ସଜେଇହେବା ସହିତ ବେଶପୋଷାକର ଗୋଟାଏ ଗୂଢ଼ ସମ୍ପର୍କ ଅଛି। ସଜେଇହେବା ସମସ୍ତେ ଚାହାନ୍ତି। ହେଲେ ଏ ସଜାଣ ସବୁବେଳେ ତାମସିକ ବା ରାଜସିକ ନୁହେଁ। ଅନୁଧ୍ୟାନ କଲେ ଜାଣିହେବ ଯେ ମୁନି ଋଷିଙ୍କର ଜୀବନଚର୍ଯ୍ୟାରେ ଯେଉଁ ବେଶପୋଷାକ ଥାଏ ସେଥିରେ ଥାଏ ସାଧନାର ଛାପ ଯାହା ଆଧ୍ୟାତ୍ମିକତା ସକାଶେ ଅଭିପ୍ରେତ। ପଶୁପକ୍ଷୀଙ୍କ ଭିତରେ ସଜାସଜି ପ୍ରକୃତିର ଅବଦାନ। ହେଲେ କେତେକ ଜୀବ ଅଛନ୍ତି ଯେଉଁମାନେ ସଙ୍ଗଲାଭ ପାଇଁ ନିଜ ଦେହରେ କେବଳ ସେଇ ସମୟରେ ଏମିତି ପରିବର୍ତ୍ତନ ଆଣନ୍ତି ଯାହାକୁ ଆମେ ଏକ ସାମୟିକ ସଜାଣ କହିପାରିବା। ସେ ଭିତରେ ସବୁଠାରୁ ଚମକପ୍ରଦ ହେଉଛି ‘‘ବାର୍ଡ ଅଫ୍ ହେଭେନ୍‌’’।

Advertisment

ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମଣିଷ ଛଡ଼ା ସାରା ପୃଥିବୀରେ ଆଉ କେହି ପୋଷାକ ପିନ୍ଧେ ନାହିଁ। ମଣିଷ ହିଁ ଏକମାତ୍ର ପୋଷାକପ୍ରାଣ ପ୍ରାଣୀ। କେବଳ ସେତିକି ନୁହେଁ, ସେ ଯେ ନିଜେ ବେଶପଟା ହୁଏ ସେ କଥା ନୁହେଁ। ଆପଣା ରୁଚି ଓ ସାମର୍ଥ୍ୟ ଅନୁସାରେ ସେ ନିଜର ପ୍ରିୟ ପଶୁପକ୍ଷୀଙ୍କୁ ବି ସଜାଏ, ବେଶପେ‌ାଷାକ ପିନ୍ଧାଏ।

ବେଶ କହିଲେ ତାହା ଅନେକ କଥାକୁ ବୁଝାଏ, ଯଥା ପ୍ରସାଧନ, ଅଳଙ୍କାର ଓ ଆବରଣ ବା ପୋଷାକ। କେତେକ ସଂସ୍କୃତିରେ ଅଳଙ୍କାରକୁ ସୁଦ୍ଧା ପୋଷାକ କରି ପିନ୍ଧାଯାଏ। ପ୍ରସାଧନ, ପୋଷାକ ଓ ଅଳଙ୍କାର କେଉଁ ପ୍ରାଚୀନ କାଳରୁ ମଣିଷ ସହ ରହି ଆସିଛି। ସେମିତି ବି ରହି ଆସିଛି ତା’ ପ୍ରିୟ ପରିସରକୁ ସଜେଇବାର ନିଶା। ଘର ଦ୍ବାର, ବାଡ଼ି ବଗିଚା, ଗୃହପାଳିତ ପଶୁପକ୍ଷୀ ଏପରି କି ଆପଣାର ଇଷ୍ଟ ମନେ କରୁଥିବା ଠାକୁର ଠାକୁରାଣୀଙ୍କୁ।

ଏ ସବୁ କଥା ଅନେକ ସମୟରେ ମଣିଷ ଆପଣାର ସୁଖ ପାଇଁ କରେ। ବେ‌େଳ ବେଳେ ପାଳିତ ପ୍ରାଣୀଙ୍କୁ ଯେ ସେ ବେଶପଟା କରାଏ ସେଥିରେ ପ୍ରାଣୀଟିର ଯେତେ ସୁଖ ନ ଥାଏ, ତା’ ଠାରୁ ଅଧିକ ଥାଏ ତା’ ନିଜର। ବିଲେଇ, କୁକୁର, ଘୋଡ଼ା, ଗଧ ଆଦିଙ୍କ ପାଇଁ ପୋଷାକ ତିଆରି କରି ସେ ସେମାନଙ୍କୁ ବେଳେବେଳେ ସୁରକ୍ଷା ଦେବା ପାଇଁ ଚାହେଁ। ବିଲେଇ ଲାଗି ଗରମ ପୋଷାକ, କୁକୁର ଦେହରେ ଜାମା ଓ ପାଦରେ ମୋଜା ଏବଂ ଘୋଡ଼ା ଶରୀରରେ ଆପ୍ରନ୍ ସେମାନଙ୍କୁ ଥଣ୍ଡାରୁ ରକ୍ଷା କରିବା ଲାଗି ଉଦ୍ଦିଷ୍ଟ ନିଶ୍ଚୟ ହେଲେ ସେମାନଙ୍କ ଦେହରେ ବଳା, ଘାଗୁଡ଼ି, ଅଳଙ୍କାର, ଆସ୍ତରଣ ଆଦି ମଣିଷ ନିଜ ମନର ସଉକ ମେଣ୍ଟାଇବା ପାଇଁ କରେ। କେହି କେହି ତ ପୋଷା ବିଲେଇ, ମାଙ୍କଡ଼ଙ୍କର କାନ ଫୋଡ଼େଇ ସୁନା ଫାସିଆ ପିନ୍ଧାନ୍ତି, ଘାଗୁଡ଼ି ବାନ୍ଧନ୍ତି। କେହି ବାଦ୍ ଯାଆନ୍ତିନି। ଛେଳି ମେଣ୍ଢା ବି।

ଛୋଟ ପିଲା ବେକରେ ଯେ ହାର ମାଳ, ହାତ ଖଡୁ, ଗୋଡ଼ ଖଡୁ, ଅଣ୍ଟା ସୂତା ସେ ସବୁ ବଡ଼ ମଣିଷର ଆଖି-ସୁଖ ଲାଗି। ପିଲାର ତହିଁରେ କି ଅସୁବିଧା, କେହି କ’ଣ ବିଚାର କରେ? ଗୀତ ତ ଅଛି, ‘‘ଝୁଲି ଝୁଲି କିଏ ଆସୁଥାଇରେ ମୋର ଝୁମୁରୁ ଝୁମୁରୁ ପୟର୍’’।

ପାଳିତ ପଶୁଙ୍କ ଭିତରେ ସବୁଠାରୁ ଅଧିକ ମଣିଷର ଆଖିସୁଖ ପ୍ରଚୋଦିତ କଷଣ ଭୋଗେ ବଣର ବିଶାଳତମ ଜନ୍ତୁ, ଗଜରାଜ। ଗୋଡ଼, କାନ, ଶୁଣ୍ଢ, ପିଠି ସୁବଆଡ଼େ ଲଦନ। ସେଇ ଭଳି ମରୁଭୂମିର ଓଟ। କିଏ ସେଥିରେ ସୁଖୀ ହୁଏ! ମଣିଷ ନା ପଶୁଟି?

ଏ ସଜେଇବା ମୂଳତଃ ମଣିଷ ତା’ ଆପଣା ବିଳାସ ପାଇଁ କରେ। ସେଥିରୁ ସେ ସର୍ବୋଚ୍ଚ ସମ୍ମାନ ଦେଉଥିବା ଠାକୁର ଠାକୁରାଣୀ ବି ବାଦ୍ ପଡ଼ନ୍ତି ନାହିଁ।

ଠାକୁର ମୂକ। ଭାରତୀୟ ଆଇନ ଅନୁସାରେ ପ୍ରତିଟି ଠାକୁର ବା ଠାକୁରାଣୀ ପର୍‌ମାନେଣ୍ଟ୍ ମାଇନର୍। ଚିରକାଳ ପିଲା। ନାବାଳକ ବା ନାବାଳିକା। ମଣିଷ ଯାହା କରେ ତାହା ମାର୍ଫତଦାର୍ ହୋଇ। ଅତଏବ ସେ ତାଙ୍କୁ ନାଁ ଦିଏ। ଏ ହେଲେ ଜଗନ୍ନାଥ, ସେ ଦ୍ବାରକାନାଥ। ଏ ମା’ ହେଉଛନ୍ତି ସନ୍ତୋଷୀ ମା’, ସେ ହେଉଛନ୍ତି ଗୋଜବାୟାଣୀ।

ଅନେକ ଦିନ ତଳେ ଗାଁ ଲୋକେ ଗେଙ୍ଗୁଟି ନଈକୂଳରୁ ଖରାତରା ଖାଇ ପଡ଼ିଥିବା ଠାକୁର ମୂର୍ତ୍ତିଟିଏ ପାଇଲେ। ଗାଁ ପାଇଁ ଗ୍ରାମଦେବତୀ ଲୋଡ଼ା। ଆହା ଈଶ୍ବର କୃପା କଲେ। ସିନ୍ଦୂର ବୋଳାଗଲା, ପିନ୍ଧେଇ ଦିଆଗଲା କାଛେଣୀ। ମାଟି ଘୋଡ଼ା ଆସି ଠିଆ ହେଲେ ପାଖରେ। ଝୁଣା, ଗୁଗ୍‌ଗୁଳରେ ମହକିଲା ପରିବେଶ। କିଏ ଜଣେ କହିଲା ଇଏ କେଉଁ ମାଆ? ସଙ୍ଗେ ସଙ୍ଗେ ଆଉ ଜଣେ କିଏ କହିଲା- ଏ ହେଉଛନ୍ତି ‘‘ଖରାଖାଇ ଠାକୁରାଣୀ’’। ବେଶ୍ ସେଇଦିନୁ ମା’ ସେଠି ବିଦ୍ୟମାନା। କିଏ ନାଁ ଦେଲା କାହାକୁ? ଅସଲ ମୂର୍ତ୍ତିଟି କିନ୍ତୁ ନାରାୟଣ ମୂର୍ତ୍ତି। ଭୁବନେଶ୍ବରର ପୁରୁଣା ଭୁବନେଶ୍ବରରେ ଅଛନ୍ତି ଲୋକମୁହଁରେ ଆହ୍ଲାଦଗୃହୀତ ‘‘ଖଡ଼ାଖିଆ ବୈଦ୍ୟନାଥ’’। ବୈଦ୍ୟନାଥ ଖଡ଼ା କାହିଁକି ଖାଇବେ? ସେ ‘‘ଖରାଖିଆ ବୈଦ୍ୟନାଥ’’, ପ୍ରଭୁ ଲିଙ୍ଗରାଜଙ୍କର ବୈଦ୍ୟ।

ମଣିଷ ତା’ର ବିଶ୍ବାସ ଓ କଳ୍ପନାକୁ ନେଇ ସଂସାର ଗଢ଼ିଛି। ସବୁ ସାରର ସମାହାର ସଂସାର। ସେଇ ସାର ହେଉଛି ଏଇ ଭାବ, ବିଶ୍ବାସ ଓ କଳ୍ପନା। ସମାଜ ଠାରୁ ଆରମ୍ଭ କରି ନୀତି, ନିୟମ, ପରମ୍ପରା, ଧର୍ମ, ଈଶ୍ବର ସେଇ ଆଧାରରେ ତିଆରି। ଧର୍ମମାନଙ୍କରେ ହେଭେନ୍, ସ୍ବର୍ଗ, ଜନ୍ନତ୍ ଆଦିର କଥା କୁହାଯାଇଛି। କିଏ ଦେଖିଛି ସେ ସବୁ? ଅତଏବ ଠାକୁରଙ୍କ ପରିକଳ୍ପନା ମଧ୍ୟ ସେଇ ଭଳି। କିଏ ତାଙ୍କୁ ଶୂନ୍ୟରେ ଦେଖେ ତ କିଏ ସ୍ବରୂପରେ ଦେଖେ। କିଏ ବି କହେ ଈଶ୍ବର ଫିଶ୍ବର କିଛି ନାହିଁ। ହେଲେ ସାରା ବିଶ୍ବର ସଂଖ୍ୟାବହୁଳ ଲୋକ ଈଶ୍ବର ବିଶ୍ବାସ କରନ୍ତି। ସେଥିପାଇଁ ଧର୍ମଶାସ୍ତ୍ର ଲେଖନ୍ତି, ଦର୍ଶନ ଭାଷ୍ୟ ରଚନା କରନ୍ତି ଏବଂ ଠାକୁରଙ୍କ ପାଇଁ ଘର ବି ତିଆରି କରିଦିଅନ୍ତି। ପୋଷା ପ୍ରାଣୀଟିକୁ ନାଁ ଦେଲା ପରି ନାଁଟିଏ ଦିଅନ୍ତି।
ନାଁ ମଧ୍ୟ ଗୋଟେ ସଜାଣ, ଗୋଟେ ପୋଷାକ। ସେ ଯେ ଠାକୁରଙ୍କୁ ନାଁ ଦିଏ ସେ କଥା ନୁହେଁ, ପାହାଡ଼, ପର୍ବତ, ନଈକୁ ବି ନାଁ ଦିଏ। ସୁବର୍ଣ୍ଣରେଖା, ଗନ୍ଧବତୀ। ମହେନ୍ଦ୍ର ଗିରି, ମାଲ୍ୟବନ୍ତ, ଋଷ୍ୟମୂକ। କି ସୁନ୍ଦର ଶବ୍ଦର ପୋଷାକ?

ଏ ସବୁ କଥାର ଅତ୍ୟନ୍ତ ମୂଲ୍ୟବାନ ଦିଗଟି ବାହାର ସହ ଯେତେ ଯୋଡ଼ା ନୁହେଁ, ତା’ଠାରୁ ଅଧିକ ଯୋଡ଼ା ଭିତର ସହିତ। ମଣିଷ ଜାତି ଲାଗି ସେ କଥାର ଗୋଟାଏ ଚମତ୍କାର ଅବଦାନ ଅଛି। ପ୍ରକୃତିର ବିଶାଳ ବିଭବକୁ ମଣିଷ ନାଁ ଦେଇ ଯେମିତି ଆପଣାର କରେ ସେମିତି ପଶୁ, ପକ୍ଷୀ, ପରିବେଶ ଆଦିକୁ ସଜାଇ ଗୋଟାଏ ଆଧ୍ୟାତ୍ମିକ ପରିମଣ୍ଡଳ ତିଆରିବାରେ ସମର୍ଥ ହୁଏ। ନଦୀ, ପର୍ବତ, ପାହାଡ଼, ପନ୍ତାର, ମରୁଭୂମିକୁ ଗୁଣାଧାରରେ ସେ ନାମିତ କରେ। ତା’ସହ ଯୋଡ଼ି ହୁଏ। ଏକ ହୋଇ ଏଇ ସମୂହ ପ୍ରତୀକଗୁଡ଼ିକ ସହ ସଂପୃକ୍ତ ହେବା ହିଁ ଅସଲ ଆଧ୍ୟାତ୍ମିକତା। ଅତଏବ ମଣିଷ ଯେ ଠାକୁରଙ୍କୁ ବେଶ କରେ, ପୋଷାକ ପିନ୍ଧାଏ ତହିଁରେ ଲୌକିକ ଓ ସାମାଜିକ ଚିତ୍ତବୃତ୍ତି ଯେମିତି ସଂଯୋଜିତ ଠାରୁ ଅଧିକ ଥାଏ ଆଧ୍ୟାତ୍ମିକ ସଂପୃକ୍ତି।

ଏବେ ଆମେ ଓଡ଼ିଶାର ସବୁଠାରୁ ଅଧିକ ପ୍ରିୟ ଠାକୁର ଜଗନ୍ନାଥଙ୍କ ପାଖକୁ ଆସିବା। ତାଙ୍କୁ କିଏ ମହାବିଷ୍ଣୁ କହେ ତ କିଏ ମହାକାଳ। ତାଙ୍କ ଭିତରେ କିଏ ଆଦିପୂଜ୍ୟ ଗଣେଶଙ୍କୁ ଦେଖନ୍ତି ତ କିଏ ବୁଦ୍ଧଙ୍କୁ। ‌େକତେ ନାମ କେତେ ପରିକଳ୍ପନା। ଆମେ ଯେତେ ଧର୍ମଶାସ୍ତ୍ର, ମାଳିକା, ଶୂନ୍ୟବାଣୀର ଉଦାହରଣ ଦେ‌େଲ ବି ନାମ, ନେତ, ମନ୍ଦିର, ଭୋଗ, ପ୍ରସାଦ, ବେଶଭୂଷା ଆଦି ସବୁ କଥା ହେଉଛି ମଣିଷର ପରିକଳ୍ପନା। ଏ ପରିକଳ୍ପନାର ପାହାଚଗୁଡ଼ିକ ସେ ନିଜେ ତିଆରି କରିଛି ଆପଣା ଚେତନାର ଉତ୍ତରଣ ପାଇଁ।

ତା’ ଭିତରେ ଠାକୁରଙ୍କୁ ଯେ ନାନା ବେଶରେ ଭୂଷିତ କରିବାର ପରମ୍ପରା ତାହା ମଧ୍ୟ ଯୁଗ ଯୁଗ ଧରି ମଣିଷ ହିଁ ତାଙ୍କ ପାଇଁ କରି ଆସିଛି। ବିଶ୍ବାସ କରାଯାଏ ଯେ ଶ୍ରୀଜଗନ୍ନାଥଙ୍କର ଯେଉଁ ନୀତି, ରୀତି ଓ ଯାନିଯାତ୍ରା ସମ୍ବଳିତ ପରମ୍ପରା ତାହା ଆଠଶହ ବର୍ଷରୁ ଅଧିକ ପୁରୁଣା। ଏଇ ଆଠଶହ ବର୍ଷ ଭିତରେ ବିଭିନ୍ନ ଶାସକଙ୍କର ଶାସନକାଳରେ ହିଁ ମନ୍ଦିରରେ ଥିବା ବିଗ୍ରହମାନଙ୍କର ନିତିଦିନିଆ ବେଶ ସହିତ ବିଭିନ୍ନ ତିଥିରେ ବିଭିନ୍ନ ବେଶ-ଉତ୍ସବ ପାଳିତ ହେଉଛି। ଦୈନନ୍ଦିନ ବେଶ ଭିତରେ ଅଛି ଅବକାଶ ବେଶ, ଚନ୍ଦନଲାଗି ବେଶ, ବଡ଼ସିଂହାର ବେଶ। ସେମିତି ବିଭିନ୍ନ ତିଥି ଆଧାରିତ ବେଶ ହେଉଛି ସୁନାବେଶ, (ଏହା ବର୍ଷକେ ପାଞ୍ଚଥର ହୁଏ- ବିଜୟା ଦଶମୀ, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ଏକାଦଶୀ ଯାହା କେବଳ ରଥ ଉପରେ ଅନୁଷ୍ଠିତ ହୁଏ), ହାତୀ ବେଶ, ବନଭୋଜି ବେଶ, କାଳୀୟଦଳନ ବେଶ, ପ୍ରଳମ୍ବାସୁରବଧ ବେଶ, କୃଷ୍ଣ ବଳରାମ ବେଶ, ବାମନ ବେଶ, ରାଧା-ଦାମୋଦର ବେଶ, ଲକ୍ଷ୍ମୀନାରାୟଣ ବେଶ, ବାଙ୍କଚୂଡ଼ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ, ନାଗାର୍ଜୁନ ବେଶ, ରାଜରାଜେଶ୍ବର ବେଶ, ଶ୍ରାଦ୍ଧ ବେଶ, ଘୋଡ଼ଲାଗି ବେଶ, ପଦ୍ମବେଶ, ନବାଙ୍କ ବେଶ, ଗଜଉଦ୍ଧାରଣ ବେଶ ଓ ଚାଚେରୀ ବେଶ।
ପ୍ରଶ୍ନ ହେଉଛି ଏ ବେଶ ସମୂହର ଆରମ୍ଭ କେବେ ଓ କାହିଁକି ହୋଇଥିଲା?

ଠାକୁର ଭକ୍ତିରେ ଯେ ନିମଜ୍ଜିତ ସେ ପରାମାନନ୍ଦ ପ୍ରାପ୍ତି ପାଇଁ ସର୍ବସ୍ବ ଦାନ କରିଦେଇପାରେ। ଅତଏବ ଈଶ୍ବରଙ୍କୁ ନେଇ ଯେତେ ଯେତେ ପରିକଳ୍ପନା ତା’ର କେତେଗୋଟି ପ୍ରମୁଖ ଆଧାରକୁ ଭିତ୍ତି କରି ଏ ବେଶପୋଷାକର ଉତ୍ସବ। ତେଣୁ ଭକ୍ତି ବିଗଳିତ ମଣିଷଟିଏ ନିଜର ଅଭିଳାଷ, କଳ୍ପନା, ଉତ୍ସାହ ଓ ଆନନ୍ଦକୁ ବିନିଯୋଗ କରି ଆପଣାର ମନୋରଥ ପୂରଣ ସକାଶେ ଏ ମନୋରଥ-ଉତ୍ସବ ପାଳନ କରେ, ଯାହା ପରମ୍ପରାକ୍ରମେ ବେଶ-ଉତ୍ସବରେ ପରିଣତ ହୁଏ। ଏଥିପାଇଁ ଯେ ସାଧନ ତାହା କେତେବେଳେ ଭକ୍ତର ଦାନ ଉପରେ ନିର୍ଭର କରେ ତ କେତେବେଳେ ରାଜ-ଶାସନର ଅନୁଦାନ ଉପରେ ନିର୍ଭର କରେ। କୁହାଯାଏ ଯେ ଭକ୍ତ ମନୋହର ଦାସଙ୍କ ପଦ୍ମପୁଷ୍ପ ପ୍ରଦାନର ସ୍ମୃତି ଆଧାରରେ ପଦ୍ମବେଶ, ଗଜ ଉଦ୍ଧାରଣ ସ୍ମୃତିରେ ଗଜ-ଉଦ୍ଧାରଣ ବେଶ, ଗଣପତି ଭଟ୍ଟଙ୍କ ଅଭିଜ୍ଞତା ଭିତ୍ତିରେ ହାତୀ ବେଶ, ନୃସିଂହ ଉପାସକ କେହି ଭକ୍ତଙ୍କ ଅାନୁକୂଲ୍ୟରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ଶ୍ରୀ ଚୈତନ୍ୟ ତଥା ରାୟ ରାମାନନ୍ଦଙ୍କ ପ୍ରଚେଷ୍ଟାରେ କାଳୀୟ ଦଳନ ବେଶ, ବନଭୋଜି ବେଶ, ପ୍ରଳମ୍ବାସୁରବଧ ବେଶ ଓ କୃଷ୍ଣ ବଳରାମ ବେଶ ଆଦିର ପାଳନ ପରମ୍ପରା ଆରମ୍ଭ ହୋଇଥିଲା। ତା’ର ଅର୍ଥ ଭକ୍ତମାନଙ୍କ ପ୍ରଚେଷ୍ଟା ଆଧାରରେ ହିଁ ଠାକୁରଙ୍କ ଏ ବେଶପୋଷାକର ପରିକଳ୍ପନା।

ମଣିଷ ତା’ର ଭାକ୍ତିକ ପରିକଳ୍ପନା ଅନୁସାରେ ଠାକୁରଙ୍କୁ ସଜାଇ ବେଶର ନାମ ଦିଏ। ତାହା ଧୀରେ ଧୀରେ ପରମ୍ପରାରେ ପରିଣତ ହୁଏ ଓ ପରବର୍ତ୍ତୀ ସମୟରେ ତାହା ଭକ୍ତମାନଙ୍କ ମାଧ୍ୟମରେ ସମାଜକୁ ଏକ ଆଧ୍ୟାତ୍ମିକ ଆନନ୍ଦ ଦିଏ। ଅତଏବ ଠାକୁରଙ୍କ ବେଶପୋଷାକ ପଛରେ ଯେଉଁ ଦୁଇଟି କଥା ଅଛି, ତାହା ହେଲା ଭକ୍ତିଜନିତ ପରମ ଆନନ୍ଦ ଓ ସମାଜ ମଙ୍ଗଳ। ଏ ଭାବଟି ଏତେ ଗଭୀର ଯେ ତା’ର ମୂଳ ଓ ବ୍ୟାପ୍ତି ଆକଳନ କରିବା ଏକ ପ୍ରକାର ଅସମ୍ଭବ।

ଓଡ଼ିଶା ଭାବଗତ ଭାବେ ଏକ ହୋଇଛି ଦୁଇଟି କଥାକୁ ନେଇ। ଗୋଟିଏ ହେଉଛି ଓଡ଼ିଆ ଭାଷା ଓ ଅନ୍ୟଟି ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ଏ କଥା କହିଲା ବେଳେ କେହି ଏ ମାଟିରେ ପ୍ରଚଳିତ ଅନ୍ୟ ଭାଷା, ଉପଭାଷା ବା ଅନ୍ୟତ୍ର ପୂଜିତ ଅନ୍ୟ ଠାକୁର ଠାକୁରାଣୀଙ୍କୁ ନ୍ୟୂନ କରୁନାହିଁ। ଯେତେ ମଣିଷ ଗୋଷ୍ଠୀ ସେତେ ବିଭିନ୍ନତା, ସେତେ ଠାକୁର। ମାତ୍ର ଓଡ଼ିଆ ଭାଷା ଓ ଶ୍ରୀଜଗନ୍ନାଥ ଯେ ଯୁଗ ଯୁଗ ଧରି ଓଡ଼ିଆମାନଙ୍କୁ ଓଡ଼ିଆ ଭାବବୋଧରେ ବାନ୍ଧି ରଖିଛନ୍ତି ତାହା କେହି ଅସ୍ବୀକାର କରିପାରିବେ ନାହିଁ।

ଏଇଠି ଗୋଟିଏ କଥା ହେଲା ଯେ ଠାକୁର ସମସ୍ତଙ୍କର ଏବଂ ତାଙ୍କର ବେଶ ନେଇ ପରିକଳ୍ପନା କରିବା ସେତେବେଳେ ଯେମିତି ଭକ୍ତମାନଙ୍କର ଥିଲା ଏବେ ମଧ୍ୟ ସେମିତି ଭକ୍ତମାନଙ୍କର ଅଛି। ଆମର ମୂର୍ଦ୍ଧନ୍ୟ ଠାକୁର କ’ଣ କେବଳ ଅତୀତର ଠାକୁର? ସେବକା ଭକ୍ତମାନଙ୍କର ଠାକୁର, ଏବକା ଭକ୍ତମାନଙ୍କର ନୁହନ୍ତି?

ଶୁଣିବାକୁ ମିଳେ ଯେ ଜଗନ୍ନାଥଙ୍କୁ ଆହୁରି ଅଧିକ ଭକ୍ତଗ୍ରାହୀ କରିବା ଲାଗି ଓ ଅଧିକ ବେଶରେ ଭୂଷିତ କରିବା ସକାଶେ ନୂଆ ମନୋଭାବ ପ୍ରକାଶ ପାଉଛି। ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ଠାକୁରମାନେ ‘‘ଖଦଡ଼ ବେଶ’’ ହେଲେ ସାରା ଭାରତ ସେଥିରେ ଆପ୍ଳୁତ ହେବ ନିଶ୍ଚୟ। ଓଡ଼ିଶାରୁ କେଉଁ ଦିନୁ ଉଦ୍‌ଘୋଷିତ ହୋଇଛି ଯେ ପ୍ରଭୁ ଜଗନ୍ନାଥ ହିଁ ଶାସନର ଅସଲ ମାଲିକ, ଫାଇଲ୍ ପତ୍ରର ଶାସକ କେବଳ ତାଙ୍କର ପ୍ରତିନିଧି। ତେଣୁ ଠାକୁର, ଆଜି ଭକ୍ତମାନଙ୍କ ଲାଗି ‘ଖଦଡ଼ ବେଶ’’ ହେବାରେ ଅସୁବିଧା କେଉଁଠି? ଆଧୁନିକ କାଳରେ କ’ଣ ଆଉ କେଉଁ ଭକ୍ତ ନାହାନ୍ତି ଏଭଳି ପ୍ରଚେଷ୍ଟା କରିବା ପାଇଁ? ସେହିଭଳି ଓଡ଼ିଶାର ଭାବଗତ ଏକତାକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ଠାକୁର ଗୋଟାଏ ତିଥିରେ ‘‘ସମ୍ବଲପୁରୀ-ବେଶ’’ ହେବା ମଧ୍ୟ ହେବ ଆହୁରି ଏକ ମହନୀୟ ଦିଗ। ହେଲେ କିଏ ନେବ ଏ ପଦକ୍ଷେପ? ଏବେ ବେଳ ଆସିଛି ଶ୍ରୀଜଗନ୍ନାଥଙ୍କୁ ନେଇ ବିଭିନ୍ନ କ୍ଷେତ୍ରରେ ନୂଆପଣ ଆଣିବା ପାଇଁ। ଠାକୁର ତ ଚିରକାଳର, ସେ ଅତୀତରେ ଅଟକି ଯିବେ କାହିଁକି?

ଠାକୁର ବେଶ ହୁଅନ୍ତି ଭକ୍ତଙ୍କ ପାଇଁ। ଭକ୍ତି ହିଁ ଏ ସମସ୍ତ ବେଶର ମୂଳାଧାର। କହିବାର ଅଛି ଏବେ କ’ଣ ଆଉ ଭକ୍ତ ନାହାନ୍ତି, ଭକ୍ତି ନାହିଁ? ପ୍ରଭୁ ଏବେ ଗୋଟିଏ ଗୋଟିଏ ତିଥିରେ ‘‘ଖଦଡ଼ ବେଶ’’ ଓ ‘‘ସମ୍ବଲପୁରୀ ବେଶ’’ ହେଲେ ଜଗତ୍‌ ଜାଣିବ ଶ୍ରୀଜଗନ୍ନାଥ କେମିତି ଜୀବନ୍ତ ଠାକୁର। ସେ ସବୁ ସମୟର।

[email protected]