‘ଶ୍ରୀ’ ଓ ‘ଶ୍ରୀମତୀ’

ଦୋଳଗୋବିନ୍ଦ ପଣ୍ଡା

ବିଶିଷ୍ଟ ପଣ୍ଡିତ ପାଣୁ ମିଶ୍ର ଏକଦା ପଚାରିଲେ- ଆଚ୍ଛା, ‘ଶ୍ରୀ’ର ସ୍ତ୍ରୀଲିଙ୍ଗ-ରୂପ କ’ଣ? ପାଖରେ ବସିଥିବା ଲୋକେ ଉତ୍ତର ଦେଲେ- ‘ଶ୍ରୀମତୀ’। ତା’ ପରେ ପଣ୍ଡିତେ କହିଲେ- ହଉ ତୁମ କଥା ଅନୁସାରେ ଅରବିନ୍ଦ ପୁରୁଷ ହୋଇଥିବାରୁ ଶ୍ରୀଅରବିନ୍ଦ କୁହାଗଲା। କିନ୍ତୁ ମା’ ତ ସ୍ତ୍ରୀ, ତାଙ୍କୁ କେମିତି ‘ଶ୍ରୀମା’ କୁହାଯାଉଛି? ସେହିପରି ଶ୍ରୀରାଧା, ଶ୍ରୀଲକ୍ଷ୍ମୀ, ଶ୍ରୀସରସ୍ବତୀ, ଶ୍ରୀଦୁର୍ଗା- ଏସବୁ କେମିତି ହଉଚି?

ଏହି ସମୟରେ ମୁଁ ପହଞ୍ଚିବାରୁ ପଣ୍ଡିତେ ମୋତେ ସେହି ପ୍ରଶ୍ନ ପଚାରିଲେ।

ମୁଁ କହିଲି- ‘ଶ୍ରୀ’ ନିଜେ ଗୋଟିଏ ସ୍ତ୍ରୀଲିଙ୍ଗବାଚକ ଶବ୍ଦ, ତା’ର ପୁଣି ସ୍ତ୍ରୀଲିଙ୍ଗ-ରୂପ ଆସିବ କୁଆଡୁ? ‘ଶ୍ରୀ’ ଶବ୍ଦଟି ଆସିଛି ‘ଶ୍ରି’ ଧାତୁରୁ, ଯା’ର ଅର୍ଥ ସେବା- ‘ଶ୍ରିଞ୍ ସେବାୟାମ୍’, ଶ୍ରୀ=ଶ୍ରି+କ୍ୱିପ୍। ତେଣୁ ‘ଶ୍ରୀ’ ଏକ ସ୍ତ୍ରୀଲିଙ୍ଗବାଚକ ବିଶେଷ୍ୟ ଶବ୍ଦ ଯାହାର ଅର୍ଥ ସେବାର ମୂର୍ତ୍ତିମାନ୍ ବିଗ୍ରହ ବା ସେବକ। ସେବା କଲେ କ’ଣ ମିଳେ? ଧନ, ମାନ, ଯଶ। ଯିଏ ଯେତେ ଅଧିକ ସେବା କରେ ସେ ସେତେ ଅଧିକ ‘ଶ୍ରୀ’ର ଅଧିକାରୀ। ଅଧ୍ୟାପନା, ଓକିଲାତି, ଡାକ୍ତରୀ, ମନ୍ତ୍ରିତ୍ୱ, ବ୍ୟବସାୟ, ଯଜମାନୀ ଇତ୍ୟାଦି ପ୍ରତ୍ୟେକ ଗୋଟିଏ ଗୋଟିଏ ସେବା, ଆଉ ଏଥିରୁ ମିଳେ ଜୀବନ-ନିର୍ବାହ ପାଇଁ ଆବଶ୍ୟକ ଅର୍ଥ। ତେଣୁ ଅର୍ଥ ବା ଧନ-ସମ୍ପଦକୁ ପରବର୍ତ୍ତୀ ସମୟରେ ଶ୍ରୀ-ଆଖ୍ୟା ଦିଆଯାଇଛି ଏବଂ ଧନ-ସମ୍ପଦର ଦେବୀ ଲକ୍ଷ୍ମୀଙ୍କୁ ମଧ୍ୟ ଶ୍ରୀ ବୋଲି କୁହାଯାଇଛି।
‘ଶ୍ରୀ’ ମଧ୍ୟ ଛଅଟି ଈଶ୍ୱରଙ୍କର ଛଅଟି ଐଶ୍ୱର୍ଯ୍ୟ ମଧ୍ୟରୁ ଗୋଟିଏ। ଏହି ଐଶ୍ବର୍ଯ୍ୟ ଗୁଡ଼ିକ ହେଲେ ଐଶ୍ୱର୍ଯ୍ୟ, ବୀର୍ଯ୍ୟ, ଯଶ, ଶ୍ରୀ, ଜ୍ଞାନ ଓ ବୈରାଗ୍ୟ। ଏହି ଛଅଟି ଐଶ୍ୱର୍ଯ୍ୟକୁ ଗୋଟିଏ ଶବ୍ଦରେ କୁହାଯାଏ ‘ଭଗ’। ଏହି ‘ଭଗ’ ଯାହାର ଅଛି, ତାଙ୍କୁ କୁହାଯାଏ ଭଗବାନ୍ (ଭଗ+ବତ୍) ବା (ସ୍ତ୍ରୀଲିଙ୍ଗରେ) ଭଗବତୀ। ଏହି ‘ଭଗ’ ପୁଣି ଆସିଛି ‘ଭଜ୍’ ଧାତୁରୁ, ଯାହାର ଅର୍ଥ ସେବା- ‘ଭଜ୍ ସେବାୟାମ୍’। ଭଗ ଅର୍ଥାତ୍‌ ଭଜ୍+ଅ। ତେଣୁ ଭଗବାନ୍ ଶବ୍ଦର ମୂଳ ଅର୍ଥ ଭଜମାନ୍ ବା ସେବାବାନ୍। ‘ଭକ୍ତି’ ଶବ୍ଦଟି ମଧ୍ୟ ଆସିଛି ‘ଭଜ୍’ ଧାତୁରୁ (ଭକ୍ତି= ଭଜ୍+ତି)। ତେଣୁ-
ଭକତିରେ ଅଛି ଭଜନ, ଭଜନରେ ଅଛି ସେବା।

ଭଗବାନ୍ ଯେତେବେଳେ ଆକାର ଗ୍ରହଣ କରି ରାମ ବା କୃଷ୍ଣ ଆଦି ରୂପରେ ନର-କଳେବର ଧାରଣ କରନ୍ତି: ସେତେବେଳେ ଦେଖାଯାଏ ଯେ ସେ ମନୁଷ୍ୟଜାତିର ସେବା ପାଇଁ ଓ ଜୀବଜଗତ୍‌ର କଲ୍ୟାଣ ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଦେଇଥା’ନ୍ତି। ସେଥିପାଇଁ ଆମେ ତାଙ୍କ ନାମ ପୂର୍ବରୁ ଲେଖୁ ଶ୍ରୀ- ଶ୍ରୀରାମ, ଶ୍ରୀକୃଷ୍ଣ ଇତ୍ୟାଦି। ସାଧାରଣ ମଣିଷଙ୍କଠାରୁ ସେ ଅଧିକ ସେବାର ଅଧିକାରୀ ହୋଇଥିବାରୁ ଏବଂ ସେ ପ୍ରକୃତ ଜନନାୟକ ଓ ଜନସେବକ ହୋଇଥିବାରୁ ତାଙ୍କୁ ଅଧିକ ସମ୍ମାନ ଜଣାଇବା ପାଇଁ ତାଙ୍କ ନାମ ପୂର୍ବରୁ ଆମେ ଅନେକ ସମୟରେ ଏକାଧିକ ଶ୍ରୀ ବ୍ୟବହାର କରୁ: ଯଥା- ଶ୍ରୀଶ୍ରୀବିଷ୍ଣୁ, ଶ୍ରୀଶ୍ରୀପ୍ରଜାପତି, ଶ୍ରୀଶ୍ରୀଗଣେଶ ଇତ୍ୟାଦି। ଦେବତାମାନଙ୍କ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପୂର୍ବରୁ ମଧ୍ୟ ଶ୍ରୀ ଲେଖାଯାଏ ଯଥା- ଶ୍ରୀଅଙ୍ଗ, ଶ୍ରୀଚରଣ, ଶ୍ରୀହସ୍ତ, ଶ୍ରୀମୁଖ ଇତ୍ୟାଦି। ‘ଶ୍ରୀ’ ହେଉଛି ମଣିଷର ଶୋଭା ବା ସୌନ୍ଦର୍ଯ୍ୟ। ପ୍ରତ୍ୟେକ ମନୁଷ୍ୟ କିଛି ନା କିଛି ଶ୍ରୀର ଅଧିକାରୀ। ତେଣୁ ପ୍ରତ୍ୟେକ ଜୀବିତ ବ୍ୟକ୍ତିଙ୍କ ନାମ ପୂର୍ବରୁ ଆମେ ଲେଖୁ ଶ୍ରୀ। ସମ୍ମାନ ଓ ପବିତ୍ରତାର ପ୍ରତୀକ ହିସାବରେ ପୂଜ୍ୟଗ୍ରନ୍ଥ, ପୁଣ୍ୟକ୍ଷେତ୍ର, ବୈଷ୍ଣବମାନଙ୍କର ପବିତ୍ର ବସ୍ତୁ ଓ ତୀର୍ଥସ୍ଥାନାଦି ପୂର୍ବରୁ ମଧ୍ୟ ଶ୍ରୀ ବ୍ୟବହାର କରାଯାଏ; ଯେମିତି ଶ୍ରୀମଦ୍‌ଭାଗବତ, ଶ୍ରୀକ୍ଷେତ୍ର, ଶ୍ରୀଫଳ ଇତ୍ୟାଦି।

‘ଶ୍ରୀ’ ଏକ ବିଶେଷ୍ୟ-ପଦ। ଏହା ନାମ ପୂର୍ବରୁ ବ୍ୟବହୃତ ହେଉଥିବାରୁ ବିଶେଷଣ ଭଳି ମନେହେଲେ ମଧ୍ୟ ଏହା ବିଶେଷଣ ନୁହେଁ। ଏହା ସହିତ ବିଭିନ୍ନ ପ୍ରତ୍ୟୟ ଲାଗିଲେ ଏହା ବିଶେଷଣରେ ପରିଣତ ହୁଏ; ଯେମିତ- ଶ୍ରୀ+ମତୁପ୍ (ଅସ୍ତ୍ୟର୍ଥେ) ହେଉଛି ଶ୍ରୀମତ୍ ଯାହା ପୁଲିଙ୍ଗରେ ହୁଏ ଶ୍ରୀମାନ୍ ଓ ସ୍ତ୍ରୀଲିଙ୍ଗରେ ହୁଏ ଶ୍ରୀମତୀ। ଏବେ କହି ରଖୁଛି ଯେ ରାଧାଙ୍କର ଅନ୍ୟ ନାମ ମଧ୍ୟ ଶ୍ରୀମତୀ।

ତେବେ ନାମ ପୂର୍ବରୁ ‘ଶ୍ରୀ’ ଲେଖିଲା ବେଳେ ଧ୍ୟାନ ଦେବାକୁ ହେବ ଯେ ‘ଶ୍ରୀ’କୁ ନାମ ସହ ଲଗେଇ ଲେଖିବା ଦରକାର। କାରଣ ‘ଶ୍ରୀ’ ସହିତ ନାମଟି ମିଶି ଏକ ସମାସ (ଦୁଇ ବା ତତୋ଼ଽଧିକ ପଦ ଯୋଡ଼ିହୋଇ ଗୋଟିଏ ପଦରେ ପରିଣତ ହେଲେ ତାହା ହୁଏ ସମାସ) ସୃଷ୍ଟି କରେ। ତେଣୁ ଶ୍ରୀମା’ ବା ଶ୍ରୀରାମ ବା ଶ୍ରୀକୃଷ୍ଣ, ଶ୍ରୀରାଧା ଲେଖିବା ଶୁଦ୍ଧ। ସୁତରାଂ ଯେଉଁମାନେ ନିଜ ନାଁ ପୂର୍ବରୁ ଶ୍ରୀ ଲେଖୁଛନ୍ତି, ସେମାନେ ନିଜ ନାଁ ସହ ଶ୍ରୀକୁ ଯୋଡ଼ିକରି ଲେଖନ୍ତୁ। ଯଦି ଛଡ଼େଇ ଲେଖିବାକୁ ଚାହାନ୍ତି, ତେବେ ଶ୍ରୀ ନ ଲେଖି, ତା’ର ବିଶେଷଣ-ରୂପ, ପୁରୁଷ ହୋଇଥିଲେ ଶ୍ରୀମାନ୍, ଶ୍ରୀଯୁକ୍ତ ବା ଶ୍ରୀଯୁତ ଏବଂ ସ୍ତ୍ରୀ ହୋଇଥିଲେ ଶ୍ରୀମତୀ, ଶ୍ରୀଯୁକ୍ତା ବା ଶ୍ରୀଯୁତା ଲେଖନ୍ତୁ।

ମୋ- ୭୦୦୮୯୬୦୫୦୨

ସମ୍ବନ୍ଧିତ ଖବର