ଗାନ୍ଧୀଙ୍କ ସୁଭାଷ

ବିଜୟ ନାୟକ

ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାଷଙ୍କ ମଧ୍ୟରେ ଖୁବ୍ କମ୍ ସାମଞ୍ଜସ୍ୟ ଥିଲା। ଦୁହିଁଙ୍କ ମଧ୍ୟରେ ବୟସର ତାରତମ୍ୟ ଥିଲା ପାଖାପାଖି ତିନି ଦଶନ୍ଧି। ଗାନ୍ଧୀଜୀ ପୁଣି ପଶ୍ଚିମ ଭାରତର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିବା ବେଳେ ନେତାଜୀ ପୂର୍ବଭାରତର କଟକରେ ଭୂମିଷ୍ଠ ହୋଇଥିଲେ। ସେହିପରି ଗାନ୍ଧୀଜୀ ତାଙ୍କ ସଂଗ୍ରାମୀ ଜୀବନ ଆରମ୍ଭ କରିଥିଲେ ଦେଶ ବାହାରେ, ସୁଦୂର ଦକ୍ଷିଣ ଆଫ୍ରିକାରେ। ନେତାଜୀଙ୍କ ରାଜନୈତିକ କ୍ୟାରିଅରର ଅଙ୍କୁରୋଦ୍‌ଗମ ଘଟିଥିଲା ସେ ଉଚ୍ଚଶିକ୍ଷା ଲାଭ କରିଥିବା କଲିକତା ମହାନଗରୀରେ। କିନ୍ତୁ ଏ ସବୁ ପାର୍ଥକ୍ୟ କ’ଣ ପାର୍ଥକ୍ୟରେ ଗଣା? ବଡ଼ କଥା ହେଲା ବିଚାରଧାରା ଓ କାର୍ଯ୍ୟପନ୍ଥାରେ ଏହି ଦୁଇ ମନୀଷୀଙ୍କ ମଧ୍ୟରେ ଥିଲା ଆକାଶପାତାଳର ପ୍ରଭେଦ। ଧ୍ୟେୟ ଓ ସାଧନର ସଂପର୍କକୁ ନେଇ ଗାନ୍ଧୀଜୀ ଓ ନେତାଜୀଙ୍କ ଭିତରେ ଥିଲା ମୌଳିକ ମତାନ୍ତର। ଗାନ୍ଧୀ ବିଚାରୁଥିଲେ ଯେ ଜୀବନର ବା ସମାଜର ଏପରି କି ରାଷ୍ଟ୍ରର ପ୍ରାଥମିକତା ଧ୍ୟେୟ ବା ଲକ୍ଷ୍ୟ ନୁହେଁ। ଶୁଦ୍ଧ ସାଧନ ମାଧ୍ୟମରେ ଅସାଧ୍ୟ ସାଧିତ ହୁଏ ବୋଲି ସେ ବିଶ୍ୱାସ କରୁଥିଲେ ଏବଂ ସେଥିପାଇଁ ସତ୍ୟ ଓ ଅହିଂସା ଥିଲା ତାଙ୍କ ସକଳ ସଂଗ୍ରାମର ଅବଲମ୍ବନ। ସୁଭାଷ କିନ୍ତୁ ଏମନ୍ତ ତାତ୍ତ୍ୱିକ ବିଚାର ଉପରେ ଆସ୍ଥା ରଖୁ ନଥିଲେ। ରାଷ୍ଟ୍ର ସମ୍ମୁଖରେ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ସମୂହର ତାଲିକା ପ୍ରସ୍ତୁତ ହେବା ଚାହି ଏବଂ ତା’ର ପରିପୂରଣ ନିମନ୍ତେ ସମୟୋଚିତ ଓ ପ୍ରୟୋଜନୀୟ ପନ୍ଥା ଗ୍ରହଣ କରାଯିବା ଉଚିତ ବୋଲି ସୁଭାଷ କହୁଥିଲେ। ସତ୍ୟାଗ୍ରହ ତୁଳନାରେ କୂଟନୀତି, ଆନ୍ତର୍ଜାତିକ ପ୍ରଚାର ଏବଂ ରାଜନୈତିକ ଦର କଷାକଷି ସ୍ୱାଧୀନତା ପାଇଁ ଅଧିକ ଫଳପ୍ରଦ ବୋଲି ସୁଭା‌ଷ ମନେ କରୁଥିଲେ। ଶତ୍ରୁଆଡ଼କୁ ମିତ୍ରତାର ହାତ ବଢ଼ାଇବା ପରି ଗାନ୍ଧୀନୀତି ପରିବର୍ତ୍ତେ ଅରି ଦମନ ପାଇଁ ଆବଶ୍ୟକ ସ୍ଥଳେ ରକ୍ତପାତକୁ ଗ୍ରହଣ କରିବାକୁ ସେ ପସନ୍ଦ କରୁଥିଲେ। ସୁତରାଂ ଅହିଂସ ସଂଗ୍ରାମର ବେସାଲିସ୍ କର୍ଣ୍ଣଧାରଙ୍କ ସହିଂସ ସଂଗ୍ରାମର ସେନାନୀଙ୍କ ସହ ମତଭେଦ ନ ହୁଅନ୍ତା କିପରି? ସେଥିପାଇଁ ସୁଭାଷ ବାବୁ କଂଗ୍ରେସର ସଭାପତି ହୁଅନ୍ତୁ ବୋଲି ଚାହୁଁ ନଥିଲେ ମହାତ୍ମା ଗାନ୍ଧୀ। ୧୯୪୨ ମସିହା ଜୁନ୍ ମାସରେ ମାର୍କିନ ସାମ୍ବାଦିକ ଲୁଇ ଫିସର୍‌ଙ୍କୁ ସାକ୍ଷାତକାର ଦେଇ ଗାନ୍ଧୀ ସ୍ୱୀକାର କରିଥିଲେ ଯେ ସେ ସୁଭାଷଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଥିଲେ ଏବଂ ତାଙ୍କୁ ଦୁଇ ଥର କଂଗ୍ରେସ ସଭାପତି ହେବାରୁ ବଞ୍ଚିତ କରିଥିଲେ। ତେବେ ଶେଷରେ ସୁଭାଷ ବୋଷ ଗାନ୍ଧୀଙ୍କ ପ୍ରାର୍ଥୀ ପଟ୍ଟାଭି ସୀତାରାମାୟଙ୍କୁ ପରାସ୍ତ କରି କଂଗ୍ରେସର ସଭାପତି ହୋଇଥିଲେ। ଏଥିରେ ଅସୁଖୀ ଗାନ୍ଧୀ ‘ପଟ୍ଟାଭିଙ୍କ ପରାଜୟ ମୋ ପରାଜୟ’ ବୋଲି ମନ୍ତବ୍ୟ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ସୁଭାଷ ସଭାପତି ପଦରୁ ଇସ୍ତଫା ଦେଇଥିଲେ ଏବଂ ତା’ର ଅଳ୍ପ ଦିନ ପରେ ଅର୍ଥାତ୍ ୨୨ ଜୁନ୍‌, ୧୯୩୯ ମସିହାରେ ସର୍ବଭାରତୀୟ ଫରୱାର୍ଡ ବ୍ଲକ୍ ନାମରେ ନୂଆ ଦଳ ଗଠନ କରିଥିଲେ।

ତେବେ, ମତାନ୍ତର ମନାନ୍ତରର ପ୍ରାଚୀର ସୃଷ୍ଟି କରିପାରି ନ ଥିଲା। ଗାନ୍ଧୀଙ୍କର ପ୍ରଚଣ୍ଡ ଶ୍ରଦ୍ଧା ଥିଲା ସୁଭାଷଙ୍କ ପ୍ରତି ତ ସୁଭାଷଙ୍କର ମହାତ୍ମାଙ୍କ ପ୍ରତି ଥିଲା ପ୍ରଚୁର ସମ୍ମାନ। ୧୯୪୪ ମସିହା ଜୁଲାଇ ୬ ତାରିଖରେ ସୁଭାଷ ଆଜାଦ ହିନ୍ଦ ରେଡିଓରୁ ମହାତ୍ମା ଗାନ୍ଧୀଙ୍କୁ ଜାତିର ଜନକ ବୋଲି ସମ୍ବୋଧନ କରି ଆଜାଦ ହିନ୍ଦ ଫୌଜର ମୁକ୍ତିଯୁଦ୍ଧର ସଫଳତା ପାଇଁ ତାଙ୍କ ଆଶୀର୍ବାଦ କାମନା କରିଥିଲେ। ସୁଭାଷ ମୋର ପୁଅ ପରି ବୋଲି ଗାନ୍ଧୀଜୀ ମଧ୍ୟ କହୁଥିଲେ। ୧୯୪୧ ମସିହା ଜାନୁଆରି ୨୭ ତାରିଖ ଭାରତ ଇତିହାସର ଏକ ଅଭୁଲା ଦିନ। ସେ ଦିନ ପଠାଣ ବେଶରେ କଲିକତାରୁ ପଳାୟନ କଲେ ନେତାଜୀ। କଲିକତାରୁ କାବୁଲ ଓ ମସ୍କୋ ହୋଇ ସେ ବର୍ଲିନ୍ ଯାଇଥିଲେ। ସାରା ଭାରତରେ ଆଶା, ଆଶଙ୍କାର ଲହରି ଉଠିଥିଲା। ଭାରତ ଭିତରେ ବାପୁଜୀ, ଭାରତ ବାହାରେ ନେତାଜୀ- ବ୍ରିଟିସ୍‌ ସରକାର ଛାନିଆ ହୋଇ ଭାରତ ଛାଡ଼ି ପଳାଇବ ବୋଲି କଥା ତୁଣ୍ଡ ବାଇଦରେ ସହସ୍ର କୋଶକୁ ବ୍ୟାପୁଥିଲା। ମିତ୍ର ଶକ୍ତି ଓ ଅକ୍ଷ ଶକ୍ତି ମଧ୍ୟରେ ଚାଲିଥିଲା ଘମାଘୋଟ ଲଢ଼େଇ। ବ୍ରିଟିସ୍‌ ବିରୋଧୀ ଶକ୍ତିଙ୍କ ସପକ୍ଷରେ ଥିଲେ ସୁଭାଷ। ତେବେ ୧୯୪୩ ମସିହାରେ ସେ ଇଣ୍ଡିଆନ୍ ନେସନାଲ ଆର୍ମି (ଆଜାଦ୍ ହିନ୍ଦ୍ ଫୌଜ)ର ଅଧିନାୟକତ୍ୱ ଗ୍ରହଣ କରିଥିଲେ ଏବଂ ସିଙ୍ଗାପୁରରେ ପ୍ରୋଭିଜନାଲ ଆଜାଦ୍ ହିନ୍ଦ୍ ସରକାର ମଧ୍ୟ ଗଠନ କରିଥିଲେ। ଏହା ଭାରତର ଯୁବବର୍ଗଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଗୋଟେ ସମୟରେ ଭାରତର ମନ୍ଦ୍ର ଧ୍ୱନି ଥିଲା ଗାନ୍ଧୀଜୀଙ୍କ ‘ଭାରତ ଛାଡ଼’ ଡାକରା ଏବଂ ନେତାଜୀଙ୍କ ‘ଦିଲ୍ଲୀ ଚଲୋ’ ଆହ୍ୱାନ। ଏହା ଗାନ୍ଧୀଜୀଙ୍କୁ କମ୍ ଶିହରିତ କରି ନ ଥିଲା। ମୌଲାନା ଆବୁଲ କାଲାମ ଆଜାଦ୍ ତାଙ୍କର ଆତ୍ମଜୀବନୀ ‘ଇଣ୍ଡିଆ ୱିନ୍‌ସ ଫ୍ରିଡମ୍‌’ରେ ଉଲ୍ଲେଖ କରିଛନ୍ତି ଯେ ସୁଭାଷଙ୍କ ପ୍ରତି ଗାନ୍ଧୀଜୀଙ୍କ ମନୋଭାବ ବଦଳୁଥିବା ସେ ଲକ୍ଷ୍ୟ କରିଥିଲେ ଏବଂ ତାଙ୍କ କଥାବାର୍ତ୍ତାରେ ସୁଭାଷଙ୍କ ବୀରତ୍ୱ ପ୍ରତି ପ୍ରଶଂସା କ୍ରମେ ସ୍ପଷ୍ଟ ହେଉଥିଲା। ଗାନ୍ଧୀଜୀଙ୍କ ମନୋଭାବ ଆହୁରି ସ୍ପଷ୍ଟ ହୋଇଥିଲା ପୂର୍ବୋକ୍ତ ଲୁଇ ଫିସର୍‌ଙ୍କ ସହିତ ହୋଇଥିବା ସାକ୍ଷାତକାରରେ। ସୁଭାଷଙ୍କୁ ସେ ‘ପ୍ୟାଟ୍ରିଅଟ୍ ଅଫ୍ ଦ ପ୍ୟାଟ୍ରିଅଟ୍‌ସ’ ବୋଲି ଅଭିହିତ କରିଥିଲେ। ଫିସରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସମୟରେ ସେ ବ୍ରିଟିସ୍‌ ଶାସନରେ ଫାସିବାଦୀ ଉପାଦାନ ଥିବା କଥା କହିଥିଲେ। ଏଥିରୁ ଅନୁମାନ କରିହୁଏ ଯେ ସୁଭାଷଙ୍କ ପନ୍ଥା ପ୍ରତି ସମର୍ଥନ ନ ଥିଲେ ବି ଗାନ୍ଧୀଙ୍କ ମନରେ ତାଙ୍କ ପରାକ୍ରମ ପ୍ରତି ଅଜସ୍ର ଶ୍ରଦ୍ଧା ଥିଲା। ନେତାଜୀଙ୍କ ଦୃଷ୍ଟିଭଙ୍ଗୀର ଦୁଇ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ସର୍ବଭାରତୀୟତା ଓ ଧର୍ମ ନିରପେକ୍ଷତା। ନେତାଜୀ ତାଙ୍କ ମାତୃଭାଷା ବଙ୍ଗଳାରେ ନୁହେଁ, ହିନ୍ଦୀ ଭାଷାରେ ତାଙ୍କ ଫୌଜର ପରିଚାଳନା କରୁଥିଲେ। ଅଞ୍ଚଳ ବା ଭାଷାଗତ ସଂକୀର୍ଣ୍ଣତାର ସେ ଥିଲେ ଊର୍ଦ୍ଧ୍ୱରେ। ତାଙ୍କ ସଂଗଠନରେ ଜାତିଧର୍ମର ମଧ୍ୟ ବିବେଚନା ନ ଥିଲା। ଏପରି କି ଫୌଜର ଏକାଧିକ ମହିଳା ଶାଖା କାର୍ଯ୍ୟ କରୁଥିଲା, ଯାହା ଥିଲା ସେ କାଳର ଭାରତବର୍ଷରେ ଏକ ବିପୁଳ ବିସ୍ମୟ।

ତାଙ୍କ ଫୌଜର ପ୍ରତ୍ୟେକ ସଦସ୍ୟ ଥିଲେ ସ୍ୱଦେଶ ପ୍ରୀତିର ପ୍ରମୂର୍ତ୍ତ ପ୍ରତୀକ। ତିନିଜଣ ବିଶିଷ୍ଟ ଯୁଦ୍ଧବନ୍ଦୀଙ୍କ ବିଷୟରେ ଉଲ୍ଲେଖ କଲେ ଦେଶପ୍ରେମ ଓ ଧର୍ମ ନିରପେକ୍ଷତା କଥାଟି ପ୍ରାଞ୍ଜଳ ହେବ। ପ୍ରଥମେ ଯେଉଁ ତିନିଜଣ ଯୁଦ୍ଧବନ୍ଦୀଙ୍କ ବିଚାର ଲାଲକିଲ୍ଲାରେ ହେଉଥିଲା, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ହିନ୍ଦୁ (ପି.କେ. ସେହଗଲ), ଜଣେ ମୁସଲମାନ (ଶାହାନୱାଜ ଖାଁ) ଏବଂ ଅନ୍ୟ ଜଣକ (ଜି.ଏସ୍‌. ଧିଲନ୍‌) ଶିଖ୍ ଥିଲେ। ଆଜାଦ୍ ହିନ୍ଦ୍ ଫୌଜର ଲଢୁଆ ବୀରମାନଙ୍କ ପାଇଁ ଦେଶ ବିଭାଜନ ତତ୍ତ୍ୱ ଥିଲା ନିରର୍ଥକ। ଆଜାଦ୍ ହିନ୍ଦ୍ ସୈନ୍ୟମାନଙ୍କ ସହିତ ଗାନ୍ଧୀଜୀ ମଧ୍ୟ ଫଟୋ ଉଠାଇଥିଲେ ଏବଂ ଯୁଦ୍ଧବନ୍ଦୀଙ୍କ ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଥିଲା କଂଗ୍ରେସ। ‘ହିଜ୍ ପ୍ୟାଟ୍ରିଅଟିଜମ୍ ଇଜ୍ ସେକେଣ୍ଡ ଟୁ ନନ୍‌’ ବୋଲି ୧୯୪୬ ମସିହା ଫେବ୍ରୁଆରି ୧୫ ତାରିଖ ଦିନ ସେବାଶ୍ରମ ଆଶ୍ରମରେ ଲିଖିତ ଏକ ଆଲେଖ୍ୟରେ ଗାନ୍ଧୀଜୀ ଉଲ୍ଲେଖ କରିଥିଲେ। ଉଭୟ ଜବାହର ଓ ସୁଭାଷ ଥିଲେ ଗାନ୍ଧୀଙ୍କ ପୁତ୍ରପ୍ରତିମ। ଜବାହର ତାଙ୍କ ପ୍ରେୟଃ ଥିଲେ ବି ଶ୍ରେୟଃ ଥିଲେ ସୁଭାଷ।

ଭି.ଏ.-୯/୨, ୟୁନିଟ୍‌-୨, ଭୁବନେଶ୍ୱର-୭୫୧୦୦୯
[email protected]

ସମ୍ବନ୍ଧିତ ଖବର