ଦିଦିଙ୍କ ଆମ୍ବ ଉପହାର ଓ ଖଟାମିଠା ସଂପର୍କ

ଅମିୟ ଭୂଷଣ ତ୍ରିପାଠୀ

ଗଲା ଦୁଇ ଦିନ ତଳେ ଖବର ବାହାରିଛି ଯେ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ବଛା ବଛା ହିମସାଗର, ମାଲଦା ଓ ଲକ୍ଷ୍ମଣଭୋଗ ଆମ୍ବ ଉପହାର ଭାବେ ପଠାଇଛନ୍ତି। କିଛି ଦିନ ପୂର୍ବରୁ ଦୁହେଁ ସେମାନଙ୍କ ମଧ୍ୟରେ ଦେଖା ଦେଇଥିବା ତିକ୍ତତା ଲାଗି ଚର୍ଚ୍ଚାରେ ଥିଲେ। ତେବେ, ପ୍ରଧାନ ମନ୍ତ୍ରୀ ଓ ମମତା ବାନାର୍ଜୀଙ୍କ ମଧ୍ୟରେ ଏମିତି ଖଟା-ମିଠା ସଂପର୍କ ମୋତେ ୩୦ ବର୍ଷ ତଳର ଏକ ଅନୁଭୂତି ମନେ ପକାଇ ଦେଉଛି।

୧୯୯୧ ମସିହା, ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ। ଜାତୀୟ ସ୍ତରରେ ଜଣେ ଅଗ୍ରଣୀ ଓ ପ୍ରଭାବଶାଳୀ ନେତା। ପ୍ରସିଦ୍ଧ ନେତାମାନଙ୍କ ସେ ବିଜୁ ଦାଦା। ଭି.ପି. ସିଂହ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କଲା ପରେ ଜାତୀୟ ସ୍ତରରେ ବହୁ ଦିନ ପର୍ଯ୍ୟନ୍ତ ରାଜନୀତି ଏକ ଅସ୍ଥିର ଓ ଗୋଳମାଳିଆ ପରିସ୍ଥିତିରେ ଗତି କରୁଥିଲା। ସ˚ଖ୍ୟାଲଘୁ ଗୋଷ୍ଠୀର ସମର୍ଥନରେ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ହେଲେ। ସେ ବର୍ଷ ଗଞ୍ଜାମର ଆସିକା ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ହୋଇ ଧନଜୀବନର ଅ‌େଶଷ କ୍ଷତି ହୋଇଥିଲା। ଗତାନୁଗତିକ ରୀତିରେ କେନ୍ଦ୍ର ଅବହେଳା, ପ୍ରଧାନମନ୍ତ୍ରୀଙ୍କ ସହାନୁଭୂତି ଅଭାବ ଆଦି ପ୍ରସଙ୍ଗ ଉଠୁଥାଏ। ଚନ୍ଦ୍ରଶେଖର ଆସିଲେ ଓଡ଼ିଶା ଗସ୍ତରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପାଇଁ। ମୁଁ ଥିଲି ଅପରାଧ ନିବାରଣ ବିଭାଗର ଆଇ.ଜି। ତତ୍‌କାଳୀନ ଡି.ଜି ଡି.ଏନ୍‌ ସି˚ହ ମୋତେ ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ରହଣିରେ ଆଇନ ଶୃଙ୍ଖଳା ଦାୟିତ୍ବ ଦେଲେ। ଚନ୍ଦ୍ରଶେଖର ଆସିବା ଆଗ ଦିନ ଭୁବନେଶ୍ବରରେ ପୁଲିସ୍‌ ବନ୍ଦୋବସ୍ତର ରିହରସାଲ କରି ଡିଜିଙ୍କ ନିର୍ଦ୍ଦେଶମତେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ପରିଦର୍ଶନ ପାଇଁ ହୋଇଥିବା ବ୍ୟବସ୍ଥା ଉପରେ ଟିପ୍‌ପଣୀ ଦେଲି। ବିଜୁବାବୁ ସବୁ ଶୁଣି କହିଲେ, ଓ.କେ। ମୁଁ କହିଲି, ସାର୍‌ କାଲି ବିମାନଘାଟୀରେ ଦେଖା ହେବ। ଚିହିଁଙ୍କି ଉଠି ବିଜୁବାବୁ ଇଂରେଜୀରେ କହିଲେ, ‘ଆଇ ଏମ୍ ନଟ୍‌ ଗୋଇଂ ଟୁ ରିସିଭ୍‌ ହିମ୍‌’, ଅର୍ଥାତ୍‌ ମୁଁ ତାଙ୍କୁୁ ପାଛୋଟି ଆରିବାକୁ ଯିବିନାହିଁ। ମୁଁ ଶୁଣି ସ୍ତବ୍‌ଧ। ତେବେ ସାହସ ଜୁଟାଇ କହିଲି, ସାର୍‌, ଆପଣ ରାଜ୍ୟର ମୁଖ୍ୟମନ୍ତ୍ରୀ। ପ୍ରୋଟୋକଲ୍‌ ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା କଥା। ଏହା ଶୁଣି ବିଜୁବାବୁ କହିଲେ, ‘ଡୋନ୍‌ଟ ଟିଚ୍‌ ମି ପ୍ରୋଟୋକଲ୍‌’ ଅର୍ଥ ମୋତେ ପ୍ରୋଟୋକଲ୍‌ ଶିଖାଅନି।’ ମୁଁ ଆଉ କିଛି ନ କହି ସାଲ୍ୟୁଟ୍‌ ମାରି ବିଦାୟ ନେଲି ଓ ତାଙ୍କ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କୁ ଏ କଥା ଜଣାଇ ଦେଲି। କଟକରେ ଡି.ଜିଙ୍କୁ ମଧୢ ଅବଗତ କଲି। ତା’ ପରଦିନ ସକାଳେ କଟକରୁ ଗଲି ଭୁବନେଶ୍ବର ବିମାନଘାଟୀକୁ; ପ୍ରଧାନମନ୍ତ୍ରୀଙ୍କ ବିମାନ ଅବତରଣ ପାଇଁ ଅପେକ୍ଷା କଲୁ। କିଛି ସମୟ ପରେ ବିଜୁବାବୁ ଆସି ପହଞ୍ଚିଗଲେ ଓ ଆମ ସଙ୍ଗେ ମିଶିଲେ। ଥଟ୍ଟାରେ କହିଲେ- ତ୍ରିପାଠୀ, ମୋତେ ପ୍ରୋଟୋକଲ୍‌ ଶିଖାଉଥିଲା। ଚନ୍ଦ୍ରଶେଖର ବିମାନରୁ ଆସି ବିଜୁବାବୁଙ୍କୁ ଭକ୍ତିପୂତ ନମସ୍କାର ଜଣାଇଲେ ଓ ବିଜୁବାବୁ ଆମମାନଙ୍କ ପରିଚୟ ପ୍ରଦାନ କଲେ।

ଚନ୍ଦ୍ରଶେଖରଙ୍କ ଚିନ୍ତାଧାରା ଥିଲା ବାମପନ୍ଥୀ। ସେ ଥିଲେ ସାମ୍ୟବାଦୀ ନେତା। ଭୁବନେଶ୍ବରରେ ସେ ତାଙ୍କ ସହକର୍ମୀ ନନ୍ଦିନୀ ଶତପଥୀ ଓ ସୁରେନ୍ଦ୍ର ନାଥ ଦ୍ବିବେଦୀଙ୍କୁ ଦେଖା କରିବା ପାଇଁ ଖବର ପଠାଇଥିଲେ ଓ ତା’ର ବ୍ୟବସ୍ଥା ହୋଇଥିଲା। ମୁଁ ପ୍ରଧାନମନ୍ତ୍ରୀଙ୍କୁ ନେଇ ନନ୍ଦିନୀଙ୍କ ଘରକୁ ଗଲି। ତା’ ପର ଘଟଣା ମାନ ଆହୁରି ଚମକପ୍ରଦ ହେଲା। ବିଜୁବାବୁ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକ୍ରମରେ ଯୋଗଦାନ କଲେ ନାହିଁ। ନନ୍ଦିନୀଙ୍କ ଘରୁ ପ୍ରଧାନମନ୍ତ୍ରୀ ସୂଚନାଭବନ ଆସିଲେ। ସେଠାରେ ସେ ଏକ ସଭାରେ ଭାଷଣ ଦେଲେ। ସେହି ସମୟରେ ବାହାରେ ଥିବା ଆମେମାନେ ଦେଖିଲୁ ଯେ ବିଜୁବାବୁ ରିକ୍‌ସାରେ ବସି ସେକ୍ରେଟାରିଏଟ୍‌ ଅଫିସ୍‌କୁ ଯାଉଛନ୍ତି। ସେତେବେଳେ ବିଜୁ ବାବୁ ଦିନେ ଦିନେ ସାଇକେଲ୍‌ ବା ରିକ୍‌ସାରେ ଅଫିସ୍‌ ଯାଉଥିଲେ। ତା’ ପରେ ଚନ୍ଦ୍ରଶେଖର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଦିଲ୍ଲୀ ଫେରିଲେ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଙ୍ଗେ ‘ୟାସ୍‌’ର କ୍ଷୟକ୍ଷତି ଆଲୋଚନାରେ ଅନୁପସ୍ଥିତ ରହିବା ପ୍ରସଙ୍ଗ ଉପରେ ଯେଉଁ ଝଡ଼ ସୃଷ୍ଟି ହେଲା ସେହି ପରିପ୍ରେକ୍ଷୀରେ ପଦେ କହିବି। ତେବେ କେତେକ କହନ୍ତି ଯେ ମମତା ଆଲୋଚନାକୁ ଆସିଥିଲେ, ହେଲେଏ ବିରୋଧୀ ଶୁଭେନ୍ଦୁ ଅଧିକାରୀଙ୍କୁ ଦେଖି ଖପା ହେଲେ। ତା’ ପରେ ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ ୨୦ ମିନିଟ୍‌ କଥାବାର୍ତ୍ତା କରି ତାଙ୍କ ମୁଖ୍ୟଶାସନ ସଚିବଙ୍କ ସହ ସଭା ତ୍ୟାଗ କଲେ। ମମତାଙ୍କ ଏ ଆଚରଣ ଅସମୀଚୀନ ହେଲେ ମଧ୍ୟ ନୂଆ ନୁହେଁ। ମୋଦୀ ସ୍ବୟ˚ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ ପ୍ରଧାନମନ୍ତ୍ରୀଙ୍କ ସଭାରେ ଯୋଗ ଦେଇନାହାନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ମନମୋହନ ସି˚ହଙ୍କ ଆଲୋଚନାରେ ମମତା ଯୋଗ ଦେଇ ନାହାନ୍ତି। ସତ କହିଲେ, ବର୍ତ୍ତମାନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ହେଲା। ଏହା ବିଜେପି ଲାଗି ଅପ୍ରତ୍ୟାଶିତ ଥିଲା। ତେଣୁ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କ ମଧ୍ୟ‌େର ଟଣାଟଣି ଦେଖିବାକୁ ମିଳୁଛି।

ହେଲେ, ଏଥିରେ ବଳି ଲାଗି ଛାଗଳ ବନିଛନ୍ତି ମୁଖ୍ୟ ଶାସନ ସଚିବ ଅଲାପାନ ବନ୍ଦୋପାଧୢାୟ। କେନ୍ଦ୍ର ନୋଟିସ୍‌ ପଠାଇଲା ୨୪ ଘଣ୍ଟାରେ ଦିଲ୍ଲୀରେ କାର୍ଯ୍ୟରେ ଯୋଗ ଦିଅ। ଏହି କେନ୍ଦ୍ର ସରକାର ଅଲାପାନଙ୍କୁ ମେ ୩୧ ତାରିଖ ତାଙ୍କ ଅବସର ଗ୍ରହଣ ଦିବସ ପରେ କୋଭିଡ ପରିଚାଳନା ପାଇଁ। ୩ ମାସ ଲାଗି କାର୍ଯ୍ୟ ସମୟ ସୀମା ବୃଦ୍ଧି କରିଥିଲେ। ଅଲାପାନ ତ ଗଲେ ନାହିଁ। ମେ ୩୧ରେ ଅବସର ଗ୍ରହଣ କରି ମମତାଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଲେ। ବର୍ତ୍ତମାନ କେନ୍ଦ୍ର କହୁଛି, ରିପୋର୍ଟ କର, ନଚେତ୍‌ ଆପରାଧିକ ମାମଲା ଦାୟର ହେବ। ଏ ସବୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଯଥା ‘ତୁ ତୁ ମେ ମେ’ ଖେଳର ଅଂଶ।

୯୮-A, ସୂର୍ଯ୍ୟନଗର
[email protected]

ସମ୍ବନ୍ଧିତ ଖବର