ବିଜ୍ଞାନ ବିକାଶର କଥା

ଧନେଶ୍ବର ସାହୁ

ସଭ୍ୟତାର ସା˚ସ୍କୃତିକ ବିକାଶ ଧାରାରେ ଇଉରୋପୀୟ ନବଜାଗରଣ ଏକ ମହତ୍ତ୍ବପୂର୍ଣ୍ଣ ଘଟଣା। ତିନି ଶତାବ୍ଦୀ ଧରି ଚାଲିଥିବା ଏହି ନବଜାଗରଣ ଯେଉଁ ବୌଦ୍ଧିକ, ନୈତିକ ଓ ସା˚ସ୍କୃତିକ ବିପ୍ଳବର ସୂତ୍ରପାତ କରିଥିଲା, ତାହା ସଭ୍ୟତାର ଉତ୍ତରଣରେ ଥିଲା ଏକ ପ୍ରମୁଖ ଘଟଣା। ଜ୍ଞାନବିଜ୍ଞାନର ବିକାଶ, ମାନବବାଦୀ ଚେତନାର ଅଭ୍ୟୁଦୟ ଓ ରାଜନୈତିକ ଦୃଶ୍ୟପଟରେ ମୌଳିକ ପରିବର୍ତ୍ତନ କ୍ଷେତ୍ରରେ ନବଜାଗରଣର ପ୍ରଭାବ ଥିଲା ସୁଦୂରପ୍ରସାରୀ। ପଞ୍ଚଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ନବଜାଗରଣ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଅବ୍ୟାହତ ରହି ମନୁଷ୍ୟର ସା˚ସ୍କୃତିକ ଚେତନାରେ ତୁମୁଳ ପରିବର୍ତ୍ତନର ସୂତ୍ରପାତ କରିଥିଲା। ନବଜାଗରଣ ପ୍ରକ୍ରିୟାରୁ ଆଧୁନିକ ବିଜ୍ଞାନର ବିକାଶ ପର୍ବ ଆରମ୍ଭ ହେଲା। ବିଜ୍ଞାନର ଆରମ୍ଭ ପର୍ବଟି ଥିଲା ଏକ ସା˚ସ୍କୃତିକ ସ˚ଘର୍ଷର ସମୟ। ଧର୍ମଭିତ୍ତିକ ଜୀବନବୋଧ, ବିଶ୍ବଦୃଷ୍ଟି, ସୃଷ୍ଟି ଉତ୍ପତ୍ତି ସମ୍ବନ୍ଧୀୟ ମାନବିକ ପରିକଳ୍ପନା, ନୈତିକ ମୂଲ୍ୟବୋଧ ଇତ୍ୟାଦି ବିଚାରଧାରାରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନର ସୂତ୍ରପାତ ହେଲା। ଆଧୁନିକ ବିଜ୍ଞାନକୁ ବହୁ ଅମୂଲ୍ୟ ଅବଦାନ ଦେଇଥିବା କେତେ କେତେ ପ୍ରଥିତଯଶା, ମୁକ୍ତଚିନ୍ତକ, ବୈଜ୍ଞାନିକ ନିଜ ସମସାମୟିକ ସମାଜରେ ବହୁ ଅପଯଶ ପାଇଛନ୍ତି, ନିନ୍ଦିତ ହୋଇଛନ୍ତି, ବନ୍ଦୀ ଜୀବନ ବିତାଇଛନ୍ତି ଓ ଏପରି କି ସହିଦ ହୋଇଛନ୍ତି। କାରଣ ସେମାନେ ଯେଉଁ ନୂତନ ଜ୍ଞାନର ଆଲୋକ ଆଣିଲେ ତାହା ସମାଜର ପ୍ରଚଳିତ ଧାର୍ମିକ ବିଶ୍ବାସର ବିରୋଧାଚରଣ କରୁଥିଲା। ତେବେ ବିଜ୍ଞାନର ବିକାଶ ପର୍ବ ଅବ୍ୟାହତ ରହିଲା, କାରଣ ତାହା ଥିଲା ସତ୍ୟ ଆଧାରିତ। ଆଜି ବିଜ୍ଞାନ ଓ ଆଧୁନିକ ପ୍ରଯୁକ୍ତିର ଯେଉଁ ସୁଫଳ ମିଳିପାରିଛି ତାହାର ଆରମ୍ଭ ପର୍ବଟି ଥିଲା ଏକ ସ˚ଘର୍ଷର ସମୟ। ବିଜ୍ଞାନର ବିକାଶ ପର୍ବର ଦୁଇ ଶତାବ୍ଦୀ ପରେ ପ୍ରଯୁକ୍ତିର ଯୁଗ ଆରମ୍ଭ ହେଲା। ଆଧୁନିକ ସଭ୍ୟତାର ନିର୍ମାଣରେ ବିଜ୍ଞାନ ଓ ପ୍ରଯୁକ୍ତିର ଅବଦାନ ଯେ ଅତୁଳନୀୟ ଏହା ଅନସ୍ବୀକାର୍ଯ୍ୟ।

କୌଣସି ଜାଗରଣ ବା ସା˚ସ୍କୃତିକ ଉତ୍ତରଣ ପଶ୍ଚାତ୍‌ରେ କିଛି ସୈଦ୍ଧାନ୍ତିକ ବିଚାର ରହିଥାଏ। ସେହିପରି ବିଜ୍ଞାନର ବିକାଶ ପଶ୍ଚାତ୍‌ରେ କେତେକ ଦାର୍ଶନିକ ସିଦ୍ଧାନ୍ତ ରହିଥିଲା। ଚତୁଃପାର୍ଶ୍ବର ପ୍ରକୃତି ଓ ବିଶାଳ ବିଶ୍ବକୁ ଜାଣିବାର ଆଧାର ଓ ପ୍ରଣାଳୀ କ’ଣ ହୋଇପାରେ? ଏହି ପ୍ରଶ୍ନ ପ୍ରଥମେ ଦର୍ଶନ ପରିସରରେ ବିଚାର ସ୍ତରକୁ ଆସିଲା। ଦାର୍ଶନିକ ଫ୍ରାନ୍‌ସିସ ବେକନ (୧୫୬୧-୧୬୨୬) ବିଚାର ଦେଲେ ଯେ ସକଳ ବସ୍ତୁନିଷ୍ଠ ଜ୍ଞାନର ଆଧାର ହେଉଛି ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ। କୌଣସି ଉଦ୍ଦେଶ୍ୟ ସାଧନ ପାଇଁ ପ୍ରାକୃତିକ ପରିବେଶ ମଧୢରେ ଆମର ପ୍ରତ୍ୟକ୍ଷ ଅନୁଭୂତିକୁ ପର୍ଯ୍ୟବେକ୍ଷଣ କୁହାଯାଏ। ଏକ ନିୟନ୍ତ୍ରିତ ପରିବେଶ ମଧୢରେ ପରୀକ୍ଷାମୂଳକ ଭାବେ କରାଯାଉଥିବା ପର୍ଯ୍ୟବେକ୍ଷଣକୁ ପରୀକ୍ଷଣ କୁହାଯାଏ। ବସ୍ତୁତଃ ବୈଜ୍ଞାନିକ ଜ୍ଞାନ ସର୍ବଦା ତଥ୍ୟ ଆଧାରିତ, ପରୀକ୍ଷା ପାଇଁ ମୁକ୍ତ, ପ୍ରଗତିଶୀଳ, ପ୍ରାକୃତିକ ନିୟମର ଅନୁକୂଳ ଓ ସାର୍ବଜନୀନ। ବୈଜ୍ଞାନିକ ଜ୍ଞାନର ବିକାଶ ଧାରାରେ ଅନ୍ୟ ଏକ ସିଦ୍ଧାନ୍ତ ସାର୍ବଜନୀନ ଭାବରେ ଗୃହୀତ ହେଲା। ପ୍ରକୃତିରେ ଘଟୁଥିବା ପ୍ରତ୍ୟେକଟି ଘଟଣା ବା ରହିଥିବା କୌଣସି ବସ୍ତୁ ପଶ୍ଚାତ୍‌ରେ କେବଳ ପ୍ରାକୃତିକ କାରଣ ବା ନିୟମ ରହିଛି। କୌଣସି, ପ୍ରାକୃତିକ ଘଟଣା ପଶ୍ଚାତ୍‌ରେ କିଛି ଅତି ପ୍ରାକୃତିକ ବା ଦୈବୀ କାରଣ ନାହିଁ। ପ୍ରକୃତିର ବିଶାଳତା ଓ ଜଟିଳତା ଯୋଗୁଁ ପ୍ରକୃତି ସମ୍ବନ୍ଧରେ ଆମର ଜ୍ଞାନ ସୀମିତ। ସଭ୍ୟତା ଯେତିକି ଅଗ୍ରସର ହେଉଥିବ, ପ୍ରକୃତି ସମ୍ବନ୍ଧରେ ଆମ ଜ୍ଞାନର ପରିସର ସେତିକି ବୃଦ୍ଧି ପାଉଥିବ। ପ୍ରକୃତିରେ ଅନେକ ରହସ୍ୟ ରହିବା ସ୍ବାଭାବିକ, କିନ୍ତୁ କୌଣସି ଅତି ପ୍ରାକୃତିକ କାରଣ ନାହିଁ। ଏହି ଦୁଇ ସୈଦ୍ଧାନ୍ତିକ ବିଚାରକୁ ନେଇ ବିଜ୍ଞାନର ବିକାଶ ପର୍ବ କ୍ରମବର୍ଦ୍ଧିଷ୍ଣୁ ଭାବେ ଆଗକୁ ଯାଇଛି। ନବଜାଗରଣ ଯୁଗରୁ ଆରମ୍ଭ ହୋଇଥିବା ବିଜ୍ଞାନର ଯାତ୍ରା ଆଜି ସଭ୍ୟତାକୁ ଏହି ସ୍ତରକୁ ଆଣିଛି।

ନବଜାଗରଣ ଦ୍ବିତୀୟାର୍ଦ୍ଧରେ ଆସିଲା ଜ୍ଞାନଦୀପ୍ତିର ଯୁଗ ଯାହାକୁ ‘ଏଜ୍‌ ଅଫ୍‌ ଏନ୍‌ଲାଇଟେନ୍‌ମେଣ୍ଟ୍‌’ କୁହାଯାଉଛି। ଜ୍ଞାନଦୀପ୍ତିର ଯୁଗରେ ମାନବବାଦର ବିକାଶ ସଭ୍ୟତାର ଇତିହାସରେ ଥିଲା ଅନ୍ୟ ଏକ ସା˚ସ୍କୃତିକ ବିପ୍ଳବ। ମାନବବାଦ ଏକ ମାନବକୈନ୍ଦ୍ରିକ ଜୀବନ ଦର୍ଶନ। ବହୁ ଅତୀତରେ ଗ୍ରୀକ୍‌ ଦାର୍ଶନିକ ପ୍ରୋଟାଗୋରାସ୍‌ (ଖ୍ରୀ.ପୂ.୪୮୫- ଖ୍ରୀ.ପୂ ୪୧୦) କହିଥିଲେ ‘ମଣିଷ ହେଉଛି ସବୁର ମାନଦଣ୍ତ’। ପ୍ରୋଟାଗୋରାସ୍‌ଙ୍କ ଏହି ଭାବଧାରାଟି ଏକ ନୂତନ ଅର୍ଥ ଓ ପରିଭାଷା ମାଧୢମରେ ଜ୍ଞାନଦୀପ୍ତି ଯୁଗରେ ବିକଶିତ ହେଲା। ମାନବବାଦ ଏହି ଜଗତ୍‌କୁ ପ୍ରାଧାନ୍ୟ ଦିଏ ଓ ସ˚ସାରର ସବୁ ମଣିଷଙ୍କର ଜୀବନକୁ ଉନ୍ନତ କରିବାକୁ ପ୍ରଯତ୍ନ କରେ। ସଭ୍ୟତାର ସକଳ ବିକାଶ, ଉତ୍ତରଣ ଓ ଜୀବନର କ୍ରମବର୍ଦ୍ଧିଷ୍ଣୁ ଗୁଣାତ୍ମକ ପରିବର୍ତ୍ତନ ମାନବୀୟ ପ୍ରୟାସରେ ହିଁ ସମ୍ଭବ ହୋଇଛି। ସକଳ ବିକାଶ ଓ ଉନ୍ନତି ପଶ୍ଚାତ୍‌ରେ ମଣିଷର ଅବିରତ ପ୍ରୟାସ ଓ ସାମାଜିକ ପରିବେଶ ହିଁ ନିର୍ଣ୍ଣାୟକ ହୋଇଛି। ଆମ ସ˚ସାରରେ ଯାହା କିଛି ମନ୍ଦ ବା ଅଶୁଭ ରହିଛି, ମନୁଷ୍ୟ ବିଚାରଶୀଳ ଭାବରେ ଏକ ମାନବିକ ଦୃଷ୍ଟି ନେଇ ସେସବୁକୁ ଦୂର କରିପାରିବ।

ରୋଗ, ପ୍ରାକୃତିକ ବିପର୍ଯ୍ୟୟ, କୌଣସି ଅଜ୍ଞାତପୂର୍ବ ସ˚କଟ ବା ପ୍ରତିକୂଳ ପରିସ୍ଥିତିକୁ ମାନସିକ ଉଦ୍ୟମରେ ଦୂର କରାଯାଇପାରିବ। ମାନବିକ ସୃଜନଶୀଳତା ଓ ସମ୍ବେଦନଶୀଳତା ହିଁ ସଭ୍ୟତା ବିକାଶର ମୂଳମନ୍ତ୍ର। ସକଳ ନୀତି, ଆଦର୍ଶ, ମୂଲ୍ୟବୋଧ, ଜୀବନଶୈଳୀ ଇତ୍ୟାଦି ସାମାଜିକ ବିକାଶ ଧାରାରେ ମଣିଷ ସୃଷ୍ଟି କରିଛି। ବିଭିନ୍ନ ପ୍ରକାର ବିଦ୍ବେ‌ଷ, ସାମନ୍ତବାଦ, ସା˚ପ୍ରଦାୟିକତାବାଦ ଇତ୍ୟାଦି ହେଉଛନ୍ତି ମାନବବାଦର ପରିପନ୍ଥୀ। ସବୁ ପିଲା ନିଜ ସାମର୍ଥ୍ୟାନୁସାରେ ବିକଶିତ ହେବେ, ସବୁ ମଣିଷ ମଣିଷ ପରି ବଞ୍ଚିବେ, ପ୍ରତ୍ୟେକ ବ୍ୟକ୍ତି ମାନବିକ ମର୍ଯ୍ୟାଦାର ଅଧିକାରୀ ହେବେ; ମାନବବାଦର ମୌଳିକ ଆଭିମୁଖ୍ୟ। ଦାରିଦ୍ର୍ୟ, ପରାଧୀନତା ଓ ସାମାଜିକ ଭେଦଭାବର ଶିକାର ହେଉଥିବା ମଣିଷମାନଙ୍କୁ ସମାଜର ଚତୁର ବ୍ୟକ୍ତିମାନେ ଭାଗ୍ୟର ଭାବନା ଦେଇଥା’ନ୍ତି। ସମାଜର ଦଳିତ, ନିଷ୍ପେଷିତ ଓ ଶୋଷିତମାନେ ଅନେକ ସମୟରେ ନିଜର ସ୍ଥିତି ପାଇଁ ନିଜର ଭାଗ୍ୟକୁ ନିନ୍ଦା କରିଥା’ନ୍ତି; କିନ୍ତୁ ସେମାନଙ୍କର ସ୍ଥିତି କୌଣସି ଭାଗ୍ୟର ପରିଣାମ ନୁହେଁ। ଏହା ସମାଜର ଅର୍ଥନୈତିକ, ପରିସ୍ଥିତିଗତ, ରାଜନୈତିକ ଓ ସା˚ସ୍କୃତିକ ବ୍ୟବସ୍ଥାର ପରିଣତି ମାତ୍ର। ସମାଜରେ ରହିଥିବା ଜାତିବାଦ, ପୁରୁଷବାଦ, ସାମନ୍ତବାଦ, ପୁଞ୍ଜିବାଦ ଓ ଏପରି କି ସାମ୍ରାଜ୍ୟବାଦ ବିଭିନ୍ନ କାରଣରୁ ସୃଷ୍ଟି ହୋଇଛି ଓ ସେସବୁ ମାନବବାଦର ପରିପନ୍ଥୀ। ମଣିଷ ପ୍ରତି ମଣିଷର ଭେଦଭାବ ଓ ଘୃଣାଭାବକୁ ମାନବବାଦ ବିରୋଧ କରିଥାଏ। ଏକ ସମତାଭିତ୍ତିକ ଓ ଭ୍ରାତୃତ୍ବଭାବ ଜୀବନବୋଧର ପ୍ରସାରକୁ ମାନବବାଦ ସର୍ବଦା ପ୍ରାଧାନ୍ୟ ଦେଇଥାଏ।

ଇଉରୋପୀୟ ନବ ଜାଗରଣରୁ ଯେଉଁ ବୈଜ୍ଞାନିକ କ୍ରିୟାଶୀଳତା ଓ ମାନବବାଦୀ ଜୀବନ ଦର୍ଶନର ବିକାଶ ହେଲା, ତାହାର ପ୍ରଭାବରୁ ରାଜନୈତିକ ଦୃଶ୍ୟପଟରେ ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରପାତ ହେଲା। ବିଶେଷ କରି ରାଜତନ୍ତ୍ର ବିରୋଧରେ କେତେକ ଦେଶରେ ଗଣ ଆନ୍ଦୋଳନ ସୃଷ୍ଟି ହେଲା। ନବଜାଗରଣ ଯୁଗ ପର୍ଯ୍ୟନ୍ତ ରାଜତନ୍ତ୍ର ରହିଥିଲା ଓ ରାଜାମାନଙ୍କୁ ଈଶ୍ବରୀୟ ପ୍ରତିନିଧି ମନେ କରାଯାଉଥିଲା। ଯେଉଁ ଯୁଗରେ ଧର୍ମର ଗଭୀର ପ୍ରଭାବ ସମାଜ ଉପରେ ରହିଥିଲା ସେହି କାଳଖଣ୍ତରେ ରାଜତନ୍ତ୍ର ଓ ଏକଛତ୍ରବାଦ ବିଶ୍ବ ଦୃଶ୍ୟପଟରେ ପ୍ରଭାବ ବିସ୍ତାର କରି ରହିଥିଲା। ତେବେ ବୈଚାରିକ ପରିବର୍ତ୍ତନ ଓ ସାମାଜିକ ଆଲୋଡ଼ନ ଯୋଗୁ ଗଣତାନ୍ତ୍ରିକ ବ୍ୟବସ୍ଥାର ଯୁଗ ଆସିଲା। ବ୍ୟକ୍ତି ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ବଭାବ ମୂଲ୍ୟବୋଧର ବିକାଶ ହେତୁ ଗଣତାନ୍ତ୍ରିକ ବ୍ୟବସ୍ଥା ବିଭିନ୍ନ ଦେଶରେ ଦୃଢ଼ ଭିତ୍ତି ନେଲା। ଗଣତନ୍ତ୍ର ଏକ ରାଜନୈତିକ ଆଦର୍ଶ ହେବା ସହ ଏକ ସାମାଜିକ ମୂଲ୍ୟବୋଧ ଭାବେ ଧୀରେ ଧୀରେ ଆଦୃତ ହେବାକୁ ଲାଗିଲା। ସେହିପରି ସାମ୍ରାଜ୍ୟବାଦ ବିରୋଧରେ ମଧୢ ସାମ୍ରାଜ୍ୟବାଦ ଦ୍ବାରା କବଳିତ ଥିବା ଦେଶମାନଙ୍କରେ ବିପ୍ଳବର ପଦଧ୍ବନି ସୃଷ୍ଟି ହେଲା। ଶିଳ୍ପ ବିପ୍ଳବ ପରବର୍ତ୍ତୀ ସମୟରେ ଶିଳ୍ପୋନ୍ନତ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଏସିଆ ଓ ଅଫ୍ରିକାର ଅନେକ ଦେଶକୁ ଯେପରି ନିଜର ଉପନିବେଶ କରିଥିଲେ, ତାହା ବିରୋଧରେ ବି ବିପ୍ଳବର ସ୍ବର ଉଠିଲା। ଗଣତାନ୍ତ୍ରିକ ଆଦର୍ଶ ଓ ମାନବବାଦର ପ୍ରଭାବରୁ ଶିଳ୍ପ ବିପ୍ଳବ ପରବର୍ତ୍ତୀ ସାମ୍ରାଜ୍ୟବାଦ ଧୀରେ ଧୀରେ ଲୋପ ପାଇଲା।

ଇଉରୋପୀୟ ନବଜାରଣ ଓ ଜ୍ଞାନଦୀପ୍ତି ଯୁଗର ଦୁଇଟି ଧାରା ବୈଜ୍ଞାନିକ କ୍ରିୟାଶୀଳତା ଓ ମାନବବାଦୀ ଜୀବନବୋଧରୁ ଯେଉଁ ସାର୍ବଜନୀନ ସା˚ସ୍କୃତିକ ପ୍ରବାହ ଆସିଥିଲା, ତାହା ଆଜିର ଏକବି˚ଶ ଶତାବ୍ଦୀରେ ଅଧିକ ପ୍ରାସଙ୍ଗିକ ମନେ ହୁଏ। ଅତୀତରେ ପୃଥିବୀର ଜନଗଣ, ଭାଷା, ଜାତି, ଧର୍ମ, ଜାତୀୟତା ଓ ଦେହର ରଙ୍ଗକୁ ନେଇ ପୃଥକ୍‌ ଥିଲେ। ପୃଥିବୀର ବିଭିନ୍ନ ଭୌଗୋଳିକ ଭୂଖଣ୍ତରେ ବିଭିନ୍ନ ସଭ୍ୟତା, ସ˚ସ୍କୃତି, ଧର୍ମ ଓ ଭାଷା ବିକଶିତ ହୋଇଥିଲା। ସ˚ପ୍ରତି ଆଧୁନିକ ପ୍ରଯୁକ୍ତି ସମଗ୍ର ବିଶ୍ବକୁ ବହୁ କ୍ଷେତ୍ରରେ ନିକଟତର କରିପାରିଛି। ତେବେ ଅତୀତର ବିଭାଜନ ରାଜନୈତିକ ବ୍ୟକ୍ତିମାନଙ୍କୁ ମଣିଷ ମଣିଷ ଭିତରେ ବିଦ୍ବେଷ ସୃଷ୍ଟି କରିବା ପାଇଁ ସହାୟକ ହେଉଛି। ନିଜର କ୍ଷମତା ପାଇଁ ଜାତି, ଧର୍ମ, ଜାତୀୟତା ଇତ୍ୟାଦିକୁ ନେଇ ସା˚ପ୍ରଦାୟିକ ଭାବପ୍ରବଣତା ସୃଷ୍ଟି କରାଯାଉଛି। ସା˚ପ୍ରଦାୟିକତା ହେଉଛି ଏକ ଅସହିଷ୍ଣୁତାର ସ˚ସ୍କୃତି, ଯାହା ସମାଜକୁ ବିଭାଜିତ କରିଥାଏ। ପରନ୍ତୁ ଉଦାର ସମ୍ବେଦନଶୀଳ ଦୃଷ୍ଟି ହେଉଛି ମାନବିକତାର ଆଦର୍ଶ। ଆମ ସ˚ସାରରେ ବହୁ ବିବିଧତା ରହିବା ସ୍ବାଭାବିକ, ଏହି ବିବିଧତା ଭିତରେ ମାନବିକ ସ˚ପ୍ରୀତି, ଉଦାରବାଦ ଓ ଭ୍ରାତୃତ୍ବଭାବ ଆମ ସ˚ସାରକୁ ପ୍ରୀତିମୟ ଓ ସୁନ୍ଦର କରିପାରିବ। ପୃଥିବୀର ସକଳ ଜନଗଣ ଯେ ଏକ ଆକାଶ ତଳେ ଓ ଗୋଟିଏ ଭୂମି ଉପରେ ରହିଛନ୍ତି; ଏହି ଉପଲବ୍‌ଧିରୁ ବିଶ୍ବ ମାନବିକତାର ଭାବକୁ ଦୃଢ଼ କରାଯାଇପାରିବ।

ଏହି ଦୁଇ ଶତାବ୍ଦୀ ଭିତରେ ବିଜ୍ଞାନର ଅବଦାନ ଯୋଗୁଁ ଏକ ନୂଆ ଦୁନିଆ ବିକଶିତ ହୋଇଥିଲେ ମଧୢ ଏବେ ବି ସମାଜରେ କୁସ˚ସ୍କାର, ବହୁ ଅବୈଜ୍ଞାନିକ ମନୋଭାବ ଓ ଅର୍ଥହୀନ ପର˚ପରାର ପ୍ରାବଲ୍ୟ ରହିଆସିଛି। ଆହୁରି ବିଡ଼ମ୍ବନାର ବିଷୟ ଆଧୁନିକ ପ୍ରଯୁକ୍ତି ଓ ଗଣମାଧୢମରେ ଅହେତୁକ ଓ ଅବୈଜ୍ଞାନିକ ଭାବଧାରାକୁ ପ୍ରସାର କରାଯାଉଛି। ସ୍ବାଧୀନଚେତା ହେତୁବାଦୀ ଓ ବିଜ୍ଞାନମନସ୍କ ବୁଦ୍ଧିଜୀବୀଙ୍କର ସ୍ବର ସମାଜରେ ପରିବ୍ୟାପ୍ତ ନ ହୋଇ ରକ୍ଷଣଶୀଳ, କଟ୍ଟରପନ୍ଥୀ ଓ ବିଜ୍ଞାନ ବିରୋଧୀ ବ୍ୟକ୍ତିମାନଙ୍କର ଭାବନା ଜନମାନସରେ ପ୍ରସାରିତ ହେଉଛି। ଏତଦ୍‌ବ୍ୟତୀତ କ୍ଷମତାରେ ରହିଥିବା ବ୍ୟକ୍ତିମାନେ ବିଜ୍ଞାନର ଅପପ୍ରୟୋଗକୁ ପ୍ରଶ୍ରୟ ଓ ପ୍ରୋତ୍ସାହନ ଦେଉଛନ୍ତି। ବିଜ୍ଞାନର ଅପପ୍ରୟୋଗ ଯେ ସଭ୍ୟତାର ମୃତ୍ୟୁ-ଘଣ୍ଟିର କାରଣ ହୋଇପାରେ ଏହା ଆମ ସମୟର ବଡ଼ ଉପଲବ୍‌ଧି। ବସ୍ତୁତଃ ବିଜ୍ଞାନର ବିଚାରଶୀଳ ପ୍ରୟୋଗ ଓ ମାନବବାଦର ସାର୍ବଜନୀନ ପ୍ରସାର ସା˚ପ୍ରତିକ ସମୟର ବଡ଼ ଆହ୍ବାନ ମନେ ହୁଏ। ସ˚ସାରରୁ ଦାରିଦ୍ର୍ୟ, ଅପପୁଷ୍ଟି, ନିରକ୍ଷରତା ପରି ସମସ୍ୟାମାନଙ୍କର ଦୂରୀକରଣ କ୍ଷେତ୍ରରେ ବିଜ୍ଞାନ ସବୁଠାରୁ ବଡ଼ ସାଧନ ହୋଇପାରିବ। ସେହିପରି ମାନବବାଦର ସାର୍ବଜନୀନ ପ୍ରସାର ବିଶ୍ବରେ ଶାନ୍ତି, ସ୍ଥିରତା ଓ ଭ୍ରାତୃତ୍ବର ପରିବେଶ ସୃଷ୍ଟି କରିପାରିବ।

ଏ-୪/୪୦୫, ଜୀବନ ଆନନ୍ଦ ଫ୍ଲାଟ୍‌ସ
ଖଣ୍ତଗିରି, ଭୁବନେଶ୍ବର-୩୦

ସମ୍ବନ୍ଧିତ ଖବର