ତୁ ତ ମୂତୁରୀ, ମୁଁ ତ ମୂତୁରୀ…

ଶ୍ୟାମସୁନ୍ଦର ଅଗ୍ରୱାଲା

ଓଡ଼ିଆରେ ଗୋଟିଏ ଢଗ ଅଛି, “ତୁ ତ ମୂତୁରୀ, ମୁଁ ତ ମୂତୁରୀ, ‌େହଂସ କାହିଁ ପାଇଁ ଧୋଇବା?” ଏ କଥା ସତ ଯେ ଶେଯ ଉପରେ ଶୋଇଥିବା ଦୁଇଜଣ ଯାକ ଯଦି ମୂତୁରୀ ହୋଇଥା’ନ୍ତି, ତେବେ କେହି କାହା ବିରୋଧରେ ଅଭିଯୋଗ ଆଣି ନ ଥା’ନ୍ତି କି କେହି ଶେଯଟିକୁ ଧୋଇବାର ଆବଶ୍ୟକତା ମଧ୍ୟ ମନେ କରି ନ ଥା’ନ୍ତି। ଏହା ଶେଯର ଦୁର୍ଭାଗ୍ୟ ଯେ ଶେଷକୁ ଏହା ଦୁର୍ଗନ୍ଧମୟ ହୋଇ ଅକାଳରେ ମୃତ୍ୟୁବରଣ କରିଥାଏ।

ଏଠାରେ ଭାରତୀୟ ସମ୍ବିଧାନ ହେଉଛି ଏକ ଶେଯ ସଦୃଶ ଯାହା ଉପରେ ଊଣେଇଶହ ପଞ୍ଚାଅଶୀ ମସିହାରୁ ଘନ ଘନ ଦଳ ପରିବର୍ତ୍ତନ କରି ଆୟାରାମ ଓ ଗୟାରାମମାନଙ୍କୁ ରୋକିବା ନିମନ୍ତେ ଦଶମ ଅନୁସୂଚି ନାମକ ଏକ ସୁନ୍ଦର ଧଳା ରଙ୍ଗର ଚାଦରଟିଏ ବିଛା ହୋଇଛି। ଦୁର୍ଭାଗ୍ୟର ବିଷୟ ଯେ ଗତ ଦଶବର୍ଷ ହେଲାଣି ପଶ୍ଚିମବଙ୍ଗର ରାଜନୈତିକ ଦଳ ବୃନ୍ଦ ବିଶେଷ କରି ଅଧୁନା ବିଜେପି ଓ ତୃଣମୂଳ କଂଗ୍ରେସ ଦୁହେଁ ମୂତୁରୀ ରୂପରେ ଆବିର୍ଭୂତ ହୋଇ ଏହାକୁ ଦୁର୍ଗନ୍ଧମୟ କରିବାରେ ବ୍ୟସ୍ତ ଅଛନ୍ତି ଏବଂ ଉପରୋକ୍ତ ଢଗ ଅନୁଯାୟୀ କେହି କାହାରି ବିରୋଧରେ ଅଭିଯୋଗ ମଧ୍ୟ ଆଣୁନାହାନ୍ତି; କାରଣ ଦୁହେଁ ତ ମୂତୁରୀ, ଅଭିଯୋଗ ଆଣିବ କିଏ ଆଉ ଶେଯ ଧୋଇବ କିଏ?

ସମ୍ବିଧାନର ଏହି ଦଶମ ଅନୁସୂଚି କହୁଛି ଯେ ଯଦି ଜଣେ ନିର୍ବାଚିତ ପ୍ରତିନିଧି ନିଜ ରାଜନୈତିକ ଦଳରୁ ନିର୍ବାଚନ ଜିତି ଅନ୍ୟ ଏକ ରାଜନୈତିକ ଦଳରେ ଯୋଗ ଦିଅନ୍ତି, ତେବେ ତାଙ୍କର ସଭ୍ୟପଦ ରଦ୍ଦ ହୋଇଯିବ ଓ ତାଙ୍କୁ ପୁନର୍ବାର ନିର୍ବାଚନ ଲଢ଼ିବାକୁ ପଡ଼ିବ। ତେବେ ଏହି ସଭ୍ୟ ପଦ ରଦ୍ଦ ଘୋଷଣା କରିବ କିଏ? ଏହି ନିୟମ କହୁଛି ଯେ ଗୃହର ଅଧିକାରୀ ବାଚସ୍ପତି ସଭ୍ୟପଦ ରଦ୍ଦ କରିପାରିବେ ଓ ତାଙ୍କର ନିର୍ଣ୍ଣୟ ହିଁ ଚୂଡ଼ାନ୍ତ ଅଟେ। ଦୁଇହଜାର ଷୋହଳ ମସିହାରେ ଦୁଇଜଣ ସର୍ବଭାରତୀୟ ଦଳର ବିଧାୟକ ଦଳ ପରିବର୍ତ୍ତନ କରି ତୃଣମୂଳ କଂଗ୍ରେସରେ ଯୋଗ ଦେଲେ। ନିୟମାନୁଯାୟୀ ତାଙ୍କର ସଭ୍ୟ ପଦ ରଦ୍ଦ ହୋଇଯିବା କଥା କିନ୍ତୁ ନିର୍ଣ୍ଣୟ ନେବେ ବାଚସ୍ପତି ଓ ବାଚସ୍ପତି ନିଜେ ତୃଣମୂଳ କଂଗ୍ରେସର ହୋଇଥିବାରୁ ସେ କୌଣସି ନିର୍ଣ୍ଣୟ ନେଲେ ନାହିଁ। ସେ ବର୍ଷ ବର୍ଷ ଧରି ଚୁପ୍‌ ହୋଇ ରହିଲେ ଓ ଦଶମ ଅନୁସୂଚିରେ ବାଚସ୍ପତି କେତେଦିନ ଭିତରେ ନିର୍ଣ୍ଣୟ ନେବାକୁ ବାଧ୍ୟ ହେବେ ବୋଲି ଉଲ୍ଲେଖ ହୋଇ ନ ଥିବାରୁ ଉପରୋକ୍ତ ଦୁଇ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ହୋଇପାରିଲା ନାହିଁ।

କଥାରେ ଅଛି ଇତିହାସ ବାରମ୍ବାର କଡ଼ ଲେଉଟାଇଥାଏ। ଦୁଇହଜାର ଊଣେଇଶ ମସିହାରେ କେତେ ଜଣ ତୃଣମୂଳ କଂଗ୍ରେସ ବିଧାୟକ ଦଳ ପରିବର୍ତ୍ତନ କରି ବିଜେପିରେ ଯୋଗ ଦେଲେ। ତୃଣମୂଳ କଂଗ୍ରେସ ଏବେ କରିବ କ’ଣ? ଯଦି ସେମାନେ ଏବେ ଦଶମ ଅନୁସୂଚିର ଦଳବଦଳ ବିରୋଧ ନିୟମ କଥା ଉଠଉଛନ୍ତି ତେବେ ପୁରୁଣା କଥା ବି ଉଠିବ। ତୃଣମୂଳ କଂଗ୍ରେସ ନେତୃବୃନ୍ଦ ଚୁପ୍‌ ରହିଲେ ଆଉ ବିଜେପି ତ ସହଜରେ ଲାଭରେ ଅଛି; ତେଣୁ ସେମାନେ ବି ଚୁପ୍‌ ରହିଲେ। ବାଚସ୍ପତି କାହିଁକି ଆଉ ମୁଣ୍ଡ ଖେଳେଇବେ, ତେଣୁ ସେ ବି ଚୁପ୍‌ ରହିଲେ।

ସବୁଠୁ ମଜାର ଘଟଣା ହେଲା ଯେତେବେଳେ ମୁକୁଲ ରାୟ ବିଜେପି ଟିକେଟ୍‌ରୁ ଜିତି ତୃଣମୂଳ କଂଗ୍ରେସରେ ଯୋଗ ଦେଲେ। ଶୁଭେନ୍ଦୁ ଅଧିକାରୀ ଯିଏ କି ତୃଣମୂଳ କଂଗ୍ରେସ ଛାଡ଼ି ବିଜେପି ଟିକେଟ୍‌ରେ ଜିତିଛନ୍ତି, ସେ ମୁକୁଲ ରାୟଙ୍କୁ କହିଲେ ଯେ ଯେହେତୁ ସେ ବିଜେପି ଟିକେଟ୍‌ରୁ ଜିତି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ତାଙ୍କର ବିଧାୟକ ପଦରୁ ଇସ୍ତଫା ଦେଇ ପୁନଶ୍ଚ ନିର୍ବାଚନ ଲଢ଼ିବା ଉଚିତ। ମୁକୁଲ ରାୟ ତା’ର ଉତ୍ତର ଦେଇ ପ୍ରଶ୍ନ କରିଥିଲେ ଯେ ଶୁଭେନ୍ଦୁ ଅଧିକାରୀଙ୍କ ବାପା ସାଂସଦ ଶିଶିର ଅଧିକାରୀ ଯିଏ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ସେ ଇସ୍ତଫା ଦେଇଥିଲେ କି? ଏଠାରେ ସ୍ମରଣ କରାଯାଇପାରେ ଯେ ସାଂସଦ ଶିଶିର ଅଧିକାରୀ ଯେତେବେଳେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ସେତେବେଳେ ଲୋକସଭାର ବାଚସ୍ପତି ମଧ୍ୟ ଠିକ୍ ଏହିପରି କୌଣସି ନିଷ୍ପତ୍ତି ନ ନେଇ ଚୁପ୍ ହୋଇ ରହିଯାଇଥିଲେ। ଅର୍ଥାତ୍‌, ଲୋକସଭା ହେଉ କି ବିଧାନସଭା ହେଉ; ବାଚସ୍ପତିମାନେ ନିଜ ନିଜ ଦଳକୁ ସୁହାଇଲା ଭଳି କୌଣସି ନିଷ୍ପତ୍ତି ନ ନେଇ ଚୁପ୍‌ ରହୁଛନ୍ତି। ଉଭୟ ଦଳ ମଧ୍ୟ ଚୁପ୍ ରହୁଛନ୍ତି। ଏହା ଫଳରେ ଶେଯ ଗନ୍ଧେଇବା ସାଭାବିକ ନୁହେଁ କି?

ନିୟମ ଯାହା ହେଉନା କାହିଁକି ଆଜି ପର୍ଯ୍ୟନ୍ତ ଏମିତି ନିୟମ କରା ଯାଇପାରିନାହିଁ ଯାହା ପ୍ରତ୍ୟେକ ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇପାରିଛି। ଗ୍ରେଟ୍‌ ବ୍ରିଟେନ୍‌ରେ କୌଣସି ସମ୍ବିଧାନ ନାହିଁ। ଦେଶ କିନ୍ତୁ ସୁରୁଖୁରୁରେ ଚାଲିଛି। ଯୁକ୍ତରାଷ୍ଟ୍ର ଆମେରିକା ସମ୍ବିଧାନ ମାତ୍ର ସାତଟି ନିୟମକୁ ନେଇ ସମସ୍ତ ସମସ୍ୟାର ସମାଧାନ କରିପାରୁଛି। ଆମ ଭାରତବର୍ଷରେ ଚାରିଶହ ପାଖାପାଖି ଧାରା, ବାର ଅନୁସୂଚି ଓ ଶତାଧିକ ସଂଶୋଧନର ଏକ ସର୍ବବୃହତ ସମ୍ବିଧାନ ଥାଇ ମଧ୍ୟ ବାରମ୍ବାର ନିୟମ ପାଳନରେ ବିଭ୍ରାଟ ଘଟୁଛି। ଏଠାରେ ସମ୍ବିଧାନର ଦୋଷ ନାହିଁ, ଦୋଷ ରହିଛି ଯେଉଁମାନେ ଧର୍ମକୁ ଆଖିଠାର ମାରିଲା ଭଳି କେବଳ ଏହା ପ୍ରତି ଲୋକ ଦେଖାଣିଆ ଆନୁଗତ୍ୟ ପ୍ରକାଶ କରି ଏହା ଭିତରୁ ଗୁଡ଼ାଏ ଗଳା ବାଟ ବାହାର କରି ଅପବ୍ୟବହାର କରୁଛନ୍ତି। ଥରେ ଆପଣ ଭାବନ୍ତୁ। ଦଳବଦଳ ବିରୋଧ ନିୟମ ଦଶମ ଅନୁସୂଚି ଆଜିଠୁ ଛତିଶ ବର୍ଷ ତଳୁ ସମ୍ବିଧାନରେ ଯୋଗ ହେଲାଣି। ଏହା ଭିତରେ ୟୁପିଏ ଓ ଏନ୍‌ଡିଏ ଉଭୟ ସରକାର ବାରମ୍ବାର କ୍ଷମତାକୁ ଆସି ବିଦାୟ ନେଲେଣି କିନ୍ତୁ କାହିଁ କେହି ତ ନିୟମଟିର ଏହି ଅଭାବଟିକୁ ଦୂର କରିବାକୁ ଚେଷ୍ଟା କରିନାହାନ୍ତି। ସମ୍ବିଧାନର ଶେଯଟି ମୂତ୍ରସିକ୍ତ ହୋଇ ଗନ୍ଧରେ ଫାଟି ପଡ଼ିଲାଣି ଅଥଚ ଏ ପର୍ଯ୍ୟନ୍ତ ମୂତୁରୀମାନଙ୍କର ନିଦ ଭାଙ୍ଗୁନାହିଁ।

୯୭, ଜନପଥ, ଭୁବନେଶ୍ବର
ମୋ- ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର