ନୂଆ ସୋଭିଏତ୍‌ ଓ ନୂଆ ଷ୍ଟାଲିନ୍‌

ହିରଣ୍ୟ ମହାନ୍ତି

୧୯୮୩ ମସିହା ମାର୍ଚ୍ଚ ୮ ତାରିଖ ଦିନ ଆମେରିକାନ ପ୍ରେସିଡେଣ୍ଟ ରୋନାଲ୍‌ଡ ରେଗାନ ପବ୍ଲିକ୍‌ ପ୍ରେସ୍‌ରେ ସୋଭିଏତ ୟୁନିୟନର ନାଁ ଦେଇଥିଲେ ଇଭିଲ ଏମ୍ପାୟର ବା ଖଳ ସାମ୍ରାଜ୍ୟ। ସୋଭିଏତ ୟୁନିୟନର ସାମରିକ ଅତିକାୟତା ଓ ଆଭିମୁଖ୍ୟକୁ ଲକ୍ଷ୍ୟ କରି ଏହିପରି ଅପକୃଷ୍ଟି ବ୍ୟଂଜକ ନାମଟି ଦେଇଥିଲେ ରେଗାନ୍‌। ସେହି ସୋଭିଏତ୍‌ ୟୁନିୟନ ଅଳ୍ପ କିଛି ବର୍ଷ ପରେ ଭାଙ୍ଗି ଟୁକୁଡ଼ା ଟୁକୁଡ଼ା ହୋଇଗଲା। ଆମେ ଦେଖିଲୁ ତାହାକୁ ଭାଙ୍ଗିବା ପାଇଁ ଆଉ କାହାର ହାତ ବା ହାତୁଡ଼ି ଦରକାର ପଡ଼ିଲା ନାହିଁ। ଆପଣାର ବିଶାଳ ସାମରିକ ଥାଟପାଟକୁ ଉଦ୍‌ବର୍ଦ୍ଧିତ କରିବା ଓ ଜନଗଣଙ୍କ ମହତ୍ତ୍ବାକାଂକ୍ଷା ସମୂହକୁ ସମ୍ଭାଳି ରଖିବା ପାଇଁ ସୋଭିଏତ ୟୁନିୟନ ତାହାର ଅର୍ଥନୀତିକୁ ଏପରି ଅଚିନ୍ତନୀୟ ଭାବେ ଉଜାଡ଼ି ଚାଲିଲା ଯେ ଶେଷରେ ଅନିୟନ୍ତ୍ରିତ ଅବସ୍ଥାକୁ ସ୍ଖଳିତ ହୋଇ ନିଃସ୍ବ ହୋଇଯାଇଥିଲା। ପରିଣାମରେ ଜନ୍ମ ନେଇଥିଲା ‘ଗ୍ଲାସନସ୍ତ୍‌’ ବା ଖୋଲାପଣ ଏବଂ ‘ପେରୋସ୍ତ୍ରାଇକା’ ଅର୍ଥାତ୍‌ ପୁନଃ ସଂରଚନା।

ସଂପ୍ରତି, ଆଉ ଏକ ଅନୁରୂପ ‘ଇଭିଲ ଏମ୍ପାୟର’ ଆମ ବାଡ଼ିପଟକୁ ଲାଗି ନିର୍ମିତ ହୋଇ ଚାଲିଛି। ତାହାର ନାଁ, ‘ପିପୁଲସ୍‌ ରିପବ୍ଲିକ ଅଫ ଚାଇନା’। ସି ଜିନପିଙ୍ଗଙ୍କ ନେତୃତ୍ବରେ କମ୍ୟୁନିଷ୍ଟ ଚାଇନା ଅଚିରେ ସାରା ପୃଥିବୀ ଉପରେ ଆଧିପତ୍ୟ ବିସ୍ତାର କରିବା ଚକ୍ରାନ୍ତରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କଲାଣି। ଚାଇନା ଦେଖୁଛି ଯେ ‘ଏସିଆନ୍‌’ ମଞ୍ଚରେ ତା’ର ଦୂରନ୍ତ ସାମ୍ରାଜ୍ୟବାଦୀ ଅଭିଳାଷ ଚରିତାର୍ଥ କରିବା ପଥରେ ଯେଉଁ ସମର୍ଥ ପ୍ରତିହତକାରୀ ଶକ୍ତି ବିଦ୍ୟମାନ, ତାହା ହେଉଛି ଭାରତ। ପୃଥିବୀର ସବୁ ରାଷ୍ଟ୍ର ଚାଇନାର ଏତାଦୃଶ ପ୍ରଭୁପଣ ଜାହିର କରିବାର ମତଲବକୁ ବୁଝି ସାରିଲେଣି। ମାତ୍ର ସେମାନେ କୌଣସି ନା କୌଣସି ଭାବେ ତାହାର ଖାତକ ହୋଇଥିବାରୁ ନିରବ। ସାମରିକ ଶକ୍ତିରେ ବଳୀୟାନ ହେବା ପାଇଁ ପ୍ରତିଯୋଗିତା, ପୃଥିବୀ ଇତିହାସରେ କିଛି ନୂଆ କଥା ନୁହେଁ। ତେବେ, ସମଗ୍ର ମାନବ ଜାତି ପ୍ରତି ଘାତକ ଓ ବିଧ୍ବ˚ସକ ହେବା ପରି ଜୈବାସ୍ତ୍ର ପରୀକ୍ଷଣ କେହି କେବେ ଆଗରୁ କରି ନ ଥିଲେ; ଯାହା ଆଜି ଲୁକ୍‌କାୟିତ ଭାବରେ କରିଛି ଚାଇନା, ତାହାର ‘ଉହାନ୍‌ ପରୀକ୍ଷଣ’ କେନ୍ଦ୍ରରେ। ସେଠାରେ ‘ଜିନ୍‌ ଏଡିଟିଙ୍ଗ’ ପ୍ରକ୍ରିୟାରେ କୌଣସି ଭୂତାଣୁର ରୂପାନ୍ତରଣ କରି ତାହାର ମୌଳିକ ଉତ୍ସକୁ ଲୁପ୍ତ କରି ଦେଇଛନ୍ତି ଚାଇନାର ବୈଜ୍ଞାନିକ। ସେହି ଦୁଷ୍ଟ ଚିନ୍ତା ପ୍ରସୂତ ପ୍ରକ୍ରିୟାରୁ ଆଜି ଆକସ୍ମିକ ଭାବେ ଉଦ୍‌ଭବ ହୋଇଛି ଘାତକ ‘କୋଭିଡ-୧୯’। କୋଭିଡ୍‌ର ବିକଶିତ ପ୍ରକ୍ରିୟା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି। ସୁନ ଜିନଙ୍କ ପରି ଜଣେ ଦୁରାତ୍ମା ଆରମ୍ଭରୁ ଏ ବାବଦରେ ଜିନପିଙ୍ଗଙ୍କର ପରାମର୍ଶଦାତା ହୋଇ ରହିଆସିଛନ୍ତି। ଏହା ଜଣାପଡ଼ିଛି କେଇ ସପ୍ତାହ ତଳେ। ଆଙ୍ଗସ ଡାଗଲିସ ଏବ˚ ନରେଵର ବୈଜ୍ଞାନିକ ଡକ୍ଟର ବିର୍ଗେନ୍ ସରେନଙ୍କ ପରୀକ୍ଷଣ ଓ ଅନୁଶୀଳନରୁ ପ୍ରମାଣ ହାତକୁ ଆସିଛି ଯେ ଚାଇନାର ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରୁ ‘କୋଭିଡ୍‌-୧୯’ ସମ୍ଭୂତ ହୋଇଛି। ତାହା ଚାଇନାର ବୈଜ୍ଞାନିକମାନଙ୍କ ଦ୍ବାରା ପରିଚାଳିତ ‘ଗେନ୍ ଅଫ୍ ଫଙ୍କସନ୍‌’ ପ୍ରୋଜେକ୍ଟର ଅଂଶ। ଏହି ବାବଦରେ ଭାରତ ସହିତ ଅନ୍ୟ କେତେକ ରାଷ୍ଟ୍ର ଗୋଟିଏ ସ୍ବଚ୍ଛ ଅନୁସନ୍ଧାନ ଦାବି କରୁଥିବାରୁ ଚାଇନା, ଭାରତ ଉପରେ ସର୍ବାଧିକ କ୍ଷୁବ୍‌ଧ। ଚାଇନା ସ˚ପ୍ରତି ନୂଆ ସୋଭିଏତ, ଏବ˚ ସି ଜିନପିଙ୍ଗ ହୋଇଛନ୍ତି ନୂଆ ଷ୍ଟାଲିନ୍‌।

ଗୋଟିଏ ଶବ୍ଦ ଅଛି, ଯାହାର ଉଚ୍ଚାରଣ ‘ଟିଆନ୍‌ଜିଆ’(ଇ˚ଲିସ୍‌ ବନାନ Tianxia) ଏବଂ ଯାହାର ଅର୍ଥ ହେଉଛି ସୂର୍ଯ୍ୟଙ୍କ ଛତା ତଳେ ଯାହା କିଛି ସମ୍ଭବ ତାହା ହାସଲ କରିବାର ଅଭିଯାନ। ସେହି ନିଶା ଆଜି ଘାରିଛି ଚାଇନାକୁ। ୨୦୩୫ ମସିହା ସୁଦ୍ଧା ଚାଇନାର ଅର୍ଥଶକ୍ତି ପୃଥିବୀରେ ପ୍ରଚଳିତ ରିଜର୍ଭ କରେନ୍‌ସି ବା ମୁଦ୍ରା ଡଲାରକୁ ଅତିକ୍ରମ କରି ତାହାକୁ ବଦଳାଇବା ପାଇଁ ଦ୍ରୁତ ଅଭିଯାନ ଜାରି ରଖିଛି। ଚାଇନାର ଅତ୍ୟନ୍ତ ଉଚ୍ଚାଭିଳାଷୀ ‘ଦି ବେଲ୍‌ଟ ରୋଡ୍‌ ଇନିସିଏଟିଭ’(BRI) ପ୍ରକଳ୍ପ, ୨୦୪୯ ମସିହା ସୁଦ୍ଧା ତାକୁ ମାନବ ଜାତିର ସମ୍ରାଟ ବନେଇବ ବୋଲି ସେ ଆଶା ଓ ଲକ୍ଷ୍ୟ ରଖିଛି। ଏସିଆ, ରୁଷିଆ ଏବ˚ ଇଉରୋପକୁ ସ୍ଥଳ ଭାଗରେ ଏବ˚ ଚାଇନାର ଉପସାଗରୀୟ ଅଞ୍ଚଳ, ଏସିଆର ଉପସାଗରୀୟ କ୍ଷେତ୍ର, ଦକ୍ଷିଣ ପ୍ରଶାନ୍ତ- ମହାସାଗରୀୟ କ୍ଷେତ୍ର ଓ ମଧୢପ୍ରାଚ୍ୟ କ୍ଷେତ୍ର ସହିତ ବେଲ୍‌ଟ ରୋଡ୍‌ ଦ୍ବାରା ଯୋଡ଼ି ହେବା ପାଇଁ ଚାଇନାର କୂଟନୈତିକ କଳ ସମ୍ପ୍ରତି ଜୋରଦାର କାର୍ଯ୍ୟରତ ଅଛନ୍ତି। ଈଶ୍ବରଙ୍କୁ ବିଶ୍ବାସ କରୁ ନ ଥିବା ସି ଜିନପିଙ୍ଗଙ୍କର କଳା ଓ ଧଳା ଫଟୋଗ୍ରାଫ ଏବେ ମାଓ ଜେଡୋଙ୍ଗଙ୍କର ଫଟୋରେ ସେ ପିନ୍ଧିଥିବା ଜ୍ୟାକେଟ୍‌ ଓ କ୍ୟାପ୍‌ ଉପରେ ଛପା ଯାଇଥିବା ଦେଖିବାକୁ ମିଳୁଛି। ପୁରୁଣା ଖବରକାଗଜ କଟିଂ ସବୁ ଚାଇନାର ରାଜସରଣୀ ପ୍ରାଚୀର ଉପରେ ମରାଯାଇଥିବା ଦେଖିବାକୁ ମିଳୁଛି। ଏହା ଦ୍ବାରା ଭରପୂର ଭାବରେ ଚାଇନାରେ ସି ଜିନପିଙ୍ଗଙ୍କ ‘ଅତି ମାନବତ୍ବ’ର ପ୍ରଚାର ଚାଲିଛି ।

ଶ୍ରୀଲଙ୍କା, ତାହାର ହାମ୍ବାନ ଟୋଟା ବନ୍ଦର ନିର୍ମାଣ ପାଇଁ ଚାଇନା ଠାରୁ ଆଣିଥିବା ବିପୁଳ ପରିମାଣର ଋଣ ଶୁଝି ନ ପାରି ବନ୍ଦର ପାର୍ଶ୍ବବର୍ତ୍ତୀ ୧୫,୦୦୦ (ପନ୍ଦର ହଜାର) ଏକର ଭୂମି ଚାଇନାକୁ ବନ୍ଧକ ସୂତ୍ରେ ଦେଇ ସାରିଥିଲା। ଏବେ ଅର୍ଥାତ୍‌ ଗଲା ମଇ ମାସ ୨୦ ତାରିଖ ଦିନ ଶ୍ରୀଲଙ୍କା ପାର୍ଲିଆମେଣ୍ଟ ‘କଲମ୍ବୋ ପୋର୍ଟ ସିଟି ଇକୋନୋମିକ କମିସନ ବିଲ୍‌’ ପାସ୍‌ କଲେ। ସେଥିରେ ପ୍ରାବଧାନ ରହିଲା ଯେ, ‘କଲମ୍ବୋ’ ବନ୍ଦର ସମ୍ମୁଖସ୍ଥ ୬୬୦ ଏକର ଆୟତନ ପରିମିତ ଜଳଭାଗ ଉପରେ ଚାଇନାର ସାର୍ବଭୌମ ଅଧିକାର ରହିବ। ସମୁଦ୍ରର ସେଇ ଇଲାକାରେ ‘Plan’ ସବ୍‌ ମେରିନ ବା ବୁଡ଼ାଜାହାଜ ଲଙ୍ଗର ପକାଇ ପାରିବ। ଏଠାରେ ପ୍ରକାଶ ଥାଉ କି ସେହି ଇଲାକାଟିର ଭୌଗୋଳିକ ଉପସ୍ଥିତି ଠିକ୍‌ ଆମ ତାଜ୍‌ ଏବ˚ ଆଇ.ଟି.ସି. ହୋଟେଲର ସମ୍ମୁଖ ଭାଗ, ଆନୁମାନିକ ୩୫୦ କିଲୋମିଟର ଦୂରତା ମଧୢରେ।

ଏବେ, ସମୟ ଉଣ୍ତି ଅରୁଣାଞ୍ଚଳ ପ୍ରଦେଶ ସୀମା ଅତିକ୍ରମ କରି ପଶି ଆସୁଛନ୍ତି ଚାଇନାର ପେଟ୍ରୋଲିଂ ଅଫିସରମାନେ। ଆମ ଜାଗ୍ରତ ସୀମା ପ୍ରହରୀମାନଙ୍କୁ ଦେଖି ଫେରି ଯାଉଛନ୍ତି ଅବଶ୍ୟ। ନିକଟ ଅତୀତରେ ଗଲଵାନ ଘାଟୀରେ ଖାଇଥିବା ମାଡ଼ କଥା ମନେ ପକାଇ ସେମାନେ ଭୟରେ ଫେରି ଯାଉଛନ୍ତି କି ଆଉ! ତହିଁରୁ ଆମକୁ ବର୍ତ୍ତମାନ ଲାଗି ହୁଏ’ତ କିଛି ଆତ୍ମ-ସନ୍ତୋଷ ମିଳୁଥିବ, ମାତ୍ର, ଏ ସବୁ ପଛରେ ଚାଇନାର ଏକ ଦୂରାକାଙ୍‌କ୍ଷା ରହିଛି। ଅରୁଣାଞ୍ଚଳ ଓ ଲଦାଖକୁ ସେମାନେ ଏବେ ବି ଭାରତର ବୋଲି ସ୍ବୀକାର କରନ୍ତି ନାହିଁ। ଚାଇନା ପରି ପଡ଼ୋଶୀ ପରିପ୍ରେକ୍ଷୀରେ ଆମକୁ ସବୁ ସମୟ ପାଇଁ ଏକ ଯୁଦ୍ଧର ସମ୍ମୁଖୀନ ହେବାର ସତର୍କତା ସହିତ ରହିବାକୁ ପଡ଼ିବ। ସେଥିପାଇଁ ଆମର ଅର୍ଥଶକ୍ତି ଓ ସାମରିକ ଶକ୍ତିକୁ ବୃଦ୍ଧି କରି ରଖିବାକୁ ହେବ। ଉଚ୍ଚାଭିଳାଷୀ ଓ ସାମ୍ରାଜ୍ୟ ସଂପ୍ରସାରଣବାଦୀ ଚୀନ୍‌ର ପଡ଼ୋଶୀ ଭାବେ ଭାରତକୁ ସଦା ଜାଗ୍ରତ ରହିବାକୁ ହେବ।

କେନ୍ଦ୍ରାପଡ଼ା
ମୋ-୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର