‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରାଉଟ୍’ ନାମକ ପୁସ୍ତକରେ ବର୍ଣ୍ଣିତ ଅଛି କିଭଳି ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁଷ୍ଟିମେୟଙ୍କ ପାଇଁ ବରଦାନରେ ପରିଣତ ହୋଇଥାଏ। ବିଖ୍ୟାତ ସାମ୍ବାଦିକ ପି. ସାଇନାଥ ତାଙ୍କ ପୁସ୍ତକରେ ଓଡ଼ିଶାର ଅବିଭକ୍ତ କୋରାପୁଟ-ବଲାଙ୍ଗୀର-କଳାହାଣ୍ତି ବା କେବିକେ ଅଞ୍ଚଳ ସମେତ ଦେଶର କିଛି ପଛୁଆ ଜିଲ୍ଲାର ଅନଗ୍ରସରତା, ବୁଭୁକ୍ଷା ତଥା ଦୁର୍ଦଶା କିଭଳି କେତେକଙ୍କ ଲାଗି ଏକ ଦୁହାଁଳିଆ ଗାଈ ହୋଇପାରେ, ସେ ବିଷୟରେ କହିଥିଲେ। ସେହି ଦୃଷ୍ଟିରୁ ବର୍ତ୍ତମାନ ସର୍ବତ୍ର ହାହାକାର ସୃଷ୍ଟି କରିଥିବା ମହାମାରୀ କରୋନା କିଭଳି କିଛି ଲୋକଙ୍କ ପାଇଁ ସୁନାର ଫସଲ ଅମଳ କରିବାର ସୁଯୋଗ ଦେଇଛି, ତାହା ଦେଖିବାର କଥା। କରୋନା କାଳରେ ଜନସାଧାରଣଙ୍କ ଆବଶ୍ୟକତା ଓ ଅସହାୟତା ଉଭୟ ମିଶି ଏଭଳି ସୁଯୋଗ ସୃଷ୍ଟି କରିଛନ୍ତି।
ପ୍ରଥମେ ଆସୁ ସ୍ବାସ୍ଥ୍ୟ ସେବା ବିଷୟ। ଏହି ମହାମାରୀ ହେତୁ ଘରୋଇ ହାସପାତାଲଗୁଡ଼ିକରେ ଯେଉଁ ଭିଡ଼ ସୃଷ୍ଟି ହୋଇଛି, ତାହା ଅଭୂତପୂର୍ବ। ଏହି ସମୟରେ ଡାକ୍ତରଖାନାଗୁଡ଼ିକରେ ଅନ୍ୟାନ୍ୟ ରୋଗୀ ଦେଖା ଓ ଚିକିତ୍ସା ବନ୍ଦ ଥିବା ସତ୍ତ୍ବେ କେବଳ କୋଭିଡ୍ ସଂକ୍ରମିତ ରୋଗୀ ସେମାନଙ୍କ ଲାଗି ଭଲ ବ୍ୟବସାୟର କାରଣ ହୋଇଛନ୍ତି। ସେମିତି ଘରୋଇ ଆମ୍ବୁଲାନ୍ସ ସେବା ଠାରୁ ଆରମ୍ଭ କରି ‘ସିଟି ସ୍କାନିଂ ସେଣ୍ଟର’, ଘରୋଇ ସ୍ବାବ୍ ପରୀକ୍ଷା ଲାବରେଟରି ଏବଂ ଅକ୍ସିଜେନ୍ ଯୋଗାଣ କରୁଥିବା ସ˚ସ୍ଥା ବା ବ୍ୟକ୍ତି ଏହି ମହାମାରୀରୁ ଅର୍ଥ ଉପାର୍ଜନର ସୁବର୍ଣ୍ଣ ସୁଯୋଗ ହାସଲ କରିଛନ୍ତି। ଏହି ସମୟରେ ‘ସାନିଟାଇଜର’ର ବ୍ୟବହାର ଏଭଳି ବୃଦ୍ଧି ପାଇଛି ଯେ ପୂର୍ବରୁ ଏହା ପ୍ରସ୍ତୁତ କରୁ ନ ଥିବା କଂପାନିଗୁଡ଼ିକ ମଧ୍ୟ ‘ସାନିଟାଇଜର’ ପ୍ରସ୍ତୁତ କରି ଏହି ସମୟରେ ବିପୁଳ ବ୍ୟବସାୟ କରିଛନ୍ତି। ଏକ ଅାକଳନରୁ ଜଣାଯାଇଛି ଯେ ପୂର୍ବରୁ ସମଗ୍ର ଦେଶରେ ବର୍ଷକୁ ୧୦ ଲକ୍ଷ ଲିଟର ହ୍ୟାଣ୍ଡ୍ ସାନିଟାଇଜର ପ୍ରସ୍ତୁତ କରାଯାଉଥିବା ବେଳେ ଏବେ ଦୈନିକ ୩୦ ଲକ୍ଷ ଲିଟର ସାନିଟାଇଜର ପ୍ରସ୍ତୁତ କରାଯାଉଛି ଏବଂ ଏଥିରେ ଇଥାନଲ ପ୍ରସ୍ତୁତକାରୀ ଚିନି କଳ ମାଲିକମାନେ ଅତ୍ୟନ୍ତ ଲାଭବାନ ହୋଇଛନ୍ତି। ସୁତରାଂ, ସାନିଟାଇଜର ପ୍ରସ୍ତୁତିରେ ଏକ ହଜାର ଗୁଣ ଅଭିବୃଦ୍ଧି ଘଟିଛି। ସେହିଭଳି ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ମାସ୍କ ପ୍ରସ୍ତୁତ କରି ବିଶାଳ ବ୍ୟବସାୟ ପ୍ରତିଷ୍ଠା କରି ପାରିଛନ୍ତି। ଏକ ଆକଳନ କହିଥାଏ ଯେ ୨୦୨୦ ମସିହାରେ ଭାରତରେ ୬୬ ନିୟୁତ ଡଲାର (୪୩୦ କୋଟି ଟଙ୍କା)ର ମାସ୍କ କାରବାର ହୋଇଥିଲା, ଯାହା ୨୦୨୫ ବେଳକୁ ୧୧% ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି।
ଏହି ପାନ୍ଡେମିକ୍ ସମୟରେ ନିଯୁକ୍ତି ଓ ଆୟରେ ସାଂଘାତିକ ହ୍ରାସ ଘଟିଛି। ଅସଂଖ୍ୟ ମଧ୍ୟବିତ୍ତ ଓ ଦରିଦ୍ର ପରିବାରର ଆର୍ଥିକ ମେରୁଦଣ୍ଡ ଚୂର୍ଣ୍ଣ ହୋଇଯାଇଛି। କିନ୍ତୁ ଏହି ସମୟ ମଧ୍ୟ ଆମ ଦେଶରେ ରେକର୍ଡ ସଂଖ୍ୟକ ଅର୍ବପତି ବା ବିଲେନିଅର ସୃଷ୍ଟି କରିଛି। ଗତ ବର୍ଷ ଅକ୍ସଫାମ୍ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତର କଠୋର ଲକ୍ଡାଉନ୍ ବେଳେ ବହୁ ଛୋଟବଡ଼ ଶିଳ୍ପ ଓ ବ୍ୟବସାୟ ବନ୍ଦ ହୋଇ ଯାଇଥିବା ବେଳେ ମୁକେଶ ଅମ୍ବାନୀ ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ଉପାର୍ଜନ କରୁଥିଲେ। ତାଲାବନ୍ଦର ବାଧୢବାଧକତା କାରଣରୁ ଅନ୍ଲାଇନ୍ ଶିକ୍ଷା ଠାରୁ ନେଇ ଡିଜିଟାଲ୍ ବୈଠକ ବା ମିଟିଂ, ଇ- ସପିଂ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ କାରବାର ଅକଳ୍ପନୀୟ ଭାବେ ବୃଦ୍ଧି ପାଇଥିଲା, ଯେଉଁ କାରଣରୁ ବିଭିନ୍ନ ମୋବାଇଲ୍ ଆପ୍ ଏବ˚ ଟେଲିକମ୍ କ˚ପାନିଙ୍କ ଲାଭ ବହୁଗୁଣିତ ହୋଇଛି। କହିବା ବାହୁଲ୍ୟ ଏ ସ୍ଥିତିର ସୁଯୋଗ ନେଇ ଏହି ନୂଆ ବିଲେନିଅରମାନେ ସୃଷ୍ଟି ହୋଇଛନ୍ତି।
କିନ୍ତୁ ବିଡ଼ମ୍ବନା ହେଲା, ଏହି ପାନ୍ଡେମିକ୍ ସମୟରେ ଅନେକ ବ୍ୟକ୍ତି ବା ଅନୁଷ୍ଠାନ ଲୋକଙ୍କ ଅସହାୟତା ଓ ପ୍ରାଣ ରକ୍ଷା ଲାଗି ବିକଳ ଉଦ୍ୟମର ସୁଯୋଗ ନେଇ ଅର୍ଥ ଉପାର୍ଜନ କରିଛନ୍ତି। ଏହି ସମୟରେ ପ˚ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ସ୍ତର ପର୍ଯ୍ୟନ୍ତ କୋଭିଡ୍ ପରିଚାଳନାରେ ବ୍ୟାପକ ଦୁର୍ନୀତି ପରିଲକ୍ଷିତ ହୋଇଛି। ବିଭିନ୍ନ ହସ୍ପିଟାଲ ଉପକରଣ ଖର୍ଦ୍ଦି ଠାରୁ ଆରମ୍ଭ କରି ବ୍ୟାରିକେଡ୍ ଲାଗି ବାଉଁଶ କିଣା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିର ଅଭିଯୋଗ ଆସିଛି। କରୋନା ମହାମାରୀ ବେଳେ ଯଥାର୍ଥ ବାଟରେ ହେଉ ବା ଦୁର୍ନୀତିପୂର୍ଣ୍ଣ ଭାବେ ହେଉ; ଅନେକ ବର୍ଣ୍ଣନାତୀତ ଭାବେ ଲାଭବାନ ହୋଇଛନ୍ତି।