ଫଟା ଗଣତନ୍ତ୍ର

ରାଜାରାମ ଶତପଥି

ବେଙ୍ଗଲ ବିଧାନସଭା ନିର୍ବାଚନରେ ଜଣେ ନେତା ବିଜେପି ଟିକେଟ୍‌ରେ ଜିତି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୌଜନ୍ୟତାରୁ ଇତିମଧ୍ୟରେ ସେ ବିଧାନସଭା ପବ୍ଲିକ ଆକାଉଣ୍ଟ୍‌ସ କମିଟିର ପ୍ରଥମେ ସଭ୍ୟ ଓ ପରେ ଅଧ୍ୟକ୍ଷ ହୋଇଛନ୍ତି। ବାଡ଼ ଡେଇଁବା ବେଳେ ମମତା ବାନାର୍ଜୀ କହିଲେ ବିଜେପିରେ ତାଙ୍କ ଦେହ ଭଲ ରହିଲାନି; ତେଣୁ ପଳେଇ ଆସିଲେ। ବିଧାନସଭାରେ ତାଙ୍କର ବସିବା ସ୍ଥାନ ବିଜେପି ସଦସ୍ୟଙ୍କ ଗହଣରେ କିନ୍ତୁ କରାଯାଇଛି, ଅର୍ଥାତ୍‌ ସେ ସେଠାରୁ ଏକ ପ୍ରକାର ମୀର୍ଜାଫର, ଜୟଚନ୍ଦ୍ରର ଭୂମିକା ନିର୍ବାହ କରିବେ। ପଡ଼ୋଶୀ ରାଜ୍ୟର ଏହି ଘଟଣା ପାଠକଙ୍କୁ ଅପ୍ରାସଙ୍ଗିକ ଲାଗିପାରେ। ଏହାଛଡ଼ା ବହୁରୂପୀ ଏଣ୍ଡୁଅ ଭଳି ରଙ୍ଗ ବଦଳାଉଥିବା ନେତାଙ୍କ ସଂଖ୍ୟା ଏତେ ବୃଦ୍ଧି ପାଉଛି ଯେ କିଏ କୋଉ ଛତା ତଳକୁ କେତେବେଳେ ଆଉଜି ଯାଉଛି ତାହା କରୋନା କାଳରେ ଦାନାପାଣି ଯୋଗାଡ଼ରେ ବ୍ୟସ୍ତ ସାଧାରଣ ଲୋକେ ଜାଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। କିନ୍ତୁ ଜଣଙ୍କର ଖାଇ ଆଉ ଜଣଙ୍କର ଗାଇବା ବାଟ ଆପଣେଇଥିବା ଏହି ବିଧାୟକ ମୁକୁଲ ରୟ, ଏବେ ଆଲୋଚନାର ବିଷୟ, ଏଥିପାଇଁ ଯେ ବିଧାୟକ ହୋଇଥିବା କାରଣରୁ ଦଳ ଡିଆଁ ସମ୍ବିଧାନ ଆଖିରେ ବେଆଇନ ଏବଂ ଦଣ୍ଡନୀୟ। ଅବଶ୍ୟ ଏ ଅପରାଧ କରିବାରେ ମୁକୁଲ ପ୍ରଥମ ଜନପ୍ରତିନିଧି ନୁହନ୍ତି। ଅନେକ ବିଧାୟକ ସମାନ ପ୍ରକାର ବେଆଇନ କାର୍ଯ୍ୟ ଏକାଧିକ ରାଜ୍ୟରେ କରିଥିବା ସତ୍ତ୍ୱେ କେହି ଦଣ୍ଡ ପାଇନାହାନ୍ତି। କୋର୍ଟରେ ବି ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଛି, ଆଖିଦୃଶିଆ ଫଳ ମିଳିନାହିଁ। ଯାହା ବି ଯେତେବେଳେ ମିଳିଛି, ତାହା ‘….ପାଉ ପାଉ ଗଲା ବରଷେ’ ଭଳି। ତେଣୁ ଅଯୋଗ୍ୟ ଭୁଇଁରେ ଚାକୁଣ୍ଡା ମଞ୍ଜି ଗଜା ନ ହେବା ଭଳି ରାଜନୀତିରେ ଘୋଡ଼ାବେପାରକୁ ଗଦ ଆଶାରେ ଯେଉଁ ‘ଦଳ ବଦଳ ନିରୋଧ ଆଇନ’ ହୋଇଥିଲା ତାହା ଏପର୍ଯ୍ୟନ୍ତ ବସ୍ତୁତଃ ନିଷ୍ଫଳ ହୋଇ ରହିଛି I ହୁଏ’ତ କାରଣ ଏହା ହୋଇପାରେ କିଏ ଡାଳରେ ଗଲେ ନେତାମାନେ ପତ୍ରରେ ଯିବା ଜାଣନ୍ତି। ଏଥିରୁ ଆମ ସମ୍ବିଧାନ, ଗଣତନ୍ତ୍ର, ଆଇନର ଶାସନ କେତେ ଫମ୍ପା ତାହା ଜଣାପଡ଼େ।

ଆଇନ ଅନୁଯାୟୀ ଯଦି କୌଣସି ଦଳର ଦୁଇ ତୃତୀୟାଂଶ ଏମ୍‌ଏଲ୍‌ଏ ବା ଏମ୍‌ପି ଏକାଠି ନିଜ ଦଳରୁ ଅଲଗା ହୁଅନ୍ତି ବା ଅନ୍ୟ ଦଳରେ ମିଶନ୍ତି; କେବଳ ସେମାନଙ୍କ ସଦସ୍ୟତା ରଦ୍ଦ ହେବ ନାହିଁ; ସେହି ଦୃଷ୍ଟିରୁ ବିଧାୟକ ପଦରୁ ମୁକୁଳଙ୍କ ବହିଷ୍କାର ଦାବି। କିନ୍ତୁ ଦଣ୍ଡ ଦେବ କିଏ? ସେ ଅଧିକାର ବାଚସ୍ପତି (ଉଭୟ ବିଧାନସଭା ଓ ଲୋକସଭା) ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ବ୍ୟତୀତ ଆଉ କାହାର ନାହିଁ। କେତେଦିନ ମଧ୍ୟରେ ଅଭିଯୋଗର ଫଇସଲା ହେବ? ଆଇନରେ ତା’ର ସ୍ପଷ୍ଟତା ନାହିଁ, ଅର୍ଥାତ୍‌ ଦଳ ବଦଳ ସମ୍ପର୍କିତ କୌଣସି ପିଟିସନ ଯଦି ବିଚାର ନ ହୋଇ ବର୍ଷ ବର୍ଷ ସେମାନଙ୍କ ପାଖରେ ପଡ଼ି ରହେ କେହି, ଏପରି କି ସୁପ୍ରିମ୍‌ କୋର୍ଟ ବି ହସ୍ତକ୍ଷେପ କରିପାରିବେନି। ବାଚସ୍ପତିଙ୍କ ନିଷ୍ପତ୍ତି ପରେ ହିଁ କୋର୍ଟ ଯାହା କିଛି ହସ୍ତକ୍ଷେପ କରିପାରେ; କିନ୍ତୁ ତା’ ପୂର୍ବରୁ ନୁହେଁ। ମୁକୁଳଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଜେପି ଲିଖିତ ଦାବି କରିଛି। ନିଷ୍ପତ୍ତି କିଛି ହୋଇନାହିଁ, ହେବାର ଆଶା ମଧ୍ୟ ନାହିଁ। ଆଇନ ତିଆରି କରିବା ଏବଂ ତାକୁ ନ ମାନିବା ଆମ ଦେଶର ପୁରୁଣା ଟ୍ରେଣ୍ଡ୍‌।

ମମତା ବାନାର୍ଜୀ ୨୦୧୧ରେ ଶାସନକୁ ଆସିବା ପର ଠାରୁ ବାମମେଣ୍ଟ, କଂଗ୍ରେସ ଓ ବିଜେପିରୁ ପ୍ରାୟ ୩୫ ଜଣ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିଛନ୍ତି। ଗତ ବିଧାନସଭାରେ ୧୮ ଜଣ ବିଧାୟକ ଟିଏମ୍‌ସିରେ ଏବଂ ୮ ଜଣ ବିଜେପିରେ ଯୋଗ ଦେଇଥିଲେ। ଜଣଙ୍କ ବ୍ୟତୀତ ଆଉ କାହାରି ସଭ୍ୟ ପଦ ରଦ୍ଦ ହୋଇନାହିଁ। ସରକାର ଗଢ଼ିବାର ଗଭୀର ଆତ୍ମବିଶ୍ୱାସ ନିର୍ବାଚନରେ ଚୂନା ହେଲା ପରେ ମୁକୁଲଙ୍କ ବ୍ୟବହାରରେ ମ୍ରିୟମାଣ ବିଜେପି ତାଙ୍କର ବହିଷ୍କାର ଦାବି କରୁଥିଲା ବେଳେ ଟିଏମ୍‌ସି ସମାନ ଦର୍ପଣରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିରଙ୍କ ଛବି ଦେଖେଇ ପାଲଟା କଟାକ୍ଷ କରିବାରେ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ଶିଶିର ଲୋକସଭାର ଏମ୍‌ପି, ୨୦୧୯ରେ ଟିଏମ୍‌ସି ଟିକେଟରେ ଜିତିଥିଲେ। ଦଳ ବଦଳ ଅଭିଯୋଗରେ ଲୋକସଭା ବାଚସ୍ପତିଙ୍କ ନିକଟରେ ଟିଏମ୍‌ସି ତାଙ୍କ ସମେତ ଦୁଇ ଜଣ ଏମ୍‌ପିଙ୍କ ବହିଷ୍କାର ଦାବି କରିଛି।

ଦକ୍ଷିଣରେ ସ୍ଥିତି ତଦ୍ରୂପ। ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଜଗନମୋହନ ରେଡ଼ିଙ୍କ ଦଳରୁ ୨୩ ଜଣ ଟିଡ଼ିପିରେ ସାମିଲ ହେଲେ, ୪ ଜଣ ମନ୍ତ୍ରୀ ହେଲେ, ବାଚସ୍ପତିଙ୍କ ନିକଟରେ ଅଭିଯୋଗ ହେଲା, ଜଗନ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଲେ, କିଛି ହେଲାନି। ତେଲେଙ୍ଗାନାରେ ସମାନ କଥା: ଚନ୍ଦ୍ରବାବୁ ନାଇଡୁଙ୍କ ଟିଡ଼ିପି ଓ ଅନ୍ୟାନ୍ୟ ଦଳରୁ ବିଭିନ୍ନ ଛେକରେ ୨୬ ବିଧାୟକ ଶାସକ ଟିଆରଏସ୍‌ ପାର୍ଟିରେ ଯୋଗ ଦେଲେ, ୧୨ ଜଣ ମନ୍ତ୍ରୀ ହେଲେ। ସେଠି ବି ଆଇନ କାହାରି ମନେ ପଡ଼ିଲାନି।

ଦଳ ବଦଳ ଦେଶର ରାଜନୀତିରେ ଏକ ଅଶୁଖା ଘା’, ପ୍ରକୋପରେ କେତେ ସରକାର ଅକାଳରେ ଝଡ଼ି ଯାଇଛି, କେତେ ଦୁର୍ନୀତିପୂର୍ଣ୍ଣ, ଅଦୂରଦର୍ଶୀ ଓ ତୁଷ୍ଟି କୈନ୍ଦ୍ରିକ ନିଷ୍ପତ୍ତି ଲୋକଙ୍କ ଉପରେ ଲଦି ରାଜକୋଷ ବରବାଦ ହୋଇଛି, ତା’ର ହିସାବ ନାହିଁ। ଦଳ ବଦଳ ଅପରାଧରେ ଦୁଇଟି ଯାକ ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ, କେହି କାହାକୁ କମ୍‌ ନୁହନ୍ତି। ୧୯୬୭ ମସିହାରେ ୧୬ଟି ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁ ରାଜ୍ୟରେ ପରାସ୍ତ ହେବା ପରେ ଦେଶରେ ‘ମିଳିତ ସରକାର’, ‘ମିଳିତ ଦଳ ବଦଳ’ ଭଳି ଏକ ସୁବିଧାବାଦୀ ପରମ୍ପରା ଆରମ୍ଭ ହେଲା। ହିସାବରୁ ଦେଖାଯାଇଛି ୧୯୬୭-୧୯୭୧ ମାତ୍ର ୪ ବର୍ଷରେ ୩୨ ସରକାରର ପତନ ହୋଇଥିଲା। ଏଥିରୁ ଆୟା ରାମ ଗୟା ରାମ ଚରିତ୍ରମାନେ କେତେ ଭୟଙ୍କର ତା’ହା ପ୍ରମାଣିତ। ଏହି ସମୟରେ ପାର୍ଲିଆମେଣ୍ଟରେ ୧୪୨ ଏମ୍‌ପି ଓ ବିଭିନ୍ନ ରାଜ୍ୟରେ ୧୯୬୯ ବିଧାୟକ ଦଳ ବଦଳ କରିଥିଲେ, ସେମାନଙ୍କ ମଧ୍ୟରୁ ୨୧୨ ଜଣ ମନ୍ତ୍ରୀ ହୋଇଥିଲେ। ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଦେଶର ପ୍ରଥମ ଅଣକଂଗ୍ରେସ ସରକାର ଦଳ ବଦଳ ମହାମାରୀରେ ପୀଡ଼ିତ ହୋଇ ମାତ୍ର ୮୫୭ ଦିନ ପରେ ଭାଙ୍ଗି ଯାଇଥିଲା। ସଂକ୍ରମଣକାରୀ ଭୂତାଣୁ ସ୍ୱରୂପ ବଦଳେଇ ଲହରରେ ଆସିବା ଭଳି ଦଳ ବଦଳକାରୀଙ୍କ ପ୍ରIଦୁର୍ଭାବରେ ଦେଶକୁ ୧୦ ବର୍ଷରେ ୮ଟି ସରକାର ଦେଖିବାକୁ ପଡ଼ିଥିଲା। ୧୯୭୯ରେ ଇନ୍ଦିରା ଗାନ୍ଧୀଙ୍କ ସରକାର ଆସିଲା ପରେ କେନ୍ଦ୍ରରେ ରାଜନୈତିକ ଅସ୍ଥିରତା ସିନା କମିଗଲା, କିନ୍ତୁ କଂଗ୍ରେସ ଚାପରେ ରାଜ୍ୟରେ ସରକାରମାନେ ତିଷ୍ଠି ପାରିଲେନି।

ବର୍ତ୍ତମାନ ଏନ୍‌ଡିଏ ଶାସନ ଅମଳରେ ଭିନ୍ନ ଉପାୟରେ ଦଳ ବଦଳ ଦେଖିବାକୁ ମିଳୁଛି: ନିର୍ଦ୍ଦିଷ୍ଟ ସଂଖ୍ୟକ ବିଧାୟକଙ୍କ ଅଚାନକ ଇସ୍ତଫା (ଯାହାକୁ ‘ଚତୁର ଇସ୍ତଫା’ ଅବା ଷ୍ଟ୍ରେଟେଜିକ ରେଜିଗନେସନ କୁହାଯାଉଛି) ଜରିଆରେ ଶାସକ ଦଳର ସଂଖ୍ୟାଗରିଷ୍ଠତା ହ୍ରାସ ଓ ସରକାରର ପତନ କରେଇ କ୍ଷମତା ଦଖଲ କରିବା। ଇସ୍ତଫା ନାଟକରେ ଅଂଶଗ୍ରହଣ କରୁଥିବା ଚରିତ୍ରମାନେ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେଉନାହାନ୍ତି, ମାସ କେଇଟାରେ ସେମାନେ କାଲି-ବିରୋଧୀ-ଆଜି-ଶାସକ ଦଳର ମୁଖା ପିନ୍ଧି ଉପନିର୍ବାଚନରେ ଭୋଟରଙ୍କ ପାଖରେ ହାଜର। କୁହାଯାଏ ମଧ୍ୟ ପ୍ରଦେଶ, ଗୋଆ, କର୍ଣ୍ଣାଟକ, ମଣିପୁର, ଅରୁଣାଚଳ ପ୍ରଦେଶରେ ବିଜେପି ସରକାର ଦଳ ବଦଳକାରୀଙ୍କ ସାହାଯ୍ୟରେ ବଂଚିଛି। ପୁଡୁଚେରୀରେ ବିଧାନସଭା ନିର୍ବାଚନର ଦୁଇ ମାସ ପୂର୍ବରୁ ଦଳ ବଦଳକାରୀଙ୍କ ଯୋଗୁଁ କଂଗ୍ରେସ ସରକାର ଭାଙ୍ଗି ଗଲା। ସିକିମରେ ବିଜେପି ୨୦୧୯ ବିଧାନସଭା ନିର୍ବାଚନରେ ଗୋଟିଏ ହେଲେ ଆସନ ଜିତି ନ ଥିଲା। ଏବେ ପାର୍ଟିରେ ୧୨ ଜଣ ବିଧାୟକ। ସେମାନଙ୍କ ମଧ୍ୟରୁ ୧୦ ଜଣ ନିର୍ବାଚନର ଅଳ୍ପ ଦିନ ଭିତରେ ଅନ୍ୟ ପାର୍ଟିରୁ ଆସି ଯୋଗ ଦେଇଥିଲେ। ଗବେଷଣାରୁ ଜଣାଯାଏ ୨୦୧୬ରୁ ୨୦୨୦ ମଧ୍ୟରେ ଦେଶରେ ୪୦୫ ଜଣ ବିଧାୟକ, ୧୨ ଲୋକସଭା ଓ ୧୬ ରାଜ୍ୟସଭା ଏମ୍‌ପି ଦଳ ବଦଳ କରିଛନ୍ତି। ଏହା ଅବଶ୍ୟ ଭିନ୍ନ ପ୍ରସଙ୍ଗ ଯେ ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବିଜେପିରେ ସାମିଲ ହୋଇଛନ୍ତି, କିନ୍ତୁ ୧୯୮୫ରେ ପାର୍ଲିଆମେଣ୍ଟ ଦଳ ବଦଳ ନିରୋଧ ଆଇନ ୧୦ମ ପରିଚ୍ଛେଦ ଆକାରରେ ସମ୍ବିଧାନରେ ଯୋଡ଼ିବା ବେଳେ ରାଜନୀତିରେ ଦଳ ବଦଳେଇବାର ପ୍ରବଣତା ଗଣତନ୍ତ୍ର ପାଇଁ ଘୋର ବିପଦ ଓ ଦେଶରେ ଚିନ୍ତାର ବିଷୟ ବୋଲି ସବୁ ମହଲରେ ମତ ପ୍ରକାଶ ପାଇଥିଲା।

ବିଡ଼ମ୍ବନା ଯେ ଏ ମହାମାରୀ ଏବେ ବି ସକ୍ରିୟ। ବିଶେଷଜ୍ଞଙ୍କ ମତରେ ଆଇନରେ ବାଚସ୍ପତିଙ୍କ ଅଖଣ୍ଡ କ୍ଷମତା ଭଳି ମୌଳିକ ତ୍ରୁଟି ଏଥିପାଇଁ ଦାୟୀ। ବାଚସ୍ପତି ଶାସକ ଦଳ ବା ମେଣ୍ଟର ସଦସ୍ୟ, ସେହିମାନଙ୍କ ସମର୍ଥନରେ ପଦରେ ଅଧିଷ୍ଠିତ, ସେଥିପାଇଁ ଦଳ ବଦଳ ପିଟିସନଗୁଡ଼ିକ ସରକାର ଅଡୁଆରେ ପଡ଼ିବା ଆଶଙ୍କାରେ ଫଇସଲା ନ ହୋଇ ପଡ଼ିରହୁଛି ଏବଂ କୋର୍ଟ ମଧ୍ୟ କିଛି କରିପାରୁନାହିଁ। ତେବେ ଆଶ୍ୱସ୍ତିର କଥା ଯେ ଗଲା ବର୍ଷ ସୁପ୍ରିମ୍‌ କୋର୍ଟ ମଣିପୁର ବିଧାନସଭା ସମ୍ପର୍କୀୟ ଏକ ମାମଲାର ରାୟ ଅବସରରେ ଦଳ ବଦଳ ମାମଲା ପାର୍ଲିଆମେଣ୍ଟ ଏବଂ ବିଧାନସଭା କର୍ତ୍ତୃତ୍ୱ ବାହାରେ ସ୍ୱତନ୍ତ୍ର ସ୍ଥାୟୀ ଟ୍ରିବୁନାଲରେ ଫଇସଲା ହେବା ଉପରେ ଗୁରୁତ୍ୱ ଦେଇଛନ୍ତି। ଟ୍ରିବୁନାଲର ମୁଖ୍ୟ ଜଣେ ଅବସରପ୍ରାପ୍ତ ସୁପ୍ରିମ୍‌ କୋର୍ଟ ଜଜ୍‌ କିମ୍ବା ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ୟ ବିଚାରପତି ହେବା ଆବଶ୍ୟକ। ଦଳ ବଦଳ ମାମଲାର ଶୀଘ୍ର ଏବଂ ନ୍ୟାୟପୂର୍ଣ୍ଣ ଫଇସଲା ହେଲେ ଆଇନକୁ ବଳ ମିଳିବ ଏବଂ ଏଥିପାଇଁ ସମ୍ବିଧାନର ସଂଶୋଧନ ଆବଶ୍ୟକ। ସେ ପର୍ଯ୍ୟନ୍ତ ଅତି ଅସୁବିଧା ନ ଥିଲେ ଦଳ ବଦଳ ଅଭିଯୋଗର ଫଇସଲା ୩ ମାସ ଭିତରେ ସାରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ମୂଳ ଆଇନରେ ବାଚସ୍ପତିଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ ଥିଲା। ୧୯୯୩ରେ ସୁପ୍ରିମ୍‌ କୋର୍ଟ ସେଥିରେ ପରିବର୍ତ୍ତନ କରି ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ କୋର୍ଟରେ ପ୍ରଶ୍ନ କରାଯାଇପାରିବ ବୋଲି ରାୟ ଦେଇଥିଲେ। ଦଳ ବଦଳକୁ ଅନେକ ଜନସାଧାରଣଙ୍କ ପ୍ରତି ବିଶ୍ୱାସଘାତକତା ମନେ କରନ୍ତି। ସେମାନଙ୍କ ଯୁକ୍ତି ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାରେ ବ୍ୟକ୍ତି ଅପେକ୍ଷା ଦଳର ନୀତି ଆଦର୍ଶ ଦେଖି ଲୋକେ ଭୋଟ ଦିଅନ୍ତି। ଏକ ହିସାବ ଅନୁସାରେ ୨୦୧୯ ପୂର୍ବରୁ ମୋଟ ୪୪,୯୬୨ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୨୨୨ ଜଣ ନିର୍ବାଚିତ ହୋଇଛନ୍ତି। ଦଳ ବଦଳ ନିରୋଧ ଆଇନ ମଧ୍ୟ ଦଳ ଭିତରେ ଏକପ୍ରକାର ସ୍ୱେଚ୍ଛାଚାରୀ ପରିବେଶକୁ ପ୍ରୋତ୍ସାହନ ଦିଏ, ଯାହା ଫଳରେ ଜନପ୍ରତିନିଧି କୌଣସି ପ୍ରସଙ୍ଗ ଉପରେ ସ୍ୱାଧୀନ ମତ ରଖିବା ପରିବର୍ତ୍ତେ ସଦସ୍ୟତା ହରାଇବା ଭୟରେ ସର୍ବୋଚ୍ଚ ନେତା ଖୁସି ହେଲା ଭଳି ବକ୍ତବ୍ୟ ରଖନ୍ତି। ସେହି କାରଣରୁ ଗୃହରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ କ୍ବଚିତ ଖୋଲା ଆଲୋଚନା ହେବା ଦେଖା ଯାଉଛି। ଏମିତି ସ୍ଥିତିରେ ଅନେକ ଗବେଷକଙ୍କ ମତରେ ଦୁର୍ବୋଧ୍ୟ, ବିବଦମାନ ପୁରୁଣାକୁ ତ୍ୟଜ୍ୟ କରି ଏକ ନୂଆ ଆଇନ ପ୍ରଣୟନ ହେବା ଉଚିତ।

ମୋ: ୯୮୫୩୨୫୨୬୨୬

ସମ୍ବନ୍ଧିତ ଖବର