ଠାକୁରଙ୍କ ଘରକଳି କଥା

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଶ୍ରୀମନ୍ଦିର ହେଉଛି ପୁରୁଷୋତ୍ତମଙ୍କ ପ୍ରାସାଦ ବା ଜଗନ୍ନାଥଙ୍କ ଘର। ସେହି ଘରେ ସେ ରହନ୍ତି ବଡ଼ଭାଇ ବଳଭଦ୍ର, ସାନଭଉଣୀ ସୁଭଦ୍ରା ଓ ସ୍ତ୍ରୀ ଲକ୍ଷ୍ମୀଙ୍କ ସହିତ। ସବୁ ଓଡ଼ିଆ ଘର ପରି, ସେ ଘରେ ବି କଳି ହୁଏ। ପୁଣି ସେ କଳିର ସମାଧାନ ବି ହୋଇଯାଏ। ପୁଣି ସେମାନେ ମିଳିମିଶି ପୂର୍ବପରି ଚଳନ୍ତି। ସେ ଘରକଳି କେବେ ଘର ଭାଙ୍ଗିନି। ବରଂ ସେହି ବଡ଼ଘରର ଆଦର୍ଶ ଆମ ପରିବାରକୁ ଗଢ଼ିଛି। ଆମ ସମାଜକୁ ଯୋଡ଼ିଛି। ଏହାର ସୁନ୍ଦର ଦୃଷ୍ଟାନ୍ତ ଆମେ ଦେଖିଛୁ ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ରେ।

କିନ୍ତୁ ସେ ବଡ଼ଘରର ବଡ଼ ଗୁମର କଥା ଭିତରେ, ସେଇ ଗୋଟିଏ କଳି ନାହିଁ। ଆହୁରି ଗୋଟିଏ ବଡ଼ କଳି ବି ଅଛି। ସେ କଳି ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚାଯାତକୁ ନେଇ। ବଳରାମ ଦାସ ସିନା ପୁରୀ ବଡ଼ଦେଉଳର ଠାକୁରାଣୀ ଲକ୍ଷ୍ମୀ ସାଆନ୍ତାଣୀ, ଶ୍ରୀୟା ଚଣ୍ଡାଳୁଣୀ ଘରେ ବୁଲିଆସିବା ଘଟଣା ଜନିତ ତମ୍ବିତୋଫାନକୁ ନେଇ ଗୋଟିଏ ‘ଲକ୍ଷ୍ମୀପୁରାଣ’ ରଚନା କଲେ; ଗୁଣ୍ଡିଚାଯାତର ଏ ଘରକଳିକୁ ନେଇ କିନ୍ତୁ ଆମ ସାହିତ୍ୟରେ ଅନେକ କବି ନିଜ ନିଜ ମତେ, ଅନେକ ସାହିତ୍ୟକୃତିର ରଚନା କରିଛନ୍ତି। ସେସବୁ ଯେତିକି ରୋଚକ ଓ ବିବିଧତାଭରା, ସେତିକି ଓଡ଼ିଆପଣର ପରିଚାୟକ।

ଏ କଳିର ମୁଖ୍ୟତଃ ତିନିଟି ପ୍ରସ୍ତ। ଗୋଟିଏ- ମନ୍ଦିରର ନୀତି, ଅନ୍ୟଟି- ଶାସ୍ତ୍ରର ଉକ୍ତି ଏବଂ ତୃତୀୟଟି- କବିଙ୍କ କୃତି। ପ୍ରଥମ ଦୁଇଟି ଏକଦା ହୁଏ’ତ ଓତପ୍ରୋତ ବା ପରସ୍ପର ସହ ଜଡ଼ିତ ଥିଲେ। କିନ୍ତୁ ସମୟକ୍ରମେ ପରିବର୍ତ୍ତନ ଘଟି ନୀତି କିଛିଟା ପୃଥକ୍ ହୋଇଯାଇଛି। ତା’ ସହିତ ମଧ୍ୟ ମିଶିଯାଇଛି ଅନେକ ଲୋକାଚାର। କିନ୍ତୁ ଏସବୁ ସତ୍ତ୍ୱେ, ତାହା ଯେ ଶ୍ରୀଜଗନ୍ନାଥ ଚେତନାର ବିଶେଷତ୍ୱ ବଖାଣୁଛି, ଏଥିରେ ଟିକିଏ ହେଲେ ସଂଶୟ ନାହିଁ।

କଳିର କାରଣ ବା ତାହାର ଘଟଣାକ୍ରମ ମୋଟାମୋଟି ଏମିତି।

ରୁକ୍ମିଣୀ (ଶ୍ରୀଦେବୀ ବା ଲକ୍ଷ୍ମୀ)ଙ୍କ ସହ ବିବାହର ତିନିଦିନ ପରେ ପଡ଼େ ଜ୍ୟେଷ୍ଠପୂର୍ଣ୍ଣମୀ। ସେ ଦିନଟି ଶ୍ରୀଜଗନ୍ନାଥଙ୍କ ଜନ୍ମ ଦିନ। ସେଦିନ ଭାଇ ଓ ଭଉଣୀଙ୍କ ସହ ସେ ଭକ୍ତଙ୍କ ମେଳକୁ ଆସି, ମନ ଆନନ୍ଦରେ ମୁଣ୍ଡରେ ପାଣି ଢାଳି ଢେର୍ ଗାଧାନ୍ତି ଏବଂ ସେହିଦିନ ରାତିରେ ହିଁ ଜରରେ ପଡ଼ି ଭାଇ-ଭଉଣୀଙ୍କ ସହ ଅଣସର ଘରେ ରହନ୍ତି। ପନ୍ଦର ଦିନ ପରେ ସୁସ୍ଥ ହୁଅନ୍ତି ଅବଶ୍ୟ; କିନ୍ତୁ ପୂର୍ବ ନିର୍ଦ୍ଧାରିତ ଗସ୍ତକ୍ରମ ଅନୁସାରେ, ଭାଇଭଉଣୀଙ୍କୁ ନେଇ ଗୁ୍‌ଣ୍ଡିଚାମନ୍ଦିରକୁ ଚାଲିଯାଆନ୍ତି। ଜନ୍ମଦିନରେ ସ୍ନାନବେଦୀକୁ ଯିବା ପୂର୍ବରୁ ତାଙ୍କର ଚତୁର୍ଥୀର ହୋମାଦି କର୍ମ ଅବଶ୍ୟ ହୋଇଥାଏ, କିନ୍ତୁ ସେ ଅଣସର ଘରେ ରହିବାରୁ ସପ୍ତମଙ୍ଗଳାର ବାହା ଗଇଣ୍ଠାଳ ଫିଟା କର୍ମ ଆଦି ହୋଇ ପାରି ନଥାଏ। ଏପରି କି, ଗୋଟିଏ ଦିନ ବି ସେ ଲକ୍ଷ୍ମୀଙ୍କ ସହ ଏକାନ୍ତବାସରେ ବିତାଇ ନଥା’ନ୍ତି। ତେଣୁ, ନିଜ ଇଚ୍ଛାରେ ତାଙ୍କୁ ବରଣ କରି, ସ୍ୱଇଚ୍ଛାରେ ହରଣ ହୋଇ, ତାଙ୍କୁ ବିବାହ କରିଥିଲେ ମଧ୍ୟ, ଲକ୍ଷ୍ମୀ ସାଆନ୍ତାଣୀ ତାଙ୍କ ଉପରେ ଖପା ହୁଅନ୍ତି।

ଏ ନେଇ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯୋଡ଼ା ହୋଇଛି ଏକ କୌତୁକପୂର୍ଣ୍ଣ ନୀତି- ‘ହେରାଯାତ୍ରା’ ବା ‘ହେରାପଞ୍ଚମୀ’। ‘ଯାତ୍ରାଭାଗବତ’ ଓ ‘ବାମଦେବ ସଂହିତା’ ଆଦିରେ ଏ ସଂପର୍କରେ ରୋଚକ ବର୍ଣ୍ଣନା ଅଛି। ‘ବାମଦେବ ସଂହିତା’ରେ କୁହାଯାଇଛି- ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଜଗନ୍ନାଥ ଗୁଣ୍ଡିଚା ଘରକୁ ଚାଲିଯିବା ପରେ, ବିରହବିଧୁରା ଲକ୍ଷ୍ମୀ ଠାକୁରାଣୀ, ଶ୍ରୀମନ୍ଦିର ପରିସରରେ ଥିବା ଭଗିନୀପ୍ରତିମା ବିମଳା ଦେବୀଙ୍କ ନିକଟକୁ ଯାଇ, ତାଙ୍କୁ ନିଜ ମନର କଥା କହନ୍ତି। ପ୍ରତିକାର ପାଇଁ ତାଙ୍କର ପରାମର୍ଶ ଲୋଡ଼ନ୍ତି। ଦେବୀ ବିମଳା ତାଙ୍କୁ ସାନ୍ତ୍ୱନା ଦେଇ କହନ୍ତି- ସ୍ୱାମୀ ଯଦି କେବେ ଅବିବେକୀ ପରି ଆଚରଣ କରନ୍ତି, କିଛି ଅକରଣୀୟ କାମ କରିବସନ୍ତି; ତେବେ ତାଙ୍କୁ କୌଶଳ କରି ନିଜ ଆଡ଼କୁ ଆଣିବାକୁ ପଡ଼େ। ତେଣୁ ତୁମେ ତାଙ୍କୁ ଉଚ୍ଚାଟିତ କରି ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ, ତାଙ୍କ ପ୍ରତି ‘ମୋହନଚୂର୍ଣ୍ଣ’ ପ୍ରୟୋଗ କର।
ଦେବୀ ବିମଳା, କେବଳ ଲକ୍ଷ୍ମୀଦେବୀଙ୍କୁ ଏହି ପରାମର୍ଶ ଦିଅନ୍ତି ନାହିଁ; ତାଙ୍କୁ ସେହି ‘ମୋହନଚୂର୍ଣ୍ଣ’ ବି ଦିଅନ୍ତି। ତେଣୁ ତାଙ୍କ ପରାମର୍ଶରେ, ଦେବୀ ଲକ୍ଷ୍ମୀ, ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରୁଥିବା ଶ୍ରୀଜଗନ୍ନାଥଙ୍କ ନିକଟକୁ ଯାଇ, ତାଙ୍କ ପ୍ରତି ସେହି ‘ମୋହନଚୂର୍ଣ୍ଣ’ ପ୍ରୟୋଗ କରନ୍ତି। ‘ଯାତ୍ରା ଭାଗବତ’ରେ ମଧ୍ୟ ଏ ସଂପର୍କରେ ବର୍ଣ୍ଣନା ଅଛି। ଦେବୀ ଲକ୍ଷ୍ମୀ ‘କର୍ପୂର-ଚନ୍ଦନ-ମୋହନଚୂର୍ଣ୍ଣ’ ଶ୍ରୀଜଗନ୍ନାଥଙ୍କ ଉପରକୁ ନିକ୍ଷେପ କରି ସ୍ୱଗୃହ (ଶ୍ରୀମନ୍ଦିର)କୁ ଫେରନ୍ତି ବୋଲି, ସେଥିରେ ବର୍ଣ୍ଣିତ ଯାତ୍ରାନୀତିରେ କୁହାଯାଇଛି।

ଶ୍ରୀମନ୍ଦିରର ଅଧିକାର ଅଭିଲେଖ ବା ସ୍ୱତ୍ୱଲିପିରେ ଉଲ୍ଲେଖ ଥିବା ନୀତି ଅନୁସାରେ, ହେରାପଞ୍ଚମୀ ଦିନ ଶ୍ରୀମନ୍ଦିରର ଭଣ୍ଡାର ଘରଠାରୁ ଶ୍ରୀଦେବୀ (ଲକ୍ଷ୍ମୀ)ଙ୍କୁ ମହାଜନ ସେବକ ବିମାନକୁ ବିଜେ କରାଇ ଆଣନ୍ତି। ବିମାନବଡ଼ୁ ସେବକ ତାଙ୍କୁ ଆଡ଼ମ୍ବରପୂର୍ଣ୍ଣ ଘଣ୍ଟ, ବାଜା ଓ କାହାଳୀ ଆଦି ସହିତ ଶ୍ରୀଗୁଣ୍ଡିଚା ମନ୍ଦିରର ଶରଧାବାଲିଠାରେ ଥିବା ନନ୍ଦିଘୋଷ ରଥ ନିକଟକୁ ନେଇ ଯାଆନ୍ତି। ସେଠାରେ ଦେବୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଚିହ୍ନଟ କରନ୍ତି। ସେଠାରେ ସେ ରଥ ନିକଟରେ ନିଜ ବିମାନରେ ବସିଥିବା ବେଳେ, ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ପତି ମହାପାତ୍ର ସେବକ ତାଙ୍କର ବନ୍ଦାପନା ଓ ଅର୍ଚ୍ଚନା କରନ୍ତି।
ତାହା ପରେ ଦେବୀଙ୍କର ବିମାନ ଶ୍ରୀଗୁଣ୍ଡିଚା ମଣ୍ଡପ (ମନ୍ଦିର)ର ଜୟବିଜୟ ଦ୍ୱାର ନିକଟକୁ ଯାଏ। ବିମାନରେ ଥାଇ, ସେ ସେହିଠାରୁ, ସାଙ୍ଗରେ ଆଣିଥିବା ‘ମୋହନଚୂର୍ଣ୍ଣ’ ଶ୍ରୀଜଗନ୍ନାଥଙ୍କ ଉପରକୁ ନିକ୍ଷେପ କରନ୍ତି। ତାହାର ଫଳ ମଧ୍ୟ ତାଙ୍କୁ ତୁରନ୍ତ ମିଳିଯାଏ। ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ତାଙ୍କୁ ଏକ ଆଜ୍ଞାମାଳ ପ୍ରଦାନ କରାଯାଏ। ସେହି ଆଜ୍ଞାମାଳ ମାଧ୍ୟମରେ ଶ୍ରୀଜଗନ୍ନାଥ ତାଙ୍କୁ ପ୍ରତିଶ୍ରୁତି ଦିଅନ୍ତି ଯେ ତିନିଦିନ ପରେ ସେ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ।

କିନ୍ତୁ ସେହି ସମୟରେ ଆଉ ଗୋଟିଏ ଘଟଣା ଘଟେ। ସେତେବେଳକୁ ସଂଧ୍ୟାଧୂପର ସମୟ ହୋଇଯାଇଥିବାରୁ, ‘ଟେରା’ (କନାର ଏକ ଆବରଣ) ପଡ଼ିଯାଏ। ତେଣୁ ଦେବୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖକୁ ଆଉ ଅଧିକ ସମୟ ଦର୍ଶନ କରି ପାରନ୍ତି ନାହିଁ। ତେଣୁ ତାଙ୍କର କର୍ତ୍ତୃତ୍ୱ କ୍ଷୁଣ୍ଣ ହେବା ଅନୁଭବ କରି ସେ କ୍ଷୁବ୍‌ଧ ମଧ୍ୟ ହୁଅନ୍ତି। ସେହି କ୍ଷୋଭ ଯୋଗୁଁ, ସେ ପୁନଶ୍ଚ ନନ୍ଦିଘୋଷ ରଥ ନିକଟକୁ ଆସି ତାହାର ଖଣ୍ଡିଏ କାଠ ଭାଙ୍ଗି ଦେଇ ବାହୁଡ଼ି ଯାଆନ୍ତି।

ଏହାକୁ ଲକ୍ଷ୍ମୀଠାକୁରାଣୀଙ୍କ କ୍ରୋଧର ପରିପ୍ରକାଶ ବୋଲି ସାଧାରଣତଃ କହାଯାଇଥାଏ। କିନ୍ତୁ ସୂକ୍ଷ୍ମ ଅନୁଧ୍ୟାନରୁ ସ୍ପଷ୍ଟ ଅବବୋଧ ହୁଏ, ଯେ ଏହା ତାଙ୍କର କ୍ରୋଧ ନୁହେଁ; ତାଙ୍କ ପତି-ପ୍ରୀତିର ନିଦର୍ଶନ। କାରଣ, ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ସହିତ ଶ୍ରୀମନ୍ଦିର ଫେରିବାର ପ୍ରତିଶ୍ରୁତି ପାଇବା ପରେ, ଆଉ କ୍ରୋଧର ଅବକାଶ ନଥାଏ। ତେଣୁ ଅଧିକ ସମୟ ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ନମିଳିବାରୁ, ସେହି କ୍ଷୋଭର ପରିପ୍ରକାଶ ଘଟିଥାଏ ତାଙ୍କ ରଥକାଠ ଭଙ୍ଗାରେ। ଦେବୀ ଲକ୍ଷ୍ମୀଙ୍କର ଏହି କ୍ଷଣକୋପୀ ମାନସିକତା ଦୃଷ୍ଟିରୁ, ଆମ ଆଦିକବି ସାରଳା ଦାସ, ଶ୍ରୀକୃଷ୍ଣଙ୍କ ମୁହଁରେ ତାଙ୍କୁ ଆଖ୍ୟା ଦେଇ କହିଛନ୍ତି ‘ବାଈ ଠାକୁରାଣୀ’।

କିନ୍ତୁ ଏହି ‘ବାଈ ଠାକୁରାଣୀ’ ସ୍ୱଭାବ ସତ୍ତ୍ୱେ, ଦେବୀ ଲକ୍ଷ୍ମୀ ଯେ ସହୃଦୟା ଓ ସମ୍ବେଦନଶୀଳା, ତାହାର ନିଦର୍ଶନ ମଧ୍ୟ ଅଛି ସେହି ହେରାପଞ୍ଚମୀ ନୀତିରେ। ‘ଶ୍ରୀଦାରୁବ୍ରହ୍ମଙ୍କ ଆଜ୍ଞାମାଳ ରହସ୍ୟ’ ପୁସ୍ତକରେ ଶ୍ରୀମନ୍ଦିରର ବରିଷ୍ଠ ପ୍ରତିହାରୀ ସେବକ (ସ୍ୱର୍ଗତ) ରବୀନ୍ଦ୍ର ନାଥ ପ୍ରତିହାରୀ ଏହି ନୀତିର ସୁନ୍ଦର ବ୍ୟାଖ୍ୟା କରିଛନ୍ତି। ହେରାପଞ୍ଚମୀ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାବେଳେ, ଦେବୀ ଲକ୍ଷ୍ମୀ ଘଣ୍ଟ, ବାଜା ଓ କାହାଳୀ ଆଦି ସହିତ, ପଟୁଆରରେ ରଥମାର୍ଗ (ବଡ଼ଦାଣ୍ଡ) ଦେଇ ଯାଇଥାଆନ୍ତି। କିନ୍ତୁ ରଥକାଠ ଭାଙ୍ଗି ଫେରିବାବେଳେ ସେ ବିନା ଘଣ୍ଟ, ବାଜା ଓ କାହାଳୀରେ, ହେରାଗୋହିରୀ ସାହି ବାଟ ଦେଇ ଫେରନ୍ତି। ଏହି ନୀତିର ବ୍ୟାଖ୍ୟା କରି ସେ କହିଛନ୍ତି- “ଏହି କାର୍ଯ୍ୟ (ଅର୍ଥାତ୍‌, ରଥକାଠ ଭାଙ୍ଗିବା) ଠିକ୍ ହେଲା ନାହିଁ ବୋଲି ବୋଧହୁଏ ଜଗଜ୍ଜନନୀଙ୍କର ହୃଦ୍‌ବୋଧ ହୁଏ। ସେଥିପାଇଁ, ସେ ନିଜକୁ ଅପରାଧୀଟିଏ ବୋଲି ଭାବି, ହେରାଗୋହିରୀ ସାହି ବାଟଦେଇ, ଲୁଚିଲା ପରି, ବିନା ଘଣ୍ଟ, ବାଜା ଓ କାହାଳୀରେ, ଶ୍ରୀମନ୍ଦିରକୁ ଫେରନ୍ତି।”

କିନ୍ତୁ ଲକ୍ଷ୍ମୀ ସାଆନ୍ତାଣୀଙ୍କର ଏହି ତଥାକଥିତ କ୍ରୋଧ ସତ୍ତ୍ୱେ, କଳା ସାଆନ୍ତ ଶ୍ରୀଜଗନ୍ନାଥ ଯେ ଆଦୌ ବିଚଳିତ ହୁଅନ୍ତି ନାହିଁ, ତାହାର ପ୍ରମାଣ ମିଳେ, ପରଦିନର ନୀତିରୁ। ଦେବୀ ଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ, ପରଦିନ ସକାଳେ ବାହୁଡ଼ା ବିଜୟର ପ୍ରସ୍ତୁତି ପାଇଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥକୁ ତିନିଟି ଆଜ୍ଞାମାଳ ମିଳେ। ସେହି ଆଜ୍ଞାମାଳ ମିଳିବା ପରେ, ଦକ୍ଷିଣ ମୋଡ଼ ହୋଇ, ତିନିରଥ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି। ଦକ୍ଷିଣମୋଡ଼ରେ ଆସି ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରଠାରେ ରହେ। ସେଥିପାଇଁ ସେହି ଦ୍ୱାରର ନାମ ‘ବାହୁଡ଼ା ବିଜୟ ଦ୍ୱାର’ ବା ସଂକ୍ଷେପରେ ‘ବିଜୟ’ ଦ୍ୱାର ହୋଇଛି।

ବାହୁଡ଼ାଯାତ୍ରାର ଆଉ ଗୋଟିଏ ନୀତି ମଧ୍ୟ ଏ ଦୃଷ୍ଟିରୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହା ହେଉଛି ‘ଲକ୍ଷ୍ମୀ-ନାରାୟଣ ଭେଟ’। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ, “ଶ୍ରୀଜଗନ୍ନାଥଙ୍କ ରଥ, ବାଟରେ ମାଉସୀମା ଦେଉଳ ପାଖରେ ରହେ। ମାଉସୀମା ଦେଉଳର ସେବକ ଛେନା ପୋଡ଼ପିଠା କରି ରଖିଥାଏ। ତାହା ଜଗନ୍ନାଥଙ୍କୁ ଭୋଗ ହୁଏ। ସେଠାରୁ ଜଗନ୍ନାଥଙ୍କର ରଥ ଆସି ରାଜାଙ୍କ ନଅର ପାଖରେ ରହେ। ଏହି ସମୟରେ ଲକ୍ଷ୍ମୀ, ଭଣ୍ଡାର ଘରୁ ପାଟ ପିନ୍ଧି, ମାଳ, ଫୁଲ, ବେଶ ହୋଇ, … ସାତପାହାଚ ଦୁଆରରେ ଥିବା ପାଲିଙ୍କିରେ ବିଜେ କରନ୍ତି। ବିମାନବଡ଼ୁମାନେ ବିମାନ ନେଇ ଚାହାଣିମଣ୍ଡପରେ ଠିଆ କରନ୍ତି। ସେଠାରେ ଲକ୍ଷ୍ମୀ ଜଗନ୍ନାଥଙ୍କୁ ଚାହାଁନ୍ତି।” ଏହି ନୀତି ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ ଶ୍ରୀମନ୍ଦିରର ସ୍ନାନବେଦୀ ନିକଟସ୍ଥ ଚାହାଣି ମଣ୍ଡପର ସ୍ଥିତି ଏପରି, ଯେ ସେଠାରୁ ଶ୍ରୀମନ୍ଦିରର ସିଂହଦ୍ୱାର ସମେତ ଶ୍ରୀନଅର ଓ ତା’ ଆଗ ପର୍ଯ୍ୟନ୍ତ ବଡ଼ଦାଣ୍ଡ ସ୍ପଷ୍ଟ ଓ ସଂପୂର୍ଣ୍ଣ ଭାବରେ ଦୃଷ୍ଟି ପଥାରୂଢ଼ ହୋଇଥାଏ। ଶ୍ରୀଜଗନ୍ନାଥ ଯେ ବାହୁଡ଼ାଯାତ୍ରାରେ ଫେରିଆସୁଛନ୍ତି, ଏ ଖବର ଅବଶ୍ୟ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଅଛପା ନଥାଏ; କିନ୍ତୁ ସତରେ ଯେ ସେ ଫେରୁଛନ୍ତି, ସେ ନେଇ ନିଶ୍ଚିତ ହେବାର ବ୍ୟାକୁଳତା ବି ତାଙ୍କ ମନରେ ଥାଏ। ସେଥିପାଇଁ ସେ ସୁବେଶ ହୋଇ ଧାଇଁ ଯାଇଥାଆନ୍ତି ଚାହାଣି ମଣ୍ଡପକୁ। ଦୂରରୁ ହେଉ ପଛେ, ତାଙ୍କ ରଥକୁ ଓ ତାଙ୍କୁ ଟିକିଏ ଦେଖି, ନୟନ ମନ ସାର୍ଥକ କରିବା ଥାଏ ତାଙ୍କର ଅଭିଳାଷ।

କେବଳ ଏତିକି ନୁହେଁ; ଶ୍ରୀଜଗନ୍ନାଥ ରଥରେ ଆସି ଶ୍ରୀନଅରଠାରେ ରହିବା ପରେ, ତାଙ୍କୁ ପାଖରୁ ଟିକିଏ ଦେଖିବା ପାଇଁ ବି ସେ ଧାଇଁ ଯାଆନ୍ତି ରଥ ନିକଟକୁ। ଏ ସଂପର୍କରେ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି- ଏହା ପରେ (ଅର୍ଥାତ୍ ଚାହାଣି ମଣ୍ଡପଠାରୁ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ରଥକୁ ଚାହିଁବା ପରେ), ବିମାନବଡ଼ୁମାନେ ଲକ୍ଷ୍ମୀଙ୍କ ବିମାନକୁ ଘଣ୍ଟ, ଛତା ଓ କାହାଳୀ ସହ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଅନ୍ତି। ସେତେବେଳକୁ ରାଜା (ଗଜପତି ମହାରାଜା) ସେଠାରେ ବିଜେ ହୋଇଥାନ୍ତି। ସେଠାରେ ପର୍ବଯାତ୍ରା ଯୋଗାଣିଆ ଯୋଗାଇଥିବା ଦହିପଟି ମଣୋହି ହୁଏ। ମଣୋହି ପରେ, ବିମାନବଡ଼ୁମାନେ ବିମାନ କାନ୍ଧେଇ ଶ୍ରୀଜଗନ୍ନାଥଙ୍କ ରଥ ଚାରିପାଖରେ ଲକ୍ଷ୍ମୀଙ୍କୁ ବେଢ଼ାଏ ବୁଲାନ୍ତି। ଦଇତାପତିମାନେ ଶ୍ରୀଜଗନ୍ନାଥଙ୍କ ଅଙ୍ଗରୁ ଆଜ୍ଞାମାଳ ଦେବା ପରେ, ଲକ୍ଷ୍ମୀ ମନ୍ଦିରକୁ ବିଜେ କରନ୍ତି। ତାହା ପରେ ଯାଇ ଶ୍ରୀଜଗନ୍ନାଥଙ୍କ ରଥ ସିଂହଦ୍ୱାର ସମ୍ମୁଖକୁ ଆସେ।

ଏହି ନୀତିର ତାତ୍ପର୍ଯ୍ୟ ହେଉଛି- ପ୍ରଥମେ ଚାହାଣି ମଣ୍ଡପଠାରୁ ଶ୍ରୀଜଗନ୍ନାଥଙ୍କ ରଥକୁ ଓ ତାଙ୍କୁ ଦୂରରୁ ଦେଖି ଏବଂ ପରେ ପରେ ଶ୍ରୀନଅରଠାରେ ଶ୍ରୀଜଗନ୍ନାଥଙ୍କୁ ପାଖରୁ ଦେଖି, ଦେବୀ ଲକ୍ଷ୍ମୀ କେବଳ ତୃପ୍ତ ହୁଅନ୍ତି ନାହିଁ; ମନ ଆନନ୍ଦରେ ତାଙ୍କ ରଥକୁ ଘେରାଏ ପରିକ୍ରମା ବି କରନ୍ତି। ଶ୍ରୀଅଙ୍ଗରୁ ତାଙ୍କୁ ଆଜ୍ଞାମାଳ ଦେଇ, ଶ୍ରୀଜଗନ୍ନାଥ ନିଜର ପୂର୍ବ ପ୍ରତିଶ୍ରୁତିକୁ ପୁନଶ୍ଚ ପୁଷ୍ଟ ମଧ୍ୟ କରନ୍ତି। ଏହାର ଅର୍ଥ- ଆଉ ବିଳମ୍ବ ନାହିଁ; ଏଇ ତ ମୁଁ ସିଂହଦ୍ୱାର ସାମ୍ନାକୁ ଫେରୁଛି; ଅଚିରେ ତୁମ ପାଖକୁ, ଶ୍ରୀମନ୍ଦିରକୁ ମଧ୍ୟ ଫେରିଆସିବି!

ଏହା ପରେ, ରଥ ଉପରେ, ଏକାଦଶୀ ଦିନ ବଡ଼ ସୁନାବେଶ ଓ ଦ୍ୱାଦଶୀ ଦିନ ଅଧରପଣା ନୀତି ହୁଏ ଏବଂ ତା’ ପରଦିନ ହୁଏ ‘ନୀଳାଦ୍ରିବିଜେ’ ନୀତି। ‘ନୀଳାଦ୍ରିବିଜେ’ ନୀତିର ଗୋଟିଏ ରୋଚକ ଉପାଦାନ ହେଉଛି- ‘ଲକ୍ଷ୍ମୀ-ନାରାୟଣ ବଚନିକା’ ବା ‘ଲକ୍ଷ୍ମୀ-ନାରାୟଣ କଳି’। କିନ୍ତୁ ଏତେସବୁ ପରେ ସତରେ କ’ଣ ଶ୍ରୀଜଗନ୍ନାଥ ଓ ଦେବୀ ଲକ୍ଷ୍ମୀଙ୍କ ମଧ୍ୟରେ ‘କଳି’ର ଅବକାଶ ଆଉ ଥାଏ?

ଏହି ‘ଲକ୍ଷ୍ମୀ-ନାରାୟଣ ବଚନିକା’ ବା ଠାକୁରଘର କଳିକୁ ନେଇ ଓଡ଼ିଆ ସାହିତ୍ୟର ବହୁ କବି ମୁଖର ହୋଇଛନ୍ତି। ନିଜ ନିଜର ଭାବନା ଅନୁରୂପେ ସେହି କଳିକୁ ସେମାନେ ବଖାଣିଛନ୍ତି ଓଡ଼ିଆପଣର ସୁନ୍ଦର ପୁଟ ଦେଇ। ତେଣୁ ସେହି କଳି ସତେ ଯେମିତି ସବୁ ଓଡ଼ିଆ ଘରର ଦାମ୍ପତ୍ୟ କଳିର ରୂପ ନେଇଛି। ତାହା ଯେତିକି ରୋଚକ, ସେତିକି ଓଡ଼ିଆପଣର ପରିଚାୟକ।
ସେକଥା ଆରଥରକୁ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର