‘ଲକ୍‌ଡାଉନ୍‌’କାଳୀନ ବୈଷମ୍ୟ

ସୁଶ୍ରୀ ସଙ୍ଗୀତା ପୁହାଣ

ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ କରୋନା ମହାମାରୀଜନିତ ସଙ୍କଟପୂର୍ଣ୍ଣ ପରିସ୍ଥିତି ଭିତରେ ଗତି କରୁଛି। ମନୁଷ୍ୟ ବିଭିନ୍ନ ପ୍ରକାରର ସଚେତନତା ଓ ସାବଧାନତା ସହିତ ଏକ ସକାରାତ୍ମକ ମାନସିକତାରେ ବଞ୍ଚିବାକୁ ଚେଷ୍ଟା କରୁଛି। ଘରେ ବନ୍ଦ ରହି ସଙ୍ଗରୋଧ ନିୟମ ମାନିବା ସହିତ ଘରେ ବସି ଅଫିସ୍‌ କାମ କରିବା ଇତ୍ୟାଦି ଭଳି ଅସ୍ୱାଭାବିକତା ଭିତରେ ସ୍ୱାଭାବିକ ଭାବେ ବଞ୍ଚିବା ପାଇଁ ପ୍ରୟାସ ଚାଲିଛି। ଏହି ଗମ୍ଭୀର ପରିସ୍ଥିତିର ପ୍ରଭାବ ଶାରୀରିକ ଅପେକ୍ଷା ମାନସିକ ସ୍ତରରେ ବିଶେଷ ଭାବରେ ପରିଲକ୍ଷିତ ହେଉଛି। ଏହା ସହିତ ଆଜିର ଏ କଠିନ ସମୟରେ ପାରିବାରିକ ଦାୟିତ୍ୱ ସହିତ କୌଣସି ବୃତ୍ତି ବା ପେସାର ଦାୟିତ୍ବ ନିର୍ବାହ କରିବାର ଆବଶ୍ୟକତା ଅନେକଙ୍କୁ ବିଭିନ୍ନ ପ୍ରକାର ବୈଚାରିକ ଦ୍ବନ୍ଦ୍ବ ମଧ୍ୟରେ ଛନ୍ଦି ଦେଇଛି। ଏହା ସହିତ ଆଉ ଯାହା ଦେଖିବାକୁ ମିଳୁଛି, ତାହା ହେଲା ମହାମାରୀର ଏ କରାଳ ରୂପ ସମାଜର ବିଭିନ୍ନ ସ୍ତରରେ ରହିଥିବା ଅଥଚ ପୂର୍ବରୁ ଜଣାପଡୁ ନ ଥିବା ଭଳି ଅନେକ ବୈଷମ୍ୟକୁ ଉଜାଗର କରିଛି।

ଉଦାହରଣ ସ୍ବରୂପ ଏହି ସମୟରେ ଗ୍ରାମାଞ୍ଚଳର ଦରିଦ୍ର ସହରାଞ୍ଚଳର ଦରିଦ୍ରଙ୍କ ତୁଳନାରେ ଭଲ ସ୍ଥିତିରେ ଥିବା ଦେଖିବାକୁ ମିଳୁଛି। ସହରାଞ୍ଚଳର ଶ୍ରମଜୀବୀ, ଅସ୍ଥାୟୀ କର୍ମଚାରୀ, ଲଘୁ ବ୍ୟବସାୟୀ ନିଜର ରୋଜଗାର ହରେଇଥିବା ସମୟରେ ସରକାରୀ, ଉଚ୍ଚ ଏବଂ ମଧ୍ୟମ ଶ୍ରେଣୀ ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ଚାକିରି ସୁରକ୍ଷିତ ରହି ଆଉ ଏକ ବୈଷମ୍ୟକୁ ଦର୍ଶାଇଛି। ବାଡ଼ି ବଗିଚା ଥାଇ ପ୍ରଶସ୍ତ ଘରେ ରହୁଥିବା ଲୋକଙ୍କ ଠାରୁ ଫ୍ଲାଟ୍‌ରେ ରହୁଥିବା ଲୋକଙ୍କ ପାଇଁ ସଙ୍ଗରୋଧର ନିୟମ ମାନିବା ଅପେକ୍ଷାକୃତ ଅଧିକ କଠିନ ହୋଇଛି। ‌େସମିତି ସହରାଞ୍ଚଳରେ ଏକରୁ ତିନି କୋଠରି ବିଶିଷ୍ଟ ଘରେ ବାସ କରୁଥିବା ପରିବାର ତୁଳନାରେ ବସ୍ତି ଅଞ୍ଚଳରେ ଗୋଟିଏ ଛୋଟ କୋଠରି ଭିତରେ ପାଞ୍ଚରୁ ସାତଜଣ ଜୀବନଯାପନ କରୁଥିବା ପରିବାର ଲାଗି ସଙ୍ଗରୋଧର ସାବଧାନତା ଅବଲମ୍ବନ କରିବା ଅଧିକ କଷ୍ଟକର ହେଉଛି। ଜୀବନଯାତ୍ରାର ଏଭଳି ବୈଷମ୍ୟ ପୂର୍ବରୁ କେବେ ଦିଶୁ ନ ଥିଲା, ଯାହା ଏବେ ଅନୁଭୂତ ହେଉଛି।

ବର୍ତ୍ତମାନ ସମୟରେ ଯଦି ଦୁଇଟି ମୁଖ୍ୟ ସ୍ଥାନ ଉପରେ ଗୁରୁତ୍ୱ ଦିଆଯାଉଛି, ତାହା ହେଲା ଘର ଓ ସ୍ୱାସ୍ଥ୍ୟକେନ୍ଦ୍ର। ସ୍ୱାସ୍ଥ୍ୟ କ୍ଷେତ୍ରର ଆଗ ଧାଡ଼ିରେ ରୋଗୀଙ୍କ ସେବାରେ ନିୟୋଜିତ କର୍ମୀ ଅଧିକତର ମହିଳା ହୋଇଥିବା ବେଳେ ଘରର ରକ୍ଷଣାବେକ୍ଷଣ ଓ ପରିଚର୍ଯ୍ୟାର ସମସ୍ତ ଭାର ମଧ୍ୟ ଘରର ମହିଳାଙ୍କ ଉପରେ। ଏହି ଆଧାରରେ ଯେଉଁ ବୈଷମ୍ୟ ଏବେ ସର୍ବାଧିକ ପରିଦୃଷ୍ଟ ତାହା ହେଲା ଲିଙ୍ଗଗତ ଭିତ୍ତିରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଦାୟିତ୍ବ ସଂପାଦନଜନିତ ଅସମାନତା।

ସହରାଞ୍ଚଳରେ ଅଧିକାଂଶ ପରିବାରରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଚାକିରି କରୁଥିବାରୁ ଘର କାମ ଓ ପିଲାଙ୍କ ଦେଖାଶୁଣା ପାଇଁ ସେମାନେ ଆୟା ଏବଂ ମହିଳା ସହଯୋଗୀଙ୍କ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏହି ସହଯୋଗୀମାନେ ନ ଥିବାରୁ ଦୁଇ ଜଣଙ୍କ ମଧ୍ୟରୁ କିଏ ଘରର ଦାୟିତ୍ୱରୁ କ’ଣ ବହନ କରିବ, ସେ ନେଇ ନିଷ୍ପତ୍ତି ନିଆଯିବା ବେଳେ ଦେଖାଯାଉଛି ଯେ ପ୍ରାୟ ଅଧିକତର ପରିବାରରେ ଏହି ଦାୟିତ୍ୱ ଘରର ମହିଳାଙ୍କୁ ହିଁ ନେବାକୁ ପଡୁଛି। ପରିବାରର ବୟସ୍କ ସଦସ୍ୟ ହୁଅନ୍ତୁ ଅଥବା ପିଲାମାନେ ହୁଅନ୍ତୁ; ଏ ସମସ୍ତଙ୍କର ଆବଶ୍ୟକତା ବୁଝି ସେମାନଙ୍କ ଯତ୍ନ ନେବାର ଦାୟିତ୍ବ ମୁଖ୍ୟତଃ ଘରର ମହିଳାମାନଙ୍କୁ ହିଁ ତୁଲେଇବା ପାଇଁ ପଡ଼ିଥାଏ। ଏବର ‘ଲକ୍‌ଡାଉନ୍‌’ଜନିତ ପରିସ୍ଥିତିରେ ଏ ଦାୟିତ୍ବ ଆହୁରି ବୃଦ୍ଧି ପାଇଛି। ପୁଣି କରୋନା ସନ୍ଦେହରେ ଯଦି ପରିବାରର କେହି ସଙ୍ଗରୋଧରେ ରହନ୍ତି, ତେବେ, ମହିଳାଙ୍କ ଏ ଦାୟିତ୍ବ ଆହୁରି ବଢ଼ିଯାଉଛି। ଏ ସ୍ଥିତିରେ ପୁରୁଷ ଓ ମହିଳାଙ୍କ ଭିତରେ ଦାୟିତ୍ବ ବଣ୍ଟନର ଆବଶ୍ୟକତା ଗୁରୁତ୍ବ ବହନ କରିଥାଏ। ଯଦିଓ ଏହି ସମୟରେ ପୁରୁଷମାନେ କିଛି ମାତ୍ରାରେ ଘରର ଦାୟିତ୍ୱ ତୁଲେଇବାରେ ସହାୟତା କରୁଛନ୍ତି, କିନ୍ତୁ ତାହା ବହୁତ କମ୍। କୋଭିଡ୍‌-୧୯ ପାଇଁ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ମଧ୍ୟ ଏହି ସମ୍ବେଦନଶୀଳ ପରିସ୍ଥିତି ଉପରେ ଆଲୋକପାତ କରି ପୁରୁଷମାନଙ୍କୁ ଘର କାମରେ ସାହାଯ୍ୟ କରିବା ପାଇଁ ବିଶେଷ ଅନୁରୋଧ କରିଥିଲେ।

ଆଜିର ସମୟରେ ବିଶ୍ୱ ସ୍ତରରେ ମହିଳାଙ୍କ ସଂଖ୍ୟା ବିଭିନ୍ନ କର୍ମକ୍ଷେତ୍ରରେ ବୃଦ୍ଧି ପାଇଥିଲେ ମଧ୍ୟ, ପୁରୁଷଙ୍କ ତୁଳନାରେ ସେମାନେ ଅଧିକ ଘର କାମ କରନ୍ତି ଓ କମ୍ ଫୁରସତ୍‌ର ସମୟ ପାଇଥାନ୍ତି। ଯଦି ଆମେ ବ୍ୟକ୍ତିଗତ ସ୍ତରରେ ଦେଖିବା ତେବେ ପାଇବା ଯେ ‘ଲକ୍‌ଡାଉନ୍’ ଘୋଷଣା ପରେ ପରେ, ପରିବାରର ପ୍ରାୟ ସମସ୍ତ ଦାୟିତ୍ୱ ହଠାତ୍ ଯେମିତି ମହିଳାଙ୍କ ଉପରେ ପଡ଼ିଯାଇଛି। ପୁଣି ଏହା ସହିତ ‘ଲକ୍‌ଡାଉନ୍’ ସମୟରେ ଅନେକ ମହିଳା ଘରୋଇ ହିଂସାର ଶିକାର ହେଉଥିବାର ଖବର ମଧ୍ୟ ମିଳିବାରେ ଲାଗିଛି, ଯାହା ଅତ୍ୟନ୍ତ ଉଦ୍‌ବେଗଜନକ। ସେହିପରି ମୌଳିକ ସେବା ଯୋଗାଇ ଦେଉଥିବା କ୍ଷେତ୍ର ଯେମିତି କି ସ୍ୱାସ୍ଥ୍ୟ ଓ ସୁରକ୍ଷା ସେବାରେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ବର୍ତ୍ତମାନର ସମୟ ଅତ୍ୟନ୍ତ ସଂଘର୍ଷମୟ ହୋଇ ଉଠିଛି। ସେମାନେ ପରିବାରର ଦାୟିତ୍ୱ ଓ କର୍ମକ୍ଷେତ୍ରର ଦାୟିତ୍ବ ମଧ୍ୟରେ ‌ପେଷି ହୋଇଯାଉଥିବା ଦେଖିବାକୁ ମିଳୁଛି। ଏହା ସେମାନଙ୍କ ମଧ୍ୟରେ ଅତ୍ୟଧିକ ମାନସିକ ଚାପ ସୃଷ୍ଟି କରୁଛି।

ବିଭିନ୍ନ ସ୍ତରରେ ଅନୁମାନ କରାଯାଉଛି ଯେ କରୋନା ଦ୍ବାରା ସୃଷ୍ଟ ଭୟାବହ ସ୍ୱାସ୍ଥ୍ୟ ଓ ଆର୍ଥିକ ସଙ୍କଟର ପ୍ରଭାବ ଏକ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ। ଯଦିଓ ଏହାର ମାନସିକ ଚାପ ଉଭୟ ପୁରୁଷ ଓ ମହିଳାଙ୍କ ଉପରେ ପଡ଼ିବ, ତେବେ ମହିଳାମାନେ ଏହା ଦ୍ବାରା ବିଶେଷ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ସେହି ମର୍ମରେ ‘ଲକ୍‌ଡାଉନ୍‌’ କାଳୀନ ବୈଷମ୍ୟ ଦୂର କରିବା ଲାଗି ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ସ୍ତରରେ ଚିନ୍ତନର ଆବଶ୍ୟକତା ରହିଛି।

[email protected]
Twitter: Sangita@0703

ସମ୍ବନ୍ଧିତ ଖବର