ବିଲୁପ୍ତ ଧାଡ଼ିର ସନ୍ଧାନରେ

ଚିନ୍ମୟ ଚେତନା - ଚିନ୍ମୟ କୁମାର ହୋତା

ସେଦିନ କୋଭିଡ୍‌ ଟିକାର ଦ୍ବିତୀୟ ପାଳି ନିଧାର୍ଯ୍ୟ ହୋଇଥିବାରୁ ସଦାଶିବ ବାବୁ ସକାଳୁ ସକାଳୁ ମହା ଉତ୍ସାହରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଗଲେ। ହେଲେ ସେଠାରେ ଅଭୂତପୂର୍ବ ଜନଗହଳି ଓ ଠେଲାପେଲା ଦେଖି ସଦାଶିବ ବାବୁଙ୍କ ମନରେ ବିଷାଦ ଓ କ୍ରୋଧର ଫେଣ୍ଟାଫେଣ୍ଟି ଏକ ଭାବ ଖେଳିଯାଇଥିଲା। ଟିକାଦାନ ଭଳି ଗୁରୁତ୍ୱପୂର୍ଣ୍ଣ କାମ ବିନା ଧାଡ଼ିରେ ସମ୍ଭବ? ଧାଡ଼ି ପ୍ରତି ତାଙ୍କର ଅଦମ୍ୟ ଅନୁରକ୍ତି ପିଲାଟି ଦିନରୁ। ସଦାଶିବ ବାବୁ ସବୁବେଳେ ଭାବି ଆସିଛନ୍ତି ଯେ ଏହି ଧାଡ଼ି ହିଁ ଆମ ସଭ୍ୟତା ଓ ସଂସ୍କୃତିର ଅସଲ ପରିଚାୟକ। ଶୃଙ୍ଖଳାର ପ୍ରଥମ ଉଦାହରଣ ଏହି ଧାଡ଼ି। ଏହା ଆମର ଧୈର୍ଯ୍ୟଶକ୍ତି, ସହାନୁଭୂତି ଓ ଜ୍ଞାତି ଭାବର ବାହ୍ୟ ସ୍ୱରୂପ ମାତ୍ର।

ଏହି ବଦ୍ଧମୂଳ ଧାରଣା ପଛରେ ସଦାଶିବ ବାବୁଙ୍କର ନିଜ ଜୀବନ ବୃତ୍ତାନ୍ତ ମଧ୍ୟ ଓତପ୍ରୋତ ଭାବେ ଜଡ଼ିତ। ଛ’ ଭାଇ ଭଉଣୀଙ୍କ ପରେ ଏହି ସଂସାରରେ ଭୂମିଷ୍ଠ ହୋଇଥିବାରୁ ସେ ଧରିନେଇଛନ୍ତି ଯେ ଜନ୍ମ ନେବା ପାଇଁ ମଧ୍ୟ ତାଙ୍କୁ ଲାଇନରେ ଆସିବାକୁ ପଡ଼ିଥିଲା। ପିଲାଦିନେ ଘର ପାଖରେ ଥିବା କଣ୍ଟ୍ରୋଲ ଦୋକାନରେ ଦୈନିକ ଲମ୍ବା ଲାଇନମାନ ଦେଖି ଦେଖି ସେ ଧରିନେଲେ ଯେ ଧାଡ଼ି ବାନ୍ଧିବା ଜୀବନର ଏକ ଅପରିହାର୍ଯ୍ୟ ଦାୟିତ୍ବ। ବଡ଼ ହୋଇ ଘରୁ ପାଦ କାଢ଼ିବା ପରେ ଜୀବନର ସବୁ କ୍ଷେତ୍ରରେ ଲମ୍ବି ଯାଇଥିବା ପଂକ୍ତି ସବୁ ଦେଖି ତାଙ୍କର ହୃଦ୍‌ବୋଧ ହେଲା ଯେ ଏ ଦେଶରେ ଧାଡ଼ି ହିଁ ଏକମାତ୍ର ସତ୍ୟ, ଧାଡ଼ି ବିନା ଅନ୍ୟ ଗତି ନାହିଁ।

ପୂର୍ବରୁ ଧାଡ଼ି ନ ଥିବା କୌଣସି ଜନାକୀର୍ଣ୍ଣ ସ୍ଥାନରେ ପହଞ୍ଚିଗଲେ ସଦାଶିବ ବାବୁ ସେଠାରେ ଶୃଙ୍ଖଳାର ଦାୟିତ୍ବ ନିଜ ହାତକୁ ନେଇଯାଉଥିଲେ ଓ ଧାଡ଼ିଟିଏ ସୃଷ୍ଟି କରିବାକୁ ଆପ୍ରାଣ ଚେଷ୍ଟା କରୁଥିଲେ। ଧାଡ଼ିଟି ବନି ସାରିଲେ ଯାଇ ସେ ଧାଡ଼ି ଶେଷରେ ଛିଡ଼ା ହେଉଥିଲେ ଚରମ ଆତ୍ମ ସନ୍ତୋଷର ସହ। ଧାଡ଼ି ନ ଥିଲେ ସେ ଆଗରୁ ସେଠାରେ ପହଞ୍ଚି ଥିବା ହେତୁ ହୁଏ’ତ ତାଙ୍କ କାମ ବିଶୃଙ୍ଖଳା ଭିତରେ ବି ଆଗରୁ ସରିଥା’ନ୍ତା, ହେଲେ ସେ ଦିଗକୁ ତାଙ୍କର ପରବାୟ ନ ଥିଲା। ଏମିତି ଶୃଙ୍ଖଳା ସୃଷ୍ଟି କରିବାକୁ ଯାଇ ସଦାଶିବ ବାବୁ ଯେ କେତେ ଥର ଗୁଣ୍ଡା ଶ୍ରେଣୀୟ ଲୋକମାନଙ୍କ ଦ୍ବାରା ଲାଞ୍ଛିତ ହୋଇଛନ୍ତି ତା’ର ହିସାବ ନାହିଁ। ହେଲେ ଏ ସବୁକୁ ସେ କେବେ ଭ୍ରୂକ୍ଷେପ କରି ନାହାନ୍ତି।

କିନ୍ତୁ ସଦାଶିବ ବାବୁଙ୍କର ଅବସୋସର କାରଣ ଥିଲା ଆଧୁନିକ ସମାଜରେ ଧାଡ଼ିର ଦ୍ରୁତ ଅବକ୍ଷୟ। ଇଣ୍ଟରନେଟ୍‌ର ତଥା ଅନ୍ୟାନ୍ୟ ଜ୍ଞାନ କୌଶଳର ଉପଯୋଗ ହେତୁ ଧାଡ଼ି ଆଜି ସତେ ଯେମିତି ବିଲୋପ ହେବାକୁ ବସିଛି। ରେଳ ଯାତ୍ରା ପାଇଁ ହେଉ କି ବସ୍‌ ଯାତ୍ରା ପାଇଁ ହେଉ; ଟିକେଟ୍‌ ତ ଘରେ ବସି ମିଳି ଯାଉଛି। ଏମିତିକି ସିନେମା ଟି‌େକଟ୍‌ ପାଇଁ ବି ଆଜି ଲାଇନ ଲଗାଇବାକୁ ପଡୁ ନାହିଁ। ସଦାଶିବ ବାବୁଙ୍କର ମନେ ପଡ଼ିଗଲା ପିଲାଦିନେ କେମିତି ଭାଇ ଭଉଣୀମାନେ ତାଙ୍କୁ ଲାଇନ ଦେଇ ସିନେମା ଟି‌େକଟ୍‌ କିଣିବା ପାଇଁ ପଠାଇ ଦେଉଥିଲେ। ଆଉ ସେ ଲାଇନରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଶେଷରେ ଟି‌େକଟ୍‌ କିଣିବାରେ ସଫଳ ହେଉଥିଲେ। ଟି‌େକଟ୍‌ ମୁଠାକ ଧରି ଘରକୁ ଫେରିଲା ବେଳେ ତାଙ୍କୁ ଗଡ଼ ଜିଣିବା ଭଳି ଲାଗୁଥିଲା। ସବୁ ଥିଲା ସେହି ଧାଡ଼ି ଶୃଙ୍ଖଳାର କରାମତି।

ହେଲେ ଆଜି? ଲାଇନ ସବୁ ଛୋଟ ହୋଇ ହୋଇ ଶେଷରେ ଉଭେଇ ଯିବାକୁ ବସିଲେଣି। ବ୍ୟାଙ୍କ୍‌ ଗୁଡ଼ା ଦିନେ ଏହି ଲମ୍ବା ଲମ୍ବା ଧାଡ଼ି ପାଇଁ ପ୍ରସିଦ୍ଧ ଥିଲେ। ହେଲେ ଆଜିର ଅବସ୍ଥା ସମ୍ପୂର୍ଣ୍ଣ ଅଲଗା। ମାସ ଶେଷରେ ବ୍ୟାଙ୍କ୍‌ ଖାତାରେ ପେନ୍‌ସନ ଆପଣା ଛାଏଁ ଚଢ଼ି ଯାଉଥିବାରୁ ଆଉ ନିର୍ଦ୍ଦିଷ୍ଟ ତାରିଖରେ ବ୍ୟାଙ୍କ୍‌ ଯାଇ ଧାଡ଼ି ଲଗାଇବା ଦରକାର ନାହିଁ। ଆଗରୁ କେତେ ଉତ୍ସାହର ସହ ପେନ୍‌ସନ ଦିନକୁ ଅପେକ୍ଷା କରି ରହୁଥିଲେ ସଦାଶିବ ବାବୁ। ବ୍ୟାଙ୍କ୍‌ ଯିବେ, କେତେ ପୁରୁଣା ମୁହଁ ଦେଖା ହେବେ ପେନ୍‌ସନ ପ୍ରାର୍ଥୀଙ୍କ ଧାଡ଼ିରେ। ଏବେ କ’ଣ ଅଛି ଆଉ ସେ ଦିନ? ଏଟିଏମ୍‌ ତ ଚାରିଆଡ଼େ ଛତୁ ଭଳି ଫୁଟିଛି। ନୂଆ ନୂଆ ଏଟିଏମ୍‌ ଆଗରେ କିଛିଟା ଲାଇନ ଦେଖାଯାଉଥିଲା। ଏବେ ତାହା ବି ଗଲାଣି। କର୍ତ୍ତୃପକ୍ଷ ଧାଡ଼ି କମେଇବା ପାଇଁ ନୂଆ ନୂଆ ଏଟିଏମ୍‌ ମେସିନମାନ ବସେଇ ଚାଲିଛନ୍ତି। ତେଣୁ ଆଉ ଧାଡ଼ି କେଉଁଠି ନାହିଁ।

ସଦାଶିବ ବାବୁଙ୍କ ମତରେ ଆଜିର ସମୟରେ ଯେତେ ବିଶୃଙ୍ଖଳା, ହିଂସା ଓ କେଳେଙ୍କାରୀ ସବୁ ଘଟି ଯାଉଛି, ତା’ ପଛରେ ରହିଛି ଧାଡ଼ି ବାନ୍ଧିବା ପ୍ରତି ଆଧୁନିକ ମଣିଷର ବିମୁଖତା। ଧାଡ଼ି ନାହିଁ ମାନେ ଧୈର୍ଯ୍ୟ ନାହିଁ, ଧୈର୍ଯ୍ୟ ନାହିଁ ମାନେ ଶୃଙ୍ଖଳା ନାହିଁ, ଶୃଙ୍ଖଳା ନାହିଁ ମାନେ ସହାନୁଭୂତି ନାହିଁ କି ଶାନ୍ତି ନାହିଁ। ଏହା ହିଁ ଥିଲା ତାଙ୍କର ଅକାଟ୍ୟ ଯୁକ୍ତି। ଆଉ କାହାର ହକ୍‌କୁ ଠେଲାପେଲା କରି ଅନ୍ୟାୟରେ ହାତେଇ ନେବାର ପ୍ରବୃତ୍ତି ଧାଡ଼ି ପ୍ରତି ସମ୍ମାନ ଦେଖାଉଥିବା ସମାଜରେ ଦେଖାଯାଏ ନାହିଁ।

ପଂକ୍ତି ଶୃଙ୍ଖଳାର ଦ୍ରୁତ ଅଧୋଗତିରେ ବିମର୍ଷ ସଦାଶିବ ବାବୁଙ୍କୁ ଆଶାର କ୍ଷୀଣ ଆଲୋକ ଦେଖାଗଲା ଯେତେବେଳେ ସେଦିନସେ ଟିକାଦାନ କେନ୍ଦ୍ରର ଗହଳି ଓ ବିଶୃଙ୍ଖଳା ଦେଖିଲେ। ଆଜିର ଏହି ପ୍ରବଳ ଭିଡ଼କୁ କେବଳ ଧାଡ଼ିର ଶୃଙ୍ଖଳା ହିଁ ମୁକାବିଲା କରିପାରିବ। ସେ ଲୋକଙ୍କୁ ବୁଝେଇ ସୁଝେଇ ଧାଡ଼ି ବନ୍ଧେଇବା ପାଇଁ ପ୍ରସ୍ତୁତ ହେଲେ। ହେଲେ ସେଠି ପରିସ୍ଥିତି ଥିଲା ଉତ୍ତେଜନାପୂର୍ଣ୍ଣ। କିଏ କହିଲା, “ତମେ ପଛକୁ ଯାଅ, ଆମେ ବଡ଼ି ସକାଳୁ ଏଠାରେ ଜଗିଛୁ,” ତ ପୁଣି କିଏ କହିଲା, “ବୁଢ଼ାକୁ ଭଗେଇ ଦିଅ, ଆଗେ ଟିକା ନବ ବୋଲି ଚାଲାକି କରୁଛି।” ଉପସ୍ଥିତ ସୁରକ୍ଷା କର୍ମୀ ଦ୍ବୟ ତାଙ୍କ କୀର୍ତ୍ତିକଳାପ ଅନେକ ସମୟରୁ ଲକ୍ଷ୍ୟ କରୁଥିଲେ। ଏବେ ଲୋକଙ୍କ ଦାବି ଶୁଣି ସଦାଶିବ ବାବୁଙ୍କ ଦୁଇ ବାହାକୁ ଧରି ଶୂନ୍ୟରେ ଶୂନ୍ୟରେ ଟେକି ନେଇ ମୁଖ୍ୟ ଦ୍ବାର ବାହାରେ ଛାଡ଼ି ଦେଲେ। ମନ ଦୁଃଖରେ ସେଦିନ ଘରକୁ ଫେରିଲା ବେଳେ ସେ ଭାବୁଥିଲେ ଯେ ଏ ଦେଶର ଶୃଙ୍ଖଳାର ଭବିଷ୍ୟତ୍‌ ଅନ୍ଧକାରମୟ।

କସ୍‌ମୋପୋଲିସ୍‌ ଆପାର୍ଟମେଣ୍ଟ, ଭୁବନେଶ୍ବର
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର