ପ୍ରଫେସର ଧ୍ରୁବରାଜ ନାଏକଙ୍କ ଅତ୍ୟନ୍ତ ଦୁଃଖଦାୟକ ଦେହାବସାନର ଆଜି ଦଶାହ। ତାଙ୍କ ଜୀବନୀ-ସଂପର୍କିତ ମୁଖ୍ୟ ବିବରଣୀ ବହୁ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ସାରିଛି। ତାହାର ପୁନରାବୃତ୍ତି ଆଜି ଗୁରୁତ୍ବପୂର୍ଣ୍ଣ ନୁହେଁ; ସେ ଜୀବନ ଉତ୍ତରଣର ଯେଉଁ ବାର୍ତ୍ତା ଦିଏ ସେଥି ପ୍ରତି ମନୋନିବେଶ କରିବା ଅଧିକ କାମ୍ୟ। ଏ ଲେଖକ ଗଙ୍ଗାଧର ମେହେର କଲେଜରେ ଇଣ୍ଟରମିଡିଏଟ୍ ଶ୍ରେଣୀର ତାଙ୍କ ସହପାଠୀ ଥିଲା। ସେଠି ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗତା ଗଢ଼ି ଉଠିଥିଲା। ତାଙ୍କ ସହିତ ପୁନର୍ବାର ଘନିଷ୍ଠ ଭାବରେ ସଂପୃକ୍ତ ହେବାର ସୁଯୋଗ ଆସିଥିଲା ଦୁଇ ବର୍ଷରୁ ଅଧିକ କାଳ ଧରି ପ୍ରାକ୍ ଅବସର ସମ୍ବଲପୁର ବିଶ୍ବବିଦ୍ୟାଳୟର ଶିକ୍ଷକ ଭାବେ। ସେ ଥିଲେ କୁଳପତି ଏବଂ ମୁଁ ଥିଲି ଇଂରେଜୀ ବିଭାଗର ଅଧ୍ୟାପକ। ମଧ୍ୟବର୍ତ୍ତୀ କାଳରେ ମୈତ୍ରୀ ବଳବତ୍ତର ରହିଥିବାର ଅନୁଭୂତି ପାଇଁ ଅବଶ୍ୟ କିଛି କିଛି ସୁଯୋଗ ଆସୁଥିଲା- ମାତ୍ର ସାମୟିକ ଭାବେ। ଆମ ଜୀବନର ସୁଦୀର୍ଘ କାଳଖଣ୍ଡରେ ତାଙ୍କ ବ୍ୟକ୍ତିତ୍ବ, ଚରିତ୍ର ଓ ମାନସିକତା ସଂପର୍କରେ ଅନେକ କିଛି ଜାଣିବାର ସୁଯୋଗ ପାଇଛି। ଏଠି ସେ ସବୁର ଉଲ୍ଲେଖ କରିବି ନାହିଁ। କେବଳ ଅବସର ଗ୍ରହଣ ପରେ ତାଙ୍କ ଜୀବନ ଯେଉଁ ମହତ୍ତର ସୋପାନକୁ ଉନ୍ନୀତ ହୋଇଥିଲା, ସେ ସଂପର୍କରେ କିଛି ଆଲୋଚନା କରି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବି।
କହି ରଖେ, ଧ୍ରୁବରାଜ ଈଶ୍ବର ବିଶ୍ବାସୀ ନ ଥିଲେ। ଧର୍ମାଚାରୀ ଥିଲେ। ଔପଚାରିକ ଈଶ୍ବର ଉପାସନା ଆଧ୍ୟାତ୍ମିକ ବିକାଶ ପାଇଁ ସହାୟକ ନିଶ୍ଚୟ, ମାତ୍ର ତାହା ଏକମାତ୍ର ମାର୍ଗ ନୁହେଁ। ସଦାଚାରୀ ଜୀବନଚର୍ଯ୍ୟା, ସ୍ବାର୍ଥରହିତ ସମାଜ ଓ ଜୀବ-ମଙ୍ଗଳକାରୀ କର୍ମ ମଣିଷକୁ ସାତ୍ତ୍ବିକ କରେ। ଫଳାକାଂକ୍ଷାହୀନ ଶ୍ରଦ୍ଧାଶୀଳ ସେବା ଚେତନାକୁ ସୁମୁନ୍ନତ କରେ। ଧ୍ରୁବରାଜ ତାଙ୍କ ଅବସର-ପର ଦୁଇ ଦଶନ୍ଧି ଅନେକାଂଶରେ ଜଣେ ସମର୍ପିତ କର୍ମଯୋଗୀ ଭାବେ ଅତିବାହିତ କଲେ। ସେଭଳି କରିବା ପାଇଁ ଯେଉଁ ଅନ୍ତର୍ଶକ୍ତି ଆବଶ୍ୟକ ତାହା ଦିନକରେ ଆସେ ନାହିଁ। ତିତିକ୍ଷା, ସାମାଜିକ ଆବେଗ, ସତ୍କର୍ମ ପାଇଁ ତ୍ୟାଗ; ପୂର୍ବରୁ ଏଭଳି ଅନେକ ଗୁଣ ତାଙ୍କର ରହିଥିଲା। ଅବସର ପରେ ସେଇ ସବୁ ଗୁଣ ପୁଷ୍କଳ ହୋଇ ସୁକର୍ମରେ ରୂପାୟିତ ହେଲା। ସେଇ କାଳରେ ହିଁ ତାଙ୍କ ବ୍ୟକ୍ତିଗତ ଜୀବନର ଏକ ଶୋକ ଆବର୍ତ୍ତ ମଧ୍ୟରୁ ସେ ମୁକ୍ତା ସାଉଁଟି ଆଣିଲେ। ଏକ ନୂତନ ଯାତ୍ରା ଆରମ୍ଭ ହେଲା, ଯାହା ତାଙ୍କର ସବୁଠାରୁ ଅଧିକ ପରିତୃପ୍ତିକର, ମଙ୍ଗଳକର ଜୀବନ ଖଣ୍ଡ ଭାବେ ପ୍ରକାଶ ଲାଭ କଲା। କିନ୍ତୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇ ଗୋଟିଏ ଲୋମହର୍ଷଣକାରୀ ଘଟଣାରେ ତାହାର ଅକାଳ-ସମାପ୍ତି ଚାଲି ଆସିଲା। ଅଲିଭା ଓ ଅବିସ୍ମରଣୀୟ ରହିଗଲା ଏକ ଅସାଧାରଣ ଜୀବନ ଗାଥା।
ସେ ଚାହିଁଥିଲେ ଭୁବନେଶ୍ବରସ୍ଥିତ ତାଙ୍କ ବାସଭବନରେ ଅବସରକାଳୀନ ଜୀବନ ତଥାକଥିତ ସୁଖରେ କଟାଇ ପାରିଥାନ୍ତେ। ସଭାସମିତି, ନାନା କମିଟିର ସଦସ୍ୟ କାର୍ଯ୍ୟ ଆଦି ଭଳି ଅନେକ କାମରେ ବ୍ୟାପୃତ ରହି ଏକ ଆପାତ-ଅର୍ଥପୂର୍ଣ୍ଣ ମାତ୍ର ବାସ୍ତବରେ ଅନେକାଂଶରେ ଶୂନ୍ୟଗର୍ଭା ଜୀବନଯାପନ କରି ଉପରଠାଉରିଆ ଆତ୍ମସନ୍ତୋଷ ଉପଭୋଗ କରିଥାନ୍ତେ। ସେ ବାଛି ନେଲେ ଏକ କଠିଣ ଜୀବନ। ଗାଁକୁ ଫେରିଗଲେ। ଜନମଙ୍ଗଳ କାର୍ଯ୍ୟରେ ଆପଣାକୁ ନିବେଦିତ କରିଦେଲେ। ସେଇ ଅଞ୍ଚଳରେ ପରିବେଶ ସଚେତନତା, ସ୍ବାସ୍ଥ୍ୟ ସେଚତନତା ଏବଂ ଶିକ୍ଷା ସଚେତନତା ପ୍ରଗାଢ଼ କରିବା ପାଇଁ ନାନାଦି କାର୍ଯ୍ୟକ୍ରମ ହାତକୁ ନେଲେ। ଅଶୀତିପର ବୟସରେ ମଧ୍ୟ ସାଇକେଲ ଚଢ଼ି ଦଶ-ପନ୍ଦର କିଲୋମିଟର ଦୂରରେ ଥିବା ଗାଁ ଓ ସ୍କୁଲ୍ମାନଙ୍କୁ ବହୁ ବାର ଯାଉଥିଲେ। ଅଞ୍ଚଳର ଅଧିବାସୀମାନଙ୍କୁ ଅନୁପ୍ରେରିତ କରି ବହୁବିଧ କାର୍ଯ୍ୟକ୍ରମ ଜରିଆରେ ଅନ୍ଧାରୀ ପାହାଡ଼ର ସବୁଜିମା ସୁରକ୍ଷିତ ଓ ସମ୍ବର୍ଦ୍ଧିତ କରିବାରେ ସେ ଯେଉଁ ଅସାମାନ୍ୟ ସଫଳତା ଲାଭ କରିଥିଲେ, ମହାକାଶ ଯାନରୁ ଉତ୍ତୋଳିତ ଫଟୋଚିତ୍ର ତାହାର ପ୍ରମାଣ ଦିଏ। ପ୍ରତ୍ୟହ ସକାଳୁ ଜଙ୍ଗଲକୁ ଯାଇ ଦୁଇ ତିନି ଘଣ୍ଟା ଧରି ଗଛପତ୍ରର ଅବସ୍ଥା ତଦାରଖ କରିବା ତାଙ୍କ ନିତ୍ୟନୈମିତ୍ତିକ ଅଭ୍ୟାସ ଥିଲା। ସେଥିରୁ ସେ ପ୍ରଚୁର ଆନନ୍ଦ ଲାଭ କରୁଥିଲେ। ବୈଜ୍ଞାନିକ ନିରୀକ୍ଷଣ ଓ ସ୍ବଚ୍ଛନ୍ଦ ପ୍ରକୃତିପ୍ରେମ ସୁସମନ୍ବୟ କରି ଗ୍ରାମୀଣ ସମାଜର, ବିଶେଷତଃ ଛାତ୍ରଛାତ୍ରୀମାନଙ୍କ ଚେତନାରେ ସେ ଯେଉଁ ଧରଣର ଭାବାବେଗ ସୃଷ୍ଟି କରିବାରେ ତତ୍ପର ଥିଲେ, ତାହାର ଅନ୍ୟତମ ପ୍ରମାଣ ନବାକ୍ଷରୀ ବୃତ୍ତରେ ରଚିତ ତାଙ୍କ ‘ଅନ୍ଧାରୀ ଭାଗବତ’।
ତାଙ୍କ ଶେଷ ଜୀବନରେ ଧ୍ରୁବରାଜ ଯେଉଁ ବାନପ୍ରସ୍ଥୀୟ ଆଦର୍ଶ ରୂପାୟିତ କଲେ, ତାହା ଯଦି ଆମମାନଙ୍କୁ ଅନୁପ୍ରାଣିତ କରିପାରନ୍ତା, ତା’ହେଲେ ଆଜିକାର ରାଜନୀତି ଓ ଅର୍ଥନୀତି-ପ୍ରସୂତ ପ୍ରଦୂଷିତ ସାମାଜିକ ଭାବମଣ୍ଡଳରେ ଅନେକ ସୁଧାର ଆସିଯାଆନ୍ତା। କୁହାଯାଏ ଯେ, ପୃଥିବୀର ବାୟୁମଣ୍ଡଳ ଅତ୍ୟନ୍ତ ସ୍ପର୍ଶକାତର- ଏପରି କି ଯଦି ଚୀନ୍ରେ ଗୋଟିଏ ପ୍ରଜାପତି ଦ୍ରୁତ ଗତିରେ ତାହାର ପକ୍ଷ ହଲାଏ, ତେବେ ତାହାଦ୍ବାରା କ୍ଷୀଣ ଭାବେ ଆନ୍ଦୋଳିତ ବାୟୁମଣ୍ଡଳରେ ଗୋଟିଏ କ୍ରମପ୍ରସାରିତ ତରଙ୍ଗ ସୃଷ୍ଟି ହୋଇ ଆମେରିକାରେ ଭୟଙ୍କର ଝଡ଼ଟିଏର ରୂପ ନେଇପାରେ (Butterfly Effect)। ଆମ ସାମାଜିକ ଭାବମଣ୍ଡଳ ସେ ପରି ସ୍ପର୍ଶକାତର। ଯେ କୌଣସି ଉଦ୍ବେଗକର ଘଟଣା ଘଟୁ, ତାହା ଅଲକ୍ଷ୍ୟରେ ସାମଗ୍ରିକ ଗୋଷ୍ଠୀ-ଚେତନାକୁ ଆକ୍ରାନ୍ତ କରେ। ଅଧିକାଂଶ ଲୋକ ଚେତନାକୁ ନିବୁଜ କରି ଓଟପକ୍ଷୀ ପରି ଆଖିବୁଜି ଦିଅନ୍ତି। କିନ୍ତୁ କ୍ରମେ ଝଡ଼ଟିଏ ନିଶ୍ଚୟ ସୃଷ୍ଟି ହୁଏ। ଉଭୟ ଭଲ-ମନ୍ଦର ପ୍ରଭାବ ସମସ୍ତଙ୍କ ସୂକ୍ଷ୍ମ-ଅବଚେତନରେ ପଡ଼େ। ଅଧିକାଂଶ ରାଜନୈତିକ ନେତା ବା କେର୍ପାରେଟ୍ ସବୁର ପ୍ରାଦୁର୍ଭାବରୁ ବ୍ୟକ୍ତି ସ୍ତରରେ ଆମେ ପୂରାପୂରି ସୁରକ୍ଷିତ ରହିବା ଯେପରି ଅସମ୍ଭବ, ସାଧୁପୁରୁଷ ବା ଜନମଙ୍ଗଳ ପାଇଁ ସମର୍ପିତ ନିଃସ୍ବାର୍ଥପର ଅଖ୍ୟାତ-ସୁଖ୍ୟାତ ଲୋକଙ୍କ ଭାବ ଓ କର୍ମର ସୁଫଳରୁ ସଂପୂର୍ଣ୍ଣ ବଂଚିତ ହେବା ସେ ପରି ଅସମ୍ଭବ। ଏହା ହୋଇ ନ ଥିଲେ ଆଜି ମଧ୍ୟ ଧର୍ମ ବିଚାର ରହି ନ ଥାନ୍ତା ଏବଂ ଅନେକ ସାଧାରଣ ଜୀବନ ଯାପନ କରୁଥିବା ଭଲ ମଣିଷ ନ ଥାନ୍ତେ। ସେ ଦିଗରେ ଚେତନାର ସଙ୍ଗରୋଧ ହିଁ ଆମ ଦୁର୍ଗତିର ମୁଖ୍ୟ କାରଣ। ଖାଲି ନିଜ ପାଇଁ ଜିଇ ରହିବା ବାସ୍ତବରେ ବଂଚିବା ନୁହେ- ଏ ସତ୍ୟଟି ଅନ୍ତତଃ ଅନୁଭୂତି ସଂପନ୍ନ ସମସ୍ତ ବୟସ୍କ ବ୍ୟକ୍ତି ଜାଣିଥାନ୍ତି। କିନ୍ତୁ ସଂକୀର୍ଣ୍ଣ, ଆପାତ-ସୁରକ୍ଷିତ ମେଲା ଦୁଆରଟିଏ ଥିବା ପିଞ୍ଜରା ଭିତରୁ ବାହାରକୁ ଯିବାର ଆବେଗ ବିକାଶ ପାଇଁ ଅଧିକାଂଶ ତତ୍ପର ନ ଥାନ୍ତି। ଧ୍ରୁବରାଜ ତତ୍ପର ହେଲେ। ଏଣୁ ତାଙ୍କ ଶେଷ ମୁହୂର୍ତ୍ତ ଆମ ପାଇଁ ହୃଦୟ-ବିଦାରକ; ତା’ ପୂର୍ବ ଦୁଇ ଦଶନ୍ଧି ଆମର ହୃଦୟ-ଉଲ୍ଲାସକ। ଯାହା କହନ୍ତି, ମଣିଷ ପରି ମଣିଷଟିଏ ଭାବେ ସେ ଉଭା ହେଲେ। ସମସ୍ତେ ଚାଲିଯିବେ; ସେ ମଧ୍ୟ ଚାଲିଗଲେ। କିନ୍ତୁ ବହୁ ଜନଙ୍କ ସ୍ମୃତିରେ ସେ ବଂଚି ରହିବେ। ଶୁଦ୍ଧାତ୍ମା ପାଲଟିଥିବା ସେଇ ବନ୍ଧୁଙ୍କ ପରମ ଶାନ୍ତି ପାଇଁ ବିଭୁ ଚରଣରେ ବିନମ୍ର ପ୍ରାର୍ଥନା।
ରୁଗୁଡ଼ିପଡ଼ା, ବଲାଙ୍ଗୀର