ଜଗନ୍ନାଥଙ୍କ ଟଙ୍କା ଲାଗିପାରିଲା ନାହିଁ

ସ୍ମୃତିରୁ ଖିଏ - ସୌମ୍ୟର˚ଜନ ପଟ୍ଟନାୟକ

ସେଦିନ ଜଣଙ୍କର ଫୋନ୍‌ କଲ୍‌ରେ ମୋ ନିଦ ଭାଙ୍ଗିଲା। କେତେବେଳୁ ଯେ ସକାଳ ହେଲାଣି ମୋତେ ଜଣା ନାହିଁ। ଶୋଇଛି ଯେ ଶୋଇଛି। ଫୋନ୍‌ କଲ୍‌ଟି ନ ଆସିଥିଲେ ନିଦ ଭାଙ୍ଗିବା ଆଉ କେତେ ଯେ ଡେରି ହୋଇଥାନ୍ତା କିଏ ଜାଣେ ? କେବେ ବି ଏମିତି ହୁଏ ନାହିଁ। ଫୋନରେ ବନ୍ଧୁ ଜଣକ ବ୍ୟସ୍ତ ହୋଇ ପଚାରୁ ଥିଲେ, ‘‘ସାର‌୍‌ ଆପଣଙ୍କ ଘରେ କଣ ଅସୁବିଧା ହୋଇଛି କି? ଆପଣଙ୍କ ଘର ଆଗରେ କଣ ଏତେ ଭିଡ଼?’’

ପୂର୍ବ ରାତିରେ ଗଭୀର ଚିନ୍ତା ଓ ଦ୍ବନ୍ଦ୍ବ ଭିତରେ ରହି ମୁଁ ବିଳମ୍ବରେ ଶୋଇଥିଲି। ସେଦିନ ଭୁବନେଶ୍ବର ନିର୍ବାଚନ ମଣ୍ତଳୀ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ମୋ ନାଁ ଘୋଷଣା କରାଯାଇଥାଏ। ଏହା ଥିଲା ୧୯୯୫ ମସିହାର ଏକାଦଶ ବିଧାନସଭା ପାଇଁ ନିର୍ବାଚନ ସମୟର କଥା। ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ କ୍ଷମତାସୀନ ଜନତାଦଳ ପୁଣି ଥରେ କ୍ଷମତାକୁ ଆସିବାକୁ ଲାଗିପଡ଼ିଥାଏ। ଜାନକୀ ବଲ୍ଲଭ ପଟ୍ଟନାୟକ ମଧୢ କ˚ଗ୍ରେସକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରୁଥାନ୍ତି। ମୁଁ ସେତେବେଳକୁ ଦୁଇବର୍ଷରୁ ଅଧିକକାଳ ତଳୁ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ସାରିଥିଲି।

ମୁଁ କିନ୍ତୁ ଏହି ନିର୍ବାଚନରେ ଭାଗନେବା ପାଇଁ ଆଦୌ ଚାହୁଁ ନଥିଲି। ତାହାର କାରଣ ହେଲା ସେତେବେଳେ ଭାରତୀୟ ଜନତା ପାର୍ଟିର ସ୍ଥିତି ଆଦୌ ଭଲ ନଥିଲା। ଭାରତୀୟ ଜନତା ପାର୍ଟି ପ୍ରମୁଖ ବିରୋଧୀଦଳ ମଧୢ ହୋଇ ନଥାଏ। ବିଜେପିକୁ ସୁଦୃଢ଼ କରିବା ପାଇଁ ଆମେ ସବୁ ଲାଗି ପଡ଼ିଥାଉ। ମୁଁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ବାଇଁ ଓ ଗୋଟିଏ ସମ୍ବାଦପତ୍ରର ସ˚ପାଦକ ହୋଇଥିବାରୁ ମୋର ବିଜେପିରେ ଯୋଗଦାନକୁ ରାଜନୀତିରେ ରୁଚି ରଖୁଥିବା ଲୋକମାନେ ଭିନ୍ନଭିନ୍ନ ଦୃଷ୍ଟିକୋଣରୁ ବିଚାର କରୁଥାନ୍ତି। ଭାରତୀୟ ଜନତା ପାର୍ଟିରେ କିନ୍ତୁ ମୋର ଯୋଗଦାନକୁ ସମସ୍ତେ ଅତ୍ୟନ୍ତ ଉତ୍ସାହର ସହିତ ଗ୍ରହଣ କରି ନେଇଥିଲେ। କେନ୍ଦ୍ରୀୟ ନେତୃମଣ୍ତଳୀ, ରାଷ୍ଟ୍ରୀୟ ସ୍ବୟଂସେବକ ସ˚ଘର ବନ୍ଧୁମାନେ ଓ ବୁଦ୍ଧିଜୀବୀ ମହଲ ଅତ୍ୟନ୍ତ ଆଦର ଓ ସମ୍ମାନ ଦେଉଥିଲେ। ମୋ ସମୟର ଉଭୟ ସଭାପତି ମୁରଲୀ ମନୋହର ଯୋଶୀ ଓ ଲାଲ୍‌କୃଷ୍ଣ ଆଡ଼ଭାନୀ ଏବ˚ ଅଟଳ ବିହାରୀ ବାଜପେୟୀଙ୍କ ସମେତ ଅନେକ ବରିଷ୍ଠ ନେତୃମଣ୍ତଳୀଙ୍କ ନିକଟ ସ˚ପର୍କରେ ଆସିବାର ସୁଯୋଗ ମୁଁ ପାଇଥିଲି। ମୁରଲୀ ମନୋହର ଯୋଶୀ ମୋତେ ରାଜ୍ୟର ଉପ ସଭାପତି ଦାୟିତ୍ବ ଦେଇଥିଲେ। ମୁଁ ମଧୢ ନୂଆ କରି ଦଳରେ ଏତେ ଶ୍ରଦ୍ଧା ଓ ସମ୍ମାନ ଲାଭ କରି ଅତ୍ୟନ୍ତ ଉତ୍ସାହିତ ହୋଇ କାର୍ଯ୍ୟ କରୁଥିଲି। ସ˚ଗଠନ ଦୃଷ୍ଟିରୁ ଓଡ଼ିଶା ଗୋଟିଏ ପଛୁଆ ପ୍ରଦେଶ ହୋଇଥିଲେ ମଧୢ ଭୁବନେଶ୍ବରରେ ଜାତୀୟ କାର୍ଯ୍ୟକାରିଣୀର ବୈଠକ ମଧୢ କରାଇଥିଲି। କାର୍ଯ୍ୟକାରିଣୀର ଶେଷଦିନ ଗୋଟିଏ ସାଧାରଣ ସଭା ଅନୁଷ୍ଠିତ ହୁଏ। ସେ ସଭାରେ ବାଜପେୟୀ, ଆଡ଼ଭାନୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଜାତୀୟ ନେତୃତ୍ବ ଓ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ସେ ସଭାରେ ମୋତେ ଓଡ଼ିଶା ତରଫରୁ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ସ୍ବାଗତ ଭାଷଣ ଦେବାର ସୁଯୋଗ ମିଳିଥିଲା। କହିବାକୁ ଗଲେ ବିଜେପିରେ ଓ ଜନମାନସରେ ମୋର ପତିଆରା ଯଥେଷ୍ଟ ବଢ଼ିଯାଇଥିଲା। ମାତ୍ର ଦୁଇବର୍ଷ ଭିତରେ ଦଳରେ ଯୋଗଦେଇ ଥିବାରୁ, ମୋର ଏ ପତିଆରା ବୃଦ୍ଧି କିଛି ପୁରୁଣା ନେତାଙ୍କୁ ଅସହଜ ଲାଗିଲା। ସେମାନେ ମୋର ପତିଆରା କମାଇବା ପାଇଁ ମନେମନେ ଯୋଜନା କରୁଥିଲେ। ବିଧାନସଭାରୁ ଲଢ଼ିବାର ପ୍ରସଙ୍ଗ ଏହି ଯୋଜନାର ମୁଖ୍ୟ ଅ˚ଶ ଥିଲା; ବିଜୁ ପଟ୍ଟନାୟକଙ୍କ ସ˚ଗେ ଲଢେ଼ଇ ଦେଲେ ଗଧ ଭଳି ହାରିବ ଏବ˚ ଫୁଟାଣି ଛାଡ଼ି ଯିବ। ମୁଁ ସେତେବେଳେ ଏ ସ˚ପର୍କରେ କିଛି ଜାଣିପାରି ନଥିଲି।

ତେବେ ମୋର ନିର୍ବାଚନ ଲଢ଼ିବାର ଅନିଚ୍ଛା ପଛରେ କାରଣ ଭିନ୍ନ ଥିଲା। ବିଜେପିରେ ଯୋଗ ଦେଲାବେଳେ ଏବ˚ ପରବର୍ତ୍ତୀ ଆଲୋଚନା ସମୟରେ ମୁଁ ଆଡ଼ଭାନୀଙ୍କୁ ବରାବର କହୁଥିଲି, ‘‘ଗୋଟିଏ ରାଜନୈତିକ ଦଳର ପରିଭାଷା ହେଲା କ୍ଷମତାକୁ ଆସିବା ପାଇଁ ଚେଷ୍ଟା କରିବା ଏବଂ ଲୋକଙ୍କ ପାଇଁ କାମ କରିବା। ବିଜେପିକୁ ସେଥିପାଇଁ ଅନ୍ତତଃପକ୍ଷେ ଦଶବର୍ଷ ଧୈର୍ଯ୍ୟ ଧରି ସ˚ଗଠନ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରଥମ ପାଞ୍ଚବର୍ଷରେ ଆମେ ପ୍ରମୂଖ ବିରୋଧୀଦଳ ହେବା; ଶେଷ ପାଞ୍ଚବର୍ଷରେ ଆମେ କ୍ଷମତାକୁ ଆସିବା। ମୁଁ ଦଶବର୍ଷ ପାଇଁ କୌଣସି ନିର୍ବାଚନ ଲଢ଼ିବି ନାହିଁ। ମୋତେ ସା˚ଗଠନିକ କାର୍ଯ୍ୟରେ ସ˚ପୂର୍ଣ୍ଣ ନିୟୋଜିତ କରନ୍ତୁ।’’ ତେଣୁ ଯେତେବେଳେ ଓଡ଼ିଶାର ପୁରୁଣା ନେତାମାନେ ମୋର ନିର୍ବାଚନ ଲଢ଼ିବା କଥା ଉଠାଇଲେ, ମୁଁ ପ୍ରଥମେ ମନା କରି ଦେଇଥିଲି। ସେମାନେ ଯେତେବେଳେ ଆଡ଼ଭାନୀଙ୍କୁ ଯାଇ ବାରମ୍ବାର ଭେଟିଲେ ଓ ଭୁବନେଶ୍ବରରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ିବା ପାଇଁ ସୌମ୍ୟ ବାବୁ ଏକମାତ୍ର ଯୋଗ୍ୟ ପ୍ରାର୍ଥୀ ବୋଲି କହିଲେ, ଆଡ଼ଭାନୀଜୀ ମୋତେ କହିଲେ , ‘‘ସୌମ୍ୟଜୀ, ପାର୍ଟି ମେ ସବକା ମନ୍‌ ହୈ କୀ ଆପ୍‌ ଚୁନାବ୍‌ ଲଢେ଼ଁ, ଇସିସେ ସବକା ମନୋବଲ୍‌ ବଢେ଼ଗା’’ ମୁଁ ଯେତେ ବୁଝାଇଲେ ବି ଆଡ଼ଭାନୀ କିଛି ଶୁଣିବାକୁ ପ୍ରସ୍ତୁତ ହେଲେ ନାହିଁ। ମୁଁ ଭାବିଲି, ଏହା ସତ୍ତ୍ବେ ବି ଯଦି ମୁଁ ମନା କରିବି, ଆଡ଼ଭାନୀ ବୋଧେ ଭାବିବେ ଯେ ମୁଁ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିବାକୁ ଡ଼ରୁଛି।

ପ୍ରକୃତରେ ମୁଁ ଡ଼ରୁନଥିଲି। ନିର୍ବାଚନ ଲଢ଼ିବା ପାଇଁ ମୋର କୌଣସି ପ୍ରସ୍ତୁତି ନଥିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ ଲଢ଼ିବାକୁ ହେଲେ ବହୁତ ଅର୍ଥର ଆବଶ୍ୟକତା ପଡ଼ିବ। ‘ସମ୍ବାଦ’ର ଆର୍ଥିକ ଅବସ୍ଥା ସେତେବେଳେ ଏତେ ଭଲ ନଥିଲା। ନୂଆ ବାଲେଶ୍ବର ସ˚ସ୍କରଣ ପାଇଁ ମୁଁ ଅର୍ଥ ଯୋଗାଡ଼ରେ ବ୍ୟସ୍ତ ଥିଲି। ପୁଣି ଦଳର ସବୁ ରକମର ଦାୟିତ୍ବ ମୋ ଉପରେ ଥିଲା। ତେଣୁ ଅନିଚ୍ଛା ସତ୍ତ୍ବେ ଆଡଭାନୀଙ୍କ ପରାମର୍ଶ ଗ୍ରହଣ କରିବା ପାଇଁ ବାଧୢ ହେଲି ଏବ˚ ଭାରାକ୍ରାନ୍ତ ମନ ନେଇ ଶୋଇପଡ଼ିଥିଲି।

ମୁଁ ଯେତେବେଳେ ଅସହାୟ ଅନୁଭବ କରେ ବା ଦ୍ବନ୍ଦ୍ବରେ ପଡେ଼, କାହାରିକୁ କିଛି କହେ ନାହିଁ କିମ୍ବା କାହାଠାରୁ ସାହାଯ୍ୟ ଓ ପରାମର୍ଶ ଲୋଡେ଼ ନାହିଁ। ମୁଁ କେବଳ ମନେମନେ ଜଗନ୍ନାଥଙ୍କୁ ଡ଼ାକି ମୋ ଦୁଃଖ ଜଣାଏ। ସେଦିନ ମଧୢ ଠିକ୍‌ ସେଇଆ କଲି। ରାଜନୈତିକ ଜୀବନରେ ପ୍ରଥମ ନିର୍ବାଚନ, ସେ ପୁଣି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ। ସେଥିପାଇଁ ମୁଁ ଆଦୌ ପ୍ରସ୍ତୁତ ନଥିଲି। ଅନ୍ୟ ନିର୍ବାଚନ ମଣ୍ତଳୀ ଅପେକ୍ଷା ଏଠାରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ସେତେବେଳେ ଅନ୍ୟ ନିର୍ବାଚନ ମଣ୍ତଳୀରେ ଲକ୍ଷେ, ଦୁଇ ଲକ୍ଷ ଟଙ୍କାରେ ଲଢ଼ାଯାଇ ପାରୁଥିବା ବେଳେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହିତ ଲଢ଼ିବା ପାଇଁ ଅନ୍ତତଃ ପକ୍ଷେ ଦଶ ଲକ୍ଷ ଟଙ୍କା ଦରକାର ପଡ଼ିବ ବୋଲି ଆକଳନ କରିଥିଲି। ଏତେ ଟଙ୍କା ଆସିବ କୁଆଡ଼ୁ ? ଏହି ପ୍ରଶ୍ନ ମୋତେ ବାରମ୍ବାର ଆନ୍ଦୋଳିତ କରୁଥିଲା।

ଆଉ ଗୋଟିଏ ଛୋଟିଆ ପ୍ରସଙ୍ଗ ମୋତେ ବିଜୁବାବୁଙ୍କ ବିରୋଧରେ ଲଢ଼ିବା ପାଇଁ ପରେ ମନ ତିଆରି କରିବାରେ ସାହାଯ୍ୟ କଲା। ୧୯୯୦ ମସିହାରେ ରାଜୀବ ଗାନ୍ଧୀ ମୋତେ ବିଜୁବାବୁଙ୍କ ବିରୋଧରେ ପ୍ରାର୍ଥୀ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ; ଯାହା ପରିବର୍ତ୍ତିତ ପରିସ୍ଥିତିରେ ସେ ରକ୍ଷା କରିପାରିଲେ ନାହିଁ। ଜାନକୀବାବୁଙ୍କ ଜ୍ବାଇଁ ହୋଇଥିବା ଦୃଷ୍ଟିରୁ, ଜାନକୀ ବିରୋଧୀଙ୍କ ଯୋଗୁଁ ମୋତେ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ସେଥିପାଇଁ ମୁଁ ଅଭିମାନରେ କ˚ଗ୍ରେସ ଛାଡ଼ିଥିଲି। ତେଣୁ ବାଧୢବାଧକତାରେ ଲଢ଼ିଲେ ମଧୢ, କ˚ଗ୍ରେସ ଅମଳରେ ଯାହା ହୋଇ ନଥିଲା ବିଜେପିରେ ତାହା ସମ୍ଭବ ହେବ ବୋଲି ଭାବିଥିଲି।

ଏହିସବୁ କଥା ଚିନ୍ତା କରି ଶୋଇପଡ଼ିଥିବା ବେଳେ ଫୋନ କଲ୍‌ରେ ମୋ ନିଦ ଭାଙ୍ଗିଲା। ସେତେବେଳେ ମୁଁ ନୟାପଲ୍ଲୀର ଏକ ଭଡ଼ାଘରେ ରହୁଥାଏ। ସତକୁ ସତ ଝରକା ବାଟେ ବାହାରକୁ ଚାହିଁ ଦେଖିଲି, ଘର ଆଗରେ ବହୁତ ଭିଡ଼। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସମସ୍ତଙ୍କୁ ଭେଟିବାକୁ ଗଲାବେଳେ ଗୋଟିଏ ଅଦ୍ଭୁତ ଦୃଶ୍ୟ ମୁଁ ଦେଖିବାକୁ ପାଇଲି। ସମସ୍ତେ ଗୋଟିଏ ଗୋଟିଏ ଲଫାପା ଧରିଥିଲେ ଏବ˚ ଗୋଟିଏ କଥା କହୁଥାନ୍ତି, ‘‘ଗତକାଲି ଖବର ଶୁଣି ଆମେ ଅତ୍ୟନ୍ତ ଆନନ୍ଦିତ। ଆପଣ ଭୁବନେଶ୍ବରରୁ ଲଢ଼ୁଛନ୍ତି। ଆମର ପ୍ରତିନିଧି ହେବେ। ଆମେ ତ ଚାକିରିଆ ଲୋକ। ଖୋଲାଖୋଲି ବେଶି କିଛି କରିପାରିବୁ ନାହିଁ। ତଥାପି ଏତିକି ସହଯୋଗ ଆମର ଗ୍ରହଣ କରନ୍ତୁ।’’ ଏତିକି କହି ଲଫାପାଟିଏ ଧରାଇ ଦେଉଥିଲେ। କେହି ହୁଏତ ବିଶ୍ବାସ କରିବେ ନାହିଁ, ଯେ ସକାଳ ଆଠଟା ତିରିଶିରୁ ଆରମ୍ଭ ହୋଇଥିବା ଏହି ଭେଟା ଭେଟି କାର୍ଯ୍ୟକ୍ରମ ପ୍ରାୟ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଲା। ଲଫାପାଗୁଡ଼ିକ ଖୋଲି ଦେଖିଲା ବେଳକୁ ପ୍ରାୟ ପ୍ରତିଟିରେ ହଜାରେ କିମ୍ବା ଦୁଇ ହଜାରେ ଟଙ୍କା ଥିଲା। କେବଳ ଗୋଟିଏ ଲଫାପା ଥିଲା ଯେଉଁଥିରେ ଜଣେ ବ୍ୟବସାୟୀ ବନ୍ଧୁ ପାଞ୍ଚହଜାର ଟଙ୍କା ଦେଇଥିଲେ। ସମସ୍ତେ ଗଲାପରେ ମୁଁ ଯେତେବେଳେ ଟଙ୍କା ସବୁକୁ ଗଣିଲି, ଅଧିକ ଆଶ୍ଚର୍ଯ୍ୟ ଚକିତ ହେଲି। ସମୁଦାୟ ଟଙ୍କା ହେଲା ନ’ଲକ୍ଷ ନବେ ହଜାର। ମୋତେ ଲାଗିଲା, ଜଗନ୍ନାଥଙ୍କୁ ତ ମୁଁ ମୋ ଦୁଃଖ ଜଣାଇ ଶୋଇଥିଲି; ସମ୍ଭବତଃ ଜଗନ୍ନାଥ ତାଙ୍କ ଭକ୍ତମାନଙ୍କ ମାଧୢମରେ ଏତେ ଟଙ୍କା ପଠାଇଛନ୍ତି। ମନେ ହେଉଥିଲା ସତେ ଯେପରି ସେ କହୁଥିଲେ, ‘‘ଦଶଲକ୍ଷ ଟଙ୍କା ଦରକାର କରୁଥିଲୁ ପରା, ନିଜ ହାତରୁ ଆଉ ଦଶ ହଜାର ଟଙ୍କା ଏଥିରେ ମିଶାଇ ଦଶଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢ।’’ ଏହାପରେ ମୋ ମନରୁ ସବୁ ଦ୍ବନ୍ଦ୍ବ ଦୂର ହୋଇଗଲା। ମୋର ଉତ୍ସାହ ବହୁଗୁଣରେ ବଢ଼ିଗଲା।

ପୁଣି ଏକ ଦ୍ବନ୍ଦ୍ବ ମନକୁ ଭାରାକ୍ରାନ୍ତ କଲା। ସେତେବେଳେ ଦଳର କିଛିକିଛି ଲୋକ ଅଭିଯୋଗ କରିବା ଆରମ୍ଭ କରିଥିଲେ ଯେ ସୌମ୍ୟ ପଟ୍ଟନାୟକ ବିଜେପିର ଦାୟିତ୍ବ ନେଇ ବିଜେପିର ସବୁ ଟଙ୍କା ନେଇ ଯାଉଛନ୍ତି। ତେଣୁ ଆଜିର ଏ ଘଟଣାଟି ତ ଲୁଚି ରହି ପାରିବ ନାହିଁ। ଦଶଲକ୍ଷ ଟଙ୍କା କଥାଟି ରାଷ୍ଟ୍ର ହୋଇଯିବ। ମୋ ଛଡ଼ା ଅନ୍ୟମାନେ ମଧୢ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ମଧୢ ମୋର କର୍ତ୍ତବ୍ୟ। ତେଣୁ ମୁଁ ଟଙ୍କା ସବୁକୁ ଶ୍ରୀରାମ ଛାପା ଗାମୁଛାରେ ବାନ୍ଧି ପାର୍ଟି ଅଫିସ୍‌କୁ ଗଲି। ପ୍ରତିଦିନ ଚାରିଟା ବେଳେ ମୁଁ ଦଳ ତରଫରୁ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରୁଥିଲି। ସେତେବେଳେ ପ୍ରସନ୍ନ ଭାଇ ସ˚ଘ ତରଫରୁ ଆସି ଦଳର ସ˚ଗଠନ ସ˚ପାଦକ ଦାୟିତ୍ବରେ ଥାନ୍ତି। ତାଙ୍କୁ କହିଲି, ‘‘ପ୍ରସନ୍ନ ଭାଇ, ତୁମ ପାଇଁ ଆଜି ଭଲ ଜିନିଷ ଆଣିଛି। ନିଅ।’’ ମୁଁ ଏତେ ଉତ୍ସାହିତ ହୋଇ ଯାଇଥିଲି ଯେ ମୁଁ ଭାବି ନେଇଥିଲି ପ୍ରସନ୍ନ ଭାଇ ଏତେଗୁଡ଼ାଏ ଟଙ୍କା ପାଇ କେବଳ ଖୁସି ହେବେ ନାହିଁ, ବର˚ କହିବେ, ‘‘ଆପଣ ବିଜୁବାବୁଙ୍କ ସହ ଲଢ଼ୁଛନ୍ତି। ଆପଣଙ୍କ ଖର୍ଚ୍ଚ ଅଧିକ। ତେଣୁ ଆପଣ ଅଧା ରଖନ୍ତୁ। ବାକି ଅଧା ଅନ୍ୟ ପ୍ରାର୍ଥୀମାନଙ୍କ ମଧୢରେ ବାଣ୍ଟି ଦେବା।’’ ପ୍ରସନ୍ନଭାଇ ଖୁସିରେ ସେ ଗାମୁଛାଟିକୁ ଧରି ତାଙ୍କ ପ୍ରକୋଷ୍ଠ ଭିତରକୁ ଚାଲିଗଲେ ଯେ ଆଉ ଫେରିଲେ ନାହିଁ। ମୋତେ ତାଙ୍କୁ ଟଙ୍କା ମାଗିବାକୁ ଲାଜ ମାଡ଼ିଲା। ଜଗନ୍ନାଥ ପଠାଇଥିବା ପଇସା ମୋ ନିର୍ବାଚନରେ ଲାଗିପାରିଲା ନାହିଁ।

ମୁଁ କିନ୍ତୁ ହତାଶ ନହୋଇ ଧାର ଉଧାର କରି ଉତ୍ସାହର ସହିତ ନିର୍ବାଚନ ଲଢ଼ିଥିଲି। ନିର୍ବାଚନଟି ବେଶ୍‌ ସରଗରମ୍‌ ହୋଇଥିଲା। ଫଳାଫଳ କଣ ହେବ ସେ ନେଇ ସମସ୍ତ ରାଜ୍ୟବାସୀଙ୍କ ଦୃଷ୍ଟି ଭୁବନେଶ୍ବର ଉପରେ ଥିଲା। ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ଠାରୁ ମୁଁ ସିନା ହାରିଯାଇଥିଲି, ମୋତେ ଯେ ଏତେ ଜନ ସମର୍ଥନ ମିଳିବ ତାହା ଦଳର ନେତାମାନେ ଭାବି ପାରି ନଥିଲେ। ଏହାଦ୍ବାରା ମୋର ପତିଆରା କମିବା ବଦଳରେ ବର˚ ବହୁତ ବଢ଼ି ଯାଇଥିଲା। ଆଡ଼ଭାନୀ ଫୋନ କରି ଜଣାଇଥିଲେ, ‘‘ମୁଝେ ଅଗର ପତା ହୋତା କି ଐସା ଲଢ଼ାଇ ହୋତା ହୈ, ତୋ ମେ ଅରୁଣ୍‌ ଜୀ କୋ ପହେଲେ ସେ ହି ଭେଜ୍‌ ଦେତା, ୟହି ଏକ୍‌ ସିଟ୍‌ ଶୋ ସିଟ୍‌ କା ବରାବର‌୍‌ ହୋତା।’’

ବିଜୁବାବୁ ମଧୢ ସେଦିନ ମୋତେ ଅଭିନନ୍ଦନ ଜଣାଇଥିଲେ। ପରଦିନ ତାଙ୍କ ସହିତ ରାତ୍ରିଭୋଜନ ପାଇଁ ସେ ମୋତେ ନିମନ୍ତ୍ରଣ ଦେଇଥିଲେ। ରାତ୍ରିଭୋଜନ ଅବସରରେ ସେ ମୋତେ ଜନତା ଦଳରେ ଯୋଗ ଦେବାପାଇଁ ପରାମର୍ଶ ଦେଇଥିଲେ। ସେହିଦିନ ଠାରୁ ତାଙ୍କ ସହିତ ଶେଷ ପର୍ଯ୍ୟନ୍ତ ସ˚ପର୍କ ଅତୁଟ ରହିଥିଲା। ଏବେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନଙ୍କ ମଧ୍ୟରେ ଏହା କ୍ବଚିତ୍‌ ଦେଖାଯାଏ।

ଆଜି ଏସବୁ କଥା ଚିନ୍ତା କଲାବେଳେ ମୋତେ ଦୁଇଟି ପ୍ରଶ୍ନ ଆନ୍ଦୋଳିତ କରୁଛି। ପ୍ରଥମଟି ହେଲା- ଆଜିର ରାଜନୈତିକ ଚିତ୍ର ଓ ଚରିତ୍ର କେତେ ବଦଳି ଗଲାଣି! ମୁଁ ଏହା ପରେ ଆଉ ଛ’ଟି ନିର୍ବାଚନ ଲଢ଼ିଛି। ଆଜିର ଅର୍ଥସର୍ବସ୍ବ ନିର୍ବାଚନରେ ଖର୍ଚ୍ଚ ଅଧିକ ହେଉଛି। କିନ୍ତୁ ସାଧାରଣ ଲୋକଙ୍କ ଠାରୁ କଣା ପଇସାଟିଏ ମଧୢ ପାଇବାର ଅନୁଭବ ଭାଗ୍ୟରେ ଜୁଟୁନାହିଁ। ସମସ୍ତେ କେବଳ ନେବା କଥା କହୁଛନ୍ତି। ଦ୍ବିତୀୟ ପ୍ରଶ୍ନଟି ହେଉଛି- ଜଗନ୍ନାଥଙ୍କ ପଇସା ନିର୍ବାଚନରେ ଲାଗିଥିଲେ ଫଳାଫଳ କଣ ଭିନ୍ନ ହୋଇଥାନ୍ତା?

ସ˚ପାଦକ ‘ସମ୍ବାଦ’
ସୌଜନ୍ୟ: ଅବିନଶ୍ବର ଶ୍ରୀଜଗନ୍ନାଥ

ସମ୍ବନ୍ଧିତ ଖବର