/* */

ନ୍ୟୁୟର୍କ ଟାଇମ୍‌ସର ଭାରତ ବିରୋଧୀ ଚକ୍ରାନ୍ତ

ବିକଳ୍ପ ବିଶ୍ବ - ଭଗବାନପ୍ରକାଶ

ଗଣମାଧୢମ ସ˚ସଦୀୟ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ନିରପେକ୍ଷତା ଏହାର ଆଧାର ଶିଳା ଓ ଧର୍ମ ଏବ˚ ପାଠକମାନେ ଏହାର ପ୍ରଭୁ। ସେମାନଙ୍କୁ ନକାରାତ୍ମକ ଖବର ଦ୍ବାରା ପ୍ରଭାବିତ କରିବା ପାଇଁ ଏକ ନାମକରା ଖବରକାଗଜର ହୀନ ଉଦ୍ୟମର ଏକ ନମୁନା ଏଠାରେ ଦିଆଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଏକ ବହୁ ପ୍ରସାରିତ ଖବରକାଗଜ ହେଲା ‘ନ୍ୟୁୟର୍କ ଟାଇମ୍‌ସ’। ପୃଥିବୀର ବିଭିନ୍ନ ଦେଶରେ ଏହାର ପାଠକ ଅଛନ୍ତି। ୧୮୫୧ ମସିହାରୁ ପ୍ରକାଶିତ ଏହି ସମ୍ବାଦପତ୍ର ଏ ପର୍ଯ୍ୟନ୍ତ ପାଇଲାଣି ୧୩୦ ପୁଲିଜର ପ୍ରାଇଜ୍‌। ପ୍ରତିଦିନ ଏହାକୁ ୮୦ ଲକ୍ଷ ଲୋକ ପଢ଼ନ୍ତି ଓ ଏଥିରେ ୧୮୦୦୦ ସାମ୍ବାଦିକ କାମ କରନ୍ତି। ଏହା ପୃଥିବୀର ଅଷ୍ଟାଦଶ ଓ ଆମେରିକାର ତୃତୀୟ ବୃହତ୍ତମ ଖବରକାଗଜ। ଏବେ ଏହି କାଗଜ ଏକ ବିବାଦୀୟ ବିଜ୍ଞାପନ ଦେଇ କହିଛନ୍ତି ଯେ ଯେଉଁମାନଙ୍କର ମୋଦୀ ବିରୋଧୀ, ହିନ୍ଦୁ ବିରୋଧୀ ଓ ଭାରତ ବିରୋଧୀ ରିପୋର୍ଟ ଲେଖିବାରେ ଦକ୍ଷତା ଓ ଅଭିଜ୍ଞତା ଅଛି, ସେହିଭଳି ଭାରତୀୟମାନେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହି ବ୍ୟକ୍ତି ବିଶେଷ କରି ନରେନ୍ଦ୍ର ମୋଦୀଙ୍କୁ ଓ ରାଷ୍ଟ୍ରବାଦୀ ଭାରତୀୟଙ୍କୁ ଘୃଣା କରୁଥିବେ। ଏହି ବିଜ୍ଞପ୍ତି ‘ନ୍ୟୁୟର୍କ ଟାଇମ୍‌ସ’ େଵବସାଇଟ୍‌ ଓ ‘ଲିଙ୍କ୍‌ଡ ଇନ୍‌’ରେ ବି ରଖାଯାଇଛି। କାଗଜର ପ୍ରଧାନ ମାଲିକ ସୁଲବର୍ଜର ପରିବାର। ଭାରତକୁ ବିଶ୍ବ ଦରବାରରେ ନୀଚା ଦେଖାଇବା ଏଇ କାଗଜର ଏକ ଅଭ୍ୟାସ ହେଇଚି। ଏଥିପାଇଁ ଏମାନେ ବିଭିନ୍ନ ସୂତ୍ରରୁ ଲାଞ୍ଚ ପାଇଥା’ନ୍ତି। ଏହି ସ˚ପର୍କରେ ଚୀନ୍‌ର ଏକ ସରକାରୀ ଖବରକାଗଜ- ଚାଇନା ଡେଲି ପ୍ରକାଶ କରିଛନ୍ତି ଯେ ଗତ ଚାରି ବର୍ଷ ମଧୢରେ ଚୀନ ଆମେରିକାର ପ୍ରଭାବଶାଳୀ ଖବରକାଗଜଗୁଡ଼ିକୁ ୧୯ ମିଲିୟନ ଡଲାର ଦେଇ ସାରିଲେଣି। ଚୀନ୍‌ ସପକ୍ଷରେ ଓ ଭାରତ ବିରୋଧରେ ଖବର ଛାପିବାକୁ ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ଟୁଇଟରକୁ ଦେଲାଣି ୨୬୫୮୨୨ ଡଲାର।

ଚୀନ୍‌ ପ୍ରତି କୃତଜ୍ଞ ‘ନ୍ୟୁୟର୍କ ଟାଇମ୍‌ସ’ ଏବେ କ୍ରମାଗତ ଭାବେ ଭାରତ ବିରୋଧୀ ରିପୋର୍ଟ ଛାପୁଛନ୍ତି। ଏସବୁ ରିପୋର୍ଟରେ ଭାରତ, ହିନ୍ଦୁ ଓ ମୋଦୀଙ୍କ ବିରୋଧରେ ବିଷୋଦ୍‌ଗାର କରାଯାଇଛି। ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ମନ୍ତବ୍ୟକୁ ତୁଚ୍ଛ ତାଚ୍ଛଲ୍ୟ କରାଯାଉଛି। କୁହାଯାଇଚି ଭାରତ ଧର୍ମ ନିରପେକ୍ଷ ନୁହେଁ। ଭାରତର ଉପଗ୍ରହ ଉତ୍‌କ୍ଷେପଣ, ମଙ୍ଗଳଯାନ ଓ ମହାକାଶ କାର୍ଯ୍ୟକ୍ରମକୁ ପରିହାସ କରାଯାଉଛି। ଚୀନ୍‌ ସହ ଲଦାଖ ବିବାଦରେ ଭାରତକୁ ସମାଲୋଚନା କରାଯାଉଛି। ବିଜ୍ଞପ୍ତିରେ କୁହାଯାଇଛି ପ୍ରାର୍ଥୀଙ୍କର ଅପରାଧ ଇତିହାସ ଥିଲେ ବି ଚଳିବ। ଏଇ ହେଉଛି ପୃଥିବୀର ସବୁଠୁ ଶକ୍ତିଶାଳୀ ଗଣତନ୍ତ୍ର ଆମେରିକାର ଏକ ପ୍ରମୁଖ ସମ୍ବାଦପତ୍ରର ନିରପେକ୍ଷତା ଓ ମାନସିକତା। ଏହାର ମତରେ ଭାରତରେ ଶାଢ଼ି ପିନ୍ଧୁଥିବା ସବୁ ମହିଳା ସା˚ପ୍ରଦାୟିକବାଦୀ। ଭାରତର ସ୍ବାଧୀନତା ଆନ୍ଦୋଳନ ମିଛ, ଏ ଦେଶର ସ˚ସ୍କୃତି, ସଭ୍ୟତାର କୌଣସି ମୂଲ୍ୟ ନାହିଁ। ଏ ଦେଶ ସ˚ଖ୍ୟାଲଘୁଙ୍କ ପାଇଁ ନିରାପଦ ନୁହେଁ। ଏଠାରେ ବହୁତ ହିନ୍ଦୁ ଆତଙ୍କବାଦୀ ଅଛନ୍ତି। ଏହିଭଳି ଦାୟିତ୍ବହୀନ ମିଥ୍ୟା ସମ୍ବାଦ ପ୍ରଚାର ପ୍ରସାର କରିବା ‘ନ୍ୟୁୟର୍କ ଟାଇମ୍‌ସ’ ପାଇଁ ସାମ୍ବାଦିକତାର ନୂଆ ମାପକାଠି ହେଉଚି।
ଭାରତରେ ଭାରତ ବିରୋଧୀ ଲେଖକଙ୍କର ଅଭାବ ନାହିଁ। ଏଥି ପାଇଁ ‘ନ୍ୟୁୟର୍କ ଟାଇମ୍‌ସ’କୁ ଖୋଜିବାକୁ ପଡ଼ିବ ନାହିଁ। ମୋଟା ପଇସା ମିଳିଲେ ଏମାନେ ନିଜ ମା’କୁ ଓ ନିଜ ଦେଶକୁ ବିକି ଦେବାକୁ ପଛେଇବେ ନାହିଁ। ନିଜ ଦେଶ ନିନ୍ଦାରେ ଏମାନଙ୍କର ପରମ ଆନନ୍ଦ। ଏହି ପରିପ୍ରେକ୍ଷୀରେ ସେଇ ଆମେରିକାର ଆଉ ଏକ ପ୍ରସିଦ୍ଧ ଗବେଷଣା ଅନୁଷ୍ଠାନ ‘ପିଉ’ ନିକଟରେ ଭାରତ ସ˚ପର୍କରେ କରିଥିବା ଏକ ସର୍ଭେ ଓ ଅଧୢୟନ ପ୍ରଣିଧାନଯୋଗ୍ୟ। ‘ପିଉ’ ଶବ୍ଦଟିର ଅର୍ଥ ହେଉଛି ଚର୍ଚ୍ଚରେ ବ୍ୟବହୃତ ଲମ୍ବା କାଠ ବେଞ୍ଚ ଓ ସେଥିରେ ବସିବାକୁ ନିମନ୍ତ୍ରଣ। ଏହି ସର୍ଭେରେ ୧୭ଟି ଭାଷାଭାଷୀ ୩୦ ହଜାର ଭାରତୀୟ ଅ˚ଶ ଗ୍ରହଣ କରିଥିଲେ। ‘ପିଉ’ଙ୍କ ନିରପେକ୍ଷ ସର୍ବେକ୍ଷଣର ସାରା˚ଶ ହେଲା ଏହିପରି: ଅଧିକା˚ଶ ଭାରତୀୟ ରକ୍ଷଣଶୀଳ ଓ ଧର୍ମପରାୟଣ ତଥା ଈଶ୍ବର ବିଶ୍ବାସୀ। ଏଥିରୁ ପ୍ରାୟ ୬୦ ଭାଗ ଲୋକ ପ୍ରତ୍ୟହ ପ୍ରାର୍ଥନା କରିଥା’ନ୍ତି। ଏମାନଙ୍କର ଆଉ ଏକ ଭଲ ଗୁଣ ହେଲା ଅନ୍ୟ ଧର୍ମ ପ୍ରତି ସହନଶୀଳତା। ଭାରତରେ ଯେଉଁ ଛ’ଟି ଧର୍ମର ଲୋକ ରହନ୍ତି, ସେମାନେ ସମସ୍ତେ ପରସ୍ପର ଧର୍ମାବଲମ୍ବୀଙ୍କୁ ସମ୍ମାନ କରନ୍ତି। ସର୍ବେକ୍ଷଣ ପ୍ରଶ୍ନର ଉତ୍ତର ଦେଇ ପ୍ରାୟ ସମସ୍ତେ କହିଥିଲେ ଯେ ନିଜ ନିଜର ଧର୍ମ ପାଳନ, ପ୍ରଚାର ପ୍ରସାର ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ସ୍ବାଧୀନତା ରହିଚି। କିନ୍ତୁ ଶତକଡ଼ା ୬୪ ଭାଗ ଲୋକ ଭାବନ୍ତି ଯେ ପ୍ରକୃତ ଭାରତୀୟ ହେବା ପାଇଁ ହିନ୍ଦୁ ହେବା ଆବଶ୍ୟକ। ସବୁ ଭାରତୀୟଙ୍କ ଡିଏନ୍‌ଏ ସମାନ। ସେମାନେ ଭାଇ ଭାଇ। ୫୯ ଭାଗ ହିନ୍ଦୁ ଭାବନ୍ତି, ଜାତୀୟ ପରିଚୟ ପାଇଁ ହିନ୍ଦୀ ଭାଷା ଜାଣିବା ଆବଶ୍ୟକ। ରାମ ମନ୍ଦିର ନିର୍ମାଣ ଓ ଗୋ-ରକ୍ଷା ଆନ୍ଦୋଳନ ପ୍ରତି ଅଧିକା˚ଶ ହିନ୍ଦୁ ଭାରତୀୟଙ୍କର ସହାନୁଭୂତି ରହିଚି, କିନ୍ତୁ ଏଥିପାଇଁ ହି˚ସାକୁ ପସନ୍ଦ କରନ୍ତି ନାହିଁ। ଏହାଛଡ଼ା ବିଭିନ୍ନ ଧର୍ମ ସମ୍ପ୍ରଦାୟରେ ବିଭକ୍ତ ପ୍ରାୟ ସବୁ ଭାରତୀୟ ଜାତିବାଦ ଦ୍ବାରା ପ୍ରଭାବିତ। ଏଥିରେ ମୁସ୍‌ଲିମ ଓ ଖ୍ରୀଷ୍ଟିଆନ ମଧୢ ରହିଛନ୍ତି। ଏପରି କି ପଛୁଆ ବର୍ଗ ବା ବ୍ୟାକ୍‌ଵାର୍ଡମାନେ ଜନଗଣନା ବେଳେ ସେମାନଙ୍କ ସ˚ଖ୍ୟା ଗଣନା ପାଇଁ ଦାବି କରିଥା’ନ୍ତି। ପଞ୍ଜାବରେ ଜାଠ ଶିଖମାନେ ଦଳିତ ଶିଖଙ୍କ ଠାରୁ ନିଜକୁ ‘ସୁପିରିଅର’ ବା ଉଚ୍ଚ ବୋଲି ଭାବନ୍ତି। ସେମିତି ଭାବନା ରହିଛି ଉଚ୍ଚ ଜାତି ଖ୍ରୀଷ୍ଟିଆନ ଓ ଦଳିତ ଖ୍ରୀଷ୍ଟିଆନଙ୍କ ଭିତରେ। ଜାତିପ୍ରଥା ଭାରତୀୟ ମାନସିକତାର ଏକ ଅଙ୍ଗ, ଯଦିଓ ଧୀରେ ଧୀରେ ଏହାର ପ୍ରଭାବ କମିବାରେ ଲାଗିଛି।

‘ପିଉ’ଙ୍କ ଅଧୢୟନ ଗବେଷଣା ଆଧାରିତ ଓ ନିରପେକ୍ଷ ଥିଲା ବେଳେ ‘ନ୍ୟୁୟର୍କ ଟାଇମ୍‌ସ’ର ରିପୋର୍ଟଗୁଡ଼ିକ ଆଧାରହୀନ, କପୋଳକଳ୍ପିତ ଓ ବିଶ୍ବ ଦରବାରରେ ଭାରତକୁ ବଦ୍‌ନାମ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ। ଏଥିପାଇଁ ଜାଣିଶୁଣି ଭାରତ ବିରୋଧୀ ସାମ୍ବାଦିକମାନଙ୍କୁ ଖରିଦ୍‌ କରାଯାଏ। କାରଣ ସେମାନଙ୍କ ଦ୍ବାରା ପ୍ରସ୍ତୁତ ବିବରଣୀର ବିଶ୍ବସନୀୟତା ଅଧିକ। ପାଠକମାନଙ୍କୁ ସହଜରେ ବୋକା ବନେଇ ହୁଏ। ଭାରତ ବିରୋଧୀ ଗୋଷ୍ଠୀ ବା ବ୍ୟକ୍ତି ଖୁସି ହୋଇଥା’ନ୍ତି। ପାକିସ୍ତାନୀ ସମ୍ବାଦପତ୍ରମାନେ ଏହାକୁ ହେଡ୍‌ଲାଇନ୍‌ କରି ଛାପିଥା’ନ୍ତି। ‘ପିଉ’ ଗବେଷଣା କେନ୍ଦ୍ର ଏହାର ଏକ ବ୍ୟତିକ୍ରମ। ଯୋଜନାବଦ୍ଧ ବିକାଶ ପାଇଁ ଖସଡ଼ା ତିଆରି ବେଳେ ‘ପିଉ’ଙ୍କ ସର୍ବେକ୍ଷଣ ଫଳାଫଳକୁ ଗୁରୁତ୍ବ ଦିଆଯାଇଥାଏ। ଉଦାହରଣ ସ୍ବରୂପ ଭାରତର ବିଭିନ୍ନ ଜାତି, ସ˚ପ୍ରଦାୟଙ୍କ ଆର୍ଥିକ ଅବସ୍ଥା ସ˚ପର୍କରେ ‘ପିଉ’ଙ୍କ ରିପୋର୍ଟ। ରାଜନୈତିକ କାରଣରୁ ଆମ ଦେଶରେ ଏପରି ସ୍ପର୍ଶକାତର ବିଷୟଗୁଡ଼ିକୁ ପ୍ରାଥମିକତା ଦିଆଯାଏ ନାହିଁ। ‘ପିଉ’ଙ୍କ ରିପୋର୍ଟ ଅନୁସାରେ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ନ ଥିବା ବର୍ଗଙ୍କ ମଧୢରୁ ୨୭ ପ୍ରତିଶତ ତଥାକଥିତ ଉଚ୍ଚ ଜାତି ଓ ସାଧାରଣ ବର୍ଗର, ଆଉ ୨୭ ପ୍ରତିଶତ ହେଲେ ଅନୁସୂଚିତ ବର୍ଗର ଲୋକ; ୩୫ ପ୍ରତିଶତ ପଛୁଆବର୍ଗ ଓ ୧୦ ପ୍ରତିଶତ ଆଦିବାସୀ। ତେଣୁ ଭାରତର ଅର୍ଥନୈତିକ ବିକାଶରେ ଏମାନେ ସମସ୍ତେ ଅ˚ଶୀଦାର ହେବା ଆବଶ୍ୟକ।

ଆଉ ଏକ ସ୍ପର୍ଶକାତର ପ୍ରଶ୍ନ ଥିଲା କେତେଜଣ ଭାରତୀୟ ଅନ୍ୟ ଧର୍ମାବଲମ୍ବୀ ବ୍ୟକ୍ତିଙ୍କୁ ନିଜର ପଡ଼ୋଶୀ ଭାବେ ସ୍ବାଗତ କରିବେ! ସର୍ଭେରୁ ଜଣାପଡ଼ିଲା କୌଣସି ସ˚ପ୍ରଦାୟର ଏ ପଛରେ ସମର୍ଥନ ନାହିଁ। ସମସ୍ତେ ନିଜ ସମାଜ ଓ ସ˚ପ୍ରଦାୟ ସହ ପଡ଼ୋଶୀ ଭାବରେ ରହିବାକୁ ପସନ୍ଦ କରନ୍ତି। ହିନ୍ଦୁମାନେ ତ ନିଜ ଗୋତ୍ରରେ ବିବାହ କରିବାକୁ ଇଚ୍ଛା କରନ୍ତି ନାହିଁ। ‘ପିଉ’ଙ୍କ ରିପୋର୍ଟ ଅନୁସାରେ ଭାରତରେ ୯୯ ପର୍ସେଣ୍ଟ୍ ହିନ୍ଦୁ, ୯୮ ପ୍ରତିଶତ ମୁସଲ୍‌ମାନ, ୯୫ ପ୍ରତିଶତ ଖ୍ରୀଷ୍ଟିଆନ ନିଜ ନିଜ ଧର୍ମ ଭିତରେ ବିବାହ କରିଥା’ନ୍ତି। ସେମିତି ୬୭ ପ୍ରତିଶତ ହିନ୍ଦୁ, ୮୦ ପ୍ରତିଶତ ମୁସ୍‌ଲିମ ଏବ˚ ୫୪ ପ୍ରତିଶତ ମହାବିଦ୍ୟାଳୟରେ ପଢ଼ୁଥିବା ଯୁବ ଛାତ୍ରମାନେ ଭାବନ୍ତି ଯେ ତାଙ୍କ ସ˚ପ୍ରଦାୟର ଝିଅମାନଙ୍କୁ ଅନ୍ୟ ସ˚ପ୍ରଦାୟର ପୁଅ ସହ ବିବାହରୁ ନିବର୍ତ୍ତାଇବା ଆବଶ୍ୟକ। କିନ୍ତୁ ଆଉ ଏକ ମଜାଦାର ତଥ୍ୟ ହେଲା ଯେ, ୭୭ ଭାଗ ହିନ୍ଦୁ ଓ ମୁସ୍‌ଲିମ ହେଉଛନ୍ତି ଭାଗ୍ୟବାଦୀ। ‘ପିଉ’ଙ୍କ ମତରେ ଆଧୁନିକ ଭାରତ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି, କିନ୍ତୁ ଏହି ଲକ୍ଷ୍ୟ ସାଧନ ପାଇଁ ଅଧିକ ସମୟ ଓ ଧୈର୍ଯ୍ୟ ଆବଶ୍ୟକ ପଡ଼ିବ। ଏଥିପାଇଁ ପ୍ରତ୍ୟେକ ଭାରତୀୟଙ୍କ ବୁଝାମଣା ଓ ସହଯୋଗ ଆବଶ୍ୟକ। ଦେଶକୁ ଏକାଠି ରଖିବା ପାଇଁ ଜାତି, ଧର୍ମ, ସ˚ପ୍ରଦାୟ ଭଳି ସ˚କୀର୍ଣ୍ଣ, ଭେଦଭାବପୂର୍ଣ୍ଣ ମାନସିକତାରୁ ଊର୍ଦ୍ଧ୍ବରେ ରହିବାକୁ ହେବ।

୨୯-ବି, ପ୍ରଜ୍ଞାବିହାର,
ବରମୁଣ୍ତା, ଭୁବନେଶ୍ବର
ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର