ଏବେ ଟେଲିଭିଜନ ପ୍ରସାରରୁ ଭାରତୀୟ କ୍ରିକେଟ୍ପ୍ରେମୀମାନେ ଘରେ ବସି କ୍ରିକେଟ୍ ଉପଭୋଗ କରୁଛନ୍ତି। କିନ୍ତୁ ମୁଁ ବଡ଼ ହେଉଥିବା ସମୟରେ ରେଡିଓ ଥିଲା ଦୁନିଆ ଦେଖିବା ଲାଗି ଏକ ମାତ୍ର ଝରକା। ବିବିସି ଵାର୍ଲଡ୍ ସର୍ଭିସ୍ର ‘ଟପ୍ ଟ୍ବେଣ୍ଟି’ କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ପ୍ରଥମ ଥର ପାଇଁ ‘ଦ ବିଟଲ୍ସ’ ବ୍ୟାଣ୍ଡ୍ର ଗୀତ ଶୁଣିଥିଲି। ଆଉ ସେହି ରେଡିଓ ଚ୍ୟାନେଲ୍ର ସ୍ବତନ୍ତ୍ର ଟେଷ୍ଟ ମ୍ୟାଚ୍ ପ୍ରୋଗ୍ରାମ୍ ଯୋଗେ ହିଁ ମୁଁ ଲର୍ଡସ୍ ପଡ଼ିଆରେ ଗ୍ୟାରି ସବର୍ସଙ୍କ ଦ୍ବାରା ଏକ ଟେଷ୍ଟ ଶତକ ହାସଲର ଆମୂଳଚୂଳ ପ୍ରସାରଣ ଶୁଣିଥିଲି।
ଏହା ୧୯୬୬ ମସିହାର କଥା, ଯେତେବେଳେ ମୁଁ ଥିଲି ଆଠ ବର୍ଷର ବାଳକ। ଏହାର ତିନି ବର୍ଷ ପରେ ନ୍ୟୁଜିଲାଣ୍ଡ୍ ଦଳ ଗୋଟିଏ ଟେଷ୍ଟ୍ ସିରିଜ୍ ଖେଳିବା ପାଇଁ ଭାରତ ଗସ୍ତରେ ଆସିଲା। ଅଲ୍ ଇଣ୍ଡିଆ ରେଡିଓରେ ତାହାର କିଛି କିଛି ଘୋଷଣା ଶୁଣିଥିବି ବୋଧହୁଏ। କିନ୍ତୁ ତାହାର କୌଣସି ସ୍ପଷ୍ଟ ସ୍ମୃତି ନାହିଁ। ତେବେ ୧୯୭୩ ଗ୍ରୀଷ୍ମରେ କିଵି କ୍ରିକେଟର୍ମାନେ ମୋ ମନରେ ଯେଉଁ ଛାପ ସୃଷ୍ଟି କରିଥିଲେ, ତାହା ଖୁବ୍ ସ୍ପଷ୍ଟ ଭାବେ ମୋର ମନେ ଅଛି। ସେ ବର୍ଷ ମୋ ସ୍କୁଲ୍ର ‘ଫାଷ୍ଟ ଇଲେଭେନ୍’ ଦଳ ପାଇଁ ମୁଁ ଫେବ୍ରୁଆରିରୁ ଏପ୍ରିଲ୍ ପର୍ଯ୍ୟନ୍ତ ପ୍ରତି ରବିବାର ଦିନ କ୍ରିକେଟ୍ ଖେଳରେ ମଜ୍ଜି ରହୁଥିଲି। ଗ୍ରୀଷ୍ମ ଛୁଟି ଆରମ୍ଭ ହେବା ପରେ ମୁଁ ଜନ୍ମଲାଭ କରିଥିବା ସହରଟିରେ ଖରା ଅତ୍ୟନ୍ତ ଅସହ୍ୟ ହୋଇପଡ଼ିଲା ଏବଂ କ୍ରିକେଟ୍ ଖେଳିବା ଆଉ ସମ୍ଭବ ହେଲା ନାହିଁ। ସେତେବେଳେ ରେଡିଓ ମାଧ୍ୟମରେ କ୍ରିକେଟ୍ର ସିଧା ପ୍ରସାରଣ ଏକ ଆଶ୍ବାସନା ଭଳି ଉଭା ହୋଇଥିଲା।
୧୯୭୩ ମସିହାର ସେହି ଗ୍ରୀଷ୍ମ କାଳରେ ପଇଁତିରିଶ ବର୍ଷ ବୟସ୍କ ଗ୍ଲେନ୍ ଟର୍ନର୍ ଗୋଟିଏ ଇଂରେଜୀ ‘ସମର୍’ (ଗ୍ରୀଷ୍ମ)ରେ ଏକ ହଜାର ଫାଷ୍ଟ୍-କ୍ଲାସ୍ ରନ୍ ହାସଲ କରିଥିବା ପ୍ରଥମ କ୍ରିକେଟର୍ ହୋଇଥିଲେ। ନ୍ୟୁଜିଲାଣ୍ଡ୍ର ଏହି ଖେଳାଳି ଜଣକ ଵୁଷ୍ଟର୍ସାୟର୍ ଦଳ ପାଇଁ କାଉଣ୍ଟି ଚାମ୍ପିଅନ୍ସିପ୍ ଖେଳୁଥିବା ବେଳେ ଏହି ରନ୍ ତକ ଠୁଳ କରିଥିଲେ। ସେ ସମୟରେ ବିବିସି ଵାର୍ଲଡ୍ ସର୍ଭିସ୍ ଶନିବାର ଦିନ କ୍ରୀଡ଼ା ଉପରେ ଏକ ସ୍ବତନ୍ତ୍ର ପ୍ରସାରଣ କରୁଥିଲା, ଯାହା ଭାରତୀୟ ସମୟରେ ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇ ୧୧ଟା୧୫ ପର୍ଯ୍ୟନ୍ତ ଅନବରତ ଚାଲୁଥିଲା; କେବଳ ଖବର ପାଇଁ ଯାହା ବିରତି ନିଆଯାଉଥିଲା। ମୁଁ ଟର୍ନର୍ଙ୍କ ଅନେକ ଇନିଙ୍ଗ୍ସର ସିଧାପ୍ରସାରଣ ଶୁଣିଛି, କାରଣ ଭାଗ୍ୟକୁ ଶନିବାରଗୁଡ଼ିକରେ ହିଁ ସେ ପ୍ରାୟତଃ ବ୍ୟାଟିଂ କରୁଥିଲେ। ଅନ୍ୟ ଖେଳାଳିଙ୍କ ଖବର ଜାଣିବା ପାଇଁ ବିବିସିର ‘ଡେଲି ସ୍ପୋର୍ଟସ୍ ରାଉଣ୍ଡଅପ୍’ ଉପରେ ନିର୍ଭର କରିବାକୁ ପଡୁଥିଲା। ଏହି ପନ୍ଦର ମିନିଟିଆ ବୁଲେଟିନ୍ରେ ବିଗତ ଚବିଶ ଘଣ୍ଟା ଭିତରେ ଘଟିଥିବା ଗୁରୁତ୍ବପୂର୍ଣ୍ଣ ଖେଳ ଖବରକୁ ସଂକ୍ଷେପରେ ଶୁଣି ହେଉଥିଲା।
‘ମେ ଶେଷ ହେବା ପୂର୍ବରୁ ୧୦୦୦ ରନ୍’ର ରେକର୍ଡ୍ଟି କ୍ରୀଡ଼ା କୀର୍ତ୍ତିମାନ ତାଲିକାର ସବା ଉପରେ ରହୁଥିଲା। ୧୯୭୩ରେ ଏହି ତାଲିକାେର ସ୍ଥାନ ପାଇ ସାରିଥିବା ଛଅ ଜଣ ଖେଳାଳିଙ୍କ ମଧ୍ୟରେ ଡବ୍ଲ୍ୟୁ. ଜି. ଗ୍ରେସ୍, ଵାଲି ହାମ୍ମଣ୍ଡ ଓ ଡନ୍ ବ୍ରାଡ୍ମ୍ୟାନ୍ (ଯିଏ ଦୁଇ ଥର ସ୍ଥାନ ପାଇଥିଲେ) ଥିଲେ ପ୍ରମୁଖ। କ୍ରିକେଟ୍ ମାମଲାରେ ନ୍ୟୁଜିଲାଣ୍ଡ୍ ଭଳି ଏକ ଚମକହୀନ ଦେଶର ଜଣେ ଖେଳାଳି ଏଭଳି ଧୁରନ୍ଧରଙ୍କ ଗହଣରେ ସ୍ଥାନ ପାଇବା ପରେ ଇଂରେଜୀ ଭାଷ୍ୟକାରମାନେ ସୁଦ୍ଧା ତାଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଥିଲେ। ମୋ ଭଳି ଜଣେ ଭାରତୀୟ ସ୍କୁଲ୍ ପିଲା ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥିଲା।
ମେ ମାସରେ ଵୁଷ୍ଟର୍ସାୟର ଯୋଗେ ପ୍ରସିଦ୍ଧି ପାଇଥିବା ଗ୍ଲେନ୍ ଟର୍ନର୍ ନ୍ୟୁଜିଲାଣ୍ଡ୍ ଦଳରେ ଯୋଗ ଦେଇ ଇଂଲାଣ୍ଡକୁ ଏକ ତିନିଟିକିଆ ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଇଥିଲେ। ନଟିଙ୍ଗ୍ହମ୍ ଠାରେ ୧୯୭୩ ଜୁନ୍ ୭ରୁ ୧୨ ତାରିଖ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚ୍ଟି ରେଡିଓରେ ସୁଦ୍ଧା ଅତ୍ୟନ୍ତ ରୋମାଞ୍ଚକର ଲାଗିଥିଲା; ସୁତରାଂ, ପଡ଼ିଆରେ ଉପସ୍ଥିତ ଥିବା ଦର୍ଶକଙ୍କ ପାଇଁ ତ ତାହା ଆହୁରି ଉତ୍କଣ୍ଠାପୂର୍ଣ୍ଣ ହୋଇଥିବ। ଚତୁର୍ଥ ଇନିଂସ୍ରେ ଜିତିବା ପାଇଁ ନ୍ୟୁଜିଲାଣ୍ଡ୍ ଦଳକୁ ୪୭୮ ରନ୍ କରିବାକୁ ଥିଲା। ସେମାନେ ତାହାର ସିଂହ ଭାଗ ସଂଗ୍ରହ କରିପାରିଥିଲେ। ପ୍ରତିଟି ରନ୍ ପାଇଁ ସେମାନଙ୍କ ଦୌଡ଼ର ବିବରଣୀକୁ ମୁଁ ଆମ ପରିବାରର ରେଡିଓ ମାଧ୍ୟମରେ ଶୁଣୁଥିଲି। ରାତି ନଅଟା ପରେ ପରିବାରର ସମସ୍ତେ ଶୋଇଯିବା ଉତ୍ତାରେ ରେଡିଓର ଆୱାଜକୁ କମ୍ କରିଦେଇ କାନ ପାଖରେ ତାକୁ ଲଗାଇ ଶୁଣୁଥିଲି। ରାତି ଏଗାରଟା ବେଳେ ଷ୍ଟମ୍ପ୍ ଖୋଲାଯିବା ଯାଏ ମୁଁ ଏକୁଟିଆ ରେଡିଓଟିକୁ ଧରି ଚେଇଁ ରହୁଥିଲି।
ସେହି ମହତ୍ତ୍ବପୂର୍ଣ୍ଣ ମ୍ୟାଚ୍କୁ ପ୍ରାୟ ଅର୍ଦ୍ଧ-ଶତାବ୍ଦୀ ହୋଇଗଲାଣି। କିନ୍ତୁ ଆଜି ବି ସ୍କୋର୍ କାର୍ଡ ନ ଦେଖି ମୁଁ କହିପାରିବି ଯେ ଦଳର କ୍ୟାପ୍ଟେନ୍ ବେଭନ୍ କଙ୍ଗ୍ଡନ୍ ଓ ଅଫ୍-ସ୍ପିନର୍ ଅଲ୍-ରାଉଣ୍ଡର୍ ଭିକ୍ଟର୍ ପୋଲାର୍ଡ ଦୁଇ ଜଣ ଯାକ ଶତକ ମାରିଥିଲେ। ମୋର ମନେ ଅଛି ଯେ ଉଭୟ ପରସ୍ପରର ବିପରୀତ ଶୈଳୀରେ ଖେଳିଥିଲେ। କଙ୍ଗ୍ଡନ୍ ଚିରାଚରିତ ଭାବେ ଇଂରେଜୀ ‘ଭି’ ମଧ୍ୟରେ ଖେଳିଥିବା ବେଳେ ପୋଲାର୍ଡ ଚୌକା ଓ ଛକା ମାରୁଥିଲେ।
ଏହାର ଦୁଇ ବର୍ଷ ପୂର୍ବେ ଭାରତ ଚାଳିଶ ବର୍ଷର ଚେଷ୍ଟା ପରେ ପ୍ରଥମ ଥର ଇଂଲଣ୍ଡକୁ ତା’ ନିଜ ମାଟିରେ ପରାସ୍ତ କରିଥିଲା। ମୋର ଦୁର୍ଭାଗ୍ୟ ଯେ ୧୯୭୧ ଅଗଷ୍ଟ ଶେଷ ଆଡ଼କୁ ଖେଳାଯାଇଥିବା ସେହି ଓଭାଲ୍ ଟେଷ୍ଟ ସମୟରେ ମୁଁ ବୋର୍ଡିଙ୍ଗ୍ ସ୍କୁଲ୍ ଯାଇ ସାରିଥିଲି। ତେଣୁ ସେତେବେଳେ ରେଡିଓରେ ମ୍ୟାଚ୍ର ଖବର ରଖିବା ସମ୍ଭବ ନ ଥିଲା; ତେଣୁ ପର ଦିନର ଖବରକାଗଜରୁ ପଢ଼ି ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କିନ୍ତୁ ୧୯୭୩ର ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍ ଟେଷ୍ଟର ପ୍ରତିଟି ବଲ୍ର ବିବରଣୀ ମୁଁ ରଖି ପାରିଥିଲି। ତେଣୁ ସେ ଖେଳଟି ମୋର ଅଧିକ ସ୍ପଷ୍ଟ ଭାବେ ମନେ ଅଛି।
ଭାରତୀୟ କ୍ରିକେଟ୍ପ୍ରେମୀମାନେ ଦୀର୍ଘ କାଳ ଧରି ନ୍ୟୁଜିଲାଣ୍ଡ୍ର କ୍ରିକେଟର୍ମାନଙ୍କୁ ନୀଚା ଦୃଷ୍ଟିରେ ଦେଖୁଥିଲେ। ସେମାନଙ୍କୁ ନେଇ ଆମ ଧାରଣା ପଛରେ ଯେଉଁ ଦୁଇଟି ବଡ଼ କାରଣ ଥିଲା, ତାହା ହେଉଛି: ପ୍ରଥମରେ ନ୍ୟୁଜିଲାଣ୍ଡ୍ ଦଳ ସର୍ବକାଳୀନ ସର୍ବନିମ୍ନ ଟେଷ୍ଟ ସ୍କୋର୍ ଭାବେ ମାତ୍ର ୨୬ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା; ଦ୍ବିତୀୟରେ ଆମେ ବିଦେଶ ମାଟିରେ ଜିଣିଥିବା ପ୍ରଥମ ଟେଷ୍ଟ ସିରିଜ୍ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଥିଲା। ହେଲେ ଗ୍ଲେନ୍ ଟର୍ନର୍ ମେ ପୂର୍ବରୁ ୧୦୦୦ ରନ୍ ହାସଲ କରି ଗ୍ରେସ୍, ହାମ୍ମଣ୍ଡ୍ ଓ ବ୍ରାଡ୍ମ୍ୟାନ୍ଙ୍କ ସମସ୍କନ୍ଧ ହୋଇଥିବାର ଶୁଣିବା ପରେ ଏବଂ ଟ୍ରେଣ୍ଟ୍ ବ୍ରିଜ୍ ପଡ଼ିଆରେ କଙ୍ଗ୍ଡନ୍ ଓ ପୋଲାର୍ଡ ୪୭୮ ରନ୍ ଲକ୍ଷ୍ୟର ପାଖାପାଖି ପହଞ୍ଚିଯିବାର ରୋମାଞ୍ଚକୁ ଉପଭୋଗ କରିବା ପରେ ମୁଁ ଆଉ କେବେ କିଵି କ୍ରିକେଟର୍ଙ୍କୁ ହେୟ ମଣି ନାହିଁ।
ଟେଷ୍ଟ୍ କ୍ରିକେଟ୍ ମାମଲାରେ କିଵି ଖେଳାଳିମାନେ ଅଦକ୍ଷ ବୋଲି ଇଂରେଜ, ଅଷ୍ଟ୍ରେଲୀୟ ଓ ଭାରତୀୟମାନଙ୍କର ଯେଉଁ ଭ୍ରାନ୍ତି ରହିଥିଲା, ତାହା ଏହାର ତିନି ବର୍ଷ ପରେ ୱେଲିଙ୍ଗ୍ଟନ୍ରେ ଏକ ଟେଷ୍ଟ୍ ମ୍ୟାଚ୍ରେ ରିଚାର୍ଡ ହାଡ୍ଲିଙ୍କ ଆକ୍ରାମକ ସ୍ବିଙ୍ଗ୍ ବୋଲିଂ ଦ୍ବାରା ଧରାଶାୟୀ ହୋଇଯାଇଥିଲା। ପ୍ରଥମ ଇନିଂସ୍ରେ ଗାଭାସ୍କର, ବିଶ୍ବନାଥ ଓ ଭେଙ୍ଗ୍ସରକାରଙ୍କ ସମେତ ଚାରିଟି ଵିକେଟ୍ ନେବା ପରେ ହାଡ୍ଲି ଆମ ଦଳକୁ ଦ୍ବିତୀୟ ଇନିଂସ୍ରେ ବିଧ୍ବସ୍ତ କରି ଦେଇଥିଲେ। ତାଙ୍କ ବୋଲିଂ ‘ଫିଗର୍’ ଥିଲା ୮.୩-୦-୨୩-୭। ଭାରତ ସେହି ମ୍ୟାଚ୍ ଗୋଟିଏ ଇନିଂସ୍ ଓ କିଛି ରନ୍ରେ ହାରି ଯାଇଥିଲା। ଯୁବ ହାଡ୍ଲି ଯଦିଓ ଏହାର ତାରକା ଥିଲେ, ଆଉ ଦୁଇ ଜଣ କିଵି ଖେଳାଳି ମଧ୍ୟ ୧୯୭୩ ବ୍ରିଟିସ୍ ଗ୍ରୀଷ୍ମର ନାୟକ ହୋଇଥିଲେ। ତାଙ୍କ ଦଳ ଯେଉଁ ଗୋଟିଏ ପାଳି ବ୍ୟାଟିଂ କରିଥିଲେ ସେଥିରେ ଗ୍ଲେନ୍ ଟର୍ନର୍ ଓ ବିଭାନ୍ କଙ୍ଗ୍ଡନ୍ ଉଭୟ ଅତି ଗୁରୁତ୍ବପୂର୍ଣ୍ଣ ଅର୍ଦ୍ଧ-ଶତକ ହାସଲ କରିଥିଲେ।
ଅନ୍ୟ ଦେଶର କ୍ରିକେଟର୍ (ଓ କ୍ରିକେଟ୍ ପ୍ରେମୀ)ମାନେ କିଵିମାନଙ୍କୁ ସମ୍ମାନର ସହ ଦେଖିବାର ସବୁଠାରୁ ବଡ଼ କାରଣ ହେଉଛନ୍ତି ରିଚାର୍ଡ ହାଡ୍ଲି। ପଡ଼ିଆରେ ହାଡ୍ଲିଙ୍କ ଅପରିହାର୍ଯ୍ୟ ସହଯୋଗୀ ଥିଲେ ତାଙ୍କର କନିଷ୍ଠ ସମସାମୟିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ କ୍ରୋ। ଯେଉଁଭଳି ହାଡ୍ଲି ତାଙ୍କ ସମୟରେ ଶ୍ରେଷ୍ଠ ବୋଲର୍ ଥିଲେ, କ୍ରୋ ମଧ୍ୟ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଥିଲେ। କ୍ରୋ ଜଣେ ବିଚକ୍ଷଣ ଅଧିନାୟକ ମଧ୍ୟ ଥିଲେ। ୧୯୯୨ ବିଶ୍ବ କପ୍ରେ ତାଙ୍କର ରଣକୌଶଳର ଦକ୍ଷତା ପ୍ରସ୍ଫୁଟିତ ହୋଇଥିଲା, ଯେତେବେଳେ ସେ ଜଣେ ସ୍ପିନର୍ଙ୍କ ଜରିଆରେ ଆକ୍ରମଣ ଆରମ୍ଭ କରିବାର ପରୀକ୍ଷାନିରୀକ୍ଷା କରିଥିଲେ।
ପାଠକମାନେ ୟା ଭିତରେ ଅନୁମାନ କରିସାରିଥିବେ ଯେ ଗତ ମାସର ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ରେ ନ୍ୟୁଜିଲାଣ୍ଡ୍ର ନିର୍ଣ୍ଣାୟକ ତଥା ଯଥାର୍ଥ ବିଜୟ ହାସଲ ଏହି ସ୍ତମ୍ଭ ଲେଖିବା ପାଇଁ ମୋତେ ପ୍ରେରିତ କରିଛି। ଦୂରତା ଅନୁଯାୟୀ ନ୍ୟୁଜିଲାଣ୍ଡ୍ର ନିକଟତମ କିନ୍ତୁ ନ୍ୟୁଜିଲାଣ୍ଡ୍କୁ ସର୍ବାଧିକ ହେୟଜ୍ଞାନ କରୁଥିବା ଅଷ୍ଟ୍ରେଲିଆକୁ ପଛରେ ପକାଇ ନ୍ୟୁଜିଲାଣ୍ଡ୍ ଫାଇନାଲ୍ରେ ପହଞ୍ଚିବା ଦେଖି ଖୁସି ଲାଗିଥିଲା। (୧୯୪୬ରେ ନ୍ୟୁଜିଲାଣ୍ଡ୍ରେ ଏକ ଟେଷ୍ଟ୍ ମ୍ୟାଚ୍ ଖେଳିବା ପରେ ଅଷ୍ଟ୍ରେଲୀୟମାନେ ସତେଇଶ ବର୍ଷ ଧରି ନ୍ୟୁଜିଲାଣ୍ଡ୍ ସହିତ ଖେଳିବା ପାଇଁ ମନା କରି ଆସିଥିଲେ।) ଏହା ଆହୁରି ପ୍ରଶଂସାଯୋଗ୍ୟ ଯେ ସେମାନେ ଆମକୁ ପରାସ୍ତ କଲେ। କାରଣ ଜନସଂଖ୍ୟା ବ୍ୟତିରେକ ଆର୍ଥିକ ଶକ୍ତି, ପ୍ରଶାସନିକ ନିୟନ୍ତ୍ରଣ ଓ ଅନ୍ୟମାନଙ୍କୁ ଭୟଭୀତ କରାଇବାର ସାମର୍ଥ୍ୟ ଦୃଷ୍ଟିରୁ ଭାରତ ଏହି ଖେଳର ଏକମାତ୍ର ସୁପର୍ ପାଵାର୍।
ନ୍ୟୁଜିଲାଣ୍ଡ୍ର କ୍ରିକେଟର୍ଙ୍କ ପ୍ରତି ଏକ ଶ୍ରଦ୍ଧା ନିବେଦନର ଅଂଶ ସ୍ବରୂପ ସେ ଦେଶର ସର୍ବକାଳୀନ ଖେଳାଳି ବାଛିବାର ଏକ ପ୍ରୟାସ କରୁଛି। ଗ୍ଲେନ୍ ଟର୍ନର୍ଙ୍କ ସହ ସାହସୀ ବାମହାତୀ ବର୍ଟ ସୁଟ୍କ୍ଲିଫ୍ ଇନିଂସ୍ ଓପନିଂ କରିବେ, ଯିଏ ଭାରତ ଗସ୍ତରେ ଦୁଇ ଥର ଆସି ଉଭୟ ପର୍ଯ୍ୟାୟରେ ଉତ୍ତମ ବ୍ୟାଟିଂ କରିଥିଲେ। କେନ୍ ଵିଲିୟମ୍ସନ୍ ଓ ମାର୍ଟିନ୍ କ୍ରୋ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିବେ। ଏ ଦୁଇ ଜଣଙ୍କ ମଧ୍ୟରେ ଅଧିନାୟକ ପଦ ଅଦଳବଦଳ କରାଯାଇପାରେ। ପୁରୁଣା ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଡନ୍ନେଲି ଏହି ସ୍ବତନ୍ତ୍ର ବ୍ୟାଟ୍ସମ୍ୟାନ୍ ତାଲିକାକୁ ସଂପୂର୍ଣ୍ଣ କରିବେ ଯିଏ ନ୍ୟୁଜିଲାଣ୍ଡ୍ ଦଳ ପାଇଁ ଲର୍ଡସ୍ ପଡ଼ିଆରେ ଇଂଲଣ୍ଡ ବିରୋଧରେ ଶତକ ହାସଲ କରିଥିଲେ। ପୁଣି କେମ୍ବ୍ରିଜ୍ ବିରୋଧରେ ଅକ୍ସଫୋର୍ଡ ଦଳ ପାଇଁ, ପ୍ଲେୟର୍ସ ବିରୋଧରେ ଜେଣ୍ଟଲ୍ମ୍ୟାନ୍ ଦଳ ପାଇଁ ଏବଂ ଇଂଲଣ୍ଡ ବିରୋଧରେ ଡମିନିଅନ୍ସ ଦଳ ପାଇଁ ୧୯୪୫ର ପ୍ରସିଦ୍ଧ ‘ଭିକ୍ଟରି ଟେଷ୍ଟ’ରେ ସେ ଶତକ ହାସଲ କରିଥିଲେ।
ଷଷ୍ଠ, ସପ୍ତମ ଓ ଅଷ୍ଟମ କ୍ରମରେ ତିନି ଜଣ ଅତ୍ୟନ୍ତ ସଫଳ ଅଲ୍-ରାଉଣ୍ଡର୍ ରହିବେ। ସେମାନେ ହେଉଛନ୍ତି ଯଥାକ୍ରମେ ଭାରତୀୟ ଯୁବ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଜଣାଶୁଣା ଓ ପ୍ରଶଂସିତ ଵିକେଟ୍ ରକ୍ଷକ ବ୍ରେଣ୍ଡନ୍ ମ୍ୟାକ୍କୁଲମ୍, ବାମହାତୀ ଧିମା ବୋଲର୍ ଡାନିଏଲ୍ ଭିଟୋରି ଏବଂ ରିଚାର୍ଡ ହାଡ୍ଲି; ଯିଏ ଜଣେ ଉତ୍କୃଷ୍ଟ ଦ୍ରୁତ ବୋଲର୍ ହେବା ସହିତ ବାମହାତୀ ବ୍ୟାଟିଂରେ ମଧ୍ୟ ସିଦ୍ଧହସ୍ତ ଥିଲେ। ଅତିରିକ୍ତ ତିନି ଜଣ ଖେଳାଳି ହେଉଛନ୍ତି ସିମ୍ ଓ ସ୍ବିଙ୍ଗ୍ ବୋଲର୍। ନ୍ୟୁଜିଲାଣ୍ଡ୍ ଏ ପ୍ରକାର ଉଚ୍ଚ ମାନର ବୋଲର୍ ସୃଷ୍ଟି କରୁଥିବା ଏକ ପ୍ରବୀଣ ଦେଶ। ଅତି କମ୍ରେ ଜଣେ ବାମହାତୀ ଖେଳାଳିଙ୍କ ପାଇଁ ଗୋଟିଏ ସ୍ଥାନ ଆରକ୍ଷିତ ରହିବା ଉଚିତ। ୧୯୭୩ ବେଳର ଦଳର ରିଚାର୍ଡ କୋଲିଞ୍ଜ ଏହାର ଶକ୍ତିଶାଳୀ ଦାବିଦାର ହୋଇଥିଲେ ହେଁ ମୁଁ ୨୦୨୧ ବେଳର ଦଳର ଟ୍ରେଣ୍ଟ ବୋଲ୍ଟଙ୍କୁ ବାଛିବି। ବ୍ୟାଟ୍ସମ୍ୟାନ୍ଙ୍କୁ ଲଗାତାର ଧରାଶାୟୀ କରିବାରେ ବୋଲ୍ଟଙ୍କ ପୁରୁଣା ଯୋଡ଼ିଦାର ହେଉଛନ୍ତି ଡାହାଣ ହାତୀ ସ୍ବିଂ ବୋଲର୍ ଟିମ୍ ସାଉଥି। ଶେଷ ସ୍ଥାନକୁ ପୂରଣ କରିବା ପାଇଁ ମୁଁ ସେନ୍ ବଣ୍ଡ୍ଙ୍କୁ ଚୟନ କରୁଛି, ଯିଏ କି ଘଣ୍ଟାକୁ ୧୦୦ରୁ ଅଧିକ ମାଇଲ୍ ବେଗର ବଲ୍କୁ ସ୍ବିଂ କରାଇବାକୁ ସକ୍ଷମ। ଵକାର୍ ୟୁନିସ୍ ହିଁ ଏକମାତ୍ର ବୋଲର୍ ଯିଏ ଏ ଧରଣର ବୋଲିଂ କରିବାରେ ତାଙ୍କର ସମକକ୍ଷ।
ବ୍ୟାଟିଂ କ୍ରମରେ ଏମାନେ ହେଉଛନ୍ତି ମୋ ପସନ୍ଦର ସର୍ବକାଳୀନ କିଵି ଏକାଦଶ: ୧. ଗ୍ଲେନ୍ ଟର୍ନର୍, ୨. ବର୍ଟ ସୁଟ୍କ୍ଲିଫ୍, ୩. କେନ୍ ଵିଲିୟମ୍ସନ୍ (ଅଧିନାୟକ), ୪. ମାର୍ଟିନ୍ େକ୍ରା (ଉପ ଅଧିନାୟକ), ୫. ମାର୍ଟିନ୍ ଡନ୍ନେଲି, ୬. ବ୍ରେଣ୍ଡନ୍ ମ୍ୟାକ୍କୁଲମ୍ (ଵିକେଟ୍ ରକ୍ଷକ), ୭. ଡାନିଏଲ୍ ଭିଟୋରି, ୮. ରିଚାର୍ଡ ହାଡ୍ଲି, ୯. ଟ୍ରେଣ୍ଟ ବୋଲ୍ଟ, ୧୦. ଟିମ୍ ସାଉଥି, ୧୧. ସେନ୍ ବଣ୍ଡ୍।
ଯଦି ଏହି ଦଳ ଏବଂ ସର୍ବକାଳୀନ ଭାରତୀୟ ଏକାଦଶ ଦଳ ମଧ୍ୟରେ ଭାରତୀୟ ଉପମହାଦେଶର ଭଙ୍ଗୁରଶୀଳ ପିଚ୍ରେ ଏକ କାଳ୍ପନିକ ପ୍ରତିଯୋଗିତା ହୁଏ, ତେବେ କିଵି ଖେଳାଳିମାନେ କୁମ୍ବଲେ, ମାଁକଡ଼ ଓ ଅଶ୍ବିନଙ୍କ ସମ୍ମୁଖରେ ସଂଘର୍ଷ କରିବେ। କିନ୍ତୁ ଯଦି ଜୁଲାଇ ମାସରେ ସାଉଥ୍ଆମ୍ପଟନ୍ର ମେଘୁଆ ଆକାଶ ତଳେ ଏହି ପ୍ରତିଯୋଗିତାଟି ହୁଏ ତେବେ ମୁଁ ହାଡ୍ଲି, ବଣ୍ଡ୍ ଓ ଅନ୍ୟ ବୋଲର୍ଙ୍କ ପକ୍ଷ ନେବି, ଯେଉଁମାନେ ଗାଭାସ୍କର, ତେନ୍ଦୁଲକର ଆଦିଙ୍କୁ ପାଣି ପିଆଇ ଦେବେ।