ଯୋଗ୍ୟ ବରପାତ୍ର

ଆମରି କଥା - ନାରାୟଣ ମିଶ୍ର

ସମୁଦ୍ର କୂଳରେ ବୁଲୁବୁଲୁ ଜଣେ ସିଦ୍ଧମୁନି ହଠାତ୍ ଏକ ନବଜାତ ଶିଶୁକନ୍ୟାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ନିଜ ସିଦ୍ଧି ବଳରେ ମୁନି ଜାଣିପାରିଲେ ଯେ ଏ ପିଲାଟି ଜଣେ ଅଧସ୍ତନ ପୁଲିସ୍ କର୍ମଚାରୀର ଅବୈଧ ସନ୍ତାନ। ଶିଶୁ କନ୍ୟାଟିକୁ ନେଇ ମୁନି ତାଙ୍କର ଜଣେ ନିଷ୍ଠାପର ଓ ପ୍ରିୟ ଶିଷ୍ୟକୁ ଦେଇ ତାକୁ ଯୌବନାବସ୍ଥାରେ ପହଞ୍ଚିବା ପର୍ଯ୍ୟନ୍ତ ଠିକ୍ ଭାବେ ଲାଳନପାଳନ କରିବାକୁ ଏବଂ ସମସ୍ତ ଗୃହକର୍ମ ଓ ବିଦ୍ୟାରେ ପାରଙ୍ଗମ କରିବାକୁ କହିଗଲେ। ପନ୍ଦର ବର୍ଷ ପରେ ଶିଷ୍ୟ ଜଣକ ଗୁରୁଙ୍କ ଆଶ୍ରମରେ ଜଣେ ରୂପବତୀ କନ୍ୟା ସହ ପହଞ୍ଚି ପ୍ରାର୍ଥନା କରି କହିଲେ- ‘‘ଗୁରୁଦେବ, ଏବେ ଗତଦିନର ଶିଶୁକନ୍ୟା ବିବାହ ଯୋଗ୍ୟା; ଆପଣ ହିଁ ୟା ପାଇଁ ଉପଯୁକ୍ତ ବରର ବ୍ୟବସ୍ଥା କରନ୍ତୁ।’’ ଅଳ୍ପ କିଛି ପରୀକ୍ଷା ପରେ ମୁନି ଜାଣିଲେ ଯେ ଯୁବତୀଟି ସମସ୍ତ ଗୃହକର୍ମ, ଶିକ୍ଷାଦୀକ୍ଷା ଏବଂ ବ୍ୟବହାରରେ ଯେ କୌଣସି ଉଚ୍ଚଶିକ୍ଷିତ ବର ପାଇଁ ଯୋଗ୍ୟା। ଅତୀତ ଓ ବର୍ତ୍ତମାନ କାଳର ସର୍ବଜ୍ଞ ମୁନି ନିଜ ଶିଷ୍ୟମାନଙ୍କ ଦ୍ବାରା ଜଣେ ଉଚ୍ଚଶିକ୍ଷିତ ଓ ସରକାରୀ କଲେଜରେ ଅଧ୍ୟାପନାରତ ଯୁବକଙ୍କୁ ସୁନ୍ଦରୀ କନ୍ୟା ସମ୍ମୁଖରେ ଉପସ୍ଥିତ କରାଇ କହିଲେ- ‘‘ମା’ରେ, ଏ ବାବୁ ତାଙ୍କର ଗବେଷଣା ଦ୍ବାରା ପି.ଏଚ୍‌.ଡି ଲାଭ କରିବା ସହ ଚାରିଟି ଭାଷାରେ ଲେଖାପଢ଼ା କରିପାରିବାର କ୍ଷମତା ହାସଲ କରିଛନ୍ତି। ଏବେ ତୁ କହ, ଏ ବାବୁ ତୋ ପାଇଁ ଜଣେ ଯୋଗ୍ୟ ବର ହୋଇପାରିବେ?’’ ଯୁବତୀଜଣକ ଅଧ୍ୟାପକଙ୍କ କ୍ଷୀଣ ଶରୀର, ମଳିନ ମୁଖ ଦେଖି କହିଲା- ‘‘ବାବା, ତିନିଟି କାରଣରୁ ଏ ମୋ ପାଇଁ ଅଯୋଗ୍ୟ। ପ୍ରଥମତଃ ଏ ଜଣେ ପୁସ୍ତକ କୀଟ ଏବଂ ଏହାଙ୍କର ବହି, ମାଗାଜିନ୍, ପେପର ପଢ଼ା ଓ କ୍ଲାସ୍ ପାଇଁ ପ୍ରସ୍ତୁତ ହେବାରେ ସମୟ ଯିବ; ତେଣୁ ମୋ ପାଇଁ ଏ ଆଦୌ ସମୟ ଦେଇପାରିବେ ନାହିଁ। ଦ୍ବିତୀୟତଃ ପାଠପଢ଼ାରେ ଅତି ମାତ୍ରାରେ ବ୍ୟସ୍ତରହି ୟା’ଙ୍କର ହୃଦୟ ବୋଲି କିଛି ନ ଥିବ; ତେଣୁ ପ୍ରେମରେ ଏ ବାବୁ ସଦା ଅସଫଳ ଓ ହୃଦୟହୀନ ଶୁଷ୍କ କାଷ୍ଠ ତୁଲ୍ୟ ବ୍ୟବହାର ଦେଖାଇବେ। ତୃତୀୟତଃ ଅଗଣିତ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସୁଥିବା ହେତୁ କୌଣସି ସୁନ୍ଦରୀ ଛାତ୍ରୀଙ୍କ ସହିତ ଏହାଙ୍କ ସଂପର୍କ ଗଢ଼ି ଉଠିଲେ ମୋ କଥା ସରିଲା।’

ମୁନି ଅଧ୍ୟାପକଙ୍କୁ ବିଦାୟ ଦେବା ବେଳେ ପଚାରିଲେ- ‘‘ବାବୁରେ, ତୁମ ଠାରୁ ଅଧିକ ଯୋଗ୍ୟ କିଏ ବୋଲି ତୁମେ ଭାବୁଛ?’’ ଅଧ୍ୟାପକ କହିଲେ- ‘‘ଶିକ୍ଷା ବିଭାଗର ସେକ୍ରେଟାରି ମୋ ଠାରୁ ଢେର୍ ଅଧିକ ଯୋଗ୍ୟ; କାରଣ ପ୍ରଥମତଃ ସେ ସର୍ବଭାରତୀୟ ବା ରାଜ୍ୟର ପ୍ରଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଏବଂ ସେ ଚାହିଁବା ମାତ୍ରେ ମୋ ଭଳି ଅନେକ ଅଧ୍ୟାପକ, ଅଧ୍ୟାପିକାଙ୍କୁ କ୍ଷଣକେ ଭୁବନେଶ୍ବରରୁ ମାଲକାନଗିରି ବଦଳି ‌ିହୋଇଯିବ। ’ ମୁନି ଏଥରକ ଦୁଇ ତିନିବର୍ଷ ତଳେ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ଶିକ୍ଷା ବିଭାଗର ଜଣେ ସେକ୍ରେଟାରିଙ୍କୁ କନ୍ୟା ଆଗରେ ପହଞ୍ଚାଇବାର ବ୍ୟବସ୍ଥା କଲେ। ମାତ୍ର କନ୍ୟା ତାଙ୍କୁ ବି ଅଗ୍ରାହ୍ୟ କରିଦେଇ କହିଲା- ‘‘ବାବା, ପ୍ରଥମତଃ ଏ ବାବୁ ସବୁ ଡିପାର୍ଟମେଣ୍ଟର ଜ୍ଞାନ ଥିବା ଭଳି ପ୍ରଦର୍ଶନ କରୁଥିଲେ ବି ଅପେକ୍ଷାକୃତ କମ୍ ଶିକ୍ଷିତ ମନ୍ତ୍ରୀମାନଙ୍କ ଆଗରେ ହାତବାନ୍ଧି ଠିଆ ହୁଅନ୍ତି। ଦ୍ବିତୀୟତଃ, ଏ ବାବୁ ଅତି ଉଚ୍ଚ ସ୍ତର ହୋଇଥିବାରୁ ୟେ ନିଜେ ନିଷ୍ପତ୍ତି ନେବାର ରେକର୍ଡ ରଖନ୍ତି ନାହିଁ। ତଳୁ କିରାଣି, ମୁଖ୍ୟ କିରାଣି, ଡେପୁଟି ସେକ୍ରେଟାରି ଇତ୍ୟାଦିଙ୍କ ଦ୍ବାରା ନିଜେ ଚାହୁଁଥିବା କଥା ଲେଖାଇ ଶେଷକୁ ଆଜ୍ ପ୍ରପୋଜ୍‌ଡ (As Proposed) ବୋଲି ବା କେବଳ ୟେସ୍ (Yes) ଲେଖି ଦସ୍ତଖତ କରନ୍ତି। ଭବିଷ୍ୟତରେ ପ୍ରସ୍ତାବ ବିବାଦ ସୃଷ୍ଟି ହେଲେ, ତଳିଆ କର୍ମଚାରୀଙ୍କୁ ସସ୍‌ପେଣ୍ଡ୍ କରିଦିଅନ୍ତି। ଏମିତି କପଟୀ ଲୋକଙ୍କୁ ନେଇ କ’ଣ ଘର ସଂସାର କରିହୁଏ?’’ ବିଦା ହେବା ବେଳେ ପ୍ରଶାସନିକ ଅଧିକାରୀ ମୁନିଙ୍କୁ କହିଗଲେ- ‘ଆଜ୍ଞା, ଆମେ ସିନା ଆଇନର ପ୍ରୟୋଗ କରୁ, ଯେଉଁମାନେ ଆଇନ ତିଆରି କରୁଛନ୍ତି ସେମାନେ ଆମଠାରୁ ଅଧିକ ଯୋଗ୍ୟ।

ସୁତରାଂ, ସଦ୍ୟ ଏମ୍.ପି. ହୋଇଥିବା ଜଣେ ଅଳ୍ପ ବୟସ୍କ ଯୁବକଙ୍କୁ ଯୋଗ୍ୟ ବର ଭାବେ କନ୍ୟା ସାମ୍‌ନାକୁ ଅଣାଗଲା। କନ୍ୟା କହ‌ିଲା- ‘‘ଏମ୍.ପି. ବା ଏମ୍.ଏଲ୍.ଏଙ୍କୁ ‌େମାର ବିବାହ କରିବାର ନାହିଁ। କାରଣ, ଏମାନଙ୍କ ବିରୋଧରେ ଆପରାଧିକ ମାମଲା ଜୀବନଯାକ ଚାଲିପାରେ। ଦ୍ବିତୀୟତଃ ଏମାନେ ସବୁବେଳେ ଗୁଡ଼ାଏ ଲେଖାଁ ଲୋକଙ୍କ ମେଳରେ ଥିବେ ଓ ଘର ବାହାରେ ହିଁ ରହୁଥିବେ। ତୃତୀୟତଃ ପାଞ୍ଚବର୍ଷ ପରେ ପୁଣି ଥରେ ଜିତି ନ ପାରନ୍ତି। ମୁଁ କ’ଣ ପାଞ୍ଚ ବର୍ଷ କୋଟିପତିର ସ୍ତ୍ରୀ ଓ ତା’ପରେ ଭିକାରୁଣୀ ହେବି? ତା’ଛଡ଼ା କୌଣସି ନା କୌଣସି ମାମଲାରେ ଇଏ ଯଦି ଛନ୍ଦି ହୋଇ ଜେଲ୍ ଯାଆନ୍ତି, ମୋର ମାନ ସମ୍ମାନ ଆଉ କିଛି ରହିବ ତ!’’ ମୁନି ଜଣକ ଏମ୍.ପି.ଙ୍କୁ ଶ୍ରଦ୍ଧାର ସହ ବିନୟ ଭାବେ ବିଦା କଲା ବେଳେ ପଚାରିଲେ-‘‘ବାବୁ, ତୁମ ଠାରୁ ଅଧିକ ‌େଯାଗ୍ୟ କିଏ ଥିବେ ବୋଲି ତୁମେ ଭାବୁଛ?’’ ଏମ୍.ପି. ଜଣକ ବିନା ଦ୍ବିଧାରେ କହିଲେ- ପ୍ରେସ ରିପୋର୍ଟର।

ବହୁ କଷ୍ଟରେ ଜଣେ ପ୍ରେସ୍ ରିପୋର୍ଟରକୁ କନ୍ୟା ସାମ୍‌ନାରେ ହାଜର କରାଗଲା। କିନ୍ତୁ ପ୍ରେସ୍ ରିପୋର୍ଟର ଜଣକ କନ୍ୟାକୁ ଦେଖି କନ୍ୟା କିଛି ମନ୍ତବ୍ୟ ଦେବା ପୂର୍ବରୁ ପଚାରିଲେ- ‘‘ଏଇ କନ୍ୟା ପାଇଁ ଆପଣ ବର ଖୋଜୁଛନ୍ତି?’’ ମୁନି ‘ହଁ’ ମାରିବା ପରେ ରିପୋର୍ଟର ପଚାରିଲେ- ‘‘ୟା’ର ଭୋଟର ଆଇ.ଡି. ବା ଆଧାର କାର୍ଡ ଅଛି କି? ଏ କନ୍ୟାର ବାସସ୍ଥାନର ପ୍ରମାଣ ଦେଖାନ୍ତୁ। ଏହାର ବାପା, ମା’ଙ୍କ ନାଁ କ’ଣ, ଉଭୟଙ୍କ ନାଁ ଥିବା ମାଟ୍ରିକ୍ ସାର୍ଟିଫିକେଟ୍ ଅଛି କି? ଯଦି ତିନିଟି ଯାକ ପ୍ରଶ୍ନର ଉତ୍ତର ମୋତେ ସନ୍ତୁଷ୍ଟ କରିବ, ତେ‌େବ ଯାଇ ମୁଁ ବସିବି, ନ ହେଲେ ବିଦାୟ!’’
ମୁନି, ପାଳିତ କନ୍ୟା ଓ ଶିଷ୍ୟମାନେ କିଛି ନ କହି ମୌନ ରହିବାରୁ ପ୍ରେସ୍ ରିପୋର୍ଟର ତାଙ୍କ ମଟରସାଇକେଲ ଷ୍ଟାର୍ଟ କରି ପଳାଇଲେ ଏବଂ ଗଲାବେଳେ କହିଗଲେ- ‘‘ଆମ ଠାରୁ ଅଧିକ କ୍ଷମତାଶାଳୀ ପୁଲିସ।’’

ଅନନ୍ୟୋପାୟ ହୋଇ ମୁନି ଜଣେ ଯୁବ କନେଷ୍ଟବଲ୍‌କୁ ଡକାଇଲେ। ହାତରେ ରୁଲ୍‌ବାଡ଼ିଟିଏ ଧରି ଖାକି ହାଫ୍‌ପ୍ୟାଣ୍ଟ୍ ଓ ସାର୍ଟ ପିନ୍ଧିଥିବା କନେଷ୍ଟବଲକୁ ଦେଖିବା ମାତ୍ରେ କନ୍ୟାର ମୁହଁ ଉଜ୍ଜ୍ବଳ ଦିଶିଲା ଓ ବିନା ପ୍ରଶ୍ନରେ ମୁନିଙ୍କୁ କହିଲା- ‘‘ଏଇ ହିଁ ମୋ ପାଇଁ ଅତି ଯୋଗ୍ୟ ବର।’’
ମୁନି ଜଣକ କନ୍ୟାଟିକୁ ପାଇବା ଦିନ ହିଁ ଜାଣିପାରିଥିଲେ ଯେ ତା’ର ପିତାମାତା ଉଭୟ ପୁଲିସ୍ ଡିପାର୍ଟମେଣ୍ଟର ଅଧସ୍ତନ କର୍ମଚାରୀ। ତେଣୁ ସେ ଏ ନିଷ୍ପତ୍ତିରେ ବିସ୍ମିତ ହେଲେ ନାହିଁ।

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର