ସାବରମତୀ ଆଶ୍ରମ ପୁନର୍ବିନ୍ୟାସ ପ୍ରସଙ୍ଗ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ମୁଁ ୧୯୭୯ରେ ପ୍ରଥମ ଥର ଅହମଦାବାଦ ଯାଇଥିଲି। ପରବର୍ତ୍ତୀ ଦଶନ୍ଧିରେ ଉଭୟ ବ୍ୟକ୍ତିଗତ ଓ ପେସାଗତ କାରଣରୁ ଅନେକ ଥର ସେଠାକୁ ଯାଇଛି। ତା’ ପରେ ଗାନ୍ଧୀଙ୍କ ଉପରେ ମୋର ଗବେଷଣା ଆରମ୍ଭ ହେଲା ଏବଂ ଏହି ସହର ସହିତ ମୋର ଘନିଷ୍ଠତା ବଢ଼ିବାରେ ଲାଗିଲା। ୨୦୦୨ର ଭୟଙ୍କର ଦଙ୍ଗା ପରର ଗ୍ରୀଷ୍ମରେ ମୁଁ ଯେତେବେଳେ ଅହମଦାବାଦ ଫେରିଲି, ସ୍ବାଭାବିକ ଭାବେ ସାବରମତୀ ଆଶ୍ରମ ଥିଲା ମୋର ଗନ୍ତବ୍ୟ ସ୍ଥଳ। ଆଶ୍ରମର ଟ୍ରଷ୍ଟିଙ୍କ ସହିତ କିଛି ସମୟ ଆଲୋଚନା କରିଥିଲି। ଶାନ୍ତ ଓ ଅମାୟିକ ବ୍ୟକ୍ତିଜଣକ ତିରିଶ ବର୍ଷ ଧରି ଗାନ୍ଧୀଙ୍କ ସେବାରେ ଲାଗି ରହିଥିଲେ। କଥାବାର୍ତ୍ତା ମଧ୍ୟରେ ସେ ମୋତେ କହିଥିଲେ ଯେ ୨୦୦୨ ଗୁଜରାଟ ଦଙ୍ଗା ହେଉଛି ‘ମହାତ୍ମା ଗାନ୍ଧୀଙ୍କ ଦ୍ବିତୀୟ ହତ୍ୟାକାଣ୍ଡ’।

ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାକ ତଳେ ଏହି ଦଙ୍ଗା ହୋଇଥିଲା, ଯାହାଙ୍କର ସଂପୂର୍ଣ୍ଣ ଶିକ୍ଷାଦୀକ୍ଷା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘରେ ସମାପନ ହୋଇଥିଲା। ଏହି ସଂଗଠନର ସାମ୍ପ୍ରଦାୟିକ ଓ ବିଦେଶୀଙ୍କ ପ୍ରତି ବୈଷମ୍ୟବାଦୀ ଆଦର୍ଶ ଗାନ୍ଧୀଙ୍କ ମୁକ୍ତ ଚିିନ୍ତାଧାରା ଓ ଦର୍ଶନର ସଂପୂର୍ଣ୍ଣ ପରିପନ୍ଥୀ। ସରସଂଘଚାଳକ ବା ଆର୍‌ଏସ୍‌ଏସ୍ ମୁଖ୍ୟ ଏମ୍. ଏସ୍. ଗୋଲଵଲକରଙ୍କୁ ପୂଜା କରି କରି ମୋଦୀ ବଡ଼ ହୋଇଥିଲେ। ଗୋଲଵଲକର ସାର୍ବଜନିକ ଭାବେ ଗାନ୍ଧୀଙ୍କ ପ୍ରତି ଘୃଣା ପ୍ରକାଶ କରୁଥିବା ସମସ୍ତଙ୍କୁ ଜଣା। ୧୯୪୭ ଡିସେମ୍ବରର ଏକ ଭାଷଣରେ ଗୋଲଵଲକର କହିଥିଲେ: ‘ମହାତ୍ମା ଗାନ୍ଧୀ ସେମାନଙ୍କୁ ଆଉ ପଥଭ୍ରଷ୍ଟ କରିପାରିବେ ନାହିଁ। ଏଭଳି ଲୋକଙ୍କୁ ତତ୍‌କ୍ଷଣାତ୍ ନିରବ କରିବାର ଉପାୟ ଆମ ପାଖରେ ଉପଲବ୍‌ଧ ଅଛି। କିନ୍ତୁ ହିନ୍ଦୁଙ୍କର କ୍ଷତି କରିବା ଆମ ପରଂପରାରେ ନାହିଁ। ହେଲେ ଆମକୁ ବାଧ୍ୟ କରାଗଲେ, ଆମକୁ ସେ ପନ୍ଥା ବି ଆପଣାଇବାକୁ ପଡ଼ିବ।’

ମୋଦୀଙ୍କ ପାଇଁ ଗୋଲଵଲକର ଥିଲେ ‘ପୂଜନୀୟ ଶ୍ରୀ ଗୁରୁଜୀ’। ତାଙ୍କ ରାଜନୈତିକ କ୍ୟାରିଅର୍‌ର ଅଧିକାଂଶ କାଳ ସେ ଗୋଲଵଲକରଙ୍କୁ ଉଚ୍ଚ ସମ୍ମାନର ସହ ଦେଖୁଥିବା ବେଳେ ଗାନ୍ଧୀଙ୍କ କଥା କ୍ବଚିତ୍ ଚିନ୍ତା କରିଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ନରେନ୍ଦ୍ର ମୋଦୀ କଦବା କେମିତି ସାବରମତୀ ଆଶ୍ରମ ଯାଇଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରେ ସେହି ସ୍ଥାନକୁ ନେଇ ତାଙ୍କର ଗଭୀର ଉତ୍ସାହ ସୃଷ୍ଟି ହେଲା। ଜାପାନ ଓ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଏବଂ ଚୀନ ଓ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କୁ ସେ ବ୍ୟକ୍ତିଗତ ଭାବେ ଗାନ୍ଧୀଙ୍କ ଆଶ୍ରମକୁ ପାଛୋଟି ନେଇଛନ୍ତି।

ଆଶ୍ରମର ଟ୍ରଷ୍ଟି ଓ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶଙ୍କର ଗାନ୍ଧୀଙ୍କ ଜୀବନ ଉପରେ ଗଭୀର ଜ୍ଞାନ ଅଛି। ବିଦେଶୀ ଅତିଥିଙ୍କୁ ଆଶ୍ରମ ବୁଲାଇବା ପାଇଁ ଏହି ବିଶେଷଜ୍ଞଙ୍କ ମଧ୍ୟରୁ କାହାକୁ ନ କହି, ଗାନ୍ଧୀ ବିଦ୍ରୂପକାରୀ ଏବଂ ଗାନ୍ଧୀ ବିଦ୍ବେଷୀ ପାଠଶାଳାରେ ପ୍ରଶିକ୍ଷିତ ମୋଦୀ, ନିଜେ ସେହି କାର୍ଯ୍ୟ କରିବାକୁ ଚାହିଁଲେ। କ୍ୟାମେରାମ୍ୟାନ୍‌କୁ ନିର୍ଦେଶ ଦିଆଯାଇଥିଲା ଯେ କେବଳ ଭାରତୀୟ ପ୍ରଧାନମନ୍ତ୍ରୀ ଓ ଗସ୍ତରେ ଆସିଥିବା ରାଷ୍ଟ୍ରମୁଖ୍ୟଙ୍କୁ ଫ୍ରେମ୍ ଭିତ‌େର ରଖାଯିବ। ମୋଦୀ ସେମାନଙ୍କୁ ଗାନ୍ଧୀଙ୍କ ଜୀବନ ଓ ଆଦର୍ଶ ସମ୍ପର୍କରେ ଗଭୀର ଜ୍ଞାନ ଥିବା ଢଙ୍ଗରେ ବୁଝାଉଥିବା ବେଳେ ଏବଂ ଆଶ୍ରମର କେତେକ ଗୁରୁତ୍ବପୂର୍ଣ୍ଣ ଜାଗା ଯଥା ଗାନ୍ଧୀ ରହୁଥିବା ସ୍ଥାନ, ତାଙ୍କ ପ୍ରାର୍ଥନା ସ୍ଥଳ, ତାଙ୍କର ଚରଖା ଆଦି ଆଡ଼କୁ ମୋଦୀ ଇଙ୍ଗିତ କରୁଥିବା ବେଳର ଚିତ୍ର ନେବାକୁ କୁହାଯାଇଥିଲା।

ସାର୍ବଜନିକ ଭାବେ ଗାନ୍ଧୀଙ୍କ ସହ ଯୋଡ଼ି ହେବାର ଏହି ନୂଆ ଇଚ୍ଛାକୁ କିଭଳି ବ୍ୟାଖ୍ୟା କରାଯିବ? ମନେହୁଏ ଯେ ମୋଦୀଙ୍କ ବ୍ୟକ୍ତିଗତ ଅଭିଳାଷ ପୁରୁଣା ରାଜନୈତିକ ଆନୁଗତ୍ୟ ଓ ଆଦର୍ଶର ବନ୍ଧନକୁ ଅତିକ୍ରମ କରିସାରିଛି। ଗାନ୍ଧୀଙ୍କୁ ନେଇ ଆର୍‌ଏସ୍‌ଏସ୍‌ ସଂଗଠନରେ ଗଭୀର ଅସ୍ପଷ୍ଟତା ରହିଆସିଛି। ହେଲେ ମୋଦୀ ଭକ୍ତମାନେ ସାମାଜିକ ଗଣମାଧ୍ୟମରେ ଖୋଲାଖୋଲି ଭାବେ ଗାନ୍ଧୀଙ୍କ ପ୍ରତି ଘୃଣା ଭାବ ପ୍ରକାଶ କରନ୍ତି। କିନ୍ତୁ ମୋଦୀଙ୍କୁ ଭଲ ଭାବେ ଜଣା ଯେ ଗାନ୍ଧୀ ହେଉଛନ୍ତି ସମଗ୍ର ବିଶ୍ବରେ ସୁବିଦିତ ଓ ସର୍ବାଧିକ ପ୍ରଶଂସିତ ଭାରତୀୟ ‘ବ୍ରାଣ୍ଡ୍‌’। ତେଣୁ ଜାପାନ, ଚୀନ, ଇସ୍ରାଏଲ୍, ଫ୍ରାନ୍‌ସ, ଆମେରିକା, ରୁଷିଆ ବା ଜର୍ମାନି, ଯେଉଁ ଦେଶ ହେଉ, ଯଦି ନେତାଙ୍କ ମନରେ ମୋଦୀ ଛାପ ଛାଡ଼ିବାକୁ ଚାହାନ୍ତି, ତେବେ ସକ୍ରିୟ ଭାବେ ଗାନ୍ଧୀଙ୍କୁ ନିଜ ପାର୍ଶ୍ବରେ ରଖିବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ ଆସନରେ ବସିବା ପରେ ସାବରମତୀ ଆଶ୍ରମ ନେଇ ତାଙ୍କର କୌତୂହଳ ଜାତ ହୋଇଛି ସତ, କିନ୍ତୁ ମୋଦୀ ଓ ଗାନ୍ଧୀଙ୍କ ମଧ୍ୟରେ ଯେଉଁ ନୈତିକ ଓ ଆଦର୍ଶଗତ ଦୂରତ୍ବ ରହିଛି, ତାହା ମଧ୍ୟରେ ସେତୁ ବନ୍ଧାଯିବା ସମ୍ଭବ ନୁହେଁ। ଏହି ପ୍ରଧାନମନ୍ତ୍ରୀଙ୍କ ଦଳ ପାଖାପାଖି ୩୦୦ ସାଂସଦଙ୍କ ମଧ୍ୟରେ ଜଣେ ହେଲେ ମୁସଲମାନଙ୍କୁ ସାମିଲ କରିପାରିଲା ନାହିଁ ଏବଂ ମୁସଲମାନଙ୍କୁ କଳଙ୍କିତ କରୁଥିବା ଏକ ପକ୍ଷପାତୀ ନିୟମ ଆଣିଲା। ଅନ୍ତଃଧର୍ମ ସମନ୍ବୟର ପ୍ରବର୍ତ୍ତକ ଗାନ୍ଧୀ ଏଭଳି ରାଜନୀତିକୁ ଜୀବନ ଯାକ ଘୃଣା ଓ ବିରୋଧ କରୁଥିଲେ। ଯେଉଁ ବ୍ୟକ୍ତି ନିଜର ବ୍ୟକ୍ତିଗତ ଇତିହାସକୁ ଅତ୍ୟଧିକ ଅଳଂକୃତ କରିଛନ୍ତି, ଯାହାଙ୍କ ସରକାର ବ୍ୟବସ୍ଥିତ ରୂପେ ଅର୍ଥନୈତିକ, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ପରିସଂଖ୍ୟାନକୁ ଏପଟ ସେପଟ କରିପାରନ୍ତି, ସେ ବ୍ୟକ୍ତି ଏବଂ ‘ସତ୍ୟମେବ ଜୟତେ’ ବା ସତ୍ୟର ଜୟ ହେଉ ଗାନ କରୁଥିବା ଜଣେ ସନ୍ଥଙ୍କ ମଧ୍ୟରେ ଆକାଶ ପାତାଳ ଫରକ ରହିଛି। ଏ ସରକାରଙ୍କ ମିଛ ଓ ଛଳନାର ମାତ୍ରା ଏତେ ପରିବ୍ୟାପ୍ତ ଯେ ଜଣେ ପରିଚିତ ଲେଖକ କୁହନ୍ତି, ବିଜେପି ଦଳର ସିଦ୍ଧାନ୍ତ ହେଲା ‘ଅସତ୍ୟମେବ ଜୟତେ’ ବା ଅସତ୍ୟ ମାଧ୍ୟମରେ ଆମର ଜୟ ହେଉ।

ସତ୍ୟ, ସ୍ବଚ୍ଛତା ଏବଂ ଧାର୍ମିକ ସହନଶୀଳତାର ସମାହାର ଥିଲେ ଗାନ୍ଧୀ। ପ୍ରତାରଣା, ରହସ୍ୟ ଓ ସଂଖ୍ୟାଗରିଷ୍ଠତାର ସମାହାର ହେଉଛନ୍ତି ମୋଦୀ। ତେବେ କିଭଳି ଭାବେ ମୋଦୀ ଗାନ୍ଧୀଙ୍କ ସହିତ ସମ୍ପର୍କିତ ବୋଲି ଦାବି କରିପାରିବେ? ତର୍କ ଓ ନୈତିକତା ଦୃଷ୍ଟିରୁ ସେ ତାହା କରିପାରିବା କଥା ନୁହଁ, କିନ୍ତୁ କ୍ଷମତା ଲୋଭ ତାଙ୍କୁ ଏହା କରାଉଛି। ଆଉ ସେହି କାରଣରୁ ଗାନ୍ଧୀଙ୍କ ନାମ ସହ ସମ୍ପର୍କ ସ୍ଥାପନ କରି ମୋଦୀଙ୍କ କଳଙ୍କିତ ଇତିହାସକୁ ସଫେଦ କରିବାର ସଦ୍ୟତମ ଉଦ୍ୟମ ଆରମ୍ଭ ହୋଇଛି। ସାବରମତୀ ଆଶ୍ରମକୁ ମହାତ୍ମାଙ୍କ ‘ବିଶ୍ବସ୍ତରୀୟ ସ୍ମୃତିପୀଠ’ କରିବା ବାହାନାରେ ଏହାର ଭିତ୍ତିଭୂମିକୁ ନୂଆ ରୂପ ଦେବା ନିମନ୍ତେ ଏକ ବ୍ୟୟବହୁଳ ସରକାରୀ ପ୍ରକଳ୍ପର ଯୋଜନା କରାଯାଉଛି।

ଗାନ୍ଧୀ କହିଥିଲେ, ମୋ ଜୀବନ ହେଉଛି ମୋର ବାର୍ତ୍ତା। ଇତିହାସରେ ନିଜର ନାମ ଲିପିବଦ୍ଧ କରାଇବା ପାଇଁ ମୋଦୀଙ୍କ ଭଳି ତାଙ୍କୁ ନିଜ ନାଁ ଅନୁଯାୟୀ ଷ୍ଟାଡିୟମ୍‌ର ନାମକରଣ କରିବାକୁ ପଡ଼ି ନ ଥିଲା କି ଅତୀତର ଶାସକଙ୍କ ଛବିକୁ ନିଶ୍ଚିହ୍ନ କରି ନିଜ ଛବିକୁ ସ୍ଥାପିତ କରିବା ନିମନ୍ତେ ରାଜଧାନୀ ପୁନର୍ନିମାଣ କରିବାକୁ ପଡ଼ି ନ ଥିଲା। ଏବେ ଯେଉଁ ରୂପରେ ସାବରମତୀ ଆଶ୍ରମ ଛିଡ଼ା ହୋଇଛି, ତାହା ଗାନ୍ଧୀ ଓ ତାଙ୍କ ଆଦର୍ଶର ସ୍ମୃତିରକ୍ଷା ପାଇଁ ଯଥେଷ୍ଟ। ଗାନ୍ଧୀଙ୍କ ଅମଳରୁ ସେହି ଚିତ୍ତାକର୍ଷକ ଛୋଟ ଘରଗୁଡ଼ିକ ରହିଆସିଛି। ଆଶ୍ରମ ପରିସରରେ ଥିବା ବୃକ୍ଷଲତା, ପକ୍ଷୀ, ନଦୀର ଦୃଶ୍ୟ ଏବଂ କୌଣସି ପ୍ରବେଶ ଦେୟ, ଜଗୁଆଳି ବା ଖାକି ପିନ୍ଧା ସଶସ୍ତ୍ର ପୁଲିସଙ୍କ ଅନୁପସ୍ଥିତି, ଏସବୁ ଏହି ସ୍ଥାନର ସ୍ବତନ୍ତ୍ରତା। ଭାରତର ଅନ୍ୟ କୌଣସି ସ୍ମାରକୀ ବା ସଂଗ୍ରହାଳୟରେ ଏଭଳି ବ୍ୟବସ୍ଥା ଦେଖିବାକୁ ମିଳେ ନାହିଁ।

ଗାନ୍ଧୀ ସମୁଦାୟ ପାଞ୍ଚଟି ଆଶ୍ରମ ତୋଳିଥିଲେ; ଦକ୍ଷିଣ ଆଫ୍ରିକାରେ ଦୁଇଟି ଓ ଭାରତରେ ତିନିଟି। ନିର୍ଦ୍ବନ୍ଦ୍ବରେ ସେ ମଧ୍ୟରୁ ସାବରମତୀ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ବର୍ଷ ବର୍ଷ ଧରି ଭାରତ ଓ ବିଦେଶର ଅସଂଖ୍ୟ ଲୋକ ଏହି ଆଶ୍ରମ ବୁଲିଛନ୍ତି। ଏହାର ସୌନ୍ଦର୍ଯ୍ୟ, ପରିବେଶର ସରଳତା ଏବଂ ଏହା ବହନ କରୁଥିବା ଐତିହ୍ୟ ଦ୍ବାରା ପ୍ରଭାବିତ ନ ହୋଇ କୌଣସି ପରିଦର୍ଶକ ଫେରି ନାହିଁ।

କଦର୍ଯ୍ୟ ସୌନ୍ଦର୍ଯ୍ୟ ଏବଂ ବିଶାଳତାର ଉପାସନା କରୁଥିବା ଏକ ଶାସକ ଯେତେବେଳେ ସାବରମତୀ ଆଶ୍ରମ ଉଦ୍ଦେଶ୍ୟରେ ‘ବିଶ୍ବସ୍ତରୀୟ’ ଶବ୍ଦର ବ୍ୟବହାର କରନ୍ତି, ସେତେବେଳେ ଦେହରେ ଶିହରଣ ଖେଳିଯାଏ। ଏହି ‘ଉନ୍ନତୀକରଣ’ କାର୍ଯ୍ୟ ପାଇଁ ମନୋନୀତ ସ୍ଥପତି ବିମଳ ପଟେଲ ବୋଲି ଜାଣିବା ପରେ ବ୍ୟାକୁଳତା ଆହୁରି ବଢ଼ିଯାଏ। ପଟେଲଙ୍କ କାର୍ଯ୍ୟ କୌଣସି ଦିଗରୁ ଉଲ୍ଲେଖନୀୟ ନୁହେଁ। ତାଙ୍କର ଆବେଗହୀନ କଂକ୍ରିଟ୍ ସ୍ଥାପତ୍ୟଗୁଡ଼ିକ ସାବରମତୀ ଓ ସେବାଗ୍ରାମରେ ଥିବା ଗାନ୍ଧୀଙ୍କ ଆଶ୍ରମଗୁଡ଼ିକର ଗଢ଼ଣ ଠାରୁ ସଂପୂର୍ଣ୍ଣ ଅଲଗା।

ସମ୍ଭବତଃ ପ୍ରଧାନମନ୍ତ୍ରୀ ଜଣେ ମାତ୍ର ସ୍ଥପତିଙ୍କ ନାଁ ଶୁଣିଛନ୍ତି ଏବଂ ସେ ହେଉଛନ୍ତି ବିମଳ ପଟେଲ। ଦିଲ୍ଲୀ, ବାରାଣସୀ ଓ ଅହମଦାବାଦ ଭଳି ଏଠାରେ ମଧ୍ୟ ପ୍ରାୟ ସ୍ବତଃପ୍ରବୃତ୍ତ ଭାବେ ପଟେଲଙ୍କୁ ସାବରମତୀ ଆଶ୍ରମର ପୁନର୍ବିନ୍ୟାସ ଦାୟିତ୍ବ ଦିଆଯାଇଛି। କୌଣସି ସ୍ଥପତି, ସଂରକ୍ଷକ, ଗାନ୍ଧୀବାଦୀ ବା ବିଶେଷଜ୍ଞଙ୍କ ମତାମତ ନ ନେଇ ମୋଦୀ ନିଜର ଘନିଷ୍ଠ ଲୋକଙ୍କ ସହିତ ଏହି ‘ପୁନର୍ନିର୍ମାଣ’ର ଯୋଜନା ପ୍ରସ୍ତୁତ କରିଛନ୍ତି। ଏପରିକି ଆଶ୍ରମର ଟ୍ରଷ୍ଟିମାନଙ୍କୁ ସୁଦ୍ଧା ଏହି ଯୋଜନା ନେଇ ସଂପୂର୍ଣ୍ଣ ଅନ୍ଧାରରେ ରଖାଯାଇଥିଲା।

ମୋଦୀଙ୍କ ସାବରମତୀ ଯୋଜନା ଗୋପନୀୟତାରେ ବୁଡ଼ି ରହିଛି ଏବଂ ଏଥିରେ ପ୍ରିୟାପ୍ରୀତି ତୋଷଣର ସବୁତକ ଲକ୍ଷଣ ଅଛି। ୧୯୬୦ ଦଶକରେ କରାଯାଇଥିବା ଏକ ପ୍ରଶଂସନୀୟ ନିର୍ମାଣ କାର୍ଯ୍ୟ ସହିତ ଏହାର ଅସଙ୍ଗତିକୁ ତୁଳନା କରାଯାଇପାରେ। ଟ୍ରଷ୍ଟିମାନେ ନିଷ୍ପତ୍ତି ନେଇଥିଲେ ଯେ ଆଶ୍ରମରେ ଏକ ଛୋଟ ସଂଗ୍ରହାଳୟ ସ୍ଥାପନ କରାଯିବ। ଏ କାର୍ଯ୍ୟ ପାଇଁ ସେମାନେ କୌଣସି ଗୁଜରାଟୀ ବ୍ୟକ୍ତିଙ୍କୁ ନିଯୁକ୍ତ ନ କରି ବମ୍ବେର ଚାର୍ଲସ୍ କୋରିଆଙ୍କୁ ବାଛିଥିଲେ। ଭିନ୍ନ ଧର୍ମର ଏବଂ ଭାରତର ଏକ ଅଲଗା ସ୍ଥାନର ଜଣେ ସ୍ଥପତିଙ୍କୁ ନିଯୁକ୍ତ କରାଯିବା ଦ୍ବାରା ଗାନ୍ଧୀଙ୍କର ସଂକୀର୍ଣ୍ଣତା ବିରୋଧୀ ବା ଉଦାର ଆଦର୍ଶକୁ ଅନୁସରଣ କରାଯାଇଥିଲା। ସାଧାରଣ ଆକାରରେ ନିର୍ମିତ ଏହି ସଂଗ୍ରହାଳୟଟିର ଖୋଲାମେଲା ଅଳିନ୍ଦ ଚତୁଃପାର୍ଶ୍ବର ବସ୍ତୁ ଓ ଗଛମାନଙ୍କ ପାଇଁ ଉନ୍ମୁକ୍ତ ରହିଛି। ଚାର୍ଲସ୍ କୋରିଆଙ୍କ ନକ୍‌ସାଟି ଗାନ୍ଧୀଙ୍କ ସମୟର ଘରଦ୍ବାର ସହିତ ସୁନ୍ଦର ରୂପେ ମେଳ ଖାଇ ଯାଇଛି।

ଅହମଦାବାଦର ଜଣେ ସହକର୍ମୀ ପରିହାସ କରି କହନ୍ତି ଯେ ସୌଭାଗ୍ୟବଶତଃ ଆମେ କେବେ ଗୋଟିଏ ଦେଶ, ଗୋଟିଏ ଦଳ ବ୍ୟବସ୍ଥା ଲାଗୁ ହେବାର ଦେଖିବା ନାହିଁ, କିନ୍ତୁ ଆମେ ନିଶ୍ଚିତ ରୂପେ ଗୋଟିଏ ଦେଶ, ଗୋଟିଏ ସ୍ଥପତି ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛୁ। ଯଦି ଜଣେ ଅର୍ବପତି ନିଜ ପଇସା ବିନିଯୋଗ କରି ତାଙ୍କର ବେଳାଭୂମି ଘର, ସହର ଆବାସ, ପର୍ବତ ନିବାସ, ମରୁଭୂମି ଗୃହ ଏକମାତ୍ର ସ୍ଥପତିଙ୍କ ନକ୍‌ସା ଅନୁଯାୟୀ ପ୍ରସ୍ତୁତ କରିବାକୁ ଚାହାନ୍ତି, ତେବେ ସେଥିରେ କୌଣସି ନୈତିକ ଆପତ୍ତି ନାହିଁ। କିନ୍ତୁ ଯଦି ଟିକସଦାତାଙ୍କ ଟଙ୍କାରେ ନିର୍ମିତ ଦେଶର ସବୁ ସମ୍ମାନଜନକ ପ୍ରକଳ୍ପଗୁଡ଼ିକୁ ଜଣେ ମାତ୍ର ସ୍ଥପତିଙ୍କୁ ସମର୍ପଣ କରିଦିଆଯାଏ, ତେବେ ତାହା ସ୍ବାଭାବିକ ଭାବେ ଆପତ୍ତିଜନକ। ବାସ୍ତବରେ କେବଳ ଏକ ପ୍ରଭୁତ୍ବବାଦୀ ଦେଶରେ ହିଁ ଜଣେ ନିର୍ଦ୍ଦିଷ୍ଟ ରାଜନେତାଙ୍କ ସହିତ କିଛି ହାତଗଣତି ସ୍ଥପତି ଏଭଳି ସମ୍ପର୍କ ସ୍ଥାପନ କରିପାରିବେ। ଜଣେ ମାତ୍ର ଲୋକ ନିକଟରେ ହିଁ ପ୍ରାଚୀନ ମନ୍ଦିର ବେଷ୍ଟିତ ସହର, ଏକ ଆଧୁନିକ ରାଜଧାନୀ ଏବଂ ଗାନ୍ଧୀଙ୍କ ଆଶ୍ରମର ପୁନଃନିର୍ମାଣ ପାଇଁ ସ୍ବତନ୍ତ୍ର ଯୋଗ୍ୟତା ଅଛି ବୋଲି ବିଶ୍ବାସ କରିବା ମୋଦୀ ସରକାରଙ୍କ ପରିବାରବାଦ ଓ ପ୍ରିୟାପ୍ରୀତି ତୋଷଣକୁ ପ୍ରକଟ କରୁଛି। ଭାରତ ଏବଂ ଭାରତୀୟ ସ୍ଥାପତ୍ୟ ଏହା ଠାରୁ ଅନେକ କିଛି ଅଧିକ ଲାଗି ଯୋଗ୍ୟ।

ଏକ ଉନ୍ନତ ଓ ସାହସୀ ଦୁନିଆରେ ମୋଦୀ ଏବଂ ତାଙ୍କର ଚାଟୁକାରମାନେ ଏଭଳି ଭଙ୍ଗାରୁଜା କରିପାରନ୍ତେ ନାହିଁ। ଦୁଃଖର କଥା ଯେ ବର୍ତ୍ତମାନ ସାବରମତୀ ଆଶ୍ରମ ଚଳାଉଥିବା ଟ୍ରଷ୍ଟ ବୁଢ଼ାବୁଢ଼ୀଙ୍କୁ ନେଇ ଗଠିତ। ଏମାନେ ସମସ୍ତେ ଗୁଜରାଟରେ ରହନ୍ତି, ତେଣୁ ପରିବାର ଉପରେ ସରକାରଙ୍କ ପ୍ରତିଶୋଧ ପରାୟଣତାର ଭୟ ଯୋଗୁ ସେମାନେ କିଛି କହିପାରିବେ ନାହିଁ। ମୋଦୀଙ୍କ ଯୋଜନା ତା’ ବାଟରେ ଆଗେଇ ଚାଲିବ। ଆମେ ସେ ବ୍ୟକ୍ତିଙ୍କୁ ଯେଭଳି ଜାଣୁ, ତାଙ୍କ ମନରେ ସ୍ବାର୍ଥ ଛଡ଼ା ଆଉ କିଛି ନାହିଁ। ମହାତ୍ମାଙ୍କ ପ୍ରତି ଶ୍ରଦ୍ଧା ବା ସମ୍ମାନ ଥିବା କାରଣରୁ ମୋଦୀ ‘ସାବରମତୀ’ର ପୁନର୍ନିର୍ମାଣ କରୁନାହାନ୍ତି, ବରଂ ନିଜର ଭାବମୂର୍ତ୍ତି ଚମକାଇବା ଏବଂ ନିଜର ଅତୀତର ପୁନଃଲିଖନ ପାଇଁ ସେ ଏହା କରୁଛନ୍ତି।

ନୂଆ ଦିଲ୍ଲୀରେ ଚାଲିଥିବା ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ ବ୍ୟାପକ ସମାଲୋଚନା କରାଯାଇଛି। ହେଲେ ନୈତିକତା ଦୃଷ୍ଟିରୁ ସାରବମତୀ ଆଶ୍ରମର ପ୍ରସ୍ତାବିତ ପୁନଃବିନ୍ୟାସ ତା’ ଠାରୁ ଅଧିକ ଉଦ୍‌ବେଗଜନକ। ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ରୂପେ ରାଜଧାନୀର ସରକାରୀ ଭୂଇଁରେ ନୂଆ ଭିତ୍ତିଭୂମି (ତାହା ଯେତେ କଦାକାର ବା ବ୍ୟୟବହୁଳ ହେଉନା କାହିଁକି) ନିର୍ମାଣ କରିବା ମୋଦୀଙ୍କର ବିଧିବଦ୍ଧ ଅଧିକାର। ହେଲେ ସାବରମତୀର କଥା ସଂପୂର୍ଣ୍ଣ ଭିନ୍ନ। ସାବରମତୀ ଆଶ୍ରମ ଓ ଗାନ୍ଧୀ କେବଳ ଅହମଦାବାଦ, ଗୁଜରାଟ କିମ୍ବା ଭାରତର ଲୋକଙ୍କର ସମ୍ପତ୍ତି ନୁହେଁ; ତାହା ପ୍ରତିଟି ଜନ୍ମିତ ବା ଅଜନ୍ମିତ ମଣିଷଙ୍କର। ଜଣେ ରାଜନେତା ଯାହାଙ୍କର ଆଜୀବନ କାର୍ଯ୍ୟ ଗାନ୍ଧୀଙ୍କ କାର୍ଯ୍ୟର ସଂପୂର୍ଣ୍ଣ ପରିପନ୍ଥୀ ଏବଂ ଜଣେ ସ୍ଥପତି ଯାହାଙ୍କ ମୁଖ୍ୟ ଯୋଗ୍ୟତା ହେଉଛି ଯେ ସେ ସେହି ରାଜନେତାଙ୍କର ଘନିଷ୍ଠ, ଏମାନଙ୍କର ଗାନ୍ଧୀଙ୍କ ସହ ଜଡ଼ିତ କୌଣସି ସ୍ଥାନ ସହ ଖେଳିବାର ଅଧିକାର ନାହିଁ।

(ଲେଖକଙ୍କ ମତାମତ ନିଜସ୍ବ)

ସମ୍ବନ୍ଧିତ ଖବର