ମୁଁ ଜାଣେନା ଯେ ମୁଁ ଜାଣେନା

ସୃଜନ ପ୍ରକାଶ ଦାସ

ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରିବା ପୂର୍ବରୁ ତାଙ୍କର ଶେଷ ବାଣୀ ଥିଲା ‘ହେ ପ୍ରଭୁ, ସେମାନଙ୍କୁ କ୍ଷମା କର। ସେମାନେ ଜାଣିନାହାନ୍ତି ଯେ ସେମାନେ କ’ଣ କରୁଛନ୍ତି।’ କେବଳ ସେ ଦିନ ନୁହଁ, ବୋଧହୁଏ ସଭ୍ୟତାର ପ୍ରତ୍ୟେକ ବିବର୍ତ୍ତନ ସହିତ ଜୀବନର ଅଧିକାଂଶ କ୍ଷେତ୍ରରେ ଆମେ, ମଣିଷମାନେ ବ୍ୟକ୍ତିଗତ ଅଥବା ଗୋଷ୍ଠୀଗତ ସ୍ତରରେ ନିଜ ନିଜର ସୀମିତ ଜ୍ଞାନରେ ଅନ୍ୟକୁ ତଉଲୁ। ନିଜ ମାପକାଠିରେ ପରଖୁ। ପୁଣି ନିଜେ ନିଜେ ନିଷ୍କର୍ଷରେ ମଧ୍ୟ ପହଞ୍ଚି ଯାଉ। ସ୍ଥଳ ବିଶେଷରେ ଆମେ ଯେଉଁ ପଦକ୍ଷେପ ନେଉ ସେଥିପାଇଁ ଅନ୍ୟ ବ୍ୟକ୍ତି ଯେ ଦାୟୀ, ସେ କଥା ପ୍ରଚାର କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନା। ହୁଏ’ତ ସେଥି ଲାଗି ସକ୍ରେଟିସ୍‌ଙ୍କୁ ମଧ୍ୟ ତାଙ୍କର ସ୍ୱତନ୍ତ୍ର ଚିନ୍ତାଧାରା ପାଇଁ ଯୁବ ଗୋଷ୍ଠୀକୁ ବିଭ୍ରାନ୍ତ କରିବା ଅଭିଯୋଗରେ ହେମଲକ ବିଷ ପିଇବାକୁ ବାଧ୍ୟ କରାଯାଇଥିଲା।

ଏ କଥା ସତ୍ୟ ଯେ ପ୍ରତ୍ୟେକ ବ୍ୟକ୍ତି ଭିନ୍ନ। ତା’ର ଚିନ୍ତାଧାରା, ଦୃଷ୍ଟିକୋଣ, ରୁଚି ଅନ୍ୟ ପାଖରୁ ପୃଥକ୍‌। କିନ୍ତୁ, ଅନେକ କ୍ଷେତ୍ରରେ ବ୍ୟକ୍ତି ନିଜ ଜ୍ଞାନର ସଠିକତା ନେଇ ଏଭଳି ଭାବପ୍ରବଣତା ପ୍ରକାଶ କରେ ଯେ ଅନ୍ୟ ଏକ ବ୍ୟକ୍ତିର ମତାମତ, ତା’ର ଦୃଷ୍ଟିକୋଣକୁ ଗୌଣ ବା ମୂଲ୍ୟହୀନ ବୋଲି ମନେକ ରେ। ମାତ୍ର, ‘ମୁଁ ଜାଣେ ନାହିଁ ଯେ ମୁଁ ଜାଣେ ନାହିଁ’ ଏହି ଲକ୍ଷଣର ଶିକାର ହୋଇଥିବା ବ୍ୟକ୍ତି ମନେ କରେ ଯେ ସେ ଯାହା ଜାଣେ, ତାହା ଶତ ପ୍ରତିଶତ ଯୁକ୍ତିଯୁକ୍ତ। ଅନ୍ୟ ସମସ୍ତେ ତ୍ରୁଟିପୂର୍ଣ୍ଣ।

ବ୍ୟକ୍ତିଗତ ସ୍ତର ହେଉ କିମ୍ବା ପାରିବାରିକ ଅଥବା ବୃତ୍ତିଗତ ସ୍ତର ହେଉ; ମତ ପାର୍ଥକ୍ୟ ରହିବା ସ୍ୱାଭାବିକ। ଗୋଟିଏ ଘଟଣାକୁ ଦୁଇ ଜଣ ବ୍ୟକ୍ତି ଭିନ୍ନ ଭିନ୍ନ ଢଙ୍ଗରେ ଦେଖନ୍ତି ଓ ପ୍ରତିକ୍ରିୟା ଦେଖାଇ ପାରନ୍ତି; ଠିକ ଯେମିତି ଅଧା ଗ୍ଲାସ୍‌ ପାଣି ଭରା ବନାମ ଅଧା ଗ୍ଲାସ୍‌ ଖାଲି। ଦୁଇ ଯାଆଁଳା ଭାଇ କିମ୍ବା ଭଉଣୀଙ୍କର ଚିନ୍ତାଧାରା ପୃଥକ୍‌ ହେବା କିଛି ଅସ୍ୱାଭାବିକ ନୁହଁ। ସେମାନେ ଗୋଟିଏ ଡିମ୍ବାଣୁରୁ ଜନ୍ମ ହୋଇ ସମାନ ପରିବେଶରେ ପ୍ରତିପାଳିତ ହୋଇ ମଧ୍ୟ ଦୁହେଁ ଦୁଇ ପ୍ରକାର ବ୍ୟକ୍ତିତ୍ୱ ହୋଇ ଉଠି ପାରନ୍ତି।

ଭାଷା, ଧର୍ମ, ରାଜନୀତି, ମତବାଦ, ବ୍ୟକ୍ତିଗତ ରୁଚି, ଅରୁଚିକୁ ନେଇ ଆମେ ଆମ ଚାରିପାଖରେ ଏକ ନିଜସ୍ୱ ବଳୟ ତିଆରି କରିନେଉ। ଅବଚେତନ ମନରେ ଏହି ଚିନ୍ତାଧାରା ଆମ ବ୍ୟକ୍ତିତ୍ୱର ଏକ ଅଂଶବିଶେଷ ହୋଇଯାଏ। ଯାହାକୁ ଆମେ ଆଖିବୁଜି ବିଶ୍ୱାସ କରୁ। ମାତ୍ର, ସମସ୍ୟାଟି ସେତେବେଳେ ଉଭା ହୁଏ, ଯେତେବେଳେ ଆମେ ଆମର ଚିନ୍ତାଧାରାକୁ ଅନ୍ୟ ଉପରେ ଲଦିବା ପାଇଁ ଚେଷ୍ଟା କରୁ। ଅନ୍ୟ ବ୍ୟକ୍ତିଜଣକ ଆପଣଙ୍କ ତୁଳନାରେ ଦୁର୍ବଳ ହୋଇଥିଲେ ହୁଏ’ତ, ତା’ର ଇଚ୍ଛା ବିରୋଧରେ ଯାଇ ମଧ୍ୟ ସେ ଆପଣଙ୍କ ମତକୁ ଗ୍ରହଣ କରିନେଇପାରେ। ହେଲେ ସର୍ବଦା ତାହା ଦେଖିବାକୁ ମିଳେ ନାହିଁ। ଅନ୍ୟ ବ୍ୟକ୍ତି ଆପଣଙ୍କ ମତକୁ ଗ୍ରହଣ କରି ନ ପାରେ କିମ୍ବା ତା’ର ଜୋରଦାର ପ୍ରତିରୋଧ ମଧ୍ୟ କରିପାରେ। ସେ ହୁଏ’ତ ଆପଣଙ୍କୁ ବୁଝାଇବାକୁ ଚେଷ୍ଟା କରିପାରେ ଯେ ଆପଣଙ୍କ ଚିନ୍ତାଧାରା ତା’ ଠାରୁ ଅଲଗା ମାତ୍ର। କିନ୍ତୁ ତା ଚିନ୍ତାଧାରା ଭୁଲ ହୋଇ ନ ଥାଇପାରେ! , ସେ ମଧ୍ୟ ତା’ର ନିଜସ୍ୱ ମତକୁ ଜାବୁଡ଼ି ଧରିପାରେ।

ଏହା ଫଳରେ ଯାହା ପରିଣାମ ହୁଏ ତାହା ସ୍ପଷ୍ଟ- ପାରସ୍ପରିକ ସମ୍ପର୍କରେ ତିକ୍ତତା ଆସିଯାଏ। ବହୁ ଦିନର ବନ୍ଧନରେ ଭଟ୍ଟା ପଡ଼ିଯାଏ। ଅନ୍ୟର ମତ ଗ୍ରହଣ କରିବା ତ ଦୂରର କଥା। ଆମେ ଅନ୍ୟର କଥା ଶୁଣିବା ପାଇଁ ମଧ୍ୟ ପ୍ରସ୍ତୁତ ନଥାଉ। କାରଣ, ମୁଁ ହୁଏ’ତ ସତ୍ୟ ଜାଣେ ନାହିଁ ବା ମୁଁ ହୁଏ’ତ ଯାହା ଜାଣେ- ତାହା ଭୁଲ୍‌, ଅଥବା ଯାହା ଜାଣିଥିଲି, ତାହା ସମୟ କ୍ରମେ ପରିବର୍ତ୍ତନ ହୋଇଗଲାଣି; ଏଭଳି ଚିନ୍ତାଧାରା ଆପଣେଇବା ପାଇଁ ଯେଉଁ ଖୋଲା ମନ ଆବଶ୍ୟକ, ତାହା ଆମର ନ ଥାଏ। ଓଲଟି ଆମେ ଭାବିଥାଉଁ ଯେ ଆମେ ଯାହା ଜାଣୁ, ତାହା ହିଁ କେବଳ ସତ୍ୟ; ଆଉ କିଛି ନୁହେଁ।

ଧର୍ମ କିମ୍ବା ବ୍ୟକ୍ତିଗତ ରୁଚି କ୍ଷେତ୍ରରେ ଅଯଥା ହସ୍ତକ୍ଷେପକୁ କେହି ସ୍ୱାଗତ କରେ ନାହିଁ। ତାହା ସବୁ ସମୟରେ ସମ୍ବେଦନଶୀଳ ବିଷୟ। ଅଥଚ, ଟ୍ରେନ୍‌ କିମ୍ବା ବସ୍‌ରେ ସମ୍ପୂର୍ଣ୍ଣ ଅଜଣା ଯାତ୍ରୀ ନିଜର ସୁଖମୟ ଯାତ୍ରାକୁ ଉପେକ୍ଷା କରି ଏହି ଭଳି ସ୍ପର୍ଶକାତର ବିଷୟରେ ଯୁକ୍ତିତର୍କ, ବାକ୍‌ବିତଣ୍ଡା କରି ହାତାହାତି ହେବା ପର୍ଯ୍ୟନ୍ତ ଚାଲିଯା’ନ୍ତି। କେହି କାହାର ଜିଦ୍‌ ଛାଡ଼ନ୍ତି ନାହିଁ। ସେମାନେ ଏହା ଦ୍ବାରା ସେମାନଙ୍କ ଜ୍ଞାନ ପ୍ରଦର୍ଶନ କରନ୍ତି ବୋଲି ଭାବନ୍ତି ସିନା, ଅସଲରେ ନିଜର ମୂଢ଼ ଅହଂକାର ହିଁ ଦେଖାନ୍ତି।

ତେଣୁ, ଦୀର୍ଘସ୍ଥାୟୀ ସୁସ୍ଥ ସମ୍ପର୍କ ବଜାୟ ରଖିବାର ଚାବି ବ୍ୟକ୍ତି ହାତରେ। ଅନ୍ୟ ବ୍ୟକ୍ତିର ଜ୍ଞାନ, ଚିନ୍ତାଧାରା, ରୁଚି, ମତବାଦକୁ ସମ୍ମାନ ଦିଅନ୍ତୁ। ଅନ୍ୟକୁ ଶୁଣିବା ପାଇଁ ଧୈର୍ଯ୍ୟ ରଖନ୍ତୁ। ଆମେ ସାଧାରଣତଃ କମ୍‌ ଶୁଣୁ, ଅଧିକ କହୁ। ଯିଏ ଯେତେ ଅଧିକ ଶୁଣିବାର ପ୍ରୟାସ କରେ, ସେ ସେତେ କମ୍‌ ପରିମାଣରେ ଭୁଲ୍‌ ବୁଝାମଣାର ଶିକାର ହୁଏ। ନିଜ ଚିନ୍ତାଧାରା ଅନ୍ୟ ଉପରେ ଲଦିବା ପୂର୍ବରୁ ଥରେ ନିଜ ମନକୁ ଖୋଲି ଦିଅନ୍ତୁ। ଦେଖିବେ ବହୁ ଦିନରୁ ବସା ବାନ୍ଧିଥିବା ପୁରୁଣା ଚିନ୍ତାଧାରା, ଭ୍ରାନ୍ତ ଧାରଣା, ଅଣବୈଜ୍ଞାନିକ ମତବାଦ ଆପେ ଆପେ ଦୂରେଇ ଯିବ। ମୁଁ ଜାଣେ ନାହିଁ ଯେ ମୁଁ ଜାଣେ ନାହିଁ- ଏହି ଲକ୍ଷଣରୁ ମୁକ୍ତି ପାଇବେ। ତା’ପରେ ଆପଣ ସମସ୍ତଙ୍କର ଗ୍ରହଣ ଯୋଗ୍ୟ ହେବେ, ପ୍ରେମାସ୍ପଦ ମଧ୍ୟ ହେବେ।

ମୋ-୯୪୩୮୧୪୯୭୬୧
[email protected]

ସମ୍ବନ୍ଧିତ ଖବର