩୨୫ ମସିହାରେ ଆଜଟେକ୍ ଜନଜାତି ଆଧୁନିକ ମେକ୍ସିକୋର ଟେକ୍ସକୋକୋ ହ୍ରଦ ମଧ୍ୟସ୍ଥ ଏକ ଦ୍ବୀପରେ ଟେନସ୍ଟିଟିଲାନ୍ ନାମକ ଏକ ବସତି ସ୍ଥାପନ କରିଥିଲେ। ପ୍ରାୟ ଶହେ ବର୍ଷ ମଧ୍ୟରେ ସେମାନଙ୍କର ପରିଶ୍ରମ ଓ ବୁଦ୍ଧି ବଳରେ ସେମାନେ ଏକ ବିରାଟ ସାମ୍ରାଜ୍ୟର ଅଧିକାରୀ ହେଲେ। ଆମେରିକା ଭୂଖଣ୍ଡର ଏହି ବିତ୍ତଶାଳୀ ଓ ଉନ୍ନତ ସାମ୍ରାଜ୍ୟ ବର୍ତ୍ତମାନର ମେକ୍ସିକୋ ଏବଂ ମଧ୍ୟ ଆମେରିକାରେ ପରିବ୍ୟାପ୍ତ ଥିଲା। ଏକଦା ଅନାମଧେୟ ଟେନସ୍ଟିଟିଲାନ୍ ନଗର ପଞ୍ଚଦଶ ଶତାବ୍ଦୀର ମାପକାଠିରେ କିନ୍ତୁ ଥିଲା ଅନନ୍ୟ। କୌଣସି ଇରୋପୀୟ ନଗରୀ ସୌନ୍ଦର୍ଯ୍ୟ, ବୈଷୟିକ ଜ୍ଞାନ କୌଶଳ କିମ୍ବା ଧନସମ୍ପଦରେ ତା’ର ସମକକ୍ଷ ନ ଥିଲା। ସେହି ଦୀପ ନଗରୀ ଉଠା ପୋଲ ଯୁକ୍ତ ତିନିଟି ପାଞ୍ଚ ମାଇଲ ଲମ୍ବା ସୁପ୍ରଶସ୍ତ ଓ ସୁନ୍ଦର ସେତୁ ଦ୍ବାରା ମୁଖ୍ୟ ଭୂମି ସହ ସଂଯୋଜିତ ହୋଇଥିଲା। ବାହ୍ୟ ଶତ୍ରୁ ଆକ୍ରମଣ କ୍ଷେତ୍ରରେ ସେ ଉଠା ପୋଲଗୁଡ଼ିକୁ ଉଠାଇ ମୁଖ୍ୟ ଭୂମିରୁ ନଗରୀକୁ ବିଚ୍ଛିନ୍ନ କରାଯାଇପାରୁଥିଲା। ଏ ସବୁ ସତ୍ତ୍ବେ ଆଜଟେକ୍ମାନଙ୍କ ମଧ୍ୟରେ ପ୍ରଚଳିତ ଥିଲା ଏକ କୁତ୍ସିତ ପ୍ରଥା। ସେମାନେ ତାଙ୍କ ସମାଜ ଏବଂ ନଗରର ସୁରକ୍ଷା ଓ ମଙ୍ଗଳର ହେତୁ ବୋଲି ବିଚାର କରି ସେମାନଙ୍କର ଦେବୀ ଦେବତାମାନଙ୍କ ସନ୍ତୁଷ୍ଟି ପାଇଁ ନରବଳି ପ୍ରଦାନ କରୁଥିଲେ ଏବଂ ସେ ଉତ୍ସବର ନୃଶଂସତାକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରୁଥିଲେ।
ସ୍ପେନୀୟମାନେ କ୍ୟୁବା ଅଧିକାର କରିବା ପରେ ଆଜଟେକ୍ ସାମ୍ରାଜ୍ୟର ଅମାପ ଧନ ରାଶିକୁ କରାୟତ୍ତ କରିବା ପାଇଁ କ୍ୟୁବାର ସ୍ପେନୀୟ ଗଭର୍ଣ୍ଣର ଭେଲାଜ୍କ୍ବେଜ୍ ୧୫୧୯ରେ ଉଚ୍ଚାଭିଳାଷୀ ଓ ଦୁର୍ଦ୍ଧର୍ଷ ହେର୍ଣ୍ଣାଣ୍ଡୋ କୋର୍ଟେଜ୍ଙ୍କ ନେତୃତ୍ବରେ ଆଜଟେକ୍ ସାମ୍ରାଜ୍ୟ ବିରୋଧରେ ଏକ ଅଭିଯାନ ପାଇଁ ସ୍ବୀକୃତି ଦେଲେ। କୋର୍ଟେଜ୍ ପ୍ରାୟ ପାଞ୍ଚ ଶହ ସୈନ୍ୟ ନେଇ ମାର୍ଚ୍ଚ ୧୫୧୯ରେ ଆଜଟେକ୍ ସାମ୍ରାଜ୍ୟର ଟବାସ୍କୋ ବନ୍ଦର ନଗରୀରେ ଅବତରଣ କଲେ। ସେତେବେଳେ ଆଜଟେକ୍ ସାମ୍ରାଜ୍ୟର ସମ୍ରାଟ ଥିଲେ ମଣ୍ଟେଜୁମା। ଗୋଟିଏ ଆଜଟେଜ୍ ଦନ୍ତ-କଥା ଅନୁସାରେ ନରବଳିକୁ ବିରୋଧ କରୁଥିବାରୁ ଆଜଟେଜ୍ଙ୍କ ମୁଖ୍ୟ ଦେବତା ସୂର୍ଯ୍ୟ ବାୟୁ ଦେବତାଙ୍କୁ ଆଜଟେକ୍ ସାମ୍ରାଜ୍ୟରୁ ନିର୍ବାସିତ କରିଥିଲେ। କିନ୍ତୁ ଯିବା ପୂର୍ବରୁ ବାୟୁ ଦେବତା ଭବିଷ୍ୟତ୍ରେ ପ୍ରତ୍ୟାବର୍ତ୍ତନ କରି ଟେନସ୍ଟିଟିଲାନ୍କୁ ନିଜ କରାୟତ୍ତ କରିବେ ବୋଲି ଭବିଷ୍ୟବାଣୀ କରିଥିଲେ। ସଂଯୋଗବଶତଃ ସେ ଯେଉଁ ଦିନ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଭବିଷ୍ୟବାଣୀ କରିଥିଲେ ସେହି ଦିନ କୋର୍ଟେଜ୍ ଆଜଟେକ୍ ଭୂମିରେ ପଦାର୍ପଣ କରିଥିଲେ। ସେହି କିଂବଦନ୍ତି ଅନୁସାରେ ମଣ୍ଟେଜୁମା କୋର୍ଟେଜ୍ଙ୍କୁ ହିଁ ବାୟୁ ଦେବତା ବୋଲି ଧରିନେଲେ। ତେଣୁ ତାଙ୍କ ସହ ଯୁଦ୍ଧ ନ କରି ତାଙ୍କୁ ଅନେକ ପରିମାଣର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଉପଢୌକନ ପ୍ରଦାନ କରି ସନ୍ତୁଷ୍ଟ କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ସୁନା କୋର୍ଟେଜ୍ଙ୍କୁ ସନ୍ତୁଷ୍ଟ କରିବା ପରିବର୍ତ୍ତେ ତାଙ୍କୁ ଆହୁରି ଲୋଭାନ୍ବିତ କଲା ଓ ସେ ଆଜଟେକ୍ ରାଜଧାନୀ ଟେନସ୍ଟିଟିଲାନ୍କୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଅଭିଯାନ ଆରମ୍ଭ କଲେ।
ଆଜଟେଜ୍ ସାମ୍ରାଜ୍ୟର ଅନେକ କରଦ ରାଜ୍ୟ ଆଜ୍ଟେକ୍ମାନଙ୍କର ଅତ୍ୟଧିକ ରାଜସ୍ବ ଦାବି ଓ ଅତ୍ୟାଚାରରେ ଅତିଷ୍ଠ ଥିଲେ। ସେମାନଙ୍କ ମଧ୍ୟରୁ କିଛି ରାଜ୍ୟ ସେମାନଙ୍କର ସେନା ସହ କୋର୍ଟେଜ୍ଙ୍କ ଅଭିଯାନରେ ସାମିଲ ହେଲେ। କୋର୍ଟେଜ୍ଙ୍କ ଯାତ୍ରା ପଥରେ ଯେଉଁ ରାଜ୍ୟ ସବୁ ତାଙ୍କର ବିରୋଧ କଲେ, ସେହି ରାଜ୍ୟମାନଙ୍କର ନାଗରିକମାନଙ୍କୁ ସେ ନୃଶଂସ ଭାବରେ ହତ୍ୟା କଲେ। ତିନି ମାସର ଯାତ୍ରା ପରେ ସେ ପହଞ୍ଚିଲେ ସ୍ବପ୍ନର ନଗରୀ ଟେନସ୍ଟିଟିଲାନ୍ ଉପକଣ୍ଠରେ। ମଣ୍ଟେଜୁମା ଆଶ୍ଚର୍ଯ୍ୟଜନକ ଭାବେ କୋର୍ଟେଜ୍ଙ୍କୁ ସମ୍ମାନ ଦେଖାଇ ତାଙ୍କ ସୈନ୍ୟମାନଙ୍କ ସହ ତାଙ୍କୁ ନଗରୀ ମଧ୍ୟକୁ ସ୍ବାଗତ କଲେ ଏବଂ ଏକ ସୁନ୍ଦର ପ୍ରାସାଦରେ ତାଙ୍କ ରହିବା ବ୍ୟବସ୍ଥା କଲେ। ଏହାର କିଛି ଦିନ ପରେ ଟବାସ୍କୋ ବନ୍ଦର ନଗରୀରେ ସମ୍ରାଟ୍ଙ୍କ ଅନୁଗତ କିଛି ଆଜଟେକ୍ବାସୀ କେତେ ଜଣ ସ୍ପେନୀୟଙ୍କୁ ହତ୍ୟା କଲେ। କୋର୍ଟେଜ୍ ଏହି ହତ୍ୟା ପାଇଁ ମଣ୍ଟେଜୁମାଙ୍କୁ ଦାୟୀ କରି ୧୪ ନଭେମ୍ବର ୧୫୧୯ରେ ତାଙ୍କୁ ଗୃହବନ୍ଦୀ କଲେ ଆଉ ତାଙ୍କ ସମ୍ମୁଖରେ ସେ ବିଦ୍ରୋହୀମାନଙ୍କୁ ଜୀବନ୍ତ ଦଗ୍ଧ କରିଦେଲେ। ଏହି ଘଟଣା ମଣ୍ଟେଜୁମାଙ୍କୁ ଏତେ ମାତ୍ରାରେ ବ୍ୟଥିତ କରି ଦେଲା ଯେ ସେ ବିନା ପ୍ରତିବାଦରେ କୋର୍ଟେଜ୍ଙ୍କୁ ସାମ୍ରାଜ୍ୟର ଶାସନ କ୍ଷମତା ହସ୍ତାନ୍ତର କରିଦେଲେ। ଏ ମଧ୍ୟରେ କ୍ୟୁବାର ଗଭର୍ଣ୍ଣର ଭେଲାଜ୍କ୍ବେଜ୍ କୋଟେଜ୍ଙ୍କ ବର୍ଦ୍ଧିତ ଶକ୍ତିରେ ବିଚଳିତ ହୋଇ ତାଙ୍କୁ କାବୁ କରିବା ପାଇଁ ନାରଭାଏସ୍ଙ୍କ ନେତୃତ୍ବରେ ଏକ ନୌ-ବାହିନୀ ଟବାସ୍କୋ ପଠେଇଲେ।
ଏହି ଠାରେ ଇତିହାସ ଏକ ନିର୍ଣ୍ଣାୟକ ମୋଡ଼ ନେଲା। ନାରଭାଏସ୍ଙ୍କ ସେନାବାହିନୀ ସହିତ ସମସ୍ତଙ୍କ ଅଗୋଚରରେ ଆଜଟେକ୍ ସାମ୍ରାଜ୍ୟକୁ ଅତି ସନ୍ତର୍ପଣରେ ପ୍ରବେଶ କଲା ସ୍ପେନୀୟମାନଙ୍କ ଗୁପ୍ତ ଅସ୍ତ୍ର ମହାମାରୀ ବସନ୍ତ। ସେମାନଙ୍କ ସହିତ ଆସିଥିବା ଇଗୁଇଆ ନାମକ ଜଣେ କ୍ରୀତଦାସ ଦେହରେ ଦେଖାଦେଲା ବସନ୍ତର ଲକ୍ଷଣ। ସ୍ପେନୀୟମାନେ ସେକଥା ଜାଣିପାରି ତାକୁ ସଙ୍ଗରୋଧରେ ରଖିଲେ ଓ ତା’ର ଦେଖାଶୁଣା ଭାର ନ୍ୟସ୍ତ କଲେ ସ୍ଥାନୀୟ ଦେଶୀୟ ଲୋକମାନଙ୍କ ଉପରେ। ସେମାନଙ୍କ ଦ୍ବାରା ଏହି ମହାମାରୀ ଆଜଟେକ୍ ସାମ୍ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳକୁ ପରିବ୍ୟାପ୍ତ ହେଲା। ନାର୍ଭାଏସ୍ଙ୍କ ଟବାସ୍କୋ ପହଞ୍ଚିବା ସମ୍ବାଦ କୋର୍ଟେଜ୍ ପାଇବା ମାତ୍ରେ କିଛି ସୈନ୍ୟଙ୍କୁ ତାଙ୍କର ସହକାରୀ ଆଲ୍ଭାରାଡୋଙ୍କ ନେତୃତ୍ବରେ ଟେନସ୍ଟିଟ୍ଲାନ୍ରେ ରଖି ନାର୍ଭାଏସ୍ଙ୍କ ପ୍ରତିରୋଧ କରିବା ପାଇଁ ତୁରନ୍ତ ଉପକୂଳ ଅଭିମୁଖେ ପ୍ରସ୍ଥାନ କଲେ। ସେ ସେଠାରେ ଗୁପ୍ତରେ ପହଞ୍ଚି ରାତିରେ ଅତର୍କିତ ଆକ୍ରମଣ କରି ନାର୍ଭାଏସ୍ଙ୍କୁ ପରାସ୍ତ ଓ ବନ୍ଦୀ କଲେ ଏବଂ ଧନର ଲୋଭ ଦେଖାଇ ତାଙ୍କର ସୈନ୍ୟମାନଙ୍କୁ ନିଜ ପକ୍ଷରେ ସାମିଲ କଲେ। ଏ ପାଖେ ଟେନସ୍ଟିଟିଲାନ୍ରେ ଶାସନ କାର୍ଯ୍ୟରେ ସ୍ପେନୀୟଙ୍କ ଅଯଥା ଦଖଲ ଓ ନରବଳି ପ୍ରଥା ବିରୋଧ ହେତୁ ସେମାନଙ୍କ ବିରୋଧରେ ଜନ ଅସନ୍ତୋଷ ତୀବ୍ର ହୋଇ ବିଦ୍ରୋହର ରୂପ ନେବାକୁ ବସିଥିଲା। ଏହା ଆଲ୍ଭାରାଡୋଙ୍କୁ ଜଣାପଡ଼ିବା ପରେ ସେ ଏକ ଧାର୍ମିକ ବଳି ଅନୁଷ୍ଠାନରେ ସମବେତ ନିରସ୍ତ୍ର ଆବାଳ ବୃଦ୍ଧ ବନିତାଙ୍କୁ ନିଷ୍ଠୁର ଭାବେ ହତ୍ୟା କଲେ। ମୃତକଙ୍କ ମଧ୍ୟରେ ନଗରର ଅନେକ ନେତୃସ୍ଥାନୀୟ ବ୍ୟକ୍ତି ବି ସାମିଲ ଥିଲେ। ଏହି ସମ୍ବାଦ ବିଜୁଳି ବେଗରେ ନଗରର କୋଣ ଅନୁକୋଣରେ ବ୍ୟାପିଗଲା। ହଜାର ହଜାର ନଗରବାସୀ ସ୍ପେନୀୟଙ୍କୁ ପ୍ରତିରୋଧ କରିବାକୁ ବାହାରି ପଡ଼ିଲେ। ଅବସ୍ଥା ଅସମ୍ଭାଳ ହେବାରୁ ସ୍ପେନୀୟମାନେ ତାଙ୍କ ପ୍ରାସାଦ ଭିତରକୁ ପଛଘୁଞ୍ଚା ଦେଲେ। ଆଜଟେକ୍ମାନେ ସିଧାସଳଖ ତାଙ୍କୁ ଆକ୍ରମଣ ନ କରି ଖାଦ୍ୟ ଓ ଜଳ ଯୋଗାଣରେ ପ୍ରତିବନ୍ଧ ଲଗାଇଲେ। ଏହି ଘଟଣା ବିଷୟରେ ଅବଗତ ହୋଇ କୋର୍ଟେଜ୍ ୨୪ ଜୁନ୍ ୧୫୨୦ରେ ଟେନସ୍ଟିଟିଲାନ୍ରେ ପହଞ୍ଚିଲେ। ଇତି ମଧ୍ୟରେ ନଗରବାସୀ ବନ୍ଦୀ ମଣ୍ଟେଜୁମାଙ୍କ ସ୍ଥାନରେ ତାଙ୍କ ଭାଇ କ୍ୟୁଟ୍ଲାହକ୍ଙ୍କୁ ସମ୍ରାଟ ଭାବରେ ନିର୍ବାଚିତ କରି ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ପ୍ରାୟ ଏକ ସପ୍ତାହ ଧରି ଯୁଦ୍ଧ ଚାଲିଲା। ସ୍ପେନୀୟମାନେ ତୋପ ଦ୍ବାରା ଶହ ଶହ ଆଜଟେକ୍ଙ୍କୁ ହତ୍ୟା କଲେ। ସେମାନଙ୍କର ଯେତେ ଲୋକ ମୃତ୍ୟୁବରଣ କରୁଥା’ନ୍ତି ତା’ର ଦଶ ଗୁଣ ଲୋକ ମୃତକମାନଙ୍କ ସ୍ଥାନ ପୂରଣ କରୁଥା’ନ୍ତି। ପରିସ୍ଥିତି ଅସମ୍ଭାଳ ହେବାରୁ କୋର୍ଟେଜ୍ ମଣ୍ଟେଜୁମାଙ୍କୁ କହିଲେ ଯେ ସନ୍ଧି ପାଇଁ ସେ ଆଜଟେକ୍ମାନଙ୍କୁ ପ୍ରବର୍ତ୍ତାନ୍ତୁ। ମଣ୍ଟେଜୁମା ପ୍ରାସାଦ ଛାତରୁ ସମବେତ ଲୋକଙ୍କୁ କିଛି କହିବାକୁ ଉଦ୍ୟତ ହେଉଥିବାବେଳେ ଲୋକଙ୍କ ପଥର ମାଡ଼ରେ ପ୍ରାଣ ତ୍ୟାଗ କଲେ। ସେ ଦିନ ରାତିରେ କୋର୍ଟେଜ୍ ସଂଗ୍ରହ କରିଥିବା ପ୍ରଚୁର ସୁନା ସହ ସହର ଛାଡ଼ି ପଳାୟନ କରିବାକୁ ଚେଷ୍ଟା କଲେ। ଆଜଟେକ୍ମାନେ ସେତୁରେ ଥିବା ଉଠା ପୋଲ ସବୁ ଉଠାଇ ଦେଇ ମୁଖ୍ୟ ଭୂମି ସହ ସଂଯୋଗ ବିଚ୍ଛିନ୍ନ କରି ଦେଇଥିଲେ। ସେଠାରେ ଫସି ରହିଥିବା କୋର୍ଟେଜ୍ ଓ ତାଙ୍କ ସୈନ୍ୟମାନଙ୍କୁ ଆଜ୍ଟେଜ୍ମାନେ ଚତୁର୍ଦ୍ଦିଗରୁ ଆକ୍ରମଣ କରି ପ୍ରାୟ ସାତଶହ ସ୍ପେନୀୟ ଓ ଚାରିହଜାର ଦେଶୀୟ ସୈନ୍ୟଙ୍କୁ ହତ୍ୟା କଲେ। ତେବେ ମୃତ ସୈନ୍ୟମାନଙ୍କ ଶବଗୁଡ଼ିକୁ ପୋଲ ହିସାବରେ ବ୍ୟବହାର କରି ଆହତ କୋର୍ଟେଜ୍ ଓ ଅନ୍ୟ ସୈନ୍ୟମାନେ କୌଣସିମତେ ପଳାୟନ କରିବାକୁ ସକ୍ଷମ ହେଲେ ଏବଂ ଟ୍ଲାକ୍ସକାଲା ନାମକ ଏକ ନଗର ରାଜ୍ୟରେ ଆଶ୍ରୟ ନେଲେ।
କିନ୍ତୁ ସ୍ପେନୀୟମାନେ ତାଙ୍କ ଅଗୋଚରରେ ପଛରେ ଛାଡ଼ି ଯାଇଥିବା ଘାତକ ଜୈବାସ୍ତ୍ର ବସନ୍ତ କିଛି ଦିନ ମଧ୍ୟରେ ତା’ କାମ ଦେଖେଇବା ଆରମ୍ଭ କଲା। ଦୁଇ ମାସ ମଧ୍ୟରେ ନଗରୀର ଅର୍ଦ୍ଧାଧିକ ଲୋକ ମୃତ୍ୟୁବରଣ କଲେ। ପରିସ୍ଥିତି ଏପରି ହେଲା କି ଶବଦାହ ହୋଇନପାରିବାରୁ କୁଢ଼ କୁଢ଼ ଶବକୁ ହ୍ରଦ ଭିତରେ ନିକ୍ଷେପ କରିବାକୁ ପଡ଼ିଲା। କୃଷିକର୍ମାଦି କରିବା ପାଇଁ ଜନ ସଙ୍କଟ ଦେଖା ଦେଲା। କ୍ରମେ ଏହା ସାମ୍ରାଜ୍ୟର ଅନ୍ୟ ଦେଶୀୟ ରାଜ୍ୟକୁ ମଧ୍ୟ ବ୍ୟାପିଗଲା ଓ ଅଳ୍ପ ସମୟ ମଧ୍ୟରେ ପ୍ରଭୂତ ଜନ ଜୀବନର କ୍ଷତି ଘଟାଇଲା। ଅପର ପକ୍ଷରେ ସ୍ପେନୀୟମାନଙ୍କ ପାଇଁ ବସନ୍ତ ନୂଆ ନ ଥିଲା। ସେମାନଙ୍କର ବିକଶିତ ରୋଗ ପ୍ରତିରୋଧକ ଶକ୍ତି ଓ ପୃଥକ ବାସ ଯୋଗୁଁ ସେମାନେ ବିଶେଷ କ୍ଷତିଗ୍ରସ୍ତ ହେଲେ ନାହିଁ। ଅଧିକାଂଶ ଦେଶୀୟ ରାଜ୍ୟର ରାଜ୍ୟମାନେ ବସନ୍ତର ଶିକାର ହେଲେ। ଆଜ୍ଟେକ୍ମାନଙ୍କ ସମ୍ରାଟ କ୍ୟୁଟ୍ଲାହକ୍ଙ୍କ ମଧ୍ୟ ୪ ଡିସେମ୍ବର ୧୫୨୦ରେ ବସନ୍ତରେ ମୃତ୍ୟୁ ହେଲା। ସାମ୍ରାଜ୍ୟରେ ଅରାଜକତା ସୃଷ୍ଟି ହେଲା। ଏହାର ସୁଯୋଗ ନେଇ କୋର୍ଟେଜ୍ ଅନେକ ଦେଶୀୟ ରାଜ୍ୟକୁ ନିଜ ପକ୍ଷ ଭୁକ୍ତ କରି ପ୍ରାୟ ପଚାଶ ହଜାର ସେନାର ଏକ ବିଶାଳ ସୈନ୍ୟବାହିନୀ ଗଠନ କଲେ। ଦୁଇ ମାସର ଅରାଜକତା ପରେ ଆଜଟେକ୍ବାସୀ ମଣ୍ଟେଜୁମାଙ୍କ ପୁତୁରା କ୍ବାଉଟେମୋକ୍ଙ୍କୁ ନିଜର ରାଜା ହିସାବରେ ମନୋନୀତ କଲେ।
ନିଜର ଶକ୍ତି ସଞ୍ଚୟ କରି କୋର୍ଟେଜ୍ ତାଙ୍କ ବିଶାଳ ସୈନ୍ୟବାହିନୀ ଦ୍ବାରା ୨୮ ଏପ୍ରିଲ ୧୫୨୧ ଦିନ ଟେନସ୍ଟିଟ୍ଲାନ୍ ଅବରୋଧ କଲେ। ସେ ପ୍ରଥମେ ନଗର ମଧ୍ୟକୁ ଜଳ ଯୋଗାଉଥିବା ଦୁଇଟି ନଳକୁ ଭାଙ୍ଗି ସହରର ଜଳ ଯୋଗାଣ ବ୍ୟବସ୍ଥା ବିଚ୍ଛିନ୍ନ କରିଦେଲେ। ବସନ୍ତର ବିଭୀଷିକା ସତ୍ତ୍ବେ ଆଜଟେକ୍ମାନେ ତିନି ତିନି ଥର ସ୍ପେନୀୟମାନଙ୍କର ଆକ୍ରମଣକୁ ପ୍ରତିହତ କରିଥିଲେ ଓ ନଗର ମଧ୍ୟକୁ ପ୍ରବେଶ କରାଇ ଦେଇନଥିଲେ। ଏପରି କି ତୃତୀୟ ଯୁଦ୍ଧରେ ସେମାନେ ସତୁରି ଜଣ ସ୍ପେନୀୟଙ୍କୁ ବନ୍ଦୀ କରି ତାଙ୍କ ଦେବତାଙ୍କ ପାଖରେ ବଳି ଦେଇଥିଲେ। ଏହା ସ୍ପେନୀୟଙ୍କ ମନୋବଳକୁ ପ୍ରଭାବିତ କରିଥିଲେ ମଧ୍ୟ କୋର୍ଟେଜ୍ ନିଜ ଲକ୍ଷ୍ୟରେ ଦୃଢ ରହିଲେ। କ୍ରମେ ଜଳାଭାବ ଓ ମହାମାରୀ ବସନ୍ତ ଯୋଗୁଁ କୃଷି କର୍ମ ବାଧାପ୍ରାପ୍ତ ହେବାରୁ ନଗରରେ ଦେଖାଦେଇଥିବା ଖାଦ୍ୟାଭାବ ନଗରବାସୀଙ୍କ ଅବସ୍ଥା ଶୋଚନୀୟ କରିଦେଲା। ବସନ୍ତ ଓ କ୍ଷୁଧା-ତୃଷାରେ ନାଗରିକମାନେ ମୃତ୍ୟୁବରଣ କରିବାରେ ଲାଗିଲେ। ଏପରି କି ଯୁଦ୍ଧ ପାଇଁ ମଧ୍ୟ ଲୋକବଳର ଅଭାବ ହେଲା। ଶେଷରେ ୧୩ ଅଗଷ୍ଟ ୧୫୨୧ରେ ଆଜଟେକ୍ ଆତ୍ମସମର୍ପଣ କଲା ଓ ସମ୍ରାଟ କ୍ବାଉଟେମୋକ୍ ନଗର ଛାଡ଼ି ଚାଲିଯାଉଥିଲା ବେଳେ ସ୍ପେନୀୟଙ୍କ ହାତରେ ବନ୍ଦୀ ହେଲେ ଓ ୧୫୨୪ ମସିହାରେ ତାଙ୍କୁ ଫାଶୀ ଦିଆହେଲା। ଏଥି ସହ ଏକ ଉନ୍ନତ ସଭ୍ୟତାର ପତ୍ତନ ଘଟିଲା।
ଆଜି ପୃଥିବୀପୃଷ୍ଠରୁ ବସନ୍ତ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯାଇଛି। ଏହାର ଶ୍ରେୟ ଯିବ ୧୭୯୨ରେ ଏଡୱାର୍ଡ ଜେନରଙ୍କ ଦ୍ବାରା ଉଦ୍ଭାବିତ ପ୍ରତିଷେଧକ ଟିକାକୁ। କିନ୍ତୁ ଟିକା ଉଦ୍ଭାବନର ୧୮୮ ବର୍ଷ ପରେ ଯାଇ ବସନ୍ତର ବିଲୟ ଘଟିଲା। ଏହାର ମୁଖ୍ୟ କାରଣ ଥିଲା ଅନ୍ଧବିଶ୍ୱାସ, ଅସାବଧାନତା, ଟିକା ଯୋଗୁଁ ମୃତ୍ୟୁ ଭୟ ଓ ଗୁଜବ ଆଦି ହେତୁ ଟିକାକରଣ ପ୍ରତି ବିମୁଖତା ଏବଂ ଟିକା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିର ଅଭାବ। ଆଜି ମଧ୍ୟ କରୋନା ଟିକା କ୍ଷେତ୍ରରେ ଇତିହାସର ପୁନରାବୃରି ଘଟୁଛି। ବର୍ତ୍ତମାନ ଯଦି ଏ ଦିଗରେ କିଛି କଠୋର ଓ ସୁଚିନ୍ତିତ ପଦକ୍ଷେପ ନିଆନଯାଏ ତେବେ ଆମକୁ ହୁଏ’ତ ଆହୁରି ଅନେକ ଦିନ କରୋନା ସାଙ୍ଗରେ ବଞ୍ଚିବାକୁ ହେବ।
ମୋ: ୯୪୩୭୦୨୬୪୪୯
[email protected]