‘ଭବିଷ୍ୟତ୍ର ସ୍ବାଭିମାନୀ ଭାରତୀୟ ହିଁ ସ୍ବନିର୍ଭର ଭାରତର ନିର୍ମାଣ କରିବେ। ଶିକ୍ଷା ଏହା ସମ୍ଭବ କରାଇବ।’
-ମୌଲାନା ଆଜାଦ୍
ଶିକ୍ଷାରୁ କ’ଣ ମିଳିବ, ତା’ର ଉତ୍ତର ସଭ୍ୟତାର ଆରମ୍ଭ ସମୟରୁ ଆଧୁନିକ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଦିଆ ଚାଲିଚି, କିନ୍ତୁ ଉତ୍ତର ଏଯାଏଁ ସ˚ପୂର୍ଣ୍ଣ ହୋଇନାହିଁ। ଉତ୍ତର ସ˚ପୂର୍ଣ୍ଣ ନ ହେବାର ସବୁଠୁ ବଡ଼ କାରଣ ‘ଶିକ୍ଷା’ର ଚଳମାନ ବ୍ୟବସ୍ଥା ଓ ପ୍ରସାରିତ ହୋଇ ଚାଲିଥିବା ଜ୍ଞାନ-ଦିଗନ୍ତ। ଶିକ୍ଷାର କ୍ଷେତ୍ର ବଢ଼ି ଚାଲିଚି, ଆଗକୁ ଆଗକୁ ନୂଆ ନୂଆ କ୍ଷେତ୍ର ଖୋଲି ଯାଉଚନ୍ତି ଓ ଏହିଭଳି ଏକ ଚିରନ୍ତନ ଅଭିଯାନ ଚାଲିିବ। ଇଏ ପ୍ରକୃତରେ ସରିବ ନାହିଁ। ନୂଆରୁ ନୂଆ କଥା ଏଇଥିରୁ ବାହାରିବେ, ପୁରୁଣାକୁ ନୂଆ କରି ଦେଖିବାର ଦୃଷ୍ଟିକୋଣ ଏଇଥିରୁ ବାହାରିବ। ମାନବ ସମାଜର ସ୍ମୃତି ଓ ସ୍ମରଣୀୟତା ଉଭୟ, ଶିକ୍ଷାକୁ ବର୍ତ୍ତମାନ ସହିତ ଓ ବର୍ତ୍ତମାନକୁ ଭବିଷ୍ୟତ୍ ସହିତ ଯୋଡ଼ି ଚାଲିବେ। ମଣିଷର ଅଖଣ୍ତ ଶିକ୍ଷା ଅଭିଯାନ ଏକ ଅସମାପ୍ୟ ପରିଯୋଜନା। ‘ଶିକ୍ଷା’ ଏଭଳି ଏକ ଭିତ୍ତିଭୂମି ଯାହାର ସମାପ୍ତି ନାହିଁ। କୃଷି ହେଉ, ଉଦ୍ୟୋଗ ହେଉ, ସ୍ବାସ୍ଥ୍ୟ ହେଉ ବା ଶକ୍ତି ହେଉ, ଏ ସବୁ ଶିକ୍ଷା-ନିର୍ଭର।
ମନେପଡୁଚି, ମୁଁ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟରେ ଆନ୍ତର୍ଜାତିକ ଶ୍ରମ ସ˚ସ୍ଥା (ଆଇ.ଏଲ୍.ଓ) ଦାୟିତ୍ବରେ ଥିଲା ବେଳେ ମୋର ଗୋଟିଏ ବଡ଼ କାମ ଥିଲା ଭାରତର ତ୍ରିପାକ୍ଷିକ ପ୍ରତିନିଧି ମଣ୍ତଳ ନେଇ ସ୍ବିଜରଲାଣ୍ତର ଜେନେଭାରେ ପରିଚାଳନା ବୋର୍ଡ ତଥା ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀରେ ଭାଗ ନେବା। ମନ୍ତ୍ରାଳୟରେ ପାଞ୍ଚ ବର୍ଷ ଭିତରେ ଉଦ୍ୟୋଗପତି ତଥା ନିଯୁକ୍ତିଦାତାଙ୍କ ଗୋଷ୍ଠୀର ନେତୃତ୍ବ ଥିଲା ପ୍ରସିଦ୍ଧ ଟାଟା-ଉଦ୍ୟୋଗୀ ନାଭାଲ୍ ଟାଟାଙ୍କ ହାତରେ। ଦିନେ କାଫେଟେରିଆରେ ମଧୢାହ୍ନ ଭୋଜନ ବେଳେ, କଥା ପଡ଼ିଥିଲା ଭାରତର ଭବିଷ୍ୟତ୍ର। ମୁଁ ନାଭାଲ୍ଜୀଙ୍କୁ ପଚାରିଥିଲି: ଶିଳ୍ପ ଓ ଉଦ୍ୟୋଗ ଦ୍ବାରା କ’ଣ ଭାରତର ଭବିଷ୍ୟତ୍ ନିର୍ମାଣ ହୋଇପାରିବ? ଜଣେ ତୁଙ୍ଗସ୍ଥ ଶିଳ୍ପପତି ଭାବରେ ମୁଁ ଆଶା କରୁଥିଲି ଯେ ଶିଳ୍ପୋଦ୍ୟୋଗକୁ ହିଁ ପ୍ରାଧାନ୍ୟ ଦେଇ ଉତ୍ତର ଦେବେ। ସେ ଚୁପ୍ ରହି ଦୂରର ତୁଷାରାବୃତ ପର୍ବତମାଳା ଉପରେ ଦୃଷ୍ଟି ନିବନ୍ଧ କଲେ। ମୁଁ ତାଙ୍କୁ ବିଷୟବସ୍ତୁକୁ ଫେରେଇ ଆଣିବା ପାଇଁ ମନେ ପକାଇ ଦେଲି ଟାଟା କମ୍ପାନିର ଗୋଟିଏ ବିଜ୍ଞାପନ। ଟାଟା ଇସ୍ପାତ୍ର ବିଜ୍ଞାପନ ଥିଲା: ଵି ଅଲ୍ସୋ ମେକ୍ ଷ୍ଟିଲ୍? (ଆମେ ଇସ୍ପାତ ବି ତିଆରି କରୁ!) ତା’ ଅର୍ଥ କ’ଣ ଏଇଆ ଯେ ଆପଣ ଇସ୍ପାତ ତିିଆରି କରି ସନ୍ତୁଷ୍ଟ ନୁହନ୍ତି ବା ଇଏ ଆପଣଙ୍କର ଗୋଟେ ଗୌଣ କାମ, ମୁଖ୍ୟ କାମ ତେବେ କ’ଣ? ଟାଟାଜୀଙ୍କ ଆଖିରେ ଚମକି ଉଠିଲା ଗୋଟେ ଅପୂର୍ବ ଜ୍ୟୋତି। କହିଲେ: ଜାମ୍ଶେଦ୍ଜୀ ଟାଟା ମଣିଷ ନିର୍ମାଣ କରିବାକୁ ଚାହୁଁଥିଲେ, ସେ ଚାହୁଁଥିଲେ ଏକ ସମୃଦ୍ଧ ଦେଶର ସମୃଦ୍ଧ ନାଗରିକ-ନିର୍ମାଣ, ଇସ୍ପାତ୍ ନିର୍ମାଣ ତା’ ତୁଳନାରେ କେତେ କ୍ଷୁଦ୍ର! ସେଇଥିପାଇଁ ବିନମ୍ରତାର ସହିତ ଟାଟା କମ୍ପାନି କହେ: ଆମେ ଇସ୍ପାତ ବି ତିଆରି କରୁ। ମୁଁ ତାଙ୍କ ଉତ୍ତରକୁ ଆଉ ଟିକିଏ ଆଗକୁ ବଢ଼େଇ ନେଇ କହିଲି: ଆପଣ କେଉଁ ଉପାୟରେ ସମୃଦ୍ଧ ମଣିଷ ବା ଭାରତୀୟ ନିର୍ମାଣ କରିପାରିଥା’ନ୍ତେ? ସେ କହିଲେ: ଆମେ ଭାରତର ଶିକ୍ଷା ନିର୍ମାଣ କରିଥା’ନ୍ତୁ, ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଆଉ କିଛି ନାହିଁ। ଜଣେ ଶ୍ରେଷ୍ଠ ଉଦ୍ୟୋଗପତି, କିନ୍ତୁ ତାଙ୍କର ସମସ୍ତ ସ୍ବପ୍ନ ଓ ସମ୍ଭାବନା ଠୁଳ ହୋଇଥିଲା ଶିକ୍ଷା ଉପରେ। ଟାଟା କମ୍ପାନି ଦ୍ବାରା ପ୍ରତିଷ୍ଠିତ ବଡ଼ ଶିକ୍ଷାନୁଷ୍ଠାନ ତଥା ଅନୁସନ୍ଧାନ ସ˚ସ୍ଥା ବିଷୟରେ ସେ କହିଲେ: କେତେଟା ଅନୁଷ୍ଠାନ ଗଢ଼ିଦେବା ବଡ଼ କଥା ନୁହେଁ, ସମାଜକୁ ଏକ ଆମୂଳଚୂଳ ବିକଶିତ ଶିକ୍ଷା-ସ୍ଥାପତ୍ୟରେ ପରିଣତ କରିବା ରାଷ୍ଟ୍ରର ଏକ ଚିର ଅସମାପ୍ୟ ଆଜେଣ୍ତା, ଇଏ ଦିନକୁ ଦିନ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇ ଉଠିବ। ଆଜି ନାଭାଲ୍ ଟାଟାଙ୍କ ବକ୍ତବ୍ୟ ମୁଁ ସ୍ମରଣ କରୁଚି।
କିନ୍ତୁ, ଭାରତରେ ଏ ଯାବତ୍ ଜ୍ଞାନର ସ୍ଥିତି ଆକଳନ କରାଯାଇନାହିଁ। ସମାଜକୁ ଏକ ଶିକ୍ଷା ସ୍ଥାପତ୍ୟରେ ପରିଣତ କରିବା ପାଇଁ କି କି ଉପାଦାନ ଆମ ପାଖରେ ଅଛି, ଅଧିକ କ’ଣ ଆବଶ୍ୟକ, ତା’ର ଆକଳନ ପାଇଁ ରାଷ୍ଟ୍ର ହାତରେ ରାଜନୈତିକ ନିଷ୍ପତ୍ତିର ଶକ୍ତି ଆବଶ୍ୟକ। ମୌଳିକ ଚିନ୍ତନର ବିକାଶ ପାଇଁ ଜ୍ଞାନକ୍ଷେତ୍ରର ଆବିଷ୍କାର, ପ୍ରସାରଣ ଓ ପୁନର୍ବିନ୍ୟାସ ଆବଶ୍ୟକ। ସ୍ମରଣରେ ରହୁ ଯେ ଭାରତର ଶିକ୍ଷାମନ୍ତ୍ରୀ କେବଳ ସର୍ବଶିକ୍ଷା ଅଭିଯାନ ବା ଉଚ୍ଚତର ଶିକ୍ଷାନୁଷ୍ଠାନରେ ଗୁଣାତ୍ମକ ଶିକ୍ଷାର କଥା ଭାବିବେ ନାହିଁ, ସେ ଭାରତର ବୌଦ୍ଧିକ ଭାବମୂର୍ତ୍ତି ଓ ବିଚାରଧାରା ବିକଶିତ କରିବା ପାଇଁ ଦାୟୀ ରହିବେ। ଜଣେ ଯଦି ଭାରତର ୨୦୨୦ର ଶିକ୍ଷାନୀତି ଅନୁଧୢାନ କରେ, ତେବେ ଆପାତତଃ ଦିଶିବ ଯେ ଏ ନୀତି ଆନୁଷ୍ଠାନିକତା ଉପରେ ଅଧିକ ଗୁରୁତ୍ବ ଆରୋପ କରି ଶିକ୍ଷାର ଦାର୍ଶନିକ ଦିଗଟିକୁ ଅନାଲୋଚିତ ଛାଡ଼ି ଦେଇଚି। ଶିକ୍ଷାର ସମସ୍ୟା ସେଇଆ। ଶିକ୍ଷାନୁଷ୍ଠାନ ଓ ପାଠ୍ୟକ୍ରମ ନିର୍ମାଣ ହୋଇଗଲେ ଆମର ଧାରଣା ହୁଏ ଯେ ବର୍ଷ ପରେ ବର୍ଷ ଶିକ୍ଷିତଙ୍କ ସ˚ଖ୍ୟା ବଢ଼ି ଚାଲିବ। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଗୋଟେ ସମୟରେ ଶିକ୍ଷକର ବିବେକ ଓ ହୃଦୟ ଛଡ଼ା ଆଉ କୌଣସି ନିର୍ଭରଯୋଗ୍ୟ ସ˚ସାଧନ ନ ଥିଲା। ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆଜାଦ୍ ‘ହୃଦୟରୁ ଶିକ୍ଷାଦାନ’ କଥା କହି କହି ଶିକ୍ଷାବ୍ୟବସ୍ଥାକୁ ଏକ ଔପଚାରିକ କର୍ମକାଣ୍ତ ଭିତରେ ଛାଡ଼ି ଦେବାକୁ ବାଧୢ ହୋଇଥିଲେ। ଏ ଭିତରେ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ବିତିଲାଣି, ‘ଭାରତୀୟଙ୍କ ପାଇଁ ଭାରତ’ର ଏକ ଭବ୍ୟ ପରିକଳ୍ପନା ଜନ୍ମ ନେଲାଣି। ପାଶ୍ଚାତ୍ୟ ପ୍ରଭୁପାଠ ଆଉ ନିର୍ଣ୍ଣାୟକ ନୁହେଁ। ତେଣୁ ପାଶ୍ଚାତ୍ୟ ଶିକ୍ଷା ଦର୍ଶନ ଆଉ ନିର୍ଭରଯୋଗ୍ୟ ନୁହେଁ। ଆମେ ତାଙ୍କ ଶିକ୍ଷା ଦର୍ଶନରୁ କିଛି ନେବାରେ ଆପତ୍ତି ନାହିଁ, କିନ୍ତୁ ଆମର ନିଜର ନିର୍ଦ୍ଦିଷ୍ଟ ଶିକ୍ଷାଦର୍ଶନ ଆମ ଶିକ୍ଷାନୀତିର ଅ˚ଶ ଭାବରେ ଉପଲବ୍ଧ ହେବା ଜରୁରୀ। ଶିକ୍ଷା ଆଜି ରାଷ୍ଟ୍ରର ସର୍ବୋଚ୍ଚ ପ୍ରାଥମିକତା, ବ୍ୟୟ ବରାଦର ଆଧାରରେ ନୁହେଁ, ଭାରତୀୟ ଆଧୁନିକତାର ନିର୍ମାଣ ପାଇଁ ଆବଶ୍ୟକ ଜ୍ଞାନ-ଉପାଦାନର ଆଧାରରେ। ୟାର ଲକ୍ଷ୍ୟ ବହୁମୁଖୀ, କିନ୍ତୁ କେତୋଟି ଲକ୍ଷ୍ୟ ସର୍ବଜନବିଦିତ, ଯାହାକୁ ଆଉ ଟିକିଏ ଗମ୍ଭୀରତାର ସହିତ ବିଚାର କରିବାକୁ ହେବ। ସେଗୁଡ଼ିକ ହେଲେ: (୧) କୌତୂହଳ (୨) ପ୍ରଶ୍ନାକୁଳତା (୩) ସୃଜନଶୀଳତା (୪) ଜ୍ଞାନ-ଉତ୍ପାଦନ (୫) ବୋଧଶକ୍ତିର ବିକାଶ (୬) ନୈତିକ, ଆବେଗିକ ଓ ଆତ୍ମିକ ଶକ୍ତିର ବିକାଶ (୭) କଳ୍ପନାର ବିସ୍ତାର (୮) ଆତ୍ମାନୁସନ୍ଧାନ (୯) ପ୍ରମାଣସିଦ୍ଧି (୧୦) ବୈଚାରିକତା। ଏ ତାଲିକା ଆହୁରି ଲମ୍ବି ପାରିବ, କାରଣ ଜୀବନକୁ ଆପଣ ଯେତେ ଛୁଇଁ ଛୁଇଁ ଯିବେ, ଶିକ୍ଷାର ସେତିକି ନୂଆ ନୂଆ ଭୂମିକା ଆଲୋକିତ ହୋଇଚାଲିବ। ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥାରେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରୁ ଆରମ୍ଭ ହୋଇଥିବା ‘ସକ୍ରାଟିକ୍ ଡାଇଲଗ୍’ରୁ ବି˚ଶ ଶତାବ୍ଦୀର ଶିକ୍ଷା-ମନସ୍ତତ୍ତ୍ବ ପର୍ଯ୍ୟନ୍ତ ଅନ୍ତତଃ ଅଢ଼େଇ ହଜାର ବର୍ଷରେ କ’ଣ ଘଟିଚି, ତା’ର ସୁମାରି ପାଇଁ ଆମେ ଅତିକାୟ ଶିକ୍ଷାନୁଷ୍ଠାନମାନଙ୍କୁ ଦେଖୁଁ। କିନ୍ତୁ ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥାର ଦାର୍ଶନିକ ଭିତ୍ତିଭୂମିଟି ହେଇଚି ବାସ୍ତବତାର ତତ୍ତ୍ବାୟନ, ଅର୍ଥାତ୍ ଆମେ ଯାହା ଅନୁଭୂତିରେ ପ୍ରତ୍ୟକ୍ଷ କରୁଚେ, ତାକୁ ତତ୍ତ୍ବ ଭାବରେ ପ୍ରସ୍ତୁତ କରିବା।
ଭାରତୀୟ ବାସ୍ତବତାର ତତ୍ତ୍ବାୟନ ହୋଇନାହିଁ, ଏ କିଛି କମ୍ ଦୁଃଖର କଥା ନୁହେଁ। ଆମ ଶିକ୍ଷାନୁଷ୍ଠାନରେ ପାଶ୍ଚାତ୍ୟ ତତ୍ତ୍ବର ଆଲୋକରେ ବାସ୍ତବତାର ବିଚାର କରାଯାଏ। ଆମର ନିଜର ଅସ୍ତିତ୍ବ-ଆଧାରିତ ଦର୍ଶନ କାହିଁ? ଆମର ଅସ୍ତିତ୍ବ ଆଧାରିତ ଶିକ୍ଷାଦର୍ଶନ ପାତ˚ଜଳିଙ୍କ ଠାରୁ ଦୟାନନ୍ଦ ସରସ୍ବତୀଙ୍କ ପର୍ଯ୍ୟନ୍ତ ଅସ˚ଖ୍ୟ ଭାରତୀୟ ଦାର୍ଶନିକ ବିଭିନ୍ନ ମାର୍ଗରେ ଦେଇ ଚାଲିଚନ୍ତି, ଅଥଚ ଆମର ନିଘା ନାହିଁ। ମୁଁ ଏ ନିଷ୍କର୍ଷରେ ପହଞ୍ଚିଚି ଯେ ମୋ ଦୃଷ୍ଟିରେ ଶ୍ରେଷ୍ଠ ଭାରତୀୟ ଶିକ୍ଷାଦର୍ଶନ ହେଉଛି ‘ସତ୍ୟାର୍ଥ ପ୍ରକାଶ’! ସତ୍ୟର ଅର୍ଥ ପ୍ରକାଶିତ କରିବା ହିଁ ଶିକ୍ଷା। ରୁଷୋ ବା ଡିଵିଙ୍କର ଶିକ୍ଷାଦର୍ଶନ ଠାରୁ ଅଧିକ ଉପଯୋଗ୍ୟ ଦୟାନନ୍ଦଙ୍କର ଏହି ‘ସତ୍ୟାର୍ଥ ପ୍ରକାଶ’! କିନ୍ତୁ ସତ୍ୟାର୍ଥ ପ୍ରକାଶ ହେବ କିପରି? ଜ୍ଞାନର ସ୍ଥିତି ସମୀକ୍ଷା କରି ନୂଆ ‘ପାଠ୍ୟକ୍ରମ’କୁ ବିକାଶ କଲାବେଳେ ଆମକୁ ମନେ ରଖିବାକୁ ହେବ ଯେ ‘ପାଠ୍ୟକ୍ରମ’, ‘ସିଲାବସ୍’ ବା ‘କରିକୁଲମ୍’ଏସବୁ କେହି ସ୍ଥିର ନୁହନ୍ତି। ତେଣୁ ଦେଶରେ ଏକ ‘ସ୍ଥାୟୀ କରିକୁଲମ୍ କମିସନ’ ସ୍ଥାପିତ ହେବା ଜରୁରୀ। ଏ କମିସନ ବରାବର ଦେଖି ଚାଲିବ କୋଉ ନୂଆ ପାଠ କିଭଳି ଭାବରେ ପାଠ୍ୟକ୍ରମରେ ପ୍ରବେଶ କରିବ।
ରାଷ୍ଟ୍ର ଯଦି ଆଜିର ରାଜନୈତିକ ଗଣତନ୍ତ୍ରକୁ ସଭ୍ୟତାଭିତ୍ତିକ ଗଣତନ୍ତ୍ର ଆଡ଼କୁ ଆଗେଇ ନେବାକୁ ଚାହେଁ, ତେବେ ହିଁ ଯାଇ ଶିକ୍ଷା ଏକ ସାମୂହିକ ଲୋକ ସ˚କଳ୍ପରେ ପରିଣତ ହେବ। ରାଜନୀତି ଯଦି ଶିକ୍ଷାର ଅସୀମ ଶକ୍ତିକୁ ବ୍ୟବହାର ନ କରେ ତେବେ ଦେଶ ଦ୍ରବ୍ୟ ଉତ୍ପାଦନରେ ଅଗ୍ରସର ହେବ ସିନା, ପ୍ରକୃତ ଅର୍ଥରେ ମାନବୀୟ ସଭ୍ୟତାର ଉତ୍କର୍ଷ ହରାଇବ। ତୃଣମୂଳ ସ୍ତରରୁ ଉଚ୍ଚ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କାର୍ଯ୍ୟରତ ଶିକ୍ଷକଙ୍କ ବୌଦ୍ଧିକ ମର୍ଯ୍ୟାଦା ଭୂଲୁଣ୍ଠିତ ହେବ। ହୁଏ’ତ ହେଇ ସାରିଲାଣି। ମର୍ଯ୍ୟାଦାବନ୍ତ ପ୍ରାଚୀନ ଶିକ୍ଷକ ଦନ୍ତ କଥାର ବିଷୟ ହେଲେଣି। କିନ୍ତୁ ମୂଳ କଥା ଶିକ୍ଷକ ହେବା ପାଇଁ କି ପ୍ରକାରର ଯୋଗ୍ୟତା ଦରକାର ଓ କେଉଁମାନେ ଆଗ୍ରହୀ? ଯିଏ ପୁଲିସ ଚାକିରି ନ ପାଇ ଶିିକ୍ଷକ ହୋଇଚି ବା କିରାଣି ନ ହୋଇପାରି ପ୍ରାଥମିକ ଶିକ୍ଷକ ହୋଇଚି, ସେ ପିଲାଙ୍କୁ ‘ହୃଦୟ’ରୁ ପଢ଼େଇ ପାରିବ କି? ସେଇଠି ବିଶ୍ବବିଦ୍ୟାଳୟର ଶ୍ରେଷ୍ଠ କୃତି ଛାତ୍ର ସିଭିଲ୍ ସର୍ଭିସେସ୍ରେ କାଇଁକି ଠୁଳ ହୋଇଚନ୍ତି? ବର୍ତ୍ତମାନ ବି ସର୍ବୋଚ୍ଚ ସିଭିିଲ୍ ସେବାରେ ଏଭଳି ବିଚକ୍ଷଣ ବ୍ୟକ୍ତି ଅଛନ୍ତି ଯିଏ ଶିକ୍ଷକ ହେବାକୁ ପସନ୍ଦ କରିଥା’ନ୍ତେ, ଯଦି ଶିକ୍ଷକ ଚାକିରି ସିଭିଲ୍ ସର୍ଭିସ ଠାରୁ ଅଧିକ ରୋଜଗାରୀ ଓ ସମ୍ମାନଜନକ ହୋଇଥା’ନ୍ତା! କାହିଁକି ଜଣେ ଶିକ୍ଷକ, ଜଣେ ସରକାରୀ ସେବକ ଠାରୁ ଅଧିକ ମର୍ଯ୍ୟାଦା ଆଶା କରିବ ନାହିଁ, ଯଦି ସେ ବିଚକ୍ଷଣ? ଔପନିବେଶିକ ରୋଜଗାର ନୀତିରେ ଚାକିରିର ସ୍ତର ନିର୍ମାଣ ଗୋଟିଏ ସ୍ବାର୍ଥଗତ କାରଣରୁ ହୋଇଥିଲା ଓ ଭାରତରେ ଶାସକ ଶ୍ରେଣୀ ସୃଷ୍ଟି ହୋଇଥିଲେ। ଏବେ ସେ ସ୍ଥିତିର ପୁନର୍ବିଚାର ହେବା ଜରୁରୀ।
ସରକାରୀ ଚାକିରିରେ ସିଭିଲ୍ ସେବକ ଜଣେ ସାଧୁ, ନୀତି ପାଳନକାରୀ, ଦକ୍ଷ ମେଡିଓକର୍ ହେଲେ ଯଥେଷ୍ଟ। ଅତି ବିଚକ୍ଷଣଙ୍କ ପାଇଁ ସିଭିଲ୍ ସେବା ଉପଯୁକ୍ତ କ୍ଷେତ୍ର ନୁହେଁ। ଅତି ବିଚକ୍ଷଣମାନେ ଜ୍ଞାନ-ଉତ୍ପାଦନ କରିବା ପାଇଁ ଯୋଗ୍ୟ, ତେଣୁ ସେମାନେ ଶିକ୍ଷକ ହେବା ଜରୁରୀ। ବିଚକ୍ଷଣ ଶିକ୍ଷକ ହେଲେ ବିଚକ୍ଷଣ ଛାତ୍ର ବି ବାହାରିବେ, ଶିକ୍ଷାର କ୍ଷେତ୍ର ଆପେ ଆପେ ବିସ୍ତାରିତ ହେବ। ଶିକ୍ଷାର ସବୁତକ ଲକ୍ଷ୍ୟ ପୂରଣ କରିବେ ଶିକ୍ଷକ, ତାଙ୍କୁ ବାଧୢ କରିବାର ଆବଶ୍ୟକତା ନାହିଁ। ଔପନିବେଶିକ ପ୍ରଶାସନର ଇ˚ରେଜ କର୍ତ୍ତାମାନେ ଜାଣିଥିଲେ ଯେ ଭାରତର ବିଚକ୍ଷଣ ଲୋକେ ଯଦି ଶିକ୍ଷକ ହୁଅନ୍ତି, ତେବେ ଭାରତରେ ତାଙ୍କର ଭବିଷ୍ୟତ୍ ସୁରକ୍ଷିତ ନୁହେଁ। ଶିକ୍ଷାର ସାମର୍ଥ୍ୟ ସହିତ ଇ˚ରେଜମାନେ ବହୁ ପରୀକ୍ଷା କରି ନିଜ ଦେଶର ମେରୁଦଣ୍ତ ନିର୍ମାଣ କରିଚନ୍ତି। ଇ˚ଲଣ୍ତର ଗ୍ରାମାର୍ ସ୍କୁଲରେ ବିଶ୍ବପ୍ରସିଦ୍ଧ ଦାର୍ଶନିକମାନେ ଶିକ୍ଷକତା କରିଥିଲେ। ଫ୍ରାନ୍ସର ‘ଏକୋଲ ନର୍ମାଲ’ରେ ଏବେ ବି ଶ୍ରେଷ୍ଠ ଚିନ୍ତକ ଓ ଦାର୍ଶନିକମାନେ ଶିକ୍ଷକତା କରନ୍ତି। ଆମେରିକାରେ ମଧୢ ବିଶ୍ବବିଦ୍ୟାଳୟ ଅଧୢାପନା ଶ୍ରେଷ୍ଠତମ କ୍ୟାରିଅର୍। ଆମର କାହିଁକି ନୁହେଁ?
ଲୋକକ୍ଷେତ୍ରରେ ଶିକ୍ଷା ପ୍ରସଙ୍ଗକୁ ନେଇ ମୋର ଚିନ୍ତା ଓ ସ୍ପର୍ଶକାତରତା ମୁଁ ବ୍ୟକ୍ତ କରୁଚି ଏଇ ଆଶାରେ ଯେ ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରୀ ସମଗ୍ର ଦେଶର ସମସ୍ତ ନାଗରିକ ଜୀବନକୁ ସ୍ପର୍ଶ କରୁଥିବା ସ୍ଥିତିରେ ଅଛନ୍ତି ଓ ସେ ଭାରତ ସରକାରଙ୍କୁ ଶିକ୍ଷାର ସର୍ବୋଚ୍ଚ ସମ୍ଭାବନା ସହିତ ପରିଚିିତ କରାଇବେ। ଆମର ସୌଭାଗ୍ୟ, ବର୍ତ୍ତମାନ ଭାରତର ଶିକ୍ଷାମନ୍ତ୍ରୀ ଜଣେ ଓଡ଼ିଆ। ଏ ଗୌରବ ଓଡ଼ିଶାକୁ କେବେ ଆସିନଥିଲା। ବୈଷୟିକ ମନ୍ତ୍ରାଳୟମାନଙ୍କରେ ଦାୟିତ୍ବର ଅଦଳବଦଳକୁ ନେଇ ଦେଶ ବିଶେଷ ଚିନ୍ତିତ ନୁହେଁ। ଏପରି କି କୃଷି, ଶିଳ୍ପ ଓ ବାଣିଜ୍ୟ ବା ଅନ୍ୟ ଆର୍ଥିକ ମନ୍ତ୍ରାଳୟର ପରିବର୍ତ୍ତନକୁ ନେଇ ଦେଶ ଚିନ୍ତିତ ନୁହେଁ। ଗୃହ, ବିତ୍ତ, ପ୍ରତିରକ୍ଷା ହେଉ ବା ପରିବହନ, ଗମନାଗମନ, ବିଜ୍ଞାନ ଓ ଟେକ୍ନୋଲୋଜି ହେଉ ବା ଭିିତ୍ତିଭୂମି ନିର୍ମାଣକାରୀ ମନ୍ତ୍ରାଳୟ ହେଉ; ଚିନ୍ତା କାହାରି ପାଇଁ ନାହିଁ, କାରଣ ଏ ମନ୍ତ୍ରାଳୟମାନଙ୍କର ମନ୍ତ୍ରୀମାନେ ବ୍ୟକ୍ତିନିଷ୍ଠ କର୍ମକର୍ତ୍ତା ବା ରାଜନେତା ନୁହନ୍ତି, ଏମାନେ ସମସ୍ତେ ଏକ ଏକ ବିଶାଳ ବ୍ୟବସ୍ଥାର ଅ˚ଶ। କେବଳ ଗୋଟିଏ ମନ୍ତ୍ରାଳୟ ରାଷ୍ଟ୍ରର ବ୍ୟକ୍ତିତ୍ବ ଓ ବିଶ୍ବରେ ଭାରତୀୟତାର ବୈଶିଷ୍ଟ୍ୟ ନିର୍ମାଣ ପାଇଁ ଦାୟୀ। ଭାରତର ଶିକ୍ଷାମନ୍ତ୍ରୀଙ୍କ ଭୂମିକା ଶିକ୍ଷାନୀତିର ଚାରିଦିଗରେ ବିଚ୍ଛୁରିତ ସଭ୍ୟତାରେ ଅଦୃଶ୍ୟ ଆଜେଣ୍ତା। ୟାକୁ ବ୍ୟବସ୍ଥା ଏକାଠି କରିପାରିବ ନାହିଁ, ଏଥିପାଇଁ ଶିକ୍ଷାମନ୍ତ୍ରୀଙ୍କ ନେତୃତ୍ବ ଦରକାର। ଏଥିପାଇଁ କର୍ମଠତା ଠାରୁ ଅଧିକ କଳ୍ପନା ଦରକାର, ପୂର୍ବ ପ୍ରସ୍ତୁତ ମାର୍ଗ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଦାର୍ଶନିକତା ଦରକାର।
ଧର୍ମେନ୍ଦ୍ରଜୀ କର୍ପୋରେଟ୍ ବସ୍ ଥିଲେ, ଏବେ ସେ ଜଣେ ଦାର୍ଶନିକର ସର୍ବୋଚ୍ଚ ବୌଦ୍ଧିକ ଆସନରେ। ସ୍ମରଣରେ ରହୁ ଯେ ଆଧୁନିକ ଭାରତର ରାଷ୍ଟ୍ରୀୟ ସରକାରରେ ସବୁ ମନ୍ତ୍ରାଳୟମାନେ ଗୋଟିଏ ଅନ୍ତର୍ପାଠରେ ବନ୍ଧା। ସେ ଅନ୍ତର୍ପାଠ ଶିକ୍ଷା ଓ ଦକ୍ଷତା। ଭାରତୀୟ ଯଦି ଶିକ୍ଷିତ ହେବେ ଓ ଦକ୍ଷ ହେବେ, ତେବେ ବିକାଶ, ଉତ୍ପାଦକତା, ଭିତ୍ତିଭୂମି, ଅନ୍ନସ˚ସ୍ଥାନ, ରୋଜଗାର, ଭାବମୂର୍ତ୍ତି ଓ ପତିଆରା ଆପେ ବଢ଼ିବ। ନୂଆ ସ୍ବନିର୍ଭର ଭାରତର ଶକ୍ତି ଏହି ଶିକ୍ଷାରେ। ଅଶିକ୍ଷା ଓ ଅଜ୍ଞାନତାରୁ ମୁକ୍ତି ଭାରତର ଦ୍ବିତୀୟ ସ୍ବାଧୀନତା ସ˚ଗ୍ରାମ। ସେହିପରି ଭାରତୀୟ ଜ୍ଞାନୋନ୍ମେଷ (ଏନ୍ଲାଇଟେନ୍ମେଣ୍ଟ) ଭାରତର ବିଶ୍ବ ନେତୃତ୍ବର ପ୍ରତିଷ୍ଠା। ଏ ଦୁଇ ଉପଲବ୍ଧର କ୍ଷେତ୍ର ‘ଭାରତୀୟ ଶିକ୍ଷା’! ଭାରତର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିନନ୍ଦନ ଓ ଶୁଭକାମନା। ଭାରତର ପ୍ରଧାନମନ୍ତ୍ରୀ ତାଙ୍କୁ ମାନବ ସ˚ସାଧନ ଓ ଜ୍ଞାନବିକାଶର ଏ ଯେଉଁ ସର୍ବୋଚ୍ଚ ଦାୟିତ୍ବ ଅର୍ପଣ କରିଚନ୍ତି, ସେ ତା’ର ନିର୍ବାହ ସହିତ, ଶିକ୍ଷାକୁ ତା’ର ବହୁବା˚ଛିତ ଦାର୍ଶନିକ ଧରାତଳ ପ୍ରଦାନ କରିବେ ଓ ସଫଳ ହେବେ।
ବାଗର୍ଥ, ଏନ୍ ୨/୨୬
ଆଇଆର୍ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮